ଭୁବନେଶ୍ୱର: PAN କାର୍ଡରେ ଥିବା ଏକ ଛୋଟ ଭୁଲ୍ ଆପଣଙ୍କୁ ବଡ଼ ଆର୍ଥିକ ସମସ୍ୟାରେ ପକାଇପାରେ। ଏପରିକି ଗୋଟିଏ ବ୍ୟକ୍ତିଙ୍କ ନାମରେ ଦୁଇଟି PAN କାର୍ଡ ଥିଲେ ଆୟକର ବିଭାଗର ତଦନ୍ତର ସାମ୍ନା କରିବାକୁ ପଡ଼ିପାରେ। ଗୁଜରାଟର ଜଣେ ବାଣ ବ୍ୟବସାୟୀଙ୍କ ମାମଲା ଏବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛି। ଜଣେ କ୍ଲର୍କଙ୍କ ତ୍ରୁଟି ଯୋଗୁଁ ତାଙ୍କ ନାମରେ ଜାରି ହୋଇଥିଲା ଦୁଇଟି PAN କାର୍ଡ। ଏହାକୁ ଆଧାର କରି ଆୟକର ବିଭାଗ ତାଙ୍କ ଆୟରେ ୭.୬୦ ଲକ୍ଷ ଟଙ୍କା ଯୋଡ଼ି ଦେଇଥିଲା। ତେବେ ଏହି ମାମଲାରେ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍ (ITAT)ର ଅହମ୍ମଦାବାଦ ବେଞ୍ଚ।
ଦୁଇଟି PAN କାର୍ଡ ଯୋଗୁଁ ବଢ଼ିଲା ଅଡୁଆ
ଏହି ମାମଲା ଗୁଜରାଟର ବାଣ ବ୍ୟବସାୟୀ ଭିଜି ଅଗ୍ରୱାଲଙ୍କ ସହ ଜଡ଼ିତ। ୨୦୨୦-୨୧ ମୂଲ୍ୟାୟନ ବର୍ଷ ପାଇଁ ସେ ଗୋଟିଏ PAN କାର୍ଡ ମାଧ୍ୟମରେ ନିଜର ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ଏଥିରେ ବାଣ ବ୍ୟବସାୟରୁ ହୋଇଥିବା ସମସ୍ତ ଆୟର ବିବରଣୀ ଦେବା ସହ ଅଡିଟ୍ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ। କିନ୍ତୁ ଆୟକର ବିଭାଗ ତାଙ୍କ ନାମରେ ଥିବା ଦ୍ୱିତୀୟ PAN କାର୍ଡ ନମ୍ବରକୁ ଆଧାର କରି ନୂଆ ତଦନ୍ତ ଆରମ୍ଭ କରିଥିଲା।
ଏହି ତଦନ୍ତ ପରେ ମୂଲ୍ୟାୟନ ଅଧିକାରୀ ୨୪ ମାର୍ଚ୍ଚ ୨୦୨୫ରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ତାଙ୍କ ଆୟରେ ଅତିରିକ୍ତ ୭.୬୦ ଲକ୍ଷ ଟଙ୍କା ଯୋଡ଼ିଥିଲେ। ତେବେ ବ୍ୟବସାୟୀଙ୍କ ଯୁକ୍ତି ଥିଲା ଯେ, ଏହି ଆୟ ଦ୍ୱିତୀୟ PAN କାର୍ଡ ଅଧୀନରେ ପୂର୍ବରୁ ଦାଖଲ ହୋଇଥିବା ରିଟର୍ଣ୍ଣରେ ଦର୍ଶାଯାଇଛି। ତେଣୁ ସମାନ ଆୟକୁ ଦୁଇଥର ଗଣନା କରି ଅତିରିକ୍ତ ଟିକସ ଲଗାଇବା ଠିକ୍ ନୁହେଁ।
ବ୍ୟାଙ୍କ ଷ୍ଟେଟମେଣ୍ଟଠାରୁ ଶପଥପତ୍ର, ଦେଇଥିଲେ ଅନେକ ପ୍ରମାଣ
