Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଲୋକସଭା ନିର୍ବାଚନ ପାଇଁ ଦୁଇ ଦୁଇଟି ଆସନରେ ରୁମାଲ ପକାଇ ରଖିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଚାଷୀମାନେ ଧାନବୁଣିବା ପାଇଁ ପାଗ ଖୋଜୁଥିବା ବେଳେ ଏବଂ ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନେ ଆସନ ଖୋଜିବାରେ ଲାଗିଛନ୍ତି। କେଉଁ ଆସନରେ ଜିତିବା ସୁବିଧା ହେବ ସେ ନେଇ ଚାଲିଛି ଆଶାୟୀ ନେତାଙ୍କର ଅଙ୍କକଷା। ସେହିପରି ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଦୁଇ ଦୁଇଟି ଆସନକୁ ହାତରେ ରଖି ପ୍ରଚାର କରିବାର ଲାଗିଛନ୍ତି।

ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ। ଧର୍ମେନ୍ଦ୍ର ବହୁ ପୂର୍ବରୁ ଢେଙ୍କାନାଳରୁ ଛିଡା ହେବା ପାଇଁ ସେଠାରେ ଟେଣ୍ଟ ପକାଇ ବସିରହିଥିଲେ। ହେଲେ କଣ ହେଲା କେଜାଣି ସେ ସେଠାରୁ ମୁହଁ ଫେରାଇ ସମ୍ବଲପୁର ଆସନ ଆଡକୁ ମୁହାଁଛନ୍ତି। ତେବେ ଶୁଣିବା କଥା ଯେ, ଆରଏସଏସ ସର୍ଭେ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର କୁଆଡେ ଢେଙ୍କାନାଳରୁ ହାରିବା ସମ୍ଭାବନା ରହିଛି।

ସେଥିପାଇଁ ସେହି ରିପୋର୍ଟ ଆଧାରରେ ବର୍ତ୍ତମାନ ଧର୍ମେନ୍ଦ୍ର ଢେଙ୍କାନାଳ ଛାଡି ସମ୍ବଲପୁରରେ ନିଜର କ୍ୟାମ୍ପ ପକାଇଛନ୍ତି। ସେ ସେହି ଅଞ୍ଚଳ ଛାଡିବାର ନାଁ ଧରୁ ନାହାଁନ୍ତି। ତେବେ ସେ ଢେଙ୍କାନାଳ ଆସନକୁ ସଂପୂର୍ଣ୍ଣ ପରିତ୍ୟାଗ ମଧ୍ୟ କରିନାହାଁନ୍ତି। ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଆସନକୁ ହାତରେ ରଖି ଗୋଟିଚାଳନା କରିବାରେ ଲାଗିଛନ୍ତି। କାରଣ ଦଳ କେତେବେଳେ କଣ ନିଷ୍ପତି ନେବ ତାହା କହି ହେବ ନାହିଁ।

ସେହିପରି ଅନ୍ୟତମ ଟାଣୁଆ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଓଡିଶାରୁ ଲୋକସଭା ପାଇଁ ଛିଡା ହେବେ ବୋଲି ସ୍ପଷ୍ଟ ହୋଇଗଲାଣି। ତେଣୁ ସେ ମଧ୍ୟ ଦୁଇଟି ଆସନରେ ରୁମାଲ ପକାଇ ରଖିଛନ୍ତି। ଗୋଟିଏ ହେଲା ବାଲେଶ୍ବର ଏବଂ ଅନ୍ୟଟି ହେଲା କଟକ ଲୋକସଭା। ଏହି ଦୁଇ ଆସନର ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇ ପ୍ରଚାର କରିବାରେ ଲାଗିଛନ୍ତି।

