ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି। ଗତ ଡିସେମ୍ବର ୧୨ ତାରିଖରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା।
ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା ଏବେ ଆଇନରେ ପରିଣତ ହେବ। ନୂଆ ଆଇନ ଲାଗୁ ହେବା ପରେ ପ୍ରଧାନ ବିଚାରପତି ନିର୍ବାଚନ କମିଶନର ଚୟନ କମିଟିରେ ରହିବେ ନାହିଁ। ଏହି ଆଇନ ନିର୍ବାଚନ ଆୟୋଗ (ନିର୍ବାଚନ କମିଶନରଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟ ପରିଚାଳନା) ଆଇନ, ୧୯୯୧ର ସ୍ଥାନ ନେବ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିଦ୍ୱାରା ନିର୍ବାଚନ କମିଶନର ଚୟନ କରାଯିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ।
ନୂଆ ଆଇନ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଦ୍ୱାରା ଚୟନ କମିଟିର ସୁପାରିସ କ୍ରମେ ନିର୍ବାଚନ ଆୟୋଗ ନିଯୁକ୍ତ ହେବେ। ଏହି କମିଟିରେ ଏବେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କ୍ୟାବିନେଟ୍ ମନ୍ତ୍ରୀ ରହିବେ।
ସରକାର କାହିଁକି ଆଣିଲେ ନୂଆ ଆଇନ ?
ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୁରୁବାର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ବିଲ୍-୨୦୨୩ ଗୃହରେ ଆଲୋଚନା ଓ ପାରିତ କରିବା ପାଇଁ ଆଗତ କରିଥିଲେ। ମେଘୱାଲ ସୁପ୍ରିମକୋର୍ଟଙ୍କ ରାୟକୁ ଉଦାହରଣ ଦେଇ କହିଥିଲେ ଯେ ସମ୍ବିଧାନ ନିର୍ମାତାମାନେ ନିର୍ବାଚନ କମିଶନର ନିଯୁକ୍ତି ସମ୍ପର୍କରେ ଏକ ଆଇନ ପ୍ରଣୟନ କରିବା କଥା କହିଥିଲେ।
୧୯୯୧ମସିହାରେ ଆଇନ ପ୍ରଣୟନ ହୋଇଥିଲା କିନ୍ତୁ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ନେଇ କୌଣସି ଉଲ୍ଲେଖ ନାହିଁ ବୋଲି ଆଇନମନ୍ତ୍ରୀ ଲୋକସଭାରେ କହିଥିଲେ। ମେଘୱାଲଙ୍କ କହିବା ଅନୁଯାୟୀ, ସୁପ୍ରିମକୋର୍ଟ କହିଥିଲେ ଯେ ଯେ ପର୍ଯ୍ୟନ୍ତ ସଂସଦ ଏ ସଂକ୍ରାନ୍ତରେ ଆଇନ ପ୍ରସ୍ତୁତ ନ କରେ, ସେ ପର୍ଯ୍ୟନ୍ତ ତାଙ୍କ ନିଷ୍ପତ୍ତି ଅନୁଯାୟୀ ନିଯୁକ୍ତି ବ୍ୟବସ୍ଥା ଜାରି ରହିବ। ଏହି ପରିପ୍ରେକ୍ଷୀରେ ସରକାର ଏହି ଆଇନ ତିଆରି କରିବାକୁ ଯାଉଛନ୍ତି ବୋଲି ସେ କହିଥିଲେ। ସେ କହିଥିଲେ ଯେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇସାରିଛି।
ଏବେ କେମିତି ହେବ ନିଯୁକ୍ତି ?
ରାଷ୍ଟ୍ରପତିଙ୍କ ତରଫରୁ ଏକ ଚୟନ କମିଟିର ସୁପାରିସକ୍ରମେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରାଯିବ। ନୂତନ ଆଇନ ଅନୁଯାୟୀ, ସରକାରୀ ସଂଶୋଧନ ଅନୁଯାୟୀ, ‘ସର୍ଚ୍ଚ କମିଟି’ର ନେତୃତ୍ୱ ଆଇନମନ୍ତ୍ରୀ ନେବେ, ଯେଉଁଥିରେ କ୍ୟାବିନେଟ୍ ସଚିବଙ୍କ ସ୍ଥାନରେ ଦୁଇଜଣ ସଚିବ ସଦସ୍ୟ ରହିବେ। ସରକାରୀ ସଂଶୋଧନ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ଦରମା ସୁପ୍ରିମକୋର୍ଟ ବିଚାରପତିଙ୍କ ଭଳି ରହିବ।
ଏହି ବିଲ୍ରେ ଏକ ନୂଆ ଧାରା ଯୋଡ଼ାଯାଇଛି, ଯେଉଁଥିରେ ସିଇସି ଓ ନିର୍ବାଚନ କମିଶନରମାନେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ ସମୟରେ କୌଣସି ଆଦେଶ ଦେବା ପାଇଁ ଅଦାଲତରେ କୌଣସି କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷିତ ରହିବେ। ଏବେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ୬ ବର୍ଷ କିମ୍ବା ୬୫ ବର୍ଷ ହେବା ପର୍ଯ୍ୟନ୍ତ ରହିବ।
କ’ଣ କହୁଛନ୍ତି ବିରୋଧୀ ?
ନୂଆ ବିଲ୍କୁ ନେଇ ବିରୋଧୀ ଲଗାତାର ସରକାରଙ୍କୁ ସମାଲୋଚନା କରୁଛନ୍ତି। ବିରୋଧୀ କହୁଛନ୍ତି ଯେ ନୂଆ ଆଇନ ନିର୍ବାଚନ ଆୟୋଗଙ୍କୁ ସରକାରଙ୍କ ସଖୀକଣ୍ଢେଇରେ ପରିଣତ କରିବ । ବିରୋଧୀ ଏହି ବିଲ୍କୁ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ବୋଲି କହିଥିଲେ।
ଆମ୍ ଆଦମୀ ପାର୍ଟି କହିଛି ଯେ ସମ୍ବିଧାନର ମୌଳିକ ଢାଞ୍ଚା ହେଉଛି ମୁକ୍ତ ନିର୍ବାଚନ ଏବଂ ଗଣତନ୍ତ୍ର କିନ୍ତୁ ଯେତେବେଳେ ଆୟୋଗ ପକ୍ଷପାତ କରନ୍ତି, ସେତେବେଳେ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ। ବିଲ୍ର ବ୍ୟବସ୍ଥା ଅନୁଯାୟୀ କମିଶନର ନିଯୁକ୍ତ କରିବାରେ ସରକାରଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ରହିବ ବୋଲି ବିରୋଧୀ ଦଳମାନେ କହିଛନ୍ତି।
ତାଙ୍କ ପସନ୍ଦର କମିଶନରଙ୍କୁ ସରକାର ନିଯୁକ୍ତ କରିପାରିବେ। ପ୍ରସ୍ତାବିତ କମିଟିରେ ସରକାରଙ୍କ ଦୁଇଜଣ ପ୍ରତିନିଧି ରହିବେ। ଏଭଳି ସ୍ଥିତିରେ ସରକାର ଯାହା ଚାହିଁବେ ତାହା ସ୍ଥିର କରିପାରିବେ।