ବାଣପୁର: ରାଜ୍ୟ ସରକାରଙ୍କ ବସୁଧା ଯୋଜନାକୁ ଉପହାସ, ବୋରିଂ ପାଇପରେ ବନ୍ଧା ହେଉଛନ୍ତି ଗୋରୁ

Published: Jul 28, 2021, 7:27 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ତିନି ମାସ ପୂର୍ବେ ଏକ ନଳକୂପ ଖୋଳାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ।  ଉକ୍ତ ସ୍ଥଳରେ କେବଳ ବୋରିଂ କରି ଛାଡିଦିଆଯାଇଛି। ଯାହା ଫଳରେ ଉକ୍ତ ବୋରିଂ ପାଇପ କୁ ଗ୍ରାମବାସୀ ମାନେ ଗୋରୁଙ୍କୁ ବାନ୍ଧିବା ନିମନ୍ତେ ଖୁଣ୍ଟ ହିସାବରେ ବ୍ୟବହାର କରୁଛନ୍ତି।

ରାଜ୍ୟ ସରକାର ପାନୀୟ ଜଳ ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଥିବା ବେଳେ ଏହାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗ୍ରୀଷ୍ମ ଦିନେ ନଳକୂପ ଖୋଳାଯାଇଥିବା ବେଳେ ବର୍ଷା ଦିନ ଆସିଲାଣି ତଥାପି ସରକାରୀ ବାବୁମାନଙ୍କ ଅବା ସରପଞ୍ଚଙ୍କ ନିଦ ଭାଙ୍ଗୁନାହିଁ। ପାଣି ପାଇଁ ଗ୍ରାମବାସୀ ମାନେ ଡହଳ ବିକଳ ହେଉଥିବାବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପ ପୋତି ହୋଇଗଲାଣି। ଏବଂ ନୂଆ ନଳକୂପର କେବଳ ଚ୍ଛାଞ୍ଚ ପଡ଼ିଛି ସିନା ହେଲେ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ।

ପାଣି ପାଇଁ ଗ୍ରାମବାସୀ ମାନେ ଦୂର ଦୁରାନ୍ତ ତଥା ବିପଦପୂର୍ଣ ରାସ୍ତା ଅତିକ୍ରମ କରି ଯାଉଛନ୍ତି।  ଏ ନେଇ ଆମ ପ୍ରତିନିଧି ନନ୍ଦପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଣପୁର ବ୍ଲକ ଆର.ଡବ୍ଲୁ.ଏସ.ଏସ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଉଭୟ ନଳକୂପ ସ୍ଥାପନର ବିଳମ୍ବ ଲାଗି ପରସ୍ପରକୁ ଦାୟୀ କରିଥିଲେ।

ପରିଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ସମ୍ପୃକ୍ତ ସ୍ଥାନରେ ନଳକୂପ ବସାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଗ୍ରୀଷ୍ମ ଋତୁରେ ବସିଥିବା ନଳକୂପ ଯଦି ବର୍ଷା ଋତୁ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି ତେବେ ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related posts