Categories
ଆଜିର ଖବର ଜାତୀୟ ଖବର

ସିବିଆଇ ଦ୍ୱାରା ବିକଶିତ ଭାରତପୋଲ୍ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ 

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ବିକଶିତ ଭାରତପୋଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅମିତ ଶାହା ୩୫ ଜଣ ପୁରସ୍କୃତ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ ପ୍ରଦାନ କରିଥିଲେ ଯେଉଁମାନେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଗୃହ ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଡିଓପିଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତପୋଲର ଶୁଭାରମ୍ଭ ସହିତ ଭାରତ ଅନ୍ତର୍ଜାତୀୟ ତଦନ୍ତରେ ଏକ ନୂତନ ଯୁଗରେ ପ୍ରବେଶ କରିଛି। ସେ କହିଥିଲେ ଯେ, ଭାରତପୋଲ ମାଧ୍ୟମରେ ଭାରତର ପ୍ରତ୍ୟେକ ଏଜେନ୍ସି ଏବଂ ପୋଲିସ ବାହିନୀ ଅତି ସହଜରେ ଇଣ୍ଟରପୋଲ ସହ ଯୋଗାଯୋଗ କରିପାରିବେ ଏବଂ ତଦନ୍ତକୁ ତ୍ୱରାନ୍ୱିତ କରିପାରିବେ।

ଅମିତ ଶାହା କହିଥିଲେ ଯେ ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନର ସମୟକୁ ଅମୃତ କାଳ ବୋଲି କହିଛନ୍ତି। ଦେଶର ୧୪୦ କୋଟି ଜନତା ଏହି ଅମୃତ କାଳକୁ ଉତ୍ସାହର ସହ ଗ୍ରହଣ କରିଛନ୍ତି ଏବଂ ଏକ ସାମୂହିକ ସଂକଳ୍ପ ନେଇଛନ୍ତି ଯେ ୨୦୪୭ ସୁଦ୍ଧା ଭାରତ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ ହେବ। ଏହି ସଂକଳ୍ପକୁ ସାକାର କରିବା ପାଇଁ ଅନେକ ମାଇଲଖୁଣ୍ଟକୁ ହାସଲ କରିବାକୁ ହେବ, ଏହା ମଧ୍ୟରୁ ୨୦୨୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପ୍ରଥମ ପଦକ୍ଷେପ ହେବ ବୋଲି ସେ କହିଥିଲେ। ୨୦୪୭ ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂକଳ୍ପ ନେବାର ଏହି ସମୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ଅମୃତ କାଳ ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଥିଲେ।

ଗୃହମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏକ ଆଞ୍ଚଳିକ ଶକ୍ତିରୁ ଏକ ବିଶ୍ବଶକ୍ତି ପର୍ଯ୍ୟନ୍ତ ଭାରତର ଯାତ୍ରା ବୈଜ୍ଞାନିକ ରୋଡମ୍ୟାପ୍ ଏବଂ ସମୟବଦ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ସାକାର ହୋଇଛି ଏବଂ ଆମେ ମଧ୍ୟ ଏହି ପଥରେ ଆଗକୁ ବଢ଼ିଛୁ। ସେ କହିଥିଲେ ଯେ ଏହି ଦିଗରେ ଆଗକୁ ବଢ଼ିବା ଏବଂ ବିଶ୍ୱ ଆହ୍ୱାନକୁ ଦୃଷ୍ଟିରେ ରଖି ଆମକୁ ଆମର ବ୍ୟବସ୍ଥାକୁ ଉନ୍ନତ କରିବାକୁ ପଡିବ ଏବଂ ଭାରତପୋଲ ଏହି ଦିଗରେ ଏକ ପଦକ୍ଷେପ।

ଶ୍ରୀ ଶାହା କହିଥିଲେ ଯେ, ଭାରତପୋଲର ୫ଟି ପ୍ରମୁଖ ମଡ୍ୟୁଲ-କନେକ୍ଟ, ଇଣ୍ଟରପୋଲ ନୋଟିସ, ରେଫରେନ୍ସ, ବ୍ରଡକାଷ୍ଟ ଓ ରିସୋର୍ସେସ-ଆମର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କୁ ଏକ ବୈଷୟିକ ପ୍ଲାଟଫର୍ମ ପ୍ରଦାନ କରି ସହାୟତା କରିବ। ସେ ଆହୁରି ମଧ୍ୟ କହିଥିଲେ, ଆମର ସମସ୍ତ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ଇଣ୍ଟରପୋଲର ଜାତୀୟ କେନ୍ଦ୍ରୀୟ ବ୍ୟୁରୋ (ଏନସିବି-ନୂଆଦିଲ୍ଲୀ)ର ଏକ ସଂପ୍ରସାରିତ ଅଂଗଭାବେ କାମ କରିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବ୍ୟବସ୍ଥା ଇଣ୍ଟରପୋଲ ନୋଟିସ୍ ପାଇଁ ଅନୁରୋଧକୁ ଶୀଘ୍ର, ସୁରକ୍ଷିତ ଏବଂ ସଂଗଠିତ ଭାବରେ ସଂଚାରଣ ସୁନିଶ୍ଚିତ କରିବ, ଯାହା ଦ୍ୱାରା ଭାରତ ଭିତରେ ଥିବା ଭାରତୀୟ ଏବଂ ସମଗ୍ର ବିଶ୍ୱର ଅପରାଧୀମାନଙ୍କୁ ତୁରନ୍ତ ଠାବ କରିବା ପାଇଁ ଏକ ବୈଜ୍ଞାନିକ ବ୍ୟବସ୍ଥା ସକ୍ଷମ ହୋଇପାରିବ। ଶ୍ରୀ ଶାହା କହିଥିଲେ ଯେ ୧୯୫ଟି ଦେଶର ଇଣ୍ଟରପୋଲ ରେଫରେନ୍ସ ବିଦେଶରେ ଅନୁସନ୍ଧାନ ପାଇଁ ଅନ୍ତର୍ଜାତୀୟ ସହାୟତା ପାଇବା ଏବଂ ପ୍ରଦାନ କରିବା ଅଧିକ ସହଜ କରିବ। ୧୯୫ଟି ଦେଶର ସହାୟତା ପାଇଁ ଅନୁରୋଧ ବ୍ରଡକାଷ୍ଟ ମଡ୍ୟୁଲ ମାଧ୍ୟମରେ ତୁରନ୍ତ ଆମ ନିକଟରେ ଉପଲବ୍ଧ ହେବ ଏବଂ ରିସୋର୍ସ ମଡ୍ୟୁଲ ମାଧ୍ୟମରେ ଦସ୍ତାବିଜର ଆଦାନପ୍ରଦାନ ଓ ପରିଚାଳନା ଏବଂ କ୍ଷମତା ନିର୍ମାଣ ସହଜ ହେବ।

ଏହି ଅବସରରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଏହି ପୋର୍ଟାଲର ମୁଖ୍ୟବୈଶିଷ୍ଟ୍ୟ- ରିଅଲ ଟାଇମ୍ ଇଣ୍ଟରଫେସ୍ ସଂପର୍କରେ କହିଥିଲେ। ସେ କହିଥିଲେ ଯେ ଏହି ପୋର୍ଟାଲରେ ଏକ ରିଅଲ ଟାଇମ୍ ଇଣ୍ଟରଫେସ୍ ଅଛି ଯାହା ଅପରାଧ ନିୟନ୍ତ୍ରଣ ପାଇଁ ଆମ ଏଜେନ୍ସିଗୁଡିକ ମଧ୍ୟରେ ପ୍ରତ୍ୟକ୍ଷ ଏବଂ ପ୍ରଭାବଶାଳୀ ଯୋଗାଯୋଗ ସୁନିଶ୍ଚିତ କରିବ। ସେ କହିଥିଲେ ଯେ ଏହି ପୋର୍ଟାଲ ଏକ ଅନ୍ତର୍ଜାତୀୟ ନେଟଓ୍ବାର୍କ ମାଧ୍ୟମରେ ରିୟଲ ଟାଇମ ଡାଟା ସେୟାରିଂ ପାଇଁ ଘରୋଇ ଏବଂ ଅନ୍ତର୍ଜାତୀୟ ଅନୁରୋଧଗୁଡିକର ଜବାବକୁ ଯଥେଷ୍ଟ ତ୍ୱରାନ୍ୱିତ କରିବ, ଯେଉଁଥିରେ ରହିଛି ରେଡ୍ କର୍ଣ୍ଣର ନୋଟିସ୍ ଏବଂ ଅନ୍ୟାନ୍ୟ ସତର୍କ ସୂଚନା। ଶ୍ରୀ ଶାହା କହିଥିଲେ ଯେ ଅନେକ ବର୍ଷ ଧରି ଅପରାଧୀମାନେ ଭାରତରେ ଅପରାଧ କରୁଥିଲେ ଏବଂ ବିଶ୍ୱର ଅନ୍ୟ ଦେଶକୁ ପଳାଇ ଯାଇ ଭାରତୀୟ ଆଇନର ପହଞ୍ଚରୁ ଦୂରେଇ ରହୁଥିଲେ। କିନ୍ତୁ ଏବେ ଭାରତପୋଲ ପରି ଅତ୍ୟାଧୁନିକ ସିଷ୍ଟମ ଆସିବା ପରେ ଏପରି ଅପରାଧୀମାନଙ୍କୁ ଆଇନର ପରିଧି ମଧ୍ୟକୁ ଅଣାଯାଇପାରିବ।

ଅମିତ ଶାହା କହିଥିଲେ ଯେ ମୋଦୀ ସରକାର ଆଣିଥିବା ତିନୋଟି ନୂତନ ଅପରାଧିକ ଆଇନରେ ‘ଅନୁପସ୍ଥିତିରେ ବିଚାର’ର ବ୍ୟବସ୍ଥା ଯୋଡ଼ାଯାଇଛି, ଯାହା ଦ୍ବାରା ଅପରାଧୀର ଅନୁପସ୍ଥିତିରେ ବି କୋର୍ଟଙ୍କ ଆଦେଶ ଅନୁସାରେ ବିଚାର ଚାଲିପାରିବ ଓ ନ୍ୟାୟିକ ପ୍ରକ୍ରିୟାକୁ ସୁନିଶ୍ଚିତ କରିହେବ। ଏହି ବ୍ୟବସ୍ଥା ଦ୍ବାରା ବିଦେଶରେ ଥିବା ଦୋଷୀସାବ୍ୟସ୍ତ ଭାରତୀୟ ଅପରାଧୀଙ୍କ ପ୍ରତ୍ୟାର୍ପଣ ସହଜ ହୋଇପାରିବ। ଶାହା କହିଛନ୍ତି ଭାରତପୋଲ୍ ସହ ଏହି ନୂଆ ବ୍ୟବସ୍ଥା ଯୋଗୁଁ ଭାରତୀୟ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନେ ବିଶ୍ବର ଯେକୌଣସି କୋଣରେ ଲୁଚିଥିବା ଅପରାଧୀଙ୍କୁ ଭାରତ ଆଣି ବିଚାର ବ୍ୟବସ୍ଥାର ସମ୍ମୁଖୀନ କରାଇପାରିବେ। ଭାରତପୋଲକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ତୃଣମୂଳସ୍ତରରେ ଏହାର ବ୍ୟାପକ ତାଲିମ ଲାଗି ସେ ସିବିଆଇକୁ ନିବେଦନ କରିଛନ୍ତି। ଏହା ଆମର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବ, ସ୍ବଚ୍ଛତା ବୃଦ୍ଧି କରିବ ଓ ଆଇନ ପ୍ରବର୍ତ୍ତନ ପଦକ୍ଷେପଗୁଡ଼ିକର ଦକ୍ଷତା ଓ ପ୍ରଭାବ ବୃଦ୍ଧି କରିବ।

ନିଶା ଦ୍ରବ୍ୟ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମାନବ ଚାଲାଣ, ସୀମାପାର ଆତଙ୍କବାଦ ଭଳି ଅପରାଧ ମୁକାବିଲା ଦିଗରେ ଏହି ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଥିଲେ। ସେ କହିଛନ୍ତି ଯେ ଭାରତପୋଲର ନେଟୱାର୍କ ମାଧ୍ୟମରେ ୧୯୫ଟି ଦେଶର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କ ସହ ଏଭଳି ଅପରାଧ ସମ୍ପର୍କରେ ସୂଚନା ଆଦାନପ୍ରଦାନ ଏବଂ ସେମାନଙ୍କ ସହଯୋଗ ହାସଲ କରାଯିବା ଦ୍ବାରା ରାଜ୍ୟର ପୋଲିସ ବାହିନୀମାନେ ଉପକୃତ ହୋଇପାରିବେ। ଶ୍ରୀ ଶାହା କହିଥିଲେ ଯେ ଇଣ୍ଟରପୋଲର ସମସ୍ତ ନୋଟିସ ବିଷୟରେ ଆମର ଆଇନ ପ୍ରବର୍ତ୍ତନ କାରୀ ଏଜେନ୍ସିଗୁଡିକ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଏହି ବ୍ୟବସ୍ଥାକୁ ସଂସ୍ଥାଗତ କରିବାର ଆବଶ୍ୟକତା ରହିଛି। ଏହାର ସବୁଠାରୁ ବଡ଼ ଫାଇଦା ହେଉଛି ୧୯ ପ୍ରକାରର ଇଣ୍ଟରପୋଲ ଡାଟାବେସର ବ୍ୟବହାର କରିହେବ, ଯାହାଦ୍ବାରା ଆମର ଯୁବ ଅଧିକାରୀମାନଙ୍କ ପାଇଁ ବିଶ୍ଳେଷଣ, ଅପରାଧ ନିରାକରଣ ଏବଂ ଅପରାଧୀଙ୍କୁ ଧରିବା ସହଜ ହେବ। ଏହା ମାଧ୍ୟମରେ ଆମେ ସାଇବର ଅପରାଧ ପରି ନୂଆ ଚ୍ୟାଲେଞ୍ଜକୁ ଉନ୍ନତ ଓ ଦ୍ରୁତ ଗତିରେ ମୁକାବିଲା କରିବାରେ ସକ୍ଷମ ହୋଇପାରିବୁ ବୋଲି ସେ କହିଥିଲେ। ଏହି ନୂଆ ବ୍ୟବସ୍ଥାକୁ ବୈପ୍ଲବିକ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ତଦନ୍ତ ପ୍ରକ୍ରିୟାକୁ ବଦଳାଇବାରେ ଓ ଆଇନ ପ୍ରବର୍ତ୍ତନକୁ ଏକ ନୂଆ ଉଚ୍ଚତାକୁ ନେବାରେ ଏହାର କ୍ଷମତା ରହିଛି।

