Categories
ଆଜିର ଖବର

ନବରଙ୍ଗପୁର ଜିଲ୍ଲାର ପାରମ୍ପରିକ ଲାଖ ହସ୍ତ ଶିଳ୍ପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ହସ୍ତ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ପାରମ୍ପରିକ ଲାଖ ହସ୍ତ ଶିଳ୍ପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜାତୀୟ ହସ୍ତ ଶିଳ୍ପ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଗୁରୁ ଶିଷ୍ୟ ପରମ୍ପରା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଲାଖ କାରୁକାର୍ଯ୍ୟରେ ଦକ୍ଷତା ବିକାଶ ପାଇଁ ଏହି ତାଲିମ ପ୍ରଦାନ କରାଯାଉଛି। ଦୁଇ ମାସ ଧରି ଅନୁଷ୍ଠିତ ହେଉଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ମହିଳା ଲାଖ କାରିଗର ତାଲିମ ଗ୍ରହଣ କରିଛନ୍ତି। ତାଲିମ କାରିଗରଙ୍କୁ ମାସିକ ୭୫୦୦ ଟଙ୍କାର ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଛି। ଲାଖ କାରିଗର ରୂପେ ରାଜ୍ୟ ପୁରସ୍କାର ପାଇଥିବା ପ୍ରଭାତୀ ପାତ୍ର ମାଷ୍ଟର କ୍ରାଫ୍ଟ ୱମାନ ରୂପେ ରାଲିମ ପ୍ରଦାନ କରୁଛନ୍ତି। ଦୈନିକ ୬ ଘଣ୍ଟା ତାଲିମ ପ୍ରଦାନ କରାଯାଉଛି।

ପାରମ୍ପରିକ ଲାଖ କାରୁକାର୍ଯ୍ୟ ସହ ଲାଖ ଉପରେ ବିଭିନ୍ନ ନୂତନ ନୂତନ ଡିଜାଇନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ପାରମ୍ପରିକ ଖେଳନା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁ ଥିବାରୁ ଏହି ତାଲିମରେ କାରିଗର ମାନେ ଖେଳଣା ପ୍ରସ୍ତୁତି ରେ ଗୁରୁତ୍ୱ ଦେଇଥିଲେ। ଏଥି ସହ ମାଟି ଗ୍ଲାସ ଓ କପ ଓ ଗିନା ରେ ଲାଖ କାମ ର ତାଲିମ ନେଇଛନ୍ତି।ମାଟି କିମ୍ବା ବାଉଁଶ ସାମଗ୍ରୀ ଉପରେ ଲାଖ କାରୁକାର୍ଯ୍ୟ ବି କଷ୍ଟ କର। ନିଆଁର ଧାସ ନିକଟରେ ରହି ହିଁ ଏହି ଲାଖ କାମ କରିହୁଏ। ଗଛରୁ ସଂଗୃହିତ ଲାଖକୁ ଧୋଇ ପାଛୁଡ଼ି ଶୁଖାଇବା ପରେ ତାକୁ କପଡା ରେ ବାନ୍ଧି ତରଳା ଯାଏ। ତରଳା ଲାଖ ଟେଳାରେ ରଙ୍ଗ ଦିଆଯାଇ ସେଥିରୁ ସରୁସରୁ ଲାଖର ତାର ବା କାଠି ପ୍ରସ୍ତୁତ ହୁଏ। ସେହି କାଠିରେ ହିଁ ବିଭିନ୍ନ ଡିଜାଇନ ତିଆରି କରାଯାଏ।ବିବାହ ରେ ଲାଖ ଚୁଡ଼ି ପିନ୍ଧିବାର ପରମ୍ପରା ଥିବାରୁ ସ୍ୱତନ୍ତ୍ର ଭାବେ ଚୁଡ଼ି ତିଆରି ହୁଏ। ଲାଖ ପେଟିଆ, କଳସ, କଇଁଛ ସହ ନୁଆଁ ନୁଆଁ ଡିଜାଇନ ର ସାମଗ୍ରୀ ପ୍ରସ୍ତୁତି ଏହି ତାଲିମ ରେ ଲାଖ କାରିଗର ଶିଖି ପାରିଛନ୍ତି।

ଏହି ତାଲିମରେ ନୂତନ ଡିଜାଇନ ସହ ଖେଳଣା ସାମଗ୍ରୀ ପ୍ରସ୍ତୁତ କରି ଲାଖ କାରିଗର ମାନେ ବେଶ ଖୁସି ହେବା ସହ ଏପରି ତାଲିମ ପ୍ରଦାନ କରାଗଲେ ସେମାନେ ଅଧିକ ଶିଖି ପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ୩୦ଜଣ ମହିଳା କାରିଗର ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମ ରେ ତାଲିମ ଗ୍ରହଣ କରି ଜ୍ଞାନ ଆହରଣ କରିବା ସହ ସେମାନଙ୍କ କୌଳିକ ବୃତ୍ତି କୁ ଆଗେଇ ନେଇପାରିବେ ବୋଲି ମାଷ୍ଟର କ୍ରାଫ୍ଟ ୱମାନ ପ୍ରଭାତୀ ପାତ୍ର ଆଶା ପ୍ରକାଶ କରିଛନ୍ତି। ନବରଙ୍ଗପୁରର ପରିଚୟ ଥିବା ଏହି ଲାଖ ଶିଳ୍ପକୁ ଏଭଳି ତାଲିମ କାର୍ଯ୍ୟକ୍ରମ ଏକ. ନୂତନ ଦିଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ପିଏମ ସୂର୍ଯ୍ୟ ଘର ଯୋଜନା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଭାରତ ସରକାରଙ୍କ ଏକ ଜନ କଲ୍ୟାଣ ଜାରୀ ଯୋଜନା। ଏହି ଯୋଜନାରେ ଘର ଉପରେ ସୌର ପ୍ୟାନେଲ୍ ସ୍ଥାପନ କରି ମାଗଣା ବିଦ୍ୟୁତ୍ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପିଏମ ସୂର୍ଯ୍ୟ ଘର ଯୋଜନା କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଜିଲ୍ଲା ର 4 ଟି ଘରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରାଯାଇଛି।

