ଚିଲିକା: ଦୀର୍ଘ ବର୍ଷରୁ ନିଖୋଜ ଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କଲା ନାଚୁଣୀ ଫାଣ୍ଡି ପୋଲିସ

Published: Jul 27, 2021, 7:16 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସର ଉଦ୍ୟମ କ୍ରମେ ଦୀର୍ଘ ବର୍ଷ ପରେ ନିଜ ପରିବାରକୁ ଫେରିଛନ୍ତି ଦୁଇ ନିଖୋଜ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ଫାଣ୍ଡି ଅଂଚଳର ଦୁଇ ନିଖୋଜ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ ଦୁଇ ବର୍ଷ ତଳେ ନାଚୁଣି ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିବାସ୍ଥଳେ ଗତ ବର୍ଷ ମଧ୍ୟ ଉକ୍ତ ଗ୍ରାମର ଅନ୍ୟ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ତେବେ ଉଭୟ ନାବାଳିକାଙ୍କ ନିଖୋଜକୁ ନେଇ ଉଭୟଙ୍କ ପରିବାରବର୍ଗ ନାଚୁଣୀ ଫାଣ୍ଡିରେ ପୃଥକ ପୃଥକ ଭାବେ ଦୁଇଟି ଲିଖିତ ଅଭିଯୋଗ କରିଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ କେସ ନମ୍ବର ୩୨୫/୧୯ ଏବଂ ୪୩/୨୦ ରେ ଦୁଇଗୋଟି ନିଖୋଜ ମାମଲା ରୁଜୁ କରାଯାଇଥିଲା। ପରିଶେଷରେ ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକଙ୍କ ସଫଳ ପ୍ରୟାସରେ ଗତକାଲି ନିଖୋଜ ନାବାଳିକା ଦ୍ୱୟଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ନାଚୁଣି ଫାଣ୍ଡି ପୋଲିସ।

ତେବେ ଉଭୟ ନାବାଳିକାଙ୍କୁ କୋର୍ଟରେ ହଜାର କରାଯାଇ ଆଜି ନିଜ ନିଜ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Related posts