ନିଜ ପକ୍ଷ ରଖିବା ପାଇଁ ଅଗ୍ରୱାଲ ବ୍ୟାଙ୍କ ଷ୍ଟେଟମେଣ୍ଟ, ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିଙ୍କ ଆକାଉଣ୍ଟ ବିବରଣୀ ଏବଂ ଅନ୍ୟାନ୍ୟ ଦସ୍ତାବିଜ ଦାଖଲ କରିଥିଲେ। ଏଥିସହ ଦୁଇଟି PAN କାର୍ଡ ଜାରି ହେବା ପଛରେ ଜଣେ କ୍ଲର୍କଙ୍କ ତ୍ରୁଟି ଥିବା ଦର୍ଶାଇ ଏକ ଶପଥପତ୍ର ମଧ୍ୟ ଦେଇଥିଲେ। ତେବେ ପ୍ରଥମ ଆପିଲ୍ ସମୟରେ ସେ ନିଜ ପକ୍ଷରେ ଆବଶ୍ୟକ ପ୍ରମାଣ ଓ ଯୁକ୍ତି ଉପଯୁକ୍ତ ଭାବେ ଉପସ୍ଥାପନ କରିପାରି ନଥିଲେ। ଫଳରେ ଆପିଲ୍ କର୍ତ୍ତୃପକ୍ଷ ଆୟକର ବିଭାଗର ନିଷ୍ପତ୍ତିକୁ କାଏମ ରଖିଥିଲେ।
ITAT ଦେଲେ ଆଉ ଏକ ସୁଯୋଗ
ପ୍ରଥମ ଆପିଲରୁ ନିରାଶ ହେବା ପରେ ବ୍ୟବସାୟୀ ଜଣକ ଅହମ୍ମଦାବାଦ ସ୍ଥିତ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍ (ITAT)ର ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ୍ ପୂର୍ବ ଆପିଲ୍ ଆଦେଶକୁ ପ୍ରତ୍ୟାହାର କରିବା ସହ ମାମଲାକୁ ପୁନଃ ଯାଞ୍ଚ ପାଇଁ ମୂଲ୍ୟାୟନ ଅଧିକାରୀଙ୍କ ନିକଟକୁ ଫେରାଇ ଦେଇଛନ୍ତି।
ଏବେ ମୂଲ୍ୟାୟନ ଅଧିକାରୀ ପୁନର୍ବାର ଯାଞ୍ଚ କରିବେ ଯେ ବ୍ୟବସାୟୀ ଦ୍ୱିତୀୟ PAN କାର୍ଡ ଅଧୀନରେ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ୭.୬୦ ଲକ୍ଷ ଟଙ୍କାର ଆୟ ପୂର୍ବରୁ ଦର୍ଶାଇଥିଲେ କି ନାହିଁ। ଏହାପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ତେବେ କ’ଣ ୭.୬୦ ଲକ୍ଷ ଟଙ୍କାର ଟିକସ ଛାଡ଼ ହୋଇଗଲା?
ଏଠାରେ ଜାଣିବା ଜରୁରୀ ଯେ ITATଙ୍କ ଏହି ନିଷ୍ପତ୍ତିର ଅର୍ଥ ବ୍ୟବସାୟୀଙ୍କ ଉପରେ ଲାଗିଥିବା ୭.୬୦ ଲକ୍ଷ ଟଙ୍କାର ଆୟ ବୃଦ୍ଧି ସମ୍ପୂର୍ଣ୍ଣ ରଦ୍ଦ ହୋଇଯାଇଛି, ତାହା ନୁହେଁ। ବରଂ ତାଙ୍କୁ ନିଜ ପକ୍ଷ ରଖିବା ଓ ପ୍ରମାଣ ଦାଖଲ କରିବା ପାଇଁ ଆଉ ଏକ ସୁଯୋଗ ମିଳିଛି। ପୁନଃ ଯାଞ୍ଚ ପରେ ଯଦି ଆୟ ପୂର୍ବରୁ ଘୋଷଣା ହୋଇଥିବା ପ୍ରମାଣିତ ହୁଏ, ତେବେ ଦୁଇଥର ଟିକସ ଲାଗୁ ହେବାର ପ୍ରଶ୍ନ ଉଠିବ ନାହିଁ।
ଏହି ମାମଲା ଟିକସଦାତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା। ତେଣୁ PAN କାର୍ଡ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା, ଏକାଧିକ PAN କାର୍ଡ ଥିଲେ ନିୟମ ଅନୁଯାୟୀ ସମାଧାନ କରିବା ଏବଂ ଆୟକର ରିଟର୍ଣ୍ଣର ସମସ୍ତ ତଥ୍ୟ ଠିକ୍ ଭାବେ ଦାଖଲ କରିବା ଅତ୍ୟନ୍ତ ଜରୁରୀ।


