Categories
ଆଜିର ଖବର ଧର୍ମ

ଭୁବନେଶ୍ବରରେ ଉଦଘାଟିତ ହେଲା ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ

ଭୁବନେଶ୍ୱର: ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ ରବିବାର ଅପରାହ୍ନରେ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ, ଖଣ୍ଡଗିରି ଠାରେ ଉଦଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସାଂସଦ ତଥା ସ୍କୁଲ ଡେଭଲପମେଣ୍ଟ କମିଟି ଉପାଧ୍ୟକ୍ଷ ଡ. ଅଚ୍ୟୁତ ସାମନ୍ତ, ପ୍ରାକ୍ତନ ରାଜ୍ୟ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ପ୍ରାକ୍ତନ କୁଳପତି ଡ. ହରେକୃଷ୍ଣ ଶତପଥୀ, ଆର୍ଯ୍ୟ ସମାଜ ଓଡ଼ିଶାର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ, ସ୍ୱାମୀ ଧର୍ମପ୍ରକାଶାନନ୍ଦ ସରସ୍ବତୀ ମହାରାଜ, ସ୍ୱାମୀ ଶିବଚିଦାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ଉଦବୋଧନ ଦେଇଥିଲେ। ନିଷ୍ଠା, ସମର୍ପଣ ସହ ଆଧ୍ୟାତ୍ମିକତା ମଣିଷକୁ ସଫଳତା ଦେଇଥାଏ। ମନଖୋଲା କରି ଭଲପାନ୍ତୁ, ସାହାଯ୍ୟ କରନ୍ତୁ। ଦେଖିବେ ସର୍ବଦା ପରମାନନ୍ଦ ସହାୟ ହେବେ। ମଣିଷ କି ନାଁ ବଡ଼ ନୁହେଁ କାମ ସବୁଠୁ ବଡ଼। ତେଣୁ ଯେତେ ପାରୁଛନ୍ତି ଭଲ କାମ କରି ଚାଲନ୍ତୁ। ସେବାକୁ ବ୍ରତ ଓ ଜୀବନର ମନ୍ତ୍ର ଭାବି ନେଇ ଆଗେଇ ଚାଲିବାକୁ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ଭଜନ ଓ ଦିବ୍ୟଜୀବନ ସଂଘ ଧ୍ବଜାଉତ୍ତ୍ୱଳନ, ବେଦମନ୍ତ୍ରପାଠ, ମହାପ୍ରଭୁ ଓ ଗୁରୁଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ ଓ ବେଦ ପାଠ ହୋଇଥିଲା। ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ସାଧୁସନ୍ଥ ଓ ବିଶିଷ୍ଟ ଅତିଥିମାନଙ୍କ ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆବାହକ ଏସ. ଏନ. ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆରତୀ, ଶାନ୍ତିପାଠ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀରେ ପାଞ୍ଚଶହରୁ ଉର୍ଦ୍ଧ ସଦସ୍ୟମାନେ ଯୋଗଦେଇ ଆଧ୍ୟାତ୍ମିକ ବାଣୀର ପ୍ରଚାର, ପ୍ରସାର ତଥା ସ୍ୱାମୀ ଶିବାନନ୍ଦ ସରସ୍ବତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ଜୀବନୀ, ଆଦର୍ଶ, ଦିଗଦର୍ଶନ ବିଷୟକ ଆଲୋଚନାରେ ଅଂଶଗ୍ରହଣ ସହିତ ନିଜର ମତବ୍ୟକ୍ତ କରିବେ। ଆସନ୍ତା ପାଞ୍ଚ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

Categories
ଆଞ୍ଚଳିକ

ଦିବ୍ୟଜୀବନ ସଂଘର ପୂଜ୍ୟସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀଙ୍କ ୭୯ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର: ଅନ୍ତରାଷ୍ଟ୍ରୀୟ ଦିବ୍ୟଜୀବନ ସଂଘର ଉପସଭାପତି ତଥା ସ୍ୱାମୀ ଶିବାନନ୍ଦ ସନ୍ଥ ପରମ୍ପରାର ଅନନ୍ୟ ସନ୍ଥ ପୂର୍ବାଶ୍ରମରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ ଆଜି ୭୯ବର୍ଷରେ ପଦାର୍ପଣ କରିଥିବାରୁ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରି ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ସତ୍ୟନଗର ପାର୍କ ପ୍ରିମିୟମ ସଭାଗୃହରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରାର୍ଥନା କରାଯାଇଥିଲା।

ଅନୁଷ୍ଠାନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ବୁଦ୍ଧମନ୍ଦିର ଟ୍ରଷ୍ଟି ଡ଼ଃ ସୌରେନ୍ଦ୍ର କୁମାର ମହାପାତ୍ର, ସିକିମ୍ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଜଗନ୍ନାଥ ପଟ୍ଟନାୟକ, ମିତ୍ର ରାୟ, ରୋଟାରରିୟାନ ଜ୍ୟୋତିଶଙ୍କର ମହାନ୍ତି, ଆରତୀ ଜ୍ଞାନେନ୍ଦ୍ର, ଡଃ ନିବେଦିତା ପଟ୍ଟନାୟକ, ଡଃ ଶ୍ରାବଣୀ ପଟ୍ଟନାୟକ, ଲୋରା ରାୟ, ନମିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଆଡ଼ଭୋକେଟ ଅଂଶୁମାନ ରାୟ ପରିଚାଳନା କରିଥିଲେ।