ନବରଙ୍ଗପୁର ସହରରେ ଥିବା ଶଵାନା ବେଗମ ଙ୍କ ଘରେ ପିଏମ ସୂର୍ଯ୍ୟ ଘର ଯୋଜନା ରେ ସୋଲାର ପାନେଲ ଲଗାଯାଇଛି। 3 କିଲୋ ୱାଟ ବିଶିଷ୍ଟ ଏହି ପ୍ୟାନେଲ ଘରର ଛାତ ଉପରେ ବସା ଯାଇଛି। ଏହି ପ୍ୟାନେଲ ଜରିଆରେ ଉତ୍ପାଦିତ ବିଜୁଳି ଶବାନାଙ୍କ ଘର କୁ ଆଲୋକିତ କରୁଛି। ଟିଭି, ଫ୍ରିଜ ଏସି ସବୁ କିଛି ଚାଲିପାରୁଛି। ଏଥିପାଇଁ ମୋଟ 2 ଲକ୍ଷ 20 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେକେ ଶବାନା ଏକ ଲକ୍ଷ 80 ହଜାର ଟଙ୍କାର ଋଣ ବ୍ୟାଙ୍କରୁ ପାଇଥିଲେ। ଶବାନା ପିଏମ ସୂର୍ଯ୍ୟ ଘର ଯୋଜନାରେ 3 କିଲୋ ୱାଟ ପାନେଲ ବସାଇ ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 78 ହଜାର ଟଙ୍କା ସବ ସିଡ଼ି ମିଳିବ।

ଘରର ଛାତରେ ସୋଲାର ପ୍ୟାନେଲ୍ ସ୍ଥାପନ କରି ଘର ର ବିଦ୍ୟୁତ୍ ବିଲ୍ କମାଇବା ସହିତ ବିଜୁଳି ଉପଯୋଗ କ୍ଷେତ୍ରରେ ଆତ୍ମନିର୍ଭର ହେବେ ବୋଲି ଶାବନା ବେଗମ କହିବା ସହ ଏହି ଯୋଜନା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏଥି ସହ ପିଏମ ସୂର୍ଯ୍ୟ ଘର ଯୋଜନା କୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଥିବାରୁ ଘୋଷଣା ମୁତାବକ 60 ହଜାର ଟଙ୍କା ର ଅତିରିକ୍ତ ସବସିଡି ପାଇବେ ବୋଲି ଆଶା ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲ୍ୟ ବିବାହ ଚାଲିଥିବା ବେଳେ ହଠାତ୍ ପହଞ୍ଚିଗଲା ପୋଲିସ: ସିଡିପିଓ ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା ବଡ଼ଟେମେରା ଝରିଗାଁ ବ୍ଳକ ପଞ୍ଚାୟତ ଅଧୀନ ପଡ଼ାଲଗୁଡ଼ା ଗ୍ରାମର ଜଣେ ନାବାଳିକା ସହ ରାଇଘର ବ୍ଲକ ଭୀମାଗୁଡ଼ା ପଞ୍ଚାୟତ ଭିମାଟିକିରା ଗ୍ରାମର ଜଣେ ନାବାଳକ ସହ ବୁଧବାର ବିବାହ ହୋଉଥିଲା। ଏହି ଖବର ପାଇ ଝରିଗାଁ ସିଡିପିଓ ବିରଜା ମୋହିନୀ ପାଙ୍ଗି ସ୍ଥାନୀୟ ସରପଞ୍ଚ, ୱାର୍ଡ ସଭ୍ୟ, ପୋଲିସ ଉପସ୍ଥିତିରେ – ଉଭୟ ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ରୋକିଥିଲେ। ଝିଅ ଓ ପୁଅଙ୍କ ବିବାହ ବୟସ ହେବାପରେ ବାହା କରିବାକୁ ଉଭୟ ପ୍ରତିଶ୍ରୁତି ଦେଇଥିଲେ। ପରିବାର ଏହି ସମୟରେ ସୁପରଭାଇଜର ଟୁନି ଦେଇ ଜେନା, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।

ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲା ଆଦିବାସୀ ବହୁଳ ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁ ଏବେବି ବାଲ୍ୟ ବିବାହ ଚାଲୁଥ‌ିବା ଅଭିଯୋଗ ହୋଇଛି। ଏହି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଚାଷ

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଚାଷ କରାଯାଇଛି। ରାଜ୍ୟ ସରକାରଙ୍କ ଫ୍ରୁଟ ସ୍ପେସିଫିକ ସ୍କିମରେ ଜିଲ୍ଲାର 6 ହେକ୍ଟରରେ ଏହି ଷ୍ଟ୍ରବେରୀ ଚାଷ କରାଯାଇଛି। ଏଥିରେ ମୋଟ 8 ଲକ୍ଷ 80 ହଜାର ଚାରା ରୋପଣ କରାଯାଇଛି। ଷ୍ଟ୍ରବେରୀ ଚାଷ ପାଇଁ ନିରନ୍ତର ବୁନ୍ଦା ଜଳର ଆବଶ୍ୟକତା ଥିବାରୁ ଜମିରେ ବୁନ୍ଦା ଜଳସେଚନର ସୁବିଧା ଥିବା 28 ଜଣ ଚାଷୀଙ୍କୁ ହିତାଧିକାରୀ ରୂପେ ଚୟନ କରାଯାଇଥିଲା। ହିତାଧିକାରୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁହେକ୍ଟର ପିଛା 1 ଲକ୍ଷ 80 ହଜାର 610 ଟଙ୍କା ମିଳିବ।

ଗତ ସେପ୍ଟେମ୍ବର ମାସରେ ଷ୍ଟ୍ରବେରୀ ଚାଷ ପାଇଁ ଚୟନ ହୋଇଥିବା ଚାଷୀଙ୍କୁ ଚାରା ବଣ୍ଟନ କରାଯାଇଥିଲା। ଜିଲ୍ଲାର ସଦର ବ୍ଳକର ବାସିନୀ ପଞ୍ଚାୟ ର ଟାଙ୍ଗାଝରି ଗାଁ ଚାଷୀ କୃଷ୍ଣ ଭତରା ତାଙ୍କ ଏକର ଜମିରେ ଷ୍ଟ୍ରବେରୀ ଚାଷ କରିଛନ୍ତି। ସବୁଜ ରଙ୍ଗର ଛୋଟ ଛୋଟ ବୁଦାରୁ ଓହଳି ପଡିଛି ଲାଲ ଲାଲ ଷ୍ଟ୍ରବେରୀ। ବଡ଼ ବଡ଼ ଲାଲ ଲାଲ ଆକାର ର ଏହି ଷ୍ଟ୍ରବେରୀ ବେଶ ରସାଳ ଓ ସ୍ୱାଦିଷ୍ଟ। ପ୍ରତିଦିନ ଷ୍ଟ୍ରବେରୀ ଦୈନିକ ପ୍ରାୟ 25 କେଜି ଷ୍ଟ୍ରବେରୀ ତୋଳାଯାଉଛି। ସଦ୍ୟ ତୋଳା ଯାଇଥିବା ଷ୍ଟ୍ରବେରୀ କୁ ଓଜନ କରି କୃଷ୍ଣ ନେଇଆସନ୍ତି ନବରଙ୍ଗପୁର ବଜାର ରେ କେଜି ପିଛା 180 ଟଙ୍କାଦରରେ ଥୋକ ବେପାରୀ ଙ୍କୁ ଦେଇଦିଅନ୍ତି।

ଖୁଚୁରାରେ କେଜି ପିଛା 200 ଟଙ୍କାରେ ଷ୍ଟ୍ରବେରୀ ବିକ୍ରି କରୁଛନ୍ତି। ସରକାର ଷ୍ଟ୍ରବେରୀ ଚାଷ ପାଇଁ ସବସିଡି ଦେଉଥିବା ବେଳେ ଏଥିରେ ଯତ୍ନ ଓ ରୋଗପୋକ କମ ଥିବାରୁ ଏହି ଚାଷ ରେ ଲାଭ ଅଧିକ ବୋଲି ଚାଷୀ କୃଷ୍ଣ ଭତରା କହିବା ସହ ଅଧିକ ରୁ ଅଧିକ ଚାଷୀ ଏହି ଚାଷ କରିବା ପାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲା ଗସ୍ତରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି 

ଭୁବନେଶ୍ଵର: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ବିଧାୟକ ମନୋହର ରନ୍ଧାରୀଙ୍କ ଅଧ୍ୟକ୍ଷତାରେ ଅନ୍ୟ ୫ ଜଣ କମିଟି ସଦସ୍ୟ ବିଧାୟକ ଗୌରୀ ଶଙ୍କର ମାଝୀ, ବିଧାୟକ ରୁପୁ ଭତରା, ବିଧାୟକ ଦାଶରଥୀ ଗମାଙ୍ଗ, ବିଧାୟକ ନରସିଂହ ମାଡ଼କାମୀ, ବିଧାୟକ ରଘୁରାମ ମାଛ ପ୍ରମୁଖ କମିଟି ସଦସ୍ୟ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସମୀକ୍ଷା ବୈଠକ ରେ ଯୋଗ ଦେଇଛନ୍ତି। କମିଟି ସଦସ୍ୟ ମାନେ ଆଜି ଜିଲ୍ଲାର କୋଷାଗୁମଡା ବ୍ଳକ ଗସ୍ତ କରିଥିଲେ।

ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ଵାରା ପରିଚାଳିତ ବଡ଼ ଆମ୍ବଡ଼ା ଆଶ୍ରମ ବିଦ୍ୟାଳୟ ଓ କେରାଣ୍ଡି ମାଳ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ବିଦ୍ୟାଳୟ ଓ ହଷ୍ଟେଲ ବୁଲି ଦେଖିବା ସହ ପରିଚାଳନା ବ୍ୟବସ୍ଥା ତଦାରଖ କରିଥିଲେ। ଏଥି ସହ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ନବରଙ୍ଗପୁର ମିଶନ ଶକ୍ତି ହଲ ଠାରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ। ଜିଲ୍ଲାରେ ଅନୁସୂଚିତ ଜାତି ଜନଜାତି ବିଭାଗ, ଏମ ଏସ ଏମ ଇ, ସହ ବିଭିନ୍ନ ବିଭାଗ ର ସମୀକ୍ଷା କରିଥିଲେ।

ଜିଲ୍ଲାରେ ବିଭିନ୍ନ ଯୋଜନା ରେ ପ୍ରକଳ୍ପ ଗୁଡିକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକ ରେ ଶିକ୍ଷା ବ୍ୟବସ୍ଥା ଓ ଆନୁଷଙ୍ଗିକ ଭିତିଭୂମି ଉନ୍ନତ କରିବା ପାଇଁ କମିଟି ସଦସ୍ୟ ମାନେ ଗୁରୁତ୍ୱାରୋପ କରିଥିଲେ। ଆର୍ଥିକ ବର୍ଷ ମଧ୍ୟରେ ବାକି ରହିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କରି ବକେୟା ଅନୁଦାନ ଖର୍ଚ୍ଚ ପାଇଁ କମିଟି ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ବିଧାନସଭାର ଦୁଇ ଅଧିକାରୀଙ୍କ ସହ ଜିଲ୍ଲପାଳ ଡ଼ା ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲପାଳ ବିଶ୍ୱଜିତ ବର୍ମନ, ଜିଲ୍ଲା ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଆଇଟିଦିଏ ର ପ୍ରକଳ୍ପ ପ୍ରଶାସକ ରାଜୀବ ରଞ୍ଜନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା

ଭୁବନେଶ୍ଵର: ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାରେ ଡ୍ରପ ଆଉଟର ହାର ଅଧିକ। ସଦ୍ୟତମ ତଥ୍ୟ ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ରେ 7808 ଜଣ ଡ୍ରପ ଆଉଟ ଅଛନ୍ତି। ମୁଖ୍ୟତଃ ଅଷ୍ଟମ ରୁ ନବମ ଶ୍ରେଣୀ ଓ ଦଶମ ପରେ ଏକାଦଶୀ ଶ୍ରେଣୀକୁ ଯିବା ସମୟର ଟ୍ରାଞ୍ଜିଟ ସମୟରେ ହିଁ ଡ୍ରପ ଆଉଟ ଅଧିକ ରହେ। ଡ୍ରପ ଆଉଟ ରୋକିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୀ ପ୍ରୟାସ କରାଯାଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ର ଛାତ୍ରୀ ଯେପରି ଆର୍ଥିକ ଅନାଗ୍ରସରତା ଯୋଗୁଁ ଅଧାରୁ ପାଠ ଯେପରି ନ ଛାଡ଼ିବେ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଉଛି।

ଆସନ୍ତାକାଲି ରାଜ୍ୟରେ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଡ୍ରପ ଆଉଟ ହାର କୁ ହ୍ରାସ କରିବାରେ ଏହି ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ଏହି ଯୋଜନା ରେ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା। ରାଜ୍ୟରେ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ୧୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ଯୋଜନାରେ ୩ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହେବେ। ମୟୁରଭଞ୍ଜ ଓ ସୁନ୍ଦରଗଡ଼ ପରେ ତୃତୀୟ ସ୍ଥାନ ରେ ରହିଛି ନବରଙ୍ଗପୁର ଜିଲ୍ଲା। ନବରଙ୍ଗପୁର ଜିଲ୍ଲାର ସର୍ବାଧିକ ଛାତ୍ର ଛାତ୍ରୀ ଅଷ୍ଟମରୁ ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀକୁ ଯାଇଥିବା ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ।

ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରଙ୍କ ଡ୍ରପ ଆଉଟ ରୋକିବାକୁ ରାଜ୍ୟ ସରକାର ଏହି ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ର 12 ହଜାର 728 ଜଣ ନବମ ଶେଣୀ ଓ 4197 ଜଣ ଏକାଦଶ ଛାତ୍ର ଛାତ୍ରୀ ଅଛନ୍ତି।

ଏହି ଯୋଜନା ରେ ଛାତ୍ର ବୃତ୍ତି ପାଇଁ ସେମାନେ ଆବେଦନ କରିଛନ୍ତି।ବର୍ତ୍ତମାନ ସୁଦ୍ଧା 11ହଜାର 9 ଜଣ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ର ଛାତ୍ରୀ ମାନେ ଏହି ଯୋଜନା ରେ ବାର୍ଷିକ 5000 ଟଙ୍କା ର ଆର୍ଥିକ ସହାୟତା ପାଇବେ।ଯଦ୍ୱାରା ଜିଲ୍ଲାରେ ଡ୍ରପ ଆଉଟ ହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି,

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲା ମଣ୍ଡିରୁ ଉଠିଲାଣି ୨ ଲକ୍ଷ ୪ ହଜାର ୮୧୬ କ୍ୱିଣ୍ଟାଲ ଧାନ

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାରେ ୧୦ ତାରିଖରୁ ଧାନ ମଣ୍ଡି ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ୧୨ ଲକ୍ଷ ୮୩ ହଜାର ୬୭୧ କ୍ୱିଣ୍ଟାଲ ୬୪ କିଲୋ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ଜିଲ୍ଲାରେ ୪୨ ହଜାର ୪୧୧ ଚାଷୀ ପଞ୍ଜିକରଣ କରିଛନ୍ତି। ଗୁରୁବାର ୨୬ ତାରିଖ ସୁଦ୍ଧା ୪ ହଜାର ୫୦୨ ଚାଷୀଙ୍କ ଠାରୁ ୨ ଲକ୍ଷ ୪ ହଜାର ୮୧୬ କ୍ୱିଣ୍ଟାଲ୨୮ କିଲୋ ଧାନ କିଣାଯାଇଛି।

