Categories
ବିଶେଷ ଖବର

ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା: ଚାଷୀଙ୍କୁ ମିଳିଲା ୯୦୦ କୋଟି

ଭୁବନେଶ୍ଵର: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।

ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି।

ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି।

ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ ଡାକ୍ତର, ଇଞ୍ଜିନିଅର ହୋଇ, ଭଲ ଭଲ ପ୍ରଫେସନରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ ବୃତ୍ତି ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର ପ୍ରିମିୟମ ଦେଉଛନ୍ତି। ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ।

ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ଯ ଏହି ସହାୟତା ଦିଆଯାଉଛି।

ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।

ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।

ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି ଇଞ୍ଜିନିୟରିଂ ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଆଜି ଅପରାହ୍ନରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପରବ ପାଳିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି। ନୂଆଁଖାଇକୁ ସାରା ରାଜ୍ୟରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଉତ୍କଳୀୟ ସଂସ୍କୃତି ଆହୁରି ମହାନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ପରିବାରର ସଦସ୍ୟ ଏକାଠି ହେଲେ ପାରସ୍ପରିକ ବନ୍ଧନ ଅତୁଟ ରହିବ ବୋଲି ସେ ଉଲ୍ଲେଖ କରିଥିଲେ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ସତ୍ୟବାଦୀ ବଳିୟାରସିଂ, ଗୋପାଳକୃଷ୍ଣ ଦାସ ଯୋଗଦେଇ ପ୍ରକୃତି ଓ ମାନବ ସଭ୍ୟତା ସହ ଥିବା ସଂପର୍କ ବିଷୟରେ ଉଲ୍ଲେଖ କରିଥିଲେ। ପଶ୍ଚିମ ଓଡିଶାର ଶୀତଳଷଷ୍ଠୀ ଓ ନୂଆଁଖାଇ ସମଗ୍ର ରାଜ୍ୟରେ ଭାଇଚାରାର ପରବ ଭାବେ ପାଳନ କରାଯାଉଛି। ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତିର ଅଂଶ ବିଶେଷ ଏବଂ ନୂଆଁଖାଇ ଆମ ସାଂସ୍କୃତିକ ବିବିଧତାର ପ୍ରମୁଖ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ନାରାୟଣ ରାଓ ନୂଆଁଖାଇ ପରବ ଅତ୍ୟନ୍ତ ପ୍ରାଚୀନ ଓ ମାଦଳା ପାଞ୍ଜିରେ ଏ ସଂପର୍କରେ ଉଲ୍ଲେଖ ଥିବା କହିଥିଲେ। କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନର ବିଭିନ୍ନ ବିଧିବିଧାନ ସଂପର୍କରେ ପ୍ରଫେସର ରାଓ କହିବା ସହ ବର୍ତ୍ତମାନର ପର୍ବପର୍ବାଣୀ ସହ ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଉପକ୍ରମ ଯୋଡି ହେଉଥିବା କହିଥିଲେ। ସେ ନିଜର ଅଭିଜ୍ଞତା ପୂର୍ଣ୍ଣ ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଯେତେ ଦୂରରେ ଥିଲେ ବି ନୂଆଁଖାଇ ନିମନ୍ତେ ପରିବାର ସହ ମିଶିବାର ଉତ୍ସାହିତ ହେବା ହେଉଛି ବଡ ସଦଭାବ ବୋଲି ସେ କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହେମନ୍ତ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।