Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏଥର ଗସ୍ତ ହେବ ଐତିହାସିକ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଆସିବେ। ତେବେ ଏଥର ଗସ୍ତ ତାଙ୍କ ପାଇଁ ଏକ ଐତିହାସିକ ହେବ। କାରଣ ସେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ତାଙ୍କର ଜନ୍ମମାଟି ମୟୁରଭଂଜକୁ ଯିବେ। ସେଥିପାଇଁ ଜିଲ୍ଲାବାସୀ ବେଶ ଉତ୍ସାହିତ ହୋଇଥିବାର ଜଣାପଡିଛି।

ରାଷ୍ଟ୍ରପତି ମୁର୍ମୁ ଆସନ୍ତା ମେ 9 ତାରିଖରେ ଆସିବେ ବୋଲି ଜଣାପଡିଛି। ସେହିଦିନ ସେ ମୟୁରଭଂଜ ଜିଲ୍ଲାର ବାରିପଦା ଯିବେ। ସେଠାରେ ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଭଂଜ ଦେଓ ବିଶ୍ବବିଦ୍ୟାଳୟର 12 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏ ନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତି ଭବନରୁ ଚିଠି କରି ଅବଗତ କରାଯାଇଛି।

ମୟୁରଭଂଜରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସେ ଦୁଇଥର ଓଡିଶା ଗସ୍ତରେ ଆସିଛନ୍ତି। ହେଲେ ସେ କେବେ ତାଙ୍କ ଜନ୍ମମାଟିକୁ ଯାଇପାରି ନାହାଁନ୍ତି। ପ୍ରଥମେ ସେ ପୁରୀ ଗସ୍ତ କରି ଜଗନ୍ନାଥ ଦର୍ଶନ କରିଥିଲେ। ଏହାପରେ ଦ୍ବିତୀୟ ଗସ୍ତରେ ମଧ୍ୟ ସେ ରମାଦେବୀ ବିଶ୍ବବିଦ୍ୟାଳୟ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହେଲେ ମୟୁରଭଂଜ ଗସ୍ତ କରି ନାହିଁନ୍ତି।

ବାରିପଦା ଆସିବେ ବୋଲି ଜଣାପଡିବା ପରେ ମହାରାଜା ଶ୍ରୀରାମ ଭଂଜଦେଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ପ୍ରସ୍ତୁତି ବୈଠକ ଆରମ୍ଭ କରିସାରିଲେଣି। ଏହାପରେ ସଚିବାଳୟରେ ରାଷ୍ଟ୍ରପତିଙ୍କ ଗସ୍ତର ସମୀକ୍ଷା ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହାତ୍ମାଗାନ୍ଧୀଙ୍କ ସମାଧୀପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପୁଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଭାରତର 15 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଉ କିଛି ସମୟ ପରେ ସେ ଏହି ଶପଥ ଗ୍ରହଣ କରିବେ। ତେବେ ତା ପୂର୍ବରୁ ସେ ରାଜଘାଟରେ ଥିବା ମହାତ୍ମାଗାନ୍ଧୀଙ୍କ ସମାଧୀପୀଠରେ ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ତାଙ୍କର ପ୍ରୋଟକଲରେ ସେ ଏହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।

ଏହାପରେ ସେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଛନ୍ତି। ଆଉ କିଛି ସମୟ ପରେ ସେ ଭାରତର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର କେନ୍ଦ୍ରମନ୍ତ୍ରୀ, ସାଂସଦମାନେ ଦ୍ରୌପଦୀ ମୁର୍ମୁଙ୍କୁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀ ସ୍ଥିତ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାସଭବନରେ ଭେଟି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ, ପୂର୍ବତନ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ପ୍ରମୁଖ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସହ ଆଲୋଚନା କରିଥିଲେ।

ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାର ପୁର ପଲ୍ଲୀ ଠାରୁ ଆରମ୍ଭ କରି ଦେଶରେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଆନନ୍ଦ ଓ ଉଲ୍ଲାସର ଲହରୀ ଖେଳିଯାଇଛି। ଶ୍ରୀମତୀ ମୁର୍ମୁ ସାଧାରଣ ନାଗରିକରୁ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି। ଏହା ଆମ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ।

