Categories
ବିଶେଷ ଖବର

‘ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର’: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ବିରୋଧୀଙ୍କୁ ବିଲକୁଲ ଟାର୍ଗେଟ ନକରି ମୟୂରଭଞ୍ଜରେ ମାଷ୍ଟର ଷ୍ଟ୍ରୋକ ଖେଳିଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ। ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ। ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର। ବାରିପଦା ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏଭଳି କିଛି କହିଥିଲେ, ଯାହା ଏବେ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ ହୋଇଛି । ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣର ବିଭିନ୍ନ ଉଦାହରଣ ଦେଇଥିଲେ ଶ୍ରୀ ପାଣ୍ଡିଆନ୍‍। ଜିଲ୍ଲାରେ ୫୬ ଜିଲ୍ଲା ପରିଷଦ ଆସନରୁ ୫୩ ଜିଲ୍ଲା ପରିଷଦ ଆସନ ଜିତି ମ୍ୟାଜିକ କରିଛି ମୟୂରଭଞ୍ଜ । ଆଗାମୀ ଦିନରେ ଏକାଠି କାମକଲେ ୫୬ରୁ ୫୬ ଭଳି ମ୍ୟାଜିକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି। ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ। ଓଡିଶା କିଭଳି ନୂଆ ଓଡିଶା ଆଡକୁ ଅଗ୍ରସର ହେଉଛି ତାର ଗୋଟି ଗୋଟି ଉଦାହାରଣ ଦେବା ଛଳରେ ସେ ପରୋକ୍ଷରେ ବିକାଶ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହା ଯଦି ରୂପାନ୍ତରଣ ନୁହେଁ, ଏହା ଯଦି ନୂଆ ଓଡିଶାର ଯାତ୍ରା ନୁହେଁ, ତାହା ହେଲେ ଆଉ କଣ? ନିଜ ବକ୍ତବ୍ୟରେ ସେ ପ୍ରତି ପଞ୍ଚାୟତରୁ ବସ ଗଡିବା ପାଇଁ ହୋଇଥିବା ଲକ୍ଷ୍ମୀ ଯୋଜନାଠୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫାଇଭ ଟି ଅଧିନରେ ସ୍କୁଲ ଓ କଲେଜର ରୂପାନ୍ତରଣ ପ୍ରସଙ୍ଗ ଉତଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗରିବରୁ ଗରିବତମ ଲୋକଙ୍କୁ ଏଭଳି ସଶକ୍ତ କରିଛନ୍ତି ଯେ, ସେମାନେ ଆଜି ନିଜ ସନ୍ତାନଙ୍କୁ ଡାକ୍ତର, ଇଂଜିନିୟର ଭଳି ବଡ ବଡ ବୃତିରେ ଦେଖିବା ସ୍ୱପ୍ନକୁ ସାକାର କରିପାରୁଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆମ ବାପା ପରି, ଆମ ଗୁରୁ ପରି। ସେ ହେଉଛନ୍ତି ସମଗ୍ର ଓଡ଼ିଶାବାସୀଙ୍କ ପ୍ରେରଣା, ସାଢ଼େ ୪ କୋଟି ଲୋକଙ୍କ ପ୍ରେରଣା। ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରିବାର କାରଣ ହେଉଛି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବା। ଏହା ତାଙ୍କର ଏକମାତ୍ର ଲକ୍ଷ୍ୟ। ରାଜ୍ୟବାସୀଙ୍କ ପାଇଁ କାମ କରିବା ସେ ନିଜର ଭାଗ୍ୟ ବୋଲି ମନେକରନ୍ତି। ଏହି ଏକମାତ୍ର ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି। ସେ ବିଜୁ ପଟ୍ଟନାୟକଙ୍କ ପୁଅ। ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି। ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ବି ଫରକ ପଡିବନି। କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଭଲ ସରକାର ଗଠନ ଓ ନୂଆ ଓଡ଼ିଶା ଗଠନ। ଏ ସବୁ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ।

ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେବା ପୂର୍ବରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ୟ କାର୍ତ୍ତିକ ପାଣ୍ଡିଆନ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଏ ପ୍ରଶ୍ନ ପିଲାଙ୍କ ପାଇଁ ଯେତିକି ନଥିଲା, ରୂପାନ୍ତରଣକୁ ଦେଖିପାରୁନଥିବା ବିକାଶ ବିରୋଧୀଙ୍କ ପାଇଁ ଅଧିକ ଥିଲା। କେଉଁ ରାଜ୍ୟ ସମଗ୍ର ଭାରତ ବର୍ଷର କ୍ରିଡା ରାଜଧାନୀ? ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେଉଁ ରାଜ୍ୟକୁ ଜାତିସଂଘରୁ ସମ୍ମାନ ମିଳିଛି? କେଉଁ ରାଜ୍ୟ ଏବେ ବଳକା ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଛି? କେଉଁ ଜିଲ୍ଲା ଦେଶର ଏକ ନମ୍ବର ଜିଲ୍ଲା? ଏଭଳି କିଛି ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ ଫାଇଭ ଟି ଅଧ୍ୟକ୍ଷ। ପିଲାମାନେ ଉଚ୍ଚ ସ୍ୱରରେ ଏସବୁର ଉତ୍ତର ଓଡିଶା ଓ ମୟୂରଭଞ୍ଜ ବୋଲି ଯଥାକ୍ରମେ ଦେଇଥିଲେ। କଲେଜରେ ପାଠପଢୁଥିବା ପିଲାମାନେ ଯେତେବେଳେ ରୂପାନ୍ତରଣକୁ ବୁଝିପାରୁଛନ୍ତି, କିଛି ଲୋକ ଏହାକୁ କେମିତି ବୁଝୁନାହାଁନ୍ତି ବୋଲି ପରୋକ୍ଷରେ ସୂଚେଇବାକୁ ଚାହିଁଥିଲେ ଫାଇଭ ଟି ଅଧ୍ୟକ୍ଷ । ଭି.କେ. ପାଣ୍ଡିଆନଙ୍କ ମୟୂରଭଞ୍ଜ ଗସ୍ତ ବେଳେ ନୂଆ-ଓ କାର୍ଯ୍ୟକ୍ରମ ହେଉ ବା ଛଉ ପଡିଆରେ ଆୟୋଜିତ ସାଧାରଣ ସଭା, ସବୁଠି ତାଙ୍କୁ ମିଳିଥିଲା ଉଚ୍ଛସ୍ୱିତ ସମ୍ବର୍ଦ୍ଧନା। ହଜାର ହଜାର ଲୋକ ସେ ସ୍ଲୋଗାନ ଦେବା ବେଳେ ତାଙ୍କ ସହ ସ୍ୱର ମିଳାଇ କହିଥିଲେ, ଆମ ଓଡିଶା-ନବୀନ ଓଡିଶା, ଆମ ନେତା-ନବୀନ ପଟ୍ଟନାୟକ।

ଏହି ସଭାରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ମୟୂରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ବାରିପଦା ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳି ଗସ୍ତ: ଆସନ୍ତା ଏକ ବର୍ଷ ମଧ୍ୟରେ ୯୯ ପ୍ରତିଶତ ଚାଷ ଜମିକୁ ଦିଆଯିବ ଜଳସେଚନ ସୁବିଧା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ  ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।

ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ ।

ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି  ଷ୍ଟାଡିୟମ୍ ଠାରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ  । ସେହିଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଖଣ୍ଡରା ଛକ, ବୁରୁପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକ ଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକଗଣ ତାଙ୍କର ଏହି ଗସ୍ତକୁ ସ୍ବାଗତ ଜଣାଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  ।

ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କ ଠାରେ ମିଶନ୍ ଶକ୍ତି ମା ମାନଙ୍କ ସହିତ ସେମାନଙ୍କ ଜୀବନ ଜୀବିକା  ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ  । ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ  ।

ଉଦ୍ୟୋଗୀ ମାନଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରୀ ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥ ନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ  । ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟ୍ ର କାର୍ଯ୍ୟରତ ସଭ୍ୟା ଏବଂ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ  ।

ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ଠାରେ   ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର ହିତାଧିକାରୀ କୃଷକ  ମାନଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ  । ଚାଷୀ ମାନଙ୍କର ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ  ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪୧୭୩ ହେକ୍ଟର ଅର୍ଥାତ୍ ଶତକଡା ୫୯.୫୧ରୁ ୯୦.୫୬ ହେକ୍ଟର କୁ ବୃଦ୍ଧି ନିମନ୍ତେ ୬୬ଟି ପ୍ରକଳ୍ପ ମାଧ୍ୟମରେ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ସେଥିମଧ୍ୟରୁ ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ।

୨ୟ ପର୍ଯ୍ୟାୟରେ ଅବଶିଷ୍ଟ  ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ ।

ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪୪୭୦ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ୧୩,୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଅଂଶ ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳ ସେଚିତ ହେଉଅଛି  । ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୨୧୯ ହେକ୍ଟର, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ଏହିପରି ମୋଟ ଶତକଡା ୯୯.୫୦ ଭାଗ ଅଂଶରେ ଜଳସେଚନ ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ନିର୍ଦ୍ଦେଶ ଦେଇଛନ୍ତି  ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏଥି ନିମନ୍ତେ ୨୦.୪୫ କୋଟି ବ୍ୟୟ କରାଯାଇ ମୋଟ ୧୩ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ୩୭ଟି ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ହାସଲ କରାଯିବ  । ଏହା ଦ୍ଵାରା ହିଞ୍ଜିଳି ବ୍ଲକର ପ୍ରାୟ ୨୦୦୦ ଚାଷୀ ଉପକୃତ ହେବେ। ଏହି କାର୍ଯ୍ୟ ଯେଭଳି ଉନ୍ନତ ମାନର ହେବ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ  । ଉଭୟ ବ୍ଲକ୍‌ରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଜଳସେଚନା ପ୍ରକଳ୍ପ କରାଯିବ ବୋଲି ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି।

ଶେରଗଡ ଠାରୁ ବ୍ରହ୍ମପୁର ଗସ୍ତ ମଧ୍ୟରେ ଅଲାରଗଡ ଛକ, ପିପିଏମ୍ ପୁର ଗ୍ରାମ୍ୟ ଛକ, ରଙ୍ଗୁଣୀ ପାଲି ଗ୍ରାମ୍ୟ ଛକ, ବଡଖଣ୍ଡି ଆବାସ କଲୋନୀ ଛକ, ସମରଝୋଳ କାଳୀ ମନ୍ଦିର ଛକ, କୁକୁଡାଖଣ୍ଡି ଛକ, ଫାଷ୍ଟ ଗେଟ୍ ଛକ, ବିଜୁ ପଟ୍ଟନାୟକ ପାର୍କ ଠାରେ ବିପୁଳ ସ୍ଥାନୀୟ ଜନ ସାଧାରଣ ଓ ଲୋକ ପ୍ରତିନିଧି ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ସ୍ବାଗତ ଜଣାଇବା ସହିତ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  ।

ଶ୍ରୀ ପାଣ୍ଡିଆନ୍ ବ୍ରହ୍ମପୁର ଠାରେ ଅବସ୍ଥିତ ମା’ ବୁଢୀ ଠାକୁରାଣୀ ମନ୍ଦିର ଗସ୍ତ କରିଥିଲେ  । ଓଡିଶା ସରକାରଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ମା’ ବୁଢୀ ଠାକୁରାଣୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ସକାଶେ ୧୮.୯୧ କୋଟି ବ୍ୟୟରେ ମନ୍ଦିର ରେଖା ଦେଉଳ ଶୈଳୀରେ, ତିନିପାର୍ଶ୍ବ ମନ୍ଦିର ପିଢା ଦେଉଳ ଶୈଳୀରେ ନିର୍ମାଣ ହେବାକୁ ଥିବା କାର୍ଯ୍ୟ ଏବଂ ମୁଖ୍ୟ ଫାଟକର ନିର୍ମାଣ, ପୂଜାରୀ କକ୍ଷ, ଦୋକାନ ଗୃହ, ବହୁବିଧ ଗୃହର ନିର୍ମାଣ ସହିତ ପାରିପାର୍ଶ୍ବିକ ଉନ୍ନତି କିଭଳି କରାଯିବ ତାହା ସମୀକ୍ଷା କରି ଏହି କାର୍ଯ୍ୟ ଯଥାଶୀଘ୍ର ତ୍ବରାନ୍ବୀତ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।

୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍  ଏହି ଗସ୍ତ ସମୟରେ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର

ନବୀନ ଓଡିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସ୍ବାଗତ କରିବା ପାଇଁ ପ୍ରବଳ ଭିଡ

ଭୁବନେଶ୍ବର:  5ଟି ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ଭି କେ ପାଣ୍ଡିଆନଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏହି ନୂଆ ନିଯୁକ୍ତି ଘୋଷଣା ପରେ ରାଜ୍ୟର ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ମଙ୍ଗଳବାର ଦିନ ନବୀନ ନିବାସରେ ତାଙ୍କୁ ସାକ୍ଷାତ କରିବା ପାଇଁ ସେହିପରି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

ତାଙ୍କୁ ସ୍ବାଗତ କରିବା ପାଇଁ 27ଟି ସରକାରୀ ସେବା ସଂଘ ଏବଂ କେତେକ ଘରୋଇ ସଂଘ ତରଫରୁ ନବୀନ ନିବାସରେ ଭିଡ କରିଥିଲେ। ଏହି ସଂଗଠନ ମଧ୍ୟରେ ଅଛନ୍ତି ଓଡିଶା ମେଡିକାଲ ସେବା ସଂଘ, ଓଡିଶା ସୂଚନା ସେବା ସଂଘ, ଓଡିଶା ବିଦ୍ୟୁତ ସେବା କର୍ମଚାରୀ ସଂଘ, ନିଖିଳ ଓଡିଶା ବିଦ୍ୟୁତ ମଞ୍ଚ, ଓଡିଶା ଭେଟନାରୀ ସେବା ସଂଘ, ଓଡିଶା ଟାକ୍ସ ଏବଂ ଆକାଉଣ୍ଟ ସେବା ସଂଘ, ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ସଂଘ ପ୍ରଭୃତି ଅଛନ୍ତି।

ସମସ୍ତେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀ ଏବଂ ଓଡିଶା ବିକାଶର କର୍ଣ୍ଣଧାର ହୋଇ କାମ କରିଥିବାରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଓଡିଶା ରୂପାନ୍ତରଣ କାର୍ଯ୍ୟ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିଥିବାରୁ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ବର୍ତ୍ତମାନ ରାଜ୍ୟ ଏକ ଭଲ ସମୟରେ ଗତି କରୁଥିବା ବେଳେ ଭବିଷ୍ୟତରେ ଏହା ଜାରୀ ରହିବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି।

ନବୀନ ଓଡିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଓଡିଶାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସେ କହିଥିଲେ ଯେ, ଆମେ ସମସ୍ତେ ଟିମ ଓଡିଶା ହୋଇ କାମ କରିବା। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା କାର୍ଯ୍ୟରେ ସମସ୍ତେ ନିଜକୁ ନିୟୋଜିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏଥିସହିତ ସେ କହିଥିଲେ ଯେ, ସମସ୍ତେ ଏକାଠି କାମ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ସହିତ ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ କରିବା। ସମସ୍ତେ ଲୋକଙ୍କ ସେବା କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ପାଣ୍ଡିଆନ କହିଥିଲେ। ପୂର୍ବରୁ ବିଭିନ୍ନ ବର୍ଗର ଲୋକ ତଥା ରାଜ୍ୟର ବିଭିନ୍ନ ସଂଗଠନ ପାଣ୍ଡିଆନଙ୍କୁ ସାକ୍ଷାତ କରି ନୂଆ ଦାୟିତ୍ବ ନେଇ ଥିବାରୁ ଅଭିନନ୍ଦନ ଜଣାଇଥିଲେ।