Categories
ଆଞ୍ଚଳିକ

ବାଣପୁରରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ(୨୨) କିଛି ବର୍ଷ ପୂର୍ବେ ନରେନ୍ଦ୍ରପୁର ଗ୍ରାମର କନ୍ଧ ବାରିକ ଙ୍କ ପୁତ୍ର ସମୀର ବାରିକଙ୍କୁ ବିବାହ କରିଥିଲେ।

ତେବେ କାଲି ରାତିରେ ପୁଷ୍ପାଞ୍ଜଳିଙ୍କୁ ଶ୍ୱଶୁର ଘର ଲୋକ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ରେ ଭର୍ତ୍ତି କରି ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟରାତ୍ରିରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମେଡିକାଲ ପକ୍ଷରୁ ବାଣପୁର ପୋଲିସ କୁ ସୂଚନା ଦିଆଯାଇଥିଲା।

ତେବେ ପୁଷ୍ପାଞ୍ଜଳିଙ୍କ ପରିବାରବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ପୁଷ୍ପାଞ୍ଜଳି ଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକମାନେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏବଂ ପୁଷ୍ପାଞ୍ଜଳି ଙ୍କ ମୃତ୍ୟୁର ପଛରେ କୌଣସି ଏକ ରହସ୍ୟ ରହିଛି। ବାଣପୁର ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ସୂଚନା ଥାଉକି ପୁଷ୍ପାଞ୍ଜଳିଙ୍କ ଏକ ଛୋଟ ଶିଶୁ ପୁତ୍ର ଅଛି।

Categories
ଆଞ୍ଚଳିକ

ବାଣପୁର: ସମାଜସେବୀ ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅଞ୍ଚଳର ଜଣେ ପରୋପକାରୀ ଓ ରାଜନେତା ଭାବେ ଜଣାଶୁଣା ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ ଘଟିଯାଇଛି। ଶ୍ରୀଯୁକ୍ତ ବଳିୟାରସିଂହ ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଟେକ୍ସଟାଇଲ ଇଞ୍ଜିନିଅର ଭାବରେ ଜୀବିକା ଆରମ୍ଭ କରିଥିବାବେଳେ ଚାକିରୀ ଛାଡି ବିଶ୍ଵଭୂଷଣ ହରିଚନ୍ଦନଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ବିଶ୍ୱଭୂଷଣ ହରିଚନ୍ଦନଙ୍କର ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟଲୋକ ଭାବରେ କାର୍ଯ୍ୟ କରୁଥିଲେ। ବିଶ୍ୱ ଭୂଷଣ ହରିଚନ୍ଦନ ଜନତା ଦଳରେ ଥିବାବେଳେ ସେ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ସେ ବାଣପୁର ଅଞ୍ଚଳରେ ବହୁ ଗରିବ ଲୋକଙ୍କର ବ୍ଲକ ଓ ତହସିଲରେ ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁରେ କରିବାରେ ସସିଦ୍ଧହସ୍ତ ଥିଲେ।

ତେବେ ସେ ୮୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ନରେନ୍ଦ୍ରପୁରରେ ଅଭାବନୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ବାମୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୁଲା ପ୍ରଧାନ ବାଣପୁର ଥାନାରେ ଆତ୍ମସମର୍ପଣ କରିଛି। ମୃତ ସ୍ତ୍ରୀଜଣକ ହେଉଛନ୍ତି ରୋଜାଲିନ୍‌ ପ୍ରଧାନ।

ମିିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ପୁଅ ବୁଲା ପ୍ରଧାନଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ୍। ରୋଜାଲିନ୍‌ଙ୍କ  ବାପ ଘର ଭୀମପୁର ସ୍ଥିତ ବାଘୁଆପଦର। ପୂର୍ବରୁ ରୋଜାଲିନ୍ ତାଙ୍କ ସ୍ୱାମୀଙ୍କ ସହ ସୁଦୂର ହାଇଦ୍ରାବାଦରେ ଅବସ୍ଥାପନ କରୁଥିଲେ। ତେବେ କିଛି ଦିନ ପୂର୍ବେ ଉଭୟେ ନିଜ ଗ୍ରାମକୁ ଫେରି ସରକାରଙ୍କ ନିୟମ ଅନୁଯାୟୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିକଟରେ ନିଜ ଘରକୁ ଫେରିଥିଲେ।

ଘରକୁ ଫେରିବା ଦିନଠାରୁ ବୁଲା ପ୍ରଧାନ ତାଙ୍କ ପତ୍ନୀଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ରୋଜାଲିନଙ୍କ ସମ୍ପର୍କୀୟ ପିଉସୀ ଶାନ୍ତିଲତା ଦଳେଇ। ଏପରିକି ବୁଲା ପ୍ରଧାନ  ରୋଜାଲିନ୍‌ଙ୍କୁ ମାରି ତାଙ୍କ ଶାଳୀକୁ ବିବାହ କରି ତାଙ୍କ ଘରର ସମସ୍ତ ସମ୍ପତ୍ତି ହଡପ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶାନ୍ତିଲତା ଦଳେଇ। ଏହି ଘଟଣାକୁ ନେଇ ରୋଜାଲିନ ପୂର୍ବରୁ ବହୁଥର ନିଜ ପରିବାର ଲୋକଙ୍କୁ ଏବଂ ବାଣପୁର ଥାନାରେ ଅଭିଯୋଗ କରିଆସୁଥଲେ। ପୁନଶ୍ଚ ଗତକାଲି ଉଭୟେ ବାଣପୁର ଥାନାଧିକାରୀଙ୍କୁ ଲିଖିତ ଆକାରରେ ମିଳିମିଶି ଚଳିବା ପାଇଁ ସହମତି ପ୍ରକାଶ କରି ସନ୍ଧ୍ୟାରେ ଦୁଇଜଣ ନିଜ ଘରକୁ ଫେରିଥିଲେ।

ଗତକାଲି ରାତିରେ ସ୍ୱାମୀ ବୁଲା ପ୍ରଧାନ ତାଙ୍କ ସ୍ତ୍ରୀ ରୋଜାଲିନ ପ୍ରଧାନଙ୍କୁ ଗାମୁଛାରେ ତଣ୍ଟିକୁ ଚିପି ମାରିଦେବାପରେ ଆଜି ସକାଳେ ବାଣପୁର ଥାନାରେ ନିଜେ ହତ୍ୟାକୁ ସ୍ୱୀକାର କରି ପୋଲିସ ନିକଟରେ ଆତ୍ମସମର୍ପଣ କରଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ସଦଳବଳେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।