Categories
ବିଶେଷ ଖବର

ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପରୋକ୍ଷରେ ଦାୟୀ କରୁଛନ୍ତି ବିଜେପି ନେତା: ବିଜେଡ଼ି

ଭୁବନେଶ୍ୱର: ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ବୋଧହୁଏ ଆଜିକାଲି ସେମାନେ ଘରେ ବସି ଅଧିକ ବଲିଉଡ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଛନ୍ତି ଏବଂ ଏହାର ପ୍ରଭାବରେ ମନଗଢ଼ା କାହାଣୀ ତିଆରି କରି ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ଗପୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ପୀତାମ୍ବର ଆଚାର‌୍ୟ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ତାଙ୍କୁ ଏମିତି କଟାକ୍ଷ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ. ମହାନ୍ତି କହିଛନ୍ତି ଯେ, ଆଜି ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି। ସେମାନେ ସମ୍ଭବତଃ ଜାଣି ନାହାନ୍ତି ଯେ ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ। ଆଜିର ସାମ୍ବାଦିକ ସମ୍ମିଳନୀ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। କାରଣ ୨୦୦୦ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ମିଳିତ ସରକାରରେ ଆଇନ ମନ୍ତ୍ରୀ ଥିବା ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେପି ପରୋକ୍ଷରେ ଦାୟୀ କରିଛି।

ଡ. ମହାନ୍ତି ଆହୁରି କହିଛନ୍ତି, ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି। ଓଡ଼ିଶାରେ ସ୍ୱାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ। ମାତ୍ର ସେପରି ନ କରି ସେମାନେ ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି। ସେମାନେ ମନେ ରଖିବା ଉଚିତ ଯେ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସଵ ଓ ପ୍ରତିଯୋଗିତା

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡିଶାର ପରମ୍ପରା ଓ ଧର୍ମୀୟ ଭାବନା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଉତ୍କଳର ପ୍ରାଚୀନ ଗାରିମାମୟ ନୌବାଣିଜ୍ୟ ଇତିହାସ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟତା ରହିଛି। ଏହାକୁ ସାଧାରଣତଃ ଓଡ଼ିଶାର ପୁରପଲ୍ଲୀରେ ଧର୍ମ ମାସ ହିସାବରେ ବିବେଚନା କରାଯାଏ। ଏହି ପର୍ବ ସହିତ ଓଡ଼ିଶାର ନିଜସ୍ୱ ଚାଲି ଚଳଣୀ ଓ ପାରମ୍ପରିକ ଆଚାର ବିଚାର ଯୋଡି ହୋଇ ରହିଛି ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା ସହ ଜଡିତ ପାରମ୍ପରିକ ସଂସ୍କୃତିର ପ୍ରଚାର ପ୍ରସାର ତଥା ଲୋକକଳାକୁ ରୁଦ୍ଧିମନ୍ତ କରିବା ପାଇଁ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ୩୦ ଗୋଟି ଜିଲ୍ଲାରେ ଥିବା ଲୋକକଳା ଗ୍ରାମ ସହିତ ଭୁବନେଶ୍ୱର, ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଝୋଟି ଚିତା, ହୁଳହୁଳି, ଡ଼ଙ୍ଗା ଭସାଣି, ଲକ୍ଷ୍ମୀ ପୁରାଣ ଓ ଭାଗବତ ପଠନ ଏବଂ ପିଠାପଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ମହୋତ୍ସଵ ଓ ପ୍ରତିଯୋଗିତାରେ ମହିଳା ମାନେ ଅତି ଉତ୍ସାହର ସହ ଭାଗ ନେଇଥିଲେ। ଝୋଟି ଚିତାରେ ୧୭୩, ପିଠାପଣାରେ ୩୦, ଲକ୍ଷ୍ମୀପୁରାଣ ପଠନରେ ୧୬ ଓ ହୁଳହୁଳି ପ୍ରତିଯୋଗିତାରେ ୪୫ ଜଣ ମହିଳା ଭାଗ ନେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗ ପରାମର୍ଶଦାତା ସୁଲତା ଦେଓ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସ୍ୱତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ସଂଘ ଉପସଭାପତି ଅବନୀ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ନିଜ ବକ୍ତବ୍ୟରେ ନିର୍ଦ୍ଦେଶକ ଶ୍ରୀ ଦାସ ଓଡ଼ିଆ ପରମ୍ପରାକୁ ଜଜ୍ଜୀବିତ ରଖିବା ଲାଗି ରାଜ୍ୟ ସରକାର ନେଉଥିବା ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ। ଓଡ଼ିଆ ଜାତିର ପରିଚାୟକ ବିଭିନ୍ନ ପ୍ରତିଯୋଗିତାରେ ଅତି ଉତ୍ସାହର ସହ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମା’ ଓ ଭଉଣୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କଳାକ୍ଷେତ୍ର ସାଂସ୍କୃତିକ କେନ୍ଦ୍ର ଏବଂ ହେଲ୍ପମେଟ ମହିଳା ସଂଘଙ୍କ ସହଭାଗିତାରେ ଆୟୋଜନ କରାଯାଇଥିଲା। ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।