Categories
ବିଶେଷ ଖବର

ରାଜନୀତିରେ ମର୍ଯ୍ୟାଦା ରକ୍ଷା ନକଲେ ବାରମ୍ବାର ପ୍ରତ୍ୟାଖ୍ୟାତ ହେବେ: ବିଜେଡ଼ି

ଭୁବନେଶ୍ଵର: ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ବିଷୟକୁ ନେଇ ପୁଣିଥରେ ଜଣେ ବିଜେପି ନେତା ଅରୁଚିକର, ଅବାନ୍ତର ଏବଂ ଦାୟିତ୍ଵହୀନ ମନ୍ତବ୍ୟ ଦେଇଛନ୍ତି। ଜୀବନରେ ଥରେ କାଉନସିଲର ଭୋଟରେ ବି ଜିତି ନଥିବା ଏହି ବିଜେପି ନେତାଙ୍କୁ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା। ଆଜି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ଦେଇଥିବା ବିବୃତିର ଜବାବ ଦେବାକୁ ଯାଇ ଏଭଳି ତୀବ୍ର ସମାଲୋଚନା କରିଛି ବିଜେଡି।

ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଇସ୍ପିତା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ପୂର୍ବରୁ ବିଜେପି ଦଳରେ ଥିବା କିଛି ଅଭ୍ୟାସଗତ ଅପରାଧୀ ନେତା ନବ ଦାସ ହତ୍ୟାକାଣ୍ଡକୁ ନେଇ ଅନେକ ବାର ପାଗଳଙ୍କ ଭଳି ପ୍ରଳାପ କରିଛନ୍ତି ଏବଂ ଅପମାନିତ ହୋଇଛନ୍ତି। ଏବେ ଆଉ ଜଣେ ବିଜେପି ନେତା ମଧ୍ୟ ଏଭଳି ଅରୁଚିକର ଓ ଦାୟିତ୍ଵହୀନ ମନ୍ତବ୍ୟ ଦେଇ ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି। କାହା ବିରୋଧରେ ଗଣମାଧ୍ୟମରେ କିଛି ବିବୃତି ଦେବା ପୂର୍ବରୁ ଏହି ବିଜେପି ନେତା ଜଣକ ମନେ ରଖିବା ଉଚିତ ଯେ ଏହା ଅନ୍ୟ ରାଜ୍ୟରେ ବେପାର କରି କୋଟି କୋଟି ଟଙ୍କା ହରିଲୁଟ କରିବା ଭଳି ବିଷୟ ନୁହେଁ।

ରାଜନୀତିରେ ସର୍ବନିମ୍ନ ମୂଲ୍ୟବୋଧ ଓ ମର୍ଯ୍ୟାଦା ରକ୍ଷା କରିବା ଜରୁରୀ। ଯେଉଁମାନେ ଏହାର ସୀମା ଲଂଘନ କରି ଶସ୍ତା ଓ ହୀନ ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତି ଦେଉଥିବେ, ଲୋକେ ସେମାନଙ୍କୁ ବାରମ୍ଵାର ପ୍ରତ୍ୟାଖ୍ୟାନ କରୁଥିବେ  ବୋଲି ସୁଶ୍ରୀ ସାହୁ କହିଛନ୍ତି।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟୁଇଟ୍ କରି ଅନୁରୋଧ କଲେ ବର୍ଷା ସିଂ ବରିହା: ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ଆପଣଙ୍କ ଦଳର ନେତାଙ୍କୁ କ୍ଷାନ୍ତ ରଖନ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ୍ କରି ଏପରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା।

ଶ୍ରୀମତୀ ବରିହା ନିଜ ଟୁଇଟ୍ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରୁଥିଲେ। ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ। ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଥିଲେ। ଏହା ମୋତେ ଏବଂ ମୋ ପରିବାରକୁ ଗଭୀର ମାନସିକ ଆଘାତ ଦେଇଥିଲା। ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ। ତଥାପି ଆପଣ କିଛି କଲେନି, ବୋଧେ ଜାଣିଶୁଣି ନିରବ ରହିଲେ। ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା।

ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂଘାର ପାଇଁ ଯେଉଁ ଉଦ୍ୟମ ହେଉଛି, ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ, ତାହା ମୁଁ ଅନୁଭବ କରିପାରୁଛି। ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ। ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ଜଣେ ମୃତ ବ୍ୟକ୍ତିଙ୍କ ସଂପର୍କରେ ସେମାନେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆ ଉଦାହରଣ ସୃଷ୍ଟି କରିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାବାସୀଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି। କୋଭିଡ ମହାମାରୀ ସମୟରେ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଏହି ମହାମାରୀକୁ ପ୍ରତିହତ କରିପାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି କହିଛନ୍ତି।

ଏହି ପରିସ୍ଥିତିରେ ସୋଆ ରାଜ୍ୟ ସରକାରଙ୍କ ସହ ମିଶି ମହାମାରୀର ମୁକାବିଲା କିରବାରେ ସହାୟକ ହୋଇଥିଲା ବୋଲି ପ୍ରକାଶ କରି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି।

ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ର‌୍ୟୁମାଟୋଲଜି ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ନିଜ ବକ୍ତବ୍ୟରେ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ଭାବେ ବର୍ଣ୍ଣନା କରିଥିଲେ। ଡାକ୍ତରମାନେ ଅବସର ନିଅନ୍ତି ନାହିଁ ମାତ୍ର ଜୀବନବ୍ୟାପୀ ରୋଗୀ ସେବାରେ ନିୟୋଜିତ ରହିଥାନ୍ତି ବୋଲି ସେ କହିଥିଲେ।

ଓଡ଼ିଶା ସରକାର କୋଭିଡ୍ ମହାମାରୀ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପରିଚାଳନା କରିଥିବା ବେଳେ କୋଭିଡ ପରବର୍ତୀ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚଳନ କରିବା ଦ୍ୱାରା ଅନେକ ଗରିବ ବ୍ୟକ୍ତି ଉପକୃତ ହେଉଛନ୍ତି ବୋଲି ଶ୍ରୀ ଦାସ କହିଥିଲେ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ୧୯୯୬ ମସିହା ଅକ୍ଟୋବର ୧୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସକୁ ବିଶ୍ୱ ଗଣ୍ଠିବାତ ଦିବସ ରୂପେ ଘୋଷଣା କରିଥିଲା। ଏହି ରୋଗ ସମ୍ପର୍କରେ ସୂଚନା ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ଗଣ୍ଠିବାତ ସମସ୍ୟା ୩୦ ବର୍ଷ ପରେ ଯେ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରିପାରେ। ତେଣୁ ଯୁବପିଢ଼ୀ ନିଜ ଜୀବନ ଶୈଳୀ ଓ ଖାଦ୍ୟ ଗ୍ରହଣ ପ୍ରକ୍ରିୟାରେ ପରିବର୍ତନ ଆଣିବା ଉଚିତ୍ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ବିଏସ୍‌କେୱାଇ ଯୋଜନାରେ ସମ୍ ହସ୍ପିଟାଲ୍‌ରେ ଲୋକମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଆର୍ଥାଇଟିସ (ଗଣ୍ଠିବାତ) ରୋଗରୁ ସୁସ୍ଥ ହେବା ନିମନ୍ତେ ଠିକ୍ ସମୟରେ ଚିକିତ୍ସା କରାଇବା ଉପରେ ଉଭୟ ଗୁରୁତ୍ୱ ଆରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ର‌୍ୟୁମାଟୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ର ସ୍ୱାଗତ ଭାଷଣ ଦେବା ସହ ଆୟୋଜିତ “ଆର୍‌ଥାରାଇଟିସ୍ ଇଜ୍ ଟ୍ରିଟେବଲ୍‌, ଡୋନ୍‌ଟ୍ ଇଗ୍ନୋର ଇଟ୍‌” ଶୀର୍ଷକ ସିଏମ୍‌ଇରେ ଗଣ୍ଠିବାତ ରୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।

ଗଣ୍ଠିବାତ ରୋଗ ଶରୀରର ବିଭିନ୍ନ ଅଂଗ ଏବଂ ରକ୍ତ କଣିକାକୁ ଆକ୍ରାନ୍ତ କରିଥାଏ। ତେଣୁ ଏ ନେଇ ଉପଯୁକ୍ତ ପରୀକ୍ଷଣ ଓ ଚିକିତ୍ସା କରିବା ଦ୍ୱାରା ହିଁ ଏହି ରୋଗକୁ ନିୟନ୍ତ୍ରଣକୁ ଅଣାଯାଇପାରିବ । ସବୁବର୍ଗର ଲୋକଙ୍କୁ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି। ତେଣୁ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ପାତ୍ର କହିଛନ୍ତି।

କାର୍ଯ୍ୟକ୍ରମ ଶେଷରେ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ବୁଧବାର ସକାଳେ ବିଶ୍ୱ ଗଣ୍ଠିବାତ ଦିବସକୁ ନେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମାଷ୍ଟର କ୍ୟାନ୍‌ଟିନ୍ ଛକରୁ ରାମ ମନ୍ଦିର ଛକ ଯାଏଁ ଏକ ସଚେତନତା ର‌୍ୟାଲିର ଆୟୋଜନ କରାଯାଇଥିଲା। ଏହି ର‌୍ୟାଲିରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଗଣ୍ଠିବାତ ରୋଗର ସଚେତନତା ସମ୍ପର୍କରେ ମତ ରଖିଥିଲେ।

ଏହି ର‌୍ୟାଲିରେ ସୋଆର ଚିଫ୍ ଭିଜିଲାନ୍ସ ଅଫିସର ଯୁଗଳ କିଶୋର ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ର‌୍ୟୁମାଟୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ର ଏବଂ ନର୍ସିଂ ସୁପରିଟେଣ୍ଡେଂଟ୍ ମିନତୀ ମିଶ୍ରଙ୍କ ସମେତ ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏକ ସୁନ୍ଦର ବାଲୁକା ଶିଳ୍ପ ପୁରୀ ବେଳାଭୂମିରେ ପ୍ରସ୍ତୁତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଜାତୀୟ କର୍ମଶାଳାରେ କଣ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ଦିନରୁ ଏକ ହେଲଥ ୟୁନିଭରସିଟିର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି। ଏହା ଦେଶର ୧୭ତମ ହେଲଥ୍‌ ୟୁନିଭରସିଟି ଭାବେ ପରିଗଣିତ ହେବ। ରାଜ୍ୟ ସରକାର ସମସ୍ତଙ୍କୁ ହାତପାଆନ୍ତାରେ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’କୁ ପାଥେୟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗେଇ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି।

ଓଡ଼ିଶା ହେଲଥ୍‌ ୟୁନିଭରସିଟି ଆନୁକୂଲ୍ୟରେ ଆୟୋଜିତ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟର ଏକ ଦୃଷ୍ଟିକୋଣ ଯୋଜନା ପ୍ରସ୍ତୁତ କରିବା ପାଇଁ ସାରା ଦେଶର ବିଶିଷ୍ଟ ଚିକିତ୍ସାବିତ୍‌, ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସାଇନ୍ସର ଡିନ୍‌ ବାଙ୍ଗାଲୁରୁ, ସ୍ୱାସ୍ଥ୍ୟ ବିଭାଗର ପ୍ରଶାସକ, ମେଡିକାଲ କଲେଜର ନିର୍ଦ୍ଦେଶକ, ଡିନ୍‌ ଏବଂ ପ୍ରିନ୍ସିପାଲ୍‌ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଏବେ ଓଡ଼ିଶାରେ ନୂଆକରି ୭ଟି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଚାଲୁରହିଛି। ଆଗରୁ ୩ଟି ସରକାରୀ ମେଡିକାଲ କଲେଜ ଥିଲା। ଏବେ ୧୦ଟି ମେଡିକାଲ କଲେଜ ସହିତ ହୋମିଓପାଥି, ଆୟୁର୍ବେଦ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଚାଲୁରହିଛି। ଏବେ ଏହିସବୁ ଅନୁଷ୍ଠାନଗୁଡ଼ିକ ଗୋଟିଏ ସ୍ଥାନରେ ଓଡ଼ିଶା ହେଲଥ୍‌ ୟୁନିଭରସିଟି ମଧ୍ୟରେ ରହିବେ। ଏହା ଦ୍ୱାରା ଗୋଟିଏ ୟୁନିଫର୍ମ ଷ୍ଟାଣ୍ଡାର୍ଡର ମେଡିକାଲ ଶିକ୍ଷା ପ୍ରଚଳିତ ହେବ। ନିୟମିତ ତାଲିମ, ସମୟାନୁଯାୟୀ ପରୀକ୍ଷା ଓ ଫଳ ପ୍ରକାଶ ହେବ। ଏହା ସହ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ଦ୍ୱାରା ପରିଚାଳିତ ଏହି କର୍ମଶାଳାରେ ଡିଏମ୍‌ଇଟି ପ୍ରଫେସର ଡା. ରମାରମଣ ମହାନ୍ତି, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ପ୍ରଫେସର ଡା. ଦତ୍ତେଶ୍ୱର ହୋତା ପ୍ରମୁଖ ଯୋଗଦେଇଥିଲେ।
ଏହି କର୍ମଶାଳାରେ କିଟ୍‌ ୟୁନିଭରସିଟିର ପ୍ରୋ-ଚାନ୍‌ସେଲର ପଦ୍ମଶ୍ରୀ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, ଗୌହାଟୀ ହେଲଥ୍‌ ୟୁନିଭରସିଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର ଧ୍ରୁବଜ୍ୟୋତି ବୋରା, ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସାଇନ୍ସ, ବାଙ୍ଗାଲୁରୁର ଡିନ୍‌ ପ୍ରଫେସର ଉଷା ବିଜୟରାଘବନ୍‌, ମହାରାଷ୍ଟ୍ରର ଡିଏମ୍‌ଇଟି ପ୍ରଫେସର ଦିଲ୍ଲୀପ ଗୋବିନ୍ଦରାଓ ମହିସେକର, ୱେଷ୍ଟବେଙ୍ଗଲ ହେଲଥ୍‌ ୟୁନିଭରସିଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର ଶୁହ୍ରିତା ପଲ, ମହାରାଷ୍ଟ୍ର ହେଲଥ୍‌ ୟୁନିଭରସିଟିର ଡିନ୍‌ ପ୍ରଫେସର ସଚିନ ମୁମ୍ବ୍ରେ, କେରଳ ହେଲଥ୍‌ ୟୁନିଭରସିଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର ମୋହନନ୍‌ କୁନ୍ନୁମାଲ୍‌, ଆନ୍ଧ୍ରପ୍ରଦେଶ ହେଲଥ୍‌ ୟୁନିଭରସିଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର ଶ୍ୟାମ ପ୍ରସାଦ ପିଗିଲାମ୍‌ ପ୍ରମୁଖ ଯୋଗଦେଇଥିଲେ ।

ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ସାଂଗଠନିକ ଢାଞ୍ଚା, ଅଭିନବ ପାଠ୍ୟକ୍ରମର ବିକାଶ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଉତ୍କର୍ଷ କେନ୍ଦ୍ର ସହିତ ଅନୁସନ୍ଧାନ ଏବଂ ସହଯୋଗ, ବିଶ୍ୱବିଦ୍ୟାଳୟ କାର୍ଯ୍ୟର ଡିଜିଟାଇଜେସନ୍‌, ଅଧ୍ୟାପନା କ୍ଷେତ୍ରରେ ବିକାଶ, ଆଭ୍ୟନ୍ତରିଣ ସହଯୋଗ ଏବଂ ପ୍ରତିଷ୍ଠିତ ମହାବିଦ୍ୟାଳୟର ଭୂମିକା ସଂପର୍କରେ ଆଲୋଚନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ଯେପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ବୀମା କଂପାନୀ, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ବୀମାଭୁକ୍ତ ଚାଷୀମାନଙ୍କର କ୍ଷତିପୂରଣ ପ୍ରଦାନ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଚାଷୀମାନଙ୍କୁ ବୀମା ପ୍ରଦାନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଆଶୁ ସମାଧାନ କରି ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂପୃକ୍ତ ବୀମା କଂପାନୀ ଓ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପାଣିପାଗର ଅନିଶ୍ଚିତତା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସମସ୍ତ ଚାଷୀ ଫସଲବୀମା ପଂଜୀକରଣ କରି ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ଫସଲବୀମାରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ କରି କ୍ଷତି ଆକଳନ ପ୍ରକ୍ରିୟାକୁ ନିର୍ଭୁଲ ଓ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ସମବାୟ ବିଭାଗର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ନିବନ୍ଧକ ସମବାୟ ସମିତି ଶ୍ରୀ ଉଦ୍ଧବ ଚରଣ ମାଝୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡ. ବି.ବିି. ନନ୍ଦଙ୍କ ସମେତ ରିଲାଏନ୍ସ ଜିଆଇସି ଲିମିଟେଡ୍‌ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ଅଧିକାରୀ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, କୁଲାବିରା, ଲାଇକେରା, କିରିମିରା ଓ ଝାରସୁଗୁଡ଼ା ବ୍ଲକ୍‌ର ଅନେକ ଚାଷୀ ଉପସ୍ଥିିତ ଥିଲେ ।