Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷା ନେଇ ମୁଖ୍ୟ ଶାସନ ସଚିବ କଲେ ବୈଠକ

ଭୁବନେଶ୍ଚର: ଚଳିତ ଫେବୃୟାରୀ  ୨୮ ରୁ ଆଗାମୀ  ମାର୍ଚ୍ଚ ୨  ତାରିଖ  ମଧ୍ୟରେ  ଭାରତର ମାନ୍ୟବର  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର  ଓଡିଶା ଗସ୍ତ ଓ ମୟୂରଭଂଜ, କେନ୍ଦୁଝର, ବ୍ରହ୍ମପୁର, ଭୁବନେଶ୍ୱର,କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଗୃହ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ସଂପୃକ୍ତ ବିଭିନ୍ନ ବିଭାଗର ଶାସନ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ  ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ସମେତ ରାଜ୍ୟ ପୁଲିସର ବରିଷ୍ଠ ପଦାଧିକାରୀ ,ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରାଜ୍ୟ ଗୃହ ବିଭାଗର  ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ରାଷ୍ଟ୍ରପତିଙ୍କ ଓଡିଶାରେ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ମାନ୍ୟବର ରାଷ୍ଟ୍ରପତିଙ୍କ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ  ଫେବୃୟାରୀ ୨୮ ତାରିଖରେ ରାଇରଙ୍ଗପୁରରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

୨୯ ତାରିଖ ସକାଳେ  ମା’ କୀଚକେଶ୍ୱରୀ ମନ୍ଦିର ପରିଦର୍ଶନ, କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ । ସେହି ଦିନ ଅପରାହ୍ଣରେ ଭୁବନେଶ୍ୱର ଯାତ୍ରା କରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ  ଯୋଗଦେବେ । ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ମାନ୍ୟବର ରାଷ୍ଟ୍ରପତିଙ୍କର ମାର୍ଚ୍ଚ ୨  ତାରିଖରେ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ଓଡିଶାରେ ପହଁଚିବାଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି  ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ  ପର୍ଯ୍ୟନ୍ତ ରାଜ୍ୟ ପ୍ରଶାସନ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବୈଠକରେ ବିସ୍ତୃତ  ଆଲୋଚନା କରାଯାଇଥିଲା ।

ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ବୈଠକରେ  ଯୋଗଦେଇଥିଲେ । ମାନ୍ୟବର ରାଷ୍ଟ୍ରପତିଙ୍କର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ଥିବାରୁ ସବୁ ସ୍ଥାନଗୁଡିକୁ ପୂର୍ବରୁ ଭଲଭାବେ ଯାଂଚ କରିବା ସହ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ତଦନୁସାରେ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ବୈଠକରେ  ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ,  ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ , ଉତ୍ସବ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କାର୍ଯ୍ୟକ୍ରମ ସ୍ଥଳରେ ପାନୀୟଜଳ ଯୋଗାଣ, ବସିବା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ଆବଶ୍ୟକ  ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରମୁଖ ଉତ୍ସବ ସ୍ଥଳରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଗଣମାଧ୍ୟମକୁ ପ୍ରଦାନ କରିବା ପାଇଁ ସୁବିଧା କରାଯିବା, କାର୍ଯ୍ୟକ୍ରମ ସ୍ଥଳକୁ ଇଣ୍ଟରନେଟ୍ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା ।  ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ୱର: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା ଉପସ୍ଥିତ ଥିଲେ।

ବାଙ୍ଗିରିପୋଷୀ ଘାଟିର ସଂପ୍ରସାରଣ, ଏନଏଚ୍ଆଇର ବିଦ୍ୟୁତିକରଣ, ରୋଡ ସାଇଟ୍ରେ ହାତୀ ଓ ବନ୍ୟଜନ୍ତୁଙ୍କ ପାଇଁ ଅଣ୍ଡର ପାସ୍ ଗୁଡିକ ଚିହ୍ନଟ କରି ଖୁବ୍ ଶିଘ୍ର ଡିପିଆର ପ୍ରସ୍ତୁତ କରାଯାଇ ଡିସେମ୍ବର ସୁଧା କାମ ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଝରପୋଖରୀଆର ଅର୍ଦ୍ଧ ନିର୍ମିତ ପୋଲ ଏବଂ ପାଲବଣୀ ଓ ଯୁବଲୀ ପେଟ୍ରୋଲ ପମ୍ପ ନିକଟରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ପରିବେଶ ଉପଯୋଗୀ ଗଛ ଯଥା ନିମ୍ବ, ଜାମୁ, ଶାଳ, ପିଆଶାଳ, ଆମ୍ବ ଇତ୍ୟାଦି ଲଗାଇବା ପାଇଁ ଏନଏଚ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା ପଶୁପକ୍ଷୀଙ୍କର ଆବଶ୍ୟକତା ପୂରଣ ହୋଇପାରିବ। ଗଛ ବୃଦ୍ଧି ପାଇଁ ଗୋଶାଳାମାନଙ୍କ ଠାରୁ ପ୍ରାକୃତିକ ସାର ଓ ଜୈବିକ ସାର ନେଇ ଗଛଗୁଡିକରେ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗୋପାଳପୁର, ଦୀଘା କୋଷ୍ଟାଲ ହାଇୱେର ନୂତନ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ବସ୍ ଷ୍ଟପ ଗୁଡିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ଡିସ୍ପ୍ଲେ କରିବା ଏବଂ ସୋଲାର ଅପରେଟେଡ୍ ଲାଇଟିଂ ବ୍ୟବସ୍ଥା ବସ୍ଷ୍ଟପ୍ ଗୁଡିକରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶାରେ ଦୁର୍ଘଟଣାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରି କଳାଦାଗ ଘୋଷଣା କରି ବିହୀତ ପଦକ୍ଷେପ ନେବା ପାଇଁ ଆଦେଶ ଦେଇଥିଲେ। ବହୁଦିନରୁ ବାଙ୍ଗିରିପୋଷି ରାସ୍ତାର ସମ୍ପ୍ରସାରଣରେ ବାଧା ଆସୁଥିବା ପଥରକୁ ଫଟେଇବା ପାଇଁ ବ୍ଲାଷ୍ଟିଂ ଅନୁମତି ଯଥାଶୀଘ୍ର ଜିଲ୍ଲାପାଳ ତଥା ଜଙ୍ଗଲ କର୍ତୃପକ୍ଷଙ୍କ ଠାରୁ ନେବା ପାଇଁ ଏନଏଚଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ(ଇଏମ୍ଆର୍ଏସ) 

