Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଗ୍ନିପଥ ଯୋଜନା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ: ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିଲା ଭାରତୀୟ ସେନା

ଭୁବନେଶ୍ୱର: ଭାରତୀୟ ସେନା ଏହାର ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିଛି। ପ୍ରଥମ ଫିଲଫର ଭାବରେ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରବର୍ତ୍ତନ କରିଛି। ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ ଅନ୍‌ଲାଇନ୍‌ରେ ଚଳିତ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ www.joinindianarmy.nic.in ୱେବ୍‌ସାଇଟ୍‌ରେ ଆବେଦନ
କରିପାରିବେ। ପଞ୍ଜିକରଣ ପ୍ରକ୍ରିୟା ଏବଂ ଅଗ୍ନିବୀର ନିଯୁକ୍ତି ଯୋଜନାରେ ଆବେଦନର ଭିଡ଼ିଓ www.joinindianarmy.nic.in ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି।

ଚଳିତ ବର୍ଷଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଆଶାୟୀଙ୍କୁ କମ୍ପୁ୍ୟଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କୁ ଅନ୍‌ଲାଇନ୍‌ରେ ୨୫୦ ଟଙ୍କା ଫି ଦେବାକୁ ପଡ଼ିବ। ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ୨୦୨୩ ଅପ୍ରେଲ ୧୭ରୁ ମଇ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ। ଆଶାୟୀଙ୍କ ସାହାଯ୍ୟ ନିମନ୍ତେ କମ୍ପୁ୍ୟଟର ଆଧାରିତ ଅଭ୍ୟାସ ପରୀକ୍ଷା www.joinindianarmy.nic.in େୱବ୍‌ସାଇଟ୍‌ରେ ଉପଲବ୍ଧ ରହିଛି।

ଭାରତୀୟ ସେନାରେ ଅଗ୍ନିପଥ ନିଯୁକ୍ତି ନିମନ୍ତେ ଅଗ୍ନିପଥ ଯୋଜନା ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଓଡ଼ିଶାର ବହୁତ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ଅଗ୍ନିବୀର ପ୍ରଥମ ବ୍ୟାଚ୍‌ ୨୦୨୩ ଜାନୁଆରୀ ୧ ତାରିଖରୁ ବିଭିନ୍ନ ସେନା ତାଲିମ କେନ୍ଦ୍ରରେ ତାଲିମରତ ଅଛନ୍ତି। ଦ୍ୱିତୀୟ ବ୍ୟାଚ୍‌ ମାର୍ଚ୍ଚ ୧ ତାରିଖରୁ ତାଲିମ ଆରମ୍ଭ ହେବ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ କରାଯାଉଥିବା କାର୍ଯ୍ୟକ୍ରମ ସମୟରେ ବହୁ ସଂଖ୍ୟକ ଆଶାୟୀ ଭାରତୀୟ ସେନାରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଓଡ଼ିଶାର ଅନୁଗୋଳ, ବରଗଡ଼, ବଲାଙ୍ଗିର, ଦେଓଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେଉଁଝର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ସେବା ନିଯୁକ୍ତି କାର୍ଯ୍ୟାଳୟ, ସମ୍ବଲପୁର ସହିତ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ ଯୋଜନା: ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଅଗ୍ନିପଥ ଯୋଜନା ଅଧୀନରେ ସେନାବାହିନୀରେ ଯୁବକମାନଙ୍କ ନିଯୁକ୍ତି ନିମନ୍ତେ ନୂଆ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୭ ବର୍ଷ ୬ ମାସରୁ ୨୧ ବର୍ଷ ମଧ୍ୟରେ ନିର୍ଦ୍ଧାରଣ କରାଯାଇଥିଲା।

ତେବେ ବିଗତ ଦୁଇ ବର୍ଷ ହେବ ସେନାବାହିନୀରେ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ସମ୍ଭବପର ହୋଇପାରି ନଥିବାରୁ ସରକାର ଗୋଟିଏ ବର୍ଷ ପାଇଁ ବୟସସୀମା କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ, ଅଗ୍ନିପଥ ଯୋଜନାରେ ୨୦୨୨ ବର୍ଷ ପାଇଁ ପ୍ରସ୍ତାବିତ ଅଗ୍ନିବୀରଙ୍କ ନିଯୁକ୍ତି ନିମନ୍ତେ ବୟସସୀମା ୨୩ ବର୍ଷକୁ ବୃଦ୍ଧି କରାଯାଇଛି।

