Categories
ଆଜିର ଖବର ରାଜ୍ୟ ଖବର

ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସଂପର୍କରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେମାନଙ୍କ ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ ମାମଲା: ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘର ଦାବିପତ୍ର

ଖୋର୍ଦ୍ଧା: ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଆଜି କା ଦିନରେ କାର୍ଯ୍ୟରତ ସାମ୍ବାଦିକ ମାନେ ବହୁ ଆକ୍ରୋଶର ଶିକାର ହେଉଛନ୍ତି। ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ଗଣମାଧ୍ୟମର ପ୍ରତିନିଧିଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କିଛି କରୁନାହାନ୍ତି। ଗଣମାଧ୍ୟମର ପ୍ରତିନିଧି ବେଳକୁ ବେଳ ଅସମାଜିକ ବ୍ୟକ୍ତିମାନଙ୍କ ଦ୍ଵାରା ଆକ୍ରୋଶର ଶିକାର ହେଉଛନ୍ତି।

ବିଞ୍ଝରାପୁର, ନୟାଗଡ଼ ଓ ଚାନ୍ଦବାଲିରେ ଯେଉଁ ଘଟଣା ମାନ ଘଟିଛି ତାକୁ ଭିତ୍ତି କରି ଉତ୍କଳ ସାମ୍ବାଦିକ ସଙ୍ଘ (ଖୋର୍ଦ୍ଧା)ର ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଅନ୍ୟ ସାମ୍ବାଦିକମାନଙ୍କ ମଧ୍ୟରେ ଉମାଶଙ୍କର ପ୍ରସାଦ ରାମ, ଶରତ ବାରିକ, ରବି ନାରାୟଣ ସାହୁ, ସତ୍ୟ ନାରାୟଣ ପାଇକରାୟ, ଜିତୁ ସାହୂ, ଅଭିଭକ୍ତ ହରି ହର ଖାଡଙ୍ଗା, ସତ୍ୟ ନାରାୟଣ ଦାସ, ରଣଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଡ୍ରେନ ଓ ରାସ୍ତାସମସ୍ୟା ନେଇ ଦାବିପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନଂ ୩୭ର ଗଣେଶ ନଗର ବାସିନ୍ଦାମାନେ ଆଜି ଡ୍ରେନ ଓ ନାଳ ସମସ୍ୟାର ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଘର ଚାରିପାଖରେ ନାଳନର୍ଦ୍ଦମା ପାଣି ଜମା ହୋଇ ରହୁଛି। ଫଳରେ ସେମାନେ ନାନା ରୋଗବ୍ୟାଧିରେ ପୀଡ଼ିତ ହେଉଛନ୍ତି।

ଦୀର୍ଘବର୍ଷ ହେଲା ଏହି ସମସ୍ୟା ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିଯୋଗ୍ୟୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ବିଏମ୍‌ସି କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ସହର ପାଇଁ ୧୧୦ଟି ଟେଣ୍ଡର ଆସିଥିଲେ ମଧ୍ୟ ସେଥିରେ ଲାଞ୍ଜିପଲ୍ଲି ଗଣେଶ ନଗର ବାଦ୍ ପଡ଼ିଛି। ଏହି ନଗରରେ ପ୍ରାୟ ୩୦୦ ଘର ବସବାସ କରୁଥିଲେ ମଧ୍ୟ କିଭଳି ମହାନଗର ନିଗମର ଦୃଷ୍ଟି ପଡ଼ୁନି ତାହା ପ୍ରଶ୍ନ ସୃଷ୍ଟି କରିଛି।

