Categories
ବିଶେଷ ଖବର

୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୨ରୁ ୧୪ ବର୍ଷ ବୟସର ସବୁ ପିଲା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ କୋଭିଡ ପ୍ରତିଷେଧକ ଟିକା ନେବାକୁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି।

ଏକାଧିକ ଟୁଇଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ; ‘‘ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଏବେ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନେ ଟିକା ନେବାକୁ ଯୋଗ୍ୟ ହୋଇପାରିଛନ୍ତି। ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ସବୁ ନାଗରିକ ଆଜି ଠାରୁ ବୁଷ୍ଟର ଡୋଜ୍‌ ନେଇପାରିବେ। ଏହି ବୟସ ବର୍ଗର ଲୋକମାନଙ୍କୁ ଟିକା ନେବା ପାଇଁ ମୁଁ ନିବେଦନ କରୁଛି।’’

‘‘ସମଗ୍ର ବିଶ୍ୱ କଥା ଚିନ୍ତା କରିବା ଲାଗି ଭାରତର ପ୍ରାଚୀନ ନୀତି ଅନୁରୂପ, ଆମେ ଭାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ରାଷ୍ଟ୍ରକୁ ଟିକା ପଠାଇଛୁ। ଭାରତର ଟିକାକରଣ ପ୍ରୟାସ କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିଥିବାରୁ ମୁଁ ଆନନ୍ଦିତ।’’

‘‘ଆଜି, ଭାରତରେ, ଅନେକଗୁଡ଼ିଏ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟିକା ରହିଛି। ବିଧିବଦ୍ଧ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଆମେ ଅନ୍ୟ ଟିକାଗୁଡ଼ିକୁ ମଧ୍ୟ ମଞ୍ଜୁରି ଦେଇଛୁ। ଏହି ପ୍ରାଣଘାତୀ ମହାମାରୀ ବିରୋଧୀ ଲଢ଼େଇରେ ଆମେ ଅପେକ୍ଷାକୃତ ଅଧିକ ଉନ୍ନତ ସ୍ଥିତିରେ ରହିଛୁ। ତେବେ ଆମ ସମସ୍ତଙ୍କୁ କୋଭିଡ ସଂକ୍ରାନ୍ତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ହେବ।’’

Categories
ବିଶେଷ ଖବର

ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ)ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ) ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ବିଶ୍ବ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନ ଏବଂ ଭାରତର ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା।

ଭାରତର ସ୍ଥଳ ସୀମା, ସାମୁଦ୍ରିକ ସୀମା ଏବଂ ବାୟୁସୀମାରେ ସୁରକ୍ଷା ପ୍ରସ୍ତୁତିର ବିଭିନ୍ନ ଦିଗ ଏବଂ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ଅବଗତ କରାଯାଇଥିଲା।

ୟୁକ୍ରେନରେ ସାମ୍ପ୍ରତିକ ପରିସ୍ଥିତି, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ରର ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଅପରେସନ ଗଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା।

ଖାରକିଭ୍‌ରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବା ଲାଗି ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀ ମହାମହିମ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହୋଇଛନ୍ତି।

ଦୁଇ ନେତା ୟୁକ୍ରେନରେ ଦେଖା ଦେଇଥିବା ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଯୁଦ୍ଧବିରତି ସୁନିଶ୍ଚିତ କରିବା ସହିତ କୂଟନୀତି ଓ ଆଲୋଚନା ମାର୍ଗକୁ ଫେରିବାର ଆବଶ୍ୟକତା ରହିଛି ବୋଲି ସହମତି ପ୍ରକାଶ କରିଥିଲେ।

ୟୁକ୍ରେନ-ହଙ୍ଗେରୀ ସୀମା ଦେଇ ୬ହଜାରରୁ ଅଧିକ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ସୁବିଧା ଓ ସହାୟତା ଯୋଗାଇ ଦେଇଥିବାରୁ ମହାମହିମ ଅର୍ବାନ ଏବଂ ହଙ୍ଗେରୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନିଜର ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଅର୍ବାନ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ଚାହିଁଲେ ନିଜର ଡାକ୍ତରୀ ପାଠପଢ଼ା ହଙ୍ଗେରୀରେ ଜାରି ରଖିପାରିବେ। ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରସ୍ତାବକୁ ସାଦରେ ଗ୍ରହଣ କରିବା ସହିତ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ।

ଦୁଇ ନେତା ଏଥିରେ ସହମତ ହୋଇଥିଲେ ଯେ ଉଭୟ ପକ୍ଷ ଆଗକୁ ମଧ୍ୟ ପରସ୍ପର ସହ ଯୋଗାଯୋଗ ରକ୍ଷା କରିବେ ଏବଂ ଯୁଦ୍ଧ ପରିସମାପ୍ତି ଲାଗି ମିଳିତ ପ୍ରୟାସ ଜାରି ରଖିବେ।

Categories
ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ୯ ବାଂଲାଦେଶୀଙ୍କୁ ଉଦ୍ଧାର କଲା ଭାରତ, କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ଅପରେସନ୍ ଗଙ୍ଗା ବର୍ତ୍ତମାନ ଶେଷ ହୋଇଯାଇଛି। ସୋମବାର ଦିନ ଭାରତୀୟ ବାୟୁସେନାର ସି-୧୭ ବିମାନ ୨୦୧ ଜଣ ଭାରତୀୟଙ୍କ ସହ ରାଜଧାନୀ ଦିଲ୍ଲୀ ନିକଟ ହିନ୍ଦନ ଏୟାର ବେସକୁ ଫେରିଛି। ଏହି କ୍ରମରେ, ଭାରତ ଏହି ସଙ୍କଟରେ କିଛି ବିଦେଶୀ ନାଗରିକଙ୍କ ସହ ଅନେକ ଭାରତୀୟଙ୍କୁ ଉଦ୍ଧାର କରିଛି।

ଏହି କ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ‘ଅପରେସନ୍ ଗଙ୍ଗା’ ଅଧୀନରେ ବାଂଲାଦେଶର ୯ ନାଗରିକଙ୍କୁ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଏହି ଅପରେସନରେ ଭାରତ କିଛି ନେପାଳୀ, ଟ୍ୟୁନିସିଆ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରିଛି। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଜଣେ ପାକିସ୍ତାନୀ ମହିଳାଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜକୁ ଜଣେ ପାକିସ୍ତାନୀ ମହିଳା ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବାରେ ନେତୃତ୍ୱ ଦେଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ତାଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ ବିବୃତ୍ତିରେ କହିଛି ଯେ, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ ଅହମ୍ମଦ ସିଦ୍ଦିକିଙ୍କୁ ମୋଦୀ ଭେଟିଛନ୍ତି ଏବଂ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଏହି କଥା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ନିରନ୍ତର ପଦକ୍ଷେପର ଏକ ପରିଚାୟକ ଥିଲା।

ପୁରସ୍କାର ବିଜେତାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ମଧ୍ୟ ଯୋଗଦାନ ଦେଉଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି। ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସେମାନଙ୍କର ଯୋଗଦାନ ଦେଇନାହାନ୍ତି ଏବଂ ଦେଶକୁ ଗୌରବାନ୍ୱିତ କରିନାହାନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳାମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦେବା ଲାଗି ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ସରକାର ଏପରି ନୀତି ପ୍ରଣୟନ କରୁଛନ୍ତି ଯାହା ମାଧ୍ୟମରେ ଏପରି ସମ୍ଭାବନାକୁ ଚିହ୍ନଟ କରାଯାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ, ପାରିବାରିକ ସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ କରାଯିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ‘ସବକା ପ୍ରୟାସ’ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଭୋକାଲ ଫର ଲୋକାଲ ଭଳି ସରକାରଙ୍କ ପ୍ରୟାସର ସଫଳତା, ମହିଳାମାନଙ୍କର ଯୋଗଦାନ ଉପରେ ନିର୍ଭରଶୀଳ।

ଦେଶର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବା ଲାଗି ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ବିଜେତାମାନେ ଧନ୍ୟବାଦ ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସୁଯୋଗ ପାଇବା ଏବଂ ତାଙ୍କ ସହିତ କଥା ହେବା ଦ୍ୱାରା ସେମାନଙ୍କ ସ୍ୱପ୍ନ ସାକାର ହେବା ଭଳି ଅନୁଭବ ହେଉଛି। ସେମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିଲେ ଯାହା ସେମାନଙ୍କ ପ୍ରୟାସରେ ଖୁବ୍‌ ଅଧିକ ସହାୟକ ହୋଇଛି । ପୁରସ୍କାର ବିଜେତାମାନେ ବର୍ତ୍ତମାନ ସୁଦ୍ଧା ନିଜର ଯାତ୍ରା ଏବଂ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ କଥା ହୋଇଥିଲେ। ସେମାନେ ନିଜ କାର୍ଯ୍ୟ କ୍ଷେତ୍ର ସମ୍ପର୍କରେ କେତେକ ପରାମର୍ଶ ଏବଂ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଓଡ଼ିଶାର ଦିବ୍ୟାଙ୍ଗ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନ ଔଷଧି କେନ୍ଦ୍ରର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ କଥା ହୋଇଛନ୍ତି। ଜେନେରିକ ଔଷଧର ବ୍ୟବହାର ଏବଂ ଜନଔଷଧି ପରିଯୋଜନାର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ସାରା ଦେଶରେ ଜନ ଔଷଧି ସପ୍ତାହ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘‘ଜନ ଔଷଧି – ଜନ ଉପଯୋଗୀ’’ ରଖାଯାଇଛି। ଆଜିର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ପାଟନାର ଜନ ଔଷଧି କେନ୍ଦ୍ର ହିତାଧିକାରୀ ସୁଶ୍ରୀ ହିଲଦା ଏନ୍ଥୋନୀଙ୍କ ସହ କଥା ହୋଇଥିଲେ। ଜନ ଔଷଧି କେନ୍ଦ୍ରର ଔଷଧ ବିଷୟରେ ସେ କେମିତି ଜାଣିବାକୁ ପାଇଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ଔଷଧର ଗୁଣବତ୍ତା ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ଜବାବରେ ହିତାଧିକାରୀ କହିଥିଲେ ଯେ, ପୂର୍ବରୁ ସେ ଔଷଧ ବାବଦକୁ ମାସିକ ୧୨୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ କରୁଥିଲେ, କିନ୍ତୁ ଏବେ ସେ ମାସିକ ମାତ୍ର ୨୫୦ ଟଙ୍କା ଖର୍ଚ୍ଚ କରି ସେହିସବୁ ଔଷଧ ପାଇପାରୁଛନ୍ତି। ଏଥିରୁ ତାଙ୍କୁ ବହୁତ ଲାଭ ହୋଇଛି । ସଞ୍ଚିତ ଅର୍ଥ ସେ ସମାଜ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରୁଥିବା କହିଥଲେ । ପ୍ରଧାନମନ୍ତ୍ରୀ ତାଙ୍କର ଏପରି ଭାବନାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଭଳି ଲୋକଙ୍କ ପାଇଁ ଜନ ଔଷଧି କେନ୍ଦ୍ର ଉପରେ ଜନସାଧାରଣଙ୍କ ଭରସା ବୃଦ୍ଧି ପାଇବ। ସେ କହିଥିଲେ ଯେ, ଦେଶର ମଧ୍ୟବିତ୍ତ ଲୋକମାନେ ଏହି ଯୋଜନାର ଶ୍ରେଷ୍ଠ ସଦ୍‌ଭାବନା ଦୂତ ହୋଇପାରିବେ । ସମାଜର ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ପରିସ୍ଥିତି ଉପରେ ରୋଗ ପ୍ରଭାବ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ଜନ ଔଷଧି କେନ୍ଦ୍ରର ଲାଭ ବିଷୟରେ ସମାଜର ଶିକ୍ଷିତ ବର୍ଗ ଆଲୋଚନା କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଭୁବନେଶ୍ୱରର ଦିବ୍ୟାଙ୍ଗ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଜନ ଔଷଧି ପରିଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ସେ ଚାହୁଁଥିବା ସବୁତକ ଔଷଧ ଜନ ଔଷଧି କେନ୍ଦ୍ରରେ ମିଳୁଛି କି ନାହିଁ ପ୍ରଧାନମନ୍ତ୍ରୀ ପଚାରିଥିଲେ। ଶ୍ରୀ ବେହେରା କହିଥିଲେ ଯେ, ତାଙ୍କର ଯେଉଁସବୁ ଔଷଧ ଦରକାର ସେସବୁ ସେ ଜନ ଔଷଧି କେନ୍ଦ୍ରରୁ ପାଇପାରୁଛନ୍ତି। ଫଳରେ ତାଙ୍କର ଔଷଧ ଖର୍ଚ୍ଚ ବାବଦକୁ ମାସିକ ୨ ହଜାରରୁ ୨୫ ଶହ ପର୍ଯ୍ୟନ୍ତ ଟଙ୍କା ସଞ୍ଚିତ ହୋଇପାରୁଛି, ସେ ନିଜ ମାତାପିତାଙ୍କ ପାଇଁ ମଧ୍ୟ ଏହି କେନ୍ଦ୍ରରୁ ଔଷଧ କିଣିଥାନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ଆରୋଗ୍ୟ ଓ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ଶ୍ରୀ ବେହେରା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସାହସର ସହ ସମସ୍ୟାର ମୁକାବିଲା କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ  ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହୀଶୂରର ବବିତା ରାଓଙ୍କ ସହ କଥା ହୋଇଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଯୋଜନାର ପ୍ରଚାରପ୍ରସାର କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ନିବେଦନ କରିଥିଲେ ଯାହାଫଳରେ ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ।

ସୁରଟର ଉର୍ବଶୀ ନୀରବ ପଟେଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ଅବସରରେ ତାଙ୍କ ଅଞ୍ଚଳରେ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ପ୍ରଚାରପ୍ରସାର କରିବା ଲାଗି ସେ କରିଥିବା ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଜନ ଔଷଧି କେନ୍ଦ୍ରରେ ଅତି କମ ମୂଲ୍ୟରେ ସାନିଟାରୀ ପ୍ୟାଡ୍‌ ମିଳୁଛି, ଯାହାକୁ କିଣି ସେ ନିଜର ପ୍ରୟାସ ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ବାଣ୍ଟି ପାରୁଛନ୍ତି। ଜଣେ ରାଜନୈତିକ କର୍ମୀ ଭାବେ ତାଙ୍କର ସେବା ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସାଧାରଣ ଜୀବନରେ ସେବାର ଭୂମିକାକୁ ଏହା ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମାଗଣା ରାସନା ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ସ୍ବଚ୍ଛତାକୁ ନେଇ ସଚେତନତା ବୃଦ୍ଧି କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାୟପୁରର ଶ୍ରୀ ଶୈଲେଶ ଖଣ୍ଡେଲୱାଲ ଜନ ଔଷଧି ପରିଯୋଜନା ସହ ଜଡ଼ିତ ନିଜର ଯାତ୍ରା ସମ୍ପର୍କରେ କଥା ହୋଇଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ଏଠାରେ କମ ମୂଲ୍ୟରେ ଔଷଧ ମିଳିପାରୁଛି ଏବଂ ଏହି ବାର୍ତ୍ତା ସେ ନିଜର ସବୁ ରୋଗୀଙ୍କ ନିକଟରେ ପହଞ୍ଚାଇଥିଲେ।  ଅନ୍ୟ ଡାକ୍ତରମାନେ ମଧ୍ୟ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଔଷଧି କେନ୍ଦ୍ର କେବଳ ଶରୀର ପାଇଁ ଔଷଧ କେନ୍ଦ୍ର ହୋଇ ରହିନାହିଁ, ବରଂ ଏହା ଜନସାଧାରଣଙ୍କ ମାନସିକ ଚାପ ଦୂର କରିବାର କେନ୍ଦ୍ରରେ ପରିଣତ ହୋଇଛି। ଲୋକମାନଙ୍କ ଅର୍ଥ ସଞ୍ଚୟ କରିବା ମାଧ୍ୟମରେ ଏହି କେନ୍ଦ୍ର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି। ଏହି ଯୋଜନାର ଲାଭ ସମାଜର ସବୁ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ୨୧ କୋଟିରୁ ଅଧିକ ସାନିଟାରୀ ନାପକିନ୍‌ ବିକ୍ରି ହେବା ଏହା ଦର୍ଶାଉଛି ଯେ ଜନ ଔଷଧି କେନ୍ଦ୍ରଗୁଡ଼ିକ ସାରା ଦେଶରେ ମହିଳାମାନଙ୍କ ଜୀବନକୁ ସହଜ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ସୁଦ୍ଧା ସାରା ଦେଶରେ ୮ ହଜାର ୫୦୦ ଜନ ଔଷଧି କେନ୍ଦ୍ର ଖୋଲା ଯାଇ ସାରିଛି। ଏହା କେବଳ ଆଉ ଏକ ସରକାରୀ କେନ୍ଦ୍ର ନୁହେଁ ବରଂ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାର ସ୍ଥାନ ପାଲଟିଛି। ସେ କହିଥିଲେ ଯେ କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି। ସରକାର ଷ୍ଟଣ୍ଟିଂ ଦର କମାଇବା ଲାଗି ପଦକ୍ଷେପ ନେଇଛନ୍ତି ଯାହାଫଳରେ ଆଣ୍ଠୁ ପ୍ରତିରୋପଣ ଖର୍ଚ୍ଚ ନିୟନ୍ତ୍ରଣରେ ରହିଛି। ନାଗରିକମାନଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ତଥ୍ୟ ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ, ଏବେ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯାଇସାରିଛି। ୩ କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଇସାରିଛନ୍ତି। ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ୭୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ କାର୍ଯ୍ୟକ୍ରମ ଜରିଆରେ ୫୫୦ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ଆଣ୍ଠୁ ପ୍ରତିରୋପଣ ଏବଂ ଔଷଧ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ୧୩ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ କିଛି ସପ୍ତାହ ପୂର୍ବରୁ, ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ଲାଭାନ୍ୱିତ କରିବ। ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍‌ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି।

ୟୁକ୍ରେନ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବୁଝାମଣାର ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି ଏବଂ ଏହି ବିବାଦର ସମାଧାନ ହୋଇଯିବ ବୋଲି ଆଶା ପ୍ରକଟ କରିଛନ୍ତି।  ରାଷ୍ଟ୍ରପତି ପୁଟିନ ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବାର୍ତ୍ତାଳାପ ଶାନ୍ତି ପ୍ରୟାସରେ ସହାୟକ ହୋଇପାରେ ବୋଲି ସେ ମତ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବେ ମଧ୍ୟ ସୁମିରେ ଅବଶିଷ୍ଟ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଭାରତୀୟ ଛାତ୍ରଙ୍କ ସମେତ ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ମାନବ କରିଡର ସହ ଜଡିତ ପଦକ୍ଷେପ ସମ୍ପର୍କରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ପୁତିନ ୟୁକ୍ରେନ୍‌ ସଂକ୍ରାନ୍ତ ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରୁଷ ଏବଂ ନାଟୋ ସଂଘ ମଧ୍ୟରେ ରହିଥିବା ବିବାଦ କେବଳ ସଚ୍ଚୋଟ ଏବଂ ନିଷ୍ଠାପର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ଦୀର୍ଘ ସମୟ ଧରି ଭାରତର ଏହି ବିଶ୍ବାସକୁ ପ୍ରଧାନମନ୍ତ୍ରୀ ପୁନର୍ବାର ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ତତ୍କାଳ ହିଂସାର ପରିସମାପ୍ତି ପାଇଁ ନିବେଦନ କରିଥିଲେ ଏବଂ କୂଟନୈତିକ ଆଲୋଚନା ଓ ବାର୍ତ୍ତାଳାପ ମାର୍ଗକୁ ଫେରି ଆସିବା ଲାଗି ସମସ୍ତ ପକ୍ଷ ସମ୍ମିଳିତ ପ୍ରୟାସ କରିବା ଆବଶ୍ୟକ ବୋଲି ସେ ଆହ୍ବାନ କରିଥିଲେ।

ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ସେମାନଙ୍କୁ ନିରାପଦ ଭାବେ ସ୍ବଦେଶ ଫେରାଇ ଆଣିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆପୋସ ହିତ ଜଡ଼ିତ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରର ଅଧିକାରୀ ଏବଂ କୂଟନୈତିକ ଦଳ ପରସ୍ପର ସହ ନିୟମିତ ଯୋଗାଯୋଗ ରକ୍ଷା କରିବେ ବୋଲି ଦୁଇ ନେତା ସହମତ ହୋଇଥିଲେ।

Categories
ବିଶେଷ ଖବର

ନେହେରୁ-ଇନ୍ଦିରା ଗାନ୍ଧୀ ସରକାରଙ୍କ ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ତାଙ୍କ ସମ୍ବୋଧନ ସମୟରେ ଅନେକ କଥା ଉଲ୍ଲେଖ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସର ସମସ୍ତ ଅଭିଯୋଗର ଉତ୍ତର ମଧ୍ୟ ଦେଇଛନ୍ତି ଏବଂ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ଭାଷଣର ଜବାବ ଦେବା ସହ ନେହେରୁ-ଇନ୍ଦିରା ଗାନ୍ଧୀ ସରକାରକୁ ସୂଚାଇ ତାଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରା କୋକିଲା ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, “ଆଦରଣୀୟ ଲତା ଦିଦିଙ୍କୁ ଦେଶ ହରାଇଛି। ଏତେ ଦିନ ଧରି ଯାହାର ସ୍ୱର ଦେଶକୁ ଆକର୍ଷିତ କରିଥିଲା, ଦେଶକୁ ପ୍ରେରଣା ଦେଇଥିଲା, ଦେଶକୁ ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥିଲା। ଆଜି ମୁଁ ଲତା ଜୀଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।”

ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସେ ଅମ୍ବାନୀ-ଆଦାନୀଙ୍କ ପରି ଶିଳ୍ପପତିମାନଙ୍କୁ କରୋନାର ଏକ ଭାରିଆଣ୍ଟ ବୋଲି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଲୋକମାନେ କିପରି ଭାରତର ଶିଳ୍ପପତିମାନଙ୍କୁ କରୋନାର ଭାରିଆଣ୍ଟ ବୋଲି କହୁଛନ୍ତି? ଯେଉଁମାନେ ଇତିହାସରୁ ଶିକ୍ଷା ଗ୍ରହଣ କରନ୍ତି ନାହିଁ, ସେମାନେ ଇତିହାସରେ ହଜିଯାଇଛନ୍ତି। ୬୦ ରୁ ୮୦ ଦଶକରେ କାହାଣୀ କ’ଣ ଥିଲା? କଂଗ୍ରେସ ସହିତ ରହିବାକୁ ଉପଭୋଗ କରୁଥିବା ଲୋକମାନେ ପଣ୍ଡିତ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କୁ କ’ଣ କହୁଥିଲେ? ସେମାନେ କହୁଥିଲେ ଏହା ହେଉଛି ଟାଟା ବିର୍ଲା ସରକାର। ବର୍ତ୍ତମାନ ଆପଣ ମଧ୍ୟ ସମାନ ଭାଷା କହୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ନେହେରୁଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଜବାହରଲାଲ ନେହେରୁ କହିଥିଲେ ଯେ, ବେଳେବେଳେ କୋରିଆରେ ଚାଲିଥିବା ଯୁଦ୍ଧ ମଧ୍ୟ ଆମ ଉପରେ ପ୍ରଭାବ ପକାଇଥାଏ। ଏହି କାରଣରୁ ଦ୍ରବ୍ୟର ମୂଲ୍ୟ ବଢେ ଏବଂ ଏହା ମଧ୍ୟ ଆମର ନିୟନ୍ତ୍ରଣରୁ ବାହାର ହୋଇଯାଇଥାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଦେଶ ସାମ୍ନାରେ ହାତ ଟେକି ଦେଇଥିଲେ। ପଣ୍ଡିତ ନେହେରୁ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଆମେରିକାରେ କିଛି ଘଟେ ତେବେ ଏହା ଦ୍ରବ୍ୟର ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ।

ଏହି ସମୟରେ ତାଙ୍କର ଅନେକ ଯୋଜନା ଗଣନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଗରିବଙ୍କ ଘର ମଧ୍ୟ ଲକ୍ଷ ଲକ୍ଷରୁ ଅଧିକ ମୂଲ୍ୟବାନ ଅଟେ। ଯିଏ ଗରିବ ପକ୍କା ଘର ପାଇବ, ସେହି ଗରିବ ମଧ୍ୟ ଲକ୍ଷପତି ବର୍ଗରେ ଆସେ। ସ୍ୱାଧୀନତାର ଏତେ ବର୍ଷ ପରେ, ଗରିବଙ୍କ ଘରେ ଆଲୋକ ଅଛି, ତା’ପରେ ସେମାନଙ୍କର ଖୁସି ଦେଶର ଖୁସିକୁ ଶକ୍ତି ପ୍ରଦାନ କରେ। ଯଦି ଗରିବଙ୍କ ଘରେ ଗ୍ୟାସ୍ ସଂଯୋଗ ଅଛି, ଯଦି ଧୂଆଁଯୁକ୍ତ ଚୁଲିରୁ ମୁକ୍ତି ମିଳିଛି, ତେବେ ଏହାଠାରୁ ଆନନ୍ଦ କଣ ଅଛି?

ପିଏମ ମୋଦୀ କହିଛନ୍ତି ଯେ, ଦୁର୍ଭାଗ୍ୟଜନକ ଯେ ଆପଣଙ୍କ ମଧ୍ୟରୁ ଅନେକ ଅଛନ୍ତି ଯାହାର କଣ୍ଟା ୨୦୧୪ ରେ ଅଟକି ରହିଛି ଏବଂ ସେମାନେ ଏଥିରୁ ବାହାରିବାରେ ସକ୍ଷମ ନୁହଁନ୍ତି। ଏଥିପାଇଁ ଆପଣ ଏହାର ପରିଣାମ ମଧ୍ୟ ଭୋଗିଛନ୍ତି। ଦେଶର ଲୋକମାନେ ଆପଣଙ୍କୁ ଚିହ୍ନିଛନ୍ତି, କିଛି ଲୋକ ଆପଣଙ୍କୁ ପୂର୍ବରୁ ଚିହ୍ନିଛନ୍ତି, କିଛି ଲୋକ ଆପଣଙ୍କୁ ବର୍ତ୍ତମାନ ଚିହ୍ନିଛନ୍ତି ଏବଂ କିଛି ଲୋକ ଆଗାମୀ ସମୟରେ ଆପଣଙ୍କୁ ଚିହ୍ନିବାକୁ ଯାଉଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଜାନୁୟାରୀ 16 ତାରିଖକୁ ଜାତୀୟ ଷ୍ଟାଟଅପ ଦିବସ ଭାବେ ହେବ ପାଳନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେସିଂ ମାଧ୍ୟମରେ ଦେଶର ଷ୍ଟାର୍ଟଅପରମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୨୦୨୨ ଦେଶରେ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ପାଇଁ ଅନେକ ସମ୍ଭାବନା ଆଣିଛି।
ବର୍ତ୍ତମାନ ଭାରତ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରୁଛି ଏବଂ ଯେତେବେଳେ ଭାରତ ୧୦୦ ବର୍ଷର ସ୍ୱାଧୀନତା ଦିବସ ପାଳନ କରିବ, ସେତେବେଳେ ଦେଶର ପ୍ରଗତିରେ ଷ୍ଟାର୍ଟ ଅପ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ସେ କହିଛନ୍ତି, ୧୬ ଜାନୁଆରୀ ଜାତୀୟ ଷ୍ଟାର୍ଟ ଅପ୍ ଦିବସ ଭାବେ ପାଳନ କରାଯିବ।
ଏହି ଆଲୋଚନା ସମୟରେ ବହୁ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଆଲୋଚନା ସମୟରେ କୃଷି, ସ୍ୱାସ୍ଥ୍ୟ, ମହାକାଶ, ଶିଳ୍ପ ୪.୦, ସୁରକ୍ଷା, ଫିଣ୍ଟେକ୍ ଏବଂ ପରିବେଶ ଭଳି ବିଭିନ୍ନ କ୍ଷେତ୍ରରୁ ଷ୍ଟାର୍ଟଅପମାନେ ଅଂଶଗ୍ରହଣ କରିଥିଲେ।
Categories
ଆଜିର ଖବର ଜାତୀୟ ଖବର

ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରମାନଙ୍କ ସହିତ କରୋନା ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ 4.30 ସମୟରେ ରେ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଏଥିରେ ପ୍ରଧାନମନ୍ତ୍ରୀ ଦେଶରେ ମହାମାରି କୋଭିଡ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିବେ।

କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେଉଛି। ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକରେ ଅଧ୍ୟକ୍ଷତା କରି କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତି, ଟୀକାକରଣ ଅଭିଯାନର ସ୍ଥିତି ଏବଂ ନୂତନ ଓମିକ୍ରନ୍ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଗଠନ କଲେ କମିଟି

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା। ଏହି କମିଟିରେ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ ରଖାଯାଇଛି। ସୁରକ୍ଷା ଅଭାବର ସମସ୍ତ ଦିଗକୁ ପରୀକ୍ଷା କରିବା ବ୍ୟତୀତ ଭବିଷ୍ୟତରେ ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ଏହି କମିଟି ମଧ୍ୟ ପରାମର୍ଶ ଦେବ।

ଜାନୁଆରୀ ୫ ତାରିଖରେ ପଞ୍ଜାବର ରାସ୍ତା ଦେଇ ବଠୀଣ୍ଡା ଠାରୁ ଫିରୋଜପୁର ଅଭିମୁଖେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୨୦ ମିନିଟ୍ ପାଇଁ ଫ୍ଲାଏ ଓଭରରେ ଅଟକରହିବାକୁ ପଡିଥିଲା। ଏହାର କାରଣ ହେଲା ହଠାତ୍ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଫ୍ଲାଏ ଓଭର ସମ୍ମୁଖରେ ପହଞ୍ଚିଥିଲେ। ରାଜ୍ୟ ଡିଜିପିଙ୍କ ସହମତି ପରେ ପ୍ରଧାନମନ୍ତ୍ରୀଙ୍କ ପଥ ନିର୍ଣ୍ଣୟ କରାଯାଉଥିବାରୁ ଏହା ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତର ଅବହେଳା ବୋଲି ଜଣାପଡିଛି। ଓକିଲ ଭଏସ୍ ନାମକ ଏକ ସଂସ୍ଥା ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପହଞ୍ଚି ନ୍ୟାୟଯୁକ୍ତ ତଦନ୍ତ ଦାବି କରିଛି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ, ଉଭୟ କେନ୍ଦ୍ର ଏବଂ ପଞ୍ଜାବ ସରକାର ନିଜ ନାମରେ ଏହି ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି। ପରସ୍ପରର କମିଟିର କିଛି ସଦସ୍ୟଙ୍କ ନିରପେକ୍ଷତା ଉପରେ ଉଭୟ ସରକାର ସନ୍ଦେହ ସୃଷ୍ଟି କରିଥିଲେ। ଆଜିର ଆଦେଶରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଏଭଳି ଗୁରୁତର ମାମଲାର ଏକପାଖିଆ ଯାଞ୍ଚ ହୋଇପାରିବ ନାହିଁ। ତେଣୁ ଏକ ସନ୍ତୁଳିତ ଅନୁସନ୍ଧାନ ପାଇଁ ଏହା ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଆବଶ୍ୟକ।

କୋର୍ଟ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ:

୧- ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା (ଚେୟାରମ୍ୟାନ୍)

୨- NIA ର ଡିଜି କିମ୍ବା ତାଙ୍କ ଦ୍ଵାରା ନିଯୁକ୍ତ ଅଧିକାରୀ ଯିଏ ଆଇଜି ପଦବୀରୁ କମ୍ ହୋଇନଥିବେ।

୩- ଚଣ୍ଡିଗଡ଼ ଡିଜିପି

୪- ADGP (ସୁରକ୍ଷା) ପଞ୍ଜାବ

୫- ପଞ୍ଜାବ-ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍

ପ୍ରଧାନ ବିଚାରପତି ଏହି ତିନି ବିଚାରପତିଙ୍କ ତରଫରୁ ଏହି ରାୟ ପଢିଛନ୍ତି। ସେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ କେଉଁ ପ୍ରକାରର ତ୍ରୁଟି ହୋଇଛି, ତାହା ଏହି କମିଟି ଦେଖିବ? ଏଥିପାଇଁ କିଏ ଦାୟୀ? ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ?” କମିଟିର କୌଣସି କାର୍ଯ୍ୟକାଳ ସ୍ଥିର କୋର୍ଟ
କରିନାହାଁନ୍ତି। କେବଳ କମିଟି ଶୀଘ୍ର ଏହାର ରିପୋର୍ଟ ଦେବାକୁ ଚେଷ୍ଟା କରିବା ଉଚିତ୍ ବୋଲି କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ମଣିପୁରର ଇମ୍ପାଲଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଇମ୍ଫାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୮୫୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ, ୨ହଜାର ୯୫୦କୋଟି ଟଙ୍କାର ନଅଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ପୂୂର୍ତ୍ତ, ସୂଚନା ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, କଳା ଓ ସଂସ୍କୃତି ଅନ୍ତର୍ଭୁକ୍ତ।

୧୭୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ପାଞ୍ଚଟି ଜାତୀୟ ରାଜପଥ ନିର୍ମାଣର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩୭ନମ୍ବର ଜାତୀୟ ରାଜପଥରେ ବାରାକ୍ ନଦୀ ଉପରେ ୭୫କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇସ୍ପାତ ପୋଲକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଏହାଫଳରେ ସିଲଚରୁ ଇମ୍ଫାଲ ମଧ୍ୟରେ ଯାତ୍ରୀ ଭିଡରୁ ରକ୍ଷା ମିଳିବ। ଏହାଛଡା ପ୍ରାୟ ଏଗାର ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨ହଜାର ୩୮୭ଟି ମୋବାଇଲ ଟାୱାର ସେ ମଣିପୁରବାସୀଙ୍କୁ ଭେଟି ହୋଇଥିଲା।

ପ୍ରଧାନମନ୍ତ୍ରୀ୨୮୦କୋଟି ଟଙ୍କାର ଥୋଉବାଲ ବହୁମୁଖୀ ପ୍ରକଳ୍ପର ଜଳ ସରବରାହ ପଦ୍ଧତି ଉଦ୍‌ଘାଟନ କରିଥିଲେ। ଏହାଦ୍ୱାରା ଇମ୍ଫାଲକୁ ପାନୀୟ ଜଳଯୋଗାଣ ହୋଇପାରିବ। ଏହା ତମେନଲଙ୍ଗ ଜିଲ୍ଲାକୁ ନିରାପଦ ପାନୀୟ ଜଳଯୋଗାଣ ନିମନ୍ତେ ୬୫କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ କରାଯାଇଥିବାବେଳେ ୫୧କୋଟି ଟଙ୍କା ବ୍ୟୟରେ ସେନାପତି ଜିଲ୍ଲା ମୁଖ୍ୟାଳୟକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି।

ସରକାରୀ ଓ ଘରୋଇ ଭାଗିଦାରିତାରେ ୧୬୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଇମ୍ଫାଲ କର୍କଟ ହସ୍‌ପିଟାଲ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଡିଆରଡିଓ ସହଯୋଗରେ କିଆମନେଇ ଠାରେ ୩୭କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ମଧ୍ୟ ଉଦ୍‌ଘାଟନ କରିଥିଲେ। ଇମ୍ଫାଲ ସ୍ମାର୍ଟସିଟି ମିଶନ ଅଧୀନରେ ୧୭୦କୋଟି ଟଙ୍କା ବ୍ୟୟରେ ନିର୍ମିତ ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲରୁମ ( ଆଇସିସିସି), ଇମ୍ଫାଲ ନଦୀ (ପ୍ରଥମ ଫେଜର) ପଶ୍ଚିମ ପାଶ୍ୱର୍ ଓ ଥଙ୍ଗଲବଜାର (ପ୍ରଥମ ଫେଜର) ମାଲରୋଡ ବିକାଶ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ  ଥିବା ଉଦ୍‌ଭାବନ, ନବୀକରଣ, ଉଷ୍ମାୟନ ଓ ତାଲିମକେନ୍ଦ୍ର (ସିଆଇଆଇଆଇଟି)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ ମଧ୍ୟ ୨୪୦କୋଟି ଟଙ୍କା ବ୍ୟୟରେ ହରିୟାଣା ଗୁରୁଗାଓଁଠାରେ ମଣିପୁର ନୃତ୍ୟକଳା ପ୍ରତିଷ୍ଠାନର ଶିଳାନ୍ୟାସ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଉ ଅଳ୍ପଦିନ ପରେ ୨୧ ଜାନୁୟାରୀ ଦିନ ମଣିପୁର ତାର ରାଜ୍ୟ ପାହ୍ୟା ପାଇବାର ୫୦ତମ ବାର୍ଷିକୀ ପାଳନ କରିବ। ସ୍ୱାଧୀନତାର ୭୫ବର୍ଷ  ବା ଅମ୍ରିତ ମହୋତ୍ସବ ସହ ଏହା ଏକ ପ୍ରମୁଖ ଉତ୍ସାହ ଓ ଉଦ୍ଦୀପନାର ବିଷୟ।

ମଣିପୁରର ସାହସୀ ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବାସୀଙ୍କ ମନରେ ସ୍ୱାଧୀନତା ର ବିଶ୍ୱାସ ଏଠାରୁ ହିଁ ଆସିଥିଲା, ଯେତେବେଳେ ନେତାଜୀ ସୁଭାଷଙ୍କର ସେନା ପ୍ରଥମଥର ପାଇଁ ମୋଇରାଙ୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନେତାଜୀ ଯେଉଁ ଉତ୍ତରପୂର୍ବକୁ ସ୍ୱାଧୀନତାର ପ୍ରବେଶ ଦ୍ୱାରା ବୋଲି କହୁଥିଲେ, ତାହା ଆଜି ନବ ଭାରତର ସ୍ୱପ୍ନ ସାକାର କରିବା ପାଇଁ ପ୍ରବେଶ ଦ୍ୱାର ହୋଇଛି। ଦେଶର ପୂର୍ବା ଓ ଉତ୍ତର ପୂର୍ବାଞ୍ଚଳ ଭାରତର ପ୍ରଗତିର ଉତ୍ସ ହେବ ଓ ତାହାର ଏହି ସବୁ ଅଞ୍ଚଳର ପ୍ରଗତିରୁ ସୁସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ବିଭିନ୍ନ ‌ଯୋଜନା ନିମନ୍ତେ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମଣିପୁରରେ ଏକ ସ୍ଥିର ସରକାର ସ୍ପଷ୍ଟ ବହୁମତ ସହ ପ୍ରଭାବଶାଳୀ ଢଙ୍ଗରେ ଶାସନ କରୁଥିବାରୁ ସେ ଧନ୍ୟବାଦ ଦେଇଥିଲେ। ମଣିପୁର ଜନସାଧାରଣଙ୍କ ଏକ ମଜବୁତ ସରକାର ବାଛିବା ଯୋଗୁଁ ଆଜି ଛଅଲକ୍ଷ କୃଷକ ପରିବାର କିଷାନ ସମ୍ମାନ ନିଧି ଯୋଜନାର ଶହ ଶହ କୋଟି ଟଙ୍କା ପାଉଛନ୍ତି। ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଛଅଲକ୍ଷ ଗରିବ ପରିବାର ସହାୟତା ପାଉଛନ୍ତି, ପିଏମ୍‌ଏୱାଇ ଅଧୀନରେ ୮୦ହଜାର ଆବାସ ଯୋଗାଯାଇଛି, ଆୟୁଷ୍ମାନ ଯୋଜନାରେ ୪ଲକ୍ଷ ୨୫ହଜାର ବ୍ୟକ୍ତିଙ୍କୁ ମାଗଣା ସ୍ୱାସ୍ଥ୍ୟସେବା, ୧. ୫ଲକ୍ଷ ଲୋକଙ୍କୁ ଗ୍ୟାସ ସଂଯୋଗ, ୧.୩ଲକ୍ଷଙ୍କୁ ମାଗଣା ବିଦ୍ୟୁତ ସଂଯୋଗ, ୩୦ହଜାର ଶୌଚାଳୟ, ୩୦ଲକ୍ଷ ମାଗଣା ଟିକା ମାତ୍ରା ଓ ପ୍ରତ୍ୟେକ ଜିଲ୍ଳାରେ ଅମ୍ଳଜାନ କାରଖାନା ରାଜ୍ୟରେ ଏକ ବାସ୍ତବତାରେ ପରିଣତ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହେବା ଆଗରୁ ମଧ୍ୟ ଅନେକ ଥର ମଣିପୁର ଆସିଛନ୍ତି। ସେ କହିଲେ ଯେ ସେମାନଙ୍କ ଯନ୍ତ୍ରଣା ବୁଝିଛନ୍ତି “ସେଇଥିପାଇଁ ୨୦୧୪ ପରେ ମୁଁ ଦିଲ୍ଲୀ ସରକାରଙ୍କୁ ଆପଣମାନଙ୍କ ଘର ଦୁଆରକୁ ନେଇ ଆସିଛି” ପ୍ରତ୍ୟେକ ଅଧିକାରୀ ଓ ମନ୍ତ୍ରୀଙ୍କୁ ଏହି ଅଞ୍ଚଳ ପରିଦଶର୍ନ କରି ସ୍ଥାନୀୟ ଆବଶ୍ୟକତା ଅନୁସାରେ ଜନସାଧାରଣଙ୍କ ସେବା କରିବାକୁ କୁହାଯାଇଛି। “ଆପଣମାନେ ଦେଖିପାରୁଥିବେ ଯେ ଆପଣମାନଙ୍କ ଅଞ୍ଚଳରୁ ମନ୍ତ୍ରିମଣ୍ଡଳରେ ପାଞ୍ଚଜଣ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ସାତବର୍ଷର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଓ ବିଶେଷକରି ମଣିପୁରରେ ସ୍ପଷ୍ଟ ଦୃଶ୍ୟମାନ। ଆଜି ମଣିପୁର ଏକ ପରିବର୍ତ୍ତିତ କର୍ମ ସଂସ୍କୃତି ପଥରେ ପାଦ ଥାପିଛି। ଏହା କେବଳ ମଣିପୁର ସଂସ୍କୃତି ଓ ସେମାନଙ୍କ ଯତ୍ନ ଯୋଗୁଁ ସମ୍ଭବପର ହୋଇଛି। ସଂଯୋଗୀକରଣ ଏକ ପ୍ରାଥମିକତା ହୋଇଥିବାବେଳେ ସୃଜନଶୀଳତା ମଧ୍ୟ ସମଭାବେ ଗୁରୁତ୍ୱପୂର୍ଣ୍ଣ।

ସଡକ ପ୍ରକଳ୍ପ ସହ ଭିତ୍ତିଭୂମି  ଓ ଉନ୍ନତ ମୋବାଇଲ ନେଟୱାର୍କ ସଂଯୋଗୀକରଣ ଓ ନବୀକରଣ  ଯୁବ ସମାଜର ଉତ୍ସାହ ବୃଦ୍ଧି କରିବ। ଆଧୁନିକ କର୍କଟ ହସ୍‌ପିଟାଲ ସେବା ଯତ୍ନ ବୃଦ୍ଧି ସହ ମଣିପୁର ନୃତ୍ୟକଳା ଓ ଗୋବିନ୍ଦ ଜୀ ମନ୍ଦିରର  ପୁନରୁଦ୍ଧାର  ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଉତ୍ତର-ପୂର୍ବାଞ୍ଚଳ ପାଇଁ “ଆକ୍ଟ ପ୍ଲାଷ୍ଟ” ନୀତି ଆପଣାଇଛନ୍ତି ।ଈଶ୍ୱର ଏହି ଅଞ୍ଚଳକୁ ବିପୁଳ ପ୍ରାକୃତିକ ସମ୍ପଦ ଦେଇଛନ୍ତି । ଏଠାରେ ପର୍ଯ୍ୟଟନ ଓ ବିକାଶର ଅନେକ ସୁବିଧା ରହିଛି। ଏହି ଅଞ୍ଚଳରେ ଏହାକୁ ଶାକାର କରିବା ପାଇଁ କାମ ଚାଲିଛି । ଉତ୍ତରପୂର୍ବାଞ୍ଚ ଏବେ ଭାରତ ବିକାଶର ପ୍ରବେଶ ଦ୍ୱାର ହୋଇଛି ବୋଳି ସେ କହିଥିଲେ। ଏହି ଅଞ୍ଚଳରେ ଏହାକୁ ସାକାର କରିବା ପାଇଁ କାମ ଚାଲିଛି। ଉତ୍ତରପୂର୍ବାଂଚଳ ଏବେ ଭାରତ ବିକାଶର ପ୍ରବେଶ ଦ୍ୱାର ହୋଇଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ ମଣିପୁର ଭାରତର ଏପରି ଏକ ରାଜ୍ୟ ଯେ ସେ ଦେଶକୁ କ୍ୱଚିତ ଦେଖିବାକୁ ମିଳୁଥିବା ରତ୍ନ ଦେଇଛି। ଯୁବଶକ୍ତି ବିଶେଷ କରି ଏଠାକାର ଝିଅମାନେ ସାରା ବିଶ୍ୱରେ ଦେଶକୁ ଗର୍ବିତ  କରିଛନ୍ତି। ଆଜି ଦେଶର ଯୁବସମାଜ ମଣିପୁର ଖେଳାଳୀମାନଙ୍କଠାରୁ ପ୍ରେରଣା ପାଉଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଓ  ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଏହି ଅଞ୍ଚଳରେ ଆଉ ଉଗ୍ରବାଦର ନିଆଁ ନାହିଁ ବରଂ ବିକାଶ ଓ ଶାନ୍ତିର ଆଲୋକ ଅଛି। ଶହ ଶହ ଉତ୍ତର ପୂର୍ବାଞ୍ଚଳରେ ଯୁବକ ଯୁବତୀ ଅସ୍ତ୍ର ତ୍ୟାଗ କରି ଜାତୀୟ ବିକାଶର ମୁଖ୍ୟଧାରାରେ ସାମିଲ ହୋଇଛନ୍ତି। ଦୀର୍ଘଦିନ ଧରି ପଡିରହିଥିବା ରାଜିନାମା ଐତିହାସିକ ଅସମାଧିତ ମିମାଂସାର ଚଳିତ ସରକାର ଅନ୍ତ ଘଟାଇଛନ୍ତି। ଏକ ଅବରୋଧ ରାଜ୍ୟରୁ ରାଜ୍ୟ ଆନ୍ତର୍ଜାତିକ ବାଣିଜ୍ୟ ପାଇର୍ଁ ପଥ ପରିସ୍କାର କରିଛି।

ଏକବିଂଶ ଶତାବ୍ଦୀର ଏହି ଦଶକ ମଣିପୁର ନିମନ୍ତେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅତୀତରେ ହୋଇଥିବା ସମୟ ପାଇଁ ସେ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଆଉ ଗୋଟିଏ କ୍ଷଣ ମଧ୍ୟ ନାହିଁ। “ଆମକୁ ମଣିପୁରରେ ସ୍ଥିରତା ରଖିବାକୁ ପଡିବ ଓ ମଣିପୁରକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବାକୁ ହେବ। କେବଳ ଡବଲ ଇଞ୍ଜିନ ସରକାର ହିଁ ଏହା କରିପାରିବେ ବୋଲି ସେ କହିଥିଲେ।

Categories
ବିଶେଷ ଖବର

ଉତ୍ତରାଖଣ୍ଡରେ ୧୭ହଜାର ୫୦୦କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ୧୭ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପର ଅବଧାରଣା ପ୍ରଥମେ ୧୯୭୬ ମସିହାରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ପଡି ରହିଥିଲା। ସେ ୮୭୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ। ଦୁର୍ଗମ,ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ସଂଯୋଗୀକରଣ ଦିଗରେ ଏହି ପ୍ରକଳ୍ପଗୁଡିକ ସହାୟକ ହେବ। କୈଳାସ ମାନସରୋବର  ଯାତ୍ରାର ସଂଯୋଗୀକରଣ ମଧ୍ୟ ଉନ୍ନତ ହେବ। ସେ  ମଧ୍ୟ ଉଦ୍ଦମସିଂ ନଗରରେ ଏମ୍ସ, ଋଷିକେଶର ଉପଗ୍ରହ କେନ୍ଦ୍ର ଓ ପିଥୋରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ଏହା ଏକ ଅଂଶବିଶେଷ। ସେ କାଶୀପୁରଠାରେ ସୁଗନ୍ଧିତ ଗୁଳ୍ମରାଜି ଉଦ୍ୟାନ ଓ ସିତାରଗଞ୍ଜଠାରେ ପ୍ଲାଷ୍ଟିକ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହାଛଡା ରାଜ୍ୟବ୍ୟାପୀ ଅନ୍ୟାନ୍ୟ ବହୁମୁଖୀ ଗୃହନିର୍ମାଣ ପରିମଳ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ କୁମାୟୁଁ ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି ଓ ଉତ୍ତରାଖଣ୍ଡୀ ଟୋପି ଦେଇ ତାଙ୍କୁ  ସମ୍ମାନୀତ କରିଥିବାରୁ ସେ ଅଞ୍ଚଳର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କାହିଁକି ଏହି ଦଶନ୍ଧି ଉତ୍ତରଖଣ୍ଡର ବୋଲି ପ୍ରଧାନମନ୍ତ୍ରୀ ସବିଶେଷ ବୃତ୍ତାନ୍ତ  କହିଥିଲେ। ସେ କହିଥିଲେ ଯେ ଉତ୍ତରାଖଣ୍ଡବାସୀଙ୍କ ଶକ୍ତି ଯୋଗୁଁ ହିଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ। ଉତ୍ତରାଖଣ୍ଡରେ ବୃଦ୍ଧି ପାଉଥିବା ଆଧୁନିକ ଭିତ୍ତଭୂମି, ଚାରିଧାମ ପ୍ରକଳ୍ପ, ତିଆରି ଅଭିମୁଖୀ ରେଳପଥ ଯୋଗୁଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ। ଉତ୍ତରାଖଣ୍ଡରେ ଜଳବିଦ୍ୟୁତ, ଶିଳ୍ପ , ପର୍ଯ୍ୟଟନ, ଜୈବିକ କୃଷି ଓ ସଂଯୋଗୀକରଣ ଦିଗରେ କରିଥିବା ଉନ୍ନତି ଯୋଗୁଁ ଯୁଗ ଉତ୍ତରାଖଣ୍ଡର ଯୁଗ ହେବ।

ପ୍ରଧାନମନ୍ତ୍ରୀ ପାର୍ବତ୍ୟାଞ୍ଚଳରେ ବିକାଶଧାରା କିପରି ବିକାଶ ଚିନ୍ତାଧାରଠାରୁ ଭିନ୍ନ ତା’ର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ସେ କହିଥିଲେ ଯେ ବିକାଶ ନ ହେବା ଯୋଗୁଁ ଅନେକ ଏହି ଅଞ୍ଚଳରୁ ଅନ୍ୟ ଆଡକୁ ପଳାୟନ କରୁଛନ୍ତି। ସେ କହିଥିଲେ ଯେ ସରକାର ସବ୍‌କା ସାଥ ସବକା ବିକାଶ ଉତ୍ସାହରେ କାର୍ଯ୍ୟ କରୁଛନ୍ତି। ଏମ୍ସ ଋଷିକେଶର ଉଦ୍ଦାମସିଂ ନଗରଠାରେ ଉପଗ୍ରହ କେନ୍ଦ୍ର ଓ ପିଥରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବ। ଆଜି ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା ତାହା ହେଉଛି ସଂକଳ୍ପର ପ୍ରସ୍ତର ଓ ସମ୍ପୂର୍ଣ୍ଣ ସଂକଳ୍ପର ସହ ତା’ର କାର୍ଯ୍ୟ ଶେଷ ହେବ। ଅତୀତରେ ଦାରିଦ୍ର‌୍ୟ ଓ ସଂଘର୍ଷ ଆଦି ସୁବିଧା ଓ ସହାବସ୍ଥାନରେ ପରିଣତ ହୋଇଛି ବୋଲି ସେ କହିଥିଲେ। ଗତ ସାତବର୍ଷ ମଧ୍ୟରେ ହର ଘର ଜଲ, ଶୌଚାଳୟ, ଉଜ୍ଜଳା ଯୋଜନା, ପିଏମ୍‌ଏୱାଇ ଯୋଗୁଁ ମହିଳାମାନଙ୍କ ମର୍ଯ୍ୟାଦା ସୁବିଧା ବୃଦ୍ଧି ଘଟିଛି।

ଆଗରୁ ଯେଉଁମାନେ ସରକାରରେ ଥିଲେ ସରକାରୀ ଯୋଜନାରେ ବିଳମ୍ବ ସେମାନଙ୍କ ସ୍ୱଭାବ ବନିଯାଇଥିଲା। “ଆଜି ଯେଉଁ ଲଖୱାର ପ୍ରକଳ୍ପ ଉତ୍ତରାଖଣ୍ଡରେ ଆରମ୍ଭ ହେଲା ତା’ର ମଧ୍ୟ ଏହି ଇତିହାସ ରହିଛି। ଏହି ପ୍ରକଳ୍ପ ୧୯୭୬ ମସିହାରେ କଳ୍ପନା କରାଯାଇଥିଲା। ଆଜି ୪୬ବର୍ଷ ପରେ ଆମ ସରକାର ଏହି କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବିଳମ୍ବ କୌଣସି ଅପରାଧରୁ କମ୍ ନୁହେଁ,” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗଙ୍ଗୋତ୍ରୀ ଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଅଭିଯାନ ଚଳାଇଛନ୍ତି। ଶୌଚାଳୟ ନିର୍ମାଣ, ଉନ୍ନତ ନର୍ଦ୍ଦମା ବ୍ୟବସ୍ଥା ଯୋଗୁଁ ମଇଳା ନାଳ ପାଣି ଗଙ୍ଗାକୁ ନିଷ୍କାସିତ ହେବା  ହ୍ରାସ ପାଉଛି। ସେହିପରି ନୈନାତାଲ ହ୍ରଦ ପ୍ରତି ଧ୍ୟାନ ଦିଆଯାଇଛି। ନୈନିତାଲ  ଦେବସ୍ଥଳରେ କେନ୍ଦ୍ର ସରକାର ସର୍ବବୃହତ ଅପ୍ଟିକାଲ ଟେଲିସ୍କୋପ ମଧ୍ୟ ସ୍ଥାପନ କରିଛନ୍ତି। ଏହା କେବଳ ଦେଶ ଓ ଦେଶ ବାହାର ବୈଜ୍ଞାନିକମା୍‌ନଙ୍କୁ ନୂତନ ସୁବିଧା ଦେଇନାହିଁ, ବରଂ ଏହି ଅଞ୍ଚଳ ମଧ୍ୟ ନୂତନ ପରିଚୟ ପାଇଛି। ସେ କହିଥିଲେ ଯେ ଆଜି ଦିଲ୍ଲୀ ଏବଂ ଡେରାଡୁନ ସରକାର କେବଳ କ୍ଷମତା ଆଶାରେ ପରିଚାଳିତ ନୁହଁନ୍ତି, ସେବା ମନୋବୃତ୍ତି ଦ୍ୱାରା ପରିଚାଳିତ।

ସୀମାନ୍ତ ରାଜ୍ୟ ହେବା ସତ୍ୱେ ଅନେକ ପ୍ରତିରକ୍ଷା ସମ୍ପର୍କୀତ ଆବଶ୍ୟକତାକୁ ଅଣ ଦେଖା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ସଂଯୋଗୀକରଣ ସହ ଜାତୀୟ ସୁରକ୍ଷାର ପ୍ରତ୍ୟେକ ଦିଗକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ ସେ କହିଥିଲେ ଯେ ସୈନିକକୁ ସଂଯୋଗୀକରଣ, ଆବଶ୍ୟକୀୟ ଅସ୍ତ୍ରୋପକରଣ ଇତ୍ୟାଦି ପାଇଁ ଅପେକ୍ଷା କରିବାକୁ  ପଡୁଥିଲା ଶତ୍ରୁକୁ କଡା ଟକ୍ଟର ଦେବା ପାଇଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରଖଣ୍ଡ ବିକାଶର ଗତିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛି।  ସେ କହିଥିଲେ “ଆପଣମାନଙ୍କ ସ୍ୱପ୍ନଗୁଡିକ ଆମର ସଂକଳ୍ପ, ଆପଣମାନଙ୍କ ଇଚ୍ଛା ଆମର ଉତ୍ସାହ ବର୍ତ୍ତମାନ ଆପଣମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ହେଉଛି ଆପଣମାନଙ୍କ ଦାୟିତ୍ୱ” ସେ କହିଥିଲେ ଯେ ଉତ୍ତରାଖଣ୍ଡ ଜନସାଧାରଣ ସଂକଳ୍ପ ଏହି ଯୁଗକୁ ଉତ୍ତରାଖଣ୍ଡଯୁଗ ଭାବେ ଗଢି ତୋଳିବ। (ପିଆଇବି)

Categories
ବିଶେଷ ଖବର

ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର: ୧୦ କୋଟି କୃଷକଙ୍କୁ ୨୦ ହଜାର କୋଟି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବର୍ଷରେ ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦଶମ କିସ୍ତି ପ୍ରଦାନ କରିବେ। ଜାନୁଆରୀ ୧ ତାରିଖ ୨୦୨୨ରେ ପ୍ରଧାନମନ୍ତ୍ରୀ ୧୦ କୋଟି କୃଷକ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବେ। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧.୬ ଲକ୍ଷ କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାନୁୟାରୀ ୧ ତାରିଖ ଅପରାହ୍ନ ୧୨.୩୦ ମିନିଟ ସମୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବେ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ୩୫୧ କୃଷକ ଉତ୍ପାଦକ ସଂଗଠନ (FPO) କୁ ୧୪ କୋଟି ଟଙ୍କା ଇକ୍ୱିଟି ଅନୁଦାନ ମଧ୍ୟ ପ୍ରଦାନ କରିବେ। ଏହା ୧.୨୪ ଲକ୍ଷ ଚାଷୀଙ୍କୁ ଉପକୃତ କରିବ।

ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସରକାର ଏହି ଟଙ୍କାକୁ ତିନୋଟି କିସ୍ତି ଆକାରରେ ଦିଅନ୍ତି। ୪ ମାସର ପାର୍ଥକ୍ୟରେ ଚାଷୀମାନେ ୨୦୦୦ ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ।

Categories
ବିଶେଷ ଖବର

ଟ୍ରିପଲ ତଲାକର ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, କହିଲେ ଏଭଳି କଥା

କାନପୁର: ‘ନିଜ ଝିଅମାନଙ୍କୁ ଶିକ୍ଷିତ କରାନ୍ତୁ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କାନପୁରରେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ହିତାଧିକାରୀ ଫରଜାନାଙ୍କୁ କହିଛନ୍ତି।

ଫରଜାନା କାନପୁରର କିଦବଇନଗରର ଅଧିବାସୀ। ସେ ପିଏମ ମୋଦୀଙ୍କୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଚାରି ବର୍ଷ ପୂର୍ବେ ତାଙ୍କୁ ଟ୍ରିପଲ ତଲାକ ଦେଇଛନ୍ତି। ବର୍ତ୍ତମାନ ସେ ଏକ ଛୋଟ ଫାଷ୍ଟଫୁଡ୍ ସେଣ୍ଟର ଚଲାଉଛନ୍ତି। ଲକଡାଉନ ସମୟରେ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରୁ ଋଣ ନେଇ ଦୋସା-ଇଡଲି ବିକ୍ରି କରନ୍ତି।

ଯେତେବେଳେ ଫରଜାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫଟୋ ମାଗିଥିଲେ। ସେ ତାଙ୍କ ଦୋକାନରେ ଏହି ଫଟୋ ରଖିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ। ଯାହା ପ୍ରଧାନମନ୍ତ୍ରୀ ମନା କରି ନଥିଲେ। ଏବଂ ତାଙ୍କ ମୁଣ୍ଡ ଉପରେ ହାତ ରଖି ଫଟୋ ନେଇଥିଲେ।

ବିଭିନ୍ନ ସରକାରୀ ଯୋଜନାର ୨୫ ହିତାଧିକାରୀଙ୍କ ମଧ୍ୟରୁ ଫରଜାନା ଅନ୍ୟତମ। ସେ ପିଏମ ମୋଦୀଙ୍କୁ କହିଛନ୍ତି, ଆପଣଙ୍କ ଯୋଗୁଁ ମୁଁ ମୋର ଦୁଇ ଝିଅଙ୍କୁ ଶିକ୍ଷିତ କରିବାକୁ ସକ୍ଷମ ଅଟେ। ମୁଁ ଚାହୁଁଛି ମୋ ଝିଅମାନେ ଭଲ ପଢନ୍ତୁ। ମୁଁ ଅନେକ ଖରାପ ଦିନ ଦେଖିଛି। ମୋ ସ୍ଵାମୀ କେବଳ ଟ୍ରିପଲ୍ ତଲାକ୍ କହିଥିଲେ ଏବଂ ମୋତେ ମୋର ଦୁଇ ଝିଅଙ୍କ ସହିତ ଘରୁ ବାହାରକୁ ଯିବାକୁ ପଡିଲା। ମୋର ମାମଲା ଏବେ ବି କୋର୍ଟରେ ଅଛି।

ଫରଜାନା ପିଏମ ମୋଦୀଙ୍କୁ କହିଛନ୍ତି ଯେ, ପୂର୍ବରୁ ସେ ଏମ୍ବ୍ରୋଡେରୀ କାମ କରୁଥିଲେ ଏବଂ ସେଠାରେ ଏକ ରେଷ୍ଟୁରାଣ୍ଟରେ କାମ କରିବାବେଳେ ସେ ଦକ୍ଷିଣ ଭାରତୀୟ ଖାଦ୍ୟ ରାନ୍ଧିବା ଶିଖିଥିଲେ। ବର୍ତ୍ତମାନ ସେ ନିଜେ ଏକ ଛୋଟ ରେଷ୍ଟୁରାଣ୍ଟ ଚଳାଉଛନ୍ତି।

Categories
ବିଶେଷ ଖବର

ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗେଦେଲେ ପ୍ରଧାନମନ୍ତ୍ରୀ

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ  ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି।

ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କାନପୁର ନିମନ୍ତେ ଏକ ମହାନ୍ ଦିବସ  କାରଣ ଆଜି କାନପୁର ନଗରୀ ମେଟ୍ରୋ ସୁବିଧା ମଧ୍ୟ ପାଉଛି। ଆହୁରିମଧ୍ୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଜରିଆରେ କାନପୁର ବିଶ୍ୱକୁ ମୂଲ୍ୟବାନ ଉପହାର ଦେଇଛି। ଛାତ୍ରଛାତ୍ରୀଙ୍କ ଏହି ସମ୍ମାନଜନକ ଅନୁଷ୍ଠାନରେ ରହଣି ମଧ୍ୟରେ ବିଶେଷକରି ଏଠାରେ ଯୋଗଦେବା ଓ ଉତ୍ତୀର୍ଣ୍ଣ ହେବା ମଧ୍ୟରେ “ଆପଣମାନେ ଏକ ବିରାଟ ପରିବର୍ତ୍ତନ ନିଜ ମଧ୍ୟରେ ଅନୁଭବ କରିପାରୁଥିବେ।” ଏଠାକୁ ଆସିବା ପୂର୍ବରୁ ମନରେ ଅନେକ ଆଶଙ୍କାର ପ୍ରଶ୍ନବାଚୀ ଥିବ। ହେଲେ ଏବେ ଅଜଣାର କୌଣସି ଭୟ ନ ଥିବ ଓ ଏବେ ସମଗ୍ର ବିଶ୍ୱରେ କିଛି ନା କିଛି ନୂତନ ଆବିଷ୍କାର ପାଇଁ ମନରେ ସାହସ ମଧ୍ୟ ଆସିଯାଇଥିବ। କୌଣସି ଅଜଣା ପ୍ରଶ୍ନବାଚୀ ନ ଥିବ। ବର୍ତ୍ତମାନ ଥିବା କେବଳ ସବୁଠାରୁ ଉତ୍ତମ ଅନୁସନ୍ଧାନ ଓ ସମଗ୍ର ବିଶ୍ୱରେ ଅଗ୍ରଣୀ ହେବାର ସ୍ୱପ୍ନ” ବୋଲି ସେ କହିଥିଲେ। କାନପୁର ଐତିହାସିକ ଓ ସାମାଜିକ ଇଚ୍ଛାପତ୍ର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାନପୁର ବିବିଧତା ଦୃଷ୍ଟିରୁ ସମଗ୍ର ଦେଶରେ କେତେକ ନଗରୀ ମଧ୍ୟରେ ଅନ୍ୟତମ।  “ସତୀଚଉରା ଘାଟରୁ ମଜାରୀ ପଶି, ନାନା ସାହେବଠାରୁ ବଟୁକେଶ୍ୱର ଦତ୍ତ ପର୍ଯ୍ୟନ୍ତ ଯେତେବେଳେ ଆମେ ନଗରୀ ପରିକ୍ରମା କରୁ ସେତେବେଳେ ଆମେ ଗୌରମମୟ ଅତୀତ ଓ ଆମ ସ୍ୱାଧୀନତା ସଂଗ୍ରାମର ତ୍ୟାଗ ନେଇ ଅବଗତ ହେଉ” ବୋଲି ସେ  ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଜୀବନରେ ବର୍ତ୍ତମାନର ଗୁରୁ୍‌ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ବିଂଶ ଶତାବ୍ଦୀର ତିରିଶ ଦଶକ ଉପରେ ସବିଶେଷ କହିଥିଲେ। “ଯେଉଁମାନେ ସେତେବେଳେ ୨୦ରୁ ୨୫ବର୍ଷ ମଧ୍ୟରେ ଥିଲେ ନିଶ୍ଚିତ ସେମାନେ ୧୯୪୭ ସ୍ୱାଧୀନତା ହାସଲ ସମୟ ଅତିବାହିତ କରିଥିବେ। ସେତେବେଳେ ତାହା ସେମାନଙ୍କ ଜୀବନର ସ୍ୱର୍ଣ୍ଣିମ ସମୟ ରହିଥିବ। ଆଜି ତୁମେମାନେ ମଧ୍ୟ ସେହିଭଳି ଏକ ସ୍ୱର୍ଣ୍ଣିମ ଯୁଗ ଆଡେ ପାଦ ଥାପିଛି। ଯେମିତି ବର୍ତ୍ତମାନ ଦେଶ ପାଇଁ ଅମୃତକାଳ ସେହିପରି ତୁମ ଜୀବନର ମଧ୍ୟ ଅମୃତକାଳ’ ବୋଲି ସେ କହିଥିଲେ।

ଆଇଆଇଟି କାନପୁରର ସଫଳତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆଜି ବୈଷୟିକ ଦୃଶ୍ୟପଟ କେବଳ ପେଶାଦାରମାନଙ୍କ ପାଇଁ। କୃତ୍ରିମ ମେଧା, ଶକ୍ତି, ଜଳବାୟୁ ସମସ୍ୟା, ସ୍ୱାସ୍ଥ୍ୟବସ୍ଥା ସମାଧାନରେ ବୈଷୟିକ ଜ୍ଞାନ ଓ ବିପର୍ଯ୍ୟୟ ପରିଚାଳନା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏଗୁଡିକ କେବଳ ତମମାନଙ୍କର ଦାୟିତ୍ୱ ନୁହଁ ଏଗୁଡିକ ବଂଶାନୁକ୍ରମିକ ସ୍ୱପ୍ନ ଯାହାକୁ ତୁମେମାନଙ୍କ ସୌଭାଗ୍ୟ ଯେ ସେଗୁଡିକୁ ସାକାର କହିବ। ବର୍ତ୍ତମାନ ସମୟ ହେଉଛି ଜୀବନର ଲକ୍ଷ୍ୟ ଓ ନିଜର ସମସ୍ତ ଶକ୍ତି ଘଟାଇ ତୁମକୁ ତାହା ହାସଲ କରିବାକୁ ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛିି ସମ୍ପୂର୍ଣ୍ଣଭାବେ ବୈଷୟିକ ଜ୍ଞାନଯୁକ୍ତ। ଏହି ଯୁଗରେ ପ୍ରଯୁକ୍ତି ବିଦ୍ୟା ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବ। ଗୋଟିଏ ଦୃଷ୍ଟିରୁ କହିଲେ ବିନା ପ୍ରଯୁକ୍ତିରେ ଜୀବନର କୌଣସି ମାନେ ନାହିଁ। ପ୍ରଧାନମନ୍ତ୍ରୀ ଜାତୀୟ ଭାବଧାରା ଛାତ୍ରଛାତ୍ରୀଙ୍କୁ ଜଣାଇ ଦେଇଥିଲେ।

ସେ କହିଥିଲେ ଯେ “ଆଜି ଦେଶର ଭାବନା ଓ ମତିଗତି ଆପଣମାନଙ୍କ ସହ ସମାନ। ଆଗରୁ ଭାବନା ଉପର ଠାଉରିଆ କାମ ଭଳି ଥିବାବେଳେ, ଆଜିର ଚିନ୍ତାଧାରା କାର୍ଯ୍ୟ ଓ ଫଳ ପ୍ରଦାନକାରୀ ଭିତିକ। ଆଗରୁ ଯେତେବେଳେ ଗୋଟେ ସମସ୍ୟାରୁ ମୁକୁଳିବା ପାଇଁ ବାଟ ଖୋଜା ଯାଉଥିଲା, ଆଜି ସମସ୍ୟା ସମାଧାନ ନିମନ୍ତେ ସଂକଳ୍ପ ନିଆଯାଉଛି।”

ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରି କହିଥିଲେ ଯେ ଆମେ ଅନେକ ସମୟ ହରାଇଛୁ। ସ୍ୱାଧୀନତାର ୨୫ତମ ବାର୍ଷିକୀଠାରୁ ଦେଶ ଗଠନ ପାଇଁ ଅନେକ କିଛି କରାଯାଇପାରିଥାନ୍ତା। “ଯେତେବେଳେ ଦେଶ ସ୍ୱାଧୀନତାର ୨୫ବର୍ଷରେ ପଦାର୍ପଣ କଲା, ସେତେବେଳେ ଆମେ ନିଜ ପାଦରେ ଠିଆ ହେବା ପାଇଁ ଅନେକ କିଛି କରିପାରିଥାନ୍ତୁ। ସେବେଠାରୁ ଅନେକ ବିଳମ୍ବ ହୋଇଛି ଓ ଦେଶ ବହୁ ମୂଲ୍ୟବାନ ସମୟ ହରାଇଛି। ୟା ମଧ୍ୟରେ ଦୁଇଟି ବଂଶ ଅତିକ୍ରମ ହୋଇଯାଇଛି ଓ ଆମେ ଆଉ ଦୁଇ କ୍ଷଣ ମଧ୍ୟ ଅପଚୟ କରିବ ନାହିଁ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋ କଥା ଯଦି ଅଧୈର୍ଯ୍ୟପୂର୍ଣ୍ଣ ଲାଗୁଛି ତେବେ ଏଇଥିପାଇଁ ଯେ ମୁଁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ “ଏକ ଆତ୍ମନିର୍ଭର ଭାରତ ପାଇଁ ଏହିପରି ଅଧୈର୍ଯ୍ୟ ହେବାକୁ ଚାହୁଁଛି। ଆତ୍ମନିର୍ଭରତ ଭାରତ ହେଉଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ମୌଳିକ ଢାଂଚା, ଯେଉଁଠି ଆମକୁ ଆଉ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ପ୍ରତ୍ୟେକ ଦେଶକୁ ଏକ ବାର୍ତ୍ତା ଦେବାର ଅଛି, ଏକ ଲକ୍ଷ୍ୟ ସାଧନ କରିବାର ଅଛି। ଭାଗ୍ୟ  ଯେଉଁଆଡେ ନେବ ସେଠାରେ ପହଂଚିବାର ଅଛି । ଆମେ ଯଦି ଆତ୍ମନିର୍ଭର ନହେବା, ଆମ ଦେଶ କିପରି ଏହାର ଲକ୍ଷ୍ୟ ହାସଲ କରିବ, ଆମେ ଆମର ଲକ୍ଷ୍ୟସ୍ଥଳରେ ପହଚିଂବା କିପରି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଇନୋଭେସନ ମିଶନ, ପ୍ରଧାନମନ୍ତ୍ରୀ  ଗବେଷଣା ଫେଲୋସିପ୍ ଏବଂ ଜାତୀୟ ଶିକ୍ଷାନୀତି ପାଇଁ ନୂତନ ବାତାବରଣ ଓ ସୁଯୋଗ ସୃଷ୍ଟି ହେଉଛି। ବ୍ୟବସାୟରେ ସୁଗମତା ଓ ନୀତିଗତ ବାଧାବିଘ୍ନ ହଟିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଏହି ୭୫ତମ ସ୍ୱାଧୀନତା ଦିବସ ବର୍ଷରେ ଭାରତରେ ୭୫ରୁ ଅଧିକ ୟୁନିକର୍ଣ୍ଣ, ୫୦ହଜାରରୁ ଅଧିକ ଷ୍ଟାର୍ଟଅପ୍ ଓ ସେଥିରୁ ଦଶହଜାର କେବଳ ଗତ ଛଅମାସ ମଧ୍ୟରେ ଆସିଛି । ଆଜି ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଷ୍ଟାର୍ଟଅପ  ପେଣ୍ଠଭାବେ ଉଭା ହୋଇଛି। ଆଇଆଇଟି ର ଛାତ୍ରଛାତ୍ରୀ ଏହା ଆରମ୍ଭ କରିଛନ୍ତି। ବିଶ୍ୱରେ  ଭାରତର ଟେକ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦେଇଛନ୍ତି, “ଭାରତୀୟ କମ୍ପାନୀ ଓ ଭାରତୀୟ ସାମଗ୍ରୀ ବିଶ୍ୱବିଦିତ ହେବାକୁ କେଉଁ ଭାରତୀୟ ନ ଚାହିଁବ? ଯେ ଆଇଆଇଟିକୁ ଚିହ୍ନିଛି ସେ ମେଧା ଶକ୍ତି କ’ଣ ଜାଣିଛ ପ୍ରଫେସରମାନଙ୍କ ଅକ୍ଲାନ୍ତ ପରିଶ୍ରମ କ’ଣ ଜାଣିଛ ଏହି ଆଇଆଇଟି ଯୁବା ସବୁକିଛି କରିପାରିବେ ବୋଲି ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଆଗରେ ଆରାମକୁ ତ୍ୟାଗ  କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ତୁମେ ଚାହିଁ  କି ନ ଚାହଁ ଜୀବନରେ ଆହ୍ୱାନ ନିଶ୍ଚୟ ଆସିବ। ଯେଉଁମାନେ ସେଥିରୁ ଦୂରେଇ ଯାଆନ୍ତି, ସେମାନେ ତାହାର ଶିକାର ହୁଅନ୍ତି। ଯଦି ତୁମେ ଆହ୍ୱାନର ସମ୍ମୁଖୀନ ହେଉଛ, ତୁମେ ତାହାହେଲେ ଶିକାରୀ ଓ ଆହ୍ୱାନ ତା’ର ଶିକାର।”

ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସମ୍ବେଦନଶୀଳତା, ଅନୁସନ୍ଦିତ୍ସ୍‌ୁ ମନୋଭାବ, କଳ୍ପନା ଓ ସୃଜନଶୀଳତା ମନୋଭାବ ଉଦ୍‌ଜୀବିତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅଣ ବୈଷୟିକ ଦିଗ ପ୍ରତି ମଧ୍ୟ ସମ୍ବେଦନଶୀଳ  ହେବାକୁ କହିଥିଲେ। “ଯେତେବେଳେ ଆନନ୍ଦ ଓ ଦୟାର ଅଂଶୀଦାର ହେବାର ସମୟ ଆସେ, ସେତେବେଳେ କୌଣସି ପାସୱାର୍ଡ ନ ରଖି ଜୀବନକୁ ଖୋଲା ହୃଦୟରେ ଉପଭୋଗ କର।”

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକାକରଣର ବୁଷ୍ଟର ଡୋଜ ପୂର୍ବରୁ ଦେଖାଇବାକୁ ପଡିବ ଏହି ପ୍ରମାଣପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ତଳେ ଦେଶକୁ ସମ୍ବୋଧିତ କରିଥିଲେ। ଏଥିରେ ୧୫-୧୮ ବର୍ଷର ପିଲାମାନଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ପିଏମ ମୋଦୀ ମଧ୍ୟ ବୃଦ୍ଧଙ୍କ ସମେତ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ଯେଉଁମାନେ ୬୦ ବର୍ଷରୁ ଅଧିକ ବୟସ୍କ, ଯେଉଁମାନେ ଅନ୍ୟ ଗୁରୁତର ରୋଗରେ ପୀଡିତ, ସେମାନେ ବୁଷ୍ଟର୍ ଡୋଜ୍ ନେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କୋୱିନ୍ ସଂଚାଳନର ମୁଖ୍ୟ ତଥା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ, ବୁଷ୍ଟର୍ ଡୋଜ ପାଇଁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଏକ କୋ-ମୋର୍ବିଡିଟି ସାର୍ଟିଫିକେଟ୍ ଦେଖାଇବାକୁ ପଡିବ। ପୂର୍ବ ଟୀକାକରଣ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପଟେ, ଅଧିକ ସୂଚନା ପାଇଁ କୋୱିନ୍-ଆପ୍ ବ୍ୟବହାର କରାଯାଇପାରିବ।

ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯେ, ୬୦ ବର୍ଷ ବୟସ୍କ ବ୍ୟକ୍ତି ଯେଉଁମାନେ ଉଭୟ ଡୋଜ ନେଇଛନ୍ତି, ସେମାନେ କୋ-ମୋର୍ବିଡିଟି ସାର୍ଟିଫିକେଟ୍ ନେଇ ତୃତୀୟ ଡୋଜ୍ ଅର୍ଥାତ୍ ବୁଷ୍ଟର୍ ଡୋଜ୍ ପାଇପାରିବେ। ମଧୁମେହ, କିଡନୀ ରୋଗ, ହୃଦ୍ ରୋଗ, ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ, କର୍କଟ ଭଳି ପ୍ରାୟ ୨୨ ଟି ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ଡାକ୍ତରଙ୍କ ଠାରୁ ପ୍ରମାଣପତ୍ର ଦେଖାଇ ବୁଷ୍ଟର ଡୋଜ ନେଇପାରିବେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ପିଲାମାନଙ୍କୁ ଜାନୁୟାରୀ ୩ ରୁ ଟୀକା ଦେବା ପାଇଁ କଲେ ଘୋଷଣା

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ବିଶ୍ଵ ସମୁଦାୟ ଭୟଭୀତ ଅବସ୍ଥାରେ ରହିଛି। ତେଣୁ ସତର୍କ ରହିବା ଏବଂ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଭୟଭୀତ ନହୋଇ ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଏବଂ ଟୀକାକରଣରେ ସାମିଲ ହେବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୪୧ ଡୋଜ ଟୀକା ଦିଆଯାଇଛି। ୬୧ ପ୍ରତିଶତରୁ ଊର୍ଦ୍ଧ୍ଵ ଲୋକ ଦ୍ଵିତୀୟ ଖୋରାକ ନେଇଛନ୍ତି।

ତେବେ ଦେଶରେ ୧୫ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟୀକା ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ପିଲାଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ ବେଳେ ଘୋଷଣା କରିଛନ୍ତି।

ଏହାସହିତ ସମ୍ମୁଖ ଯୁଦ୍ଧା ସ୍ୱାସ୍ଥ୍ୟକର୍ମୀ, ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଏବଂ ବହୁ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଧ୍ୟ ଟୀକା ଦିଆଯିବ। ସେମାନଙ୍କୁ ଆସନ୍ତା ୧୦ ତାରିଖରୁ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଇସିଏଆଇ ଏବଂ ପିଆଇବିଆର ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ଦ ପୋଲିସ ଚାମ୍ବର ଅଫ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର) ମଧ୍ୟରେ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି। ସଦସ୍ୟ ପରିଚାଳନା, ବୃତ୍ତିଗତ ନୈତିକତା, ବୈଷୟିକ ଗବେଷଣା, ସିପିଡି, ପେସାଦାର ଆକାଉଣ୍ଟାନ୍ସି ପ୍ରଶିକ୍ଷଣ, ଅଡିଟର ଗୁଣବତ୍ତା ଅନୁଧ୍ୟାନ, ଆକାଉଣ୍ଟାନ୍ସି ସମ୍ବନ୍ଧିୟ ଜ୍ଞାନର ବିକାଶ, ପେସାଦାର ଏବଂ ବୌଦ୍ଧିକ ବିକାଶ କ୍ଷେତ୍ରରେ ଆପୋସ ସହଯୋଗ ପାଇଁ ଏହି ଏମଓୟୁକୁ ମଞ୍ଜୁର କରାଯାଇଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ପ୍ରସ୍ତାବିତ ଏମଓୟୁର ଉଦ୍ଦେଶ୍ୟ ହେଉଛି ବ୍ଲକ ଚେନ, ସ୍ମାର୍ଟ କଣ୍ଟ୍ରାକ୍ଟ ପ୍ରଣାଳୀ, ପାରମ୍ପରିକ ଅଡିଟ କାମକୁ କ୍ଲାଉଡ ଅଡିଟ କାମରେ ରୂପାନ୍ତରଣ କରିବା। ଯାହାଫଳରେ ଅଡିଟ ଓ ଆକାଉଣ୍ଟାନ୍ସି କ୍ଷେତ୍ରରେ ନୂତନ ପଦ୍ଧତି ପ୍ରୟୋଗ ତଥା ଅଧ୍ୟୟନ ସମ୍ବନ୍ଧୀୟ ବିଷୟରେ ସହଯୋଗ ସୁଦୃଢ଼ ହୋଇପାରିବ। ଆଇସିଏଆଇ ଏବଂ ପିଆଇବିଆର ଏହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ଯେ ପେସାଦାର ସଂଗଠନଗୁଡ଼ିକ ପକ୍ଷରୁ ପ୍ରକାଶିତ ପୁସ୍ତକ, ପତ୍ରିକା ଏବଂ ଅନ୍ୟ ପ୍ରକାଶନୀଗୁଡ଼ିକର ଆଦାନପ୍ରଦାନ, ଅଡିଟ ଓ ଆକାଉଣ୍ଟାନ୍ସି ଉପରେ ଲେଖାକୁ ଉଭୟ ପକ୍ଷର ପତ୍ରିକା ଓ ଓ୍ବେବସାଇଟରେ ଆପୋସ ଭିତ୍ତିରେ ପ୍ରକାଶ କରିବେ। ଏଥିସହିତ ଦୁର୍ନୀତି ଏବଂ ବେଆଇନ ଅର୍ଥ କାରବାର ବିରୋଧରେ ଆପୋସ ସହଯୋଗକୁ ସୁଦୃଢ଼ କରିବେ।

ପ୍ରଭାବ

ଆଇସିଏଆଇ ଏବଂ ପିଆଇବିଆର, ପୋଲାଣ୍ଡ ମଧ୍ୟରେ ବୁଝାମଣାପତ୍ର ଜରିଆରେ ଆଇସିଏଆଇର ସଦସ୍ୟମାନଙ୍କୁ ପୋଲାଣ୍ଡରେ ବ୍ୟବସାୟିକ ସୁଯୋଗ ମିଳିପାରିବ। ଫଳରେ ୟୁରୋପରେ ସେମାନଙ୍କର ଉପସ୍ଥିତି ସୁଦୃଢ଼ ହେବ। ଏହି ଅବସର ସ୍ବଳକାଳୀନ ଏବଂ ଦୀର୍ଘକାଳୀନ ହେବ। ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଆଇସିଏଏଆଇ ଏବଂ ପିଆଇବିଆର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ଭିତ୍ତିରେ ଲାଭଜନକ ସମ୍ପର୍କ ବିକଶିତ କରିବା ଲାଗି ମିଳିମିଶି କାମ କରିବା। ଏମଓୟୁ ଅଧୀନରେ ଆଇସିଏଆଇ ଆକାଉଣ୍ଟାନ୍ସି ପେସାରେ ସେବା ରପ୍ତାନି ଲାଗି ପୋଲାଣ୍ଡ ସହିତ ସହଭାଗିତାକୁ ସୁଦୃଢ଼ କରିବାରେ ସକ୍ଷମ ହେବ।

ଆଇସିଏଆଇର ସଦସ୍ୟମାନେ ସାରା ଦେଶରେ ବିଭିନ୍ନ ସଂଗଠନ ମାଧ୍ୟମରେ ଉଚ୍ଚସ୍ତରୀୟ ପଦପଦବୀରେ କାମ କରିଥାନ୍ତି। ସେମାନେ ଦେଶର ସେସବୁ ସଂଗଠନର ନିର୍ଣ୍ଣୟ/ନୀତି ନିର୍ମାଣ ରଣନୀତିକୁ ପ୍ରଭାବିତ କରିବା ସ୍ଥିତିରେ ଥାଆନ୍ତି। ଆଇସିଏଆଇ ବିଶ୍ବର ୪୭ଟି ଦେଶର ୭୩ଟି ସହରରେ ନିଜର ଚାପ୍ଟର୍ସ ଏବଂ ରିପ୍ରେଜେଣ୍ଟେଟିଭ କାର୍ଯ୍ୟାଳୟର ବିସ୍ତୃତ ନେଟଓ୍ବର୍କ ଜରିଆରେ ଏସବୁ ଦେଶରେ ପ୍ରଚଳିତ ପଦ୍ଧତିକୁ ସହଭାଗୀ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଲାଗି ପ୍ରତିବଦ୍ଧ ରହିଛନ୍ତି। ଯାହାଫଳରେ ଭାରତ ସରକାର ସେସବୁ ଦେଶର ଉତ୍କୃଷ୍ଟ ପ୍ରଣାଳୀକୁ ଆପଣାଇବା ସହିତ ବିଦେଶୀ ନିବେଶକୁ ଆକୃଷ୍ଟ କରିପାରିବେ ଏବଂ ସେମାନଙ୍କୁ ଭାରତରେ ସଂସ୍ଥାନ ପ୍ରତିଷ୍ଠା ଲାଗି ପ୍ରୋତ୍ସାହିତ କରିପାରିବେ। ଏହି ଏମଓୟୁ ଫଳରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଏବଂ ଦ ପୋଲିସ ଚାମ୍ବର ଅପ୍ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର)କୁ ଲାଭ ମିଳିବ।

Categories
ଜାତୀୟ ଖବର ବିଶେଷ ଖବର

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରାଯାଇଛି।

ଉଚ୍ଚ ହାରାହାରୀ ଗୁଣବତ୍ତା (ଏଫଏକ୍ୟୁ) ଯୁକ୍ତ ମିଲିଂ ପାଇଁ ଉଦ୍ଦିଷ୍ଟ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ଏମଏସପି କୁଇଣ୍ଟାଲ ପ୍ରତି ୧୦,୩୩୫ ଟଙ୍କାରୁ ବଢ଼ାଇ କୁଇଣ୍ଟାଲ ପ୍ରତି ୧୦ ହଜାର ୫୯୦ ଟଙ୍କା କରି ଦିଆଯାଇଛି। ସେହିପରି ଗୋଟା ଶୁଖିଲା ନଡ଼ିଆ ବା ବଲ କୋପ୍ରାର ଏମଏସପି ୨୦୨୨ ଋତୁ ପାଇଁ କୁଇଣ୍ଟାଲ ପ୍ରତି ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୧ ଋତୁରେ ଏହାର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦,୬୦୦ ଟଙ୍କା ଥିଲା। ଫଳରେ ନଡ଼ିଆ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ଉପରେ ମିଲିଂ କୋପ୍ରା ପାଇଁ ୫୧.୮୫ ପ୍ରତିଶତ ଏବଂ ବଲ କୋପ୍ରା ପାଇଁ ୫୭.୭୩ ପ୍ରତିଶତ ଲାଭ ପାଇପାରିବେ। ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ଲାଭ ପ୍ରଦାନ କରିବା ଲାଗି ସରକାର ୨୦୧୮-୧୯ ସାଧାରଣ ବଜେଟରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଋତୁ ପାଇଁ କୋପ୍ରା ଉପରେ ଏମଏସପି ବୃଦ୍ଧି କରାଯାଇଛି।

କୃଷିଭିତ୍ତିକ ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୀମା ସୁନିଶ୍ଚିତ କରିବା ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ନଡ଼ିଆ ଉତ୍ପାଦନ ହେଉଥିବା ରାଜ୍ୟରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ମୂଲ୍ୟ ସହାୟତା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ।