Categories
ଆଜିର ଖବର ରାଜ୍ୟ ଖବର

ଲୁହାପଙ୍କ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ସଭ୍ୟା

କନ୍ଦର୍ପ ବେହେରା
ରେଢାଖୋଲ: ଗ୍ରାମବିକାଶ ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସେଇ ଟଙ୍କା ସଠିକ୍ ମାର୍ଗରେ ଖର୍ଚ୍ଚ ହେଇପାରୁନି। ସେମିତି ଏକ ପଂଚାୟତ ରହିଚି ଯାହାକି ଟଙ୍କା ସଠିକ୍ ଖର୍ଚ୍ଚ ନ ହୋଇ ଅସନ୍ତୋଷ ଦେଖା ଦେଇଛି। ଶେଷରେ ବାଧ୍ୟହୋଇ ପଂଚାୟତର ସଭ୍ୟ ତଥା ସମିତି ସଭ୍ୟମାନେ ଧାରଣାରେ ବସିବା ଭଳି ଘଟଣା ଘଟିଛି।

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତ ଅଞ୍ଚଳର ଗ୍ରାମମାନଙ୍କୁ ଜଳ ଯୋଗାଣ ଦାବି ନେଇ ପଞ୍ଚାୟତର ସମିତି ସଭ୍ୟ ଓ କେତେକ ୱାର୍ଡ ସଭ୍ୟ ସଭ୍ୟା ଲୁହାପଙ୍କ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ କରିଛନ୍ତି। ଏ ସଂକ୍ରାନ୍ତରେ ଧାରଣାକାରୀମାନେ ପୂର୍ବରୁ ଲୁହାପଙ୍କ ପିଇଓ, ରେଢାଖୋଲ ବିଡ଼ିଓ, ଉପଜିଲ୍ଲାପାଳ ଓ ଥାନାରେ ଲିଖିତ ଅଭିଯୋଗ କରି ସରପଞ୍ଚଙ୍କର ମନୋମୁଖୀ କାର୍ଯ୍ୟ ସଂପର୍କରେ ଅଭିଯୋଗ କରିଥିଲେ। ଏହାର ଯଦି କୌଣସି ସମାଧାନ କରା ନ ଯାଏ ତା ହେଲେ ପଞ୍ଚାୟତ ସମ୍ମୁଖରେ ଅନଶନ କରା ଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ହେଲେ ଏହାର କୌଣସି ସମାଧାନ ନ ହେବାରୁ ମଙ୍ଗଳବାର ପଞ୍ଚାୟତର ସମିତି ସଭ୍ୟ ଓ କେତେକ ୱାର୍ଡ ସଭ୍ୟ ସଭ୍ୟାମାନେ ଧାରଣାରେ ବସିଥିଲେ।

ଖବର ପାଇ ରେଢାଖୋଲ ବ୍ଲକର ଜିପିଓ ପଞ୍ଚାନନ ବେହେରା ଓ ଲୁହାପଙ୍କ ପିଇଓ ଖଗେଶ୍ବର ପ୍ରଧାନ ପ୍ରମୁଖ ଅନଶନ କାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇ ପାରି ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚରଡପଶି ସ୍କୁଲ ବନ୍ଦ ପ୍ରତିବାଦରେ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

କନ୍ଦର୍ପ ବେହେରା
ରେଢ଼ାଖୋଲ: ପ୍ରାଥମିକ ଶିକ୍ଷାର ଉନ୍ନତି କିପରି ହୋଇପାରିବ, ସେଥିପାଇଁ ସରକାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାଜ୍ୟର କେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଛାତ୍ରଛାତ୍ରୀ ଅଭାବରୁ ବିଦ୍ୟାଳୟକୁ ସରକାର ଉଠାଇ ଦେଉଛନ୍ତି। ଏଭଳି ଏକ ବିଦ୍ୟାଳୟକୁ ସରକାର ଉଠାଇ ଦେବା ପ୍ରତିବାଦରେ ଆଜି ଚରଡପଶି ଗ୍ରାମର ଅଭିଭାବକ ତଥା ଛାତ୍ର ଛାତ୍ରୀମାନେ ନାକଟିଦେଉଳ ବ୍ଲକ୍ କାଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଂଚାୟତର ଚରଡ଼ପଶି ପ୍ରାଥମିକ ବିଦ୍ୟାଳୟକୁ ସରକାର ଗତ ଦୁଇ ବର୍ଷ ହେଲା କମ ଛାତ୍ର ଛାତ୍ରୀ ଥିବା ଦର୍ଶାଇ ବନ୍ଦ କରିଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ଏବଂ ବିଦ୍ୟାଳୟକୁ କାଉଁଶିପାଳ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପୁର୍ବରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀ ସମେତ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଏପରିକି ଦୁଇ ବର୍ଷ ହେଲା ଏହି ବିଦ୍ୟାଳୟ ବନ୍ଦ ରହିଥିବା ଜଣା ପଡ଼ିଛି।

ବର୍ତ୍ତମାନ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିଥିବା ବେଳେ ଚରଡପଶି ବିଦ୍ୟାଳୟ ଖୋଲି ନ ଥିଲା। ସେମାନଙ୍କ ଗ୍ରାମରେ ଥିବା ସ୍କୁଲକୁ ସରକାର ଶିଘ୍ର ଫେରାଇଦେବା ଦାବିରେ ଆଜି ଦିନ ୧୧ ଟାରୁ ପ୍ରାୟ ୫୦ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଅବିଭାବକମାନେ ବିଡ଼ିଓ ଅଫିସ ବାରଣ୍ଡାରେ ଧାରଣରେ ବସିଥିଲେ। ସରକାର ଯଦି ସେମାନଙ୍କର ଦାବି ନ ଶୁଣନ୍ତି ତାହାଲେ ଆଗାମୀ ଦିନରେ ପିଲାଛୁଆ ଧରି ସେମାନେ ରାଜରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି।

ଧାରଣା ସ୍ଥଳରେ ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁ ଓ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ ପାତ୍ର ପହଂଚି ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କୁ ୨୫ ମାର୍ଚ୍ଚ ସୁଦ୍ଧା ଘଟଣାର ତଦନ୍ତ କରି ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହ୍ରୁତ ହୋଇଥିଲା।

Categories
ଆଞ୍ଚଳିକ

ବଡ଼ସିରେଇପୁର ଅଙ୍ଗନବାଡି କର୍ମୀଙ୍କ ବଦଳି ଦାବି: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମରେ ଦୀର୍ଘ ଦିନ ଧରି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କୁ ନେଇ ଜାରି ରହିଥିବା ବିବାଦ ଥମିବାର ନାଁ ଧରୁ ନାହିଁ। ପରିସ୍ଥିତି ଏପରି ହେଲାଣି ଯେ ଆଜି ଉକ୍ତ ଗ୍ରାମର ପ୍ରାୟ ୮୦ ରୁ ଊର୍ଦ୍ଧ୍ଵ ପୁରୁଷ ଓ ମହିଳା ମାନେ ସୁଦୂର ଖୋର୍ଦ୍ଧା ଗସ୍ତକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗ୍ରାମର ଦୁଇ ଗୋଟି ଅଙ୍ଗନବାଡି କେନ୍ଦ୍ରର ଦୁଇ ଜଣ କର୍ମୀଙ୍କ ବହିଷ୍କାର ଦାବିରେ ଉକ୍ତ ଧାରଣା ଦିଆଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦେଢ଼ ବର୍ଷ ହେଲା ଅଙ୍ଗନବାଡି କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ଅଙ୍ଗନବାଡି କେନ୍ଦ୍ର ବନ୍ଦ ହୋଇ ରହିଛି। ଯାହାଫଳରେ ଶିଶୁ ଏବଂ ଗର୍ଭବତୀ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଦାବି ହେଉଛି।

ଏ ବାବଦରେ ବାରମ୍ବାର ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ଫେବୃଆରୀ ମାସ ୧୧ ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବାଣପୁର ସିଡ଼ିପିଓ, ତହସିଲଦାର, ଆଇଆଇସି ଗ୍ରାମବାସୀଙ୍କ ସହ ଆଲୋଚନା କରି ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ୭ ଦିନ ସମୟ ନେଇଥିଲେ। କିନ୍ତୁ ଆଜକୁ ୫ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ସୁଦ୍ଧା ଏଥିପ୍ରତି କେହି ଗୁରୁତ୍ୱ ନଦେବାରୁ ଆଜି ଗ୍ରାମବାସୀ ମାନେ ପ୍ରବଳ ବର୍ଷାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଉକ୍ତ ଧାରଣାକୁ ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ ସମର୍ଥନ କରିବା ସହ ଉପଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଥିଲେ।

ପରିଶେଷରେ ଉପଜିଲ୍ଲାପାଳଙ୍କ ନିକଟରୁ ଉକ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ ନିମନ୍ତେ ନିର୍ଭର ପ୍ରତିଶୃତି ପାଇବାପରେ ଗ୍ରାମବାସୀମାନେ ଧାରଣାରୁ ଉଠିଥିଲେ।

ବଡ଼ସିରେଇପୁର ଗ୍ରାମ କମିଟି ସଭାପତି ପ୍ରବୋଧ କୁମାର ବିଶ୍ୱାଳ, ସମ୍ପାଦକ ବିକି ମୁଦୁଲି, ଝୁଲଣ ଜେନା, ବୁଲାରାମ ପ୍ରଧାନ, ରଙ୍କନାଥ ମହାନ୍ତି ଓ ସରୋଜ ସୁବୁଦ୍ଧିଙ୍କ ନେତୃତ୍ୱରେ ବହୁ ଗର୍ଭବତୀ ମହିଳାଙ୍କ ସମେତ ପାଖାପାଖି 80 ଜଣ ଗ୍ରାମବାସୀ ଧାରଣାରେ ବସିଥିଲେ।