ସ୍ୱାଧୀନତା 75 ବର୍ଷ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଉଛୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି, ଦ୍ରୌପଦୀ ମୁର୍ମୁ ଜିତିବା ପଛରେ କଣ ରହିଛି କାରଣ

ନୂଆଦିଲ୍ଲୀ: ଆଜି ଦିନ ୧୧ ଟା ବେଳେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନରେ ଏହି ଗଣତି କରାଯିବ। ତେବେ ଏହି ଗଣତି ପୂର୍ବରୁ ଏହା ନିଶ୍ଚିତ ହୋଇଛି ଯେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଶ୍ଚିତ ଜିତିବେ। ତେବେ ସେ ଜିତିବାର ପଛରେ ରହିଛି ବଡ କାରଣ।

ଦ୍ରୌପଦୀ ମୁର୍ମୁ ଓଡିଶାର ଜଣେ ଆଦିବାସୀ ମହିଳା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ। ଫଳରେ ସେ ବିରୋଧୀ ଭୋଟ ବିଭାଜନ କରିବାରେ ସଫଳ ହୋଇପାରିଛନ୍ତି। ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ ଏବଂ ଝାଡଖଣ୍ଡର ଜେଏମଏମ ସମର୍ଥନ କରିବାରେ ବାଧ୍ୟ ହୋଇଛି। ସେହିପରି ଜଗନ୍ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ଏବଂ ଜେଡିୟୁ ଭଳି ଅଣ-ଦଳିତ ଦଳଙ୍କ ସମର୍ଥନ ଆଣିବାରେ ସଫଳ ହୋଇଛନ୍ତି।

ବର୍ତ୍ତମାନ ମୋଟାମୋଟି ଭାବେ 34 ଟି ଦଳ ବିରୋଧୀ ପ୍ରାର୍ଥୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ଅନ୍ୟପଟେ ଦ୍ରୌପଦୀ ମୁର୍ମୁଙ୍କୁ 44ଟି ଛୋଟ ବଡ ଦଳ ସମର୍ଥନ ଘୋଷଣା କରିଛନ୍ତି। ଯେଉଁ ଦଳଗୁଡିକ ଦ୍ରୌପଦୀଙ୍କୁ ସମର୍ଥନ କରୁ ନାହାଁନ୍ତି ସେମାନଙ୍କ ଭିତରେ ଅନେକ ବିଧାୟକ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମହମ୍ମଦ ମୋକିମଙ୍କ ପାଇଁ ପ୍ରକୃତରେ ମାଟି ବଡ ଥିଲା ନା ‘ଅନ୍ୟ ପାର୍ଟି’

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଓଡିଶାରେ ବେଶ ଚର୍ଚ୍ଚାକୁ ଆସିଥିଲେ କଟକ ବିଧାୟକ ମହମ୍ମଦ ମୋକିମ। କାରଣ ସେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ତାଙ୍କ ଦଳ ତରଫରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲେ ମଧ୍ୟ ସେ ତାଙ୍କୁ ନ ଦେଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଯାହା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।

ମୋକିମ କହିଛନ୍ତି ଯେ, ସେ ନିଜର ବିବେକ ଅନୁସାରେ ଏବଂ ଓଡିଶା ମାଟିର ଝିଅ ହିସାବରେ ଭୋଟ ଦେଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ ସତରେ ମୋକିମ ଓଡିଶା ମାଟି ପାଇଁ ଭୋଟ ଦେଇଛନ୍ତି ନା ଅନ୍ୟ କୌଣସି ପାର୍ଟିରେ ଯୋଗ ଦେବା ପାଇଁ ଏପରି କରିଛନ୍ତି। ଏହାକୁ ନେଇ ଗତକାଲିଠାରୁ ରାଜ୍ୟ ରାଜନୀତିରେ ସରଗରମ ଆଲୋଚନା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ପ୍ରକୃତରେ ମୋକିମଙ୍କ ମାଟି ବଡ ନା ଅନ୍ୟପାର୍ଟି !

