Categories
ଆଞ୍ଚଳିକ

ବାଣପୁର: ଆଦର୍ଶ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ବାଣପୁର (ସୀତାରାମ ଅଗ୍ରୱାଲ): ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବ୍ଲକ ସ୍ତରୀୟ ଆଦର୍ଶ ଶ୍ରେଣୀଗୃହର ଶୁଭ ଉଦଘାଟନ ନନ୍ଦପୁର ପଞ୍ଚାୟତର ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକର ଏଫଏଲଏନ ମଡେଲ ସ୍କୁଲ ରୂପେ ପରିଚିତ ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶ୍ରେଣୀଗୃହ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ କରକମଳରେ ଉଦଘାଟିତ ହୋଇଛି।

ଡିଆଇଇଟି ଖୋର୍ଦ୍ଧାର ପ୍ରିନସିପାଲ ତାପସ ନାୟକ ମହେଶ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଏବଂ ବିଆରସିସି ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। ମାନସିଂହ ବିଦ୍ୟାଳୟଟି ଏକ ଜୀବନ୍ତ ବିଦ୍ୟାଳୟ ବୋଲି ପ୍ରକାଶ କରି ଏହାର ସାଜସଜ୍ଜା,ପରିଷ୍କାର ପରିଚ୍ଛନ୍ନତା ଓ ସର୍ବୋପରି ଛାତ୍ରଛାତ୍ରୀ ମାନଙ୍କର ପାଠପଢା ପ୍ରତି ଆଗ୍ରହ ଦେଖି ଅତିଥି ମାନେ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ବୃନ୍ଦ ଏବଂ ସିଆରସିସି ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ଖୁଣ୍ଟିଆ,କୈଳାଶ ହୋତା ପ୍ରମୁଖ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ରାଜ୍ୟ ସରକାରଙ୍କ ବସୁଧା ଯୋଜନାକୁ ଉପହାସ, ବୋରିଂ ପାଇପରେ ବନ୍ଧା ହେଉଛନ୍ତି ଗୋରୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ତିନି ମାସ ପୂର୍ବେ ଏକ ନଳକୂପ ଖୋଳାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ।  ଉକ୍ତ ସ୍ଥଳରେ କେବଳ ବୋରିଂ କରି ଛାଡିଦିଆଯାଇଛି। ଯାହା ଫଳରେ ଉକ୍ତ ବୋରିଂ ପାଇପ କୁ ଗ୍ରାମବାସୀ ମାନେ ଗୋରୁଙ୍କୁ ବାନ୍ଧିବା ନିମନ୍ତେ ଖୁଣ୍ଟ ହିସାବରେ ବ୍ୟବହାର କରୁଛନ୍ତି।

ରାଜ୍ୟ ସରକାର ପାନୀୟ ଜଳ ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଥିବା ବେଳେ ଏହାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗ୍ରୀଷ୍ମ ଦିନେ ନଳକୂପ ଖୋଳାଯାଇଥିବା ବେଳେ ବର୍ଷା ଦିନ ଆସିଲାଣି ତଥାପି ସରକାରୀ ବାବୁମାନଙ୍କ ଅବା ସରପଞ୍ଚଙ୍କ ନିଦ ଭାଙ୍ଗୁନାହିଁ। ପାଣି ପାଇଁ ଗ୍ରାମବାସୀ ମାନେ ଡହଳ ବିକଳ ହେଉଥିବାବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପ ପୋତି ହୋଇଗଲାଣି। ଏବଂ ନୂଆ ନଳକୂପର କେବଳ ଚ୍ଛାଞ୍ଚ ପଡ଼ିଛି ସିନା ହେଲେ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ।

ପାଣି ପାଇଁ ଗ୍ରାମବାସୀ ମାନେ ଦୂର ଦୁରାନ୍ତ ତଥା ବିପଦପୂର୍ଣ ରାସ୍ତା ଅତିକ୍ରମ କରି ଯାଉଛନ୍ତି।  ଏ ନେଇ ଆମ ପ୍ରତିନିଧି ନନ୍ଦପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଣପୁର ବ୍ଲକ ଆର.ଡବ୍ଲୁ.ଏସ.ଏସ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଉଭୟ ନଳକୂପ ସ୍ଥାପନର ବିଳମ୍ବ ଲାଗି ପରସ୍ପରକୁ ଦାୟୀ କରିଥିଲେ।

ପରିଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ସମ୍ପୃକ୍ତ ସ୍ଥାନରେ ନଳକୂପ ବସାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଗ୍ରୀଷ୍ମ ଋତୁରେ ବସିଥିବା ନଳକୂପ ଯଦି ବର୍ଷା ଋତୁ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି ତେବେ ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।