Categories
ଆଜିର ଖବର ରାଜ୍ୟ ଖବର

ତାଳଚେରର ବିଭିନ୍ନ ସ୍କୁଲର ପରିସ୍ଥିତ ଅନୁଧ୍ୟାନ କଲେ ରାଜ୍ୟ ଖାଦ୍ୟ ଆୟୁକ୍ତ 

ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନିକାନ୍ତ ସାହୁଙ୍କ ତାଳଚେର ଗସ୍ତର ଦ୍ୱିତୀୟ ଦିନରେ ସେ ସର୍ବପ୍ରଥମେ ଗୋପଳପ୍ରସାଦସ୍ଥିତ ମା’ହିଙ୍ଗୁଳା ଙ୍କୁ ଦର୍ଶନ କରିଥିଲେ। ତା’ପରେ ସେ ତାଳଚେରସ୍ଥିତ ପବିତ୍ରମୋହନ ସରକାରୀ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଓ ଚିକିତ୍ସାଳୟର ପରିଚାଳନାକୁ ନେଇ ଆଲୋଚନା କରିଥିଲେ।

ପରେ ସେ କନ୍ଧବରେନି ଆଶ୍ରମ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ସେଠାରେ ତାଙ୍କୁ ଛାତ୍ରଛାତ୍ରୀମାନେ ଖେଳ ପଡିଆ ଓ ୱାଟର କୁଲର ପାଇଁ ଦାବି କରିଥିଲେ। ସେମାନଙ୍କ ଦାବିକୁ ଅନସୁଚିତ ଜାତି ଓ ଅନାସୁଚିତ ଜନଜାତି ବିଭାଗର ସଚିବଙ୍କୁ ଜଣେଇବେ ବୋଲି ଖାଦ୍ୟ ଆୟୁକ୍ତ ଶ୍ରୀ ସାହୁ କହିଥିଲେ।

ଶେଷରେ ଆୟୁକ୍ତ ଶ୍ରୀ ସାହୁ ଦେରଙ୍ଗ ସ୍ଥିତ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଥିବା ଶ୍ରେଣୀଗୃହଗୁଡ଼ିକ ଅବସ୍ଥା ଠିକ୍‌ ନଥିବାରୁ, ସେ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଅନୁଗୋଳ ଭଳି ଶିଳ୍ପ ସମୃଦ୍ଧି ଜିଲ୍ଲାରେ ସିଏସଆର୍‌ ପାଣ୍ଠିର ସଦୁପଯୋଗ କରି ଭିତ୍ତିଭୂମିର ଉନ୍ନତି କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହା ସହ ଶ୍ରୀ ସାହୁଙ୍କର ଦୁଇଦିନିଆ ତାଳଚେର ଗସ୍ତ ଶେଷ ହୋଇଯାଇଛି। ଆଜିର ଗସ୍ତ କାର୍ଯ୍ୟକ୍ରମ ଅବସରରେ ତାଙ୍କ ସହ ଖାଦ୍ୟ ଆୟୋଗର ସଦସ୍ୟ ଶ୍ରୀ ଦୟାନିଧି ଦାଶ ଓ ପ୍ରଶାସନିକ ଅଧିକାରୀ ଶ୍ରୀ ସରୋଜ ଷଡଙ୍ଗୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ଦୁଇଦିନିଆ ତାଳଚେର ଗସ୍ତ

ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନୀକାନ୍ତ ସାହୁ ଦୁଇଦିନିଆ ତାଳଚେର ଗସ୍ତରେ ଯାଇ ଅପରାହ୍ନ ୩ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷ ଠାରେ ଏକ ବୈଠକରେ ଯୋଗଦେଇ ଅଞ୍ଚଳର ଖାଦ୍ୟ ସୁରକ୍ଷା ଯୋଜନା ଓ ବିତରଣ ବ୍ୟବସ୍ଥା ଉପରେ ସମୀକ୍ଷା କରଥିଲେ।

ପାରିପାଶ୍ୱର୍କ ଉନ୍ନୟନ ଯୋଜନା ମାଧ୍ୟମରେ ତାଳଚେର ଅଞ୍ଚଳର କର୍ମଜୀବୀ ମହିଳାମାନଙ୍କ ଖାଦ୍ୟସୁରକ୍ଷା ଓ କର୍ମକ୍ଷେତ୍ରକୁ ଯିବାବେଳେ ସେମାନଙ୍କ ଶିଶୁମାନଙ୍କ ସୁରକ୍ଷା ଓ ଲାଳନପାଳନ ନିମନ୍ତେ କ୍ରେଚ ସବୁ ଅଞ୍ଚଳରେ ଖୋଲିବା, ତା’ର ନିୟମିତ ପରିଚାଳନା ନିମନ୍ତେ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ବଣ୍ଟନ ସ୍ଥଳୀଗୁଡିକରେ ପକ୍କାଘର ଯୋଗାଇଦେବା, ପ୍ରତ୍ୟେକ ୱାର୍ଡରେ ଥିବା ବଣ୍ଟନ ସ୍ଥଳୀଗୁଡିକରେ ସୂଚନା ଫଳକ ଲଗାଇ ସେଥିରେ ଉପଭୋକ୍ତାଙ୍କ ନାମ ତାଲିକା, ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମୋବାଇଲ ନମ୍ବର ଆଦି ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଅଙ୍ଗନବାଡିଗୁଡିକର ନୂଆ ପକ୍କାଘର ତିଆରି, ପୁରୁଣା ଘରର ମରାମତି, ପିଇବା ପାଣି ଓ ଆଲୋକ ବ୍ୟବସ୍ଥା, ନିଉଟ୍ରି ଗାର୍ଡେନ, ଓ କିଚେନ ଗାର୍ଡେନ ଇତ୍ୟାଦି ପ୍ରସ୍ତୁତ କରିବାକୁ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଅଞ୍ଚଳର ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ତିନିଚକିଆ ଯାନ ଯୋଗାଇ ଦେବା, କୃଷି ଓ କୃଷକର ବିକାଶ ପାଇଁ ଇଛୁକ ବ୍ୟକ୍ତିମାନଙ୍କୁ ଛେଳି ଚାଷ, କୁକୁଡ଼ା ଚାଷ ଆଦି ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ବୈଠକରେ ଉପସ୍ଥିତ ଏନ୍‌. ଟି. ପି. ସି. ଓ ଏମ୍‌. ସି. ଏଲ. ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଆୟୁକ୍ତ ସଦସ୍ୟ ଶ୍ରୀ ଦୟାନିଧି ଦାସ, ପ୍ରଶାସନିକ ଅଧିକାରୀ ଶ୍ରୀ ସମରେନ୍ଦ୍ର କୁମାର ଷଡ଼ଙ୍ଗୀ, ବି. ଡି. ଓ. ଚିନ୍ମୟୀ ଚେତନା ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପାତ୍ର, ସହକାରୀ ଯୋଗାଣ ଅଧିକାରୀ ଶୁଚି ରାଉତଙ୍କ ସମେତ ବହୁ ଉପଖଣ୍ଡସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଦୟାନିଧି ଦାସ ହେଲେ ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ଦୟାନିଧି ଦାସଙ୍କୁ ରାଜ୍ୟ ସରକାର ଓଡିଶା ଖାଦ୍ୟ କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ତିନି ବର୍ଷ ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଦୟାନିଧି ଦାସ ଓଡିଶା ଗଣମାଧ୍ୟମର ଜଣେ ପରିଚିତ ବ୍ୟକ୍ତି। ସେ ଓଟିଭି, ଇଟିଭି, ନ୍ୟୁଜ18 ପରି ଚ୍ୟାନେଲ ମୁଖ୍ୟ ପଦବୀର କାମ କରି ଅବସର ନେଇଛନ୍ତି।

ଦୟାନିଧିକଙ୍କ ସହିତ ଆଉ ଚାରି ଜଣଙ୍କୁ ମଧ୍ୟ ରାଜ୍ୟ ସରକାର ଖାଦ୍ୟ କମିଶନର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ସେମାନେ ହେଲେ ସଂଯୁକ୍ତା ମହାନ୍ତି, ଅକ୍ଷୟ କୁମାର ବେହେରା, ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା।

Categories
ଆଜିର ଖବର ରାଜ୍ୟ ଖବର

ନ୍ୟୁଜ 18 ଓଡିଆ ଚ୍ୟାନେଲରୁ ବିଦାୟ ନେଲେ ବରିଷ୍ଠ ସଂପାଦକ ଦୟାନିଧି ଦାସ

ଭୁବନେଶ୍ବର: ଆଜି ନ୍ୟୁଜ 18 ଓଡିଆ ଚ୍ୟାନେଲରୁ ବିଦାୟ ନେଇଛନ୍ତି ବରିଷ୍ଠ ସଂପାଦକ ଦୟାନିଧି ଦାସ। ତାଙ୍କର ଅବସର ସମୟ ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିଥିଲେ। ନେଟୱର୍କ 18 କଂପାନୀ ତାଙ୍କର ଇସ୍ତଫାକୁ ଗ୍ରହଣ କରି ଦୁଇ ମାସ କାମ କରିବା ପାଇଁ କହିଥିଲେ। ସେହି ଅନୁସାରେ ଆଜି ତାଙ୍କର ଶେଷ ଦିନ ଥିଲା।

ତାଙ୍କୁ ଆଜି ନ୍ୟୁଜ 18 ର କର୍ମଚାରୀଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୁଇସ ରୋଡରେ ଥିବା କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଫୁଲତୋଡା ତଥା ଉପହାର ଦେଇ ବିଦାୟ ଦେଇଥିଲେ। ଦୟାନିଧି ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ଚ୍ୟାନେଲରେ ବରିଷ୍ଠ ସଂପାଦକ ଭାବ କାର୍ଯ୍ୟ କରୁଥିଲେ।