Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମାଇକ୍ରନ୍ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ୨୦୨୩ ଜୁନ୍ ୨୧ରେ ମାଇକ୍ରନ୍ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଭେଟିଛନ୍ତି।

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ କରିଛନ୍ତି। ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ବିଭିନ୍ନ ଭାଗରେ ଭାରତ ପ୍ରତିଯୋଗିତାମୂଳକ ସୁବିଧା ପ୍ରଦାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନବମ ବାର୍ଷିକ ଅନ୍ତର୍ଜାତୀୟ ଯୋଗ ଦିବସ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ, ୨୦୨୩ରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ ଥିବା ନର୍ଥ ଲନ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ନେତୃତ୍ୱ ନେଇଥିଲେ।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌ ପାଇଁ ଯୋଗ’ ରଖାଯାଇଛି। ‘‘ବସୁଧୈବ କୁଟୁମ୍ବକମ୍‌’’ ବା ‘‘ଏକ ପୃଥିବୀ-ଏକ ପରିବାର – ଏକ ଭବିଷ୍ୟତ।’’

ଏହି କାର୍ଯ୍ୟକ୍ରମରେ ୧୩୫ରୁ ଅଧିକ ଦେଶର ହଜାର ହଜାର ଲୋକ ଅତି ଆଗ୍ରହର ସହିତ ସାମିଲ ହୋଇ ଯୋଗ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ଏଠାରେ ଆୟୋଜିତ ଗୋଟିଏ ଯୋଗ ଅଧିବେଶନରେ ସର୍ବାଧିକ ସଂଖ୍ୟକ ଦେଶର ଲୋକମାନେ ଅଂଶଗ୍ରହଣ କରିବା ଦ୍ୱାରା ଗିନିଜ୍‌ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମିଳିତ ଜାତସସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ପ୍ରସାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୭୭ତମ ମିଳିତ ଜାତିସଂଘ ମହାସଭାର ଅଧ୍ୟକ୍ଷ ସାବା କୋରୋସୀ, ନ୍ୟୁୟର୍କ ସିଟୀର ମେୟର ଏରିକ୍‌ ଆଡାମ୍ସ, ମିଳିତ ଜାତିସଂଘର ଉପମହାସଚିବ ଏବଂ ମିଳିତ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଗୋଷ୍ଠୀର ଅଧ୍ୟକ୍ଷ ସୁଶ୍ରୀ ଅମିନା ଜେ. ମହମ୍ମଦଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରିଥିଲେ। ସେହିପରି ସମାଜର ସବୁ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷ – କୂଟନୀତିଜ୍ଞ, ଅଧିକାରୀ, ଶିକ୍ଷାବିତ୍‌, ସ୍ୱାସ୍ଥ୍ୟ ପେସାଦାର, ପ୍ରଯୁକ୍ତିବିତ୍‌, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ, ଗଣମାଧ୍ୟମ ବ୍ୟକ୍ତିବିଶେଷ, କଳାକାର, ଆଧ୍ୟାତ୍ମିକ ଗୁରୁ ଏବଂ ଯୋଗ ସାଧକମାନେ ଅଂଶଗ୍ରହଣ କରିଥିଲେ।

ଯୋଗ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଯାହାକୁ ଡିସେମ୍ବର ୨୦୨୨ରେ ଭାରତର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମୟରେ ଉଦଘାଟନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନର୍ଥ ଲନ୍‌ ଠାରେ ଥିବା ପିସ୍‌ କିପିଂ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ସହିତ ସ୍ୱାସ୍ଥ୍ୟର ଡୋମେନ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ପାରସ୍ପରିକ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ:

ଟେକ୍ସାସର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଟ୍ରପିକାଲ୍ ମେଡିସିନ୍‌ର ପ୍ରତିଷ୍ଠାତା ଡିନ ଡକ୍ଟର ପିଟର ହୋଟେଜ୍‌।

ଟେକ୍ସାସରେ ଅବସ୍ଥିତ ଭାଇରୋ ଭ୍ୟାକ୍ସର ସିଇଓ ଡକ୍ଟର ସୁନୀଲ ଏ ଡାଭିଡ୍‍।

ଜେନେରାଲ୍ କାଟାଲିଷ୍ଟର ଉପଦେଷ୍ଟା ଡକ୍ଟର ଷ୍ଟିଫେନ୍ କ୍ଲାସ୍କୋ।

ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହାର୍ଟଟନ୍ ସ୍କୁଲ, ହେଲଥ କେୟାର ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଲଟନ ଆର ବୁର୍ନସ୍‍।

ଭେରିଲି ଲାଇଫ୍ ସାଇନ୍ସେସ୍‌ର ପ୍ରତିଷ୍ଠାତା ସଭାପତି ଭିଭିଆନ୍ ଏସ୍ ଲି।

ଜନ୍ ହପକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ଏବଂ ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ମେଡିସିନର ଡାକ୍ତର, ନୋବେଲ ବିଜେତା ତଥା ମଲିକୁଲାର ବାୟୋଲୋଜିଷ୍ଟ୍ ଡକ୍ଟର ପିଟର ଆଗ୍ରେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ହେଉଥିବା ଜି-୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅତୁଲ୍ୟ ଭାରତର ଭାବନା ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ, ପର୍ଯ୍ୟଟନ ମନ୍ତ୍ରୀମାନେ ବିଶ୍ୱସ୍ତରରେ ଦୁଇ ଟ୍ରିଲିୟନ ଡଲାର ମୂଲ୍ୟର ଏକ କ୍ଷେତ୍ରକୁ ପରିଚାଳନା କରିବା ସତ୍ତ୍ୱେ ସେମାନେ ନିଜେ ପର୍ଯ୍ୟଟନ ହେବାକୁ କମ୍‌ ସୁଯୋଗ ପାଇଥାନ୍ତି। ଭାରତରେ ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଗୋଆ ଠାରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଆୟୋଜନ ହେବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ, ବିଦେଶାଗତ ଅତିଥିମାନଙ୍କୁ ନିଜ ଗମ୍ଭୀର ଆଲୋଚନାରୁ କିଛି ସମୟ ବାହାର କରି ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ପର୍ଯ୍ୟଟନ ପ୍ରତି ଭାରତର ଆଭିମୁଖ୍ୟ ସଂସ୍କୃତ ପଦ୍ୟ ‘ଅତିଥି ଦେବୋ ଭବ’ ଉପରେ ଆଧାରିତ ଯାହାର ଅର୍ଥ ହେଉଛି ‘ଅତିଥି ହିଁ ଭଗବାନ। ପର୍ଯ୍ୟଟନର ଅର୍ଥ କେବଳ ନୂଆ ସ୍ଥାନ ଦେଖିବା ନୁହେଁ ବରଂ ଏହା ଏକ ବ୍ୟାପକ ଅନୁଭୂତି ପ୍ରଦାନ କରିଥାଏ। ସଙ୍ଗୀତ ହେଉ କିମ୍ବା ଖାଦ୍ୟ, କଳା କିମ୍ବା ସଂସ୍କୃତି, ଭାରତର ବିବିଧତା ବାସ୍ତବରେ ଭବ୍ୟତାପୂର୍ଣ୍ଣ। ଶ୍ରୀ ମୋଦୀ ଆହୁରି କହିଥିଲେ, ହିମାଳୟର ଉଚ୍ଚତା ଠାରୁ ଆରମ୍ଭ କରି ଘନ ଜଙ୍ଗଲ, ଶୁଷ୍କ ମରୁଭୂମି ଠାରୁ ଆରମ୍ଭ କରି ସୁନ୍ଦର ବେଳାଭୂମି ପର୍ଯ୍ୟନ୍ତ, ଦୁଃସାହସିକ କ୍ରୀଡ଼ା ଠାରୁ ଆରମ୍ଭ କରି ଧ୍ୟାନ କେନ୍ଦ୍ର ପର୍ଯ୍ୟନ୍ତ, ଭାରତରେ ସମସ୍ତଙ୍କ ପାଇଁ ସବୁକିଛି ପୂରି ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇ କହିଥିଲେ ଯେ, ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ସମୟରେ ସାରା ଦେଶର ୧୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରାୟ ୨୦୦ ବୈଠକ ଆୟୋଜନ କରୁଛି, ଏହା ଆଗନ୍ତୁକମାନଙ୍କୁ ଭିନ୍ନ ଭିନ୍ନ ଅନୁଭୂତି ପ୍ରଦାନ କରୁଛି। ସେ ଆହୁରି କହିଥିଲେ, ପୂର୍ବରୁ ଭାରତ ଭ୍ରମଣ କରିଥିବା ନିଜର ବନ୍ଧୁମାନଙ୍କୁ ଯଦି ଆପଣ ପଚାରନ୍ତି, ସେ ନିଶ୍ଚିତ ଭାବେ କହିବେ ଯେ ଅନ୍ୟ କୌଣସି ସ୍ଥାନରେ ତାଙ୍କୁ ଏଭଳି ଅନୁଭୂତି ତାଙ୍କୁ ମିଳିନାହିଁ।

ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ରରେ ଭାରତର ପ୍ରୟାସ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି କରିବା ସହିତ ଏହାର ସମୃଦ୍ଧ ଐତିହ୍ୟକୁ ସୁରକ୍ଷା ଦେବା ପ୍ରତି କେନ୍ଦ୍ରିତ। ଭାରତ ବିଶ୍ୱର ପ୍ରତ୍ୟେକ ପ୍ରମୁଖ ଧର୍ମର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଆଧ୍ୟାତ୍ମିକ ପର୍ଯ୍ୟଟନ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଅନ୍ୟତମ ପ୍ରାଚୀନ ସହର ବାରଣାସୀରେ ଭିତ୍ତିଭୂମି ଉନ୍ନତିକରଣ କାରଣରୁ ପର୍ଯ୍ୟଟକମାନଙ୍କ ଆଗମନ ଦଶଗୁଣ ବୃଦ୍ଧି ପାଇ ଆଜି ୭୦ ନିୟୁତରେ ପହଞ୍ଚିଛି। ସେ ଆହୁରି ଆଲୋକପାତ କରି କହିଥିଲେ ଯେ, ଭାରତ ଏବେ ନୂଆ ପର୍ଯ୍ୟଟନ ଆକର୍ଷଣ ନିର୍ମାଣ କରୁଛି।

ଏହି ପରିପ୍ରେକ୍ଷୀରେ ସେ ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟୀ ବିଷୟରେ କହିଥିଲେ, ଯାହାକି ଉଦଘାଟନର ଗୋଟିଏ ବର୍ଷ ମଧ୍ୟରେ ୨୭ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ବିଗତ ନଅ ବର୍ଷ ମଧ୍ୟରେ, ଦେଶରେ ସମ୍ପୂର୍ଣ୍ଣ ପର୍ଯ୍ୟଟନ ଇକୋସିଷ୍ଟମର ବିକାଶ ଉପରେ ଆମେ ବିଶେଷ ଗୁରୁତ୍ୱାରୋପ କରିଛୁ। ପରିବହନ ଭିତ୍ତିଭୂମି ଠାରୁ ଆରମ୍ଭ କରି ହସ୍ପିଟାଲିଟୀ ବା ଆତିଥେୟତା କ୍ଷେତ୍ର ପର୍ଯ୍ୟନ୍ତ, ଆହୁରି କୌଶଳ ବିକାଶ ଏବଂ ଆମର ଭିସା ପ୍ରଦାନ ପ୍ରଣାଳୀରେ, ଆମେ ପର୍ଯ୍ୟଟନ କ୍ଷେତ୍ରକୁ ଆମ ସଂସ୍କାରର କେନ୍ଦ୍ରରେ ରଖିଛୁ, ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ଯେ ଅନ୍ୟ କ୍ଷେତ୍ର ତୁଳନାରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ସାମାଜିକ ଏକତା ଏବଂ ଆର୍ଥିକ ପ୍ରଗତି ଏବଂ ଅଧିକରୁ ଅଧିକ ମହିଳା ଓ ଯୁବକମାନଙ୍କୁ ରୋଜଗାର ଦେବା ପାଇଁ ଅଧିକ ସମ୍ଭାବନା ଭରି ରହିଛି। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ପ୍ରାସଙ୍ଗିକତାକୁ ଭାରତ ମାନ୍ୟତା ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସବୁଜ ପର୍ଯ୍ୟଟନ, ଡିଜିଟାଲକରଣ, ଦକ୍ଷତା ବିକାଶ, ପର୍ଯ୍ୟଟନ ଏମଏସଏମଇ ଏବଂ ଲକ୍ଷ୍ୟସ୍ଥଳୀ ପରିଚାଳନା ଆଦି ପାଞ୍ଚଟି ଆନ୍ତଃସଂଯୁକ୍ତ ପ୍ରାଥମିକତା କ୍ଷେତ୍ର ଭାରତ ଏବଂ ତୃତୀୟ ବିଶ୍ୱର ପ୍ରାଥମିକତାକୁ ମଧ୍ୟ ପ୍ରତିଫଳିତ କରୁଛି। ଅଭିନବତାକୁ ଆଗେଇ ନେବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅଗମେଣ୍ଟେଡ୍‌ ରିଅଲିଟୀ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ନିମନ୍ତେ ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ। ଦେଶରେ ବିଭିନ୍ନ କଥିତ ଭାଷାର ତୁରନ୍ତ ଅନୁବାଦ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଦିଗରେ ଭାରତ କାମ କରୁଥିବା ସେ ସୂଚନା ଦେଇଥିଲେ।

ସରକାର, ଉଦ୍ୟମୀ, ନିବେଶକ ଏବଂ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ସହଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। ପର୍ଯ୍ୟଟନ କମ୍ପାନୀମାନଙ୍କ ପାଇଁ ବ୍ୟବସାୟ ନିୟାମକକୁ ସହଜ କରିବା ଏବଂ ସେମାନଙ୍କୁ ପାଣ୍ଠି ହାସଲ କରିବା ତଥା ଦକ୍ଷତା ବିକାଶରେ ନିବେଶ ଲାଗି ସହାୟତା ଲାଗି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

