Categories
ଆଞ୍ଚଳିକ

ହାତୀପଲ ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ: କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମହକୁଦ ଗ୍ରାମରେ ହାତୀପଲ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏ ନେଇ ଗ୍ରାମବାସୀ ବନଖଣ୍ଡ ଅଧିକାରୀ ରମାକାନ୍ତ ନାୟକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ଗତ ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ପଟ ହାତୀପଲ ମହକୁଦ ଗ୍ରାମ ସମେତ ପାଖ ଗ୍ରାମ ଟିକିଲିପଡ଼ା, ଗୋଗୁଆପାଳ, ବଡ଼ଖମଣ, ବେତଝରଣ, ଧଉରାପାଳ, ବଳମ ଗ୍ରାମ ମାନଙ୍କ ରେ ଉପଦ୍ରବ ଯୋଗୁଁ ଧାନ ଫସଲ ସମେତ ବିଭିନ୍ନ ପ୍ରକାରର ପନିପରିବା ନଷ୍ଟ ହେଉଥିବାରୁ ଗ୍ରାମବାସୀ ମାନେ ବନବିଭାଗ କୁ ହାତୀପଲ ମାନଙ୍କୁ ଅନ୍ୟତ୍ର ଜଙ୍ଗଲ କୁ ଘଉଡ଼ାଇବା ସହିତ ନଷ୍ଟ ହୋଇଥିବା ଫସଲ ଆକଳନ କରି ଉଚିତ୍ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି।

ଏଥିରେ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ବିରାଟ ସାହୁ, କାଳିଆ ଧଳ, ଶରତ କୁମାର ବିଶ୍ବାଳ, ଭୋଳନଥ ବେହେରା, କ୍ଷମାନିଧି ସାହୁ, ମାୟାଧର ଚାନ୍ଦ, ନରେନ୍ଦ୍ର ବେହେରା, ଆନନ୍ଦ ବେହେରା, ଗୟାଧର ସାହୁ ପ୍ରମୁଖ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Categories
ଆଞ୍ଚଳିକ

ପଣ୍ଡୁଆରେ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ୩ ଦିନ ହେଲା ନାକଟିଦେଉଳ ବ୍ଲକ୍ ପଣ୍ଡୁଆଖୋଳ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ଗ୍ରାମର ବିଜୟ ପ୍ରଧାନ, ହ୍ରୁଷିକେଶ ପ୍ରଧାନ, ଚକ୍ରଧର ପ୍ରଧାନ, ରମାକାନ୍ତ ପ୍ରଧାନଙ୍କ ଚାଷ ଜମିରେ ହାତୀପଲ ପଶି ଧାନ ଫସଲ ମାଡ଼ି ଦଳି ଚକଟି ଦେଇଛନ୍ତି। ଧାନ ଫସଲ ଏ ପର୍ଯ୍ୟନ୍ତ ପାଚି ନ ଥିବା ବେଳେ ଏବେ ଠୁ ହାତୀମାନଙ୍କର ଦୌରାତ୍ମ ଯୋଗୁଁ ଗ୍ରାମର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ବନ ବିଭାଗ ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବି

କନ୍ଦର୍ପ ବେହେରା

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତ ଲାଇଜା ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଲାଇଜା ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଏକର୍ ଏକର ଜମିରେ ଥିବା ଧାନ ଫସଲ ନଷ୍ଟ ହେଇଥିବା ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ୧୪ ଟି ହାତୀ ପଲ ଆସି ଗ୍ରାମର ଉମାକାନ୍ତ ପ୍ରଧାନ, ପ୍ରଫୁଲ୍ଲ ସାହୁ, ପଦ୍ମଚରଣ ପ୍ରଧାନ, କ୍ଷୀରୋଦ ଇନି ସାହୁଙ୍କ ୩ ଏକରରୁ ଊର୍ଦ୍ଧ୍ୱ ଓ ପଦ୍ମଚରଣ ପ୍ରଧାନଙ୍କ ୧ ଏକର ଧାନ, କଳୋଥ ୫୦ଡିସିମିଲ, ଉମା କାନ୍ତଙ୍କ ୮୦ ଡିସିମିଲ ପାଚିଲା ଧାନ ଫସଲ ସବୁ ହାତୀ ପଲ ମାନେ ଖାଇ, ଦଳି, ଚକଟି ଦେଇଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ବନ ବିଭାଗ ନିକଟରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଲଗାଣ ବର୍ଷାରେ ବେହାଲ ବାଣପୁର: ଜଳମଗ୍ନ ହୋଇଛି ହଜାର ହଜାର ଏକର ଧାନ ଜମି

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଗୋଟିଏ ଲଘୁଚାପ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବା ଭଳି ଖବର ହସ୍ତଗତ ହୋଇଛି।

ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଏହାର ଘୋର ପ୍ରଭାବ ପଡିଛି। ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ଶହ ଶହ ଏକର ଧାନ ଜମି ଜଳମଗ୍ନ ହୋଇଛି। ଯାହାଦ୍ବାରା କଟା ଯାଇଥିବା ଧାନ ଫସଲଗୁଡିକ ପାଣି ଭିତରେ ବୁଡି ରହିଛି। ଦୁଇଦିନ ଧରି ଚାଲିଥିବା ଏହି ଲଗାଣ ବର୍ଷାରେ ପ୍ରାୟ ୧୨୨୫ ଏକର ଜମି ଜଳମଗ୍ନ ହୋଇଥିବା ଆକଳନ କରାଯାଉଛି। ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର, ଗମ୍ଭାରିମୁଣ୍ଡା, ଆୟତପୁର, ନାଚୁଣୀ, ତୋରସିଂହ, କୁମାରଙ୍ଗ ପଞ୍ଚାୟତଗୁଡିକର ଜମିରେ ଜଳମଗ୍ନ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ସେହିଭଳି ବାଣପୁର ବ୍ଲକର ଅନ୍ୟ ପଞ୍ଚାୟତରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ବର୍ଷା ଛାଡିବା ପରେ ଏହାର ସଠିକ ଆକଳନ କରାଯିବ ବୋଲି ବାଣପୁର କୃଷି ଅଧିକାରୀ ଅଜୟ କୁମାର କର ସୂଚନା ଦେଇଛନ୍ତି। ଏନେଇ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ, ଏହାର ଏକ ରିପୋର୍ଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପ୍ରଦାନ କରାଯିଅଛି ବୋଲି ଅଜୟ କର କହିଛନ୍ତି।

ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁଯାୟୀ କ୍ଷତିପୂରଣ ମିଳିବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ କର କହିଛନ୍ତି। ଏତଦବ୍ୟତୀତ ଯେଉଁ ଚାଷୀ ଏହି ଫସଲ ବୀମା ଯୋଜନାରେ ଅଂଶଗ୍ରହଣ କରିବାରେ ବିଫଳ ହୋଇଛନ୍ତି, ସେମାନଙ୍କୁ ରାଜ୍ୟସରକାରଙ୍କ ଘୋଷଣା ମୁତାବକ କ୍ଷତିପୂରଣ ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଡଇଁଚା ଗାଁକୁ ପଶିଆସିଲେ ହାତୀପଲ: ଅଳ୍ପକେ ବର୍ତ୍ତିଲେ ଯୁବକ, ବ୍ୟାପକ ଧାନ ଫସଲ ନଷ୍ଟ

କନ୍ଦର୍ପ ବେହେରା
ରେଢାଖୋଲ: କିଛି ଦିନ ହେଲା ରେଢାଖୋଲ ବନଖଣ୍ଡରେ ହାତୀମାନଙ୍କର ଆତଙ୍କରାଜରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ରାତିରେ ହାତୀପଲ ଡଇଁଚା ଗାଁ କୁ ପଶି ଆସି ଖଳାଭିତରେ ପଶି ଧାନ ବିଡା ଖାଇବା ସହ ଧାନ ଅମଳ କରି ରଖିଥିବା ୩ ଜଣ ଚାଷୀଙ୍କର ଧାନ ବସ୍ତାକୁ ଟେକି ନେଇଥିବା ଜଣା ପଡିଛି।

ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଡଇଁଚା ଗ୍ରାମରେ ଗତକାଲି ରାତି ପ୍ରାୟ ୧୨ ଟାରେ ୧୩ ରୁ ଉର୍ଦ୍ଧ୍ୱ ହାତୀ ନିକଟସ୍ଥ ହିନ୍ତରାଇ ଗ୍ରାମପଟୁ ଆସି ଗାଁ ପାଖରେ ଥିବା ଗ୍ରାମର ସନାତନ ଧଳଙ୍କ ଖଳାକୁ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଥିଲେ। ଖଳାରେ ସନାତନ ଧଳଙ୍କ ମଝିଆଁ ପୁଅ ଦେବରାଜ ଧଳ ଏକାକୀ ଶୋଇଥିଲେ। ହାତୀ ପଲ ଖଳାକୁ ପଶୁଥିବାର ଜାଣିପାରି ସେ ଦୌଡି ଆସି ପାଟି କରିଥିଲେ। ହାଟପଦା ସାହିର ଲୋକମାନେ ଆସି ବାଣ ଓ ପାଟି କରିବାରୁ ହାତୀପଲ ପଳାଇଯାଇଥିଲେ। ଭାଗ୍ୟକୁ ସେ ହାତୀଆକ୍ରମଣରୁ ରକ୍ଷା ପାଇଯାଇଥିଲେ। ହେଲେ ତାଙ୍କର ମୋଟର ସାଇକେଲଟିକୁ ହାତୀପଲ ମାଡି ଦେଇଥିଲେ। ହାତୀ ପଲ ଖଳାର ଚାରି ପାଖ ତାଙ୍କୁ ଘେରିବନ୍ଦୀ କରିଥିଲେ ମଧ୍ୟ କୌଶଳ କ୍ରମେ ପଳାଇ ଯିବାରେ ସକ୍ଷମ ହୋଇଥିଲେ।

ଜଙ୍ଗଲ ବିଭାଗ ହାତୀପଲକୁ ଘଉଡାଇ ନାକେଦମ୍ ହୋଇଯାଇଥିଲେ। ଗ୍ରାମର ଶେଷଦେବ ଦେହୁରୀ ଓ ବିଶ୍ୱନାଥ ଦେହୁରୀଙ୍କ ଜମିରେ ଥିବା ଧାନ ଫସଲକୁ ମଧ୍ୟ ହାତୀପଲ ଖାଇ ଦଳୀଚକଟି ଦେଇଛନ୍ତି।

କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଜଙ୍ଗଲ ବିଭାଗ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବୀ କରାଯାଇଛି। ହାତୀପଲ ଏ ଅଂଚଳରେ ରହିଥିବାରୁ ରାତିରେ ଲୋକମାନେ ଭୟରେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ହେଲେ ଜଙ୍ଗଲ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ରାତି ଅଧରେ ହାତୀ ପଛରେ ଯିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।