ଓଡିଶାରେ ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ ନିର୍ମାଣ କରୁଥିବା ସମସ୍ତ ଭାରତ ସରକାରଙ୍କର ବ୍ୟବସାୟୀଙ୍କ ସଂସ୍ଥା(ପିଏସ୍ୟୁ)ର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଆଜି ପର‌୍ୟ୍ୟନ୍ତ ରାଜ୍ୟ ସରକାର ଜଙ୍ଗଲ ସମସ୍ୟା ଥିବା ଇଏମ୍ଆରଏସ୍ ସ୍ଥାନ ଗୁଡିକ ସମାଧାନ କରି ବିଭାଗକୁ ହସ୍ତାନ୍ତର ନକରୁଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ।

ମୟୂରଭଞ୍ଜ ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ଏକଲବ୍ୟ ବିଦ୍ୟାଳୟକୁ ଶୀଘ୍ର ଶେଷ କରିବା ସହିତ ଓଡ଼ିଶାରେ ନିର୍ମାଣ କରିବାକୁ ଥିବା ୮୭ଟି ଏକଲବ୍ୟ ବିଦ୍ୟାଳୟ ଗୁଡିକର ପୂର୍ବ ନିର୍ମାଣ ପ୍ରସ୍ତୁତି ଶେଷ କରି ଭୂମିପୂଜନ ସାରିବା ପାଇଁ ପିଏସୟୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୋଳିଅଣାଠାରେ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲର ଶୁଭ ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା ଆସନ୍ତା ନଭେମ୍ବର ୨୦ତାରିଖରେ କରାଯିବାକୁ ସ୍ଥିରିକୃତ ହୋଇଛି। ସମସ୍ତ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲ ନିର୍ମାଣ ଶେଷ ହୋଇ କାର‌୍ୟ୍ୟକ୍ଷମ ହେଲେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ହେବା ଆଶା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।

ଶେଷରେ ମନ୍ତ୍ରୀ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀଙ୍କ ସହିତ ଓଡ଼ିଶାର ଜଳ ସମସ୍ୟା ଉପରେ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଇଫେଡ କମିଶନର ଓ ତାଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବନଧନ ବିକାଶ କେନ୍ଦ୍ରର କିପରି ବିକାଶ ହେବ ଓ ଆଦି ମହୋତ୍ସବ ବିଷୟରେ ମାନନୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ କଳିଙ୍ଗ ଅତିଥୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ସଂଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଏସ ମୁରଲିଧରନ, ମେୟର ସୁଲଚନା ଦାସ ପ୍ରମୁଖ ସ୍ବାଗତ କରିଥିଲେ।

ସେଠାରେ ସେ ସିଧା ରାଜଭବନ ଆସିଥିଲେ। ରାଜଭବନରେ ସେ କଳିଙ୍ଗ ଅତିଥୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରାର୍ଥିପତ୍ର ଦାଖଲ ବେଳେ ଦ୍ରୌପଦୀଙ୍କ ସହ ରହିବେ ଓଡିଶାର ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କର ନାମାଙ୍କନ ପତ୍ରରେ ଓଡିଶାର ଦୁଇଜଣ ମନ୍ତ୍ରୀ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି। ସେମାନେ ହେଲେ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ମନ୍ତ୍ରୀ ଟୁକୁନୀ ସାହୁ। ଏ ନେଇ ରୋମରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସୂଚନା ଦେଇଛନ୍ତି।

ପ୍ରସ୍ତାବକ ସହିତ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ ବେଳେ ଏହି ଦୁଇମନ୍ତ୍ରୀ ଉପସ୍ଥିତ ରହିବେ ବୋଲ ନବୀନ ଉଲ୍ଲେଖ କରିଛନ୍ତି। ଫଳରେ ଆଜି ଉଭୟ ମନ୍ତ୍ରୀ ଟୁକୁନୀ ଏବଂ ଜଗନ୍ନାଥ ସାରକା ଦ୍ରୌପଦୀଙ୍କ ସହିତ ନୂଆ ଦିଲ୍ଲୀ ଯାତ୍ରା କରିଛନ୍ତି। ସେମାନେ ଓଡିଶା ଭବନରେ ରହିବା ସହିତ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତି ରହିବେ।