‘‘ଆତଙ୍କବାଦ ଭାଙ୍ଗିଥାଏ କିନ୍ତୁ ପର୍ଯ୍ୟଟନ ଯୋଡ଼ିଥାଏ’’, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସମାଜର ସବୁ ବର୍ଗର ଲୋକମାନଙ୍କୁ ଯୋଡ଼ିବା ଏବଂ ସାମାଜିକ ସଦ୍ଭାବ ପ୍ରତିଷ୍ଠା କରିବା ଲାଗି ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ୟୁଏନଡବ୍ଲୁଟିଓର ସହଭାଗିତାରେ ଜି୨୦ ପର୍ଯ୍ୟଟନ ଡାଶ୍‌ବୋର୍ଡ ବିକଶିତ କରାଯାଉଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ଏହି ପ୍ଲାଟଫର୍ମ ପ୍ରଥମ ଥର ପାଇଁ ଶ୍ରେଷ୍ଠ ପଦ୍ଧତି, ଘଟଣା ଅଧ୍ୟୟନ ଏବଂ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ଏକସଙ୍ଗେ ଯୋଡ଼ି ପାରିବ।

ଏହି ବୈଠକରେ ହେଉଥିବା ବିଚାରବିମର୍ଶ ଓ ‘ଗୋଆ ରୋଡମ୍ୟାପ୍‌’ ପର୍ଯ୍ୟଟନର ରୂପାନ୍ତରଣକାରୀ ପ୍ରଭାବକୁ ସାକାର ରୂପ ଦେବା ପାଇଁ ହେଉଥିବା ପ୍ରୟାସକୁ ବହୁଗୁଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ‘‘ଭାରତର ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ହେଉଛି, ‘ବସୁଧୈବ କୁଟୁମ୍ବକମ୍‌’ – ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’, ଏହା ବିଶ୍ୱ ପର୍ଯ୍ୟଟନର ଲକ୍ଷ୍ୟ ହୋଇପାରିବ’’, ସେ କହିଥିଲେ।

ଗୋଆରେ ଆଗାମୀ ସାଓଜାଓ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ସେ କହିଥିଲେ ଯେ, ଭାରତ ହେଉଛି ପାର୍ବଣର ଦେଶ। ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସବୁ ବିଦେଶୀ ଅତିଥିମାନଙ୍କୁ ଗଣତନ୍ତ୍ରର ଜନନୀରେ ହେଉଥିବା ଗଣତନ୍ତ୍ରର ପର୍ବ ଦେଖିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ଗଣତନ୍ତ୍ରର ଏହି ପର୍ବରେ ୧୦୦ କୋଟିରୁ ଅଧିକ ମତଦାତା ଅଂଶଗ୍ରହଣ କରିବେ ଏବଂ ଗଣତନ୍ତ୍ରର ଆଦର୍ଶ ପ୍ରତି ସେମାନଙ୍କର ଅତୁଟ ବିଶ୍ୱାସକୁ ପୁନଃସୁନିଶ୍ଚିତ କରିବେ।

ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଦଶ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏହାର ବିବିଧତାକୁ ଦେଖିବା ଲାଗି ଆପଣଙ୍କ ପାଇଁ ସ୍ଥାନାଭାବ ଦେଖିବାକୁ ମିଳିବ ନାହିଁ। ଗଣତନ୍ତ୍ର ପର୍ବରେ ଭାରତ ଆସିବା ପାଇଁ ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକାର ଥିଙ୍କ ଟ୍ୟାଙ୍କ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକାର ଅନେକ ଅଗ୍ରଣୀ ଥିଙ୍କ ଟ୍ୟାଙ୍କର ବିଶେଷଜ୍ଞଙ୍କୁ ଭେଟିଥିଲେ।

ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ବିଭିନ୍ନ ବିକାଶମୂଳକ ଏବଂ ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଅମୃତକାଳ ସମୟରେ ଏହାର ରୂପାନ୍ତର ଆରମ୍ଭ କରୁଥିବା ବେଳେ ଭାରତରେ ସେମାନଙ୍କର ଉପସ୍ଥିତି ବଢାଇବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଥିଲେ।

ପାରସ୍ପରିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଥିଙ୍କ ଟ୍ୟାଙ୍କ ବିଶେଷଜ୍ଞମାନେ ହେଲେ:

ନ୍ୟୁୟର୍କର କାଉନସିଲ ଅନ୍‍ ଫରେନ ରିଲେସନ (ସିଏଫଆର) ର ରାଷ୍ଟ୍ରପତିଙ୍କ ଦ୍ୱରା କ୍ଷମତାପ୍ରାପ୍ତ ତଥା ପ୍ରତିଷ୍ଠିତ ଫେଲୋ ମାଇକେଲ୍ ଫ୍ରୋନ୍।

ନ୍ୟୁୟର୍କ ସ୍ଥିତ ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟର ଆନ୍ତର୍ଜାତୀୟ ସୁରକ୍ଷା ଏବଂ କୂଟନୀତି ପାଇଁ ଉପସଭାପତି ଡାନିଏଲ୍ ରସେଲ।

ବୋଷ୍ଟନ୍ ସ୍ଥିତ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଡକ୍ଟର ମାକ୍ସ ଆବ୍ରାହମ୍ସ।

ଜେଫ୍ ଏମ୍ ସ୍ମିଥ୍‌, ନିର୍ଦ୍ଦେଶକ, ଏସିଆନ୍ ଷ୍ଟଡିଜ୍ ସେଣ୍ଟର, ଦି ହେରିଟେଜ୍ ଫାଉଣ୍ଡେସନ୍‌, ଡିସି।

ୱାଶିଂଟନ୍ ଡିସିରେ ଅବସ୍ଥିତ “ଦି ମାରାଥନ ଇନିସିଏଟିଭ୍‌” ର ସହ-ପ୍ରତିଷ୍ଠାତା ଏଲବ୍ରିଜ୍ କୋଲବି।

ଗୁରୁ ସୋଲେ, ପ୍ରତିଷ୍ଠାତା-ସଦସ୍ୟ, ନିର୍ଦ୍ଦେଶକ (ଭାରତ-ଆମେରିକା ବ୍ୟାପାର), ଇଣ୍ଡସ୍ ଇଣ୍ଟରନେସନାଲ ରିସର୍ଚ୍ଚ ଫାଉଣ୍ଡେସନ୍‌, ଟେକ୍ସାସ୍।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକୀୟ ଗାୟିକା ତଥା ଗ୍ରାମୀ ପୁରସ୍କାର ବିଜେତା ଫାଲ୍‌ଗୁନି ଶାହାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଭାରତୀୟ-ଆମେରିକୀୟ ଗାୟିକା, ସଙ୍ଗୀତ ଲେଖିକା ତଥା ଗ୍ରାମୀ ପୁରସ୍କାର ବିଜେତା ଫାଲଗୁନି ଶାହାଙ୍କୁ ଭେଟିଛନ୍ତି।

ସ୍ୱାସ୍ଥ୍ୟ ତଥା ପରିବେଶ ଅନୁକୂଳ ମିଲେଟ୍ସ ବିଷୟରେ ସଚେତନତା ସୃଷ୍ଟି କରୁଥିବା ତାଙ୍କ ଗୀତ ‘ଆବ୍ୟୁଡାନ୍ସ ଇନ୍ ମିଲେଟ୍ସ’ ପାଇଁ ପ୍ରଧାନମନ୍ତ୍ରୀ ଶାହାଙ୍କୁ ପ୍ରଶଂସା କରିଥିଲେ। ତାଙ୍କ ସଙ୍ଗୀତ ମାଧ୍ୟମରେ ଭାରତ ଓ ଆମେରିକାର ଲୋକଙ୍କୁ ଏକାଠି କରିଥିବାରୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ବୌଦ୍ଧ ବିଦ୍ୱାନ ତଥା ଶିକ୍ଷାବିତ୍ ରବର୍ଟ ଥର୍ମନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ବୌଦ୍ଧ ବିଦ୍ୱାନ, ଲେଖକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଫେସର ରର୍ବଟ ଥର୍ମନଙ୍କୁ ସାକ୍ଷାତ କରିଛନ୍ତି।

ବୌଦ୍ଧିକ ମୂଲ୍ୟବୋଧ କିପରି ବୈଶ୍ୱିକ ଆହ୍ୱାନର ସମାଧାନ ପାଇଁ ମାର୍ଗଦର୍ଶିକା ହୋଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ଏବଂ ପ୍ରଫେସର ଥର୍ମନ ମତ ବିନିମୟ କରିଥିଲେ। ଭାରତର ବୌଦ୍ଧିକ ସଂଯୋଗ ଏବଂ ବୌଦ୍ଧିକ ଐତିହ୍ୟର ସଂରକ୍ଷଣ ପାଇଁ ଭାରତ ଦ୍ୱାରା କରାଯାଉଥିବା ଉଦ୍ୟମ ଉପରେ ଆଲୋଚନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଜୱାଟର ଆସୋସିଏଟ୍ସର ସହ-ପ୍ରତିଷ୍ଠାତା ରାଏ ଦଲିଓଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ନିବେଶକ, ଲେଖକ ତଥା ହେଜ୍ ଫଣ୍ଡ୍‌, ବ୍ରିଜୱାଟରର ସହପ୍ରତିଷ୍ଠାତା ରାଏ ଦଲିଓଙ୍କୁ ଭେଟିଛନ୍ତି।

ଶ୍ରୀ ଦଲିଓଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଇନ ଅନୁପାଳନ କୋହଳ ଏବଂ ବହୁସଂଖ୍ୟକ ଆଇନଗତ ବ୍ୟବସ୍ଥାରେ ଅପରାଧୀକରଣକୁ ହ୍ରାସ କରିବା ନିମନ୍ତେ ସରକାର ଆଣିଥିବା ସଂସ୍କାର ଉପରେ ଆଲୋକପାତ କରିଥିଲେ। ଏଥିସହ ଭାରତ ଆସିବାକୁ ଶ୍ରୀ ଦଲିଓଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ବିଜ୍ଞାନ ସଞ୍ଚାରକ ନୀଲ୍ ଡି ଗ୍ରାସ୍ ଟାଇସନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ବିଜ୍ଞାନ ସଞ୍ଚାରକ ନୀଲ୍ ଡି ଗ୍ରାସ୍ ଟାଇସନଙ୍କୁ ଭେଟିଛନ୍ତି।

ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଓ ଶ୍ରୀ ଟାଇସନ୍ ମତ ବିନିମୟ କରିଥିଲେ। ମହାକାଶ ଗବେଷଣା  କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ବିଭିନ୍ନ ମିଶନ ସହ ସ୍ପେସ୍ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ଉପରେ ସେମାନେ ଆଲୋଚନା କରିଥିଲେ।

ନୂତନ ଭାବେ ଆରମ୍ଭ ହୋଇଥିବା ଜାତୀୟ ମହାକାଶ ନୀତି ଅଧୀନରେ ବେସରକାରୀ କ୍ଷେତ୍ର ଏବଂ ଶିକ୍ଷାଗତ ସହଯୋଗ ପାଇଁ ସୁଯୋଗ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଟାଇସନ୍ ଆଲୋକପାତ କରିଥିଲେ।

Categories
ବିଶେଷ ଖବର

ନ୍ୟୁୟର୍କରେ ପହଞ୍ଚିଲେ ପିଏମ ମୋଦୀ: ଆଜି ଜାତିସଂଘରେ କରିବେ ଯୋଗ, ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ପହଞ୍ଚିଛନ୍ତି। ନ୍ୟୁୟର୍କର ଜେକେଏଫ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରାଯାଇଛି। ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାତିସଂଘରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରାତ୍ରୀ ଭୋଜନ କରିବେ। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ…

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆମେରିକାର ଏନଏସସି ସଂଯୋଜକ ଷ୍ଟ୍ରାଟେଜିକ୍ କୋର୍ଡିନେଟର ଜନ୍ କିର୍ବି କହିଛନ୍ତି ଯେ, ଏହି ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ଥିବା ମଜବୁତ ସମ୍ପର୍କକୁ ନିଶ୍ଚିତ କରିବ ଏବଂ ଆମର ରଣନୀତିକ ସହଭାଗିତାକୁ ଆହୁରି ଆଗକୁ ବଢାଇବ। ଭାରତୀୟମାନଙ୍କ ସହିତ, ଆମେ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବିଶ୍ୱାସ କରୁ, ତେଣୁ ଆମର ପ୍ରତିରକ୍ଷା ସହଯୋଗରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ:

ପ୍ରଧାନମନ୍ତ୍ରୀ ମୋଦୀ ୨୦ ତାରିଖରୁ ଜୁନ୍ ୨୫ ତାରିଖ ମଧ୍ୟରେ ଆମେରିକା ଏବଂ ଇଜିପ୍ଟ ଗସ୍ତରେ ଯାଇଛନ୍ତି। ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଯୋଗ ଦିବସ କାର୍ଯ୍ୟକ୍ରମ ପରେ ପିଏମ ମୋଦୀ ଜୁନ୍ ୨୨ ତାରିଖରେ ୱାଶିଂଟନ୍ ଡିସି ଯିବେ। ଯେଉଁଠାରେ ତାଙ୍କୁ ହ୍ଵାଇଟ ହାଉସରେ ପାରମ୍ପାରିକ ସ୍ୱାଗତ କରାଯିବ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରାତ୍ରୀ ଭୋଜନ କରିବେ:

ଏହି ସମୟରେ ପିଏମ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଏବଂ ପ୍ରଥମ ଲେଡି ଜିଲ ବାଇଡେନ ଜୁନ୍ ୨୨ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନ କରିବେ। ଜୁନ୍ ୨୨ ତାରିଖ ଦିନ ଆମେରିକା କଂଗ୍ରେସର ମିଳିତ ବୈଠକରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆମେରିକା ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ସମ୍ବୋଧିତ କରିବେ। ଏହାପୂର୍ବରୁ ସେ ୨୦୧୬ରେ ଆମେରିକା ସଂସଦକୁ ସମ୍ବୋଧିତ କରିଥିଲେ।

ଏଲୋନ୍ ମସ୍କ ସହିତ ଏହି ସେଲିବ୍ରିଟିମାନଙ୍କୁ ଭେଟିବେ:

ଏହା ପରେ ପ୍ରଧାନମନ୍ତ୍ରୀ ଜୁନ୍ ୨୩ ତାରିଖରେ ଅନେକ ପ୍ରମୁଖ କମ୍ପାନୀର ସିଇଓଙ୍କୁ ଭେଟିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଟେସଲା ଏବଂ ଟ୍ୱିଟର ମାଲିକ ଏଲୋନ୍ ମସ୍କ, ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ପଲ୍ ରୋମର, କଳାକାର, ବୈଜ୍ଞାନିକ, ଶିକ୍ଷାବିତ୍ ତଥା ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କୁ ମଧ୍ୟ ଭେଟିବେ। ଅଧିକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଲେଖକ ନିକୋଲାସ ନାସିମ ତାଲିବ ଏବଂ ନିବେଶକ ରେ ଡାଲିଓଙ୍କୁ ଭେଟି ପାରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଫାଲୁ ଶାହା, ଜେଫ୍ ସ୍ମିଥ୍, ମାଇକେଲ୍ ଫ୍ରୋମେନ୍, ଡାନିଏଲ୍ ରସେଲ, ଏଲବ୍ରିଜ୍ କଲବି, ପିଟର ଆଗ୍ରେ, ଷ୍ଟିଫେନ୍ କ୍ଲାସ୍କୋ ଏବଂ ଚନ୍ଦ୍ରିକା ଟଣ୍ଡନ୍ ଅଛନ୍ତି।

କମଲା ହାରିସଙ୍କ ସହିତ ମଧ୍ୟାହ୍ନ ଭୋଜନ, ଭାରତୀୟମାନଙ୍କୁ ସମ୍ବୋଧିତ କରିବେ:

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନିଜେ ଜୁନ୍ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ କରିବେ। ସେହି ଦିନ ୱାଶିଂଟନ୍‌ର ରୋନାଲଡ୍ ରେଗାନ୍ ବିଲଡିଂ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିବେ। ତାଙ୍କର ଦୁଇ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜୁନ୍ ୨୪ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଜିପ୍ଟ ଗସ୍ତରେ କାହିରା ଗସ୍ତ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଓ ବିଶ୍ୱବାସୀଙ୍କୁ ପବିତ୍ର ‘ରଥଯାତ୍ରା’ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସଂସ୍କୃତିରେ ରଥଯାତ୍ରାର ମହତ୍ତ୍ୱ ଉପରେ ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଐଶ୍ୱରୀୟ ଯାତ୍ରା ଆମ ସମସ୍ତଙ୍କ ଜୀବନକୁ ସ୍ୱାସ୍ଥ୍ୟ, ସୁଖ ଏବଂ ଆଧ୍ୟତ୍ମିକତାରେ ପରିପୂର୍ଣ୍ଣ କରୁ।’

ସେହିଭଳି ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ଓଡ଼ିଶା ଓ ବିଶ୍ୱବାସୀଙ୍କୁ ଏହି ପୁଣ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି।  

 

ରଥ ସମ୍ମୁଖରେ ଆଭୂମି ପ୍ରଣିପାତ ହେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ଏକ ଅପୂର୍ବ ମୁହୂର୍ତ୍ତ। ସେ ଲୀଳାମୟ, ତାଙ୍କ ଲୀଳା ଅପାର। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ।

ଓଡ଼ିଆ ଜାତି ଓ ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ଭାବର ଠାକୁର ଓ ଧାର୍ମିକ ସମନ୍ୱୟର ଦେବତା। ଆଜି କୋଟି କୋଟି ଶ୍ରଦ୍ଧାଳୁଙ୍କ ଗ୍ରହଣରେ ତାଙ୍କୁ ଦର୍ଶନ କରି ମୁଁ ବିମୋହିତ। ଶ୍ରୀ ପ୍ରଧାନ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମାନବ କଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ଜଗତଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ୍ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ସେ କହିଥିଲେ ଦେବା ଦେବୀଙ୍କର ଦର୍ଶନ ଯେତେ ପବିତ୍ର, ପୂଜ୍ୟ ସାଧୁ ସନ୍ଥଙ୍କ ଦର୍ଶନ ମଧ୍ୟ ସେତିକି ପବିତ୍ର। ଆଜି ଦେବ ଦର୍ଶନ ସହ ଗୁରୁ ଦର୍ଶନ କରିବା ଆନନ୍ଦର ବିଷୟ।

Categories
ଆଜିର ଖବର ଜାତୀୟ ଖବର

ଆଗାମୀ ଆମେରିକା ଗସ୍ତ ପାଇଁ ଲୋକଙ୍କ ଉତ୍ସାହକୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଆଗାମୀ ଆମେରିକା ଗସ୍ତ ନିମନ୍ତେ ସମର୍ଥନ ଏବଂ ଉତ୍ସାହ ପାଇଁ ଆମେରିକା କଂଗ୍ରେସ ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘କଂଗ୍ରେସ ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗ ତଥା ବିଚାରଧାରାର ନେତା ଏବଂ ଅନ୍ୟମାନେ ମୋର ଆଗାମୀ ଆମେରିକା ଗସ୍ତ ପାଇଁ ଉତ୍ସାହ ଦେଖାଇଛନ୍ତି। ମୁଁ ସେମାନଙ୍କ ଏପରି ଉତ୍ସାହପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ ଦେଉଛି। ଏପରି ବିବିଧ ସମର୍ଥନ ଭାରତ-ଆମେରିକାର ସମ୍ପର୍କର ଗଭୀରତାକୁ ଦର୍ଶାଉଛି।’

Categories
ବିଶେଷ ଖବର

ଆମେରିକା ଏବଂ ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିବସୀୟ ଆମେରିକା ଏବଂ ଇଜିପ୍ଟ ଗସ୍ତ କରୁଛନ୍ତି। ତାଙ୍କର ଏହି ଐତିହାସିକ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ରାଷ୍ଟ୍ରପତି ଜୋସେଫ ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୁଁ ଆମେରିକା ଯାତ୍ରା କରୁଛି। ଏହି ବିଶେଷ ନିମନ୍ତ୍ରଣ ହେଉଛି ଆମର ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଭାଗିଦାରୀର ଶକ୍ତି ଏବଂ ସହଯୋଗର ପ୍ରତିଫଳନ।

ମୁଁ ନ୍ୟୁୟର୍କରୁ ମୋର ଗସ୍ତ ଆରମ୍ଭ କରିବି, ଯେଉଁଠାରେ ମୁଁ ଜୁନ୍ ୨୧ ରେ ମିଳିତ ଜାତିସଂଘର ମୁଖ୍ୟାଳୟରେ ଜାତିସଂଘର ନେତୃତ୍ୱ ତଥା ଅନ୍ତର୍ଜାତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗ ଦିବସ ପାଳନ କରିବି। ମୁଁ ଏହି ବିଶେଷ ଉତ୍ସବକୁ ଅପେକ୍ଷା କରିଛି ଯାହା ଡିସେମ୍ବର ୨୦୧୪ ରେ ଆନ୍ତର୍ଜାତୀୟ ଯୋଗ ଦିବସକୁ ସ୍ୱୀକୃତି ଦେବା ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ ସହ ଆରମ୍ଭ ହୋଇଥିଲା।

ମୁଁ ଏହା ପରେ ୱାଶିଂଟନ୍ ଡି.ସି. ଠାରେ ରାଷ୍ଟ୍ରପତି ବାଇଡେନ ଙ୍କୁ ସାକ୍ଷାତ କରିବି ଯାହାଙ୍କୁ ସେପ୍ଟେମ୍ବର ୨୦୨୧ ରେ ମୋର ଶେଷ ଅଫିସିଆଲ୍ ଗସ୍ତ ପରଠାରୁ ମୁଁ ଅନେକ ଥର ସାକ୍ଷାତ କରିବାର ସୁଯୋଗ ପାଇଛି। ଏହି ଗସ୍ତ ଆମର ସହଭାଗୀତାର ଗଭୀରତା ଏବଂ ବିବିଧତାକୁ ସମୃଦ୍ଧ କରିବାର ଏକ ସୁଯୋଗ ହେବ।

ଭାରତ-ଆମେରିକା ସମ୍ପର୍କ ବହୁମୁଖୀ ଓ ଗଭୀର। ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଆମେରିକା ହେଉଛି ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାର। ଆମେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରୁ। କ୍ରିଟିକାଲ୍ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି ଉପରେ ଏହି ପଦକ୍ଷେପ ପ୍ରତିରକ୍ଷା ଶିଳ୍ପ ସହଯୋଗ, ସ୍ପେସ୍, ଟେଲିକମ୍, କ୍ୱାଣ୍ଟମ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ବାୟୋଟେକ୍ ସେକ୍ଟରରେ ନୂତନ ପରିମାଣ ଏବଂ ବ୍ୟାପକ ସହଯୋଗକୁ ସାମିଲ୍ କରିଛି। ଆମର ଦୁଇ ଦେଶ ମଧ୍ୟ ଏକ ମୁକ୍ତ ଏବଂ ସମନ୍ବିତ ଇଣ୍ଡୋ-ପାସିଫିକ୍ ବିଷୟରେ ଆମର ସମାନ ଦର୍ଶନକୁ ଆଗକୁ ବଢ଼ାଇବାରେ ସହଯୋଗ କରୁଛନ୍ତି।

ରାଷ୍ଟ୍ରପତି ବାଇଡେନ ଏବଂ ଆମେରିକାର ଅନ୍ୟ ବରିଷ୍ଠ ନେତାଙ୍କ ସହ ମୋର ଆଲୋଚନା ଆମର ଦ୍ୱିପାକ୍ଷିକ ସହଯୋଗକୁ ତଥା ଜି -୨୦, କ୍ୱାଡ ଏବଂ ଆଇପିଏଫ ପରି ବହୁମୁଖୀ ଫୋରମରେ ଏକୀକରଣ କରିବାର ସୁଯୋଗ ପ୍ରଦାନ କରିବ।

ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନ ଙ୍କ ସହ ଷ୍ଟେଟ୍ ବାଙ୍କୱେଟ ରେ ଯୋଗଦେବା ର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଆମେରିକା କଂଗ୍ରେସ ସର୍ବଦା ଭାରତ-ଆମେରିକା ସମ୍ପର୍କକୁ ଦୃଢ଼ ଦ୍ୱିପାକ୍ଷିକ ସମର୍ଥନ ଯୋଗାଇଥାଏ। ମୋର ଗସ୍ତ ସମୟରେ ମୁଁ କଂଗ୍ରେସ ନେତୃତ୍ୱର ନିମନ୍ତ୍ରଣ କ୍ରମେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବି।

ଆମ ଦେଶ ମଧ୍ୟରେ ବିଶ୍ୱାସକୁ ବଢ଼ାଇବରେ ଶକ୍ତିଶାଳୀ ପିପୁଲ୍ ଟୁ ପିପୁଲ ଲିଙ୍କେଜ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୁଁ ଉତ୍ସାହଜନକ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ଭେଟିବାକୁ ଅପେକ୍ଷା କରିଛି ଯାହା ଆମ ସମାଜର ସର୍ବୋତ୍ତମ ପ୍ରତିନିଧିତ୍ୱ କରେ। ଆମର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ସୁଦୃଢ଼ ଏବଂ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ଗଠନ ପାଇଁ ସୁଯୋଗ ବିଷୟରେ ଆଲୋଚନା କରିବା ପାଇଁ ମୁଁ କେତେକ ଅଗ୍ରଣୀ ସିଇଓଙ୍କୁ ମଧ୍ୟ ସାକ୍ଷାତ କରିବି।

ମୁଁ ନିଶ୍ଚିତ ଯେ ମୋର ଆମେରିକା ଗସ୍ତ ଗଣତନ୍ତ୍ର, ବିବିଧତା ଏବଂ ସ୍ୱାଧୀନତାର ସହଭାଗୀ ମୂଲ୍ୟବୋଧ ଉପରେ ଆଧାର କରି ଆମର ସମ୍ପର୍କକୁ ଦୃଢ଼ କରିବ। ମିଳିତ ବିଶ୍ବର ଆହ୍ବାନ ଗୁଡିକ ପୂରଣ କରିବାରେ ଆମେ ଏକତ୍ର ରହିଛୁ।

ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍-ସିସିଙ୍କ ନିମନ୍ତ୍ରଣରେ ମୁଁ ୱାଶିଂଟନ୍ ଡି.ସି. ରୁ କାଇରୋ ଯାତ୍ରା କରିବି। ପ୍ରଥମ ଥର ପାଇଁ ଏକ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ରାଜ୍ୟ ପରିଦର୍ଶନ କରିବାକୁ ମୁଁ ଉତ୍ସାହିତ।

ଚଳିତ ବର୍ଷ ଆମ ଗଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତି ସିସିଙ୍କୁ ମୁଖ୍ୟ ଅତିଥି ଭାବରେ ଗ୍ରହଣ କରିବାର ଆନନ୍ଦ ପାଇଥିଲୁ। କିଛି ମାସ ମଧ୍ୟରେ ଏହି ଦୁଇଟି ପରିଦର୍ଶନ ଇଜିପ୍ଟ ସହିତ ଆମର ଦ୍ରୁତ ଗତିରେ ବିକାଶଶୀଳ ସହଭାଗୀତାର ପ୍ରତିଫଳନ ଅଟେ, ଯାହା ରାଷ୍ଟ୍ରପତି ସିସିଙ୍କ ଗସ୍ତ ସମୟରେ ଏକ ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’କୁ ଉନ୍ନୀତ ହୋଇଥିଲା।

ରାଷ୍ଟ୍ରପତି ସିସି ଏବଂ ଇଜିପ୍ଟ ସରକାରଙ୍କ ବରିଷ୍ଠ ସଦସ୍ୟମାନଙ୍କ ସହ ଆମର ସଭ୍ୟତା ଏବଂ ବହୁମୁଖୀ ସହଭାଗୀତାକୁ ଅଧିକ ଗତି ଦେବା ପାଇଁ ମୁଁ ମୋର ଆଲୋଚନାକୁ ଅପେକ୍ଷା କରିଛି। ମୋତେ ମଧ୍ୟ ଇଜିପ୍ଟରେ ଥିବା ଭାରତୀୟ ସମୂହମାନଙ୍କୁ ସାକ୍ଷାତ କରିବାର ସୁଯେଗା ମିଳିବ।”

Categories
ଆଜିର ଖବର ଜାତୀୟ ଖବର

ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପାଇଁ ଗୋରଖପୁର ଗୀତା ପ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପାଇଥିବା ଗୋରଖପୁର ଗୀତା ପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ‘ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପାଇଥିବାରୁ ମୁଁ ଗୋରଖପୁର ଗୀତା ପ୍ରେସକୁ ଅଭିନନ୍ଦନ ଜଣାଉଛି। ଲୋକଙ୍କ ଭିତରେ ସାମାଜିକ ତଥା ସାଂସ୍କୃତିକ ପରିବର୍ତ୍ତନକୁ ଆଗକୁ ନେବାରେ ସେମାନେ ଗତ ୧୦୦ ବର୍ଷ ଭିତରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।’

Categories
ଆଜିର ଖବର ଜାତୀୟ ଖବର

ଆସାମ ଚା ବଗିଚାରେ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ସରକାରଙ୍କ ନୂଆ ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ଜୁନ୍ ୧୯ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଆସାମ ସରକାର ୩୮ଟି ନୂତନ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସମାଜ ପାଇଁ ଉତ୍ସର୍ଗ କରିବେ। ୩୮ଟି ବିଦ୍ୟାଳୟ ପକ୍ଷରୁ ୧୯ଟି ଚା ବଗିଚା ଅଞ୍ଚଳରେ ରହିବ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ପ୍ରଶଂସନୀୟ ପଦକ୍ଷେପ। ଶିକ୍ଷା ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ଏହି ନୂତନ ମାଧ୍ୟମିକ ସ୍କୁଲଗୁଡ଼ିକ ଯୁବପିଢ଼ି ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିବ। ବିଶେଷକରି ଚା ବଗିଚା କ୍ଷେତ୍ର ପାଇଁ ପ୍ରତିବଦ୍ଧତା ବାବଦରେ ଜାଣି ଖୁସି ହେଲି।’

Categories
ଆଜିର ଖବର ଜାତୀୟ ଖବର

ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟରେ କହିଛନ୍ତି ଯେ, “ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ମୋର ଶୁଭେଚ୍ଛା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଆମେ ଗର୍ବିତ। କ୍ରୀଡ଼ା ଭାବନା, ନିଷ୍ଠା ଓ ଲଢୁଆ ମନୋଭାବ ଦ୍ୱାରା ସେମାନେ ଭଲ ପ୍ରଦର୍ଶନ କରନ୍ତୁ।”

Categories
ବିଶେଷ ଖବର

“ମନ୍ କି ବାତ୍’: ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’ ରେ ଓଡିଶାର ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍’ ର ସଂପୂର୍ଣ୍ଣ ଅଭିଭାଷଣ ପଢିବା…..

ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର । ‘ମନ୍ କି ବାତ୍’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।

ବନ୍ଧୁଗଣ,
ଅନେକ ଲୋକ କହିଥାନ୍ତି ଯେ, ଜଣେ ପ୍ରଧାନମନ୍ତ୍ରୀ ହିସାବରେ ମୁଁ ଏଇ ଭଲ କାମ କଲି, ସେଇ ବଡ଼ କାମଟିଏ କଲି । ‘ମନ୍ କି ବାତ୍’ର ଅନେକ ଶ୍ରୋତା ନିଜ ଚିଠିରେ ବହୁତ ପ୍ରଶଂସା କରିଥାଆନ୍ତି । କେହି କହନ୍ତି ଏ କାମ କଲି, କେହି କହନ୍ତି ସେ କାମ କଲି, ସେ କାମଟି ଖୁବ ଭଲ ହେଲା, ଏଇ କାମଟି ଭଲ ହେଲା, କିନ୍ତୁ ମୁଁ ଯେତେବେଳେ ଭାରତର ସାଧାରଣ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟା, ସେମାନଙ୍କ ପରିଶ୍ରମ, ସେମାନଙ୍କ ଇଚ୍ଛାଶକ୍ତିକୁ ଦେଖେ, ସେତେବେଳେ ସ୍ୱୟଂ ଅଭିଭୂତ ହୋଇଯାଏ । ବଡ଼ରୁ ବଡ଼ ଲକ୍ଷ୍ୟ ହେଉ, କଠିନରୁ କଠିନ ଆହ୍ୱାନ ହେଉ, ଭାରତର ଜନସାଧାରଣଙ୍କ ସାମୂହିକ ବଳ, ସାମୂହିକ ଶକ୍ତି ପ୍ରତ୍ୟେକ ଆହ୍ୱାନର ସମାଧାନର ସୂତ୍ର ବାହାର କରିଦେଉଛି । ଏଇ ମାତ୍ର ଦୁଇ ତିନି ଦିନ ଆଗରୁ ଯାହା ଆମେ ଦେଖିଲୁ, ଯେ ଦେଶର ପଶ୍ଚିମ ସୀମାରେ କେତେ ବଡ଼ ବାତ୍ୟା ସଂଘଟିତ ହେଲା । କ୍ଷିପ୍ର ଗତିରେ ପବନ, ମୂସଳଧାରରେ ବର୍ଷା । ବିପର୍ଯ୍ୟୟ ବାତ୍ୟା କଚ୍ଛ୍ ଅଂଚଳରେ କେତେ ଯେ କ୍ଷୟକ୍ଷତି ଘଟାଇଲା! କିନ୍ତୁ କଚ୍ଛ୍ର ଲୋକେ ଯେଉଁ ସାହସ ଏବଂ ପ୍ରସ୍ତୁତି ସହ ଏହି ବିପଜ୍ଜନକ ବାତ୍ୟାର ମୁକାବିଲା କଲେ, ତାହା ମଧ୍ୟ ସେତିକି ଅଭୂତପୂର୍ବ । ମାତ୍ର ଦୁଇ ଦିନ ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ କଚ୍ଛର ଲୋକେ ସେମାନଙ୍କର ନବବର୍ଷ ପାଳନ କରିବାକୁ ଯାଉଛନ୍ତି । ଆଷାଢ଼ ଦ୍ୱିତୀୟାକୁ କଚ୍ଛ୍ ଅଞ୍ଚଳରେ ବର୍ଷାଋତୁର ପ୍ରାରମ୍ଭ ଭାବେ ଗ୍ରହଣ କରାଯାଉଥିବା ବେଳେ ଏହି ସମୟରେ ବର୍ଷା ଏକ ସଂଯୋଗ । ମୁଁ ଅନେକ ବର୍ଷ ଧରି କଚ୍ଛ୍ ଯିବା ଆସିବା କରିଛି । ସେଠାକାର ଲୋକଙ୍କ ସେବା କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଛି । ତେଣୁ କଚ୍ଛ୍ର ଲୋକଙ୍କ ଧୈର୍ଯ୍ୟ ସାହସ ଏବଂ ଜିଜ୍ଞାସା ସହ ମୁଁ ଭଲ ଭାବେ ପରିଚିତ । ଦୁଇ ଦଶନ୍ଧି ପୂର୍ବେ ବିନାଶକାରୀ ଭୂମିକମ୍ପ ଦ୍ୱାରା ପ୍ରଭାବିତ କଚ୍ଛ୍ ବିଷୟରେ କୁହାଯାଉଥିଲା ଯେ, ଏହା ପୁଣି କେବେ ଉଠିପାରିବନି, ଆଜି ସେହି ଜିଲ୍ଲା ଦେଶରେ ଦ୍ରୁତ ଗତିରେ ବିକାଶ ଲାଭ କରୁଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ବାତ୍ୟା ବିପର୍ଯ୍ୟୟ ଯେଉଁ ବିନାଶ ଘଟାଇଛି, ସେଥିରୁ ମଧ୍ୟ କଚ୍ଛବାସୀ ଶୀଘ୍ର ମୁକ୍ତ ହୋଇଯିବେ ବୋଲି ମୋର ବିଶ୍ୱାସ ।

ବନ୍ଧୁଗଣ,
ପ୍ରାକୃତିକ ବିପତ୍ତି ଉପରେ କାହାରି ନିୟନ୍ତ୍ରଣ ନ ଥାଏ । କିନ୍ତୁ, ବିଗତ ବର୍ଷମାନଙ୍କରେ ଭାରତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଯେଉଁ ଶକ୍ତି ବିକଶିତ କରିଛି, ତାହା ଆଜି ଉଦାହରଣ ସୃଷ୍ଟି କରୁଛି । ପ୍ରାକୃତିକ ବିପତ୍ତିଗୁଡ଼ିକର ମୁକାବିଲା କରିବାର ଗୋଟିଏ ବଡ଼ ଉପାୟ ହେଲା – ପ୍ରକୃତିର ସଂରକ୍ଷଣ । ବର୍ତମାନ ପରିସ୍ଥିତିରେ ବର୍ଷାଋତୁରେ ଏହି କାର୍ଯ୍ୟ ପ୍ରତି ଆମର ଦାୟିତ୍ୱ ଆହୁରି ବଢ଼ିଯାଉଛି । ସେଇଥିପାଇଁ ଦେଶ ଆଜି କ୍ୟାଚ୍ ଦି ରେନ୍ ଭଳି ଅଭିଯାନଗୁଡ଼ିକ ଜରିଆରେ ସମଷ୍ଟିଗତ ଉଦ୍ୟମ କରୁଛି । ଗତ ମାସରେ ‘ମନ୍ କି ବାତ୍’ରେ ହିଁ ଆମେ ଜଳ ସଂରକ୍ଷଣ ସହିତ ଜଡ଼ିତ ଷ୍ଟାର୍ଟ-ଅପ୍ ବିଷୟରେ ଆଲୋଚନା କରିଥିଲୁ । ଏଥର ମଧ୍ୟ ମୋତେ ପତ୍ର ଦ୍ୱାରା ଏଭଳି ଅନେକ ଲୋକଙ୍କ ବିଷୟରେ ଅବଗତ କରାଯାଇଛି, ଯେଉଁମାନେ ପ୍ରତ୍ୟେକଟି ଜଳବିନ୍ଦୁ ସଂରକ୍ଷଣ ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ଏହିଭଳି ଜଣେ ସାଥି ହେଉଛନ୍ତି, ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ତୁଳସୀରାମ ଯାଦବ । ତୁଳସୀରାମ ଯାଦବ ହେଉଛନ୍ତି ଲୁକତରା ଗ୍ରାମପଂଚାୟତର ମୁଖ୍ୟ । ବାନ୍ଦା ଓ ବୁନ୍ଦେଲ୍ଖଣ୍ଡ ଅଂଚଳରେ ପାଣିର ସମସ୍ୟା ବିଷୟରେ ଆପଣମାନେ ସମସ୍ତେ ଜାଣନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ତୁଳସୀରାମ୍ ଗାଁ ଲୋକଙ୍କୁ ଏକାଠି କରି ସେହି ଅଂଚଳରେ ୪୦ରୁ ଅଧିକ ପୋଖରୀ ଖୋଳାଇଛନ୍ତି । ବିଲ ପାଣି ବିଲରେ ଆଉ ଗାଁ ପାଣି ଗାଁରେ, ଏହି ନିୟମକୁ ତୁଳସୀରାମ ନିଜ ଅଭିଯାନର ଆଧାର କରିଛନ୍ତି । ତାଙ୍କରି ପରିଶ୍ରମ ଫଳରେ ଆଜି ତାଙ୍କ ଗ୍ରାମର ଭୂତଳ ଜଳ ସ୍ତରରେ ଉନ୍ନତି ଦେଖାଦେଉଛି । ସେହିଭଳି ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଲୋକେ ମିଶି ଗୋଟିଏ ବିଲୁପ୍ତ ନଦୀକୁ ପୁନର୍ଜୀବିତ କରିଛନ୍ତି । ବହୁଦିନ ପୂର୍ବେ ଏଠାରେ ନୀମ୍ ନାମକ ଗୋଟିଏ ନଦୀ ପ୍ରବାହିତ ହେଉଥିଲା । କାଳକ୍ରମେ ଏହି ନଦୀ ବିଲୁପ୍ତ ହୋଇଗଲା । କିନ୍ତୁ ସ୍ଥାନୀୟ ସ୍ମୃତି ଏବଂ ଲୋକକଥାଗୁଡ଼ିକରେ ଏହି ନଦୀର ଚର୍ଚ୍ଚା ସର୍ବଦା ହେଉଥିଲା । ଶେଷରେ ଲୋକେ ନିଜର ଏହି ପ୍ରାକୃତିକ ଐତିହ୍ୟକୁ ପୁନର୍ଜୀବିତ କରିବାକୁ ମନସ୍ଥ କଲେ । ଜନସାଧାରଣଙ୍କ ମିଳିତ ଉଦ୍ୟମ ଫଳରେ ନୀମ୍ ନଦୀ ଏବେ ପୁଣି ଥରେ ଜୀବନ୍ତ ହେବାରେ ଲାଗିଛି । ନଦୀର ଉଦ୍ଗମ ସ୍ଥଳକୁ ଅମୃତ ସରୋବର ଭାବେ ମଧ୍ୟ ବିକଶିତ କରାଯାଉଛି ।

ବନ୍ଧୁଗଣ,
ଏହି ନଦୀ, କେନାଲ୍, ପୋଖରୀ – ଏଗୁଡ଼ିକ କେବଳ ଜଳସ୍ରୋତ ନୁହେଁ, ବରଂ ଏଗୁଡ଼ିକ ସହ ଯୋଡ଼ି ହୋଇଥାଏ ଜୀବନର ରଙ୍ଗ ଏବଂ ଅନେକ ଭାବାବେଗ । ଏଭଳି ଗୋଟିଏ ଦୃଶ୍ୟ କିଛି ଦିନ ଆଗରୁ ଦେଖିବାକୁ ମିଳିଲା ମହାରାଷ୍ଟ୍ରରେ । ଏହି ଅଂଚଳ ପ୍ରାୟତଃ ମରୁଡ଼ିଗ୍ରସ୍ତ ହୋଇ ରହିଥାଏ । ପାଂଚ ଦଶନ୍ଧିର ପ୍ରତୀକ୍ଷା ପରେ ଏଠାରେ ଏବେ ନୀଲ୍ୱାଣ୍ଡେ ଡ୍ୟାମ୍ର କେନାଲ କାମ ସମ୍ପୂର୍ଣ୍ଣ ହେବାକୁ ଯାଉଛି । କିଛି ଦିନ ପୂର୍ବେ ଟେଷ୍ଟିଂ ସମୟରେ କେନାଲ୍ରେ ପାଣି ଛଡ଼ାଯାଇଥିଲା । ସେହି ସମୟର ଦୃଶ୍ୟ ପ୍ରକୃତରେ ହୃଦୟସ୍ପର୍ଶୀ ଥିଲା । ଗାଁ ଲୋକେ ଏମିତି ଆନନ୍ଦରେ ମାତିଥିଲେ, ସତେ ଯେମିତି ହୋଲି ବା ଦୀପାବଳୀର ପର୍ବ ଆସିଗଲା ।

ବନ୍ଧୁଗଣ,
ଯେହେତୁ ପରିଚାଳନା କଥା ପଡ଼ିଛି, ତେଣୁ ମୁଁ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କୁ ମଧ୍ୟ ସ୍ମରଣ କରୁଛି । ଛତ୍ରପତି ଶିବାଜୀ ମହାରାଜଙ୍କ ବୀରତ୍ୱ ସହ ତାଙ୍କ ଶାସନ ପଦ୍ଧତି ଏବଂ ପରିଚାଳନାଗତ ଦକ୍ଷତାରୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିଥାଏ । ବିଶେଷକରି, ଜଳ ପରିଚାଳନା ଏବଂ ନୌବାହିନୀକୁ ନେଇ ଛତ୍ରପତି ଶିବାଜୀ ମହାରାଜ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ସେସବୁ ଆଜି ମଧ୍ୟ ଭାରତୀୟ ଇତିହାସର ଗୌରବ ବୃଦ୍ଧି କରୁଛି । ସେ ନିର୍ମାଣ କରିଥିବା ଜଳଦୁର୍ଗ ଏତେ ଶତାବ୍ଦୀ ପରେ ମଧ୍ୟ ସମୁଦ୍ର ମଧ୍ୟରେ ଆଜି ବି ଗୌରବ ସହ ଦଣ୍ଡାୟମାନ ରହିଛନ୍ତି । ଚଳିତ ମାସ ଆରମ୍ଭରେ ହିଁ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ହୋଇଛି । ଏହି ଅବସରକୁ ଏକ ବଡ଼ ପର୍ବ ରୂପେ ପାଳନ କରାଯାଉଛି । ଏହି ସମୟରେ ମହାରାଷ୍ଟ୍ରର ରାୟଗଢ଼ କିଲ୍ଲାରେ ଏ ସମ୍ପର୍କିତ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ମୋର ମନେ ଅଛି, ଅନେକ ବର୍ଷ ପୂର୍ବେ ୨୦୧୪ରେ ମୋତେ ରାୟଗଢ଼ ଯିବାର, ସେହି ପବିତ୍ର ଭୂମିକୁ ପ୍ରଣାମ କରିବାର ସୌଭାଗ୍ୟ ମିଳିଥିଲା । ଏହି ଅବସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପରିଚାଳନା କୌଶଳ ବିଷୟରେ ଜ୍ଞାନ ଲାଭ କରିବା ଆମ ସମସ୍ତଙ୍କ କର୍ତବ୍ୟ । ଏହାଦ୍ୱାରା ଆମ ଅନ୍ତରରେ ଆମର ଐତିହ୍ୟକୁ ନେଇ ଗର୍ବଭାବ ଜାଗ୍ରତ ହେବ ଏବଂ ଆମ ଭବିଷ୍ୟତ କର୍ତବ୍ୟ ସମ୍ପର୍କରେ ମଧ୍ୟ ପ୍ରେରଣା ମିଳିବ ।

ମୋର ପ୍ରିୟ ଦେଶବାସୀଗଣ,
ଆପଣମାନେ ରାମାୟଣର ସେହି ଛୋଟ ଗୁଣ୍ଡୁଚିମୂଷା ବିଷୟରେ ତ ନିଶ୍ଚୟ ଶୁଣିଥିବେ, ଯିଏ ରାମସେତୁ ନିର୍ମାଣରେ ସହାୟତା ପାଇଁ ଆଗେଇ ଆସିଥିଲା । କହିବାର ତାତ୍ପର୍ଯ୍ୟ ହେଲା ଯେ, ମନୋଭାବ ଯଦି ସ୍ୱଚ୍ଛ, ଉଦ୍ୟମ ଯଦି ନିଷ୍ଠାପର ହୁଏ, ତେବେ କୌଣସି ଲକ୍ଷ୍ୟ ଅସାଧ୍ୟ ହୋଇ ରହେନା । ଭାରତ ମଧ୍ୟ ଆଜି ଏହିଭଳି ସ୍ୱଚ୍ଛ ମନୋଭାବ ସହ ଗୋଟିଏ ବହୁତ ବଡ଼ ଆହ୍ୱାନର ମୁକାବିଲା କରୁଛି । ଏହି ଆହ୍ୱାନଟି ହେଲା – ଟି.ବି. ଯାହାକୁ ଯକ୍ଷ୍ମା ରୋଗ ମଧ୍ୟ କୁହାଯାଏ । ୨୦୨୫ ସୁଦ୍ଧା ଭାରତକୁ ଟି.ବି. ମୁକ୍ତ କରିବା ପାଇଁ ଦେଶ ସଂକଳ୍ପ ଗ୍ରହଣ କରିଛି । ଲକ୍ଷ୍ୟ ନିଶ୍ଚିତ ଭାବେ ବହୁତ ବଡ଼ । ଦିନ ଥିଲା, ଯେତେବେଳେ ଯକ୍ଷ୍ମା ରୋଗ ହୋଇଥିବା କଥା ଜଣାପଡ଼ିଲେ ପରିବାର ଲୋକେ ମଧ୍ୟ ଦୂରେଇ ଯାଉଥିଲେ, କିନ୍ତୁ ଆଜି ଯକ୍ଷ୍ମା ରୋଗୀକୁ ପରିବାରର ସଭ୍ୟ ଭାବେ ଗ୍ରହଣ କରି ତାକୁ ସହାୟତା କରାଯାଉଛି । ଏହି ଯକ୍ଷ୍ମା ରୋଗର ମୂଳୋତ୍ପାଟନ କାର୍ଯ୍ୟ ନିକ୍ଷୟ ମିତ୍ରମାନେ ନିଜ ହାତକୁ ନେଇଛନ୍ତି । ଦେଶରେ ବହୁ ସଂଖ୍ୟାରେ ବିଭିନ୍ନ ସାମାଜିକ ସଂସ୍ଥା ନିକ୍ଷୟ ମିତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗାଁ-ଗହଳିରେ, ପଞ୍ଚାୟତରେ, ହଜାର ହଜାର ଲୋକେ ନିଜେ ଆଗେଇ ଆସି ଯକ୍ଷ୍ମା ରୋଗୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଅନେକ ପିଲାମାନେ ମଧ୍ୟ ଯକ୍ଷ୍ମାରୋଗୀଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି । ଏହି ଜନଭାଗୀଦାରୀ ହିଁ ଏହି ଅଭିଯାନର ସବୁଠୁ ବଡ଼ ଶକ୍ତି । ଏହି ଭାଗୀଦାରୀ ଯୋଗୁଁ ଆଜି ଆମ ଦେଶରେ ୧୦ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇସାରିଲାଣି ଏବଂ ଏହି ପୂଣ୍ୟ କାର୍ଯ୍ୟ କରିଛନ୍ତି ପ୍ରାୟଃ ୮୫ ହଜାର ନିକ୍ଷୟ ମିତ୍ର । ଦେଶର ଅନେକ ସରପଞ୍ଚ ଓ ଗାଁ ମୁଖିଆମାନେ ମଧ୍ୟ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ଅଂଟା ଭିଡ଼ିଛନ୍ତି ।

ନୈନିତାଲ୍ର ଗୋଟିଏ ଗାଁର ନିକ୍ଷୟ ମିତ୍ର ଦୀକର୍ ସିଂ ମେୱାଡ଼ି ଛଅ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେହିଭଳି କିନ୍ନୌର୍ର ଗୋଟିଏ ଗ୍ରାମପଞ୍ଚାୟତର ମୁଖ୍ୟ ନିକ୍ଷୟ ମିତ୍ର ଶ୍ରୀଯୁକ୍ତ ଜ୍ଞାନ ସିଂ ମଧ୍ୟ ନିଜ ବ୍ଲକ୍ରେ ଟିବି ରୋଗୀମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ଉପଲବ୍ଧ କରାଇବାରେ ଲାଗିଛନ୍ତି । ଭାରତକୁ ଯକ୍ଷ୍ମାମୁକ୍ତ କରିବା ଅଭିଯାନରେ ଆମର ପିଲାମାନେ ଏବଂ ଯୁବବନ୍ଧୁମାନେ ମଧ୍ୟ ପଛରେ ନାହାନ୍ତି । ହିମାଚଳ ପ୍ରଦେଶର ଉନାର ୭ ବର୍ଷର ଝିଅ ନଳିନୀ ସିଂଙ୍କ ଚମତ୍କାରିତାର କଥା ଶୁଣନ୍ତୁ । ଝିଅ ନଳିନୀ ନିଜ ପକେଟ୍ ଖର୍ଚ୍ଚରୁ ଯକ୍ଷ୍ମା ରୋଗୀଙ୍କର ସହାୟତା କରୁଛନ୍ତି । ପିଲାମାନେ ପଇସା ସଂଗ୍ରହ ଘଡ଼ିକୁ କେତେ ଭଲ ପାଆନ୍ତି ତାହା ଆପଣମାନେ ଜାଣନ୍ତି । କିନ୍ତୁ ମଧ୍ୟପ୍ରଦେଶର କଟ୍ନୀ ଜିଲ୍ଲାର ୧୩ ବର୍ଷ ବୟସ୍କା ମୀନାକ୍ଷୀ ଏବଂ ପଶ୍ଚିମ ବଙ୍ଗର ଡାୟମଣ୍ଡ ହାର୍ବର୍ର ୧୧ ବର୍ଷ ବୟସ୍କ ବଶ୍ୱର ମୁଖାର୍ଜୀ ଏମାନେ ଦୁହେଁ ଅନ୍ୟ ପିଲାମାନଙ୍କ ଠାରୁ କିଛି ଭିନ୍ନ । ଏହି ଦୁଇ ଜଣ ନିଜ ଘଡ଼ିରେ ସଂଚୟ କରିଥିବା ପଇସା ମଧ୍ୟ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ଲଗାଇ ଦେଇଛନ୍ତି । ଏହି ସମସ୍ତ ଉଦାହରଣ ଭାବପ୍ରବଣତାରେ ଭରି ରହିଥିବା ସଙ୍ଗେ ସଙ୍ଗେ ପ୍ରେରଣାଦାୟୀ ମଧ୍ୟ । କମ ବୟସରେ ମଧ୍ୟ ବଡ଼ ଚିନ୍ତାଧାରା ବହନ କରୁଥିବା ଏହି ସମସ୍ତ ପିଲାମାନଙ୍କର ମୁଁ ଆନ୍ତରିକ ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ,
ଆମ ଭାରତବାସୀଙ୍କର ସ୍ୱଭାବ ଯେ ଆମେ ସର୍ବଦା ନୂଆ ବିଚାରକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଥାଉ । ଆମେ ଆମ ଜିନିଷକୁ ଭଲ ପାଉ ଓ ନୂଆ ଜିନିଷକୁ ମଧ୍ୟ ଗ୍ରହଣ କରୁ । ଏହାର ଏକ ଉଦାହରଣ ହେଉଛି- ଜାପାନୀ ପଦ୍ଧତି ମିୟାୱାକି । ଯଦି କୌଣସି ଜାଗାର ମାଟି ଉର୍ବର ହୋଇରହିନାହିଁ, ତେବେ ମିୟାୱାକି ପଦ୍ଧତି ସେହି ଅଞ୍ଚଳକୁ ପୁଣିଥରେ ସବୁଜ ସୁନ୍ଦର କରିବା ପାଇଁ ବହୁତ ଭଲ ଉପାୟ । ମିୟାୱାକି ଜଙ୍ଗଲ ଦ୍ରୁତଗତିରେ ପରିବ୍ୟାପ୍ତ ହୋଇଥାଏ ଏବଂ ଦୁଇ-ତିନି ଦଶନ୍ଧି ଭିତରେ ଜୈବ ବିବିଧତାର କେନ୍ଦ୍ର ପାଲଟିଯାଏ । ଏବେ ଭାରତର ବିଭିନ୍ନ ଅଞ୍ଚଳରେ ଏହାର ଦ୍ରୁତ ପ୍ରସାର ହୋଇଚାଲିଛି । ଆମର ଏଠି କେରଳର ଜଣେ ଶିକ୍ଷକ ଶ୍ରୀମାନ ରାଫି ରାମନାଥ ଜୀ ଏହି ଉପାୟ ଦ୍ୱାରା ଗୋଟିଏ ଅଞ୍ଚଳର ଚିତ୍ରକୁ ହିଁ ବଦଳାଇ ଦେଇଛନ୍ତି । ପ୍ରକୃତରେ, ରାମନାଥ ଜୀ ନିଜର ଛାତ୍ରଛାତ୍ରୀଙ୍କୁ, ପ୍ରକୃତି ଓ ପରିବେଶ ସମ୍ପର୍କରେ ଭଲଭାବେ ବୁଝାଇବାକୁ ଚାହୁଁଥିଲେ । ସେଥିପାଇଁ ସେ ଏକ ଔଷଧୀୟ ଉଦ୍ୟାନ ତିଆରି କରିଦେଲେ । ତାଙ୍କର ଏହି ଉଦ୍ୟାନ ଏବେ ଜୈବବିବିଧତା ଅଞ୍ଚଳ ହୋଇସାରିଛି । ତାଙ୍କର ଏହି ସଫଳତା ତାଙ୍କୁ ଆହୁରି ଅଧିକ ପ୍ରେରଣା ଦେଇଛି । ଏହା ପରେ ରାଫି ଜୀ ମିୟାୱାକି ପଦ୍ଧତି ଦ୍ୱାରା ଏକ ମିନି ଫରେଷ୍ଟ୍, ଅର୍ଥାତ ଛୋଟ ଜଙ୍ଗଲ ତିଆରି କରିଛନ୍ତି ଏବଂ ଏହାର ନାମ ଦେଇଛନ୍ତି “ବିଦ୍ୟା ବନମ୍” । ଏତେ ସୁନ୍ଦର ନାଁ ତ ଜଣେ ଶିକ୍ଷକ ହିଁ ରଖିପାରିବେ- “ବିଦ୍ୟା ବନମ୍” । ରାମନାଥ ଜୀଙ୍କ ଏହି “ବିଦ୍ୟା ବନମ୍”ର ଛୋଟିଆ ଜାଗାରେ ୧୧୫ ପ୍ରକାରର ୪୫୦ରୁ ଅଧିକ ଗଛ ଲଗାଯାଇଛି । ତାଙ୍କର ଛାତ୍ରଛାତ୍ରୀମାନେ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ପାଇଁ ସାହାଯ୍ୟ କରିଥାନ୍ତି । ଏହି ସୁନ୍ଦର ଜାଗାକୁ ଦେଖିବା ପାଇଁ ଆଖପାଖର ସ୍କୁଲପିଲା, ସାଧାରଣ ନାଗରିକଙ୍କ ବହୁତ ଭିଡ଼ ଜମେ । ମିୟାୱାକି ଜଙ୍ଗଲକୁ ଯେ କୌଣସି ଜାଗାରେ, ଏପରିକି ସହରଗୁଡ଼ିକରେ ମଧ୍ୟ ସହଜରେ ତିଆରି କରାଯାଇପାରେ । କିଛିଦିନ ପୂର୍ବରୁ ମୁଁ ଗୁଜରାଟର କେୱଡ଼ିଆ, ଏକତାନଗରରେ, ମିୟାୱାକି ଜଙ୍ଗଲର ଉଦ୍ଘାଟନ କରିଥିଲି । କଚ୍ଛରେ ମଧ୍ୟ ୨୦୦୧ରେ ଭୂମିକମ୍ପ ବେଳେ ମୃତକଙ୍କ ସ୍ମୃତି ପାଇଁ ମିୟାୱାକି ପଦ୍ଧତିରେ ସ୍ମୃତିବନ ତିଆରି କରାଯାଇଛି । କଚ୍ଛ ଭଳି ଜାଗାରେ ଏହା ସଫଳ ହେବା ଘଟଣାରୁ ଜଣାପଡ଼େ ଯେ କଠିନରୁ କଠିନ ପ୍ରାକୃତିକ ପରିବେଶରେ ମଧ୍ୟ ଏହି ପଦ୍ଧତି କେତେ ପ୍ରଭାବଶାଳୀ ହୋଇପାରିବ । ସେହିଭଳି, ଅମ୍ବାଜୀ ଓ ପାୱାଗଢ଼ରେ ମଧ୍ୟ ମିୟାୱାକି ପଦ୍ଧତିରେ ଚାରାରୋପଣ କରାଯାଇଛି । ମତେ ସୂଚନା ମିଳିଛି ଯେ ଲକ୍ଷ୍ନୌର ଅଲିଗଞ୍ଜରେ ମଧ୍ୟ ଏକ ମିୟାୱାକି ଉଦ୍ୟାନ ପ୍ରସ୍ତୁତ କରାଯାଉଛି । ଗତ ଚାରିବର୍ଷ ମଧ୍ୟରେ ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ଏପରି ୬୦ରୁ ଅଧିକ ଜଙ୍ଗଲ ତିଆରି କରାଯାଇଛି । ଏବେ ତ ଏହି ପଦ୍ଧତିକୁ ସମଗ୍ର ବିଶ୍ୱରେ ପସନ୍ଦ କରାଯାଉଛି । ସିଙ୍ଗାପୁର, ପ୍ୟାରିସ୍, ଅଷ୍ଟ୍ରେଲିଆ, ମାଲେସିଆ ଭଳି ବହୁ ଦେଶରେ ଏହାକୁ ବଡ଼ ଆକାରରେ ଉପଯୋଗ କରାଯାଉଛି । ମୁଁ ଦେଶବାସୀଙ୍କୁ, ବିଶେଷ କରି, ସହରରେ ରହୁଥିବା ଲୋକଙ୍କୁ, କହିବି ଯେ ସେମାନେ ମିୟାୱାକି ପଦ୍ଧତି ସମ୍ପର୍କରେ ଜାଣିବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତୁ । ଏହା ଜରିଆରେ ଆପଣ ନିଜର ଧରିତ୍ରୀ ଓ ପ୍ରକୃତିକୁ ସବୁଜସୁନ୍ଦର ଓ ସ୍ୱଚ୍ଛ କରିବାରେ ଅମୂଲ୍ୟ ଯୋଗଦାନ ଦେଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ,
ଆଜିକାଲି ଆମ ଦେଶରେ ଜାମ୍ମୁକାଶ୍ମୀରର ଖୁବ୍ ଚର୍ଚ୍ଚା ହେଉଛି । କେବେ କ୍ରମବର୍ଦ୍ଧିଷ୍ଣୁ ପର୍ଯ୍ୟଟନ କାରଣରୁ ତ ଆଉ କେବେ ଜି-୨୦ର ଭବ୍ୟ ଆୟୋଜନ କାରଣରୁ । କିଛିଦିନ ତଳେ ମୁଁ ‘ମନ୍ କୀ ବାତ୍’ରେ ଆପଣଙ୍କୁ କହିଥିଲି ଯେ କାଶ୍ମୀରର ‘ନାଦ୍ରୁ’କୁ କିଭଳି ଦେଶ ବାହାରେ ମଧ୍ୟ ପସନ୍ଦ କରାଯାଉଛି । ଏବେ ଜାମ୍ମୁକାଶ୍ମୀରର ବାରାମୂଳା ଜିଲାର ଲୋକେ ଗୋଟାଏ ଚମତ୍କାର କରିଦେଖାଇଛନ୍ତି । ବାରାମୂଳାରେ ଚାଷକାମ ତ ବହୁତ ଆଗରୁ ହୋଇଆସୁଛି, କିନ୍ତୁ ଏଠାରେ ଖିରର ଅଭାବ ରହିଥାଏ । ବାରାମୂଳାର ଲୋକେ ଏହି ସମସ୍ୟାକୁ ଏକ ସୁଯୋଗ ରୂପେ ଗ୍ରହଣ କଲେ । ଏଠାରେ ବହୁତ ସଂଖ୍ୟାରେ ଲୋକେ ଡେୟରି କାମ ଆରମ୍ଭ କଲେ । ଏହି କାର୍ଯ୍ୟ ପାଇଁ ସବୁଠୁ ଆଗ ଏଠାକାର ମହିଳାମାନେ ବାହାରିଲେ । ସେମିତି ଜଣେ ଭଉଣୀ ହେଉଛନ୍ତି- ଇଶରତ୍ ନବୀ । ଇଶରତ୍ ଜଣେ ଗ୍ରାଜୁଏଟ୍ ଓ ସେ “ମିର୍ ସିଷ୍ଟର୍ସ ଡେୟରି ଫାର୍ମ” ଆରମ୍ଭ କରିଛନ୍ତି । ତାଙ୍କର ଡେୟରି ଫାର୍ମରେ ପ୍ରତିଦିନ ପ୍ରାୟ ଦେଢ଼ ଶହ ଲିଟର ଖିର ବିକ୍ରି ହେଉଛି । ସେହିପରି ସୋପାରର ଜଣେ ସାଥୀ ହେଉଛନ୍ତି ୱସିମ ଅନାୟତ । ୱସିମଙ୍କ ପାଖରେ ଦୁଇ ଡଜନରୁ ଅଧିକ ପଶୁ ଅଛନ୍ତି ଓ ସେ ପ୍ରତିଦିନ ଦୁଇ ଶହ ଲିଟରରୁ ଅଧିକ ଖିର ବିକ୍ରି କରୁଛନ୍ତି । ଆଉ ଜଣେ ଯୁବକ ଆବିଦ ହୁସୈନ ମଧ୍ୟ ଡେୟରି କାମ କରୁଛନ୍ତି । ତାଙ୍କ କାମ ମଧ୍ୟ ଖୁବ୍ ଆଗକୁ ବଢ଼ୁଛି । ଏପରି ଲୋକଙ୍କ ପରିଶ୍ରମ ଫଳରେ ଆଜି ବାରାମୂଳାରେ ପ୍ରତିଦିନ ସାଢେ ୫ ଲକ୍ଷ ଲିଟର ଖିର ଉତ୍ପାଦନ ହୋଇପାରୁଛି । ସମଗ୍ର ବାରାମୂଳା ଏକ ନୂଆ ଶ୍ୱେତବିପ୍ଳବର ପରିଚୟ ତିଆରି କରିବାରେ ଲାଗିଛି । ଗତ ଅଢ଼େଇ ତିନି ବର୍ଷରେ ଏଠାରେ ୫୦୦ ରୁ ଅଧିକ ଡେୟରି ୟୁନିଟ୍ ଗଢ଼ିଉଠିଛି । ବାରାମୂଳାର ଡେୟରି ଶିଳ୍ପ ଏହାର ସାକ୍ଷୀ ଯେ ଆମ ଦେଶର ପ୍ରତ୍ୟେକ ଅଞ୍ଚଳ କେତେ ସମ୍ଭାବନାରେ ଭରପୂର । କୌଣସି ଅଞ୍ଚଳର ଲୋକଙ୍କର ସାମୂହିକ ଇଚ୍ଛାଶକ୍ତି ଯେ କୌଣସି ଲକ୍ଷ୍ୟକୁ ହାସଲ କରି ଦେଖାଇପାରିବ ।

ମୋର ପ୍ରିୟ ଦେଶବାସୀଗଣ,
ଏହି ମାସରେ କ୍ରୀଡ଼ାଜଗତରୁ ଭାରତ ପାଇଁ ଅନେକ ବଡ଼ ଖୁସି ଖବର ଆସିଛି । ଭାରତୀୟ ଦଳ ପ୍ରଥମ ଥର ପାଇଁ ମହିଳା କନିଷ୍ଠ ଏସିଆ କପ୍ ଜିତି ତ୍ରିରଙ୍ଗାର ସମ୍ମାନ ବଢ଼ାଇଛନ୍ତି । ଏହି ମାସରେ ଆମର ପୁରୁଷ ହକି ଦଳ ମଧ୍ୟ କନିଷ୍ଠ ଏସିଆ କପ୍ରେ ବିଜୟୀ ହୋଇଛି । ଏଥିସହ ଆମେ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠୁ ଅଧିକ ବିଜୟ ହାସଲ କରିଥିବା ଦଳ ପାଲଟିଯାଇଛୁ । ଜୁନିଅର୍ ଶୁଟିଂ ୱାର୍ଲଡକପ୍ରେ ମଧ୍ୟ ଆମର କନିଷ୍ଠ ଦଳ ଚମତ୍କାରିତା ଦେଖାଇଛନ୍ତି । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନ ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଯେତିକି ସ୍ୱର୍ଣ୍ଣପଦକ ଥିଲା, ସେଥିରୁ ୨୦ ପ୍ରତିଶତ କେବଳ ଭାରତ ହାସଲ କରିଛି । ଏହି ଜୁନ୍ ମାସରେ ଏସିଆନ୍ ଅଣ୍ଡର୍ ଟ୍ୱେଣ୍ଟି ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ, ପଦକ ତାଲିକାରେ, ୪୫ଟି ଦେଶ ମଧ୍ୟରେ ଶ୍ରେଷ୍ଠ ତିନିରେ ରହିଥିଲା ।

ବନ୍ଧୁଗଣ,
ଦିନ ଥିଲା ଯେତେବେଳେ ଆମକୁ ଆର୍ନ୍ତଜାତିକ ପ୍ରତିଯୋଗିତା ସମ୍ପର୍କରେ ସୂଚନା ତ ମିଳୁଥିଲା, କିନ୍ତୁ ସେଥିରେ ପ୍ରାୟତଃ ଭାରତର ନାଁ ଦେଖିବାକୁ ମିଳୁନଥିଲା । କିନ୍ତୁ, ଆଜି, ମୁଁ କେବଳ ବିଗତ କେଇ ସପ୍ତାହର ସଫଳତାର କଥା ଯଦି କହେ, ତେବେ ବି ଏହାର ତାଲିକା ଦୀର୍ଘ ହୋଇଯିବ । ଏହା ଆମ ଯୁବପିିଢ଼ିର ପ୍ରକୃତ ଶକ୍ତି । ଏପରି ଅନେକ କ୍ରୀଡ଼ା ଓ ପ୍ରତିଯୋଗିତା ରହିଛି, ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ନିଜର ଉପସ୍ଥିତିକୁ ଦର୍ଶାଉଛି । ଯେପରିକି ଲଙ୍ଗ୍ ଜମ୍ପ୍ରେ ଶ୍ରୀ ଶଙ୍କର ମୂରଲୀ ପ୍ୟାରିସ୍ ଡାଏମଣ୍ଡ୍ ଲିଗ୍ ଭଳି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଦେଶ ପାଇଁ କାଂସ୍ୟ ପଦକ ଆଣିଛନ୍ତି । ଏହା ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ପଦକ। ଏପରି ଏକ ସଫଳତା ଆମର ଅଣ୍ଡର୍ ସେଭେଣ୍ଟିନ୍ ୱିମେନ୍ ରେସ୍ଲିଂ ଟିମ୍ କିର୍ଗିସ୍ତାନରେ ହାସଲ କରିଛନ୍ତି । ମୁଁ ଦେଶର ଏହି ସମସ୍ତ କ୍ରୀଡ଼ାବିତ୍, ତାଙ୍କର ପିତାମାତା ଓ ପ୍ରଶିକ୍ଷକ, ସମସ୍ତଙ୍କୁ ସେମାନଙ୍କର ପ୍ରୟାସ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,
ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶର ଏହି ସଫଳତା ପଛରେ ଜାତୀୟ ସ୍ତରରେ ଆମ ଖେଳାଳିମାନଙ୍କର କଠିନ ପରିଶ୍ରମ ରହିଥାଏ । ଆଜି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏକ ନୂଆ ଉତ୍ସାହର ସହିତ କ୍ରୀଡ଼ା ଆୟୋଜନ ହେଉଛି । ଏହାଦ୍ୱାରା ଖେଳାଳିମାନଙ୍କୁ ଖେଳିବା, ଜିତିବା ଓ ପରାଜୟରୁ ଶିଖିବାର ସୁଯୋଗ ମିଳୁଛି । ଯେପରିକି, ଏବେ ଉତ୍ତରପ୍ରଦେଶରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ ହୋଇଥିଲା । ଏଥିରେ ଯୁବକଯୁବତୀମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଏହି କ୍ରୀଡ଼ାରେ ଆମର ଯୁବକଯୁବତୀମାନେ ଏଗାରଟି ରେକର୍ଡ ଭଙ୍ଗ କଲେ । ଏହି କ୍ରୀଡ଼ାରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଏବଂ କର୍ଣ୍ଣାଟକର ଜୈନ ବିଶ୍ୱବିଦ୍ୟାଳୟ, ପଦକ ତାଲିକାର ପ୍ରଥମ ତିନିଟି ସ୍ଥାନରେ ରହିଥିଲେ ।

ବନ୍ଧୁଗଣ,
ଏପରି ଟୁର୍ଣ୍ଣାମେଣ୍ଟର ଆଉ ଗୋଟିଏ ବଡ଼ ଦିଗ ହେଉଛି ଏଥିରୁ ଯୁବ କ୍ରୀଡ଼ାବିତ୍ମାନଙ୍କର ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସେ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ନୌଚାଳନା ପ୍ରତିଯୋଗିତାରେ ଆସାମର କଟନ୍ ବିଶ୍ୱବିଦ୍ୟାଳୟର ଅନ୍ୟତମ ରାଜକୁମାର ଏପରି ପ୍ରଥମ ଦିବ୍ୟାଙ୍ଗ କ୍ରୀଡ଼ାବିତ୍, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ବର୍କତୁଲ୍ଲାହ ବିଶ୍ୱବିଦ୍ୟାଳୟର ନିଧି ପୱେୟା ଆଣ୍ଠୁରେ ଗୁରୁତର ଆହତ ହେବା ସତ୍ତ୍ୱେ ଶଟ୍ପୁଟ୍ରେ ସ୍ୱର୍ଣ୍ଣପଦକ ଜିତିବାରେ ସଫଳ ହୋଇଥିଲେ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ଶୁଭମ୍ ଭଣ୍ଡାରେ ଗୋଡ଼ରେ ଆଘାତପ୍ରାପ୍ତ ହେବାରୁ ଗତବର୍ଷ ବେଙ୍ଗଲୁରୁରେ ନିରାଶ ହୋଇଥିଲେ, କିନ୍ତୁ ଏଥର ସେ ଷ୍ଟିପଲ୍ଚେଜ୍ରେ ସ୍ୱର୍ଣ୍ଣପଦକଧାରୀ ହୋଇଛନ୍ତି । ବର୍ଦ୍ଦୱାନ ବିଶ୍ୱବିଦ୍ୟାଳୟର ସରସ୍ୱତୀ କୁଣ୍ଡୁ ନିଜ କବାଡ଼ି ଦଳର ଅଧିନାୟିକା । ସେ ଅନେକ ସମସ୍ୟାକୁ ଅତିକ୍ରମ କରି ଏହି ସ୍ଥାନରେ ପହଞ୍ଚିଛନ୍ତି । ଉତ୍ତମ ପ୍ରଦର୍ଶନ କରୁଥିବା ବହୁତ ଆଥ୍ଲେଟ୍ଙ୍କୁ ଟପ୍ସ ଯୋଜନାରେ ମଧ୍ୟ ବହୁତ ସହାୟତା ମିଳୁଛି । ଆମର ଖେଳାଳିମାନେ ଯେତିକି ଖେଳିବେ, ସେତିକି ପ୍ରସ୍ଫୁଟିତ ହେବେ ।

ମୋର ପ୍ରିୟ ଦେଶବାସୀଗଣ,
ଏବେ ୨୧ ଜୁନ୍ ବି ଆସିଯାଉଛି । ଏଥର ମଧ୍ୟ ବିଶ୍ୱର କୋଣ ଅନୁକୋଣରେ ଲୋକମାନେ ଆନ୍ତର୍ଜାତୀୟ ଯୋଗ ଦିବସକୁ ଉତ୍ସୁକତାର ସହିତ ଚାହିଁବସିଛନ୍ତି । ଏ ବର୍ଷ ଯୋଗଦିବସର ବିଷୟବସ୍ତୁ ହେଲା – – Yoga for Vasudhaiba Kutumbakam ଅର୍ଥାତ୍ ‘ଏକ ବିଶ୍ୱ-ଏକ ପରିବାର’ ଭାବରେ ସମସ୍ତଙ୍କର ମଙ୍ଗଳ ପାଇଁ ଯୋଗ । ଏହା ଯୋଗର ସେହି ଭାବନାକୁ ବ୍ୟକ୍ତକରେ ଯାହା ସମସ୍ତଙ୍କ ସହିତ ଯୁକ୍ତ ହୋଇ ସମସ୍ତଙ୍କୁ ସାଥିରେ ନେଇ ଆଗେଇଯିବାର ପ୍ରେରଣା ଦିଏ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶର କୋଣ ଅନୁକୋଣରେ ଯୋଗଦିବସ ସମ୍ବନ୍ଧିତ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ।

ବନ୍ଧୁଗଣ,
ଏ ବର୍ଷ ମୋତେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେଉଥିବା ଯୋଗଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମୁଁ ଦେଖୁଛି, ସାମାଜିକ ଗଣମାଧ୍ୟମରେ ମଧ୍ୟ ଯୋଗଦିବସକୁ ନେଇ ଗୋଟିଏ ଅଦ୍ଭୁତ ଉତ୍ସାହ ଭରି ରହିଛି ।

ବନ୍ଧୁଗଣ,
ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣ ନିଜ ଜୀବନରେ ଯୋଗକୁ ଆପଣେଇ ନିଅନ୍ତୁ, ଏହାକୁ ନିଜ ଦିନଚର୍ଯ୍ୟାର ଅଙ୍ଗ ହିସାବରେ ମାନି ନିଅନ୍ତୁ । ଯଦି ଏବେ ବି ଆପଣମାନେ ଯୋଗ ସହ ଯୁକ୍ତ ହୋଇନାହାନ୍ତି ତେବେ ଆସନ୍ତା ଜୁନ୍ ୨୧ ତାରିଖ ହେଉଛି ଆପଣଙ୍କ ପାଇଁ ଗୋଟିଏ ଉତ୍ତମ ସୁଯୋଗ । ଯୋଗ ପାଇଁ ତ ସେମିତି କିଛି ଜାକଯମକର ଆବଶ୍ୟକତା ନାହିଁ । ଦେଖନ୍ତୁ ଯେତେବେଳେ ଆପଣମାନେ ଯୋଗ ସହ ଯୋଡ଼ିହେବେ ସେତେବେଳେ ଆପଣଙ୍କ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆସିବ ।

ମୋର ପ୍ରିୟ ଦେଶବାସୀଗଣ,
ପରଦିନ ଅର୍ଥାତ୍ ଜୁନ୍ ୨୦ ତାରିଖ ଐତିହାସିକ ରଥଯାତ୍ରାର ଦିନ । ସାରା ସଂସାରରେ ରଥଯାତ୍ରାର ଏକ ବିଶିଷ୍ଟ ପରିଚୟ ରହିଛି । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବହୁତ ଯାକଜକମରେ ରଥଯାତ୍ରା ଆୟୋଜିତ ହୁଏ । ଓଡ଼ିଶାର ପୁରୀରେ ଆୟୋଜିତ ରଥଯାତ୍ରା ସ୍ୱୟଂ ଏକ ଅଦ୍ଭୁତ ମହୋତ୍ସବ । ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ମୋତେ ଅହମ୍ମଦାବାଦରେ ହେଉଥିବା ବିଶାଳ ରଥଯାତ୍ରାରେ ଯୋଗଦେବାର ସୁଯୋଗ ମିଳୁଥିଲା । ଏହି ରଥଯାତ୍ରାଗୁଡ଼ିକରେ ଦେଶର ପ୍ରତ୍ୟେକ ବର୍ଗର ଲୋକ, ପ୍ରତ୍ୟେକ ସମାଜର ଲୋକମାନେ ଯେଭଳି ଉତ୍ସାହର ସହିତ ଭାଗ ନିଅନ୍ତି ତାହା ସ୍ୱତଃ ଅନୁକରଣୀୟ । ଆମର ଆସ୍ଥା ସହିତ ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମଧ୍ୟ ଏକ ପ୍ରତିବିମ୍ବ । ଏହି ପବିତ୍ର, ପୁଣ୍ୟ ଅବସରରେ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି । ଭଗବାନ ଜଗନ୍ନାଥ ସମସ୍ତ ଦେଶବାସୀମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁଖସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହାହିଁ ମୋର କାମନା ।

ବନ୍ଧୁଗଣ,
ଭାରତୀୟ ପରମ୍ପରା ଏବଂ ସଂସ୍କୃତି ସହିତ ବିଜଡ଼ିତ ଉତ୍ସବ ବିଷୟରେ ଚର୍ଚ୍ଚା ସଙ୍ଗେ ସଙ୍ଗେ ମୁଁ ଭାରତୀୟ ରାଜଭବନଗୁଡ଼ିକରେ ଆୟୋଜିତ ହେଉଥିବା ମନଛୁଆଁ ଉତ୍ସବଗୁଡ଼ିକ ବିଷୟରେ ନିଶ୍ଚୟ ଆଲୋଚନା କରିବି । ଏବେ ଦେଶରେ ରାଜଭବନଗୁଡ଼ିକ ସାମାଜିକ ଏବଂ ବିକାଶ କାର୍ଯ୍ୟଗୁଡ଼ିକ ସହିତ ପରିଚିତ ହେବାକୁ ଲାଗିଲେଣି। ଆଜି ଆମର ରାଜଭବନଗୁଡ଼ିକ ଟି.ବି.ମୁକ୍ତ ଭାରତ ଅଭିଯାନ, ପ୍ରାକୃତିକ କୃଷି ସହିତ ଜଡ଼ିତ ଅଭିଯାନ ଆଦିର ଧ୍ୱଜାବାହକ ହେବାକୁ ଲାଗିଲେଣି । ଏହି କିଛିଦିନ ପୂର୍ବେ ଗୁଜରାଟ ହେଉ, ଗୋଆ ହେଉ, ତେଲେଙ୍ଗାନା, ମହାରାଷ୍ଟ୍ର ବା ସିକ୍କିମ ହେଉ, ଏହି ରାଜ୍ୟମାନଙ୍କର ସ୍ଥାପନା ଦିବସକୁ ଭିନ୍ନ ଭିନ୍ନ ରାଜଭବନମାନଙ୍କରେ ଯେଭଳି ଉତ୍ସାହର ସହିତ ପାଳନ କରାଗଲା ତାହା ସ୍ୱୟଂ ଗୋଟିଏ ଗୋଟିଏ ଉଦାହରଣ । ଏହା ଏକ ଉତ୍ତମ ପ୍ରଚେଷ୍ଟା ଯାହା “ଏକ ଭାରତ-ଶ୍ରେଷ୍ଠ ଭାରତ”ର ଭାବନାକୁ ସଶକ୍ତ କରେ ।

ବନ୍ଧୁଗଣ,
ଭାରତ ହେଉଛି ଗଣତନ୍ତ୍ରର ଜନନୀ Mother of Democracy। ଆମେ ଆମର ଗଣତାନ୍ତ୍ରିକ ଆଦର୍ଶକୁ ସର୍ବୋପରି ମାନିଥାଉ, ସମ୍ବିଧାନକୁ ସର୍ବୋପରି ମାନୁ, ତେଣୁ ଜୁନ୍ ୨୫ ତାରିଖକୁ ଆମେ କେବେ ବି ଭୁଲିପାରିବୁନି । ଏ ହେଉଛି ସେହିଦିନ ଯେଉଁଦିନ ଆମ ଦେଶ ଉପରେ Emergency ଲଦି ଦିଆଯାଇଥିଲା। ତାହା ଭାରତ ଇତିହାସର ଏକ କଳା ଅଧ୍ୟାୟ ଥିଲା । ଲକ୍ଷ ଲକ୍ଷ ଲୋକ ଦୃଢ଼ ଭାବରେ Emergencyକୁ ବିରୋଧ କରିଥିଲେ । ଗଣତନ୍ତ୍ରର ସମର୍ଥକମାନଙ୍କ ଉପରେ ସେ ସମୟରେ ଏତେ ଅତ୍ୟାଚାର କରାଯାଇଥିଲା, ଏତେ ଯାତନା ଦିଆଯାଇଥିଲା ଯେଉଁ ବିଷୟରେ ଭାବିଲେ ଆଜି ବି ଦେହ ଶୀତେଇଉଠେ । ଏହି ଅତ୍ୟାଚାର ବିଷୟରେ, ପୁଲିସ୍ ଓ ପ୍ରଶାସନ ଦ୍ୱାରା ଦିଆଯାଇଥିବା ଦଣ୍ଡ ବିଷୟରେ ଅନେକଗୁଡ଼ିଏ ପୁସ୍ତକ ରଚନା କରାଯାଇଛି । “ସଂଘର୍ଷ ମେଁ ଗୁଜରାତ” ନାମକ ଏକ ପୁସ୍ତକ ଲେଖିବାର ସୁଯୋଗ ମୋତେ ବି ସେତେବେଳେ ମିଳିଥିଲା । ଏଇ କିଛିଦିନ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ଉପରେ ଲେଖାହୋଇଥିବା ଗୋଟିଏ ବହି ମୁଁ ଦେଖିବାକୁ ପାଇଲି ଯାହାର ଶୀର୍ଷକ ହେଲା – Torture of Political Prisoners in India. Emergency ସମୟରେ ଛପାହୋଇଥିବା ଏହି ପୁସ୍ତକରେ ତତ୍କାଳୀନ ସରକାର ଗଣତନ୍ତ୍ରର ରକ୍ଷକମାନଙ୍କ ଉପରେ କରିଥିବା କ୍ରୂରତମ ବ୍ୟବହାର ସମ୍ପର୍କରେ ଉଲ୍ଲେଖ ଅଛି । ଏହି ପୁସ୍ତକରେ ଅନେକଗୁଡ଼ିଏ Case Study ରହିଛି, ବହୁତଗୁଡ଼ିଏ ଚିତ୍ର ମଧ୍ୟ ଅଙ୍କିତ ହୋଇଛି । ମୁଁ ଚାହେଁ ଯେ ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଦେଶର ସ୍ୱାଧୀନତାକୁ ବିପଦରେ ପକାଇଥିବା ଏହି ଅପରାଧ ବିଷୟରେ ମଧ୍ୟ ଜାଣିବା ଉଚିତ । ଯାହାଦ୍ୱାରା ଆଜିର ଯୁବପିଢ଼ୀ ପାଇଁ ଗଣତନ୍ତ୍ରର ଅର୍ଥ ଓ ତା’ର ବିଶେଷତ୍ୱକୁ ଜାଣିବା ଆହୁରି ସହଜ ହେବ ।

ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ ରଙ୍ଗବେରଙ୍ଗ ମୋତିମାନଙ୍କ ଦ୍ୱାରା ସଜାହୋଇଥିବା ଗୋଟିଏ ସୁନ୍ଦର ମାଳ ଯାହାର ପ୍ରତ୍ୟେକଟି ମୋତି ସ୍ୱୟଂ ସ୍ୱତନ୍ତ୍ର ଏବଂ ଅମୂଲ୍ୟ । ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧ୍ୟାୟ ବହୁତ ଜୀବନ୍ତ ହୋଇପାରିଛି । ଆମ ମଧ୍ୟରେ ସାମୂହିକ ଭାବନା ସଙ୍ଗେ ସଙ୍ଗେ ସମାଜ ପ୍ରତି କର୍ତ୍ତବ୍ୟଭାବ ଏବଂ ସେବାଭାବ ଜାଗ୍ରତ କରେ । ଏଠାରେ ସେହି ବିଷୟଗୁଡ଼ିକ ଉପରେ ଖୋଲାଖୋଲି ଆଲୋଚନା ହୁଏ ଯେଉଁଗୁଡ଼ିକ ବିଷୟରେ ଆମକୁ ସାଧାରଣତଃ କମ୍ ପଢ଼ିବା ଶୁଣିବାକୁ ମିଳେ । ଆମେ ପ୍ରାୟ ଦେଖିଛେ ‘ମନ୍ କି ବାତ୍’ରେ କୌଣସି ଏକ ବିଷୟରେ ଆଲୋଚନା ହେବାପରେ ଅନେକ ଦେଶବାସୀଙ୍କୁ ନୂତନ ପ୍ରେରଣା ମିଳିଥାଏ । ଏଇ ଅଳ୍ପଦିନ ତଳେ ମୋତେ ଦେଶର ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଆନନ୍ଦାଶଙ୍କର ଜୟନ୍ତଙ୍କର ଗୋଟିଏ ଚିଠି ମିଳିଲା । ନିଜ ପତ୍ରରେ ସେ ‘ମନ୍ କି ବାତ୍’ର ସେହି ଅଧ୍ୟାୟ ବିଷୟରେ ଲେଖିଛନ୍ତି ଯେଉଁଥିରେ ଆମେ Story telling ବିଷୟରେ ଚର୍ଚ୍ଚା କରିଥିଲେ । ସେହି କାର୍ଯ୍ୟକ୍ରମରେ ଆମେ ଏହି କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କର ପ୍ରତିଭାକୁ ଚିହ୍ନି ସ୍ୱୀକାର କରିଥିଲେ । ‘ମନ୍ କି ବାତ୍’ର ସେହି କାର୍ଯ୍ୟକ୍ରମ ଦ୍ୱାରା ପ୍ରେରିତ ହୋଇ ଆନନ୍ଦାଶଙ୍କର ଜୟନ୍ତ ‘କୁଟ୍ଟୀ କାହାନୀ’ ପ୍ରସ୍ତୁତ କରିଛନ୍ତି । ଏହା ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଭାଷାର କାହାଣୀମାନଙ୍କର ଏକ ଉତ୍ତମ ସଂଗ୍ରହ । ଏହି ପ୍ରୟାସ ଏଥିପାଇଁ ମଧ୍ୟ ଉତ୍ତମ ଯେ, ଏହାଦ୍ୱାରା ଆମର ପିଲାମାନଙ୍କର ନିଜ ସଂସ୍କୃତି ପ୍ରତି ଆକର୍ଷଣ ଆହୁରି ଗଭୀର ହୋଇଥାଏ । ସେ ଏହି କାହାଣୀଗୁଡ଼ିକର କିଛି ଉତ୍ସାହଜନକ ଭିଡ଼ିଓ ନିଜର ୟୁ ଟ୍ୟୁବ ଚ୍ୟାନେଲ ରେ ମଧ୍ୟ ଅପଲୋଡ଼ କରିଛନ୍ତି । ମୁଁ ଆନନ୍ଦାଶଙ୍କର ଜୟନ୍ତଙ୍କର ଏହି ପ୍ରଚେଷ୍ଟା ବିଷୟରେ ଏଥିପାଇଁ ବିଶେଷଭାବେ ଆଲୋଚନା କଲି ଯେ ଏହାଦେଖି ମତେ ବହୁତ ଭଲ ଲାଗିଲା । କିଭଳି ଭାବରେ ଦେଶବାସୀଙ୍କର ଭଲକାମ ଅନ୍ୟକୁ ମଧ୍ୟ ପ୍ରେରିତ କରୁଛି । ଏଥିରୁ ଶିକ୍ଷାଲାଭ କରି ସେ ମଧ୍ୟ ନିଜର କଳାକୌଶଳ ଦ୍ୱାରା ଦେଶ ଏବଂ ସମାଜ ପାଇଁ କିଛି ଭଲ କରିବାର ଚେଷ୍ଟା କରନ୍ତି । ଏହାହିଁ ତ ଆମ ଭାରତବାସୀମାନଙ୍କର ସାମୂହିକ ଶକ୍ତି, ଯାହା ଦେଶର ପ୍ରଗତି ପାଇଁ ନୂତନ ଶକ୍ତି ଯୋଗାଇଥାଏ ।

ମୋର ପ୍ରିୟ ଦେଶବାସୀଗଣ,
ଏଥର ‘ମନ୍ କି ବାତ୍’ରେ ମୋ ସହିତ ଏତିକି, ଆସନ୍ତାଥର ନୂତନ ବିଷୟ ନେଇ ଆପଣଙ୍କ ସହ ପୁଣି ସାକ୍ଷାତ ହେବ । ବର୍ଷା ସମୟ, ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ସନ୍ତୁଳିତ ଭୋଜନ କରନ୍ତୁ ଏବଂ ସୁସ୍ଥ ରହନ୍ତୁ । ହଁ, ଯୋଗ ନିଶ୍ଚୟ କରନ୍ତୁ । ଏବେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମଛୁଟି ମଧ୍ୟ ସମାପ୍ତ ହେବାକୁ ଯାଉଛି । ମୁଁ ପିଲାମାନଙ୍କୁ କହିବି ଯେ Homework last ଦିନ ପର୍ଯ୍ୟନ୍ତ pending ରଖନ୍ତୁ ନାହିଁ । କାମ ଶେଷ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ ।

Categories
ଆଜିର ଖବର ଜାତୀୟ ଖବର

ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ କରିବା ଦିଗରେ ଅନେକ ପ୍ରୟାସ କରାଯାଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ ତଥା ସମ୍ମାନିତ କରିବା ଦିଗରେ ଅନେକ ପ୍ରୟାସ ବିଷୟରେ ପ୍ରବନ୍ଧ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନା ସେୟାର କରିଛନ୍ତି ଯାହା ଯୁବକ ଓ ସଂସ୍କୃତି ମଧ୍ୟରେ ବନ୍ଧନକୁ ଆହୁରି ଗଭୀର କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମେ ଆମର ସମୃଦ୍ଧ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ। ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ ତଥା ସମ୍ମାନିତ କରିବା ଦିଗରେ ଅନେକ ପ୍ରୟାସ କରାଯାଇଛି, ଯାହା ଆମର ଯୁବକ ଏବଂ ଆମର ସଂସ୍କୃତି ମଧ୍ୟରେ ବନ୍ଧନକୁ ଆହୁରି ଗଭୀର କରିଦେଇଛି । #9YearsOfPreservingCulture”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅପରେସନ୍ ଗଙ୍ଗା ଭାରତର ଅତୁଳନୀୟ ଉତ୍ସାହକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଗଙ୍ଗା ଉପରେ ଏକ ନୂତନ ଡକ୍ୟୁମେଣ୍ଟାରୀ ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଅତ୍ୟନ୍ତ ସୂଚନାଧର୍ମୀ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଯେତେ ଆହ୍ବାନ ଥାଉ ନା କାହିଁକି ଆମ ଲୋକଙ୍କ ସହ ରହିବା ଆମର ଅପରେସନ୍ ଗଙ୍ଗା ସୂଚାଇଥାଏ। ଏହା ଭାରତର ଅଦମ୍ୟ ଉତ୍ସାହକୁ ମଧ୍ୟ ପ୍ରତିଫଳିତ କରିଥାଏ। ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଏହି ଡକ୍ୟୁମେଣ୍ଟାରୀ ବହୁତ ସୂଚନାଧର୍ମୀ ହେବ।”

Categories
ଆଜିର ଖବର ଜାତୀୟ ଖବର

ଦେଶର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ପରିବର୍ତ୍ତନର ପ୍ରତିରୋଧ କରିବା, କ୍ରମାଗତ ବିକାଶ ଲକ୍ଷ୍ୟକୁ ହାସଲ କରିବା ତଥା ଦେଶର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ସମ୍ପର୍କିତ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବିଷୟରେ ଲେଖା, ଗ୍ରାଫିକ୍ସ, ଭିଡିଓ ଓ ସୂଚନାକୁ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍:

‘‘ଆମର ପରମ୍ପରା ଓ ଲୋକାଚାର ଅନୁରୂପ ଆମେ #9YearsOfSustainableGrowth ରେ ଧ୍ୟାନ କେନ୍ଦ୍ରିତ କରିଛୁ। ଆମେ ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା, କ୍ରମାଗତ ବିକାଶ ଲକ୍ଷ୍ୟକୁ ହାସଲ କରିବା ଏବଂ ଭାରତର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ।’’

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସଠାରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଆୟୋଜନ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହାକୁ ଏକ ବଡ଼ ଆରମ୍ଭ ବୋଲି କହିବା ସହ ଦେଶକୁ ଗୌରବାନ୍ୱିତ କରିବରେ ଜନଜାତି ଖେଳାଳୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ପ୍ରକାଶ କରିଛନ୍ତି।

ଅମୃତ ମହୋତ୍ସବର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଆମ ଖେଳ ଦୁନିଆରେ ଏକ ବଡ଼ ଆରମ୍ଭ! ବୈଶ୍ୱିକ ପ୍ରତିଯୋଗିତାରେ ଭାରତକୁ ପରିଚୟ ଦେବାରେ ଜନଜାତି ଖେଳାଳୀମାନଙ୍କ ଏକ ବଡ଼ ଭୂମିକା ରହିଛି। ଏପରି ଉଦ୍ୟମ ଦ୍ୱାରା ଦେଶକୁ ଏହି ସମୁଦାୟରୁ ନୂଆ ପ୍ରତିଭା ମିଳିବ।’