Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଶେଷ ହେଲା ଧଉଳି-କଳିଙ୍ଗ ମହୋତ୍ସବ, ଉଦ୍‍ଯାପନୀ ସଂଧ୍ୟାରେ ଓଡ଼ିଶୀ, କଥକ ସହିତ ଭାରତନାଟ୍ୟମ୍‍

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଓଡ଼ିଶୀ, କଥକ, ଭାରତନାଟ୍ୟମ୍‍ ଓ ମୋହିନୀଆଟ୍ଟମ ନୃତ୍ୟର ଫ୍ୟୁଜନ ସହିତ ମୟୁରଭଞ୍ଜ ଛଉ ନୃତ୍ୟ ।

ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ, କଥକ, ଭାରତନାଟ୍ୟମ୍‍ ଏବଂ ମୋହିନୀଆଟ୍ଟମର ମିଶ୍ରଣ ଯାହା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଖାନକ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ପରଫର୍ମିଂ ଆର୍ଟସ୍‍, ପବିତ୍ର ଆର୍ଟ ଭିଜୁଆଲ୍‍ ଇନଷ୍ଟିଚ୍ୟୁଟ୍‍ ଏବଂ ଇଣ୍ଟରନ୍ୟାସନାଲ୍‍ ଏକାଡ଼େମୀ ଅଫ୍‍ ମୋହିନୀଆଟ୍ଟମ୍‍ ଦ୍ୱାରା ପରିବେଷିତ ହୋଇଥିଲା । ସେମାନଙ୍କର ପ୍ରଥମ ଉପସ୍ଥାପନ ଥିଲା ଗଣେଶ ବନ୍ଦନା ଏବଂ ପରେ ପରେ ଶ୍ରୀ କୃଷ୍ଣ ଶରଣମ୍‍ ନମଃ – କୃଷ୍ଣଙ୍କ ଜୀବନର ଯାତ୍ରା।

ଏହି ପ୍ରସ୍ତୁତି ଏକ ମିଶ୍ରିତ ସୃଜନଶୀଳ ନୃତ୍ୟ ଥିଲା ଯେଉଁଥିରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଓଡ଼ିଶୀ, ବାଙ୍ଗାଲୋରର କର୍ଣ୍ଣୁକୋପିଆ କ୍ରିଏସନ୍ସ ଦ୍ୱାରା ସମସାମୟିକ ନୃତ୍ୟ, ଦିଲ୍ଲୀର ଇଣ୍ଟରନ୍ୟାସନାଲ ଏକାଡ଼େମୀ ଅଫ୍‍ ମୋହିନୀଆଟ୍ଟମ୍‍ ଦ୍ୱାରା ମୋହିନୀଆଟ୍ଟମ୍‍, ମୁମ୍ବାଇର ପବିତ୍ର ଆର୍ଟ ଭିଜୁଆଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଦ୍ୱାରା ଭାରତନାଟ୍ୟମ୍‍, ଦିଲ୍ଲୀର ଖାନକ ଇନଷ୍ଟିଚ୍ୟୁଟ୍‍ ଅଫ ପରଫର୍ମି ଆର୍ଟସ୍‍ ଦ୍ୱାରା କଥକ ନୃତ୍ୟ ସାମିଲ ଥିଲା ।

ପଦ୍ମଶ୍ରୀ ଡ଼କ୍ଟର ଅରୁଣା ମହାନ୍ତିଙ୍କ ଦ୍ୱାରା ସଂଗୃହିତ ଓ ପରିକଳ୍ପିତ ଏହି କାର୍ଯ୍ୟକ୍ରମଟିର ଓଡ଼ିଶୀ ନୃତ୍ୟ ସଂରଚନା ନିଜେ ଗୁରୁ ଅରୁଣା ମହାନ୍ତି କରିଥିଲା ବେଳେ ଜନାର୍ଦ୍ଦନ ରାଜ ଉର୍ସଙ୍କ ଦ୍ୱାରା ସମସାମୟିକ ନୃତ୍ୟ, ଜୟପ୍ରଭା ମେନନ୍‍ଙ୍କ ଦ୍ୱାରା ମୋହିନୀଆଟ୍ଟମ୍‍ ନୃତ୍ୟ, ପବିତ୍ର ଭଟ୍‍ଙ୍କ ଦ୍ୱାରା ଭାରତନାଟ୍ୟମ୍‍ ନୃତ୍ୟ ଏବଂ ମୋନିସା ନାୟକଙ୍କ ଦ୍ୱାରା କଥକ ନୃତ୍ୟ ସଂରଚନା କରାଯାଇଥିଲା । ଏହି ପରିବେଷଣଟି ଅତ୍ୟନ୍ତ ଚିତାକର୍ଷକ ଓ ମୋନଜ୍ଞ ଥିଲା ଯାହା ଦର୍ଶକଙ୍କୁ ବେଶ୍‍ ଆନନ୍ଦ ପ୍ରଦାନ କରିଥିଲା ।

ଉଦ୍‍ଯାପନୀ ସଂଧ୍ୟାର ଅନ୍ତିମ ଉପସ୍ଥାପନା ଥିଲା ମୟୁର କଳା କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ମୟୁରଭଞ୍ଜ ଛଉ ନୃତ୍ୟ । ସେମାନଙ୍କ ପ୍ରସ୍ତୁତିରେ ଥିଲା ସୁମ୍ଭ – ନିସୁମ୍ଭ ବଧ। ଉଭୟ ଅସୁର ଭାଇ ଶକ୍ତିଶାଳୀ ଏବଂ ସ୍ୱର୍ଗର ଦେବତାମାନଙ୍କୁ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଟ ହୋଇ ଦେବତାମାନେ କୌଶିକି ରୂପରେ ଆବିର୍ଭୁତ ହୋଇଥିବା ଦିବ୍ୟ ମାତାଙ୍କୁ ପ୍ରାର୍ଥନା କରିଥିଲେ ଏବଂ ପରେ ସମସ୍ତ ଦେବତାଙ୍କ ଶକ୍ତି ସହିତ ଆଶୀର୍ବାଦ ପାଇ ହିମବନ୍ତ ପର୍ବତରେ ଜଣେ ସୁନ୍ଦରୀ ମହିଳାଙ୍କ ରୂପରେ ଉପସ୍ଥିତ ହେଲେ ।

ତାହା ଜାଣି ସୁମ୍ଭ ତାଙ୍କ ଅସୁର ଦାସମାନଙ୍କୁ ତାଙ୍କୁ ଆଣିବାକୁ ପଠାଇଥିଲେ କିନ୍ତୁ ଦେବୀଙ୍କ ଦ୍ୱାରା ସେମାନଙ୍କୁ ବଧ କରାଯାଇଥିଲା। ପରେ ସୁମ୍ଭ ଓ ନିସୁମ୍ଭ ଦେବୀ କୌଶିକି (ମହାସରସ୍ୱତୀ)ଙ୍କ ସହିତ ଯୁଦ୍ଧ କରିଥିଲେ କିନ୍ତୁ ଦେବୀ ମାତାଙ୍କ ଦ୍ୱାରା ସେମାନଙ୍କୁ ବଧ କରାଯାଇଥିଲା । ଦେବତାମାନେ ସ୍ୱର୍ଗରୁ ଆନନ୍ଦରେ ଫୁଲ ବୃଷ୍ଟି କରିଥିଲେ । ଉକ୍ତ ପ୍ରସ୍ତୁତିଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅଚିନ୍ତ୍ୟ କୁମାର ବେହେରା।

ଉଦ୍‍ଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ (ପ୍ରଫେସର) ପ୍ରିୟମ୍ବଦା ମହାନ୍ତି ହେଜମାଦି; ବିଶିଷ୍ଟ କଳା ସମିକ୍ଷକ ଡ଼କ୍ଟର ଲୀଲା ଭେଙ୍କଟରମଣ; ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ; ସମାଜସେବୀ ଶ୍ରୀମତୀ ସୁମିତ୍ରା ଜେନା ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ (ଡ଼କ୍ଟର) ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡଃ. ଶ୍ରୀନିବାସ ଘଟୁଆରୀ ଏବଂ ଡଃ. ନାଜିଆ ଆଲାମ । ଏହି ଧଉଳୀ କଳିଙ୍ଗ ମହୋତ୍ସବ ସବୁଦିନର ନୃତ୍ୟ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ଆଲୋକ ପରିଚାଳନା କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲିଠାରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ, ଗୁରୁ ରାମହରି ଦାସଙ୍କୁ ଏଥର ବୁଦ୍ଧ ସମ୍ମାନ