ଏହି ପରିପେକ୍ଷ୍ରୀରେ ଏକମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମହାନଗର ନିଗମ ପକ୍ଷରୁ ଜଣାଯାଇଥିଲା। ଦାବିପତ୍ର ପ୍ରଦାନ ସମୟରେ ବିଜେଡ଼ି ୱାର୍ଡ଼ ସଂପାଦକ ଦୁର୍ଗା ସାବତ, ଉପସଭାପତି ରବିନ୍ଦ୍ର କୁମାର ବାରିକ, ଅକ୍ଷୟ କୁମାର ମିଶ୍ରଙ୍କ ସହ ଅଂଚଳବାସୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଦୁର୍ଘଟଣାଗସ୍ତ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ପାଇଁ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ସଂପ୍ରତି ପ୍ରାଣୀମାନଙ୍କ ସୁରକ୍ଷା, ଚିକିତ୍ସା ଓ ଲାଳନପାଳନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ତାହା କାର୍ଯ୍ୟକାରୀ ହେଉନାହିଁ। ୨୦୧୬-୧୭ ମସିହାରେ ସରକାର ପ୍ରାଣୀ ଚିକିତ୍ସା ପାଇଁ ହେଲପଲାଇନ୍ ପ୍ରଚଳନ କରିଥିଲେ ଯାହାକି କେବଳ ସକାଳ ୮ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ। ରାତିରେ ଘଟୁଥିବା ଦୁର୍ଘଟଣାରେ କୌଣସି ପଶୁପକ୍ଷୀ ଗୁରୁତର ହେଲେ ସେମାନଙ୍କ ଜରୁରୀ ଚିକିତ୍ସା କିମ୍ବା ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଟ୍ୟାଗ ଲାଗିଥିବା ଗୋରୁଗାଈଙ୍କୁ ମାଲିକମାନେ ଖିର ବାହାର କରିବା ପରେ ରାଜରାସ୍ତାକୁ ଛାଡ଼ି ଦେବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଗୋରୁଗାଈମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପିପୁଲସ ଫର ଦି ପବ୍ଲିକ୍ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

