ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

Published: Jun 10, 2022, 11:34 am IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ଯେପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ବୀମା କଂପାନୀ, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ବୀମାଭୁକ୍ତ ଚାଷୀମାନଙ୍କର କ୍ଷତିପୂରଣ ପ୍ରଦାନ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଚାଷୀମାନଙ୍କୁ ବୀମା ପ୍ରଦାନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଆଶୁ ସମାଧାନ କରି ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂପୃକ୍ତ ବୀମା କଂପାନୀ ଓ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପାଣିପାଗର ଅନିଶ୍ଚିତତା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସମସ୍ତ ଚାଷୀ ଫସଲବୀମା ପଂଜୀକରଣ କରି ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ଫସଲବୀମାରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ କରି କ୍ଷତି ଆକଳନ ପ୍ରକ୍ରିୟାକୁ ନିର୍ଭୁଲ ଓ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ସମବାୟ ବିଭାଗର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ନିବନ୍ଧକ ସମବାୟ ସମିତି ଶ୍ରୀ ଉଦ୍ଧବ ଚରଣ ମାଝୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡ. ବି.ବିି. ନନ୍ଦଙ୍କ ସମେତ ରିଲାଏନ୍ସ ଜିଆଇସି ଲିମିଟେଡ୍‌ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ଅଧିକାରୀ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, କୁଲାବିରା, ଲାଇକେରା, କିରିମିରା ଓ ଝାରସୁଗୁଡ଼ା ବ୍ଲକ୍‌ର ଅନେକ ଚାଷୀ ଉପସ୍ଥିିତ ଥିଲେ ।

Related posts