ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ଅପିଲ୍: ଅନ୍ୟ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହେଉ ଟୀକା

Published: May 19, 2021, 11:54 am IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭିତରେ ଟୀକାର ବଡ ସମସ୍ୟା ଦେଖାଦେଇଛି। ଟୀକାର ଅଭାବକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଚିଠି ମାଧ୍ୟମରେ ଅନ୍ୟ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ତେବେ ଅରବିନ୍ଦଙ୍କ ପରେ ଆଜି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ଟୀକାର ଅଭାବକୁ ନେଇ ସମାନ କଥା କହିଥିଲେ। ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଗଡକରୀ କହିଥିଲେ ଯେ, ଦେଶରେ ଟୀକାର ଆବଶ୍ୟକତାକୁ ଦେଖି ଆଉ ଅଧିକ ୧୦ ଟି କମ୍ପାନୀକୁ ଟୀକା ଉତ୍ପାଦନ ପାଇଁ ସରକାର ମଞ୍ଜୁରୀ ଦେବା ଉଚିତ।

ତେବେ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ହେଲେ ଯେଉଁ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତ ପାଇଁ ଫର୍ମୁଲା ମିଳିବ, ସେମାନେ ମୁଖ୍ୟ ଉତ୍ପାଦକକୁ ୧୦ ପ୍ରତିଶତ ରୟାଲଟି ଦେବା ଲାଗି ନିୟମ ରଖିବା ଆବଶ୍ୟକ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ଦୁଇଟି କମ୍ପାନୀ ଦେଶରେ ଟୀକା ଉତ୍ପାଦନ କରୁଛନ୍ତି। ଭାରତ ବାୟୋଟେକ ଦ୍ଵାରା କୋଭାକ୍ସିନ ଟୀକା ପ୍ରସ୍ତୁତ କରାଯାଉଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଦ୍ଵାରା କୋଭିଶିଲ୍ଡ ଟୀକା ପ୍ରସ୍ତୁତ ହେଉଛି। ଏହାସହ ସ୍ପୁଟିନିକ-ଭି ଟୀକାକୁ ଏବେ ବ୍ୟବହାର ପାଇଁ କେନ୍ଦ୍ର ସରକାର ରୁଷରୁ ଆମଦାନୀ କରୁଛି।

Related posts