ଟ୍ୟାଗ ଗୋରୁଗାଈଙ୍କୁ ରାସ୍ତାରୁ ହଟାଇବା ତଥା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମାଲିକଙ୍କୁ ସଚେତନତା କରିବା, ୨୪ ଘଣ୍ଟିଆ ଟୋଫ୍ ଫ୍ରି ହେଲ୍ପଲାଇନ୍ ସହ ଆମ୍ବୁଲାନସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଟୋଲ୍ ଫ୍ରି ନମ୍ବର ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା, ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସର୍ବସାଧାରଣ ସ୍ଥାନରେ ଏହି ନମ୍ବରକୁ ଡ଼ିସ୍‌ପ୍ଲେ କରିବା, ଦୁର୍ଘଟଣାର ଶିକାର ହେଉଥିବା ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଏକ ଅନ୍ତଃବିଭାଗ ସରକାରୀ ଚିକିତ୍ସାଳୟ (ଇନ୍‌ଡ଼ୋର) ବ୍ରହ୍ମପୁର ଠାରେ ପ୍ରତିଷ୍ଠା କରିବା ନେଇ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଦାବିପତ୍ର ପ୍ରଦାନ ସମୟରେ ପିପୁଲ ଫର୍ ଦି ପବ୍ଲିକ୍‌ର ସଭାପତି ଡ. ସୁବ୍ରତ ସାହୁ, ସଂପାଦକ ସତୀଶ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ପ୍ରସାଦ ରାଉଳ, ଉପଦେଷ୍ଟା ଶିଶିର ପାଣିଗ୍ରାହୀ, ମିଡ଼ିଆ କୋଡ଼ିନେଟର ବିଶ୍ୱନାଥ ମାରଣା, ଯୁବ କୋଡ଼ିନେଟର ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ଟେଣ୍ଡର କାର୍ଯ୍ୟରେ ଅନିୟମିତତାକୁ ନେଇ ତାତିଲେ ଜନତା: ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ଗୁରବାର ଅପରାହ୍ଣରେ ଟେଣ୍ଡରର ପକ୍ରିୟାକରଣ କରାଯାଇ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ସର୍ବମୋଟ ୨କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ରେ ୨୫ଟି କାର୍ଯ୍ୟାଦେଶର ସୂଚୀ ଜାରିକରଯାଇଥିଲା। କାର୍ଯ୍ୟାଦେଶରେ ଏନ.ଏ.ସିର ବିଭିନ୍ନ ୱାର୍ଡର ଉନ୍ନତିକରଣକୁ ଉପେକ୍ଷା କରାଯାଇଥିବାବେଳେ ଯେତିକି କାର୍ଯ୍ୟାଦେଶ ଜାରି ହୋଇଛି ସେ ସବୁର ଅଟକଳ ପ୍ରାୟତଃ ମୂଳ ଆନୁମାନିକ ମୂଲ୍ୟରୁ ଦୁଇ ଗୁଣ ଅଧିକା ହୋଇଥିବା ସୂଚନା ରହିଛି। ଏହାସହିତ ସ୍ଥାନୀୟ କିଛି ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା ସବୁ କାର୍ଯ୍ୟାଦେଶ କେତେକ ନିର୍ଦ୍ଦିଷ୍ଟ ଠିକାଦାର ପାଇବାକୁ ଯାଉଥିବାବେଳେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ଗତକାଲି ପୂର୍ବାହ୍ନରେ ଶତାଧିକ ଅଞ୍ଚଳବାସି ଏନଏସି କାର୍ଯ୍ୟାଳୟରେ ଏକତ୍ରିତ ହୋଇ କାର୍ଯ୍ୟନିର୍ବାହୀ ଅଧକାରୀଣି ଆକୃତି ଗୋଏଙ୍କାଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଏନଏସି ଅଞ୍ଚଳବାସିଙ୍କ ଅଭିଯୋଗ ଅନୁଯାୟୀ କୌଣସି ୱାର୍ଡର ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟକୁ ସଠିକ ଭାବେ ତଦାରଖ କରା ନଯାଇ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର କେତେକ ରାଜନୈତିକ ନେତାଙ୍କ ପ୍ରରୋଚନାରେ କାର୍ଯ୍ୟାଦେଶ ଜାରି କରିଛନ୍ତି। କେତେକ ୱାର୍ଡକୁ ପକ୍ଷପାତିତା କରିବା ସହ ଅଧିକାଶଂ ନିର୍ମାଣ କାର୍ଯ୍ୟର ଆବଶ୍ୟକତା ନ ଥାଇ ଅର୍ଥତୋଷରପାତଃ କରିବା ଉଦ୍ଦେଶ୍ୟରେ ଟେଣ୍ଡର କରାଯାଇଛି। ଶ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ପୂର୍ବରୁ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କାର୍ଯ୍ୟ ସମାପ୍ତିର ୬ ମାସ ନ ପୁରୁଣୁ ସେ ସବୁ ନଷ୍ଟ ହେଇଯାଉଛି। ଅଧିକାଂଶ ୱାର୍ଡ ରେ ରାସ୍ତା ନିର୍ମାଣ ଆବଶ୍ୟକତା ଥିବାସତ୍ତ୍ୱେ ତାହାକୁ ଟେଣ୍ଡର ରେ ଗୁରୁତ୍ୱ ଦିଆଯାଇନାହିଁ। ଅଧିକାଂଶ ଭଲ ରାସ୍ତାକୁ ନବୀକରଣ ଆଳରେ ଅର୍ଥ ତୋଷାରପାତ ପାଇଁ ପୁଣି ଟେଣ୍ଡର କରାଯାଇଛି।

