ଇ.ପି.ଏଫ୍ ପେନସନ ସଂଘ ପକ୍ଷରୁ ଦାବିପତ୍ର

Published: Aug 26, 2020, 10:45 am IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ଇପିଏଫ୍ ପେନସନରସ୍ ସଂଘ, ଗଂଜାମ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଆର୍‌ଡ଼ିସିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର ଶାଖାର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ପେନସନରସ୍ ଭୁକ୍ତ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ରହିଥିବାବେଳେ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟ ପ୍ରସଂଗ ରଖିଥିବା ଜଣାପଡ଼ିଛି।

ଏହାସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ ଏବଂ ସମସ୍ତ ଇପିଏଫ୍‌-୯୫ ପେନସନରସ୍‌ଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଗୁରୁତ୍ୱାରୋପ କରାଯାଇଛି। ଦେଶବ୍ୟାପି ଚାଲିଥିବା ଇପିଏଫ୍‌-୯୫ ଜାତୀୟ ପେନସନ ଲାଗୁ କରିବା, ଜୀବନର ସମସ୍ତ ସେବା ସେବା ବିନିଯୋଗରେ କଳକାରଖାନା, ଅର୍ଦ୍ଧ ସରକାରୀ ଓ ଅନ୍ୟାନ୍ୟ ବେସରକାରୀ ସଂସ୍ଥାମାନଙ୍‌କରେ କାର୍ଯ୍ୟକରି ଅବସର ନେଲା ପରେ ପରିଣତ ବୟସରେ ମାତ୍ର ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପେନସନ ମିଳୁଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପହାସ ବୋଲି କ୍ଷୋଭ ପ୍ରକାଶ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ସମସ୍ତ ଇପିଏଫ୍ ପେନସନ ଭୋଗୀମାନେ ଏକତ୍ରିତ ହୋଇ ସେମାନଙ୍କର ନାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବା ପାଇଁ ଅଲ୍ ଓଡ଼ିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ଗଠନ କରାଯାଇ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଓ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ ପ୍ରକୃତ ଦରମା ଆଧାରରେ ପେନସନ ଧାର୍ଯ୍ୟ କରିବା, ଇପିଏପ୍ ପେନସନଧାରୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ସଂଘ ତରଫରୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା ଇପିଏଫ୍ ସଂଘର ସଭାପତି ପ୍ରତାପ ଚନ୍ଦ୍ର ଶତପଥୀ, ସଂପାଦକ ବଳଭଦ୍ର ରାଜଗୁରୁ, ସହ ସଂପାଦକ ପ୍ରଶାନ୍ତ କୁମାର ଶତପଥୀ, ଉପସଭାପତି ପ୍ରଫୁଲ କୁମାର ମିଶ୍ରଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Related posts