Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରଥମ ପ୍ରେମିକା ପତ୍ନୀକୁ ପ୍ରତାରଣା: ଦ୍ୱିତୀୟ ବିବାହ କରି ଜେଲ୍ ଗଲା ଯୁବକ

କନ୍ଦର୍ପ ବେହେରା
ରେଢାଖୋଲ: ପ୍ରେମ ମାନେନା ବାଧା ବନ୍ଧନ। ପ୍ରେମ ହିଁ ଜୀବନ। ଏଇ ପ୍ରେମ ପାଇଁ କିଏ ପାଗଳ ହୋଇ ଯାଇଛି ତ ଆଉ କାର ଜୀବନ ଯାଉଛି। ଏଇ ପ୍ରେମ ପାଇଁ ଆଉ କେହି ଜେଲ ଯାଉଛି। ଏଇ ପ୍ରେମ କିନ୍ତୁ ଅଲଗା ପ୍ରଥମ ପ୍ରେମିକା ପତ୍ନୀକୁ ପ୍ରତାରଣା କରି ଅନ୍ୟତ୍ର ବିବାହ କରି ଶେଷରେ ଜେଲ ଯିବା ଭଳି ଘଟଣା ନାକଟିଦେଉଳ ଅଂଚଳରେ ବେଶ୍ ଚାଂଚଲ୍ୟ ସୃଷ୍ଟି କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଦେବଗଡ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ଗ୍ରାମର ନୀଳାବତୀ ମାଟିଆରୀ (୩୦)ନାମକ ଜନୈକା ଯୁବତୀ ଦେବଗଡ ନିଯୁକ୍ତିମେଳା ରେ ମନୋନୀତ ହୋଇ ଗୁଜୁରାଟ ରେ ଜିଏଚ୍‌ସିଏଲ୍ ନାମକ କଂପାନୀରେ ୨୦୧୫ ରେ ନିଯୁକ୍ତି ପାଇଥିଲେ। ନାକଟିଦେଉଳ ଥାନା ସରାପାଲି ପଂଚାୟତ ମାରଓାଡିମୁଣ୍ଡା ଗ୍ରାମର ସୁଧାଂଶୁ ଶେଖର ରାଉଳ ନାମକ (୩୨) ଯୁବକ ନୀଳାବତୀକୁ ଗୁଜୁରାଟରେ କାମ କରିବାକୁ ପଚାରିବାରୁ ନୀଳାବତୀ ହଁ କରିଥିଲେ। ସୁଧାଂଶୁ ଗୁଜୁରାଟ ଚାଲିଯାଇ ଦି ଜଣ ଏକାଠି ୨୦୧୭ ରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏକାଠି ରହିଥିଲେ। ଏହା ଭିତରେ ସେମାନଙ୍କୁ ପୁତ୍ର ସନ୍ତାନଟିଏ ମଧ୍ୟ ଜନ୍ମ ହୋଇଥିଲା।

ବର୍ତ୍ତମାନ ପିଲାଟିର ବୟସ ୨ବର୍ଷ। ସୁଧାଂଶୁ ନିଜର ପ୍ରେମିକା ପତ୍ନୀକୁ କେରଳ ଯାଉଛି ସେଠାରେ ଅଧିକ ରୋଜଗାର ହେବ କହି ନିଜ ଗାଁ ମାରଓାଡିମୁଣ୍ଡାକୁ ପଳାଇ ଆସିଥିଲା। ବିଶ୍ୱାସ ଜନ୍ମାଇବାକୁ ପ୍ରତିମାସରେ ସୁଧାଂଶୁ ପ୍ରେମିକା ପତ୍ନୀକୁ ୫ ହଜାର ଟଙ୍କା ଲେଖାଏଁ ପଠାଉଥିଲା। ହେଲେ ଗତ ଅପ୍ରେଲ ଓ ମଇ ମାସ ୨୦୨୧ ରେ ପ୍ରେମିକା ପତ୍ନୀ ପାଖକୁ ଟଙ୍କା ନ ପଠାଇବାରୁ ତାର ମନରେ ସନ୍ଦେହ ଯାତ ହେଲା। ଗତ ତା ୧୨/୫/୨୦୨୧ ରେ ସୁଧାଂଶୁ ପାତ୍ରପଡା ଅଂଚଳରେ ବିବାହ କରି ପକାଇଥିଲା।