ତେଣୁ ଜାରି କରାଯାଇଥିବା ସମସ୍ତ ଟେଣ୍ଡରଗୁଡିକୁ ବାତିଲ କରି ପୁନଶ୍ଚ ପ୍ରତ୍ୟେକ ୱାର୍ଡରେ ପୁଙ୍ଖାନୁପୁଙ୍ଖ ତଦାରଖ କରି ଆବଶ୍ୟକତା ଅନୁଯାୟୀ ଟେଣ୍ଡର କରିବା ଏବଂ ଦୁର୍ନୀତିଖୋର କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଅଞ୍ଚଳବାସୀ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ନିକଟରେ ଦାବି କରିବା ସହ ଉକ୍ତ ଦାବିପତ୍ରର ଏକକିତା ନକଲ ଏନ.ଏ.ସିର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ହେଲେ ଏ ବିଷୟ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କାଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଦାବିପତ୍ରଟି ଅଞ୍ଚଳବାସୀଙ୍କ ଠାରୁ ପାଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଞ୍ଚ ଦିଅ ନଚେତ୍ ସରକାରୀ ସହାୟତା ଦିଅ: ବରିଷ୍ଠ କଳାକାର ମହାସଂଘ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଜନିତ ସରକାରୀ କଟକଣା ଭିତରେ ଓଡ଼ିଶାର କଳାକାର ସମାଜ ସଂପୂର୍ଣ୍ଣ ବେରୋଜଗାରୀ ହୋଇ ଆପଣା ଜୀବିକା ସାଧନାଗୁଡ଼ିକ ବ୍ରିକି ବଟା କରିଦେଲେଣି। ଏଣିକି କଳାକାର ମଡ଼କ ଆଶଙ୍କା ବଳବତ୍ତର ହେଲାଣି। ଏଭଳି ଏକ ସଙ୍କଟମୟ ସ୍ଥିତିରେ କଳାକାରଙ୍କୁ ମଂଚ ଦିଆଯାଉ ନଚେତ୍ ସରକାରୀ ସହାୟତା ଦେବାକୁ ବରିଷ୍ଠ କଳାକାର ମହାସଂଘ ଦାବି କରିଛି। ଏନେଇ ଦକ୍ଷିଣାଞ୍ଚଳ ଆର୍‌ଡ଼ିସିଙ୍କୁ ଏକ ଦାବିପତ୍ର ଦେବାର ଥିଲା। କିନ୍ତୁ ଏ ନ ମିଳିବାରୁ ଆଜି ଏକ ବୈଠକ ହଳଦିଆପଦର ଓଭରବ୍ରିଜ ତଳେ ମହାସଂଘ ସଭାପତି ନାଟ୍ୟଗୌରବ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂପ୍ରତି କଳାକାରଙ୍କୁ ମଂଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ ଥିବା ମତପ୍ରକାଶ ପାଇଥିଲା।

ଏଥିରେ ନାଟ୍ୟ-ବିଦ୍ୟା-ବୁଦ୍ଧି ପ୍ରଫୁଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଲୋକକଳା ନିର୍ଦ୍ଦେଶକ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନବରଙ୍ଗପୁର କଳାକାର ସଂଘ ସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, କୋରାପୁଟ କଳାକାର ସଂଘ ସଭାପତି ବାଲାଜୀ ସାମନ୍ତରାୟ, ବରିଷ୍ଠ କଳାକାର ତଥା ସମାଜସେବୀ ବଦ୍ରି ନାରାୟଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଷନଙ୍କ ପରିଚାଳନାରେ ଏକ ପରିଚାଳନା କମିଟି ଗଠନ ହୋଇଥିଲା। ଉପଦେଷ୍ଟା ରୂପେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର ପ୍ରସାଦ ଶର୍ମା, ବଦ୍ରି ନାରାୟଣ ନାୟକ, ସଭାପତି ଭାବେ ନାଟ୍ୟଗୌରବ ଡା. ତିରୁପତି ସାହୁ, ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ, ଅମୂଲ୍ୟ କୁମାର ମୁଣ୍ଡ, ଭଗବାନ ସାମଲ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ, ସହ ସଂପାଦକ ଲକ୍ଷ୍ମୀ ନାରାୟଣ ସାମଲ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଏବଂ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଭାବେ ରବୀନ୍ଦ୍ର କୁମାର ମିଶ୍ର, ଜି. ରାଜେନ୍ଦ୍ର ରେଡ୍ଡୀ, ଯୁଦ୍ଧିଷ୍ଠିର ଭଂଜ ସାମନ୍ତ, ପ୍ରଫୁଲ ବେହେରା, ଈଶ୍ୱର ମାଝୀ, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ସଂଘର ଦାବିଗୁଡ଼ିକ ମୁଖ୍ୟମନ୍ତ୍ରୀ, ସଂସ୍କୃତି ବିଭାଗ ଓ ସଚିବଙ୍କୁ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଏଥିରେ ୧୫ ଗୋଟି ଜିଲ୍ଲାର ପ୍ରତିନିଧିସ୍ତରୀୟ କଳାକାର ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଓଡ଼ିଆଙ୍କୁ ଥଇଥାନ ନେଇ ଜିଲ୍ଲା ବିଜେପିର ଦାବିପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ମହାମାରୀ ପ୍ରାଦୁର୍ଭାବ ବଢ଼ିବାରୁ ପ୍ରବାସୀ ଓଡ଼ିଆମାନେ ଟ୍ରେନ, ବସ୍ ଏବଂ ଅନ୍ୟାନ୍ୟ ସାଧନ ମାଧ୍ୟମରେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ଏପରିକି ଗଂଜାମକୁ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ଓଡ଼ିଶା ସରକାର ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜୀବନ ଓ ଜୀବିକା ଦାୟିତ୍ୱ ନେଇ କୁଶଳୀ ଓ ଅଣକୁଶଳୀ କାରିଗରଙ୍କୁ ଥଇଥାନ କରିବେ ବୋଲି ଡ଼ିଣ୍ଡିମ ପିଟିଥିଲେ। କିନ୍ତୁ ବର୍ତ୍ତମାନ ଏହା ପାଣିର ଗାର ହୋଇଯାଇଛି ବୋଲି ଜିଲ୍ଲା ବିଜେପି ଅଭିଯୋଗ କରିଛି।

ଦୀର୍ଘ ୪ ମାସ କାଳ ବାହାରୁ ଫେରିଥିବା ପ୍ରବାସୀମାନେ କୌଣସି କାମଧନ୍ଦା ନପାଇ ଖାଲି ବସିଲେ, ସଂଚିତ ଅର୍ଥ ଶେଷ ହେବା ପରେ ବର୍ତ୍ତମାନ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ପୁଣି ପ୍ରବାସୀ ଜୀବନ ବିତାଇବାକୁ ବାହାରି ଗଲେଣି। ଅନ୍ୟ ରାଜ୍ୟ କାରଖାନାର ମାଲିକମାନେ ଦଲାଲ ସହାୟତାରେ ଓଡ଼ିଶା ଆସି ବସ୍ ବସ୍ କରି ନେବାରେ ଲାଗିଛନ୍ତି। ଦୀର୍ଘ ୫ ମାସ ହେଲା ସରକାର ବିଭିନ୍ନ କଥା କହି କେବଳ ଭୁଆଁ ବୁଲାଉଥିବା ବେଳେ ପ୍ରବାସୀଙ୍କୁ ଥଇଥାନ କରିବା ପାଇଁ ରୋଡ଼୍ ମେପିଂ ତିଆରି କରିବା କେବଳ ଧୂଆଁବାଣ।

ସୂଚନାଯୋଗ୍ୟ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର ଶିଳ୍ପ ଓ କାରଖାନା ନିର୍ମାଣରେ କେବଳ ରାଜନୀତି କରୁଛନ୍ତି। କାରଖାନା ନିର୍ମାଣ ହେଉଛି ନା ଲୋକଙ୍କୁ କାମ ମିଳୁଛି। ତେଣୁ ଜିଲ୍ଲା ଭାଜାପା ଦାବି କରୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥିବା ରୁଗ୍‌ଣ ଶିଳ୍ପ ଯଥା – ଆସିକା ସ୍କିନିଂ ମିଲ୍‌, ଆସିକା ଚିନି କଳ, ଆମ୍ବପୁଆ ଆଇ.ଟି. ପାର୍କ, ଆଙ୍କୁଲି ଇଣ୍ଡଷ୍ଟ୍ରିୟାଲ୍ ଇଷ୍ଟେଟ, ଅଟୋନଗର, ମେଗା ଟାଟା ପ୍ରକଳ୍ପ ଓ ବ୍ରହ୍ମପୁରର ପାଟ ଶିଳ୍ପ ଇତ୍ୟାଦିକୁ ପୁର୍ନରୁଦ୍ଧାର କରିବା ସହ ଶିଳ୍ପକୁ ଅଗ୍ରାଧିକାର ଦେଇ ପ୍ରବାସୀଙ୍କ ମାନବ ସମ୍ବଳକୁ ଜିଲ୍ଲା ପାଇଁ ଉପଯୋଗ କରାଯାଉ। ରାଜ୍ୟ ସରକାର କୌଣସି କପଟତା ନରଖି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦେଇ ଜିଲ୍ଲାକୁ ଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ।

