Categories
ଆଞ୍ଚଳିକ

ବାଲୁଗାଁରେ ଅଲିମ୍ପିୟାଡ଼ ଦୂତି ଚାନ୍ଦ, ମହିଳା ସମ୍ମେଳନରେ ଦେଲେ ଯୋଗ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଜାତୀୟ ମହିଳା ସମ୍ମେଳନ ଅବସରରେ ଓଡ଼ିଶା ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମହିଳା ହିଂସା ବିଲୋପ ପାଇଁ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ଣରେ ଉତ୍ତରାୟଣୀ ମନ୍ଦିର ନିକଟରୁ ମହିଳାମାନଙ୍କର ଏକ ବିରାଟ ଶୋଭାଯାତ୍ରା ବଜାର ପରିକ୍ରମା କରି ଅଶୋକ ନଗର ବଣିକ ସଙ୍ଘ ପର୍ଯ୍ୟନ୍ତ ଆସିବା ପରେ ସମ୍ମେଳନ ଆରମ୍ଭ ହୋଇଥିଲା।

ଆୟୋଜିତ ସମ୍ମିଳନୀରେ ସଭାପତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମାଜିକ କର୍ମୀ ମାନସୀ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରାଧ୍ୟାପିକା ସୁଜାତା ପ୍ରଧାନ କହିଲେ ଯେ ସାମ୍ପ୍ରତିକ ସମୟରେ ଭାରତରେ ନାରୀମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି।

ନାରୀମାନଙ୍କ ଅଧିକାର ସମ୍ପର୍କରେ ସମାଜର ଅଧିକାଂଶ ବ୍ୟକ୍ତି ସଚେତନ ନୁହନ୍ତି। ତେଣୁ ପ୍ରତ୍ୟେକ ପୁରୁଷ ନାରୀମାନଙ୍କ ଅଧିକାର ସମ୍ପର୍କରେ ସଚେତନ ହେବା ଦରକାର। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଆଡ଼ଭୋକେଟ ଗୌରୀ ଶଙ୍କର ଷଡ଼ଙ୍ଗୀ ନାରୀମାନଙ୍କ ପାଇଁ ଥିବା ଆଇନ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ଧାରା ଉଲ୍ଲେଖ କରିବା ସହ ଉଭୟ ମହିଳା ଓ ପୁରୁଷଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଓ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ନାରୀମାନଙ୍କ ସଶକ୍ତିକରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନ୍ତର୍ଜାତୀୟ ଅଲିମ୍ପିୟାଡ଼ ଦୂତି ଚାନ୍ଦ ନିଜ ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିବା ସହ ନିଜର ଆତ୍ମବିଶ୍ୱାସ ଓ ଅଧ୍ୟବସାୟ ବଳରେ କିପରି ସଫଳତା ତଥା ସମ୍ମାନ ପାଇଛନ୍ତି ତାହା ଉପସ୍ଥାପିତ କରିଥିଲେ। ସଭାପତି ମାନସୀ ପ୍ରଧାନ ଏହି ଅବସରରେ ପାରିବାରିକ ହିଂସାର ବିଲୋପ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦୂତି ଚାନ୍ଦଙ୍କୁ ଇଣ୍ଟରନ୍ୟାସନାଲ ୟୁଥ ଆଇକନ ଭାବେ ସମ୍ମାନିତ କରାଯାଇଥିଲା। ଏଥି ସହ ବାଲୁଗାଁ କଲେଜର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ଦୂତି ଚାନ୍ଦ ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂତି ଚାନ୍ଦ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର, ସମାଜସେବୀ ଚାରୁଲତା ମହାନ୍ତି, ଶ୍ରେଷ୍ଠ ଏନସିସି କ୍ୟାଡେଟ ଗଙ୍ଗୋତ୍ରୀ ପ୍ରଧାନ,ନୃତ୍ୟଶିଳ୍ପୀ ତଥା ପ୍ରତିଭାମୟୀ ଛାତ୍ରୀ ବୈଶାଳୀ ମହାନ୍ତିଙ୍କୁ ଦୂତି ଚାନ୍ଦ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଅଶୋକ ପଟ୍ଟନାୟକ। ଏହାପରେ ନୃତ୍ୟଗୁରୁ ସୁଜାତା ମହାପାତ୍ର ଓ ତାଙ୍କର ଗ୍ରୁପ ଓଡିଶୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଜିର ଖବର

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୂତୀ ଚାନ୍ଦଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅର୍ଜୁନ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ବଳରେ ସଫଳତାର ପାହାଚ ଚଢି ଚାଲିଥିବା ଦୂତୀ ଆଜି ଅର୍ଜୁନ ପୁରସ୍କାର ବିଜୟୀ ହୋଇ ସମଗ୍ର ଓଡିଶା ପାଇଁ ଯଥେଷ୍ଟ ଗୌରବ ଆଣି ପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଆଗାମୀ ଅଲମ୍ପିକ ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଦୂତୀ କ୍ରୀଡା କ୍ଷେତ୍ରରେ ଆହୁରି ସଫଳତା ଆଣି ଓଡିଶା ତଥା ଆମ ଦେଶ ଭାରତକୁ ଗୌରବାନ୍ୱିତ କରିବେ ବୋଲି ମନ୍ତ୍ରୀ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ତରଫରୁ ଏନେଇ ଘୋଷଣା କରାଯାଇଛି ।  ଚଳିତ ବର୍ଷ 27 ଜଣ ଖେଳାଳିଙ୍କୁ ଏହି ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଏହାବାଦ ପାଞ୍ଚ ଜଣଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ । 

ଦୂତୀଙ୍କ ସହ କ୍ରିକେଟର ଈଶାନ୍ତ ଶର୍ମା, ତୀରନ୍ଦାଜ ଅତନୁ ଦାସ, ବନ୍ଧୁକଚାଳକ ମନୁଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମା ପ୍ରମୁଖ ରହିଛନ୍ତି । ସେହିପରି ଉତ୍କଷ୍ଠ କୋଚିଂ ପାଇଁ 8ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ ବୋଲଇ ସୂଚନା ରହିଛି । ସେହିପରି 15 ଜଣ କ୍ରୀଡାବିତ୍‌ଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।