ବର୍ତ୍ତମାନ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଲୋକସଭା ନିର୍ବାଚନ ନ ଲଢି ବିଧାନସଭାରେ ଛିଡା ହେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ବାଲେଶ୍ବରରେ ଦଳ ଜଣେ ନୂଆ ପ୍ରାର୍ଥୀ ଦେବ। ସେହିପରି କଟକ ଆସନରେ ପୂର୍ବରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରକାଶ ମିଶ୍ର ଆଉ ପ୍ରତିଦ୍ବନ୍ଦିତା କରିବେ ନାହିଁ। ସେ ମଧ୍ୟ ଦଳରେ ସକ୍ରିୟ ନାହାଁନ୍ତି। ସେଠାରେ ମଧ୍ୟ ଦଳ ଆଉ ଜଣଙ୍କୁ ଟିକେଟ ଦେବ।

ସେଥିପାଇଁ ଉଭୟ ଆସନରେ ଅଶ୍ବିନୀଙ୍କ ପାଇଁ ସୁରକ୍ଷିତ ଆସନ ବୋଲି ଦଳ ଭାବି ନେଇଛି। ତେବେ ତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଆସନ କେଉଁଟି ହେବେ ତାହା ଦଳ ସ୍ଥିର କରିବ। ହେଲେ ତା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉଭୟ ଆସନରେ ନିଜର ଲୋକସଂପର୍କ ବଢାଇବାରେ ଲାଗିଛନ୍ତି।

ତେବେ ଯାହା ଜଣାପଡୁଛି ଅଶ୍ବିନୀଙ୍କ ପାଇଁ ଉଭୟ କଟକ ବା ବାଲେଶ୍ବର କୌଣସି ଅସୁବିଧା ହେବ ନାହିଁ। ହେଲେ ଧର୍ମେନ୍ଦ୍ରଙ୍କ ପାଇଁ ଓଡିଶାର କୌଣସି ଆସନ ସୁରକ୍ଷିତ ନୁହେଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଲେ ପ୍ରଣବ; କହିଲେ ଉତ୍ତର ଦିଅ, କ୍ରୋଧାନ୍ୱିତ ହୁଅ ନାହିଁ

ଭୁବନେଶ୍ୱର: ବିଜୁଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଜବାବ ଦେଇଛନ୍ତି। ଟୁଇଟ୍‍ କରି ପ୍ରଣବ ସିଧା ଧର୍ମେନ୍ଦ୍ରଙ୍କୁ ନିଶାଣ କରିବା ସହିତ ତାଙ୍କ ଅପାରଗତା ନେଇ ଆଇନା ବି ଦେଖାଇଛନ୍ତି।

ପ୍ରଣବ ସିଧା କହିଛନ୍ତି ଯେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ଅପାରଗତାର ଆଇନା ଦେଖାଇଲେ ସେ ଚିଡି ଯାଉଛନ୍ତି। ପ୍ରଶ୍ନ ପଚାରିଲେ ସେ ଜୋରରେ ରାଗି ଯିବା ସହିତ ତାଙ୍କ ରକ୍ତଚାପ ବଢି ଯାଉଛି। ତେଣୁ ଚିଡିଚିଡା ହୋଇ ବଢୁଥିବା ରକ୍ତଚାପକୁ କମାଇବା ପାଇଁ ପୂର୍ବଭଳି ନିୟମିତ ଯୋଗ କରିବାକୁ ବବି ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି।

ଟୁଇଟ୍‍ କରି ପ୍ରଣବ କହିଛନ୍ତି ଯେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜମାଟି ପାଇଁ ଗୋଟେ ନୂଆ ବିଶ୍ୱବିଦ୍ୟାଳୟ କରିବା ତ ଦୂରର କଥା, ନିଜ ଜିଲ୍ଲା ଅନୁଗୁଳ କିମ୍ବା ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହାର ନବୋଦୟ ବିଦ୍ୟାଳୟଟିଏ କରିପାରି ନାହାନ୍ତି। ସେହିଭଳି ଦକ୍ଷତା ବିକାଶ କେନ୍ଦ୍ରଟିଏ ବି ସ୍ଥାପନ କରିପାରି ନାହାନ୍ତି।

କେବଳ ସେତିକି ନୁହେଁ ନିଜ ଟୁଇଟ୍‍ରେ ପ୍ରଣବ ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ସଂକ୍ରାନ୍ତରେ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ରାଜପଥ କାର୍ଯ୍ୟ ୧୦ ବର୍ଷ ହେଲା ସରିପାରୁନାହିଁ। ଯାହା ଖବର ମିଳୁଛି ଶ୍ରୀ ପ୍ରଧାନ ଏବେ ଖାଲଖମା ଯୋଗୁଁ ଜାତୀୟ ରାଜପଥ ବଦଳରେ ରାଜ୍ୟ ରାଜପଥରେ ଯିବାକୁ ଅଧିକ ଭରସା କରୁଛନ୍ତି।

ସେହି ଭଳି କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ନିଜ ଜିଲ୍ଲା ପାଇଁ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ କରାଇଥିଲେ ସେ ସଂକ୍ରାନ୍ତରେ ପ୍ରଣବ ତାଙ୍କ ଟୁଇଟ୍‍ରେ ମନେ ପକାଇ ଦେଇଛନ୍ତି।

ଏଥି ସହିତ ଏଭଳି ପ୍ରଶ୍ନ ଶୁଣି ରାଗିବା ଯୋଗୁଁ କି ଭଳି ଧର୍ମେନ୍ଦ୍ରଙ୍କ ରକ୍ତଚାପ ବଢିଯାଇଛି ତାହା ଉଲ୍ଲେଖ କରିବା ସହିତ ଆର୍ନ୍ତଜାତୀୟ ଯୋଗ ଦିବସରେ ଯେ ଭଳି ଯୋଗ କରୁଥିଲେ ଅନୁରୂପ ଭାବେ ନିୟମିତ ଯୋଗ ଜାରି ରଖିବାକୁ ପ୍ରଣବ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର :  କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସ୍‌ମିଟ୍‌ କରିଛନ୍ତି । ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂଆ ଆଇନରେ ଉତ୍ପାଦନ, ଷ୍ଟୋରେଜ୍‌ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ । ସତୁରୀ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ । ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ । ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମ୍‌ଏସ୍‌ପି ବନ୍ଦ ହେବନି । କୃଷି ଭିତ୍ତିଭୂମିର ବିକାଶ ପାଇଁ 1 ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମାତ୍ର 26ଟି ସାମଗ୍ରୀ ଉପରେ ଏମ୍‌ଏସ୍‌ପି ବ୍ୟବସ୍ଥା ରହିଛି । ଯେଉଁ ସାମଗ୍ରୀ ପାଇଁ ଏମ୍‌ଏସ୍‌ପି ନାହିଁ, ସେସବୁ ପାଇଁ ବି ବଜାର ଦରକାର । ଏଥିପାଇଁ ସରକାର କୃଷି ଆଇନରେ ସଂସ୍କାର ଆଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଉତ୍ପାଦନ ବଢାଇବା ପାଇଁ କଣ୍ଟାକ୍ଟ୍ର ଫାର୍ମିଂକୁ ନୀତିଗତ କରାଯାଇଛି ।

ଅପରପକ୍ଷରେ ଧର୍ମେନ୍ଦ୍ର ମନ୍ତବ୍ୟରେ ବିଜେଡି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ଯଦି ନୂତନ କୃଷି ଆଇନରେ ଏମଏସପି ନେଇ ପ୍ରତିଶ୍ରୁତି ଥାଆନ୍ତା ତେବେ କାହା ମନରେ ସନ୍ଦେହ ଉଠିନଥାନ୍ତା । ଆଇନରେ ଏମ୍‌ଏସ୍‌ପି ନେଇ କିଛି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ଅପରପକ୍ଷରେ ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଯାହା କହୁଛନ୍ତି, ଆଂଶିକ ସତ କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ । ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡବଡ କର୍ପୋରେଟ୍‌ ମଧ୍ୟସ୍ଥି ଆସିବେ ବୋଲି କହିଛନ୍ତି ପ୍ରତାପ ଦେବ । କଣ୍ଟ୍ରାକ୍ଟ ଫାର୍ମିଂରେ ବଡ ବଡ କର୍ପୋରେଟ୍‌ ସଂସ୍ଥା ଲାଭବାନ ହେବେ ବୋଲି କହିଛନ୍ତି ପ୍ରତାପ ଦେବ ।

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କଲେ ରାଜ୍ୟପାଳ ଗଣେଶୀ ଲାଲ

ସମୀକ୍ଷା ବ୍ୟୁରୋ

ବଲାଙ୍ଗୀର: ଉପରାଷ୍ଟ୍ରପତିଙ୍କ ବଲାଙ୍ଗିର ଗସ୍ତ ବାତିଲ ହେବା ପରେ ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଟେଲି କନ୍‌ଫରେନସିଂ ଜରିଆରେ ଉପରାଷ୍ଟ୍ରପତି ଉଦ୍‌ବୋଧନ ଦେଇଛନ୍ତି। ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରି ମୁଁ ବହୁତ ଖୁସି  ବୋଲି କହିଛନ୍ତି। ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିଲା । ଖରାପ ପାଗ ଯୋଗୁଁ ତାଙ୍କ ଗସ୍ତ ବାତିଲ ହୋଇଛି। ତେବେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଥୱର ଚାନ୍ଦ ଏବଂ ମନ୍ତ୍ରୀ ଅରୁଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ୧୯ ମାସରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ନିର୍ମିତ ହୋଇଛି। ବଟଲିଂ ପ୍ଲାଣ୍ଟରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି। ଏହି ପ୍ଲାଣ୍ଟ ଦ୍ଵାରା ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ଉପକୃତ ହେବେ।

Categories
ବିଶେଷ ଖବର

ଏକ ଟଙ୍କାରେ ଡାଲି, ଚାଉଳ ଓ ଲୁଣର କଥା, ପ୍ରାୟ ଦଶନ୍ଧି ଧରି ଜାରି ରହିଥିବା ଏକ ରାଜନୈତିକ ଚର୍ଚ୍ଚା

ଜିତେନ୍ଦ୍ର ରଥ

ଏପ୍ରିଲ ତେର ତାରିଖରେ କଟକର ଚୌଦ୍ବାର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡିଶାରେ କ୍ଷମତାକୁ ଆସିଲେ ରାଜ୍ୟ ବାସୀଙ୍କୁ ଏକ ଟଙ୍କାରେ ପାଞ୍ଚ କିଲୋ ଚାଉଳ ସହ ଅଧ କିଲୋ ଡାଲି ଓ ପ୍ରାୟ ସମାନ ପରିମାଣର ଲୁଣ ଯୋଗାଇଦେବ ବୋଲି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ – ୨୦୧୩ ଅନ୍ତର୍ଗତ ପ୍ରାୟ ୩.୨୬ କୋଟି ଲୋକ ଏହି ସୁବିଧା ପାଇବେ ବୋଲି ଏହି ସଭାରେ ଘୋଷଣା କରାଯାଇଛି। ପରବର୍ତୀ ସମୟରେ, ଏହି ବିଷୟଟି କିପରି ଭାବେ, ଓଡିଶା ଭଳି ଏକ ରାଜ୍ୟରେ ଅପପୁଷ୍ଟି ଦୂର କରିବାରେ ସହାୟକ ହେବ ତାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶ୍ରୀଯୁକ୍ତ ପ୍ରଧାନ ଓ ଭାରତୀୟ ଜନତା ପାର୍ଟିର ଅନେକ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି।

ପ୍ରାଥମିକ ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନୂଆ ସାମଗ୍ରୀ ଯୋଗ କରିବା ଓ ଏହାକୁ ଅପପୁଷ୍ଟି ଦୂର କରିବାରେ ସହାୟକ ହେବ ବୋଲି  ଚିନ୍ତା ଓ ଘୋଷଣା କରିଥିବାରୁ ଶ୍ରୀଯୁକ୍ତ ପ୍ରଧାନ ଓ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର। କିନ୍ତୁ ପ୍ରଶ୍ନ ହେଉଛି, ହଠାତ ଏଭଳି ଘୋଷଣା କରିବା ପଛରେ ରହସ୍ୟ କଣ? ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ, ବଲାଙ୍ଗିର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ଲୋକସଭା ଓ ୩୫ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଏହି ଘୋଷଣାର କିଛି ଆବଶ୍ୟକତା ପରିଲିକ୍ଷିତ ହେଉଛିକି? ଯଦି ଭାରତୀୟ ଜନତା ପାର୍ଟି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପିଡିଏସ ଯୋଜନାର ବିବିଧିକରଣରେ ବିଶ୍ଵାସ କରୁଥାନ୍ତି, ତେବେ ଗତ ପାଞ୍ଚ ବର୍ଷରେ, କେନ୍ଦ୍ର ସରକାରଙ୍କ ତରଫରୁ ଏଥିପ୍ରତି କୌଣସି ନିଷ୍ପତ୍ତି ବା କାର୍ଯ୍ୟକର୍ମ ଗ୍ରହଣ କରାଗଲା ନାହିଁ କାହିଁକି? ଆଉ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଦଳ ଏହାର ସମସ୍ତ ନେତୃବୃନ୍ଦ ଏହି ବିଷୟ ଓ ଘୋଷଣାଟିକୁ ନେଇ ଏକମତ କି?

ଟଙ୍କିକିଆ ଚାଉଳକୁ ନେଇ ପ୍ରାୟ ଏକ ଦଶନ୍ଧି ଧରି ଚାଲି ଆସୁଥିବା ରାଜନୈତିକ ଚର୍ଚା ଉପରେ ଟିକେ ନଜର ପକାଇବାର ଅବଶ୍ୟକତା ଅଛି।  ଓଡିଶାରେ ୨୦୦୮ମସିହାରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ରାଜ୍ୟ ସରକାର ଦୁଇଟଙ୍କିଆ ଚାଉଳ ଯୋଜନା ଆରମ୍ଭ କଲେ। ଅବଶ୍ୟ ଏହା କିଛି ନୂତନ ଯୋଜନା ନଥିଲା, ଅନେକ ଦିନରୁ ଚାଲୁ ରହିଥିବା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୁଲ୍ୟରେ ଦିଆଯାଉଥିବା ଚାଉଳର ଦରକୁ ସେ ସମୟରେ କିଲୋ ପିଛା ଦୁଇଟଙ୍କା କରିଦିଆଗଲା। ରାଜ୍ୟ ସରକାରଙ୍କ ପ୍ରଚାର ଓ ପ୍ରସାର ଫଳରେ, ୨୦୦୯ ନିର୍ବାଚନରେ ଏହାର ରାଜନୈତିକ ଲାଭ ମଧ୍ୟ ବିଜୁ ଜନତା ଦଳକୁ ମିଳିଲା। ଅଭିଜ୍ଞତାକୁ ଆଧାର କରି ୧ ଫେବୃୟାରୀ ୨୦୧୩ରେ ରାଜ୍ୟ ସରକାର ଚାଉଳର ଦାମ କିଲୋ ପ୍ରତି ୧ ଟଙ୍କା ହେବ ବୋଲି ଘୋଷଣା କଲେ। ସେବେଠାରୁ ଏହି ଯୋଜନା ଟଙ୍କିକିଆ ଚାଉଳର ପରିଚୟ ପାଇଲା, ଯାହାର ରାଜନୈତିକ ଲାଭ ମଧ୍ୟ ବିଜୁ ଜନତା ଦଳ ୨୦୧୪ ନିର୍ବାଚନରେ ଉଠାଇଲା। ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆସିବା ଏବଂ ଏହି ନିୟମ ଅନୁଯାଇ ଅଗ୍ରାଧିକାର ପରିବାର (priority household) ବଛା ଯିବା ଫଳରେ ଅନେକ ପରିବାର ଓ ଯୋଗ୍ୟ ବ୍ୟକ୍ତିଙ୍କର ଚାଉଳ କାର୍ଡ କଟିଗଲା ଓ ସେମାନେ ଟଙ୍କିକିଆ ଚାଉଳ ପାଇବାରୁ ବଞ୍ଚିତ ହେଲେ। ଅନେକ ସ୍ଥାନରେ, ମୁଖ୍ୟତଃ ଗ୍ରାମାଞ୍ଚଳ, ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବା ଜିଲ୍ଲା ମାନଙ୍କରେ ଏହାକୁ ନେଇ ଏକ ଚାପା ଅଶୋନ୍ତସ ଥିଲା। ୨୦୧୬ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଗୁଡିକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଲା ଯାହାଫଳରେ ଏହି ସବୁ ଜିଲ୍ଲା ମାନଙ୍କରେ ବିଜୁ ଜନତା ଦଳ ଆଶାତୀତ ସଫଳତା ପାଇ ପାରିଲା ନାହିଁ। ଅବଶ୍ୟ ଏହା ହୃଦୟଙ୍ଗମ କରି ୨୦୧୯ର ଠିକ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ। ଅର୍ଥାତ ଯଦି ମୋଟାମୋଟି ଘଟଣାକ୍ରମ ଗୁଡିକୁ ଦେଖାଯାଏ, ତେବେ ଟଙ୍କିକିଆ ଚାଉଳର ଓଡିଶା ରାଜନୀତିରେ ଥିବା ପ୍ରଭାବକୁ ହୃଦୟଙ୍ଗମ କରି, ବୋଧହୁଏ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ଏହି ବିଷୟଟିକୁ ଉଠାଇବାକୁ ପ୍ରୟାସ କରୁଛନ୍ତି।

ନିର୍ବାଚନର କିଛି ଦିନ ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ଏହାର କିଛି ସଂକେତ ଦେଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ବଡ ହୋଡିଙ୍ଗ ଲଗାଯାଇ ଚାଉଳର ଶ୍ରେୟ କେନ୍ଦ୍ର ସରକାରଙ୍କର ବୋଲି ଦର୍ଶଯାଇଥିଲା। ଏହି ହୋଡିଙ୍ଗ ଗୁଡିକରେ ରାଜ୍ୟରେ ପ୍ରଚଳିତ ଟଙ୍କିକିଆ ଚାଉଳର ପ୍ରକୃତ ମୂଲ୍ୟ ତଥା କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ରିହାତିକୁ ପରିବେଷଣ କରାଯାଇଥିଲା।  ଚାଉଳର ପ୍ରକୃତ ମୂଲ୍ୟ କିଲୋ ପ୍ରତି ୩୨ ଟଙ୍କା ହୋଇଥିବା ବେଳେ ଏଥିରେ କେନ୍ଦ୍ରସରକାର ପ୍ରତିକିଲୋ ପିଛା ୨୯ ଟଙ୍କା ଓ ରାଜ୍ୟ ସରକାର ମାତ୍ର ୨ ଟଙ୍କା ବହନ କରୁଥିବା କଥା କୁହାଯାଇଛି। ଉଦେଶ୍ୟ ଲେଖାନଥିଲେବି, ରାଜ୍ୟରେ ଲୋକପ୍ରିୟ ଟଙ୍କିକିଆ ଚାଉଳରେ ଯେ କେନ୍ଦ୍ର ଏକ ବଡ ଭାଗୀଦାର ତାହା କୁହାଯିବାପାଇଁ ଏଥିରେ ଯଥେଷ୍ଟ ପ୍ରୟାସ କରାଯାଇଥିଲା। ଠିକ ଏହି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ଆଉ ୩୪.୪୪ ଲକ୍ଷ ଲୋକଙ୍କୁ ସାମିଲ କରିବାପାଇଁ ଏକ ପତ୍ର କେନ୍ଦ୍ରକୁ ଲେଖିଥିଲେ ଓ ପରବର୍ତୀ ସମୟରେ କେନ୍ଦ୍ରକୁ ଦୋଷ ଦେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଚାଲୁ କଲେ।

ଟଙ୍କିକିଆ ଚାଉଳର ଏକ ରାଜନୈତିକ ଦିଗ ରହୁଥିବାରୁ, ଭିନ୍ନ ଭିନ୍ନ ଦଳର ସରକାରଙ୍କ ମଧ୍ୟରେ ଏହାର ଶ୍ରେୟ ନେବା ପାଇଁ ଟଣା ଓଟରା ଏକ ସ୍ଵାଭାବିକ କଥା। ସେହି ମର୍ମରେ କେନ୍ଦ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ ଟଙ୍କିକିଆ ଚାଉଳକୁ ନେଇ ଏଇ ଲଢେଇ ନୂଆ ନୁହେଁ। ପୂର୍ବରୁ ଇଉପିଏ ସରକାର ସମୟରେ ମଧ୍ୟ କଂଗ୍ରେସ ଦଳ ତରଫରୁ ଠିକ ଏହିଭଳି କିଛି ପ୍ରଶ୍ନ ଉଠାଯାଇଥିଲା। ଏହି ଟଣା ଓଟରା ମଧ୍ୟରେ କିଏ ବେସୀ ରାଜନୈତିକ ଫାଇଦା ଉଠାଇବା, ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ କିନ୍ତୁ ଟଙ୍କିକିଆ ଚାଉଳକୁ ନେଇ ଥିବା କେତେ ଗୁଡିଏ ଭ୍ରାନ୍ତ ଧାରଣାର ଚର୍ଚା କରିବାର ଅବଶ୍ୟକତା ମଧ୍ୟ ଅଛି।

ସବୁଠାରୁ ବେଶୀ ଆଲୋଚନା ହେଉଥିବା ଧାରଣାଟି ହେଉଛି, ଏହି ଯୋଜନା କୁଆଡେ ଲୋକଙ୍କୁ ଅଳସୁଆ କରିଦେଇଛି। ଲୋକେ ଟଙ୍କାଟାରେ ଚାଉଳ ପାଇଲେ, ସେମାନଙ୍କର ଆଉ ପରିଶ୍ରମ କରିବାକୁ ଇଛା ନାହିଁ, ଗାଁ ଗଣ୍ଡାରେ ମଜୁରି କରିବାକୁ ଲୋକ ମିଳୁନାହାଁନ୍ତି। ଟଙ୍କିକିଆ ଚାଉଳ କଥା ପଡିଲେ, ଏଭଳି କିଛି କଥା ନିଶ୍ଚୟ ଉଠେ। ପାଠଷାଠ ପଢିଥିବା ତଥା ସାମାଜ ଓ ଅର୍ଥନୀତିରେ ଦଖଲ ରଖୁଥିବା ଅନେକ ବ୍ୟକ୍ତିବିଶେଷ ମଧ୍ୟ ଏହିଯୁକ୍ତି ରଖିଥାନ୍ତି। କିନ୍ତୁ ସତରେ କଣ ଟଙ୍କିକିଆ ଚାଉଳ ଲୋକଙ୍କୁ ଅଳସୁଆ କରିଦେଇଛି? ଯଦି ସତ ତାହାଲେ ଭାରତ ବର୍ଷର ଅର୍ଦ୍ଧାଧିକ ଲୋକ ଅଳସୁଆ ହେବାକଥା। କାରଣ ଦେଶରେ ଏମିତି ଅନେକ ରାଜ୍ୟ ଅଛି ଯେଉଁଠି ଏକ ଟଙ୍କା ବା ଖୁବ ଶସ୍ତାରେ ଚାଉଳ ଯୋଗାଇଦିଆଯାଉଛି। ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଆଦି ରାଜ୍ୟତ ଓଡିଶାର ଅନେକ ଆଗରୁ ଏହି ଯୋଜନା ଆରମ୍ଭ କରିଛନ୍ତି। କାହିଁ କେଉଁଠିତ ଏମିତି ହେଉନାହିଁ, ତେବେ ଓଡିଶାରେ ଏମିତିଏକ ଧାରଣା କାହିଁକି ସୃଷ୍ଟି କରାଯାଉଛି ଆଉ ଏହିଭଳି ଏକ ଧାରଣାକୁ ଆଗକୁ ବଢାଇବା ପଛରେ କେଉଁମାନେ ଅଛନ୍ତି, ତାହା ଦେଖିବାର ଆବଶ୍ୟକତା ଅଛି।

ଏହି ଅର୍ଥରେ କିଛି ନିର୍ଦିଷ୍ଟ ବିଷୟକୁ ସାମ୍ନାରେ ରଖିବାର ଅବଶ୍ୟକତା ଅଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ଵ ଟଙ୍କିକିଆ ଚାଉଳର ଗୁଣ ଗାଈ ଏହାକୁ ଆହୁରି ବ୍ୟାପକ କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଏହି ଦଳର କନ୍ଧମାଳ ସାଂସଦ ପାର୍ଥୀ ଖାରବେଳ ସ୍ଵାଇଁ ଠିକ ଓଲଟା କଥା କହୁଛନ୍ତି, ତାଙ୍କ ଦ୍ଵାରା ଲେଖାଯାଇଥିବା ଅନେକ ଗୁଡିଏ ପ୍ରବନ୍ଧରେ ସେ ଏହି ଯୋଜନାର ବିରୋଧ କରିଛନ୍ତି ଓ ସେହି ମର୍ମରେ ଯୋଜନା ବନ୍ଦ କରାଯିବା ବୋଲି ଯୁକ୍ତି ଦର୍ଶାଇଛନ୍ତି। ସାଂସଦ ପାର୍ଥୀଙ୍କ ଫେସବୁକ ପୃଷ୍ଟାରେ ସେ ଦେଇଥିବା ଏକ ଟେଲିଭିଜନ ସାକ୍ଷାତକାରରେ ସେ ଟଙ୍କିକିଆ ଚାଉଳ କିପରି ଭାବେ ଓଡିଆ ଜାତିକୁ ଛତରଖିଆ ଜାତିରେ ପରିଣତ କରିଛି ତାହା ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ, ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାସନ ଯୋଜନାକୁ ନେଇ ଥିବା ଅସହମତି ହିଁ ପ୍ରକାଶ ପାଉଛି। କିଛି ଦିନ ତଳେ ଓଡିଶା ପାଇଁ ପ୍ରକାଶ ପାଇଥିବା ଭାରତୀୟ ଜନତା ପାର୍ଟିର ଇସ୍ତାହାରରେ ଏହି ବ୍ୟବସ୍ଥାର ବିବିଧିକରଣ ପାଇଁ କୌଣସି ପ୍ରତିଶ୍ରୁତି ନରହିବା ଓ ପରବର୍ତୀ ସମୟରେ ଏହାର ଘୋଷଣା କରିବା ମଧ୍ୟ ଏହି ଦିଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।

ବିଜେପି ଠାରୁ ଆରମ୍ଭ କରି ବିଜେଡି ଓ କଂଗ୍ରେସ ଯାଏ ଟଙ୍କିକିଆ ଚାଉଳ ଓ ରାସନ ବ୍ୟବସ୍ଥାରେ ବିବିଧିକରଣ ଆଣିବା ଏକ ରାଜନୈତିକ ବିଷୟ ହୋଇପାରେ। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ପେଟ ଓ ପୁଷ୍ଟି ର ପ୍ରଶ୍ନ, ଯାହାର ଉତ୍ତର ରାଜନୈତିକ ଦଳ ମାନଙ୍କୁ ଦେବାକୁ ହେବ।