ଏତଦ୍ ବ୍ୟତୀତ ଶୀତଳଭଣ୍ଡାର ନିର୍ମାଣ, ମାଛ ପ୍ରକ୍ରିୟାକରଣର ଉନ୍ନତିକରଣ, କିଆଫୁଲ ଚାଷର ଉନ୍ନତି ଓ କ୍ଲଷ୍ଟର ଘୋଷଣା, କାଜୁ କ୍ଲଷ୍ଟର ଘୋଷଣା, ଜୀଣ୍‌ର୍ଣ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, ନୂତନ ଜଳ ସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ସହ କୃଷିକୁ ଶିଳ୍ପ ମାନ୍ୟତା ପ୍ରଦାନ କରି ଜିଲ୍ଲାରେ ଆତ୍ମନିର୍ଭରର ସୁଯୋଗ ସୃଷ୍ଟି କରନ୍ତୁ ବୋଲି ବିଜେପିର ନେତୃମଣ୍ଡଳୀ ଦକ୍ଷିଣାଞ୍ଚଳ ଆର୍‌ଡ଼ିସିଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଜଣାଇଛନ୍ତି।

ଏହି ସମୟରେ ଭାଜାପା ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି, ନିରଞ୍ଜନ ପାଣିଗ୍ରାହୀ, ସୁବାସିନୀ ପଟ୍ଟନାୟକ, ନମିତା ପଣ୍ଡା, ରାଜେଶ ସାହୁ, ପ୍ରଭାତ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ଡ. ସୁବାସ ସାହୁ, ମଦନମୋହନ ପାତ୍ର, ରାମ କୁମାର ପାତ୍ର, ଏନ୍‌. ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଙ୍ଗଦେବ, ମହନ୍ତ ଚିନ୍ମୟାନନ୍ଦ, ଶିବଶଙ୍କର ନାୟକ, ଏଲ୍‌. ମୋହନ ଦାସ, କିରଣ ସାହୁ, କମଳ ପାତ୍ର ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଇ.ପି.ଏଫ୍ ପେନସନ ସଂଘ ପକ୍ଷରୁ ଦାବିପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ଇପିଏଫ୍ ପେନସନରସ୍ ସଂଘ, ଗଂଜାମ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଆର୍‌ଡ଼ିସିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର ଶାଖାର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ପେନସନରସ୍ ଭୁକ୍ତ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ରହିଥିବାବେଳେ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟ ପ୍ରସଂଗ ରଖିଥିବା ଜଣାପଡ଼ିଛି।

ଏହାସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ ଏବଂ ସମସ୍ତ ଇପିଏଫ୍‌-୯୫ ପେନସନରସ୍‌ଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଗୁରୁତ୍ୱାରୋପ କରାଯାଇଛି। ଦେଶବ୍ୟାପି ଚାଲିଥିବା ଇପିଏଫ୍‌-୯୫ ଜାତୀୟ ପେନସନ ଲାଗୁ କରିବା, ଜୀବନର ସମସ୍ତ ସେବା ସେବା ବିନିଯୋଗରେ କଳକାରଖାନା, ଅର୍ଦ୍ଧ ସରକାରୀ ଓ ଅନ୍ୟାନ୍ୟ ବେସରକାରୀ ସଂସ୍ଥାମାନଙ୍‌କରେ କାର୍ଯ୍ୟକରି ଅବସର ନେଲା ପରେ ପରିଣତ ବୟସରେ ମାତ୍ର ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପେନସନ ମିଳୁଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପହାସ ବୋଲି କ୍ଷୋଭ ପ୍ରକାଶ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ସମସ୍ତ ଇପିଏଫ୍ ପେନସନ ଭୋଗୀମାନେ ଏକତ୍ରିତ ହୋଇ ସେମାନଙ୍କର ନାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବା ପାଇଁ ଅଲ୍ ଓଡ଼ିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ଗଠନ କରାଯାଇ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଓ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ ପ୍ରକୃତ ଦରମା ଆଧାରରେ ପେନସନ ଧାର୍ଯ୍ୟ କରିବା, ଇପିଏପ୍ ପେନସନଧାରୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ସଂଘ ତରଫରୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା ଇପିଏଫ୍ ସଂଘର ସଭାପତି ପ୍ରତାପ ଚନ୍ଦ୍ର ଶତପଥୀ, ସଂପାଦକ ବଳଭଦ୍ର ରାଜଗୁରୁ, ସହ ସଂପାଦକ ପ୍ରଶାନ୍ତ କୁମାର ଶତପଥୀ, ଉପସଭାପତି ପ୍ରଫୁଲ କୁମାର ମିଶ୍ରଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ।