ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ

Published: Sep 7, 2022, 10:09 pm IST

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଆଜି ଅପରାହ୍ନରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପରବ ପାଳିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି। ନୂଆଁଖାଇକୁ ସାରା ରାଜ୍ୟରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଉତ୍କଳୀୟ ସଂସ୍କୃତି ଆହୁରି ମହାନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ପରିବାରର ସଦସ୍ୟ ଏକାଠି ହେଲେ ପାରସ୍ପରିକ ବନ୍ଧନ ଅତୁଟ ରହିବ ବୋଲି ସେ ଉଲ୍ଲେଖ କରିଥିଲେ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ସତ୍ୟବାଦୀ ବଳିୟାରସିଂ, ଗୋପାଳକୃଷ୍ଣ ଦାସ ଯୋଗଦେଇ ପ୍ରକୃତି ଓ ମାନବ ସଭ୍ୟତା ସହ ଥିବା ସଂପର୍କ ବିଷୟରେ ଉଲ୍ଲେଖ କରିଥିଲେ। ପଶ୍ଚିମ ଓଡିଶାର ଶୀତଳଷଷ୍ଠୀ ଓ ନୂଆଁଖାଇ ସମଗ୍ର ରାଜ୍ୟରେ ଭାଇଚାରାର ପରବ ଭାବେ ପାଳନ କରାଯାଉଛି। ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତିର ଅଂଶ ବିଶେଷ ଏବଂ ନୂଆଁଖାଇ ଆମ ସାଂସ୍କୃତିକ ବିବିଧତାର ପ୍ରମୁଖ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ନାରାୟଣ ରାଓ ନୂଆଁଖାଇ ପରବ ଅତ୍ୟନ୍ତ ପ୍ରାଚୀନ ଓ ମାଦଳା ପାଞ୍ଜିରେ ଏ ସଂପର୍କରେ ଉଲ୍ଲେଖ ଥିବା କହିଥିଲେ। କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନର ବିଭିନ୍ନ ବିଧିବିଧାନ ସଂପର୍କରେ ପ୍ରଫେସର ରାଓ କହିବା ସହ ବର୍ତ୍ତମାନର ପର୍ବପର୍ବାଣୀ ସହ ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଉପକ୍ରମ ଯୋଡି ହେଉଥିବା କହିଥିଲେ। ସେ ନିଜର ଅଭିଜ୍ଞତା ପୂର୍ଣ୍ଣ ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଯେତେ ଦୂରରେ ଥିଲେ ବି ନୂଆଁଖାଇ ନିମନ୍ତେ ପରିବାର ସହ ମିଶିବାର ଉତ୍ସାହିତ ହେବା ହେଉଛି ବଡ ସଦଭାବ ବୋଲି ସେ କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହେମନ୍ତ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts