Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ରାଜ୍ୟ ସରକାରଙ୍କ ବସୁଧା ଯୋଜନାକୁ ଉପହାସ, ବୋରିଂ ପାଇପରେ ବନ୍ଧା ହେଉଛନ୍ତି ଗୋରୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ତିନି ମାସ ପୂର୍ବେ ଏକ ନଳକୂପ ଖୋଳାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ।  ଉକ୍ତ ସ୍ଥଳରେ କେବଳ ବୋରିଂ କରି ଛାଡିଦିଆଯାଇଛି। ଯାହା ଫଳରେ ଉକ୍ତ ବୋରିଂ ପାଇପ କୁ ଗ୍ରାମବାସୀ ମାନେ ଗୋରୁଙ୍କୁ ବାନ୍ଧିବା ନିମନ୍ତେ ଖୁଣ୍ଟ ହିସାବରେ ବ୍ୟବହାର କରୁଛନ୍ତି।

ରାଜ୍ୟ ସରକାର ପାନୀୟ ଜଳ ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଥିବା ବେଳେ ଏହାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗ୍ରୀଷ୍ମ ଦିନେ ନଳକୂପ ଖୋଳାଯାଇଥିବା ବେଳେ ବର୍ଷା ଦିନ ଆସିଲାଣି ତଥାପି ସରକାରୀ ବାବୁମାନଙ୍କ ଅବା ସରପଞ୍ଚଙ୍କ ନିଦ ଭାଙ୍ଗୁନାହିଁ। ପାଣି ପାଇଁ ଗ୍ରାମବାସୀ ମାନେ ଡହଳ ବିକଳ ହେଉଥିବାବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପ ପୋତି ହୋଇଗଲାଣି। ଏବଂ ନୂଆ ନଳକୂପର କେବଳ ଚ୍ଛାଞ୍ଚ ପଡ଼ିଛି ସିନା ହେଲେ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ।

ପାଣି ପାଇଁ ଗ୍ରାମବାସୀ ମାନେ ଦୂର ଦୁରାନ୍ତ ତଥା ବିପଦପୂର୍ଣ ରାସ୍ତା ଅତିକ୍ରମ କରି ଯାଉଛନ୍ତି।  ଏ ନେଇ ଆମ ପ୍ରତିନିଧି ନନ୍ଦପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଣପୁର ବ୍ଲକ ଆର.ଡବ୍ଲୁ.ଏସ.ଏସ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଉଭୟ ନଳକୂପ ସ୍ଥାପନର ବିଳମ୍ବ ଲାଗି ପରସ୍ପରକୁ ଦାୟୀ କରିଥିଲେ।

ପରିଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ସମ୍ପୃକ୍ତ ସ୍ଥାନରେ ନଳକୂପ ବସାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଗ୍ରୀଷ୍ମ ଋତୁରେ ବସିଥିବା ନଳକୂପ ଯଦି ବର୍ଷା ଋତୁ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି ତେବେ ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଫେଲ୍ ମାରିଛି ବସୁଧା ଯୋଜନା: ପ୍ରକଳ୍ପ କାର୍ଯ୍ୟର ୧୦ ଦିନ ପରେ ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଅନେକ ଗ୍ରାମ ଦୁର୍ଗମ ଅଂଚଳରେ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ ସରକାରୀ ସୁବିଧା ସୁଯୋଗ ଆଜି ପର୍ଯ୍ୟନ୍ତ ବହୁ ଅଞ୍ଚଳବାସୀ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି।

ବସୁଧା ଯୋଜନାରେ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟିକୋଟି ଅର୍ଥ ବ୍ୟୟବରାଦ କରୁଥିବା ବେଳେ ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗି ରହୁଛି। ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନିତି ଓ ଠିକାସଂସ୍ଥା ମାନଙ୍କ ଲାଭ ଖୋର ମନଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟଗୁଡିକ ଅତିନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି।

ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କାଟିଙ୍ଗିଆ ପଂଚାୟତର ଆଡିବଙ୍ଗା ଗ୍ରାମରେ। କାଟିଙ୍ଗିଆ ପଂଚାୟତର ୱାର୍ଡ ନଂ ୭ ରାଇକଣା, ୱାର୍ଡ ନଂ ୮ ବୁରୁମୁଣ୍ଡି ଓ ୱାର୍ଡନଂ ୯ ଆଡିବଙ୍ଗା ଏହି ତିନୋଟି ରାଜସ୍ୱଗ୍ରାମ ୧୫୦ ପରିବାର କୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇ ଗତ ୨୦୨୦ ମସିହା ଅଗଷ୍ଟ ମାସରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଦୁଇଘଣ୍ଟା ଲେଖାଏଁ ପାଣି ଯୋଗାଣ କରିବାକୁ ବିଭାଗ ତରଫରୁ ଜଣେ ଅପରେଟରକୁ ମଧ୍ୟ ନିଯୁକ୍ତି କରାଯାଇଛି।

ଦୁଃଖର ବିଷୟ ଦୁଇଦିନ ପରେ ପାଇପ ଫାଟିଯିବା ଭଳି ସମସ୍ୟା ଦେଖାଦେଇଥିବା ବେଳେ ୧୦ ଦିନ ପରେ ପାଣି ସପ୍ଲାଇ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ଲକ୍‌ଡାଉନ୍ ସଟ୍‌ଡାଉନ ଓ ବିଦ୍ୟୁତ ସମସ୍ୟାକୁ ଆଳ ଦେଖାଇ ଦିନ ଗଡାଇବାରେ ଲାଗିଛନ୍ତି ବିଭାଗୀୟ କର୍ମଚାରୀ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବ୍ଲକର ପାନୀୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ପଚାରାଯିବାରୁ ଥ୍ରୀଫେଜ୍ ବିଦ୍ୟୁତ୍ ନଥିବାରୁ ମୋଟର ସଠିକ ଭାବେ କାର୍ଯ୍ୟ କରୁନାହଁ ବିଦ୍ୟୁତ୍ ବିଭାଗ ସହ କଥାସରିଛି।

ଆସନ୍ତା ୪/୫ ଦିନ ମଧ୍ୟରେ ଠିକ ହୋଇଯିବ ବୋଲି କହିଛନ୍ତି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇପାରିନାହିଁ। ଖରାଦିନ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ଠାରୁ ଜଳାଭାବ ଦେଖାଦେଲାଣି।

ଏଣୁ ଜିଲ୍ଲା ପ୍ରଶାସନ ଏହାକୁ ବିଚାରକୁ ନେଇ ତୁରନ୍ତ ଜଳକଷ୍ଟ ଦୂର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି, ସୁଜିତ ଦିଗାଲ, ବୁବୁନ୍ ବଲ୍ୟାର ସିଂ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।