Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପୋଲିସର ନିଖୋଜ ନାବାଳିକା ଉଦ୍ଧାର ଅଭିଯାନ ଜାରି, ଚାରି ଦିନରେ ଉଦ୍ଧାର ହେଲେ ୩

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ବାଲୁଗାଁ ପୋଲିସ ନିଖୋଜ/ଅପହୃତ ନାବାଳିକାଙ୍କ ଉଦ୍ଧାର ଅପେରସନ ଜାରି ରଖିଥିବା ବେଳେ ଗତ ଚାରିଦିନ ମଧ୍ୟରେ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ୨୦୨୦ ରୁ ୨୦୨୨ ବର୍ଷ ମଧ୍ୟର ସମସ୍ତ ୩ ଗୋଟି ମାମଲା ବୋଲି ଜଣାପଡିଛି। ତେବେ ଉଦ୍ଧାର ନାବାଳିକାଙ୍କୁ ସେମାନଙ୍କ ପରିବାର କୁ ହସ୍ତାନ୍ତର କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛି ପୋଲିସ।

ତେବେ ବର୍ଷ ବର୍ଷ ଧରି ନିଖୋଜ ଥିବା ନାବାଳିକାଙ୍କ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିଛି ପୋଲିସ। ବାଲ୍ୟ ବିବାହ ଏବଂ ନାବାଳିକାଙ୍କ ଅପହରଣ ଏକ ଧର୍ତ୍ତବ୍ୟ ଅପରାଧ ଏବଂ ଏହି ସମ୍ବନ୍ଧରେ ଖୁବ ଶୀଘ୍ର ବାଲୁଗାଁ ପୋଲିସ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବ ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ବାଲୁଗାଁ ଥାନରେ କୌଣସି ମହିଳା ଅଧିକାରିଣୀ ନଥିବା ବେଳେ ବାଣପୁର ଅତିରିକ୍ତ ମହିଳା ଆଇଆଇସିଙ୍କୁ ବାଲୁଗାଁକୁ ବଦଳି କରାଯାଇଥିବାରୁ ଆଇଆଇସି ଶ୍ରୀ ଦାସ ଏସଡ଼ିପିଓ ଏବଂ ଏସପିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଦୀର୍ଘ ବର୍ଷରୁ ନିଖୋଜ ଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କଲା ନାଚୁଣୀ ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସର ଉଦ୍ୟମ କ୍ରମେ ଦୀର୍ଘ ବର୍ଷ ପରେ ନିଜ ପରିବାରକୁ ଫେରିଛନ୍ତି ଦୁଇ ନିଖୋଜ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ଫାଣ୍ଡି ଅଂଚଳର ଦୁଇ ନିଖୋଜ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ ଦୁଇ ବର୍ଷ ତଳେ ନାଚୁଣି ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିବାସ୍ଥଳେ ଗତ ବର୍ଷ ମଧ୍ୟ ଉକ୍ତ ଗ୍ରାମର ଅନ୍ୟ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ତେବେ ଉଭୟ ନାବାଳିକାଙ୍କ ନିଖୋଜକୁ ନେଇ ଉଭୟଙ୍କ ପରିବାରବର୍ଗ ନାଚୁଣୀ ଫାଣ୍ଡିରେ ପୃଥକ ପୃଥକ ଭାବେ ଦୁଇଟି ଲିଖିତ ଅଭିଯୋଗ କରିଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ କେସ ନମ୍ବର ୩୨୫/୧୯ ଏବଂ ୪୩/୨୦ ରେ ଦୁଇଗୋଟି ନିଖୋଜ ମାମଲା ରୁଜୁ କରାଯାଇଥିଲା। ପରିଶେଷରେ ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକଙ୍କ ସଫଳ ପ୍ରୟାସରେ ଗତକାଲି ନିଖୋଜ ନାବାଳିକା ଦ୍ୱୟଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ନାଚୁଣି ଫାଣ୍ଡି ପୋଲିସ।

ତେବେ ଉଭୟ ନାବାଳିକାଙ୍କୁ କୋର୍ଟରେ ହଜାର କରାଯାଇ ଆଜି ନିଜ ନିଜ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।