ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର ଶଙ୍ଖମୂଳ ଅଞ୍ଚଳରେ ଗତ ୨୬ ତାରିଖରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏହି ଘଟଣାରେ ଚାଷୀମାନେ ଆର୍ଥିକ କ୍ଷତି ସହିବା ସହ ଚିନ୍ତାରେ ପଡ଼ିଛନ୍ତି।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ହାତୀପଲଙ୍କ ଦ୍ୱାରା ଅନ୍ତର୍ଯ୍ୟାମୀ ପ୍ରଧାନ, ବିଜୟ କୁମାର ପ୍ରଧାନ ଓ ଗୋବିନ୍ଦ ପ୍ରଧାନଙ୍କ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୬ ମାଣ ଜମିର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଆନୁମାନିକ କ୍ଷତିର ପରିମାଣ ପ୍ରାୟ ୧ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ବର୍ଷକର ପରିଶ୍ରମ ଓ ଫସଲ ଉପରେ ନିର୍ଭର କରି ପରିବାର ଚଳାଉଥିବା ଚାଷୀମାନେ ଏହି କ୍ଷୟକ୍ଷତି ଯୋଗୁଁ ଭାଙ୍ଗି ପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ନଷ୍ଟ ହୋଇଥିବା ଫସଲର ଉପଯୁକ୍ତ ଆକଳନ କରିବା ସହ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।
ହାତୀପଲଙ୍କ ଏହି ଅପ୍ରତ୍ୟାଶିତ ଆଗମନ ଚାଷୀଙ୍କ ମଧ୍ୟରେ ଭୟ ଓ ଉଦ୍ବେଗ ସୃଷ୍ଟି କରିଛି। ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେବା ଘଟଣା ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଦାବି ହେଉଛି।
ଏ ସମ୍ପର୍କରେ ରଣପୁର ବନ ବିଭାଗର ଅଧିକାରୀ ସିଧୁ ଚରଣ ସିଂ କହିଛନ୍ତି ଯେ, ସାଧାରଣତଃ ହାତୀମାନେ ଏହି ଅଞ୍ଚଳକୁ ଆସନ୍ତି ନାହିଁ। କିନ୍ତୁ ଏଥର ହାତୀପଲ ଏହି ଅଞ୍ଚଳକୁ ଆସିଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା କରାଯାଉଛି। ଏଥିସହ କ୍ଷତିଗ୍ରସ୍ତ ଲୋକମାନେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପାଇବା ପାଇଁ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି।


