Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବୃଦ୍ଧି ପାଇଲା ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକଙ୍କ ପାରିତୋଷିକ

ଭୁବନେଶ୍ୱର :  ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧିନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୬ଟି ମାଧ୍ୟମିକ ବିଦ୍ୟାଳୟ ଏବଂ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧ଟି ବିଭାଗ ରହିଛି।

ସେଗୁଡିକ ହେଲା କୃଷି, ଖାଦ୍ୟ ପ୍ରକିୟାକରଣ, ମୋଟରଯାନ, ପୋଷାକ, ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ନିର୍ମାଣ, ପାଇପ୍‌ ମିସ୍ତ୍ରୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖୁଚୁରା ବ୍ୟବସାୟ ପରିଚାଳନା, ଇଲେକ୍‌ଟ୍ରୋନିକ୍ସ ଓ ହାର୍ଡେୱୟାରରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ବିଦ୍ୟାଳୟଗୁଡ଼ିକରେ ୧୯୨୨ ଜଣ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଏବଂ ୬୪ ଜଣ ସଂଯୋଜକ ଓ ସଂଯୋଜିକା କାର୍ଯ୍ୟରତ ଅଛନ୍ତି।

ଚଳିତ ବର୍ଷ ଉଭୟ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଓ ସଂଯୋଜକ ଓ ସଂଯୋଜିକାମାନଙ୍କର ପାରିତୋଷିକ ବୃଦ୍ଧି ନିମନ୍ତେ ଦିଆଯାଇଥିବା ପ୍ରସ୍ତାବଟି ସମଗ୍ର ଶିକ୍ଷାର ପିଏବି ୨୦୨୨-୨୩ରେ ଅନୁମୋଦନ କରାଯାଇଛି । ତଦନୁଯାୟୀ ରାଜ୍ୟ ସରକାର ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକାମାନଙ୍କର ମାସିକ ପାରିତୋଷିକ ଟ. ୧୫,୦୫୦/-ରୁ ଟ. ୨୦,୦୦୦/-କୁ ବୃଦ୍ଧି କରିଛନ୍ତି।

ସେହିପରି ସଂଯୋଜକ ଓ ସଂଯୋଜିକାମାନଙ୍କର ପାରିତୋଷିକ ମାସିକ ଟ. ୨୫,୦୦୦/-ରୁ ଟ. ୩୦,୦୦୦/-କୁ ବୃଦ୍ଧି କରାଯାଇଛି। ଏହି ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କର ପାରିତୋଷିକ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ୨୦୨୨ ଅପ୍ରେଲ ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି।