Khordha Paika: ଅବିଭକ୍ତ ପୁରୀ ଜିଲା ଗଡ଼ାଧୀଶ ଦଳବେହେରା ମହାସଂଘ ଓ କଳିଙ୍ଗ ପାଇକ ସଂଗଠନର ମିଳିତ ଆନୁକୁଲ୍ୟରେ ପାଇକ ସଂଗଠନର ଜାଗରଣ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ବରୁଣାଇ ପାଦଦେଶରେ ପୌର ପରିଷଦ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଗଡ଼ାଧୀଶ ଦଳବେହେରା ମହାସଂଘର ସଭାପତି ଭାବେ ମନୋନୀତ ରୋଡ଼ଙ୍ଗ ବକ୍ସି ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ହେବା ପରେ ଦଳବେହେରାମାନେ ସ୍ୱାଗତ ଜଣାଇ ପାଇକ ଆଖଡ଼ା ସହ ବରୁଣେଇ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ପୂଜାର୍ଚ୍ଚନା ପରେ କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଳିଙ୍ଗ ପାଇକ ସଙ୍ଗଠନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ସଭା ପରିଚାଳନା କରିଥିଲେ। ଦଳବେହେରା ସଂଘର ଉପସଭାପତି ଅଜୟ କୁମାର ମାନଧାତା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ କଳିଙ୍ଗ ପାଇକ ସଂଗଠନର ଉପଦେଷ୍ଟା ସୁରଥ ବିଶ୍ୱାଳ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ଭାଟପଡ଼ା ଦଳବେହେରା ମାନବେନ୍ଦ୍ର ମହାରଥା, ବଂଶୀଧର ଜଗଦ୍ଦେବ, ରାମଚଣ୍ଡୀ ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ, ପଦ୍ମନାଭ ବିଶ୍ୱାଳ, ରମଜାନ୍ ଖାଁ, ପ୍ରସନ୍ନ କୁମାର ପାଇକରାୟ, ବିଶ୍ୱଜିତ ସ୍ୱାଇଁ, ପ୍ରଦୀପ କୁମାର ବିଶ୍ୱାଳ, ଅମରେନ୍ଦ୍ର ମହାପାତ୍ର, କବିରାଜ ପ୍ରଧାନ, ହରମୋହନ ମହାରଥା, ଦେବୀ ପ୍ରସାଦ ସାମନ୍ତରାୟ, ପାର୍ଥସାରଥୀ ମତ୍ତଗଜ ସିଂହ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ବସୁଧା ଦଳଯୋଗାଣ ବକ୍ସିଙ୍କ ନାମରେ ହେଉଥିବାରୁ ତାଙ୍କ ଫଟୋଚିତ୍ର ସେଠାରେ ସ୍ଥାନ ପାଇବା, ପାଇକ ଆଖଡ଼ା ନେଇ ସିଲାବସ କରାଯାଇ ଏହା ସଂସ୍କୃତି ବିଭାଗ ପରିବର୍ତ୍ତେ କ୍ରୀଡ଼ା ବିଭାଗରେ ସ୍ଥାନିତ କରିବା, ପାଇକ ଆଖଡ଼ା ଗୁରୁମାନଙ୍କୁ ଭତ୍ତା ସହ ପ୍ରୋତ୍ସାହନ ଦେବା, ପାଇକ ଖେଳକୁ ବିଦ୍ୟାଳୟରେ ସାମିଲ କରିବା, ପାଇକ ବିଦ୍ରୋହର ଶହୀଦ ସଂଗ୍ରାମୀମାନଙ୍କ ଗ୍ରାମକୁ ‘ବରପୁତ୍ର ଐତିହ୍ୟ ଗ୍ରାମ’ ଘୋଷଣା କରିବା ପାଇଁ ପ୍ରସ୍ତାବମାନ ଗୃହୀତ ହୋଇ ଉପଦେଷ୍ଟା ସୁରଥ ବିଶ୍ୱାଳଙ୍କ ମାଧ୍ୟମରେ ଦେବା ପାଇଁ ସ୍ଥିର ହେଲା।
ଦଳବେହେରା ସଂଘ ସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଜନସାଧାରଣଙ୍କ ହିତକଳ୍ପେ ସଂଘ କାର୍ଯ୍ୟ କରିବ ବୋଲି ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ବରୁଣେଇସ୍ଥିତ ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହିତ ସେଠାରେ ଚାଲିଥିବା ସ୍ମାରକୀ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହି ସମାବେଶରେ ବହୁସଂଖ୍ୟାରେ ଦଳବେହେରା, ଦଳେଇ ତଥା ବିଭିନ୍ନ ପାଇକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ପାଇକ ଐତିହ୍ୟ, ପରମ୍ପରା ଓ ବୀରତ୍ୱର ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ। ବଡ଼ପାରି ଦଳବେହେରା ସୌକତ ରଂଜନ ମାଳବିହାର ଧନ୍ୟବାଦ ଦେଇଥିବା ବେଳେ ଅମୀୟ ଉଦୟସିଂହ, ପ୍ରସନ୍ନ କୁମାର ମହାରଥା, ଅବଦୁଲ କାଲାମ ଆଜାଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