ଭୁବନେଶ୍ବର: ଓଡିଶା ସରକାର, ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ। ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି।

ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ। ଏହି ପରିପ୍ରେକ୍ଷିରେ ଆସନ୍ତା ଫେବୃୟାରୀ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ।

ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ। ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି  ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥାନ୍ତି।

ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ  ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା  ପ୍ରେରଣ କରିଥାଏ।

ଏହି ଉତ୍ସବର ଆଉ ଏକ ପ୍ରମୁଖ ଲକ୍ଷ ହେଲା ଦେଶର ଯୁବକ ସମାଜ  ବିଶେଷ କରି ଛାତ୍ର ଓ ଛାତ୍ରୀ ମାନଙ୍କୁ  ଭାରତୀୟ ସଂସ୍କୃତିର ମହାନ ଗୌରବୋଜ୍ଜ୍ଵଳ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ  କରାଇବା ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯାଉଅଛି।

ବୁଦ୍ଧ ସମ୍ମାନ :

ଏହି ସମ୍ମାନଟି ଦୀର୍ଘ ୧୫ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରା ଯାଉଅଛି।  ପ୍ରତି ବର୍ଷ ଜଣେ  ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୨ଲକ୍ଷ ଟଙ୍କା ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ଓଡିଶା ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ଵର ଦ୍ଵାରା ପ୍ରଦତ୍ତ।  ଚଳିତ ବର୍ଷର ସମ୍ମାନ ପାଉଛନ୍ତି ବିଶିଷ୍ଟ ଓଡିଶୀ ସଂଗୀତଜ୍ଞ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ରାମହରି ଦାସ

ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ :

ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା  ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାଇତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଉଛି ।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ ଗୁରୁ ଶ୍ରୀମତି ଶର୍ମିଳା ବିଶ୍ଵାସ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା; ଗୁରୁ ଡ. ସଂଗୀତା ଗୋସାଇଁ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ ଓଡିଶୀ କଣ୍ଠଶିଳ୍ପୀ; ଗୁରୁ ଶ୍ରୀ କାଳନ୍ଦୀ ଚରଣ ପରିଡା, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଓ ଖ୍ୟାତି ସମ୍ପନ୍ନ ଓଡିଶୀ ମର୍ଦ୍ଦଳଗୁରୁ ଏବଂ ଶ୍ରୀ କ୍ଷୀରୋଦ ମୋହନ ପଟ୍ଟନାୟକ, କଳା ପ୍ରୋତ୍ସାହକ । ଏହି ପୁରସ୍କାର  ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ଧଉଳି କଳିଙ୍ଗ ମହୋତ୍ସବ, ଦିଆଯିବ ବୁଦ୍ଧ ସମ୍ମାନ

ଭୁବନେଶ୍ବର: ଚଳିତ ବର୍ଷ ଧଉଳି କଳିଙ୍ଗ ମହୋତ୍ସବ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଏହି ଉତ୍ସବ ପ୍ରସିଦ୍ଧ ଧଉଳି ପାଦଦେଶରେ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଓଡିଶା ଡ୍ୟାନସ ଏକାଡେମୀ, ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଆର୍ଟ ଭିଜନର ମିଳିତ ସହଯୋଗରେ ଆୟୋଜିତ ହେଉଛି।

ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ହେଲେ ମହାମାରୀ କାରୋନା କଟକଣା ଯୋଗୁ ଏହି ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଅଛି । ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ  ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା  ପ୍ରେରଣ କରିଥାଏ ।

ଏହି ଉତ୍ସବର ଏକ ପ୍ରମୁଖ ଲକ୍ଷ୍ୟ ହେଲା ଦେଶର ଯୁବକ ସମାଜ  ବିଶେଷ କରି ଛାତ୍ର ଓ ଛାତ୍ରୀ ମାନଙ୍କୁ  ଭାରତୀୟ ସଂସ୍କୃତିର ମହାନ ଗୌରବୋଜ୍ଜ୍ଵଳ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ  କରାଇବା ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷମାନଙ୍କୁ ପ୍ରଦାନ କରାଯାଉଅଛି।

ବୁଦ୍ଧ ସମ୍ମାନ :

ଏହି ସମ୍ମାନଟି ଦୀର୍ଘ ୧୫ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରା ଯାଉଅଛି ।  ପ୍ରତି ବର୍ଷ ଜଣେ  ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷର ସମ୍ମାନ ପାଉଛନ୍ତି ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଓ ପୂର୍ବତନ କୁଳପତି ପ୍ରଫେସର  ଶୀମତୀ ପ୍ରିୟମ୍ବଦା ମହାନ୍ତି ।

ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ :

ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା  ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାଇତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଉଛି ।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ ଗୁରୁ ଶ୍ରୀ ଦୂର୍ଗାଚରଣ ରଣବୀର, ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟଗୁରୁ; ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ, ପ୍ରଥିତଯଶା ସଙ୍ଗୀତଜ୍ଞ; ଶ୍ରୀ ନିତ୍ୟାନନ୍ଦ ମିଶ୍ର , ବିଶିଷ୍ଟ ସଂସ୍କୃତ ବିଷାରଦ ଓ କବି ଏବଂ ସୁଦୂର ଆମେରିକାରେ ଓଡିଶୀକୁ ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିବା ଶ୍ରୀ ସୋମଦତ୍ତ ବେହୁରା । ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଶେଷ ହେଲା ଶାନ୍ତି ସ୍ତୁପ ଧଉଳିଠାରେ ଚାଲିଥିବା ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ବର, ଶାନ୍ତି ସ୍ତୁପ ଧଉଳିଠାରେ ଚାଲିଥିବା ତିନିଦିନିଆ ଧଉଳି କଳିଙ୍ଗ ମହୋତ୍ସବ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଏହି ଉତ୍ସବ ଦୀର୍ଘ ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଶେଷ ସଂଧ୍ୟାରେ ପରିବେଷଣ ହୋଇଥିଲା ଓଡିଶୀ ସହିତ କୁଚୁପୁଡି ଏବଂ ଛଉ ନୃତ୍ୟ।

ପ୍ରଥମେ ଭୁବନେଶ୍ବରର ନୈବେଦ୍ୟ ଅନୁଷ୍ଠାନର କଳାକାରମାନେ ଓଡିଶାର ବାରମାସରେ ତେର ପର୍ବକୁ ଓଡିଶୀ ନୃତ୍ୟରେ ନୃତ୍ୟାୟନ କରିଥିଲେ। ଏହା ପାରଂପାରିକ ସଂଗୀତ ସହିତ ଓଡିଶୀ ନୃତ୍ୟର ଏକ ସମିଶ୍ରଣ ଧାରା ଥିଲା। ଦ୍ବିତୀୟ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କୁଚୁପୁଡି ନୃତ୍ୟାଙ୍ଗନା ବୈଜୟନ୍ତ କାଶୀ ଏବଂ ତାଙ୍କର ସାଥୀମାନେ କୁଚୁପୁଡି ପରିବେଷଣ କରିଥିଲେ।

ସେହିପରି ଅନୁଗୁଳର ଓଡିଶୀ ନୃତ୍ୟାନୁଷ୍ଠାନ ନୃତ୍ୟ ନିଳୟର କଳାକାରମାନେ ପରିବେଷଣ କରିଥିଲେ ଓଡିଶୀ ନୃତ୍ୟ। ଗୁରୁ ସ୍ବପ୍ନାରାଣୀ ସିହ୍ନାଙ୍କ ନୃତ୍ୟ ନିର୍ଦ୍ଦେଶନାରେ କଳାକାରମାନେ ଭିନ୍ନଭିନ୍ନ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଶେଷରେ ନୂଆଦିଲ୍ଲୀର କଳାକାରମାନେ ପରିବେଷଣ କରିଥିଲେ ଷଢେଇକଳା ଛଉ ନୃତ୍ୟ। ଶଷଧର ଆଚାର୍ଯ୍ୟ ଏବଂ ସାଥୀମାନଙ୍କ ଏହି ନୃତ୍ୟ ଶୈଳୀ ବେଶ୍ ଆକର୍ଷଣୀୟ ହୋଇଥିଲା।

ଶେଷ ସଂଧ୍ୟାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସୀତ ତ୍ରିପାଠୀ, ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ରାମଚନ୍ଦ୍ର ଯାଦବ ଯୋଗଦେଇଥିଲେ। ଏଥିସହିତ ଉତ୍ସବର ଆୟୋଜକ ତଥା ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତି ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଇଲିୟାନା ସୀତାରିଷ୍ଟ ମଧ୍ୟ ଉପସ୍ଥିତ ଥିଲେ।