Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ମାମଲାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦଣ୍ଡିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ପୁର୍ବତନ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ବିଚାରପତି ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ରୁ ପ୍ରକାଶ ଯେ, ଗତ ୨୦୦୨ ମସିହା ଏପ୍ରିଲ ମାସ ୨ ତାରିଖ ରେ ଦଣ୍ଡିତ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀ ଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ମକଦ୍ଦମା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରି ସେତେବେଳେ ତାଙ୍କ ଠାରୁ ୮ ଲକ୍ଷ ୯୯ ହଜାର ୪୩୮ ଟଙ୍କା ର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିଲା ଓ ଏହା ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାର ବିଚାରଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ଚାଲିଥିବା ବେଳେ ଶ୍ରୀ ପାଢ଼ୀ ଜାମିନ ରେ ମୁକୁଳିଥିଲେ ଓ ଏହା ମଧ୍ୟରେ ସେ ଚାକିରୀ ରୁ ଅବସର ଗ୍ରହଣ କରିସାରିଛନ୍ତି। ଭିଜିଲାନ୍ସ ତଦନ୍ତ ଅଧିକାରୀ ଙ୍କ ଚାର୍ଜସିଟ୍ କୁ ଗ୍ରହଣ କରି ମୋଟ ୨୮ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ମାନ୍ୟବର ଅଦାଲତ ଉକ୍ତ ରାୟ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ: ଉଲ୍ଲଂଘନ କଲେ ହେବେ ଦଣ୍ଡିତ

ଭୁବନେଶ୍ବର: କରୋନା ପୁଣିଥରେ ନୂଆ ରୂପରେ ଆସିଛି। ଦେଶରେ ଅନେକ ରାଜ୍ୟରେ ଏହାର ସଂକ୍ରମଣ ବାଢୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ରାଜ୍ୟ ସରକାର ଏନେଇ କଟକଣାକୁ କଡାକଡି କରୁଛି। ବିଦ୍ୟାଳୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି।

ସ୍କୁଲ ଚାଲିଥିବା ସମୟରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଏବଂ ହାଣ୍ଡ ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ସ୍କୁଲ ପରିସରକୁ ସାନିଟାଇଜ କରିବାକୁ ଚିଠିରେ କୁହାଯାଇଛି। ଏହାଛଡା ସ୍କୁଲ ପରିସରରେ ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।