Categories
ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଉଦ୍ଘାଟନ କଲେ ନିତୀନ ଗଡକରୀ

ଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଆଜି ନାଗପୁର ସ୍ଥିତ ଗଣେଶପେଠର ସେଂଟ୍ରାଲ୍ ବସ୍ ଷ୍ଟେସନ୍ ଠାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ୍) ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ଏବଂ ଏହି ସଂଗ୍ରାମର ମହାପୁରୁଷ ମାନଙ୍କର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଶ୍ରୀ ଗଡକରୀ ଏହି ଅବସରରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଆଜାଦୀର ଅମୃତ ମହୋତ୍ସବ ପାଳନ ଉଦ୍ଦେଶ୍ୟରେ ଏମ୍ଓଆର୍ଟିଏଚ୍ ସାରା ଦେଶରେ ୭୫ଟି ବସ୍ ଷ୍ଟେସନ୍ ଗୁଡିକରେ ପ୍ରଦର୍ଶନୀର ଆୟୋଜନ କରୁଛି, ଯାହା ଦ୍ୱାରା ଯେଉଁ ବ୍ୟକ୍ତି ବିଶେଷ ସ୍ୱାଧୀନ ଭାରତର ଗୌରବଶାଳୀ ଯାତ୍ରାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି, ସେମାନଙ୍କୁ ମନେ ପକା ଯାଇପାରିବ।

ଏହି ପ୍ରଦର୍ଶନୀ ଗୁଡିକ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଭାରତକୁ ସ୍ୱାଧୀନ କରିବା କ୍ଷେତ୍ରରେ ଯେଉଁ ବୀର ପୁରୁଷ ଏବଂ ମହିଳା ମାନଙ୍କର ଅବଦାନ ରହିଛି ଏବଂ ଯେଉଁମାନେ ନିଜ ଜୀବନର ବଳିଦାନ ଦେଇଛନ୍ତି ସେମାନଙ୍କୁ ଚିତ୍ରିତ କରିବ। ଏହା ସମ୍ବିଧାନର ପ୍ରସ୍ତୁତି ଏବଂ ଜୀବନର ସମସ୍ତ କ୍ଷେତ୍ରର ଆମର ସମସ୍ତ ନେତା ତଥା ପୁରୁଷ ଏବଂ ମହିଳା ମାନଙ୍କର ଯୋଗଦାନ ଉପରେ ମଧ୍ୟ ଆଲୋକପାତ କରିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ଅପିଲ୍: ଅନ୍ୟ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହେଉ ଟୀକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭିତରେ ଟୀକାର ବଡ ସମସ୍ୟା ଦେଖାଦେଇଛି। ଟୀକାର ଅଭାବକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଚିଠି ମାଧ୍ୟମରେ ଅନ୍ୟ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ତେବେ ଅରବିନ୍ଦଙ୍କ ପରେ ଆଜି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ଟୀକାର ଅଭାବକୁ ନେଇ ସମାନ କଥା କହିଥିଲେ। ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଗଡକରୀ କହିଥିଲେ ଯେ, ଦେଶରେ ଟୀକାର ଆବଶ୍ୟକତାକୁ ଦେଖି ଆଉ ଅଧିକ ୧୦ ଟି କମ୍ପାନୀକୁ ଟୀକା ଉତ୍ପାଦନ ପାଇଁ ସରକାର ମଞ୍ଜୁରୀ ଦେବା ଉଚିତ।

ତେବେ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ହେଲେ ଯେଉଁ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତ ପାଇଁ ଫର୍ମୁଲା ମିଳିବ, ସେମାନେ ମୁଖ୍ୟ ଉତ୍ପାଦକକୁ ୧୦ ପ୍ରତିଶତ ରୟାଲଟି ଦେବା ଲାଗି ନିୟମ ରଖିବା ଆବଶ୍ୟକ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ଦୁଇଟି କମ୍ପାନୀ ଦେଶରେ ଟୀକା ଉତ୍ପାଦନ କରୁଛନ୍ତି। ଭାରତ ବାୟୋଟେକ ଦ୍ଵାରା କୋଭାକ୍ସିନ ଟୀକା ପ୍ରସ୍ତୁତ କରାଯାଉଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଦ୍ଵାରା କୋଭିଶିଲ୍ଡ ଟୀକା ପ୍ରସ୍ତୁତ ହେଉଛି। ଏହାସହ ସ୍ପୁଟିନିକ-ଭି ଟୀକାକୁ ଏବେ ବ୍ୟବହାର ପାଇଁ କେନ୍ଦ୍ର ସରକାର ରୁଷରୁ ଆମଦାନୀ କରୁଛି।