Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ରଜ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ଏବଂ ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ଏହି ତିନିଦିନିଆ ଉତ୍ସବ ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।

ଏହି ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରଜକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଓଟିଡିସି ସମୁଚିତ ପଦକ୍ଷେପ ଗ୍ରହଣ କରିଛି। ୨୦୧୦ ମସିହାରୁ ଓଟିଡିସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ରଜ ମହୋତ୍ସବ ମାଧ୍ୟମରେ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟ ସହ ରଜଦୋଳି, ପିଠା ଓ ରଜ ପାନକୁ ପ୍ରୋତ୍ସାହିତ କରିବାରେ ସଫଳତା ହାସଲ ହୋଇପାରିଛି।

ଆଧୁନିକତା ମଧ୍ୟରେ କୃଷିଭିତ୍ତିକ ଗଣପର୍ବ ରଜ ଏହାର ମୌଳିକତା ବଜାୟ ରଖିବାରେ ସକ୍ଷମ ହୋଇଛି। ଏହି ପର୍ବ ବସୁଧା ମାତା ଏବଂ ମହିଳାମାନଙ୍କ ସମ୍ମାନର ପ୍ରତୀକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଓଟିଡିସିର ଅଧ୍ୟକ୍ଷ ଡ. ମହାନ୍ତି ରାଜ୍ୟର ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାରରେ ସହଯୋଗ କରିଥିବାରୁ ସମସ୍ତ ବୁଦ୍ଧିଜୀବୀ ଏବଂ ଉପସ୍ଥିତ ଗଣମାଧ୍ୟମର ପ୍ରତିିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶ୍ରୀ ରାଜକିଶୋର ପଲେଇ ଏବଂ ଓଟିଡିସି କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡା ମଧ୍ୟ ନିଜର ମତବ୍ୟକ୍ତ କରିଥିଲେ।

ରଜପର୍ବ ପାଳନକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଓଟିଡିସି ଶାଖାରେ ରଜପିଠା ଉପଲବ୍ଧ ହେଉଛି। ଏତଦ୍‌ବ୍ୟତୀତ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତୋରାଁ ଏବଂ କଟକସ୍ତିତ ସିଲଭରସିଟି ବୋଟ୍‌ କ୍ଲବ୍‌ରେ ମଧ୍ୟ ପିଠା ମିଳିପାରିବ। ଏହାଛଡ଼ା ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ମହିଳାମାନେ ରଜ ତିନିଦିନ ଧରି ବିନାମୂଲ୍ୟରେ ରଜ ଦୋଳି ଖେଳିବା ଏବଂ ମେହେନ୍ଦି ଲଗେଇବାର ମଜା ନେଇପାରିବେ।

ଭୁବନେଶ୍ୱରବାସୀଙ୍କ ନିକଟରେ ରଜ ପିଠା ପହଞ୍ଚାଇବା ନିମନ୍ତେ ଓଟିଡିସି ପକ୍ଷରୁ ‘ପିଠା ଅନ୍‌ ହ୍ୱିଲ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆସନ୍ତା ତିନିଦିନ ଧରି ତିନୋଟି ଭ୍ୟାନ୍‌ ମାଧ୍ୟମରେ ସକାଳ ୮ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ସହିଦନଗର, ଖଣ୍ଡଗିରି ଏବଂ ପଟିଆ ସମେତ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ରଜ ପିଠା ଉପଲବ୍ଧ ହେବ।

ସୂଚନାଯୋଗ୍ୟ ଯେ ଗତବର୍ଷ ରଜ ପିଠା ବିକ୍ରୟରୁ ପାଖାପାଖି ୧୨ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ କାରବାର ଆହୁରି ବୃଦ୍ଧି ହେବା ନେଇ ଓଟିଡିସି ପକ୍ଷରୁ ଆଶା କରାଯାଉଛି।

ଆଜିର ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ପାନ୍ଥନିବାସ ପରିସରରେ ଅନେକ କୁନି ଝିଅ ଏବଂ ମହିଳାମାନେ ରଜ ପିଠା, ରଜ ଦୋଳି ଏବଂ ମେହେନ୍ଦିର ମଜା ନେଉଥିବାର ଲକ୍ଷ୍ୟ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ, ଘରେ ରହି ହୁଅ ସଜବାଜ ଲୋ ବଉଳ, ଘରେ ହୁଅ ସଜବାଜ

ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆଜି ଆରମ୍ଭ ହୋଇ 16 ତାରିଖରେ ଶେଷ ହେଉଛି । ଫଳରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ସଜ ମଉଜ ସବୁ ଫିକା ପଡିଯାଇଛି।

ତେବେ ଲକ ଡାଉନ ମଧ୍ୟରେ ମଧ୍ୟ ଆପଣ ଏହି ଗଣପର୍ବକୁ ପାଳନ କରିପାରିବେ। କାରଣ ହେଲା ଏହି ପର୍ବର ଅନେକ ନିତି ରହଛି ଯାହା ଘରେ ରହି ପାଳନ କରି ହେବ। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। କିନ୍ତୁ ପ୍ରଥମେ ନିଜର ସ୍ବାସ୍ଥ୍ୟ କଥା ଦେଖିବା ଦରକାର। ପରେ ବିଭିନ୍ନ ଉତ୍ସବ ମହୋତ୍ସବ ପାଳନ କଥା ଚିନ୍ତା କରାଯିବ। ଆସନ୍ତୁ ଜାଣିବା ଏହି ଲକଡାଉନରେ କେମିତି ଘରେ ରହି ପାଳନ କରିବେ ରଜ।

ପୋଡପିଠା

ରଜର ସବୁଠାରୁ ସ୍ବାଦିଷ୍ଟ କଥାଟି ହେଲା ପୋଡପିଠା। ଓଡିଆ ଘରେ କେବଳ ରଜଦିନ ଏହି ପୋଡପିଠା ତିଆରି କରାଯାଏ। ବର୍ଷସାରା ଏହି ସ୍ବାଦିଷ୍ଠ ପିଠାର ମହକ ମିଳେ ନାହିଁ। ତେଣୁ ଲକଡାଉନରେ ମଧ୍ୟ ଆପଣ ଏହିପିଠା କରି ଏହାର ସ୍ବାଦ ନେଇପାରିବେ। ଲକଡାଉନ ହୋଇଥିଲେ ମଧ୍ୟ ସବୁସ୍ଥାନରେ ଦିନ 11 ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରହୁଛି। ସେଥିପାଇଁ ଆପଣ ପୋଡପିଠା ପାଇଁ ଆବଶ୍ୟକ ଜିନିଷ କିଣି ରଖନ୍ତୁ। ରଜ ପୂର୍ବଦିନ ଏହା ପ୍ରସ୍ତୁତ କରନ୍ତୁଷ ରଜଦିନ ସକାଳୁସକାଳୁ ସ୍ନାନ ସାରି ଠାକୁରଙ୍କୁ ମୁଣ୍ଡାଇ ମାରି ପୋଡପିଠାର ମଜ୍ଜା ନିଅନ୍ତୁ।

ରଜପାନ

ରଜପାନ ହେଉଛି ରଜର ଏକ ଏକ ମଜାଦାର ଉପହାର। ଏହିଦିନ ଏହି ସ୍ବତନ୍ତ୍ର ପାନର ଚାହିଦା ରହିଥାଏ। ଏଥିପାଇଁ ପାନଦୋକାନୀମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଭଳିକି ଭଳି ସମଲା ପକାଇ ଏହି ପାନ ପ୍ରସ୍ତୁତ କରିଥାନ୍ତି। ହେଲେ ଏଥର ଲକଡାଉନ ଯୋଗୁଁ ପାନଦୋକାନ ବନ୍ଦ ରହିବ। ତେବେ ତା ପୂର୍ବରୁ ଆପଣ ପାନ ଓ ମସଲା ଆଣି ରଜର ଏହି ନିଆର ସ୍ବାଦକୁ ଅନୁଭବ କରିପାରିବେ।

ରଜଦୋଳି, ପୁଚିଖେଳ

ସାଧାରଣତଃ ଦୋଳି, ପୁଚିଖେଳ ରଜ ସମୟରେ ଏକ ବଡ ଖେଳ ଭାବେ ପରିଚିତ। ସେଥିପାଇଁ ଘରର ଝିଅମାନେ ଏହିଦିନ ବାହାରକୁ ଆସି ରଜ ଦୋଳି ଖେଳିଥାନ୍ତି। ହେଲେ ଲକଡାଉନ ଯୋଗୁଁ ବାହାରେ ରଜଦୋଳି ନ ଖେଳିଲେ ମଧ୍ୟ ଘରେ ଯଦି ସୁବିଧା ଅଛି ତେବେ ଏହା ଖେଳା ଯାଇପାରେ। ତେବେ ସାବଧାନ ଯଦି ସେପରି ସୁବିଧା ନାହିଁ ତେବେ ଏହି ଖେଳରୁ ଦୂରେଇ ଯାଇ ପୁଚି ଖେଳର ମଜା ନେଇ ହେବ। କାରଣ ପୁଚି ଖେଳ ହେଉଛି ଏହି ରଜର ଅନ୍ୟତମ ବିଶେଷତ୍ବ। ବିଶ୍ବାସ ରହିଛି ଝିଅମାନେ ଏହିଦିନ ପୁଛି ଖେଳିଲେ ସେମାନେ ଭବିଷ୍ୟତରେ ଗର୍ଭଧାରଣ ପାଇଁ କଷ୍ଟ ଅନୁଭବ କରିବେ ନାହିଁ। ପୁଚି ରଜର ଏକ ଉପାଦାନ ହୋଇଥିଲେ ମଧ୍ୟ ଏହା ଶାରୀରିକ ବ୍ୟାୟମ ବୋଲି କୁହାଯାଏ।

ସେହିପରି ରଜ ତିନିଦିନରେ ତାସ, ଲୁଡୁ, ପଶା ଖେଳ ମଧ୍ୟ ଅନ୍ୟତମ ଆକର୍ଷଣ। ତେବେ ଏହି ଖେଳ ସଂପୂର୍ଣ୍ଣ ଭାବେ ଘରୋଇ ଖେଳ ହୋଇଥିବାରୁ ଘରେ ପରିବାର ସହିତ ଖେଳିବାରେ କିଛି ଅସୁବିଧା ନାହିଁ।