କୈାଣସି ସୂତ୍ରରୁ ପୂର୍ବ ପ୍ରେମିକା ପତ୍ନୀ ଖବର ପାଇ ଗୁଜୁରାଟରୁ ଫେରିଆସି ଆଜି ନାକଟିଦେଉଳ ଥାନାକୁ ଆସି ଲିଖିତାକାରରେ ଅଭିଯୋଗ କଲା ପରେ ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରତାରିତ ଯୁବକକୁ ଥାନାକୁ ଆଣି ପଚରାଉଚୁରା କରିଥିଲେ। ଉଭୟକୁ ପତ୍ନୀ ହିସାବରେ ରଖିବା ପାଇଁ ସୁଧାଂଶୁ ଅରାଜୀ ହେବାରୁ ନାକଟିଦେଉଳ ଥାନା କେସ୍ ନଂ୫୦/୨୧ ଧାରା ୪୯୩,୪୧୭, ୫୦୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏପଟେ ୨ ବର୍ଷର ଛୋଟ ପୁଅଟି ଅନାଥ ହୋଇଯାଇଥିବା ବେଳେ ସେ ପଟେ ନବବିବାହିତା ମହିଳାର ସ୍ୱାମୀ ଜେଲ ଯିବା ଘଟଣା ନାକଟିଦେଉଳ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀ ଓ ୩ଟି ପିଲାକୁ ଛାଡି ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ ଏବେ ହରଡଘଣାରେ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତେରମାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନୋଟି ସନ୍ତାନ ସନ୍ତତି ଥିବା ପ୍ରଥମ ପତ୍ନୀକୁ ମାଡ ଗାଳିଦେଇ ବିଦା କରିଦେବା ପରେ ଲମ୍ପଟ ସ୍ୱାମୀ କରିଛି ଦ୍ୱିତୀୟ ବିବାହ। ଏକଥା ପ୍ରଥମ ପତ୍ନୀ ଜାଣିବା ପରେ ଆଜି ତିର୍ତ୍ତୋଲ ଥାନାରେ ସ୍ୱାମୀଙ୍କ ନାମରେ ଦେଇଛନ୍ତି ଏତଲା।

ଅଭିଯୋଗ ଅନୁଯାୟୀ ପାଟକୁରା ତାଳସଙ୍ଗା ଗ୍ରାମର ଭାରତୀ ବେହେରା ତିର୍ତ୍ତୋଲ ଥାନା ଅଧିନସ୍ଥ ରାହାମା ତେରମାଣପୁର (କୋଟସାହି) ଗ୍ରାମର ରାଜିବ ବେହେରାଙ୍କୁ ୯ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବାପରେ ମଧ୍ୟ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ପୁନର୍ବାର ଯୌତୁକ ଦାବି କରି ବିଭିନ୍ନ ସମୟରେ ପତ୍ନୀଙ୍କ ସହିତ ମାଡପିଟ୍ କରୁଥିଲେ। ପତ୍ନୀ ନିଜର ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ ହେଲେ ପରର ମୁଲ ମଜୁରି ଲାଗି ନିଜେ କଷ୍ଟମଷ୍ଟେ ଚଳୁଥିବାରୁ ଝିଅକୁ ପୁନର୍ବାର ଯୌତୁକ ଦେବାକୁ ସେ ଅସମର୍ଥ ଥିଲେ।

ଏପରି ଅକଥନୀୟ ଶାରୀରିକ ଅତ୍ୟାଚାର ଲାଗିରହିଥିବା ବେଳେ ଦିନେ ବଡଝିଅ ସ୍କୁଲକୁ ଯାଇଥିବା ବେଳେ ଅଟୋରେ ପତ୍ନୀକୁ ନେଇ ତାର ବାପଘରେ ଛାଡିଦେବା ସହ ଏଇଥରକ ବାପଘରୁ ଟଙ୍କା ନ ଆଣିଲେ ତୋର ଝିଅକୁ ପେଟ୍ରୋଲ ପକାଇ ଜାଳି ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ସ୍ୱାମୀ। ଜୀବନ ବଞ୍ଚାଇବା ପାଇଁ ନିଜର ୨ଟି ଛୋଟ ଛୋଟ ପିଲାଙ୍କ ସହିତ ବାପଘରେ ଆଶ୍ରୟ ନେଇଥିଲା ପତ୍ନୀ। ବାପଘରେ ଅଭାବ ଅନାଟନ ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଛୋଟ ଛୋଟ ପିଲାଙ୍କ ସହିତ ରହୁଥିବା ପତ୍ନୀ ନିଜର ଲମ୍ପଟ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଜାଣିବା ପରେ ଆଜି ସେ ନିଜ ସ୍ୱାମୀଙ୍କ ନାମରେ ତିର୍ତ୍ତୋଲ ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଛନ୍ତି।