ଆଜି ରାଷ୍ଟ୍ରପତି ନିର୍ବାଚନ, ଓଡିଶା ବିଧାନସଭାରେ ପ୍ରସ୍ତୁତି, ଜାଣନ୍ତୁ କେମିତି ହେବ ଭୋଟ

Published: Jul 18, 2022, 8:28 am IST

ଭୁବନେଶ୍ବର: ଆଜି ସାରା ଦେଶରେ ହେଉଥି ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ସଂସଦ ସହିତ ସମସ୍ତ ରାଜ୍ୟର ବିଧାନସଭାରେ କରାଯିବ। ସେଥିପାଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଓଡିଶା ବିଧାନସଭାରେ ପ୍ରଥମ ମହଲାରେ ଥିବା ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଆଜି ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏହି ନିର୍ବାଚନ ସିକ୍ରେଟ ବାଲଟ ପେପର ମାଧ୍ୟମରେ କରାଯିବ। ଏଥିରେ ସାଧାରଣ ନିର୍ବାଚନ ପରି ଇଭିଏମ ବ୍ୟବହାର କରାଯାଏ ନାହିଁ। ଏହି ନିର୍ବାଚନକୁ ଭାରତ ନିର୍ବାଚନ ଆୟୋଗ ପରିଚାଳନା କରିଥାନ୍ତି। ଆୟୋଗ ବିଭିନ୍ନ ରାଜ୍ୟରୁ ବାଲଟ ବକ୍ସ ଏବଂ ବାଲଟ ପେପର ପଠାଇଥାନ୍ତି। ତେବେ ଏହି ବାଲଟ ପେପରରେ ଭୋଟ ଦେବା ପାଇଁ ଏକ ସ୍ବତନ୍ତ ରଂଗର ପେନ ବ୍ୟବହାର କରାଯାଇଥାଏ। ଯାହା ନିର୍ବାଚନ ଆୟୋଗ ଯୋଗାଇଥାନ୍ତି।

ବାଲଟ ପେପରରେ ସାଂସଦ ଓ ବିଧାୟକମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ୧, ୨, ୩ ଲେଖିଥାନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ପାଖରେ ଅଧିକ ସଂଖ୍ୟକ ୧ ରହିଥାଏ ସେହି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଏ।

ଏଥର ଦୁଇଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନେ ହେଲେ ଏନଡିଏ ତରଫରୁ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ଯଶବନ୍ତ ସିହ୍ନା। ଏହି ଦୁଇଜଣ ନିର୍ବାଚନରେ ଜିତିବା ପାଇଁ ବିଭିନ୍ନ ରାଜ୍ୟକୁ ଯାଇ ପ୍ରଚାର କରିଛନ୍ତି।

Related posts