Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ନିର୍ମାଣ, ପୁନରୁଦ୍ଧାର ଓ ଉନ୍ନତିକରଣ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ 4 ଲେନ ବିଶିଷ୍ଟ କେସିଙ୍ଗା ଆରଓବି 4 ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26)ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି।  ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏକାଧିକ ଟୁଇଟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶର 30 ନମ୍ବର ଜାତୀୟ ରାଜପଥର ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଜର ସହିତ 170+700ରୁ 234+567(ଡିଜାଇନ ପରିବର୍ତ୍ତନ) ଭାଗର ପୁନରୁଦ୍ଧାର ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ପାଇଁ 388.70 କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହା ଛଡ଼ା ଆନ୍ଧ୍ରପ୍ରଦେଶ ଦେଇ ଯାଇଥିବା 42 ନମ୍ବର ଜାତୀୟ ରାଜପଥର ମୁଲାକାଲାଚେରୁଭୁ ଠାରୁ ମଦନାପଲ୍ଲୀ ସେକ୍ସନ ପର୍ଯ୍ୟନ୍ତ ସଡ଼କର ପୁନରୁଦ୍ଧାର ଏବଂ ଉନ୍ନତିକରଣ କରାଯିବ। ଇପିସି ମୋଡ଼ରେ ପେଭଡ ସୋଲଜର ସହିତ ଏହି ସଡ଼କକୁ 2 ଲେନରୁ 2/4 ଲେନ କରାଯିବ ଏବଂ ଏଥିପାଇଁ 480.10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମଧ୍ୟପ୍ରଦେଶରେ ସିଆରଆଇଏଫ ଯୋଜନା ଅଧୀନରେ 2021-22 ଆର୍ଥିକ ବର୍ଷରେ 600.13 କିମି ଲମ୍ବ 23ଟି ପ୍ରକଳ୍ପର ବିକାଶ କରାଯିବ। ଏଥିପାଇଁ 1814.90 କୋଟି ଟଙ୍କା ବଜେଟ ବ୍ୟୟବରାଦ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆପଣଙ୍କ ପାଖରେ ବହୁ ପୁରୁଣା ବା ଭିଣ୍ଟେଜ୍ ଗାଡି ଅଛି କି? ରେଜିଷ୍ଟ୍ରେସନ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, ଭିଣ୍ଟେଜ ଗାଡି ସଂଗ୍ରହ କରି ରଖୁଥିବା ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିବା ପାଇଁ ଆସିଲା ନୂଆ ନିୟମ। ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଅତି ପୁରୁଣା ମୋଟରଯାନଗୁଡିକୁ ଐତିହ୍ୟ ଦୃଷ୍ଟିକୋଣରୁ ସାଇତି ରଖିବା ଲକ୍ଷ୍ୟରେ ଏସବୁର ପଞ୍ଜୀକରଣ ପ୍ରକ୍ରିୟା ଔପଚାରିକ ଭାବେ ଆରମ୍ଭ ହୋଇଛି ।

ଏକ ଟୁଇଟ କରି ସେ କହିଛନ୍ତି ଯେ ଏସବୁ ଭିଣ୍ଟେଜ ଯାନର ପଞ୍ଜୀକରଣ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ରାଜ୍ୟରେ ଆବଶ୍ୟକ ନିୟମକାନୁନ ନ ଥିଲା । ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ନିୟମ ପ୍ରଣୟନ କରାଯାଇଛି ।

ସେହି ଅନୁସାରେ ସବୁ ରାଜ୍ୟରେ ଆଗ୍ରହୀ ବ୍ୟକ୍ତିବିଶେଷ ଭିଣ୍ଟେଜ ଯାନଗୁଡିକୁ ସହଜରେ ପଞ୍ଜୀକରଣ କରି ସାଇତି ରଖିପାରିବେ । ନୂଆ ନିୟମ ଅନୁସାରେ ସମ୍ପୃକ୍ତ ଯାନଗୁଡିକର ପୁରୁଣା ନମ୍ବର ମାଲିକଙ୍କୁ ମିଳିବ । ଆବେଦନକାରୀଙ୍କୁ ‘ଭିଏ’ ସିରିଜ୍ରେ (ୟୁନିକ ରେଜିଷ୍ଟ୍ରେସନ ମାର୍କ) ଏହି ପୁରୁଣା ନମ୍ବର ପ୍ରଦାନ କରାଯିବ ।

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଇତିମଧ୍ୟରେ କେନ୍ଦ୍ରୀୟ ମୋଟର ଯାନ ଆଇନ (ସିଏମ୍ଭିଆର) ୧୯୮୯ରେ ସଂଶୋଧନ ଆଣି ଭିଣ୍ଟେଜ ଗାଡିଗୁଡିକର ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିଛି । ଏହି ନୂଆ ଆଇନ ଫଳରେ ଐତିହ୍ୟ ଦୃଷ୍ଟିରୁ ଭାରତରେ ଭିଣ୍ଟେଜ ମୋଟର ଯାନଗୁଡିକର ସଂରକ୍ଷଣ ଓ ସମ୍ବର୍ଦ୍ଧନ ସହଜ ହେବ ।

ପ୍ରମୁଖ ବିଶେଷତ୍ୱ:- ନୂଆ ପଞ୍ଜୀକରଣ ଆଇନର ତଳେ ଦିଆଯାଇଥିବା ସର୍ତ୍ତର୍ ଅନୁସାରେ ଭିଣ୍ଟେଜ ଗାଡିଗୁଡିକୁ ସଂରକ୍ଷିତ କରିବା ପାଇଁ ଅନୁମତି ମିଳିବ ।

● ସମ୍ପୃକ୍ତ ସବୁ ୨ବା ୪ ଚକିଆ ଯାନ ୫୦ବର୍ଷର ପୁରୁଣା ହୋଇଥିବ । ସେସବୁର ମୂଳ ରୂପ ଓ ଆକାର ଅପରିବର୍ତ୍ତିତ ରହିଥିବ । ଏସବୁ ଯାନର ବଡଧରଣର ଜୀର୍ଣ୍ଣୋଦ୍ଧାର (ଓଭର ହଲିଂ) ହୋଇ ନ ଥିବ ।

● ଫର୍ମ-୨ ଏଥିପାଇଁ ପଞ୍ଜୀକରଣ ବା ପୁନଃ ପଞ୍ଜୀକରଣ ନିମନ୍ତେ ଆବେଦନ କରିବାକୁ ପଡିବ । ଏଥିସହିତ ଏକ ବୀମା ପଲିସି, ଆବଶ୍ୟକ ଫି, ଆମଦାନୀ ହୋଇଥିବା ଯାନ କ୍ଷେତ୍ରରେ ଏଣ୍ଟ୍ରିବିଲ୍ ଏବଂ ପୂର୍ବରୁ ଭାରତରେ ପଞ୍ଜୀକୃତ ହୋଇଥିବା ଯାନର ଆର.ସି. ବୁକ୍ ଦାଖଲ କରିବାକୁ ପଡିବ ।

● ରାଜ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷ (ରେଜିଷ୍ଟ୍ରେସନ ଅଥରିଟି) ଆବେଦନର ୬୦ଦିନ ମଧ୍ୟରେ ଫର୍ମ ୨୩ଇ ଅନୁସାରେ ଆବେଦକାରୀଙ୍କୁ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରିବେ ।

● ଯେଉଁ ଯାନଗୁଡିକ ପୂର୍ବରୁ ଭାରତରେ ପଞ୍ଜୀକୃତ ହୋଇଛି ସେସବୁ ଯାନର ମାଲିକ ନିଜର ମୂଳ ରେଜିଷ୍ଟ୍ରେସନ ମାର୍କ (ନମ୍ବର) ରଖିପାରିବେ । ତେବେ ଯେଉଁମାନେ ନୂଆ ପଞ୍ଜୀକରଣ କରିବାକୁ ଚାହିଁବେ ସେମାନଙ୍କୁ “ଢଢ ଠଇ ଢଣ” ସଙ୍କେତ ପ୍ରଦାନ କରାଯିବ । ଢଢ ର ଅର୍ଥ ରାଜ୍ୟର କୋଡ, ଠଇ ର ଅର୍ଥ ଭିଣ୍ଟେଜ ଏବଂ ଢଣରେ ଦୁଇ ସଂଖ୍ୟା ବିଶିଷ୍ଟ ସିରିଜ (ଶୃଙ୍ଖଳା) ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେହିଭଳି ୦୦୦୧ରୁ ୯୯୯୯ ଯାଏ ଯେଉଁ ସଂଖ୍ୟା ରାଜ୍ୟ ରେଜିଷ୍ଟେସନ ଅଥରିଟିକୁ ପ୍ରଦାନ କରାଯାଇଛି ସେଥିରୁ ସଂଖ୍ୟା ‘୮’ କୁ ଅଣାଯାଇ ଏହି ଯାନ ପାଇଁ ବ୍ୟବହର କରାଯିବ ।

● ପୁରୁଣା ଯାନର ନୂଆ ପଞ୍ଜୀକରଣ ପାଇଁ ଯାନ ପିଛା ଫି ୨୦ହଜାର ଟଙ୍କା ଏବଂ ପରବର୍ତ୍ତୀ ପଞ୍ଜୀକରଣ ପାଇଁ ୫୦୦୦ ଟଙ୍କା ଧାର‌୍ୟ୍ୟ କରାଯାଇଛି ।

● ଏହି ଭିଣ୍ଟେଜ ମୋଟର ଯାନଗୁଡିକୁ ରାସ୍ତାରେ ନିୟମିତ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ।