ବାଣପୁର ନରେନ୍ଦ୍ରପୁରରେ ଅଭାବନୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ବାମୀ

Published: Jul 12, 2020, 1:18 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୁଲା ପ୍ରଧାନ ବାଣପୁର ଥାନାରେ ଆତ୍ମସମର୍ପଣ କରିଛି। ମୃତ ସ୍ତ୍ରୀଜଣକ ହେଉଛନ୍ତି ରୋଜାଲିନ୍‌ ପ୍ରଧାନ।

ମିିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ପୁଅ ବୁଲା ପ୍ରଧାନଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ୍। ରୋଜାଲିନ୍‌ଙ୍କ  ବାପ ଘର ଭୀମପୁର ସ୍ଥିତ ବାଘୁଆପଦର। ପୂର୍ବରୁ ରୋଜାଲିନ୍ ତାଙ୍କ ସ୍ୱାମୀଙ୍କ ସହ ସୁଦୂର ହାଇଦ୍ରାବାଦରେ ଅବସ୍ଥାପନ କରୁଥିଲେ। ତେବେ କିଛି ଦିନ ପୂର୍ବେ ଉଭୟେ ନିଜ ଗ୍ରାମକୁ ଫେରି ସରକାରଙ୍କ ନିୟମ ଅନୁଯାୟୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିକଟରେ ନିଜ ଘରକୁ ଫେରିଥିଲେ।

ଘରକୁ ଫେରିବା ଦିନଠାରୁ ବୁଲା ପ୍ରଧାନ ତାଙ୍କ ପତ୍ନୀଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ରୋଜାଲିନଙ୍କ ସମ୍ପର୍କୀୟ ପିଉସୀ ଶାନ୍ତିଲତା ଦଳେଇ। ଏପରିକି ବୁଲା ପ୍ରଧାନ  ରୋଜାଲିନ୍‌ଙ୍କୁ ମାରି ତାଙ୍କ ଶାଳୀକୁ ବିବାହ କରି ତାଙ୍କ ଘରର ସମସ୍ତ ସମ୍ପତ୍ତି ହଡପ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶାନ୍ତିଲତା ଦଳେଇ। ଏହି ଘଟଣାକୁ ନେଇ ରୋଜାଲିନ ପୂର୍ବରୁ ବହୁଥର ନିଜ ପରିବାର ଲୋକଙ୍କୁ ଏବଂ ବାଣପୁର ଥାନାରେ ଅଭିଯୋଗ କରିଆସୁଥଲେ। ପୁନଶ୍ଚ ଗତକାଲି ଉଭୟେ ବାଣପୁର ଥାନାଧିକାରୀଙ୍କୁ ଲିଖିତ ଆକାରରେ ମିଳିମିଶି ଚଳିବା ପାଇଁ ସହମତି ପ୍ରକାଶ କରି ସନ୍ଧ୍ୟାରେ ଦୁଇଜଣ ନିଜ ଘରକୁ ଫେରିଥିଲେ।

ଗତକାଲି ରାତିରେ ସ୍ୱାମୀ ବୁଲା ପ୍ରଧାନ ତାଙ୍କ ସ୍ତ୍ରୀ ରୋଜାଲିନ ପ୍ରଧାନଙ୍କୁ ଗାମୁଛାରେ ତଣ୍ଟିକୁ ଚିପି ମାରିଦେବାପରେ ଆଜି ସକାଳେ ବାଣପୁର ଥାନାରେ ନିଜେ ହତ୍ୟାକୁ ସ୍ୱୀକାର କରି ପୋଲିସ ନିକଟରେ ଆତ୍ମସମର୍ପଣ କରଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ସଦଳବଳେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Related posts