ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପରୋକ୍ଷରେ ଦାୟୀ କରୁଛନ୍ତି ବିଜେପି ନେତା: ବିଜେଡ଼ି

Published: Apr 27, 2023, 6:36 pm IST

ଭୁବନେଶ୍ୱର: ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ବୋଧହୁଏ ଆଜିକାଲି ସେମାନେ ଘରେ ବସି ଅଧିକ ବଲିଉଡ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଛନ୍ତି ଏବଂ ଏହାର ପ୍ରଭାବରେ ମନଗଢ଼ା କାହାଣୀ ତିଆରି କରି ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ଗପୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ପୀତାମ୍ବର ଆଚାର‌୍ୟ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ତାଙ୍କୁ ଏମିତି କଟାକ୍ଷ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ. ମହାନ୍ତି କହିଛନ୍ତି ଯେ, ଆଜି ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି। ସେମାନେ ସମ୍ଭବତଃ ଜାଣି ନାହାନ୍ତି ଯେ ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ। ଆଜିର ସାମ୍ବାଦିକ ସମ୍ମିଳନୀ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। କାରଣ ୨୦୦୦ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ମିଳିତ ସରକାରରେ ଆଇନ ମନ୍ତ୍ରୀ ଥିବା ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେପି ପରୋକ୍ଷରେ ଦାୟୀ କରିଛି।

ଡ. ମହାନ୍ତି ଆହୁରି କହିଛନ୍ତି, ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି। ଓଡ଼ିଶାରେ ସ୍ୱାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ। ମାତ୍ର ସେପରି ନ କରି ସେମାନେ ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି। ସେମାନେ ମନେ ରଖିବା ଉଚିତ ଯେ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

Related posts