Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟା ଧାମରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନବନିର୍ମିତ ଅଯୋଧ୍ୟା ବିମାନବନ୍ଦର ଉଦଘାଟନ କରିଛନ୍ତି। ଏହି ବିମାନବନ୍ଦରର ନାମ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦର ରଖାଯାଇଛି।

ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ  ପ୍ରଧାନମନ୍ତ୍ରୀ ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ମହର୍ଷି ବାଲ୍ମିକିଙ୍କ ରାମାୟଣ ହେଉଛି ଜ୍ଞାନର ମାର୍ଗ ଯାହା ଆମକୁ ଶ୍ରୀରାମଙ୍କ ସହ ଯୋଡିଥାଏ । ଆଧୁନିକ ଭାରତର ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଆମକୁ ଅଯୋଧ୍ୟା ଧାମ ଏବଂ ଦିବ୍ୟ ଭବ୍ୟ ରାମ ମନ୍ଦିର ସହିତ ସଂଯୁକ୍ତ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦର ବାର୍ଷିକ ୧୦ ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ବାର୍ଷିକ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ।

୧୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କରାଯାଇଛି। ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର କ୍ଷେତ୍ରଫଳ ୬୫୦୦ ବର୍ଗମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ । ଟର୍ମିନାଲ ବିଲଡିଂର ପ୍ରାଙ୍ଗଣରେ ଅଯୋଧ୍ୟାର ଆଗାମୀ ଶ୍ରୀରାମ ମନ୍ଦିରର ମନ୍ଦିର ସ୍ଥାପତ୍ୟକୁ ଚିତ୍ରିତ କରାଯାଇଛି । ଟର୍ମିନାଲ ବିଲ୍ଡିଂର ଆଭ୍ୟନ୍ତରୀଣ ଭାଗ ଭଗବାନ ଶ୍ରୀରାମଙ୍କ ଜୀବନୀକୁ ଦର୍ଶାଉଥିବା ସ୍ଥାନୀୟ କଳା, ଚିତ୍ର କଳା ଏବଂ ଚିତ୍ରରେ ସଜ୍ଜିତ ହୋଇଛି। ଅଯୋଧ୍ୟା ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂରେ ଜିଆରଆଇଏଚଏ – ୫ ଷ୍ଟାର ରେଟିଂ ପୂରଣ କରିବା ପାଇଁ ଇନସୁଲେଟେଡ୍ ଛାତ ବ୍ୟବସ୍ଥା, ଏଲଇଡି ଲାଇଟିଂ, ବର୍ଷା ଜଳ ସଂରକ୍ଷଣ, ଝରଣା ସହିତ ଲ୍ୟାଣ୍ଡସ୍କେପିଂ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ସୌର ଶକ୍ତି ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଅନେକ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଛି । ଏହି ବିମାନବନ୍ଦର ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ପର୍ଯ୍ୟଟନ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ ।

Categories
ଆଜିର ଖବର ଜାତୀୟ ଖବର

ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ୮୦ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ୮୦ ତମ ଜନ୍ମଦିନ ସମାରୋହକୁ ସମ୍ବୋଧିତ କରିଛନ୍ତି।ପ୍ରଧାନମନ୍ତ୍ରୀ ଏହି ଶୁଭ ଅବସରରେ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ ଏବଂ ସେମାନଙ୍କର ଅନୁଗାମୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ ସାଧୁସନ୍ଥ ଏବଂ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ‘ହନୁମତ ଦ୍ୱାର’ର ପ୍ରବେଶ ଦ୍ୱାରର ଉତ୍ସର୍ଗ କରାଯିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।

ଶାସ୍ତ୍ରରୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ଜୀବନ ଏହି ତଥ୍ୟର ଏକ ଜୀବନ୍ତ ଉଦାହରଣ ଅଟେ, ଯେ ସାଧୁସନ୍ଥ ମାନେ ମାନବତାର କଲ୍ୟାଣ ନିମନ୍ତେ ଧରାପୃଷ୍ଠରେ ଅବତରଣ କରିଥାଆନ୍ତି ଏବଂ ସେମାନଙ୍କର ଜୀବନ ସାମାଜିକ ଉତ୍‌ଥାନ ଏବଂ ମାନବ କଲ୍ୟାଣ ସହିତ ଯୋଡି ହୋଇ ରହିଥାଏ। ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ଦତା ପୀଠମ୍‌ରେ ଆଧ୍ୟାତ୍ମିକତା ସହିତ ଆଧୁନିକତାର ମଧ୍ୟ ପୁଷ୍ଟି ହୋଇଛି। ସେ ଥ୍ରୀ –ଡି ମ୍ୟାପିଂ ଭବ୍ୟ ହନୁମାନ ମନ୍ଦିର ଏବଂ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ (ଆଲୋକ ଏବଂ ଶବ୍ଦ କାର୍ଯ୍ୟକ୍ରମ) ଏବଂ ଆଧୁନିକ ପରିଚାଳନା ସୁବିଧା ସମ୍ପନ୍ନ ପକ୍ଷୀ  ପାର୍କ (ଉଦ୍ୟାନ) ର ଉଦାହରଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବେଦ ଅଧ୍ୟୟନର ଏକ ମହାନ କେନ୍ଦ୍ର ହେବା ସହିତ, ଦତ ପୀଠମ୍ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ସଙ୍ଗୀତର ଉପଯୋଗ କରିବା ନିମନ୍ତେ ପ୍ରଭାବଶାଳୀ ନବୋନ୍ମେଷ କରୁଛନ୍ତି। “ପ୍ରକୃତି ନିମନ୍ତେ ବିଜ୍ଞାନର ଏହି ପ୍ରୟୋଗ, ଆଧ୍ୟାତ୍ମିକତା ସହିତ ପ୍ରଯୁକ୍ତିର ଏହି ସମ୍ମିଶ୍ରଣ ଗତିଶୀଳ ଭାରତର ଆତ୍ମା ଅଟେ। ମୁଁ ବହୁତ ଖୁସି ଯେ, ସ୍ୱାମୀ ଜୀ’ଙ୍କ ଭଳି ସନ୍ଥ ମାନଙ୍କର ପ୍ରୟାସ ଗୁଡିକ ଯୋଗୁଁ ଆଜି ଦେଶରେ ଯୁବକ ମାନେ ନିଜର ପରମ୍ପରା ଗୁଡିକର ଶକ୍ତି ସହିତ ପରିଚିତ ହେବାରେ ଲାଗିଛନ୍ତି ଏବଂ ସେଗୁଡିକୁ ଆଗକୁ ନେଇ ଯାଉଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ।

ଆଜାଦୀର ଅମୃତ ମହୋତ୍ସବ ଚାଲିଥିବା ସମୟରେ ପଡୁଥିବା ଶୁଭ ଅବସରରେ, ପ୍ରଧାନମନ୍ତ୍ରୀ ନିଜ କଥା ଭାବିବା ପୂର୍ବରୁ ସମସ୍ତଙ୍କ କଥା ବିଚାର କରିବା ନିମନ୍ତେ ସନ୍ଥ ମାନଙ୍କର ଶିକ୍ଷାକୁ ମନେ ପକାଇ ଥିଲେ। ସେ କହିଥିଲେ ଯେ, ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’ର ମନ୍ତ୍ର ସହିତ ଦେଶ ସାମୂହିକ ପ୍ରତିଶ୍ରୁତି ଗୁଡିକର ଆହ୍ୱାନ କରୁଛି। ଆଜି ଦେଶ ନିଜର ପ୍ରାଚୀନତାର ସଂରକ୍ଷଣ କରୁଛି ଏବଂ ତାହାର ପ୍ରଚାର ପ୍ରସାର ମଧ୍ୟ କରୁଛି, ଏହା ସହିତ ସେଗୁଡିକର ନୂତନତା ଏବଂ ଆଧୁନିକତାକୁ ମଧ୍ୟ ଶକ୍ତି ପ୍ରଦାନ କରୁଛି।” ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆଜି ଭାରତର ପରିଚୟ ଯୋଗ ସହିତ ଯୁବବର୍ଗ ମଧ୍ୟ ଅଟନ୍ତି। ଆଜି ସାରା ବିଶ୍ୱ ଆମର ଷ୍ଟାର୍ଟଅପ୍ ଗୁଡିକୁ ନିଜର ଭବିଷ୍ୟତ ବୋଲି ବିଚାର କରୁଛି। ଆମର ଶିଳ୍ପ ଏବଂ ଆମର ‘ମେକ୍ ଇନ୍ ଇଣ୍ଡିଆ’ ବିଶ୍ୱ ସ୍ତରରେ ବିକାଶ ନିମନ୍ତେ ଆଶାର କିରଣ ହେବାରେ ଲାଗିଛି। ଆମକୁ ଏହି ସଙ୍କଳ୍ପ ଗୁଡିକୁ ହାସଲ କରିବା ଦିଗରେ ଲକ୍ଷ୍ୟ ନେଇ କାମ କରିବାକୁ ପଡିବ। ଏବଂ ମୁଁ ଚାହୁଁଛି ଯେ, ଆମର ଆଧ୍ୟାତ୍ମିକ କେନ୍ଦ୍ର ଏହି ଦିଗରେ ପ୍ରେରଣାର କେନ୍ଦ୍ର ହେଉ।”

ପ୍ରକୃତିର ସୁରକ୍ଷା ଏବଂ ପକ୍ଷୀ ମାନଙ୍କର ସେବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟକୁ ଲକ୍ଷ୍ୟ କରି, ପ୍ରଧାନମନ୍ତ୍ରୀ ଜଳ ଏବଂ ନଦୀ ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ଦତ ପୀଠମ୍‌କୁ ଅନୁରୋଧ କରିଥିଲେ। ସେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଅଭିଯାନରେ ତାଙ୍କର ଯୋଗଦାନ ରହିବା ଆବଶ୍ୟକ ବୋଲି କହିଥିଲେ, ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନରେ ସେମାନଙ୍କର ଯୋଗଦାନକୁ ମଧ୍ୟ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ଅପିଲ୍: ଅନ୍ୟ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହେଉ ଟୀକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭିତରେ ଟୀକାର ବଡ ସମସ୍ୟା ଦେଖାଦେଇଛି। ଟୀକାର ଅଭାବକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଚିଠି ମାଧ୍ୟମରେ ଅନ୍ୟ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ତେବେ ଅରବିନ୍ଦଙ୍କ ପରେ ଆଜି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ଟୀକାର ଅଭାବକୁ ନେଇ ସମାନ କଥା କହିଥିଲେ। ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଗଡକରୀ କହିଥିଲେ ଯେ, ଦେଶରେ ଟୀକାର ଆବଶ୍ୟକତାକୁ ଦେଖି ଆଉ ଅଧିକ ୧୦ ଟି କମ୍ପାନୀକୁ ଟୀକା ଉତ୍ପାଦନ ପାଇଁ ସରକାର ମଞ୍ଜୁରୀ ଦେବା ଉଚିତ।

ତେବେ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ହେଲେ ଯେଉଁ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତ ପାଇଁ ଫର୍ମୁଲା ମିଳିବ, ସେମାନେ ମୁଖ୍ୟ ଉତ୍ପାଦକକୁ ୧୦ ପ୍ରତିଶତ ରୟାଲଟି ଦେବା ଲାଗି ନିୟମ ରଖିବା ଆବଶ୍ୟକ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ଦୁଇଟି କମ୍ପାନୀ ଦେଶରେ ଟୀକା ଉତ୍ପାଦନ କରୁଛନ୍ତି। ଭାରତ ବାୟୋଟେକ ଦ୍ଵାରା କୋଭାକ୍ସିନ ଟୀକା ପ୍ରସ୍ତୁତ କରାଯାଉଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଦ୍ଵାରା କୋଭିଶିଲ୍ଡ ଟୀକା ପ୍ରସ୍ତୁତ ହେଉଛି। ଏହାସହ ସ୍ପୁଟିନିକ-ଭି ଟୀକାକୁ ଏବେ ବ୍ୟବହାର ପାଇଁ କେନ୍ଦ୍ର ସରକାର ରୁଷରୁ ଆମଦାନୀ କରୁଛି।