Categories
ଆଞ୍ଚଳିକ

ଟୀକା ଉତ୍ସବର ଦ୍ଵିତୀୟ ଦିବସ: ଚିଲିକାରେ ଟୀକା ନେଲେ ୧ ହଜାର ୭୭୪ ଜଣ ନାଗରିକ

ସୀତାରାମ ଅଗ୍ରୱାଲ

ବାଣପୁର: ସୋମବାର ଦିନ ଟୀକା ଉତ୍ସବର ଦ୍ଵିତୀୟ ଦିବସ ଥିଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟୀକା ନେବା ପାଇଁ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ ବହୁ ନାଗରିକମାନେ ଉତ୍ଫୁଲିତ ହୋଇ ଟୀକା ନେଉଥିବାର ଲକ୍ଷ୍ୟ କରାଯାଇଥିଲା।

ଦ୍ଵିତୀୟ ଦିବସରେ ସୁନାଖେଳାରେ ୨୧୨ ଜଣ, ଗମ୍ଭାରୀମୁଣ୍ଡାରେ ୨୫୩ ଜଣ, ନୀଳାଦ୍ରିପ୍ରସାଦରେ ୧୮୭ ଜଣ ଏବଂ ବାଣପୁରରେ ୩୯୦ ଜଣ ନାଗରିକ ଟୀକା ନେଇଥିବାର ସୂଚନା ଦେଇଛନ୍ତି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର। ତେବେ ଉକ୍ତ ଟୀକା ଉତ୍ସବ କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ବାଣପୁର ମେଡିକାଲର କର୍ମଚାରୀମାନେ ଯଥା ହୃଦାନନ୍ଦ ବିଷୋୟୀ, ପ୍ରଶାନ୍ତ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଅନିଲ ନାୟକ, ସତ୍ୟବ୍ରତ ସାହୁ, ଅଭିମନ୍ୟୁ ଭୋପା ଏବଂ ଶିବାନୀ ହୋତା ଆଦି ସହଯୋଗ କରିଥିଲେ।

ସେହିପରି ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୩୨ ଜଣ ନାଗରିକ ଟୀକା ନେଇଥିବାର ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ବାଲୁଗାଁରେ ୩୫୬ ଜଣ, ନଈରୀରେ ୧୮୮ ଜଣ ଏବଂ ଜରିପଡାରେ ୧୮୮ ଜଣ ନାଗରିକ ଟୀକା ନେଇଛନ୍ତି।