Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ଜାପାନ ଗସ୍ତକୁ ନେଇ ବିଜୟ ପଟ୍ଟନାୟକ ସରକାରଙ୍କୁ ଫୋପାଡିଲେ ୧୦ଟି ପ୍ରଶ୍ନ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଭବନଠାରେ ଓଡ଼ିଶାରେ ଶିଳ୍ପ ସ୍ଥିତି ଓ ପ୍ରଗତି ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର “ନାମ ବଡ଼଼ା-ଦର୍ଶନ ଥୋଡା” ଧାରାରେ ଚାଲିଛନ୍ତି ।

ପୁଞ୍ଜି ନିବେଶ ପାଇଁ ସରକାର ଯାହା ବିନିଯୋଗ କରିଛନ୍ତି ତାର ଆନୁପାତିକ ଫଳ ପାଉ ନାହାନ୍ତି। ଓଡ଼ିଶାରେ ଓଡ଼ିଆ ଉଦ୍ଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶାରୁ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ମେକ୍‌-ଇନ-ଓଡ଼ିଶା ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଅଧିକାର ଆଇନ ତଥ୍ୟ ଉପରେ ଆଧାରିତ କେତେକ ପ୍ରଶ୍ନ ପଚାରି ପଚାରିଛନ୍ତି। ତାହା ହେଲା

୧-ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ୍‌, ଦୁବାଇରେ ବୈଠକ କରିଆସୁଛନ୍ତି । ତେବେ ଏ ପର୍ଯ୍ୟନ୍ତ କେତେ ବିଦେଶୀ ନିବେଶକ ଓଡିଶାକୁ ଆସିଛନ୍ତି?

୨-ଆରଟିଆଇ ତଥ୍ୟ ଅନୁସାରେ ୨୦୧୬ ମସିହା ଠାରୁ ୨୦୨୨ ମଧ୍ୟରେ କେବଳ ୫ ବିଦେଶୀ ନିବେଶକ ଓଡିଶାରେ ଶିଳ୍ପ ସ୍ଥାପନ କରିବାକୁ ଆସିଛନ୍ତି। ଯାହାର ମୁଲ୍ୟ ୧୩୬୮.୫୪ କୋଟି ଟଙ୍କା। ତେବେ ଏତେ ମହଙ୍ଗା ବିଦେଶ ଗସ୍ତ କାହିଁକି?

୩-୨୦୧୬ ମସିହାରେ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ୨୦୧୮ ମସିହାରେ ରାଜ୍ୟ ସରକାର ୩୪.୫୧କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୨୨ମସିହାରେ ଆୟୋଜିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ କେତେଜ ଣ ଓଡ଼ିଆ ସଭା ମଂଚରେ ଉପରେ ବସିଥିଲେ?

୪- ସରକାରଙ୍କ କହିବା ଅନୁସାରେ ରାଜ୍ୟରେ ମେକ୍‌-ଇନ୍‌-ଓଡ଼ିଶା ୨୦୧୬ରେ ୮୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୮୦୦୩୮ ଜଣଙ୍କୁ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ସେହିପରି ମେକ୍‌-ଇନ୍‌-ଓଡ଼ିଶା ୨୦୧୮ରେ ୨୦୨ଟି ପ୍ରକଳ୍ପରେ ୪.୨୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୨୪୧୫୧୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ସରକାରଙ୍କ ଦ୍ୱାରା ଏହାର ସମୀକ୍ଷା  କରାଯାଇଛି କି? ଯଦି ପ୍ରଶ୍ନର ଉତର ହଁ, ତେବେ ସରକାର ଏହି ଦାୟୀତ୍ୱ କାହାଉପରେ ନ୍ୟସ୍ତ କରିଥିଲେ ଓ ନିଯୁକ୍ତି ବ୍ୟକ୍ତିମାନଙ୍କ ମଧ୍ୟରୁ ଓଡ଼ିଶାରୁ କେତେ ଜଣ?

୫- କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନାହିଁ। ଓଡ଼ିଶାର କ’ଣ କୌଣସି ନିବେଶକ ନାହାଁନ୍ତି କି?

୬-ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ୍ ୱଣ୍ଡୋ ସୁବିଧା ଅଛି, ହେଲେ ଯେଉଁମାନେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କ’ଣ ବ୍ୟବସ୍ଥା ଅଛି? ଯଦି ସେମାନଙ୍କର ସମସ୍ୟା ସମାଧାନ ନ ହୁଏ ତେବେ ଏହି ବାର୍ତା ବିସ୍ତାର ହେବ ଏବଂ ଏହା ନୂତନ ନିବେଶକମାନଙ୍କୁ ପ୍ରଭାବିତ କରିବ।

୭-ଓଡ଼ିଶାରେ ଏମ୍‌.ଏସ୍‌.ଏମ୍‌.ଇ କୁ ଆକର୍ଷିତ କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି?

୮-ଓଡ଼ିଶାରେ ଡାଉନ୍‌ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନ୍‌ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ସେଗୁଡିକ ମଧ୍ୟରୁ କେତୋଟି ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି?

୯-ଓଡ଼ିଶାରେ କେତୋଟି ଏମ୍‌.ଏସ୍‌.ଏମ୍‌.ଇ ଓଡ଼ିଶାରେ ଥିବା ପ୍ରମୁଖ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି? ଏହାର ମୂଲ୍ୟ କେତେ? ଏହିସବୁ ଏମ୍‌.ଏସ୍‌.ଏମ୍‌.ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି?

୧୦-ସରକାର ଏମ୍‌.ଏସ୍‌.ଏମ୍‌.ଇର ବହୁବିଧ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି? ଯଥା ସେମାନଙ୍କର ଜମି ସମସ୍ୟା, ମାର୍କେଟିଂ ସମସ୍ୟା ଇତ୍ୟାଦି। ଏମ୍‌.ଏସ୍‌.ଏମ୍‌.ଇ ଗୁଡିକ Easy of Doing Business ର ସୁବିଧା ପାଉଛନ୍ତି କି? ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟ ଅପ୍‌ରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି?

ସୁତରାଂ ମେକ୍‌-ଇନ-ଓଡ଼ିଶା ଅଭିଯାନ କେବଳ ପ୍ରଚାରରେ ସୀମିତ ହୋଇଯାଇଛି। ରାଜ୍ୟବାସୀ ସତ୍ୟ କ’ଣ ବୁଝିବେ ଓ ତଦନୁଯାୟୀ ଆଗାମୀ ଦିନରେ ରାୟ ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ସଭାପତିତ୍ୱ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ, ଓଡିଶା ପାଇଁ ଏକ ଐତିହାସିକ ପଦକ୍ଷେପ

ଭୁବନେଶ୍ୱର: ଓଡିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଜାପାନରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ, ସିଏମ୍ ସଚିବ ୫ଟି, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଏବଂ ଇପିକୋଲର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।

ଜାପାନରେ ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାମୁଦ୍ରିକ-ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା କ୍ଷେତ୍ରର ଅଗ୍ରଣୀ ଶିଳ୍ପପତିଙ୍କୁ ନେଇ ଏହି ପ୍ରତିନିଧି ଦଳ ଆଲୋଚନା କରିବେ।

ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତି ଶ୍ରୀ ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବେ। ଏଥିରେ ଓଡିଶା ସରକାରଙ୍କ ସହଯୋଗରେ କିପରି ଇସ୍ପାତ କ୍ଷେତ୍ରରେ ପୁଂଜି ନିବେଶ ହେବ ସେ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ।

ଏହି ପ୍ରତିନିଧି ଦଳର ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ହେଲା

ଏପ୍ରିଲ୍ ୦୪, ୨୦୨୩ (ମଙ୍ଗଳବାର): ନିପନ୍ ଷ୍ଟିଲ ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତିଙ୍କ ସହିତ ବୈଠକ ।

ଏପ୍ରିଲ୍ ୦୫, ୨୦୨୩ (ବୁଧବାର): ଜାପାନିଜ କମ୍ପାନୀଗୁଡିକ ସହିତ ୱାନ ଟୁ ୱାନ ମିଟିଂ,
ଓଡିଶା ବ୍ୟବସାୟ ମିଟ୍ ୨୦୨୩ ଏବଂ ଜାପାନରେ ଥିବା ଓଡିଆ ସମ୍ପ୍ରଦାୟ ସହିତ ସାକ୍ଷାତ ସହ ରାତ୍ରୀ ଭୋଜନ।

ଏପ୍ରିଲ୍ ୦୬, ୨୦୨୩ (ଗୁରୁବାର):  ନିପନ ଷ୍ଟିଲସର କିମିଟୁ ୱାର୍କସ କାରଖାନା ପରିଦର୍ଶନ କରିବେ।

ଆସନ୍ତାକାଲି ଟୋକିଓର ଓକୁରା ଠାରେ ଓଡିଶା ବ୍ୟବସାୟ ସମ୍ମିଳନୀ ୨୦୨୩ ଆୟୋଜନ ହେବ। ଏଥିରେ ଜାପାନ ଏବଂ ନିକଟବର୍ତ୍ତୀ ଦେଶରୁ ପ୍ରାୟ ୨୦୦ ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ସିଧା ସମ୍ବୋଧିତ କରିବେ। ସେ ଓଡିଶାରେ ବର୍ତ୍ତମାନ ଉଦୀୟମାନ ବ୍ୟବସାୟ ସୁଯୋଗ ସଂପର୍କରେ ଉପସ୍ଥିତ ନିବେଶକଙ୍କୁ ଅବଗତ କରାଇବେ।

ଆଜି ଟୋକିଓରେ ପହଞ୍ଚିବା ପରେ  ମୁଖ୍ୟମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ଗସ୍ତ ଜାପାନ ଏବଂ ଓଡିଶା ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ। ଏହି ପ୍ରତିନିଧୀ ଦଳକୁ ଜାପାନ ସରକାର ଏବଂ ସେଠାକାର ଲୋକମାନେ ଯେପରି ଆତିଥ୍ୟ ପ୍ରଦାନ କରିଛନ୍ତି ସେଥିପାଇଁ ନବୀନ କୃତଜ୍ଞତା ଜଣାଇଛନ୍ତି। ନବୀନଙ୍କ ଏହି ଜାପାନା ଯାତ୍ରା ଓଡିଶା ଶିଳ୍ପ ଜଗତରେ ଏକ ଐତିହାସିକ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସିଙ୍ଗାପୁରରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେଠାରୁ ଯିବେ ଜାପାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁର ଏୟାରପୋର୍ଟରୁ ସେ ସିଧା ଜାପାନ ଗସ୍ତ କରିବେ। ସେଠାରୁ ଜାପାନ ଆଉ ସାତ ଘଣ୍ଟାର ରାସ୍ତା। ସିଙ୍ଗାପୁର ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରଙ୍କ ସହିତ ଏକ ଆଲୋଚନା କରୁଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ 5ଟି ଭି କେ ପାଣ୍ଡିଆନ।

ସେ ଜାପାନ ଗସ୍ତ ସଂପର୍କରେ ନବୀନଙ୍କ ସହିତ ଆଲୋଚନା କରୁଛନ୍ତି। ଏଥିରେ ପାଣ୍ଡିଆନ ଜାପାନ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ କେତେ ଉତ୍ସାହିତ ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ନବୀନ କହିଛନ୍ତି ଯେ, ଜାପାନ ଗସ୍ତ ନିଶ୍ଚିତ ସଫଳ ହେବ, ସେଠାରୁ ନିଶ୍ଚିତ ଭାବେ ଭଲ ପୁଂଜି ଓଡିଶାକୁ ଆସିବ ବୋଲି ଆଶା କରାଯାଉଛି। ଜାପାନରେ ଆସନ୍ତାକାଲି ନିବେଶକଙ୍କ ବୈଠକ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ପୁଣି ଥରେ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆସନ୍ତାକାଲି ପୁଣି ଥରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏଥର ଜାପାନ ଗସ୍ତରେ ଯାଉଥିବାର ଜଣାପଡିଛି। ସେ ସୋମବାର ଦିନ ଏହି ଗସ୍ତ କାର୍ଯ୍ୟ ଆରମ୍ଭ କରିବେ। ଏଥିପାଇଁ ଗତକାଲି ଶିଳ୍ପ ବିଭାଗ ମନ୍ତ୍ରୀ, ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀ ଜାପାନ ଗସ୍ତ କରିଛନ୍ତି।

ନବୀନଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜ୍ୟକୁ ପୁଂଜି ଆଣିବା। ସେଥିପାଇଁ ସେ ଶିଳ୍ପ ଏବଂ ଇଡକୋର ପ୍ରମୁଖ ଅଧିକାରୀଙ୍କୁ ନେଇ ସେ ଏହି ଗସ୍ତ କରୁଛନ୍ତି। ଏଥିରେ ନବୀନ ପ୍ରଥମେ ଜାପାନରେ ଏକ ରୋଡ ସୋ କରିବେ। ଏଥିସହିତ ସେ ବିଭିନ୍ନ ଶିଳ୍ପପତିଙ୍କ ସହିତ ବୈଠକ କରିବେ।

ନବୀନ ପ୍ରଥମେ ଟୋକିଓ ରେ ଶିଳ୍ପ ସମ୍ମିଳନୀରେ ଯୋଗଦେବେ। ଏହାପରେ ସେ କ୍ବୋଟୋ, ଓସାକା ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ 5ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନଅ ତାରିଖରେ ଓଡିଶା ଫେରିବେ ବୋଲି ଜଣାପଡିଛି।