ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ରଜ ମହୋତ୍ସବ ଉଦ୍‌ଘାଟିତ

Published: Jun 13, 2023, 9:08 pm IST

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ଏବଂ ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ଏହି ତିନିଦିନିଆ ଉତ୍ସବ ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।

ଏହି ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରଜକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଓଟିଡିସି ସମୁଚିତ ପଦକ୍ଷେପ ଗ୍ରହଣ କରିଛି। ୨୦୧୦ ମସିହାରୁ ଓଟିଡିସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ରଜ ମହୋତ୍ସବ ମାଧ୍ୟମରେ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟ ସହ ରଜଦୋଳି, ପିଠା ଓ ରଜ ପାନକୁ ପ୍ରୋତ୍ସାହିତ କରିବାରେ ସଫଳତା ହାସଲ ହୋଇପାରିଛି।

ଆଧୁନିକତା ମଧ୍ୟରେ କୃଷିଭିତ୍ତିକ ଗଣପର୍ବ ରଜ ଏହାର ମୌଳିକତା ବଜାୟ ରଖିବାରେ ସକ୍ଷମ ହୋଇଛି। ଏହି ପର୍ବ ବସୁଧା ମାତା ଏବଂ ମହିଳାମାନଙ୍କ ସମ୍ମାନର ପ୍ରତୀକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଓଟିଡିସିର ଅଧ୍ୟକ୍ଷ ଡ. ମହାନ୍ତି ରାଜ୍ୟର ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାରରେ ସହଯୋଗ କରିଥିବାରୁ ସମସ୍ତ ବୁଦ୍ଧିଜୀବୀ ଏବଂ ଉପସ୍ଥିତ ଗଣମାଧ୍ୟମର ପ୍ରତିିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶ୍ରୀ ରାଜକିଶୋର ପଲେଇ ଏବଂ ଓଟିଡିସି କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡା ମଧ୍ୟ ନିଜର ମତବ୍ୟକ୍ତ କରିଥିଲେ।

ରଜପର୍ବ ପାଳନକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଓଟିଡିସି ଶାଖାରେ ରଜପିଠା ଉପଲବ୍ଧ ହେଉଛି। ଏତଦ୍‌ବ୍ୟତୀତ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତୋରାଁ ଏବଂ କଟକସ୍ତିତ ସିଲଭରସିଟି ବୋଟ୍‌ କ୍ଲବ୍‌ରେ ମଧ୍ୟ ପିଠା ମିଳିପାରିବ। ଏହାଛଡ଼ା ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ମହିଳାମାନେ ରଜ ତିନିଦିନ ଧରି ବିନାମୂଲ୍ୟରେ ରଜ ଦୋଳି ଖେଳିବା ଏବଂ ମେହେନ୍ଦି ଲଗେଇବାର ମଜା ନେଇପାରିବେ।

ଭୁବନେଶ୍ୱରବାସୀଙ୍କ ନିକଟରେ ରଜ ପିଠା ପହଞ୍ଚାଇବା ନିମନ୍ତେ ଓଟିଡିସି ପକ୍ଷରୁ ‘ପିଠା ଅନ୍‌ ହ୍ୱିଲ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆସନ୍ତା ତିନିଦିନ ଧରି ତିନୋଟି ଭ୍ୟାନ୍‌ ମାଧ୍ୟମରେ ସକାଳ ୮ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ସହିଦନଗର, ଖଣ୍ଡଗିରି ଏବଂ ପଟିଆ ସମେତ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ରଜ ପିଠା ଉପଲବ୍ଧ ହେବ।

ସୂଚନାଯୋଗ୍ୟ ଯେ ଗତବର୍ଷ ରଜ ପିଠା ବିକ୍ରୟରୁ ପାଖାପାଖି ୧୨ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ କାରବାର ଆହୁରି ବୃଦ୍ଧି ହେବା ନେଇ ଓଟିଡିସି ପକ୍ଷରୁ ଆଶା କରାଯାଉଛି।

ଆଜିର ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ପାନ୍ଥନିବାସ ପରିସରରେ ଅନେକ କୁନି ଝିଅ ଏବଂ ମହିଳାମାନେ ରଜ ପିଠା, ରଜ ଦୋଳି ଏବଂ ମେହେନ୍ଦିର ମଜା ନେଉଥିବାର ଲକ୍ଷ୍ୟ କରାଯାଇଥିଲା।

Related posts