Categories
ବିଶେଷ ଖବର

ଭାରତୀୟ ସେନାର ବଦଳିବ ନିଯୁକ୍ତି ପ୍ରକ୍ରିୟା: କାର୍ଯ୍ୟକାରୀ ହେବ ଅଗ୍ନିପଥ ପ୍ରବେଶ ଯୋଜନା, କାର୍ଯ୍ୟକାଳ ରହିବ ୩ ବର୍ଷ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ‘ଅଗ୍ନିପଥ ପ୍ରବେଶ ଯୋଜନା’ ଆଣିବାକୁ ଯାଉଛନ୍ତି। ଏହି ନୂତନ ବ୍ୟବସ୍ଥା ଅଧୀନରେ ସେବାରେ ଥିବା ସୈନିକମାନଙ୍କୁ ‘ଅଗ୍ନିବୀର’ କୁହାଯିବ ଏବଂ ସୈନିକମାନେ ମାତ୍ର ତିନି ବର୍ଷ ସେବା କରିବା ପରେ ସେନାବାହିନୀରୁ ଓହରିଯିବେ ଏବଂ ସେମାନେ ସିଭିଲ୍ ସେକ୍ଟରରେ ଚାକିରି କରିବାକୁ ଚେଷ୍ଟା କରିବେ। କୁହାଯାଉଛି ଯେ, ବର୍ତ୍ତମାନ ସରକାର କେବଳ ୩ ବର୍ଷ ପାଇଁ ଅଗ୍ନିବୀରଙ୍କୁ ଚୟନ କରିବେ। ଏହି ସମୟରେ, ସେମାନଙ୍କୁ ବିଭିନ୍ନ କ୍ଷେତ୍ରର କଠିନ ଆହ୍ଵାନ ଦେଇ ଗତି କରିବାକୁ ପଡିବ।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ ମହାମାରୀ କାରଣରୁ ସାମରିକ ନିଯୁକ୍ତି କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ସେନାରେ ଯବାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ବାୟୁସେନାର ସରକାରୀ ଆକଳନ ଅନୁଯାୟୀ ସେନାର ତିନି ବାହିନୀରେ ୧.୨୫ ଲକ୍ଷରୁ ଅଧିକ ନିଯୁକ୍ତି ଖାଲି ଅଛି।

ରିପୋର୍ଟ ଅନୁଯାୟୀ, ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଏବଂ ନିୟମାବଳୀ ସମ୍ପର୍କରେ ତିନି ବାହିନୀର ବରିଷ୍ଠ ଅଧିକାରୀମାନେ ଏକ ଉପସ୍ଥାପନା କରିଛନ୍ତି। ଏହାକୁ ନେଇ ସରକାରଙ୍କ ତରଫରୁ ଏକ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଆସିଛି। ୨ ବର୍ଷ ପୂର୍ବେ ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତା’ପରେ ଏହାକୁ ଟୁର୍ ଅଫ୍ ଡ୍ୟୁଟି ସ୍କିମ୍ କୁହାଯାଉଥିଲା। କୁହାଯାଉଛି ଯେ, ଏହି ପ୍ରସଙ୍ଗରେ ସେନା ଅଧିକାରୀ ଏବଂ ସରକାରଙ୍କ ମଧ୍ୟରେ ଆଉ କିଛି ବୈଠକ ହେବ ଏବଂ ଏହା ଚୂଡାନ୍ତ ହେବ।

ପ୍ରାରମ୍ଭିକ ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ତିନି ବର୍ଷ ପରେ ସୈନିକମାନେ ସେନା ଛାଡି ସିଭିଲ୍ ଚାକିରୀକୁ ଯାଇପାରିବେ। ଗତ କିଛି ବର୍ଷ ମଧ୍ୟରେ, ଅନେକ କର୍ପୋରେଟ୍ କମ୍ପାନୀ ଏହିପରି କର୍ମଚାରୀ ନିଯୁକ୍ତି ପାଇଁ ଆଗ୍ରହ ଦେଖାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କିଏ ହେବେ ଉଚ୍ଚତମ ନ୍ୟାୟଳୟର ପରବର୍ତ୍ତୀ ମୁଖ୍ୟ ବିଚାରପତି?: ନ୍ୟାୟାଧୀଶ ବୋବଡେଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁସାରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ର ସରକାର ଚିଠି ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଛି।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଚ୍ଚତମ ନ୍ୟାୟଳୟର ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କୁ ଚିଠି ଲେଖି ତାଙ୍କ ପରେ କିଏ ୪୮ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ବୋଲି ପଚାରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ନ୍ୟାୟାଧୀଶ ଏସ ଏ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ନ୍ୟାୟାଧୀଶ ଏନ ବି ରମନା ଉଚ୍ଚତମ ନ୍ୟାୟଳୟରେ ବରିଷ୍ଠ ବିଚାରପତି ଅଟନ୍ତି। ସେ ପରବର୍ତ୍ତୀ ମୁଖ୍ୟ ବିଚାରପତି ଧାଡ଼ିର ଆଗରେ ଅଛନ୍ତି।