ଏଠାରେ ଦୁଇଟି କଥା ଆଲୋଚନାକୁ ନିଆଯାଇପାରେ। ତାହା ହେଲା ଯେ ଦ୍ରୌପଦୀ ମୁର୍ମୁ ଯଦି ଗୋଟିଏ ଭୋଟରେ ବିଜୟ ଲାଭ କରନ୍ତି, ତେବେ ସମସ୍ତ ଶ୍ରେୟ ମୋକିମଙ୍କ ପାଖକୁ ଯିବ। ସେ ମାଟିକୁ ସମର୍ଥନ କରିଛନ୍ତି ବୋଲି କହିବାକୁ ହେବ। ହେଲେ ବର୍ତ୍ତମାନର ପରିସ୍ଥିତି ଅନୁସାରେ ଦ୍ରୌପଦୀଙ୍କ ପାଖରେ ଜିତିବା ପାଇଁ ଯଥେଷ୍ଠ ଭୋଟ ରହିଛି। ତେଣୁ ତାଙ୍କର ଏହି ଭୋଟଟି କୌଣସି ହିସାବକୁ ଆସିବ ନାହିଁ ବୋଲି ମୋକିମ ଜାଣନ୍ତି। ତଥାପି ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା କାରଣ କଣ ହୋଇପାରେ ବୋଲି ପ୍ରଶ୍ନ ଉଠିଛି।

ଏବେ ମୋକିମଙ୍କ ରାଜନୈତିକ କଥାକୁ ଆସିବା। ସେ ପିସିସି ସଭାପତି ପ୍ରତିଯୋଗୀତାରେ ଥିଲେ। ହେଲେ ତାଙ୍କୁ ସଭାପତି କରାଗଲା ନାହିଁ। ଯେଉଁ ଦିନଠାରୁ ଶରତ ପଟ୍ଟନାୟକଙ୍କୁ ସଭାପତି କରାଗଲା ସେହି ଦିନଠାରୁ ମୋକିମ ଦଳୀୟ କାର୍ଯ୍ୟକ୍ରମରୁ ଏକ ପ୍ରକାରର ଦୂରେଇ ରହିବାରେ ଲାଗିଛନ୍ତି। ତାଙ୍କର ହାବଭାବରୁ ସ୍ପଷ୍ଟ ହୋଇଛି ଯେ, ତାଙ୍କର ଆଉ କଂଗ୍ରେସ ପ୍ରତି ଆଗ୍ରହ ନାହିଁ। ସଭାପତି ନ ହେବାରୁ ସେ ଏକ ପ୍ରକାର କଂଗ୍ରେସରୁ ନିର୍ବାସନ ପରି ରାଜନୈତିକ ଜୀବନ ବିତାଉଛନ୍ତି।

ଏହିସବୁ ପରିସ୍ଥିତକୁ ବିଚାରକୁ ନେଲେ ମୋକିମ ନିଜ ରାସ୍ତା ବାଛିବା ପାଇଁ ପ୍ରଚେଷ୍ଠା ଚଳାଇଛନ୍ତି ବୋଲି ସ୍ପଷ୍ଟ ହୋଇଛି। କାରଣ ଦ୍ରୌପଦୀଙ୍କୁ ଭୋଟ ଦେଇ ମୋକିମ ଗୋଟିଏ ଗୁଳିରେ ତିନୋଟି ଶିକାର କରିଦେଲେ। ଗୋଟିଏ ପଟେ ଏନଡିଏକୁ ଭୋଟ ଦେଇ କଂଗ୍ରେସକୁ ଅସନ୍ତୁଷ୍ଟ କଲେ, ଅନ୍ୟପଟ ଉଭୟ ବିଜେଡି ଓ ବିଜେପିକୁ ଖୁସି କଲେ। ପୁଣି ମାଟି ନାଁ ରେ ଲୋକ ସମର୍ଥନକୁ ମଧ୍ୟ ସୁଦୃଢ କରିବାର ଆଶା ରଖିଲେ।

ସେହି ନ୍ୟାୟରେ ବର୍ତ୍ତମାନ କହିହେବ ଯେ, ମହମ୍ମଦ ମୋକିମଙ୍କ ପାଇଁ ଅନ୍ୟପାର୍ଟି ବଡ, ମାଟି କେବଳ ମାଧ୍ୟମ ମାତ୍ର।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ନିର୍ବାଚନ, ଓଡିଶା ବିଧାନସଭାରେ ପ୍ରସ୍ତୁତି, ଜାଣନ୍ତୁ କେମିତି ହେବ ଭୋଟ

ଭୁବନେଶ୍ବର: ଆଜି ସାରା ଦେଶରେ ହେଉଥି ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ସଂସଦ ସହିତ ସମସ୍ତ ରାଜ୍ୟର ବିଧାନସଭାରେ କରାଯିବ। ସେଥିପାଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଓଡିଶା ବିଧାନସଭାରେ ପ୍ରଥମ ମହଲାରେ ଥିବା ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଆଜି ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏହି ନିର୍ବାଚନ ସିକ୍ରେଟ ବାଲଟ ପେପର ମାଧ୍ୟମରେ କରାଯିବ। ଏଥିରେ ସାଧାରଣ ନିର୍ବାଚନ ପରି ଇଭିଏମ ବ୍ୟବହାର କରାଯାଏ ନାହିଁ। ଏହି ନିର୍ବାଚନକୁ ଭାରତ ନିର୍ବାଚନ ଆୟୋଗ ପରିଚାଳନା କରିଥାନ୍ତି। ଆୟୋଗ ବିଭିନ୍ନ ରାଜ୍ୟରୁ ବାଲଟ ବକ୍ସ ଏବଂ ବାଲଟ ପେପର ପଠାଇଥାନ୍ତି। ତେବେ ଏହି ବାଲଟ ପେପରରେ ଭୋଟ ଦେବା ପାଇଁ ଏକ ସ୍ବତନ୍ତ ରଂଗର ପେନ ବ୍ୟବହାର କରାଯାଇଥାଏ। ଯାହା ନିର୍ବାଚନ ଆୟୋଗ ଯୋଗାଇଥାନ୍ତି।

ବାଲଟ ପେପରରେ ସାଂସଦ ଓ ବିଧାୟକମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ୧, ୨, ୩ ଲେଖିଥାନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ପାଖରେ ଅଧିକ ସଂଖ୍ୟକ ୧ ରହିଥାଏ ସେହି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଏ।

ଏଥର ଦୁଇଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନେ ହେଲେ ଏନଡିଏ ତରଫରୁ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ଯଶବନ୍ତ ସିହ୍ନା। ଏହି ଦୁଇଜଣ ନିର୍ବାଚନରେ ଜିତିବା ପାଇଁ ବିଭିନ୍ନ ରାଜ୍ୟକୁ ଯାଇ ପ୍ରଚାର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭା ସମ୍ମିଳନୀ କକ୍ଷରେ ଦ୍ରୌପଦୀ ମୁର୍ମୁ, ବିଜେଡି ବିଧାୟକ ସାଂସଦଙ୍କ ସହିତ ଆଲୋଚନା

ଭୁବନେଶ୍ବର: ବର୍ତ୍ତମାନ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ବିଧାନସଭା ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଲୋଚନା କରୁଛନ୍ତି। ସେଠାରେ ସେ ବିଜେଡି ସାଂସଦ ଏବଂ ବିଧାୟକକଙ୍କ ସହିତ ଆଲୋଚନା କରୁଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।

ଆଜି ଦ୍ରୌପଦୀ ବିଧାନସଭା ପରିସରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଶାନନ୍ତ ମୁଦୁଲି, ସାଂସଦ ପିନାକୀ ମିଶ୍ର, ସସ୍ମିତ ପାତ୍ର ସ୍ବାଗତ କରିଥିଲେ। ସମ୍ମଳନୀ କକ୍ଷ ଦ୍ବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପାଛୋଟି ନେଇଥିଲେ। ଏହାପରେ ଦ୍ରୌପଦୀ ରାଜ୍ୟ ଅତିଥୀ ଭବନରେ ବିଜେପି ବିଧାୟକ ଏବଂ ସାଂସଦଙ୍କ ସହିତ ଆଲୋଚନା କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତା ଭାବିଲା ବେଳକୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରଚାରକୁ ହାଇଜାକ କରିନେଲା ବିଜେଡି

ଭୁବନେଶ୍ବର: ଓଡିଶା ରାଜନୀତିରେ ଏକ କଥା ଅଛି ବିଜେପି ଡାଳରେ ଡାଳରେ ଯାଉଥିବା ବେଳେ ବିଜେଡି ପତ୍ରେ ପତ୍ରେ ଯାଉଛି। ଏହା ପୂର୍ବରୁ ବହୁଥର ପ୍ରମାଣିତ ହୋଇଛି। ଏବେ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ଅତୀତରେ ଅନେକ ଘଟଣା ଘଟିଛି ଯାହା ବିଜେପି ଭାବିବା ବେଳକୁ ବିଜେଡି ତାହାକୁ କାର୍ଯ୍ୟରେ ଲଗାଇ ସାରିଲାଣି।

ସେହିପରି ଘଟଣା ବର୍ତ୍ତମାନ ଘଟିବାରେ ଲାଗିଛି। ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ବାହାବ ନେବା ବେଳକୁ ତାହାକୁ ହାଇଜାକ କରିନେଲାଣି ବିଜେଡି। କହିବା କଥା ହେଲା ଆସନ୍ତା ଆଠ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ପ୍ରଚାରରେ ଆସିବେ। ସେଥିପାଇଁ ବିଜେପି ଶିବିରରେ ପ୍ରସ୍ତୁତି ଚାଲିଛି। ତାଙ୍କ ସହିତ କେଉଁମାନେ ଯିବେ, କୁଆଡେ ଯିବେ ତାହାର ତାଲିକା ଚାଲିଛି।

ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା ପୂର୍ବରୁ ବିଜେଡି ତାଙ୍କର ପ୍ରଚାର ଆରମ୍ଭ କରିଦେଇଛି। ମଙ୍ଗଳବାର ଦିନ ରାୟଗଡାର ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି । ତାଙ୍କୁ ବିଜେଡି ତରଫରୁ ଯୋଗାଯୋଗ କରାଯାଇ ନବୀନ ନିବାସ ଅଣାଯାଇଥିଲା। ଆଉ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କଲେ। ଏହାକୁ ନିଜେ ମୁଦୁଲି ସମର୍ଥନ ମଧ୍ୟ କଲେ।

ସେହିପରି ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କଲେ ବିଜେଡି ସଂଗଠନ ସଂପାଦକ ପ୍ରଣବ ଦାସ। ସେ ମଧ୍ୟ ତାଙ୍କୁ ଓଡିଶା ଝିଅକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଖୋଦ ନବୀନ ପଟ୍ଟନାୟକ ମଧ୍ୟ ନରସିଂହଙ୍କୁ ଫୋନ କରି ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି।

ସେତିକି ନୁହେଁ ପ୍ରଣବ ଦାସ, ସୁଶାନ୍ତ ସିଂ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ ପ୍ରମୁଖ ତୁଙ୍ଗ ବିଜେଡି ନେତା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଓଡିଶା ମାଟିକୁ ଦେଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି। ଦିନତମାମ ବିଜେଡି ନେତାମାନେ ନିଜନିଜ ରାସ୍ତାରେ ଦ୍ରୌପଦୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ବିଜେଡିର ଏପରି ତତ୍ପରତାକୁ ଦେଖିଲେ ଲାଗୁଛି ସତେ ଯେପରି ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତାଙ୍କୁ ନବୀନ ରାଷ୍ଟ୍ରପତି ପ୍ରାର୍ଥୀ କରାଇଛନ୍ତି। ଅର୍ଥାତ ଏହାର ପୁରା ଫାଇଦା ବର୍ତ୍ତମାନ ବିଜେଡି ହାଇତେଇବାରେ ଲାଗିଛି। ସେଥିପାଇଁ କୁହାଯାଉଛି ଯେ ବିଜେଡି ରଣନୀତି ଆଗରେ ବିଜେପି ଏ ପର୍ଯ୍ୟନ୍ତ ସମକକ୍ଷ ହୋଇପାରୁ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କଂଗ୍ରେସ ପାଇଁ ମାଟି ନୁହେଁ ପାର୍ଟି ବଡ, ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ଦଳ

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥନ କରିବା ନାହିଁ ବୋଲି ଘୋଷଣା କରିଛି। ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଜଣେ ଭଲ ନେତ୍ରୀ, ସେ ବିଧାୟକ ଥିବା ବେଳେ ଭଲ କାମ କରିଛନ୍ତି। ହେଲେ ସେ ବିଜେପି ଆଦର୍ଶରେ ଯାଉଥିବାରୁ କଂଗ୍ରେସ ତାଙ୍କୁ ସମର୍ଥନ କରିବ ନାହିଁ।

ନରସିଂହ କହିଛନ୍ତି ଯେ, କଂଗ୍ରେସ ଗୋଟିଏ ଜାତୀୟ ଦଳ। ଏହାର କିଛି ନିତି ନିୟମ ରହିଛି। ସେହି ନିତିନିୟମ ଭିତରେ ଆମକୁ କାମ କରିବାକୁ ପଡିବ। ଦଳ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି। ତେଣୁ ଦଳର ନିୟମ ବର୍ହଃଭୂତ କାମ କରାଯାଇପାରିବ ନାହିଁ। ନରସିଂହଙ୍କ ଏହି ବିବୃତି ପରେ ସ୍ପଷ୍ଟ ହୋଇଛି ଯେ ଦଳର 10 ଜଣ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବେ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲକୁ ନରସିଂ ତାତ୍ସଲ୍ୟ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ଅପିଲ କରିଥିଲେ। ସେ କହିଥିଲେ ଯେ, ଓଡିଆ ଝିଅ ହିସାବରେ ତାଙ୍କୁ ସମସ୍ତେ ସମର୍ଥନ ଦିଅନ୍ତୁ। ଏହାକୁ ନରିସଂହ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ନବୀନଙ୍କ ଯଦି ଓଡିଆ ପ୍ରୀତି ରହିଛି ତେବେ ସେ ଜଣେ ଅଣ ଓଡିଆଙ୍କୁ କିପରି ରାଜ୍ୟସଭାକୁ ପଠାଇଲେ।

ସେପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ତାଙ୍କର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଓଡିଶାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଆମେ ସେଥିପାଇଁ ଗର୍ବିତ। ହେଲେ ଆମେ ଗୋଟିଏ ଦଳର ନିତିନିୟମ ଭିତରେ ଆବଦ୍ଧ ହୋଇ ରହିଛୁ। ସେ ନିତିନିୟମ ଭିତରେ ରହି ଆମେ ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ବୋଲି ମୋକିମ କହିଛନ୍ତି।

ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ କଂଗ୍ରେସ ବର୍ତ୍ତମାନ ମାଟିକୁ ଦେଖିଲା ନାହିଁ, ବଂର ପାର୍ଟିକୁ ଦେଖିଲା। ସାରା ଓଡିଶାରେ ଦ୍ରୌପଦୀଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ କଂଗ୍ରେସର ଏପରି ନିଷ୍ପତି ଓଡିଶା ବିରୋଧୀ ବୋଲି ସେମାନେ ମତ ଦେଇଛନ୍ତି। ପରବର୍ତ୍ତି ସମୟରେ କଂଗ୍ରେସକୁ ଏହାର ପରିମାଣ ଭୋଗିବାକୁ ପଡିବ ବୋଲି ଅନେକ ମତ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ସରିଲା, ଫେରିବେ ଓଡିଶା

ଭୁବନେଶ୍ବର, ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ ମେ 2015 ମସିହାରେ ଯୋଗ ଦେଇଥିଲେ। ଛଅ ବର୍ଷ ଧରି ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଆସୁଥିଲେ।

ତାଙ୍କର କାର୍ଯ୍ୟକାଳ ସରିଯାଇଥିବାରୁ ଆଜି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ତ୍ରିପୁରୀ ରାଜ୍ୟପାଳ ରମେଶ ବାଏସଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଛି। ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଫେରିଆସିବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଓଡିଶା ଆସିବା ପରେ ସେ ପରବର୍ତ୍ତି ପଦକ୍ଷେପ ଉପରେ କିଛି ନିଷ୍ପତି ନେବେ ବୋଲି ଜଣାପଡିଛି।