Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ହେଉଥିବା କାର୍ଯ୍ୟ ଅଟକି ଯାଉଛି କି?: ତେବେ ଅନୁସରଣ କରନ୍ତୁ ଏହି ପ୍ରତିକାର, ନିଶ୍ଚିତ ହେବେ ସଫଳ

ନୂଆଦିଲ୍ଲୀ: ଏକ ସମୟ ଥିଲା ଯେତେବେଳେ ଆପଣଙ୍କର ସବୁକିଛି ଥିଲା ଏବଂ ବର୍ତ୍ତମାନ ସବୁକିଛି ଚାଲିଯାଇଛି। ବର୍ତ୍ତମାନ ଆପଣ ଅନ୍ୟମାନଙ୍କ ସାହାଯ୍ୟରେ ଜୀବନ ବିତାଉଛ। ଦାରିଦ୍ର୍ୟତା ଯୋଗୁଁ ଆପଣଙ୍କର ଅବସ୍ଥା ବହୁତ ଖରାପ ହୋଇଯାଉଛି। ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ରାଶିଫଳର ଯାଞ୍ଚ କରିବା ଆବଶ୍ୟକ। ଯଦି ରାଶିଫଳ ଯୋଗୁଁ ଆପଣଙ୍କର ଏହିପରି ଅବସ୍ଥା ହୋଇଥାଏ, ତେବେ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ:

ଦାରିଦ୍ର୍ୟ ଏବଂ ଅସହାୟତାର କାରଣ:

୧- ଅନେକ ଥର ଏଭଳି ପରିସ୍ଥିତି ଆସେ, ରାଶିଫଳର ଗ୍ରହଗୁଡିକ ସଠିକ୍ ଥିଲେ ମଧ୍ୟ ନିଜର କର୍ମ ଫଳ ହେତୁ ବ୍ୟକ୍ତିଜଣଙ୍କ ଗରିବ ଏବଂ ଅସହାୟ ହୋଇଯାଆନ୍ତି। ଯଦି ସେହି ବ୍ୟକ୍ତିଜଣଙ୍କ ମଦ୍ୟପାନ ଏବଂ ଜୁଆର ନିଶା ପଡିଯାଇଛନ୍ତି, ତେବେ ଏହା ବିଷୟରେ କିଛି କରାଯାଇପାରିବ ନାହିଁ।

୨- ଲାଲ କିତାବ ଅନୁଯାୟୀ ଶନି, ରାହୁ ଏବଂ କେତୁଙ୍କ ମନ୍ଥର କାର୍ଯ୍ୟ ହେତୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ଦାରିଦ୍ର ତଥା ସଙ୍କଟରେ ଗତି କରେ।

୩- ଲାଲ କିତାବ ଅନୁଯାୟୀ, ଯଦି ଶନି ସପ୍ତମ ଘରେ ଥାଆନ୍ତି ଏବଂ ସେହି ସମୟରେ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହରୁ କୌଣସି ଗୋଟିଏ କିମ୍ବା ଦୁଇଟି କିମ୍ବା ତିନୋଟି ଗ୍ରହ ତୃତୀୟ, ପଞ୍ଚମ କିମ୍ବା ସପ୍ତମ ଘରେ ଅବସ୍ଥିତ, ତେବେ ଜୀବନ ବର୍ବାଦ ବୋଲି ବିଚାର କରନ୍ତୁ। ଯଦି ସେ କୌଣସି ପୂଣ୍ୟ କାର୍ଯ୍ୟ କରିଛନ୍ତି, ତେବେ କେବଳ ତାଙ୍କ ଜୀବନ ଠିକ୍ ହେବ।

ସଂପୂର୍ଣ୍ଣ ପ୍ରତିକାର:

୧- ସର୍ବପ୍ରଥମେ ଆପଣଙ୍କର କର୍ମରେ ଉନ୍ନତି କରନ୍ତୁ।

୨- ୪୩ ଦିନ ପାଇଁ ଗୁଡ ଏବଂ ଗହମ ଦାନ କରନ୍ତୁ ଏବଂ ତା’ପରେ ପରବର୍ତ୍ତୀ ୩ ବର୍ଷ ପାଇଁ ରବିବାର ଦିନ ମନ୍ଦିରକୁ ଗୁଡ ଏବଂ ଗହମ ଦାନ କରନ୍ତୁ।