ତେବେ ସରକାର ଏଫ ଏ କ୍ୟୁ ଧାନ ମଣ୍ଡିରୁ କିଣାଯିବ ବୋଲି ନିର୍ଦ୍ଧାରିତ କରିଥିବା ବେଳେ ମିଲ ମାଲିକଙ୍କ ସହମତି ନହେଲେ ମଣ୍ଡିରୁ ଧାନ ଉଠୁନାହିଁ। ଅନ୍ୟ ପକ୍ଷରେ ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ଅନେକ ମଣ୍ଡିରେ ଧାନ ଭିଜି ଯାଇଛି। ଭିଜା ଧାନ ଯୋଗୁଁ ମିଲ ମାଲିକ ମାନେ ଏବେ ଚିନ୍ତାରେ ରହିଛନ୍ତି। ଏଫ ଏ କ୍ୟୁ ଧାନ ମଣ୍ଡିକୁ ଆସିବ କି ନାହିଁ ତାହା ମଧ୍ୟ ସନ୍ଦେହ ରହିଛି। ଧାନର ରଙ୍ଗ ବଦଳିଲେ ଚାଷୀଙ୍କ ଚିନ୍ତା ମଧ୍ୟ ବଢିଯିବ। ଏଫ ଏ କ୍ୟୁ ଧାନ କିଣା ଯାଉଥିବାରୁ ଅଦିନିଆ ବର୍ଷା ପାଇଁ ଚାଷୀ ଚିନ୍ତାରେ ରହିଛନ୍ତି। ଜିଲ୍ଲାରେ ୧୩ ଟି ଲ୍ୟାମ୍ପ, ୪୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୨ଟି ପାଣି ପଞ୍ଚାୟତ ଜିଲ୍ଲାରେ ଧାନ କିଣୁଛନ୍ତି। ଏଜେନ୍ସି ମାନେ ଧାନ କିଣିଲେ ମିଲ ମାନେ ଧାନ ଉଠାଇବେ।

ଅନ୍ୟ ପକ୍ଷରେ ଏଫ ଏ କ୍ୟୁ ଧାନ ସରକାର କିଣିବେ ଓ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଚାଷୀ ପାଇବ। ତେବେ ୫୯ ମଣ୍ଡି ପରିଚାଳନା ସଠିକ ଭାବେ ହେଉଛିକି ନାହିଁ ସେନେଇ ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଓ ୧୯ ଜଣ ସୁପରଭାଇଜର ନିୟୋଜିତ କରାଯାଇଛି। ତହସିଲଦାରଙ୍କ ନେତୃତ୍ୱରେ ୧୧ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଜିଲ୍ଲାର ଛତିଶଗଡ଼ ସୀମାବର୍ତ୍ତି ୪ଟି ଫାଟକରେ କଡାକଡି ଯାଞ୍ଚ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ହୃଦ ରୋଗୀ ଶିଶୁ ଚିହ୍ନଟ ଶିବିର ଅନୁଷ୍ଠିତ

ଭୁବନେଶ୍ଵର: ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ହୃଦ ରୋଗୀ ଶିଶୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସମସ୍ତ ୧୦ ଟି ବ୍ଳକ ଓ ୨ ଟି ପୌର ପାଳିକାରୁ ୬୭୦ ଜଣ ହୃଦ ରୋଗ ପୀଡିତ ଶିଶୁ ପଞ୍ଜିକୃତ କରିଥିଲେ। ସମସ୍ତ ପଞ୍ଜିକୃତ ଶିଶୁଙ୍କ ଇକୋ କରାଯାଇ ସ୍କ୍ରିନିଂ କରାଯାଇଥିଲା। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ ରାୟପୁରର ଘରୋଇ ଚିକିତ୍ସାଳୟର ହୃଦ ରୋଗ ବିଶେଷଜ୍ଞ ସମସ୍ତ ଶିଶୁ ଙ୍କ ପରୀକ୍ଷା କରିଥିଲେ।

ଗୁରୁତର ଓ ଅତି ଗୁରୁତର ହୃଦ ସମସ୍ୟା ଥିବା ଶିଶୁ ଙ୍କ ଚି଼ହ୍ନଟ କରାଯାଇ ଥିଲା। ସମସ୍ତ ଶିଶୁ ଙ୍କୁ ଅସ୍ତ୍ରୋପଚାର ଓ ଅଧିକ ଚିକିତ୍ସା ପାଇଁ ରାୟପୁର କୁ ପଠାଯିବ। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ୧୮ ବର୍ଷରୁ କମ ବୟସ ର ଶିଶୁ ଙ୍କ ଜଟିଳ ରୋଗ ର ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ କରାଯାଇଥାଏ। ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଟିମ ବିଦ୍ୟାଳୟ ଓ ପ୍ରାକ ବିଦ୍ୟାଳୟ କୁ ଯାଇ ଶିଶୁ ଙ୍କ ଚିହ୍ନଟ କରିଥିଲେ। ଏହି ଟିମ ଶିଶୁମାନଙ୍କୁ ଅଧିକ ଚିକତ୍ସା ପାଇଁ ଜିଲ୍ଲା ସ୍ତର କୁ ଆଣିଥିଲେ। ଶିଶୁ ମାନଙ୍କୁ ସେମାନଙ୍କ ଅଭିଭାବକ ଙ୍କ ସହ ଶିବିର କୁ ଅଣାଯାଇଥିଲା।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବିଧାୟକ ଗୌରୀ ଶଙ୍କର ମାଝୀ, ମନ୍ତ୍ରୀ ଙ୍କ ପ୍ରତିନିଧି ରମେଶ ସାହୁ ପ୍ରମୁଖ ଏହି ଶିବିର କୁ ଯାଇ ହୃଦ ରୋଗ ବିଶେଷଜ୍ଞ ଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ଵାରା ଜଟିଳ ରୋଗ ର ସହଳ ଚି଼ହ୍ନଟ ହୋଇପାରୁଥିବାରୁ ରୋଗର ଚିକତ୍ସା ହୋଇପାରୁଛି।

Categories
ଆଜିର ଖବର ରାଜ୍ୟ ଖବର

୩୪ ଜଣ ଇନ୍ଦ୍ରାବତୀ ବିସ୍ଥାପିତ ପାଇଲେ ଜମି ପଟ୍ଟା

ଭୁବନେଶ୍ଵର: ଦୀର୍ଘ ୩୫ ବର୍ଷ ପରେ ନିଜ ହକ୍ ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ ପରିବାର। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ତହସିଲଦାର ଇନ୍ଦ୍ରାବତୀ ବିସ୍ଥାପିତ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ୩୪ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି।

ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ଯୋଜନା ଦ୍ଵାରା ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦୫ଟି ଗ୍ରାମର ୬୯୮୯ ପରିବାର ବାସଚ୍ୟୁତ ହୋଇଥିଲେ। ସେହି ସମୟରେ ସରକାର ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଥିବା ବେଳେ ସେହି ଟଙ୍କାରେ ସେମାନେ ଅନ୍ୟତ୍ର ଜମି କିଣି ବାସ କରୁଥିଲେ। କିନ୍ତୁ ଏଯାଏଁ ସେମାନଙ୍କୁ ପଟ୍ଟା ମିଳି ନଥିଲା।

ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣ ପରିଷଦ ନେତା ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଆସୁଥିଲେ। ରାଜ୍ୟ ସରକାର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ୩୪ ଜଣ ବିସ୍ଥାପିତ ପରିବାରଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ଦୀର୍ଘ ୩୫ ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିଥିବାରୁ ବିସ୍ଥାପିତ ପରିବାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି। ତେବେ ପୁଣି ୪୦୪ ଜଣ ବିସ୍ଥାପିତ ପରିବାରଙ୍କୁ ପଟ୍ଟା ମିଳିବ ବୋଲି ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

୧୨ଟି ନଳକୂଅର ପାଣିରେ ଫ୍ଲୋରାଇଡ 

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଳକର ଗମ୍ଭାରୀଗୁଡ଼ା ପଞ୍ଚାୟତ ଖଇରଭାଡ଼ି ଗାଁରେ ପାଣି ରେ ଫ୍ଲୋରାଇଡର ପରିମାଣ ଅଧିକ ଥିବା ଜଣାଯାଇଛି। ଗାଁର ତିନୋଟି ସାହି ଗାଉଁନ୍ତିଆ ପଡା, ସର୍ଗିବାହଲି ଓ ଖଇର ବାଡ଼ି ଥିବା ସମସ୍ତ ୧୨ଟି ନଳକୂଅର ପାଣି ଆଦୌ ପିଇବା ଯୋଗ୍ୟ ନ ଥିବା ଜଣାଯାଇଛି। ନଳକୂପରୁ ବାହାରୁଥିବା ପାଣିରେ ଫ୍ଲୋରାଇଡର ମାତ୍ରା ଅଧିକ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି।

ପାଣିରେ ଫ୍ଲୋରାଇଡର ମାତ୍ରା ୨.୦୨ରୁ ୨.୦୫ ଗ୍ରାମ ରହିଛି। ଯାହାକି ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହଁ। ନିକଟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟ ମେଳା କରାଯାଇ ୧୦୮ଜଣ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରୁ ୧୪ ଜଣ ରୋଗୀ ଗୁରୁତର ରୂପେ ଆଣ୍ଠୁ ଗଣ୍ଠି ଜନିତ ଓ ଅନେକ ଦାନ୍ତ ରୋଗ ରେ ପୀଡିତ ହୋଇଥୁବା ଜଣାପଡ଼ିଥିଲା। ପରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ନବକିଶୋର ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଖଇର ବାଡ଼ି ଗ୍ରାମ ରେ ପହଂଚି ସ୍ଥିତି ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିଥିଲେ।

ସଂଗୃହିତ ୫ ଜଣଙ୍କ ରକ୍ତ ନମୁନା ଓ ୭ଟି ପାଣି ନମୁନା ରେ ଫ୍ଲୋରାଇଡ ମାତ୍ର ଅଧିକ ଥିବା ଜଣାପଡିଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ଟିମ ଚନ୍ଦାହାଣ୍ଡି ବ୍ଳକ ବିଡ଼ିଓ ଓ ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀ ଙ୍କ ସହ ସବିଶେଷ ଆଲୋଚନା କରି ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଗାଁ ରେ ଥିବା ନଳକୂଅ ପାଣି ବ୍ୟବହାର ଉପରେ କଟକଣା ଲଗାଯାଇଛି।

ଗ୍ରାମବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଯୁଦ୍ଧକାଳୀନ ଭିଭିରେ ପଦକ୍ଷେପ ଗ୍ରହଣ ସ୍ୱରୂପ ଗ୍ରାମ ଠାରୁ ଗୋଟିଏ କିଲୋମିଟର ଦୂରରେ ଏକ ନୂତନ ନଳକୂପ ଖନନ କରାଯାଇଛି। ନୂତନ ନଳକୂପ ର ପାଣି କୁ ପାଇପ ସାହାଯ୍ୟ ଷ୍ଟାଣ୍ଡ ପୋଷ୍ଟ ଯୋଗେ ଗାଁ ରେ ଯୋଗାଇ ଦିଆଯିବ। ଗ୍ରାମରେ ୧୨୨ଟି ଘର ଥିବା ବେଳେ ୭୪୨ ଜନ ସଂଖ୍ୟା ରହିଛି।

ଭୁତଳ ଜଳ ସ୍ତର କମୁ ଥିବାରୁ ପାଣିରେ ରେ ଥିବା ଫ୍ଲୋରାଇଡର ମାତ୍ରା ଅଧିକ ହେଉଥିବା ଏକ କାରଣ ହୋଇପାରେ ବୋଲି ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲା ଜଳ ଓ ପରିମଳ ମିଶନ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ରାଉତ। ପ୍ରଧାନମନ୍ତ୍ରୀ ଭୁତଳ ଜଳ ସଂରକ୍ଷଣ ଅଭିଯାନ କ୍ୟାଚ ଡି ରେଇନ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କଲେ ଭୁତଳ ଜଳ ସ୍ତର ବଢିଲେ ଫ୍ଲୋରାଇଡ ପରିମାଣ କମିବ ବୋଲି ସେ ଆଶାବାଦୀ ଅଛନ୍ତି।

ସେହିପରି ପାନୀୟ ଜଳରେ ଫ୍ଲୋରାଇଡ ର ପରିମାଣ ଅଧିକ ଥିବାରୁ ଶରୀର ବଙ୍କା ହେବା ସହ ଦାନ୍ତ ଜନିତ ରୋଗ ବୃଦ୍ଧିପାଇଥାଏ ତେଣୁ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ହିଁ ଗ୍ରାମବାସୀ କୁ ଏହି ସମସ୍ୟା ରୁ ରକ୍ଷା କରିପାରିବ ବୋଲି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ନବକିଶୋର ବେହେରା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲାର ଶ୍ରେଷ୍ଠ ୧୦୦ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଓରିଏଣ୍ଟଏସନ ପ୍ରୋଗ୍ରାମ 

ଭୁବନେଶ୍ଵର: ଆଗକୁ ମାଟ୍ରିକ ବୋର୍ଡ ପରୀକ୍ଷା ଥିବା ବେଳେ ନବରଙ୍ଗପୁର ଜିଲ୍ଲାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସୁପର ୧୦୦ ନାମରେ ଏକ ଅଭିନଵ ପ୍ରୟାସ କରିଛି ଜିଲ୍ଲା ଶିକ୍ଷା ବିଭାଗ। ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ମାତ୍ର ୭ ଜଣ ଏ-୧ ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏ-୧ ଗ୍ରେଡ଼ ପିଲାଙ୍କ ସଂଖ୍ୟାକୁ ବଢାଇବା ଲକ୍ଷ୍ୟରେ ଜିଲ୍ଲାର ଶ୍ରେଷ୍ଠ ୧୦୦ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଓରିଏଣ୍ଟଏସନ ପ୍ରୋଗ୍ରାମ।

ଏହି କ୍ୟାମ୍ପ ପାଇଁ ଜିଲ୍ଲାର ସମସ୍ତ ୧୦ ଟି ବ୍ଳକ ଓ ଦୁଇଟି ପୌରପାଳିକାରର ବଛା ବଛା ୧୦୨ ଜଣ ବିଦ୍ୟାର୍ଥୀଙ୍କୁ ଚୟନ କରାଯାଇଛି। ୧୦୨ ଜଣ ମାଟ୍ରିକ ପରୀକ୍ଷାର୍ଥୀ ୩ ଦିନ ଧରି ଏହି ଶିବିରରେ ରହି ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବେ। ଜିଲ୍ଲାର ବିଭିନ୍ନ ବିଷୟ ଭିତ୍ତିକ ୪୬ ଜଣ ଏହି ଶିବିରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବେ।

ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରୂପେ ପ୍ରଶ୍ନ ଉତ୍ତର ସେଟ ବା ଲକ୍ଷ୍ୟ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି। ଜିଲ୍ଲପାଳ ଡ଼ା ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଥବା ବେଳେ ପ୍ରଥମ ଦିନରେ ନିଜେ ୨ ଘଣ୍ଟା କ୍ଲାସ ନେଇ ପିଲାଙ୍କୁ ପାଠ ପଢ଼ାଇଥିଲେ।

ସୁପର ୧୦୦ ର ପ୍ରଥମ ପର୍ଯ୍ୟାୟ କ୍ୟାମ୍ପରେ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ବିକାଶ ସହ ମାନସିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସୂଚନା ଦେବା ସହ ଚଳିତ ମାଟ୍ରିକ ପରୀକ୍ଷା ରେ ଜିଲ୍ଲାରୁ ଅଧିକ ସଂଖ୍ୟାରେ ଛାତ୍ର ଛାତ୍ରୀ ଏ-୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନବରଙ୍ଗପୁର ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାରଙ୍କ ସହ ମିଶି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ମଧ୍ୟ ଯୋଗଦେଇ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଥିଲେ ।

ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ଆଖି ଆଗରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସେ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଏଥିରେ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଯଥା-ଆଇନଶୃଙ୍ଖଳା ପରିସ୍ଥିତି, ମତଦାନ ହାର ବୃଦ୍ଧି, ମତଦାନ କେନ୍ଦ୍ର, ମତଦାତାଙ୍କ ସୁବିଧା, ରାଜନୈତିକ ଦଳମାନଙ୍କ ମତାମତ ଓ ପ୍ରସ୍ତାବ, ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଭିନ୍ନ ଆପ୍ଲିକେସନ୍‌ର ବ୍ୟବହାର ଆଦି ବିଷୟରେ ଆଲୋଚନା କରିଥିଲେ । ଏହା ସହ ସେ ସମସ୍ତ ବିଭାଗର ଅଧିକାରୀମାନଙ୍କ ସହ ନିର୍ବାଚନ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ । ଜଙ୍ଗଲ, ପରିବହନ, ପୋଲିସ, ଅବକାରୀ, ରାଜ୍ୟ ଜିଏସ୍‌ଟି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯେପରି ଶାନ୍ତି, ଶୃଙ୍ଖଳାର ସହ ମତଦାନ ହୋଇପାରିବ ଏବଂ ମତଗଣନା ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥି ପାଇଁ ଏଡିଜି ଶ୍ରୀ ସଂଜୟ କୁମାର ଏବଂ ଡିଆଇଜି ଶ୍ରୀ ମୀନା ଏବଂ ନବରଙ୍ଗପୁର ଏସ୍‌ପି ଶ୍ରୀ ରୋହିତ ବର୍ମାଙ୍କ ସହ ଆଲୋଚନା କରିଥିଲେ ।

ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଜିଲ୍ଲାର ଇଭିଏମ୍‌ ଓ ଭିଭିପ୍ୟାଟ୍‌ େୱୟାରହାଉସ୍‌କୁ ଯାଇ ସେଠାକାର ସୁରକ୍ଷା ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ପାଇଁ ଅଂଶଗ୍ରହଣକାରୀ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛନ୍ତି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଏସବୁର ତଦାରଖ କରୁଛନ୍ତି ବୋଲି ଶ୍ରୀ ଧଳ ମତଦେଇଥିଲେ । ମତଦାନ ନେଇ ଏକ ସାମାଜିକ ସଚେତନତା ସୃଷ୍ଟି ସହ ମତଦାନକୁ ଶାନ୍ତି-ଶୃଙ୍ଖଳାର ସହ ସଂପାଦନ ନିମନ୍ତେ ଶ୍ରୀ ଧଳ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ନବରଙ୍ଗପୁର ଜିଲ୍ଲା ଗସ୍ତ ପୂର୍ବରୁ ଶ୍ରୀ ଧଳ କୋରାପୁଟ ଜିଲ୍ଲାର ଜୟପୁରଠାରେ ଥିବା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟଠାରେ ଥିବା ମତଗଣନା କେନ୍ଦ୍ର ପରିଦର୍ଶନ ସହ ସେଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର କାର୍ଯ୍ୟ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ରାୟଗଡ଼ା ଜିଲ୍ଲାରେ ଏବଂ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ମାଲକାନଗିରି ଜିଲ୍ଲରେ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏବଂ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲରେ ଚାଲିଥିବା ନିର୍ବାଚନ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକଟ କରିଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Categories
ବିଶେଷ ଖବର

ନବରଙ୍ଗପୁରର ଝରିଗାଁ ଉମରକୋଟ ରାସ୍ତା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଆଜି ଭୋର୍ ସମୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଉମରକୋଟ ରାସ୍ତାରେ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

କିଶୋର ପଟ୍ଟନାୟକ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ନୂତନ ଓ ସଂଶୋଧନ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବାକୁ ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ତର ‘ପଞ୍ଚମ ଏ’ ରୁ ‘ପଞ୍ଚମ ବି’ ଏବଂ ସ୍ତର ଚତୁର୍ଥ ରୁ ତୃତୀୟ କର୍ମଚାରୀ ପାଇଁ ପଦୋନ୍ନତି କରିବାକୁ ନିର୍ଦ୍ଦେଶ ଆସିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ଶିକ୍ଷା ବିଭାଗକୁ ବିଜ୍ଞପ୍ତି ଜାରି କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟକୁ ଆଧାର କରି ପଦୋନ୍ନତି ଦିଆଯିବା ବ୍ୟବସ୍ଥା କରିଛି। କିନ୍ତୁ, ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନଥିପତ୍ର ପ୍ରସ୍ତୁତି କରିବାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଯେଉଁଠି ନବରଙ୍ଗପୁର ଶିକ୍ଷା ବିଭାଗ ଦ୍ୱାରା ତାଲିକା ପ୍ରସ୍ତୁତି କରିବାରେ ତ୍ରୁଟିପୂର୍ଣ୍ଣ କରିବା ସହ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲଂଘନ କରାଯାଇଥିବା ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ।

ଏଥିସହ ରାଜ୍ୟ ଶିକ୍ଷା ବିଭାଗ ନିର୍ଦେଶକଙ୍କ ସ୍ପଷ୍ଟୀକରଣ ପତ୍ର ସଂଖ୍ୟା ୧୩୫୭, ତାରିଖ -୦୫.୦୫.୨୦ ପ୍ରକାରେ ପଦୋନ୍ନତି ତାଲିକା ପ୍ରସ୍ତୁତି କରିବାକୁ ଦାବି କରି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ। ଅନ୍ୟ ପଟେ ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷକ ମାନଙ୍କ ନଥିପତ୍ର ତ୍ରୁଟି ରହି ଥିବାରୁ ପୁନର୍ବାର ସମୀକ୍ଷା କରାଯାଉଛି ବୋଲି ସୂଚନା ଦେଇଛନ୍ତି।