Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସରିଲା ନାଟକ ଉତ୍ସବ, ଶେଷ ସଂଧ୍ୟାରେ ପରିବେଷଣ ହେଲା ‘ଆଦିକବି’

ଭୁବନେଶ୍ବର: ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ପ୍ରାକୃତ ଭାଷାରେ ରଚିତ ଏହି ମହାଗ୍ରନ୍ଥର ପ୍ରତ୍ୟେକ ପଦରେ ଭରି ରହିଛି ଉତ୍କଳ ମାଟିର ବାସ୍ନା। ଆଦିକବି ହେଉଛନ୍ତି ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଶାସନ କାଳର। ଚିତ୍ରୋତ୍ପଳା ନଦୀର ଶାଖାନଦୀ କୂଳ ଶାରୋଳ ଗ୍ରାମରେ ଏକ କୃଷି ପରିବାରରେ ଜନ୍ମ ନେଇଥିଲେ ସାରଳା ଦାସ ତଥା ସିଦ୍ଧେଶ୍ୱର।

ବାପା ଛେଉଣ୍ଡ ସିଦ୍ଧେଶ୍ୱର ଥିଲେ ମା’ଶାରଳାଙ୍କ ଭକ୍ତ। ସି’ଅକ୍ଷର ବିବର୍ଜିତ ସିଦ୍ଧେଶ୍ୱର ମା’ଙ୍କ ଆଶୀର୍ବାଦରୁ ରଚନା କଲେ ବିଚିତ୍ର ରାମାୟଣ, ଚଣ୍ଡୀ ପୁରାଣ ଏବଂ ମହାଭାରତ ମହାକାବ୍ୟ। ତାଙ୍କ କାବ୍ୟମାନ ସନ୍ଧ୍ୟାରେ ମନ୍ଦିର ବେଢ଼ାରେ ବସି ସେ ଗ୍ରାମବାସୀଙ୍କୁ ପଢ଼ି ଶୁଣାଉଥିଲେ। ଏହାକୁ ତତ୍କଳୀନ ବ୍ରାହ୍ମଣ ସମାଜ ବିରୋଧ କରିବା ସହ ଶୁଦ୍ର ସିଦ୍ଧେଶ୍ୱର ରଚିତ ପୁରାଣ ଅଶୁଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଏହି କଥା ଗଜପତିଙ୍କ ନିକଟକୁ ଯିବା ପରେ କପିଳେନ୍ଦ୍ର ଦେବଙ୍କ ଆଦେଶ କ୍ରମେ ଏହି ଗ୍ରନ୍ଥ ସ୍ୱୀକୃତି ଲାଭ କରିବାରୁ ସିଦ୍ଧେଶ୍ୱର ଯଥାର୍ଥରେ ଆମ ଓଡ଼ିଆ ଜାତିର ଆଦିକବି ଭାବେ ପରିଚିତ ହେଲେ।

ଏହାକୁ ଶ୍ରୀ ସୀତେଶ ତ୍ରିପାଠୀ ରଚନା କରିଥିବାବେଳେ ଶ୍ରୀ ଦର୍ପ ନାରାୟଣ ସେଠୀ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି । ରଙ୍ଗମ୍‌ ନାଟ୍ୟସଂସ୍ଥାର କଳାକାରମାନେ ଚରିତ୍ରାଭିନୟ କରିଥିଲେ । ବିଭିନ୍ନ ଚରିତ୍ରରେ ବିଜୟ କୁମାର ରଥ, ପାର୍ଥସାରଥୀ ମହାନ୍ତି, ଯାନୀକାନ୍ତ ମିଶ୍ର, ଅପୂର୍ବ ରଞ୍ଜନ ସାହୁ, ବିଶ୍ୱ ମୋହନ ମହାପାତ୍ର, ସୀମାଞ୍ଚଳ ପାଢ଼ୀ, ମନୋଜ ମହାପାତ୍ର, ସହସ୍ରାକ୍ଷ ରଥ, ବିମଳ ପଟ୍ଟଯୋଷୀ, ରାଜକିଶୋର ଦାସ, ବାଦଲ ନାୟକ, ଅମୀୟ ସାହୁ, ସୁନିଲ କୁମାର ନାୟକ, ଯସ୍ମିନ୍‌ ପରିଡ଼ା ଓ ସତି ସାରେଗାମା ଅଭିନୟ କରିଥିବାବେଳେ ସଂଗୀତରେ ପ୍ରସନ୍ନ ମିଶ୍ର ଓ ପ୍ରତାପ ରାଉତ, ଆଲୋକରେ ବିକାଶ ପ୍ରଧାନ, ରୂପସଜ୍ଜାରେ ନରେନ୍ଦ୍ର ସେନାପତି, ପୋଷାକରେ କାର୍ତ୍ତିକ ଚନ୍ଦ୍ର ସାହୁ, ମଞ୍ଚସଜ୍ଜାରେ ତ୍ରିଲୋଚନ ସାହୁ, ମଞ୍ଚ ପରିଚାଳନାରେ ସୌଭାଗ୍ୟ ରଞ୍ଜନ ସାହୁ ଓ ସହ ନିର୍ଦ୍ଦେଶନାରେ ସନ୍ତୋଷ କୁମାର ବାରିକ ସହଯୋଗ କରିଥିଲେ।

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ପ୍ରବାଦ ପୁରୁଷ ଓ ସମାଜ ସଂସ୍କାରକମାନଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ନାଟକ ଗତ ତିନି ବର୍ଷ ଧରି ମଞ୍ଚସ୍ଥ କରାଯାଉଛି। ଏଭଳି ଉଦ୍ୟମ ଦ୍ୱାରା ଯୁବପିଢ଼ି ମହାପୁରୁଷଙ୍କ ସଂପର୍କରେ ଜାଣିବାର ସୁଯୋଗ ପାଇପାରିବେ। ଏକାଡେମୀର ଏହି ଉଦ୍ୟମକୁ ଉପସ୍ଥିତ ଦର୍ଶକ, ନାଟ୍ୟପ୍ରେମୀ ପ୍ରଶଂସା କରିଥିଲେ। ଗତ ପାଞ୍ଚ ଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ନାଟକ ଉତ୍ସବର ଆୟୋଜନ କରାଯାଇଛି।

ଆଜି ସନ୍ଧ୍ୟାରେ ଅତିଥି ଭାବେ କାଦମ୍ବିନୀ ପତ୍ରିକା ସମ୍ପାଦିକା ଇତିରାଣୀ ସାମନ୍ତ, ସତ୍ୟଜିତ ରାୟ ଚଳଚ୍ଚିତ୍ର ଓ ଟେଲିଭିଜନ ସଂସ୍ଥା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ନାଟ୍ୟକାର ଧୀରେନ ମଲ୍ଲିକ, ଲାଲ ବୀରେନ ରାୟ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ମଞ୍ଚସ୍ଥ ହେଲା ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ ଜୀବନାଦର୍ଶ ଆଧାରିତ ନାଟକ ‘ରମାଦେବୀ’

ଭୁବନେଶ୍ୱର: ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ରମାଦେବୀ ହେଉଛନ୍ତି ଅନ୍ୟତମ। ରାଜ୍ୟର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସେ ଲବଣ ସତ୍ୟାଗ୍ରହ, ଖଦି ଆନ୍ଦୋଳନ, ବିନୋବା ଭାବେଙ୍କ ଭୂଦାନ ଓ ଗ୍ରାମ ଦାନ ଆନ୍ଦୋଳନରେ ସାମିଲ ହୋଇ ଅନେକବାର କାରାବରଣ କରିଥିଲେ ସୁଦ୍ଧା କେବେ ହାର ମାନି ନଥିଲେ।

ଖାଲି ପାଦରେ ଗାଁ ଗାଁ ବୁଲି ମହିଳାମାନଙ୍କ ମଧ୍ୟରେ ଜାତୀୟତା ପ୍ରୀତି ଜାଗ୍ରତ କରିଥିଲେ। ତାଙ୍କର ବ୍ୟକ୍ତିତ୍ୱ ଓ ଓଜସ୍ୱିନୀ ଭାଷଣରେ ମନ୍ତ୍ରମୁଗ୍ଧ ହୋଇ ହଜାର ହଜାର ନାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜମିଦାର ପରିବାରରୁ ଆସି ମଧ୍ୟ ଭୋଗ ଓ ସୁଖ ତାଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ଏପରିକି ଅସହଯୋଗ ଆନ୍ଦୋଳନରେ ରାଜ୍ୟର ଏକମାତ୍ର ମହିଳା ନେତ୍ରୀ ଭାବେ ସୃଷ୍ଟି କରିଥିଲେ ଉଦାହରଣ। ତାଙ୍କର ଜୀବନୀ ଆଧାରିତ ଏହି ନାଟକର କଥାବସ୍ତୁ ମାଧ୍ୟମରେ ତାଙ୍କ ପ୍ରତି ଜ୍ଞାପନ ହୋଇଛି ଶ୍ରଦ୍ଧାଞ୍ଜଳୀ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ପ୍ରବାଦ ପୁରୁଷ ଓ ସମାଜ ସଂସ୍କାରକ ଜୀବନୀ ଉପରେ ଆଧାରିତ ନାଟକ ଉତ୍ସବର ତୃତୀୟ ସଂସ୍କରଣ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି । ଆଜିର ଚତୁର୍ଥ ସନ୍ଧ୍ୟାରେ ଡ. ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର ମିରର ଥିଏଟର କଳାକାରମାନଙ୍କ ଦ୍ୱାରା ନାଟକ ‘ରମାଦେବୀ’ ମଞ୍ଚସ୍ଥ ହୋଇଛି । ଏଥିରେ ସରସ୍ୱତୀ ପ୍ରଧାନ, ଲକ୍ଷ୍ମୀ ସୋନୀ, ଗୋବିନ୍ଦ ପରିଡ଼ା, ବସନ୍ତ ସେଠୀ, ରଇଜୀତ କୁମାର ପୋଥାଳ, ନରେନ୍ଦ୍ର ନାହାକ ଓ ଅର୍ଜୁନ ଅଭିନୟ କରିଛନ୍ତି ।

ଆଜିର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ, ସଚିବ ଶ୍ରୀ ପ୍ରବୋଧ ରଥ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ନାଟ୍ୟକାର ଶ୍ରୀ ମନୋଜ ପଟ୍ଟନାୟକ, ଶ୍ରୀ ଶୈଳେଶ୍ୱର ନନ୍ଦ, ଶ୍ରୀ ରମାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶଙ୍କର ତ୍ରିପାଠୀଙ୍କ ଶୂନ୍ୟ ପୁରୁଷ, ଶାନ୍ତନୁ ରଥଙ୍କ କବି ସମ୍ରାଟ, ମନ୍ମଥ ଶତପଥୀଙ୍କ ସ୍ୱାଭିମାନୀ ଗଜପତି ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଆସନ୍ତାକାଲି ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହେବ ଆଦିକବି ସାରଳା ଦାସଙ୍କ ଉପରେ ଆଧାରିତ “ଆଦିକବି’’। ଏହାକୁ ନାଟ୍ୟକାର ଶ୍ରୀ ସୀତେଶ ତ୍ରିପାଠୀ ରଚନା କରିଥିବାବେଳେ ଶ୍ରୀ ଦର୍ପ ନାରାୟଣ ସେଠୀ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି। ରଙ୍ଗମ ନାଟ୍ୟସଂସ୍ଥାର କଳାକାରମାନେ ଏଥିରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବେ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ନାଟକ ଉତ୍ସବ: ମଞ୍ଚସ୍ଥ ହେଲା କୁନ୍ତଳା କୁମାରୀଙ୍କ ଜୀବନୀ ଆଧାରିତ ‘ଶେଫାଳିର ମହକ’

ଭୁବନେଶ୍ୱର: ଗଙ୍ଗଶିଉଳି ରାତିରେ ଫୁଟି ସକାଳକୁ ଝଡ଼ିଯାଇଥାଏ ସତ ମାତ୍ର ରାତିକ ମଧ୍ୟରେ ତା’ର ମହକରେ ଖେଳିଯାଏ ଚତୁର୍ଦିଗ। ସେହି ଗଙ୍ଗଶିଉଳିକୁ ନେଇ ‘ଶେଫାଳି ପ୍ରତି’ କବିତାରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଭାବପୂର୍ଣ୍ଣ ପଦପଂକ୍ତି ଅତ୍ୟନ୍ତ ହୃଦୟସ୍ପର୍ଶୀ।

ମାତ୍ର ୩୭ ବର୍ଷର ଆୟୁଷ ନେଇ ଆସିଥିବା ଏହି ମହିୟସୀ ନାରୀ ଜଣକ ଏକଧାରରେ ଥିଲେ କବି, ସମାଜସେବୀ, ସଂଗ୍ରାମୀ ଓ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର। ସ୍ୱାଧୀନତା ସଂଗ୍ରାମରେ ନାରୀଶକ୍ତିର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଘରର ଚାରିକୋଣରୁ ମହିଳାମାନେ ନ ବାହାରିଲେ ଏହା ସମ୍ଭବ ନୁହେଁ – ଏହାଥିଲା ତତ୍କାଳୀନ ନାରୀ ସମାଜ ପ୍ରତି ତାଙ୍କର ଆହ୍ୱାନ। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସେଥିଲେ ନାରୀଶିକ୍ଷା ଓ ନାରୀ ସ୍ୱାଧୀନତାର ପ୍ରତିନିଧି। ତାଙ୍କର ସୀମିତ ଜୀବନକାଳ ମଧ୍ୟରେ ସମାଜ ପ୍ରତି ଯେଉଁ ଚିନ୍ତା ଓ ଚେତନାର ସୌଧ ନିର୍ମାଣ କରିଛନ୍ତି ତା’ର ପଟ୍ଟାନ୍ତର ନାହିଁ। ଏହି ନାଟକ ‘ଶେଫାଳିର ମହକ’ ମାଧ୍ୟମରେ ତାଙ୍କ ପ୍ରତି ଅର୍ପିତ ହୋଇଛି ଶ୍ରଦ୍ଧାଞ୍ଜଳି।

ଆଜିର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି ନାଟକ ଉତ୍ସବରେ ଅତିଥି ଭାବେ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ଓ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ନାଟ୍ୟକାର ଡ. ସଂଜୟ ହାତୀଙ୍କ ଦ୍ୱାରା ରଚିତ ଏବଂ ଶ୍ରୀ ବିପ୍ଳବ କେଶରୀ ଶତପଥୀଙ୍କ ନିର୍ଦ୍ଦେଶନାରେ ଜଟଣୀର ଡିଭାଇନ ସଂସ୍ଥା ଦ୍ୱାରା ଉପସ୍ଥାପନା କରାଯାଇଛି । ବିଭିନ୍ନ ଚରିତ୍ରରେ ସରୋଜ କୁମାର ସାମଲ, ବିପିନ ଦାଶ, ଉମାକାନ୍ତ ମୁଦୁଲି, ପଞ୍ଚାନନ ମହାପାତ୍ର, ନିରଞ୍ଜନ ବେହେରା, ଅଶୋକ କୁମାର ସେଠୀ, ସୁଧାଂଶୁ କୁଣ୍ଡୁ, ରଞ୍ଜିତ ମହାରଣା, ମନୋଜ ପ୍ରଧାନ, ସାଇ ପ୍ରସାଦ ସାମନ୍ତରାଏ, ବୀର ସ୍ୱାଧୀନ ପଟ୍ଟନାୟକ, ସୌମ୍ୟରଞ୍ଜନ ବେହେରା, ରୋଜି ମେରୀ ବେହେରା, ବୈଶାଳୀ ସାମନ୍ତରାୟ, ପ୍ରଭାସିନୀ ନୟାଜ, ପ୍ରତିଭା ଦାଶ, କଳ୍ପନା ରାଉତ, ଅନନ୍ୟା ମହାପାତ୍ର, ଆଦ୍ୟାରଶ୍ମି ଶତପଥୀ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକରେ ପ୍ରଭାକର ଲେଙ୍କା,ରୂପ ସଜ୍ଜାରେ ସାଇ ପ୍ରସାଦ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।

ଆଜି ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ଜୀବନାଦର୍ଶକୁ ନେଇ ନାଟକ ‘ଜ୍ଞାନ ତପସ୍ୱୀ’ ପ୍ରଦର୍ଶିତ ହେବ। ନାଟ୍ୟକାର ଡ. ଅରବିନ୍ଦ ରାୟଙ୍କ ଦ୍ୱାରା ଲିଖିତ ଶ୍ରୀ ଦେବାନନ୍ଦ ନାୟକଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରର ଏକ୍ସପ୍ରେସନର କଳାକାରମାନଙ୍କୁ ନେଇ ଏହାକୁ ପ୍ରଦର୍ଶିତ କରାଯିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟକ ଉତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପାଞ୍ଚଦିନିଆ ନାଟକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ଆଜିଠାରୁ ଶୁଭାରମ୍ଭ ହୋଇଛି। ଓଡ଼ିଶାର ପ୍ରବାଦପୁରୁଷ ଓ ସମାଜ ସଂସ୍କାରକଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ନାଟକ ପ୍ରଦର୍ଶିତ କରାଯିବ।

ଏହି ନାଟକ ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଉଦ୍‌ଘାଟନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରବାଦପୁରୁଷଙ୍କ କୃତି ଓ କୃତିତ୍ୱ ସଂପର୍କରେ ଯୁବପିଢ଼ି ଜାଣିବାର ସୁଯୋଗ ପାଇପାରିବା ସହ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରାଯାଇପାରିବ। ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଟକପ୍ରେମୀ ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ ଶତପଥୀ, ସଚିବ ଶ୍ରୀ ପ୍ରବୋଧ ରଥ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ନାଟ୍ୟପ୍ରେମୀ, କଳାକାର ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ପ୍ରଥମ ଦିନରେ ନାଟକ ‘ଉତ୍କଳମଣି’ ପ୍ରଦର୍ଶିତ ହୋଇଛି। ଏହାକୁ ନାଟ୍ୟକାର ଶ୍ରୀ ପଞ୍ଚାନନ ଦାଶ ରଚନା କରିଥିବାବେଳେ ଶ୍ରୀ ଅତିଶ କୁମାର ଶତପଥୀ ନିର୍ଦ୍ଦେଶନା ଦେଇଛନ୍ତି । ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ଆଶ୍ରମ ଦ୍ୱାରା ଏହାକୁ ଉପସ୍ଥାପନ କରାଯାଇଥିଲା।

ମାଟି ଓ ମାତୃଭାଷା ପ୍ରୀତି ଜାଗରଣ କରି ଉତ୍କଳମାତାର ସନ୍ତାନ ଭାବେ ଗୋପବନ୍ଧୁଙ୍କ ପରି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଉତ୍କଳୀୟ ଭାବନାକୁ ପୁନରୁଥନ କରିବା ଥିଲା ଏହି ନାଟକର ଆଭିମୁଖ୍ୟ। ବିଭିନ୍ନ ଚରିତ୍ରରେ ନରେନ୍ଦ୍ର ବେହେରା, ଦଧିବାମନ ପଣ୍ଡା, ସୁବଳ ଚନ୍ଦ୍ର ବାଗ୍‌, ପ୍ଳାବନ ମିଶ୍ର, ଶୁଭମ୍‌ ମେହେର, ସଙ୍କେତ ପୁରୋହିତ, ଆଦିତ୍ୟ ସାହା, ସୁବ୍ରତ ଅମାତ, ଉମାଶିଷ ବାଗ୍‌, ରାହୁଲ ଗୁପ୍ତା, ରାହୁଲ ମହାନନ୍ଦ, ପଙ୍କଜିନୀ ମେହେର, ସୁମିତ୍ରା ମହାକୁଡ଼, ଆକାଂକ୍ଷା ଦଣ୍ଡସେନା, ଆରାଧ୍ୟା ଶତପଥୀ, ସ୍ୱସ୍ତିକ ପଣ୍ଡା, ସାଶ୍ୱତ ପଣ୍ଡା ପ୍ରମୁଖ ଅଭିନୟ କରିଥିବାବେଳେ ସଂଗୀତରେ ଗିରିଜା ଶଙ୍କର ମିଶ୍ର, ଘନଶ୍ୟାମ ମେହେର, ସୁମିତ ପ୍ରଧାନ ଓ ଶେ୍ୱତା ଦାଶ ପ୍ରମୁଖ ସହଯୋଗ କରିଥିଲେ।

ଆସନ୍ତାକାଲି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ଉପରେ ‘ଶେଫାଳିର ମହକ’, ୭ ତାରିଖରେ ଜ୍ଞାନତପସ୍ୱୀ ବିନୋଦ କାନୁନଗୋଙ୍କ ଜୀବନୀ ଆଧାରିତ ‘ଜ୍ଞାନତପସ୍ୱୀ’, ୮ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ରାମାଦେବୀ ଚୌଧୁରୀଙ୍କ ଜୀବନୀ ଉପରେ ‘ରମାଦେବୀ’ ଏବଂ ୯ ତାରିଖରେ ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ‘ଆଦିକବି’ ପ୍ରଦର୍ଶିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ନାଟ୍ୟପ୍ରେମୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ମାସ ସାରା ହେବ ନାଟକ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ

ଭୁବନେଶ୍ବର: କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ସମସ୍ତ ପ୍ରେକ୍ଷାଳୟ ବନ୍ଦ ରହିଥିବାରୁ ସାଂସ୍କୃତିକ ଅନୁଷ୍ଠାନ ପାଇଁ ବହୁ କଷ୍ଟଦାୟକ ପରିସ୍ଥିତି ଥିଲା। ହେଲେ ବର୍ତ୍ତମାନ ସ୍ବାଭିବିକ ପରିସ୍ଥିତ ଆସିବାରୁ ରାଜ୍ୟର ପ୍ରେକ୍ଷାଳୟ ଗୁଡିକ ଖୋଲିବା ଆରମ୍ଭ କରିଛି। ଫଳରେ ଆସନ୍ତା ମାର୍ଚ୍ଚ ମାସ ସାରା ଓଡିଶାର ବିଭିନ୍ନ ସ୍ଥାନରେ ନାଟକ ଉତ୍ସବ ଆରମ୍ଭ ହେବାକୁ ଯାଉଛି। ଜାଣନ୍ତୁ କେଉଁଦିନ କେଉଁଠି ହେବ ଏହି ଉତ୍ସବ

ମାର୍ଚ୍ଚ ୧ରୁ ୮ ନୟାଗଡର ପଠାଣି ସାମନ୍ତ ଅଡିଟୋରିୟମ ଠାରେ ନାଟ୍ୟଧାରା ଦ୍ବାରା ରାଜ୍ୟ ସ୍ତରୀୟ ନାଟକ ଉତ୍ସବ।

ମାର୍ଚ୍ଚ ୧ ରୁ ୭ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ପୂର୍ବ ରଙ୍ଗ ଜାତୀୟ ନାଟ୍ୟ ଉତ୍ସବ।

ମାର୍ଚ୍ଚ ୯ ରୁ ୧୩ ରଙ୍ଗ ସଙ୍ଗମ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବ

ମାର୍ଚ୍ଚ ୨୫ ରୁ ୨୭ ବିଶ୍ଵନାଟ୍ୟ ଦିବସ ଅବସରରେ ନାଟକ ଓ ଆଲୋଚନାଚକ୍ର

ମାର୍ଚ୍ଚ ୮ ଜୀବନରେଖା, ଭୁବନେଶ୍ୱର ର ନାଟକ “ଅଗରବତୀ”

ମାର୍ଚ୍ଚ ୨୦ ରୁ ୨୪ ରବୀନ୍ଦ୍ର ମଣ୍ଡପରେ ଶତତାଦ୍ଦୀର କଳାକାର, ଭୁବନେଶ୍ୱର ଦ୍ଵାରା ବହୁଭାଷୀ ଜାତୀୟ କଳିଙ୍ଗ ନାଟ୍ୟ ଉତ୍ସବ

ମାର୍ଚ୍ଚ ୮ ରୁ ୧୩ ବ୍ରହ୍ମପୁରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଜାତୀୟ ନାଟକ ଉତ୍ସବ। ଆୟୋଜକ ଓଡିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର

ମାର୍ଚ୍ଚ ୧୩ ରୁ ୧୭ ପ୍ରକାଶମ ହଲ, ଗିରି ମାର୍କେଟ, ବ୍ରହ୍ମପୁର ଠାରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ। ଆୟୋଜକ ଗଂଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ,ବ୍ରହ୍ମପୁର।

ମାର୍ଚ୍ଚ ୨୩ ରୁ ୨୮ ରାଉରକେଲା ର ସିଭିକ୍ ସେଣ୍ଟର ଠାରେ ଜାତୀୟ ନାଟକ ଉତ୍ସବ।ଆୟୋଜକ ସମ୍ପର୍କ,ରାଉରକେଲା