୩- ଯଦି ଶନି ସପ୍ତମ ଘରେ, ଚନ୍ଦ୍ର ଏବଂ ମଙ୍ଗଳ ତୃତୀୟ, ପଞ୍ଚମ କିମ୍ବା ସପ୍ତମ ଘରେ ସଂଯୁକ୍ତ ହୁଅନ୍ତି, ତେବେ ହାଲୱାରେ କ୍ଷୀର ମିଶାନ୍ତୁ ଏବଂ ଏହାକୁ ୪୩ ଦିନ ମନ୍ଦିରରେ ବଣ୍ଟନ କରନ୍ତୁ। ଏହାପରେ ଆଗାମୀ ତିନି ବର୍ଷ ପାଇଁ ପ୍ରତ୍ୟେକ ମଙ୍ଗଳବାର ଦିନ ହାଲୱାକୁ ମନ୍ଦିରରେ ବାଣ୍ଟନ୍ତୁ।

୪- ଯଦି ଶନି ଦେବ ସପ୍ତମ ଘରେ ବିରାଜମାନ, ଚନ୍ଦ୍ର କେବଳ ତୃତୀୟ, ପଞ୍ଚମ ଏବଂ ସପ୍ତମ ଘରେ ଅଛନ୍ତି, ତେବେ ଏହି ପରିସ୍ଥିତିରେ ଅନ୍ନରେ କ୍ଷୀର ମିଶାଇ ୪୩ ଦିନ ପର୍ଯ୍ୟନ୍ତ ଦାନ କରନ୍ତୁ। ଏହାପରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ଯେକ ସମୋବାର ଦିନ ମନ୍ଦିରରେ ଦାନ ଦିଅନ୍ତୁ।

୫- ହନୁମାନ ଚାଳିଶା ପ୍ରତିଦିନ ପଢନ୍ତୁନ୍ତୁ। ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ, ଜସ୍ମିନ୍ ତେଲର ଏକ ଦୀପ ଜାଳନ୍ତୁ ଏବଂ ତାଙ୍କୁ ସିନ୍ଦୁର ଦିଅନ୍ତୁ। ଏହି କ୍ରମକୁ ତିନି ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ଉଚିତ୍।

ବିଦ୍ର: ସଙ୍କଟ ୪୩ ଦିନରେ ସମାଧାନ ହେବାକୁ ଲାଗେ ଏବଂ ୩ ବର୍ଷ ମଧ୍ୟରେ ସବୁକିଛି ସମାନ ହୋଇଯାଏ, କିନ୍ତୁ ଏଥିପାଇଁ ଆପଣ ଏହି ରାଶି କେବଳ ବିଶେଷଜ୍ଞଙ୍କ ନିକଟରେ ଦେଖାଇବା ପରେ କରିପାରିବେ।

Categories
ଆଜିର ଖବର ଜୀବନ ଶୈଳୀ

କ୍ଷୁଧା ଓ ଦାରିଦ୍ର୍ୟର ସଂଘର୍ଷ ଭିତରେ ବଳି ପଡୁଛି ଦେହ: ରୁଟି ଠାରୁ ଶସ୍ତାରେ ମିଳନ୍ତି ଝିଅ

ଅଙ୍ଗୋଲା: ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ। କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ ପାଇଁ ମାତ୍ର କେଇଟି ଟଙ୍କାରେ ନିଜକୁ ଦେହକୁ ନିଲାମ କରିଦେଉଥିବାର ଏକ ଜଘନ୍ୟ ସତ୍ୟ ସାମ୍ନାକୁ ଆସିଛି। ଏହିପରି କିଛି ଘଟଣା ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ହେଉଥିବାର ସୂଚନା ମିଳିଛି।

ଜଣେ ଝିଅ ନିଜ ପରିବାରକୁ ମୁଠାଏ ଦାନା ଦେବା ପାଇଁ ନିଜକୁ ମାତ୍ର ୨୨ ଟଙ୍କାରେ ବିକ୍ରି କରିଦେଉଛି। କ୍ଷୁଧାର୍ତ୍ତ ଓ ସଂଘର୍ଷର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକାର କିଛି ଅଞ୍ଚଳରେ। ଖାଦ୍ୟ ସାମଗ୍ରୀ ଜୁଟେଇବା ପାଇଁ ଅଳ୍ପବୟସ୍କା ଝିଅମାନେ ମାତ୍ର ୨୨ ଟଙ୍କାରେ ଦେହ ବିକ୍ରି କରୁଛନ୍ତି। ଏପରି କାମ ପାଇଁ ଅଧିକରୁ ଅଧିକ ୭୦ – ୮୦ ଟଙ୍କା ରୋଜଗାର କରୁଛନ୍ତି କିଛି ଯୁବତୀ। ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଦକ୍ଷିଣ ଆଫ୍ରିକାର କିଛି ଅଞ୍ଚଳରେ। ଯେଉଁମାନେ ଖାଦ୍ୟ ପାଇଁ ସଂଘର୍ଷ କରି ନିଜର ଦେହ ଦାନ କରି ପେଟର ଭୋକ ମେଣ୍ଟାଉଛନ୍ତି।

ମାନବୀୟ ଆଧାର ଅନୁଯାୟୀ ଲୋକଙ୍କୁ ସହାୟତା କରୁଥିବା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଓ୍ବାଲ୍ଡ ଭିଜନ୍‌ ଏହା ସମ୍ପର୍କରେ ସୂଚନା ଦେଇଛି। ଦକ୍ଷିଣ ଆଫ୍ରିକା ଅଙ୍ଗୋଲାରେ ଜଣେ ୧୨ ବର୍ଷୀୟ ବାଳିକା ମାତ୍ର ୩୦ ଟଙ୍କା ପାଇଁ ଦେହ ବ୍ୟାପାର କରୁଛି। ଦକ୍ଷିଣ ଆଫ୍ରିକାରେ ସାଢେ ଚାରି କୋଟି ଲୋକ କ୍ଷୁଧା ସମସ୍ୟାରେ ପ୍ରପୀଡ଼ିତ ହୋଇଥିବା ୟୁନାଇଟେଡ୍‌ ନେସନ୍‌ ପ୍ରକାଶ କରିଛି। ଦେଶର ଆର୍ଥିକ ଅବସ୍ଥା ତଥା ପ୍ରାକୃତିକ ବିପର୍ଯ୍ୟୟ ଏସବୁ ପାଇଁ ଦାୟୀ ବୋଲି ଜଣାପଡିଛି। ଅଙ୍ଗୋଲା ଓ ଜିମ୍ବାଓ୍ବେରେ ଦେହ ବ୍ୟାପାରରେ ଝିଅଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ବାଲ୍ୟ ବିବାହ ମଧ୍ୟ ବଢୁଛି। ଭୟଙ୍କର କ୍ଷୁଧାର୍ତ୍ତ ଓ ଦାରିଦ୍ର୍ୟଗ୍ରସ୍ତ ଭିତରେ ବିତାଉଥିବା ଏହିସବୁ ଲୋକମାନଙ୍କ ଘରେ ଯଦି କେହି ବାଳିକା ରହୁଛନ୍ତି, ତେବେ ସେମାନଙ୍କୁ ଏସବୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଛନ୍ତି ନତୁବା ସେମାନଙ୍କୁ ବାଲ୍ୟ ବିବାହ କରାଇ ଦେଉଛନ୍ତି। ବାଲ୍ୟ ବିବାହ ଫଳରେ ସେହି ପରିବାରର ଜଣେ ସଦସ୍ୟର ଖାଦ୍ୟକୁ ସେମାନେ ସଂଚୟ କରିପାରିବେ। ଅଧିକାଂଶ ଯୁବତୀମାନେ ପରିବାର ପ୍ରତିପୋଷଣ ପାଇଁ ଏହି ମାର୍ଗକୁ ଆଦରି ନେଇଛନ୍ତି। କେହି କେହି ନିଶା ଦେଇ ଯୁବତୀଙ୍କୁ  ଏହି ସବୁ କର୍ମ କରିବା ପାଇଁ ବାଧ୍ୟ କରୁଥିବାର ମଧ୍ୟ ଶୁଣିବାକୁ ମିଳୁଛି।

ବିଗତ ଏକ ବର୍ଷ ମଧ୍ୟରେ ଅଙ୍ଗୋଲାରେ ବିଭିନ୍ନ ଶସ୍ୟର ଦାମ ଦୁଇଗୁଣା ବଢିଥିବାବେଳେ ଏହାକୁ କ୍ରୟ କରିବା ଲାଗି ଲୋକଙ୍କ ପାଖରେ ସକ୍ଷମ ନାହିଁ। ଯଦି ଜୁନ୍‌ ଭିତରେ ଫସଲ ଠିକ୍‌ଠାକ୍‌ ନହୁଏ, ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ। ଆଫ୍ରିକାର କିଛି ଅଞ୍ଚଳରେ ୧୯୮୧ ପରଠାରୁ ଏପର୍ଯ୍ୟନ୍ତ ସବୁଠାରୁ କମ୍‌ ବର୍ଷା ହୋଇଛି। ପାଣିପାଗ ପରିବର୍ତ୍ତନ ହେତୁ ଜାମ୍ବିଆ,ନାମ୍ବିବିଆ, ଲେସୋଥୋ ଓ ଇସ୍ବାତିନି ପରି ଆପ୍ରିକା ଦେଶ  ବିଶେଷ ପ୍ରଭାବିତ ହୋଇ ଭୟଙ୍କର କ୍ଷୁଧାର୍ତ୍ତ ସମସ୍ୟାରେ ପଡିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ଶିଶୁ ବିକ୍ରି ଘଟଣା: ଦାରିଦ୍ର‌୍ୟ ପାଇଁ ଶିଶୁ କନ୍ୟାକୁ ବିକ୍ରିକରିବା କେତେ ସତ କେତେ ମିଛ

କନ୍ଦର୍ପ ବେହେରା
ରେଢାଖୋଲ: ବହୁ ବର୍ଷ ପୂର୍ବେ କଳାହାଣ୍ଡିରେ ଦାରିଦ୍ର‌୍ୟ ଯୋଗୁଁ ପିତା ମାତା ଶିଶୁ କନ୍ୟାକୁ ବିକ୍ରି କରୁଥିବା ଜାତୀୟ ତଥା ଆନ୍ତର୍ଜାତୀୟ ଖବର କାଗଜର ପୃଷ୍ଠା ମଣ୍ଡନ କରି ବେଶ୍ ଚର୍ଚ୍ଚିତ ହୋଇଥିବା ବେଳେ ଓଡିଶାରେ ପୁଣି ଏହାର ପୁନରାବୃତ୍ତି ହେବା ଘଟଣା ବେଶ୍‌ ଆଲୋଡନ ସୃଷ୍ଟି କରିଛି। ଏପରିକି ଗଣ ମାଧ୍ୟମର ପ୍ରତିନିଧୀମାନେ ସେଇ ଗାଁକୁ ଛୁଟୁଛନ୍ତି ଖବର ପରିବେଷଣ କରିବାକୁ।

ଅନୁସନ୍ଧାନରୁ ଜଣାପଡିଛି ଯେ, ରେଢାଖୋଲ ଚାରମାଳ ପଂଚାୟତର କେଉଟବାହାଳି ଗ୍ରାମର ନଳିନୀ କର୍ଣ ନାମକ ମହିଳା ମାତ୍ର୧୫ ହଜାର ଟଙ୍କାରେ ନିଜର ଜନ୍ମିତ ଶିଶୁ କନ୍ୟାକୁ ବିକ୍ରି କରିବା ଭଳି ଘଟଣାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଏପରିକି ଗଣ ମାଧ୍ୟମରେ ଏଇ ଖବରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଚାଇଲଡ୍ ଲାଇନ୍ ଶିଶୁ ବିକ୍ରି ହୋଇଥିବା ଅଭିଯୋଗ କରିଥିବା ବେଳେ ଶିଶୁ କନ୍ୟାର ମା ମୋର ଶିଶୁକୁ ମୁଁ ବିକ୍ରି କରିନାହିଁ ବୋଲି ପ୍ରକାଶ କରୁଥିବା ବେଳେ ଶିଶୁ କନ୍ୟାକୁ ନେଇଥିବା ଦମ୍ପତି ଶିଶୁକୁ ରେଢାଖୋଲ କୋର୍ଟରେ ଆଫିଡେବିଟ୍ କରି ଆଣିଛୁ ବୋଲି ମତପ୍ରକାଶ କରିଛନ୍ତି। ପୁଣି ଶିଶୁ କନ୍ୟାର ମା କହିଛନ୍ତି ଯେ ତାଙ୍କର ମିତ ତାଙ୍କ ଘରକୁ ଛୁଆକୁ ଦେଖିବାକୁ ଆସିଥିଲେ। ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିବାରୁ ଶିଶୁ କନ୍ୟାକୁ ସେ ସ୍ୱଇଚ୍ଛାରେ ଦେଇଥିବା କହୁଛନ୍ତି।

ପୁଣି ଏଠାରେ ଶୁଣିବାକୁ ମିଳୁଛି ଯେ, ଶିଶୁ କନ୍ୟାର ମା ଅତି ଗରିବ ଶ୍ରେଣୀର ହୋଇଥିବାରୁ ସେ ମାତ୍ର ୧୫ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଥିବା ଅଭିଯୋଗ ହେଉଛି। ୧୫ ହଜାର ଟଙ୍କାରେ ସେ ଆଜବେଷ୍ଟର୍ସ ଆଣି ଝାଟିମାଟିର ଘର ତିଆରି କରିଛନ୍ତି ବୋଲି ନିଜେ ମା କହିଛନ୍ତି ଗଣମାଧ୍ୟମ ଆଗରେ। ସେ ପଟେ ଚାରମାଳ ସରପଂଚ କହିଛନ୍ତି ଯେ, ସେ ଏଇ ଗାଁରେ ନିୟମିତ ରହୁ ନ ଥିବାରୁ ସରକାରଙ୍କ ଯୋଜନାରେ ସାମିଲ୍ କରିବାରେ ବାଧକ ସାଜିଛି। ସେ ପଟେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେଇଁ ଉଠିଛି। ସରକାର ଆବାସ ଯୋଜନାରେ ଶିଶୁର ମାକୁ ସାମିଲ୍ କରାଯିବ ବୋଲି ରେଢାଖୋଲ ବିଡିଓ ପରିକ୍ଷୀତ ଦାସ ପ୍ରକାଶ କରିଛନ୍ତି। ନଳିନୀର ମାକୁ ମଧ୍ୟ ଭତା ପ୍ରଦାନ କରାଯିବ ରୋଲି ବିଡିଓ ପ୍ରକାଶ କରିଛନ୍ତି।

ଏଠାରେ ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠେ ଯେ, ଗରୀବି ଏବେ ବି ଗ୍ରାମାଂଚଳରେ ରହିଛି। ଠିକ୍ ଭାବରେ ପଂଚାୟତର ଅଧିକାରୀମାନେ ସର୍ଭେ କରୁ ନ ଥିବାରୁ ବହୁ ଗରୀବ ଶ୍ରେଣୀର ଲୋକ ସରକାରୀ ଯୋଜନାରୁ ବଂଚିତ ହେଉଥିବା ନଜରକୁ ଆସୁଛି। ଏଥିପାଇଁ ଦାୟୀ କାହାକୁ କହିବା ଚିନ୍ତାର ବିଷୟ ପାଲଟିଛି। ଶିଶୁ ବିକ୍ରିକୁ ନେଇ ଏବେ ତୁମ୍ବିତୋଫାନ ଚାଲିଛି। କହିବାକୁ ଗଲେ ଆମ ରାଜ୍ୟରେ ଶିଶୁ କନ୍ୟାକୁ ଅଲୋଡା ଭାବି ପିତା ମାତା ବିକ୍ରି କରୁଛନ୍ତି ତ କେଉଁଠି ପିତାମାତା ଶିଶୁ କନ୍ୟାକୁ ପେଟରେ ହିଁ ହତ୍ୟା କରିଦେଉଛନ୍ତି। ଏଭଳି ଘୃଣ୍ୟ କାମରେ କେଉଁ ସାହସରେ ପିତାମାତା ହତ୍ୟା କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରେ ଡାକ୍ତର ମାନଙ୍କର ପ୍ରଚ୍ଛନ୍ନ ହାତ ମଧ୍ୟ ରହୁଛି। ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠେ ଯେ , ଚାଇଲଡ୍ ଲାଇନ୍ ସତ କହୁଛି ନା ଶିଶୁ କନ୍ୟା ର ମାତା ସତ କହୁଛନ୍ତି ନା ଶିଶୁ କନ୍ୟାକୁ କିଣି କି ନେଇଥିବା ଦମ୍ପତି ଠିକ୍ କଥା କହୁଛନ୍ତି ଏହା ସମସ୍ତଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଯୋଗ୍ୟ ଯେ, ଚାରମାଳ ଥାନା କେଉଟବାହାଳି ଗ୍ରାମର ନଳିନୀ କର୍ଣ ଦମ୍ପତି ନିଜର ୧ ମାସ ୭ ଦିନର ଶିଶୁ କନ୍ୟାକୁ ରେଢାଖୋଲ ବ୍ଲକ୍ ତ୍ରିବଣପୁର ପଂଚାୟତ କୁଶାପାଲି ଗ୍ରାମରେ ଗତ ୧ ତାରିଖରେ ବିକ୍ରି କରିଥିବା ଚାରମାଳ ଚାଇଲଡ୍ ଲାଇନ୍ ଅଭିଯୋଗ କରିଥିଲା। ସେ ପଟେ ଶିଶୁ କନ୍ୟାର ମାତା ଆମେ ତାଙ୍କୁ ପୋଷ୍ୟ ହିସାବରେ ଦେଇଛୁ ବୋଲି ପ୍ରକାଶ କରିଥିଲେ। ରେଢାଖୋଲ ପୋଲିସ ଓ ଚାରମାଳ ପୋଲିସ୍ ର ମିଳିତ ଉଦ୍ୟମରେ କୁଶାପାଲି ଗ୍ରାମରୁ ଶିଶୁକନ୍ୟାଟିକୁ ପୋଲିସ୍ ଉଦ୍ଧାର କରିବାରେ ସଫଳ ହୋଇଥିଲା।

ଶିଶୁ, ଶିଶୁ କନ୍ୟାକୁ ରଖିଥିବା ଦମ୍ପତି ଓ ତାର ମା’କୁ ସମ୍ବଲପୁର ଶିଶୁ ବିକାଶ ସମିତି ଠାରେ ହାଜିର ହେବାକୁ ମଧ୍ୟ ନିର୍ଦ୍ଦେଶ ଆସିଥିଲା। ଶିଶୁକନ୍ୟାକୁ କିଣିଥିବା କୁଶାପାଲି ଗ୍ରାମର ଦମ୍ପତିଙ୍କୁ ଚାରମାଳ ପୋଲିସ ଥାନାକୁ ଆଣି ପଚରାଉଚୁରା କରିଥିଲା। ଏବେ ଏଠରେ ପ୍ରଶ୍ନ ଉଠେ ଯେ, ଶିଶୁଟି ହେବ କାହାର। ଚାଇଲଡ ଲାଇନ୍ ରଖିପାରିବ ନା ତାର ମା ରଖିବ , ନା ପାଳନ କରିରଖିଥିବା ପିତା ମାତା ରଖିବେ ଏହା ବଡ ପ୍ରଶ୍ନ। ସମୟ କହିବ ଶିଶୁଟିର ପିତାମାତା କିଏ ହେବ ଆଉ ତାକୁ ମଣିଷ କରିବ।

Categories
ଆଜିର ଖବର

ଅପହଞ୍ଚ ସ୍ବାସ୍ଥ୍ୟ ବୀମା ଯୋଜନା: ଦାରିଦ୍ର୍ୟର ଛାୟା ତଳେ ଦୁରାରୋଗ୍ୟ କର୍କଟରେ ପୀଡ଼ିତ ଧନେଶ୍ବର

ସମୀକ୍ଷା ବ୍ୟୁରୋ

କଳାହାଣ୍ଡି, ୫/୧୨: ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ ଯୋଜନା ପରି ସ୍ବାସ୍ଥ୍ୟଯୋଜନା ଗୁଡ଼ିକ ରହିଥିଲେ ମଧ୍ୟ ଗରିବଙ୍କ ନିକଟରେ ଏହା ଅପହଞ୍ଚ। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍‌ର ଧନେଶ୍ବର ମହାନନ୍ଦ ମାରାତ୍ମକ କର୍କଟ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ପାଖରେ ସରକାରୀ ହେଉ କି ବେସରକାରୀ କୌଣସି ପ୍ରକାରର ସ୍ବାସ୍ଥ୍ୟଯୋଜନା ପହଞ୍ଚି ପାରିନାହିଁ।

ଧନେଶ୍ବର ମହାନନ୍ଦ ଦୀର୍ଘ ତିନି ବର୍ଷ ହେବ ଏହି ଦୁରାରୋଗ୍ୟ କର୍କଟରେ ପୀଡ଼ିତ ରହିଛନ୍ତି। ଦାଦନ ଖଟି ଯାହା ସଞ୍ଚୟ କରିଥିଲେ, ତାହାକୁ ଏହି ରୋଗର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ପୁନଃ ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଗୁଜୁରାଟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିବାବେଳେ ବାଧକ ସାଜିଥିଲା କର୍କଟ ରୋଗ। ପରିବାରରେ ୪ଜଣ ରହିଥିବାବେଳେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ଧନେଶ୍ବର। କିନ୍ତୁ ସିଏ ଏପରି ଏକ ଦୁରାରୋଗ୍ୟରେ ପୀଡ଼ିତ ହେବା ପରେ ସେହି ପରିବାରର ଅବସ୍ଥା ଏବେ ନ କହିବା ଭଲ। ଧନେଶ୍ବରଙ୍କ ବଡ଼ ଝିଅ ପୂଜା ମହାନନ୍ଦଙ୍କୁ ବୟସ ମାତ୍ର ୬ ବର୍ଷ। ସେ ବି ରକ୍ତ ଶିକୁଳି ରୋଗରେ ପୀଡ଼ିତ ରହିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଧନେଶ୍ବର ଏବେ ଭିକ୍ଷା ବୃତ୍ତିକୁ ଆପଣାଇଛନ୍ତି।

ଗୁଜୁରାଟରେ ଦାଦନ ଖଟିବା ସମୟରେ ହିଁ ଧନେଶ୍ବରଙ୍କଠାରେ କର୍କଟ ରୋଗର ଲକ୍ଷଣ ଦେଖାଯାଇଥିଲା। ତେବେ ଅର୍ଥାଭାବ ଯୋଗୁଁ ଠିକ୍‌ ସମୟରେ ଚିକିତ୍ସିତ ହୋଇପାରିନଥିଲେ ଧନେଶ୍ବର। ପରେ ଧନେଶ୍ବର ଗାଁକୁ ଆସି ବିଷମ କଟକରେ ଚିକିତ୍ସିତ ହୋଇଥିଲେ। ସେଠାରେ ଡାକ୍ତର ମଳଦ୍ୱାରକୁ ବନ୍ଦ କରି ପେଟ ଉପରେ ଅସ୍ତ୍ରୋପଚାର କରି ମଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିଲେ। ନିଜର ଜମିବାଡିକୁ ବିକ୍ରି କରି ଧନେଶ୍ୱର ମହାନନ୍ଦ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ସେଠାରେ ମଧ୍ୟ ଠିକ୍‌ ରୂପେ ଚିକିତ୍ସିତ ହୋଇ ପାରିନଥିଲେ। ଧନେଶ୍ବରଙ୍କ ପାଖରେ ସ୍ବାସ୍ଥ୍ୟ ବୀମା କି ସ୍ବାସ୍ଥ୍ୟ କାର୍ଡ ନାହିଁ।  ସରକାର କରିଥିବା ସମସ୍ତ ସ୍ବାସ୍ଥ୍ୟ ଯୋଜନା ଧନେଶ୍ବରଙ୍କ ନିକଟରେ ମୂଲ୍ୟହୀନ ହୋଇପଡିଛି।

ଧନେଶ୍ବରଙ୍କ ଚିକିତ୍ସା ପାଇଁ ରାଜ୍ୟ ପ୍ରଶାସନ ତରଫରୁ ଯଦି କିଛି ସହାୟତା ଓ ସହଯୋଗ ମିଳିପାରନ୍ତା ତେବେ ଏହି ଗରିବ ପରିବାରଟି ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।