ଭାରତରେ ଇଣ୍ଟରପୋଲ ପାଇଁ ଜାତୀୟ କେନ୍ଦ୍ରୀୟ ବ୍ୟୁରୋ (ଏନସିବି-ନୂଆଦିଲ୍ଲୀ) ଭାବରେ ସିବିଆଇ ଦେଶର ବିଭିନ୍ନ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ସହ ମିଶି ଅପରାଧିକ ମାମଲାରେ ଅନ୍ତର୍ଜାତୀୟ ସହଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ସମନ୍ବୟ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ସ୍ତରରେ ଇଣ୍ଟରପୋଲ ଲିଆସନ ଅଫିସରମାନଙ୍କ (ଆଇଏଲଓ) ମାଧ୍ୟମରେ କରାଯାଏ। ଆଇଏଲଓମାନେ ୟୁନିଟ ଅଫିସରମାନଙ୍କ ସହ ସମନ୍ବୟ ରକ୍ଷା କରି କାମ କରନ୍ତି। ଆଇଏଲଓମାନେ ସାଧାରଣତଃ ନିଜ ନିଜ ସଂଗଠନରେ ପୁଲିସ ଅଧୀକ୍ଷକ, ପୁଲିସ କମିସନର କମ୍ବା ଶାଖା ପ୍ରମୁଖ ଆଦି ପଦବୀରେ ଥାଆନ୍ତି। ବର୍ତ୍ତମାନ, ସିବିଆଇ, ଆଇଏଲଓ, ଏବଂ ୟୁଓମାନଙ୍କ ମଧ୍ୟରେ ଯୋଗାଯୋଗ ପ୍ରଧାନତଃ ପତ୍ର, ଇମେଲ୍ ଏବଂ ଫ୍ୟାକ୍ସ ଆଦି ପାରମ୍ପରିକ ମାଧ୍ୟମରେ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫କୁ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ।

ଗ୍ରାମୀଣ ଭାରତର ଉଦ୍ୟୋଗୀ ଭାବନା ଓ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇ ଏହି ମହୋତ୍ସବ ଜାନୁଆରୀ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ‘ବିକଶିତ ଭାରତ ୨୦୪୭ ପାଇଁ ଏକ ପ୍ରଗତୀଶୀଳ ଗ୍ରାମୀଣ ଭାରତ ନିର୍ମାଣ’ ଏବଂ ‘ଗ୍ରାମର ବିକାଶ ହେଲେ ଦେଶର ବିକାଶ ହେବ’ ଶୀର୍ଷକରେ ଆୟୋଜିତ ହେବ।

ବିଭିନ୍ନ ଆଲୋଚନା, କର୍ମଶାଳା ଓ ମାଷ୍ଟରକ୍ଲାସ ମାଧ୍ୟମରେ ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି, ଆତ୍ମନିର୍ଭରଶୀଳ ଅର୍ଥନୀତି ସୃଷ୍ଟି ଏବଂ ଗ୍ରାମୀଣ ସମୁଦାୟ ମଧ୍ୟରେ ଅଭିନବତାକୁ ପ୍ରୋତ୍ସାହିତ କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ। ଏହାର ଉଦ୍ଦେଶ୍ୟ ଗୁଡ଼ିକ ମଧ୍ୟରେ ଗ୍ରାମୀଣ ଜନସଂଖ୍ୟା ମଧ୍ୟରେ ଅର୍ଥନୈତିକ ସ୍ଥିରତା ଏବଂ ଆର୍ଥିକ ନିରାପତ୍ତାକୁ ପ୍ରୋତ୍ସାହିତ କରିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସମ୍ବୋଧିତ କରିବା ଏବଂ ସ୍ଥାୟୀ କୃଷି ପ୍ରଣାଳୀକୁ ସମର୍ଥନ କରି ଉତ୍ତର-ପୂର୍ବ ଭାରତ ଉପରେ ବିଶେଷ ଧ୍ୟାନ ଦେବା ଅନ୍ତର୍ଭୁକ୍ତ।

ଉଦ୍ୟୋଗୀତା ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଏହି ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ଏହା ସହିତ ବିଭିନ୍ନ କ୍ଷେତ୍ରର ସରକାରୀ ଅଧିକାରୀ, ଚିନ୍ତାଶୀଳ ନେତା, ଗ୍ରାମୀଣ ଉଦ୍ୟୋଗୀ, କାରିଗର ଏବଂ ଅଂଶୀଦାରମାନଙ୍କୁ ଏକାଠି କରି ସହଯୋଗୀ ଏବଂ ସାମୂହିକ ଗ୍ରାମୀଣ ପରିବର୍ତ୍ତନ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଗ୍ରାମୀଣ ଜୀବିକା ବୃଦ୍ଧି ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଅଭିନବ ଅଭ୍ୟାସଗୁଡିକର ଉପଯୋଗ ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମରେ ଜୀବନ୍ତ ପ୍ରଦର୍ଶନ ଏବଂ ପ୍ରଦର୍ଶନୀ ମାଧ୍ୟମରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

“ଆତି ବିଶିଷ୍ଟ ରେଳ ସେବା ପୁରଷ୍କlର 2024” ରେ ସମ୍ମାନିତ ହେଲେ 101 କର୍ମଚାରୀ ଏବଂ ଅଧିକାରୀ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତୀୟ ରେଳବାଇ 101 ଜଣ ଅତୁଳନୀୟ କର୍ମଚାରୀ ଏବଂ ଅଧିକାରୀଙ୍କୁ 69 ତମ “ଆତି ବିଶିଷ୍ଟ ରେଳ ସେବା ପୁରଷ୍କlର 2024” ରେ ସମ୍ମାନିତ କରିଛି। ଏହି ପୁରଷ୍କlର ଗୁଡ଼ିକ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରେଳ ରାଜ୍ୟ ଏବଂ ଜଳ ଶକ୍ତି ରାଜ୍ୟମନ୍ତ୍ରୀ ଭି ସୋମନ୍ନା, ରେଳ ରାଜ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟମନ୍ତ୍ରୀ ରବନୀତ ସିଙ୍ଗ, ରେଳବୋର୍ଡ ଅଧ୍ୟକ୍ଷ ଓ ସିଇଓ ସତୀଶ କୁମାର, ରେଳବୋର୍ଡର ସଦସ୍ୟମାନେ ଏବଂ ବିଭିନ୍ନ ରେଳ ଜୋନ ଓ ଉତ୍ପାଦନ ୟୁନିଟ୍ ର ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷର ବିଷୟବସ୍ତୁ ‘ ମେ ହୁନ୍ ଭାରତୀୟ ରେଳ’ ଭାରତୀୟ ରେଳ କର୍ମଚାରୀଙ୍କ ଅଦମ୍ୟ ସ୍ପୃହା ଏବଂ ଉତ୍ସର୍ଗୀକୃତତାକୁ ଆଲୋକିତ କରିଛି। ବ୍ୟକ୍ତିଗତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବ ତଟ ରେଳପଥ ର ଏନ ହରିପ୍ରିୟା, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ, ପ୍ରୋଟୋକଲ୍ ଅଧିକାରୀ ପ୍ରଦୀପ କୁମାର ଝା ଏବଂ ଟେକ୍ନିସିଆନ-୨ ସୁପ୍ରଭତ୍ ମିତ୍ର, ସେମାନଙ୍କର ଆଦର୍ଶ ସେବା ତଥା ଉତ୍କର୍ଷତା ଓ ପ୍ରତିବଦ୍ଧତା ପାଇଁ ସମ୍ମାନିତ ହୋଇଥିଲେ।

ବ୍ୟକ୍ତିଗତ ପୁରଷ୍କlର ସହିତ, ଭାରତୀୟ ରେଳବାଇର ଦକ୍ଷତା, ନିରାପତ୍ତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ସର୍ବୋତ୍ତମ ପ୍ରଦର୍ଶନକାରୀ ରେଳ ଜୋନ୍ ଗୁଡିକୁ 22 ଟି ଶିଲ୍ଡ ପ୍ରଦାନ କରାଯାଇଥିଲା । ଯେଉଁଥିରେ, ପୂର୍ଵ ତଟ ରେଳପଥକୁ ଶ୍ରେଷ୍ଠ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଶିଲ୍ଡର ଯୁକ୍ତ ବିଜେତା ଭାବେ ସମ୍ମାନିତ କରାଯାଇଥିଲା।

ଏହି ପୁରଷ୍କାର ବିତରଣ ସମାରୋହ, ଭାରତୀୟ ରେଳପଥକୁ ଅଧିକ ଦକ୍ଷ, ନିରାପଦ ଏବଂ ଯାତ୍ରୀ ଅନୁକୁଳ ସଂଗଠନ କରିବା ଦିଗରେ ରେଳ କର୍ମଚାରୀଙ୍କ ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସ୍ୱୀକାର କରିବା ତଥା ପାଳନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୧ ଡିସେମ୍ବର ୨୦୨୪) ନୂଆଦିଲ୍ଲୀଠାରେ ବିଭିନ୍ନ ବର୍ଗରେ ମନୋନୀତ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହା ଦୀର୍ଘସ୍ଥାୟୀ ଏବଂ ସମାବେଶୀ ବିକାଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଏକ ମାନ୍ୟତା ରୂପେ କାର୍ଯ୍ୟ କରିବ।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଆମ ଦେଶରେ ଜନସଂଖ୍ୟାର ପ୍ରାୟ ୬୪ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରନ୍ତି। ତେଣୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗ୍ରାମାଞ୍ଚଳ ଏବଂ ଗ୍ରାମବାସୀଙ୍କ ବିକାଶ ଏବଂ ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ। ସେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଗତ ଏକ ଦଶନ୍ଧି ମଧ୍ୟରେ ସରକାର ପଞ୍ଚାୟତ ସଶକ୍ତିକରଣ ପାଇଁ ଗମ୍ଭୀର ପ୍ରୟାସ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଦୃଢ଼ ଫଳାଫଳ ହାସଲ କରିବା।

ରାଷ୍ଟ୍ରପତି କହିଲେ ଯେ, ଏକ ବିକଶିତ ଭାରତର ମୂଳଦୁଆ କେବଳ ଆତ୍ମନିର୍ଭରଶୀଳ ଏବଂ ସକ୍ଷମ ସ୍ଥାନୀୟ ପ୍ରଶାସିକ ସଂସ୍ଥା ଆଧାରରେ ସ୍ଥାପନ କରାଯାଇପାରିବ। ପଞ୍ଚାୟତଗୁଡ଼ିକ ନିଜସ୍ୱ ରାଜସ୍ୱ ଉତ୍ସ ବିକଶିତ କରି ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରିବା ଉଚିତ। ଏହି ଆତ୍ମନିର୍ଭରଶୀଳତା ଗ୍ରାମସଭାକୁ ଆତ୍ମବିଶ୍ୱାସ ଏବଂ ଦେଶକୁ ଶକ୍ତି ପ୍ରଦାନ କରିବ।

ରାଷ୍ଟ୍ରପତି ‘ଜାତୀୟ ପଞ୍ଚାୟତ ପୁରସ୍କାର’ର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏହି ପୁରସ୍କାର ସେମାନଙ୍କ ସମର୍ପଣ ଏବଂ ପ୍ରୟାସର ପ୍ରମାଣ। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ସମ୍ମାନ ସେମାନଙ୍କୁ ଆହୁରି ଉନ୍ନତ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ ଏବଂ ଅନ୍ୟ ଗ୍ରାମ ପଞ୍ଚାୟତଗୁଡ଼ିକୁ ଗ୍ରାମ ବିକାଶ ଦିଗରେ ଅର୍ଥପୂର୍ଣ୍ଣ ପ୍ରୟାସ କରିବା ନିମନ୍ତେ ପ୍ରେରଣା ଦେବ।

ରାଷ୍ଟ୍ରପତି କହିଲେ ଯେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ମହିଳାମାନଙ୍କୁ ରାଜନୈତିକ ଦୃଷ୍ଟିରୁ ସଶକ୍ତ କରୁଛନ୍ତି। ମହିଳା ପ୍ରତିନିଧିମାନେ ତୃଣମୂଳ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆନନ୍ଦର ବିଷୟ। ପଞ୍ଚାୟତଗୁଡ଼ିକରେ ନିର୍ବାଚିତ ପ୍ରତିନିଧି ଭାବେ ନିର୍ଭୀକ ଭାବେ ଏବଂ ନିଜର ସମସ୍ତ ଦକ୍ଷତା ସହିତ ନିଜର କର୍ତ୍ତବ୍ୟ ନିର୍ବାହ କରିବା ଲାଗି ସେ ସେମାନଙ୍କୁ ଅନୁରୋଧ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମହିଳା ପଞ୍ଚାୟତ ପ୍ରତିନିଧିମାନଙ୍କ ପରିବାର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାର ପ୍ରବୃତ୍ତି ଏବେ ମଧ୍ୟ କେତେକ ସ୍ଥାନରେ ରହିଛି। ସେ ମହିଳା ପ୍ରତିନିଧିମାନଙ୍କୁ ଏଭଳି ପ୍ରଥାର ମୂଳପୋଛ କରିବା ଏବଂ ନିଜକୁ ସ୍ୱାଧୀନ ନେତା ଭାବେ ପ୍ରତିଷ୍ଠିତ କରିବା ପାଇଁ କହିଥିଲେ।

ରାଷ୍ଟ୍ରପତି କହିଥିଲେ, ନିର୍ବାଚନ ଜନ ପ୍ରତିନିଧିମାନଙ୍କୁ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ କରିଥାଏ। ତେଣୁ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ଏବଂ ନିରପେକ୍ଷ ଭାବେ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ନିର୍ବାଚନ ସମୟରେ ଏବଂ ନିର୍ବାଚନ ପରେ ମଧ୍ୟ ନିର୍ବାଚନୀ ହିଂସାକାଣ୍ଡର ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ନିର୍ବାଚନ ପ୍ରକ୍ରିୟା ସର୍ବଦା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ହେବା ଉଚିତ। ଏହା ମନେ ରଖିବା ଉଚିତ ଯେ ଗ୍ରାମବାସୀମାନେ ନିଜ ସ୍ୱାର୍ଥ ପାଇଁ ନିଜ ଭିତରୁ ନିଜ ପ୍ରତିନିଧି ଚୟନ କରୁଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ପଞ୍ଚାୟତିରାଜ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଜନ ପ୍ରତିନିଧି ଏବଂ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ଏବଂ ପ୍ରଶାସନରେ ସ୍ୱଚ୍ଛତା ବୃଦ୍ଧି କରିବା। ସେ କହିଥିଲେ ଯେ ଭୋଟରମାନେ ସେମାନଙ୍କ ପ୍ରତିନିଧିମାନଙ୍କୁ ଅତି ବିଶ୍ୱାସର ସହ ଚୟନ କରିଥାନ୍ତି। ତେଣୁ ନିର୍ବାଚିତ ପ୍ରତିନିଧିମାନଙ୍କ କର୍ତ୍ତବ୍ୟ ହେଉଛି ସେମାନଙ୍କ ଆଚରଣ ଏବଂ କାର୍ଯ୍ୟ ମାଧ୍ୟମରେ ଏହି ବିଶ୍ୱାସକୁ ବଜାୟ ରଖିବା।

ରାଷ୍ଟ୍ରପତି କହିଥିଲେ, ସାରା ଦେଶର ଗ୍ରାମାଞ୍ଚଳରେ ଅଧିକାଂଶ ବିବାଦଗୁଡ଼ିକର ସମାଧାନ ସ୍ଥାନୀୟ ସ୍ତରରେ କରାଯାଇପାରିବ। ଅଦାଲତକୁ ଯିବା ଦ୍ୱାରା କେବଳ ସେମାନଙ୍କର ଅର୍ଥ ଏବଂ ସମୟ ନଷ୍ଟ ହୁଏ ନାହିଁ, ବରଂ ଅଦାଲତ ଏବଂ ପ୍ରଶାସନ ଉପରେ ଅନାବଶ୍ୟକ ଚାପ ମଧ୍ୟ ବଢ଼ିଥାଏ। ପଞ୍ଚାୟତ ସ୍ତରରେ ହିଁ ଗ୍ରାମବାସୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ପ୍ରୟାସ କରିବାକୁ ସେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଏପରି କରିବାର ଅଧିକାର ସେମାନଙ୍କର ଅଛି ଏବଂ ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ।

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ରେ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତାତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର, ଅଙ୍ଗାରକାମ୍ଳମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ପ୍ରତିଷ୍ଠାନ ପୁରସ୍କାର ଭଳି ବର୍ଗ ସାମିଲ ରହିଛି। ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ପ୍ରୟାସକୁ ସ୍ୱୀକୃତି ଏବଂ ପ୍ରୋତ୍ସାହିତ କରିବା ଏହି ପୁରସ୍କାରର ଉଦ୍ଦେଶ୍ୟ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୧୧ରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାକୁ ମିଳିବ ମୋଟ୍‌ ୭ଟି ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ମୂଲ୍ୟାଙ୍କନ ବର୍ଷ ୨୦୨୨-୨୦୨୩ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରିଛି। ତୃଣମୂଳ ସ୍ତରରେ ସମାବେଶୀ ଏବଂ ନିରନ୍ତର ବିକାଶକୁ ଆଗେଇ ନେବାରେ ସାରା ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଉଲ୍ଲେଖନୀୟ ପ୍ରୟାସକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ଉତ୍କର୍ଷତାର ଏକ ମାନଦଣ୍ଡ ଭାବରେ କାର୍ଯ୍ୟ କରେ। ୨୦୨୪ ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୧୧ ଡିସେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ।

ଚଳିତ ବର୍ଷ, ବିଭିନ୍ନ ବର୍ଗରେ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଚୟନ କରାଯାଇଛି, ଯାହା ତୃଣମୂଳ ପ୍ରଶାସନ ଏବଂ ଗୋଷ୍ଠୀ ବିକାଶରେ ବ୍ୟାପକ ସଫଳତାକୁ ପ୍ରତିଫଳିତ କରୁଛି। ଏହି ବର୍ଗଗୁଡ଼ିକ ମଧ୍ୟରେ ରହିଛି ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର, କାର୍ବନ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର। ଏହି ପୁରସ୍କାର ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ପର୍ଯ୍ୟାପ୍ତତା, ପରିମଳ, ଭିତ୍ତିଭୂମି ବିକାଶ, ସାମାଜିକ ନ୍ୟାୟ, ମହିଳା ସଶକ୍ତିକରଣ ଏବଂ ଜଳବାୟୁ ସ୍ଥିରତା ଭଳି ପ୍ରମୁଖ କ୍ଷେତ୍ରରେ ସଫଳତାକୁ ସ୍ୱୀକୃତି ଦେଇଥାଏ।

ଜାତୀୟ ପଞ୍ଚାୟତ ପୁରସ୍କାରରେ ଓଡ଼ିଶା ମୋଟ୍‌ ୭ଟି ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି। ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାହାପୁର ପଞ୍ଚାୟତକୁ ଏହି ବର୍ଗରେ ପୁରସ୍କୃତ କରାଯିବ। ଏହି ଜିଲ୍ଲାର ଛତ୍ରପୁରକୁ ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସେହିପରି କୋରାପୁଟକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ଏହି ବର୍ଗରେ ପୁରସ୍କୃତ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାସିରା ପଞ୍ଚାୟତକୁ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଦିଆଯିବ। ଏହି ଜିଲ୍ଲାର ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତକୁ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପ୍ରଦାନ କରିବା ଲାଗି ମନୋନୀତ କରାଯାଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ୧ ଲକ୍ଷ ୯୪ ହଜାର ଗ୍ରାମ ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ୪୨ଟି ପୁରସ୍କାର ବିଜେତା ପଞ୍ଚାୟତ ମଧ୍ୟରୁ ୪୨ ପ୍ରତିଶତ ମହିଳାଙ୍କ ଦ୍ୱାରା ପରିଚାଳିତ ପଞ୍ଚାୟତ ରହିଛି। ସୂକ୍ଷ୍ମ ଚୟନ ପ୍ରକ୍ରିୟାରେ ବ୍ଲକ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ୫ଟି ବିଭିନ୍ନ କମିଟି ଦ୍ୱାରା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି)ର ସ୍ଥାନୀୟ କାର୍ଯ୍ୟକାରିତା ସହିତ ଯୋଡ଼ି ହୋଇଥିବା ବିଭିନ୍ନ ବିଷୟଗତ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ପ୍ରଦର୍ଶନର ଏକ ଗଭୀର ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ ଥିଲା। ଏହି ପ୍ରକ୍ରିୟା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହି ଘୋଷଣା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ପ୍ରଶଂସନୀୟ ସଫଳତାକୁ ପାଳନ କରିବା ପାଇଁ ମଞ୍ଚ ପ୍ରସ୍ତୁତ କରିଛି। ଏହି ଘୋଷଣା ଦୃଢ଼ ଏବଂ ସକ୍ରିୟ ଗ୍ରାମୀଣ ସମ୍ପ୍ରଦାୟ ଗଠନରେ ପଞ୍ଚାୟତଗୁଡ଼ିକର ପରିବର୍ତ୍ତନଶୀଳ ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଏହି ସ୍ୱୀକୃତି କେବଳ ଏହି ଅନୁଷ୍ଠାନଗୁଡ଼ିକ ଦ୍ୱାରା ନିଆଯାଇଥିବା ଅସାଧାରଣ କାର୍ଯ୍ୟର ସ୍ୱୀକୃତି ଭାବରେ କାର୍ଯ୍ୟ କରେ ନାହିଁ, ବରଂ ଅନ୍ୟ ପଞ୍ଚାୟତଗୁଡ଼ିକୁ ସେମାନଙ୍କ ଅଞ୍ଚଳରେ ଏହି ସର୍ବୋତ୍ତମ ଅଭ୍ୟାସକୁ ଅନୁକରଣ କରିବାକୁ ପ୍ରେରଣା ଦେବା ମଧ୍ୟ ଲକ୍ଷ୍ୟ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗ ଶୁଣିଲେ, ସମାଧାନର ଆଶ୍ବାସନା ଦେଲେ

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୋହନ ଚରଣ ମାଝୀ ଯେଉଁଠି କି ଯାଆନ୍ତୁ ନା କାହିଁକି, ଯେଉଁଠି ବି ଥାଆନ୍ତୁ, ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବାକୁ ଓ ତା’ର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି।

ଆଜି ସକାଳେ ତାଙ୍କ ବାସଭବନକୁ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ କେତେ ଜଣ ଦିବ୍ୟାଙ୍ଗ ମଧ୍ୟ ଆସିଥିଲେ। ଆଜି ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଏହି ଅବସରରେ ଦିବ୍ୟାଙ୍ଗମାନେ ତାଙ୍କ ଘରକୁ ଆସିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ସେମାନଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ।

ସେମାନଙ୍କ ମଧ୍ୟରେ ଥିଲେ କଟକ ବାଉଁଶଗଳିର ଦିବ୍ୟାଙ୍ଗ ଶେଖ୍ ରେହେମାନ। ସେ ଭୁବନେଶ୍ବରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏକ ତିନି-ଚକିଆ ସାଇକେଲରେ ଯାତ୍ରା ଆରମ୍ଭ କରୁଛନ୍ତି। ସେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଶୁଭେଚ୍ଛା ପାଇ ତାଙ୍କର ଯାତ୍ରା ଆରମ୍ଭ କରିବାକୁ। ମୁଖ୍ୟମନ୍ତ୍ରୀ ତାଙ୍କର ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ମନରେଗା ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନ୍ଆରଇଜିଏସ୍)ର କାର୍ଯ୍ୟକାରିତା ଆକଳନ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର କୃଷି ଭବନଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ସମେତ ଡିଭିଜନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଯୋଜନାର ସଫଳତାକୁ ପ୍ରଶଂସା କରିବା ସହିତ ଯୋଜନାର ଫଳପ୍ରଦତା ବୃଦ୍ଧି ପାଇଁ ଅଭିନବ ଉପାୟ ଏବଂ ସଂସ୍କାରକୁ ପ୍ରୋତ୍ସାହିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମନରେଗା ଅଧୀନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପାଣ୍ଠିର ଅପବ୍ୟବହାର ରୋକିବା, ହିତାଧିକାରୀଙ୍କ ସହ ଜବ୍ କାର୍ଡର ହେପାଜତ ସୁନିଶ୍ଚିତ କରିବା ଏବଂ କାର୍ଯ୍ୟସ୍ଥଳରେ ଯନ୍ତ୍ରପାତି ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ପଦକ୍ଷେପ ନିଆଯିବ।

ମନରେଗା ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି। ସମୁଦାୟ ୧୮୭.୫ କୋଟି ବ୍ୟକ୍ତି ଦିବସ ସୃଷ୍ଟି ହୋଇଛି, ଯାହା ୪.୬ କୋଟି ଗ୍ରାମୀଣ ପରିବାରକୁ ରୋଜଗାର ପ୍ରଦାନ କରିଛି। ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏହି ଯୋଜନାର ଭୂମିକାକୁ ପ୍ରତିଫଳିତ କରି ୫୬ ଲକ୍ଷରୁ ଅଧିକ ସମ୍ପତ୍ତି ସୃଷ୍ଟି କରାଯାଇଛି। ମୋଟ ଖର୍ଚ୍ଚର ପ୍ରାୟ ୪୪% ଏବଂ ୫୫% କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ ଏବଂ ବ୍ୟକ୍ତିଗତ ହିତାଧିକାରୀ କାର୍ଯ୍ୟ ରେ ଖର୍ଚ୍ଚ ହୋଇଛି, ଯାହା ଗ୍ରାମାଞ୍ଚଳରେ କୃଷି ଉପରେ ଧ୍ୟାନ ଦେବା ଏବଂ ଦୁର୍ବଳ ପରିବାରମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧିକୁ ସୂଚାଇଥାଏ। ପ୍ରାୟ ୯୭% ପାଣ୍ଠି ସ୍ଥାନାନ୍ତର ଆଦେଶ (ଏଫଟିଓ) ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଠିକ୍ ସମୟରେ ମଜୁରି ପ୍ରଦାନ ସୁନିଶ୍ଚିତ କରି ଠିକ୍ ସମୟରେ ପ୍ରଦାନ କରାଯାଉଛି।

ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୭୪,୭୭୦.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ସର୍ବାଧିକ ପାଣ୍ଠି ପ୍ରଦାନ କରାଯାଇଥିବା ରାଜ୍ୟଗୁଡ଼ିକ ହେଲା ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ଓଡ଼ିଶା। ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ ଧରି ଏହି ଯୋଜନାରେ ମହିଳାଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ୫୦% ରୁ ଅଧିକ ରହିଛି, ଯାହା ଏହି ଯୋଜନା ଅଧୀନରେ ମହିଳା ସଶକ୍ତୀକରଣର ଅନ୍ତର୍ଭୁକ୍ତୀକରଣ ଏବଂ ବୃଦ୍ଧି ଉପରେ ଆଲୋକପାତ କରୁଛି।

ପ୍ରାକୃତିକ ସମ୍ପଦ ପରିଚାଳନା (ଏନଆରଏମ) ଏବଂ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ହସ୍ତକ୍ଷେପ ଦ୍ୱାରା ଜଳ ଚାପଗ୍ରସ୍ତ ବ୍ଲକଗୁଡିକରେ ଯଥେଷ୍ଟ ହ୍ରାସ ଘଟିଛି । ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏଭଳି ବ୍ଲକ ସଂଖ୍ୟା ୨୨୬୪ରୁ ୧୪୫୬କୁ ହ୍ରାସ ପାଇଥିବା ବେଳେ ୧୮ଟି ରାଜ୍ୟର ୧୯୯ଟି ଜିଲ୍ଲାର ୧୫୧୯ଟି ବ୍ଲକକୁ ଜଳ ଚାପ ତାଲିକାରୁ ବାଦ୍ ଦିଆଯାଇଛି। ଏହା ଜଳ ଅଭାବରୁ ଜଳ ନିରାପତ୍ତାକୁ ପରିବର୍ତ୍ତନ କରିବାରେ ମନରେଗାର ସଫଳତାକୁ ପ୍ରତିଫଳିତ କରେ।

ଏହି ଯୋଜନାରେ ଅନେକ ଆଇଟି ପଦକ୍ଷେପ ନିଆଯାଇଛି। ମଜୁରିର ୯୯% ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ ଜରିଆରେ ପ୍ରଦାନ କରାଯାଏ। ଏହି ସ୍କିମ୍ ଅଧୀନରେ ସୃଷ୍ଟି ହୋଇଥିବା ସମସ୍ତ ସମ୍ପତ୍ତି ଜିଓଟ୍ୟାଗ୍ ହୋଇଛି। ବର୍ତ୍ତମାନ ସୁଦ୍ଧା ୬.୧୮ କୋଟିରୁ ଅଧିକ ସମ୍ପତ୍ତି ଜିଓଟ୍ୟାଗ୍ କରାଯାଇଛି। ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟସ୍ଥଳୀ (ବ୍ୟକ୍ତିଗତ ହିତାଧିକାରୀ କାର୍ଯ୍ୟବ୍ୟତୀତ) ରେ ଶ୍ରମିକଙ୍କ ଉପସ୍ଥିତି ଆକଳନ କରିବା ପାଇଁ ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମ ଆପ୍ ବ୍ୟବହାର କରାଯାଉଛି ଏବଂ ଦିନକୁ ଦୁଇ ଥର ଜିଓ-ଟ୍ୟାଗ୍ ହୋଇଥିବା ଫଟୋ ମଧ୍ୟ ବ୍ୟବହାର କରାଯାଉଛି। ୨୦୨୪ ଅକ୍ଟୋବର ମାସରେ ଏନଏମଏମଏସ ଆପ୍ ବ୍ୟବହାର ମାଧ୍ୟମରେ ପାଖାପାଖି ୯୬% ଉପସ୍ଥାନ ହାସଲ କରାଯାଇଛି। ଗ୍ରାମ ପଞ୍ଚାୟତ (ଜିପି) ସ୍ତରରେ ମହାତ୍ମା ଗାନ୍ଧୀ ଏନ୍ଆରଇଜିଏସ୍ କାର୍ଯ୍ୟକଳାପର ସାମଗ୍ରିକ ଓ ବୈଜ୍ଞାନିକ ଯୋଜନାକୁ ସୁଗମ କରିବା ପାଇଁ ଏନ୍ଆରଏସସି-ଇସ୍ରୋ ଦ୍ୱାରା ବିକଶିତ ଜିଆଇଏସ୍ ଭିତ୍ତିକ ଯୋଜନା ପୋର୍ଟାଲ୍ ଯୁକ୍ତଧାରା ଉପରେ ଆଞ୍ଚଳିକ ପ୍ରଶିକ୍ଷଣ ଦିଆଯାଉଛି।

ଏହି ଆଇନର ବ୍ୟବସ୍ଥାକୁ ଅନୁସରଣ କରି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାମାଜିକ ଅଡିଟ୍ କରାଯିବା ଉଚିତ। ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଧୀନ ସାମାଜିକ ଅଡିଟ୍ ନିର୍ଦ୍ଦେଶକ ନିଯୁକ୍ତ ହେବା ଉଚିତ୍। ଯେଉଁ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଧୀନ ନିର୍ଦ୍ଦେଶକ ନାହାନ୍ତି ସେମାନେ ଯଥାଶୀଘ୍ର ସେମାନଙ୍କ ନିଯୁକ୍ତି ସୁନିଶ୍ଚିତ କରାଯିବ। ସେଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର, ମିଜୋରାମ, ଉତ୍ତରାଖଣ୍ଡ ଓ ତେଲେଙ୍ଗାନା।

ମୋଟ ୭୪୦ ଟି ଜିଲ୍ଲା ମଧ୍ୟରୁ ୫୯୩ (୮୦%) ଜିଲ୍ଲାରେ ଲୋକପାଳ ସ୍ଥାନ ପାଇଛନ୍ତି। ଅବଶିଷ୍ଟ ୧୪୭ ଟି ଜିଲ୍ଲାରେ ଲୋକପାଳଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅବସ୍ଥାପିତ କରାଯିବା ଦରକାର। ଏହି ଯୋଜନା ଅଧୀନରେ ବର୍ତ୍ତମାନର ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ଦରକାର। ଏରିଆ ଅଫିସର ଆପ୍ ଜରିଆରେ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ତଦାରଖ ସୁନିଶ୍ଚିତ କରାଯିବା ସହ ଏହାକୁ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ସହ ନୋଟିସ୍ ଜାରି କରାଯାଇ ପାରିବ। କେନ୍ଦ୍ରରୁ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ଏବଂ ଗୁଣାତ୍ମକ କ୍ଷେତ୍ର ପରିଦର୍ଶନ ସୁନିଶ୍ଚିତ କରାଯିବ। ମିଶନ ଅମୃତ ସରୋବର ଅଧୀନରେ ୬୮,୦୦୦ ରୁ ଅଧିକ ଅମୃତ ସରୋବର ସୃଷ୍ଟି କରାଯାଇଛି। ଅମୃତ ସରୋବର ଭାବେ ଜଳାଶୟ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଏହି ମିଶନ ଜାରି ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ରୌପ୍ୟ ପଦକ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ। ଏହି ବିଶାଳ ବାଣିଜ୍ୟ ମେଳାରେ ଥିମାଟିକ୍‌ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ଏହି ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ ଆୟୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କାର ଗ୍ରହଣ ସମୟରେ ‘ଓଡ଼ିଶା ମଣ୍ଡପ’ର ନିର୍ଦ୍ଦେଶକ ଅଶ୍ୱିନୀ ଭୋଇ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଦାୟିତ୍ୱରେ ଥିବା ଅଧିକାରୀ ଦୀପକ କୁମାର ସାହୁ, ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର, ଅତିରିକ୍ତ ସେକ୍ସନ ଅଫିସର ନିହାର ରଞ୍ଜନ ଘଡ଼େଇଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି। ଚଳିତ ବର୍ଷକୁ ମିଶାଇ ଓଡ଼ିଶା ଲଗାତାର ଭାବେ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କାର ପାଇଛି।

‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହୋଇଥିଲା।

ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ, କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ଓଡ଼ିଶା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଥିଲା।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ୍ ସ୍ଥାନ ପାଇଥିଲା। ଏହା ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ହାତ ତିଆରି ଜିନିଷ, ଜନଜାତି କଳାକୃତି ଏବଂ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦେଶ ବିଦେଶର ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ସେହିପରି ଫୁଡକୋର୍ଟରେ ଓଡ଼ିଶାର ସ୍ୱତନ୍ର୍ର ଖାଦ୍ୟରୁଚି ଦିଲ୍ଲୀ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

କ୍ରୁରତା ହୀନ ଏବଂ କୃତ୍ରିମ ରଙ୍ଗହୀନ ଉପାୟରେ ପ୍ରସ୍ତୁତ କରୁଣା ସିଲ୍କ ଓଡ଼ିଶା ମଣ୍ଡପର ଅନ୍ୟତମ ଆକର୍ଷଣ ସାଜିଥିଲା। ତା’ ସହ ହସ୍ତତନ୍ତ ଓ ହସ୍ତକଳା, ପଟ୍ଟଚିତ୍ର, ତାରକସି କାରୁକାର୍ଯ୍ୟ ଆଦିର ଲାଇଭ୍ ଡେମନଷ୍ଟ୍ରେସନ୍ ନୂଆଦିଲ୍ଲୀ ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ପ୍ରମାଣିତ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ବାସନା ଚାଉଳ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ବାସନା ଚାଉଳର ବାସ୍ନା ଏବେ ଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଚାଷୀଙ୍କ ଦ୍ୱାରା ଅମଳ ହୋଇଥିବା ବିଭିନ୍ନ କିସମର ସୁଗନ୍ଧିତ ଚାଉଳ କିଣିବାକୁ ଗ୍ରାହକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇଛି। ଗୋଟିଏ ଷ୍ଟଲରେ ବିଭିନ୍ନ ପ୍ରକାର କୃଷି ଉତ୍ପାଦ ମଧ୍ୟରେ ବାଦଶାହା ଭୋଗ, ନୂଆ କଳାଜିରା, ସୁଗନ୍ଧା ଆଦି ବିଭିନ୍ନ କିସମର ଚାଉଳ ପ୍ରଦର୍ଶନ କରାଯିବା ସହ ବିକ୍ରି କରାଯାଉଛି। ଜୈବିକ ପଦ୍ଧତିରେ ଅମଳ ହୋଇଥିବା ଏହିସବୁ ସୁଗନ୍ଧିତ ଚାଉଳର ବେଶ ଚାହିଦା ରହିଛି।

“ଓଡ଼ିଶା ମଣ୍ଡପ ସବୁଠୁ ସୁନ୍ଦର ଲାଗୁଛି। ତା’ସହ ଏଠାରେ ଥିବା ଷ୍ଟଲରେ ବିଭିନ୍ନ ପ୍ରକାର ବାସ୍ନା ଚାଉଳ ମିଳୁଛି। ଆମେ ବାସୁମତୀ ଚାଉଳ ଖାଉଥିବାରୁ ସୁଗନ୍ଧିତ ନୂଆ କଳାଜିରା ଚାଉଳ ନେଉଛୁ,” କହିଛନ୍ତି ପ୍ରବାସୀ ଓଡ଼ିଆ ମଧୁସୂଦନ ପଲାଇ।

ବର୍ତ୍ତମାନ ରାଜ୍ୟର ୧୩ଟି ଜିଲ୍ଲାରେ ୮ ପ୍ରକାର ବାସନା ଚାଉଳ ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଇନ୍‌ପୁଟ ଓ ବୈଷ ୟିକ ସହାୟତା ଦିଆଯାଉଛି। ଚଳିତ ବର୍ଷ ନୂଆଦିଲ୍ଲୀର ବାଣିଜ୍ୟ ମେଳାରେ ପ୍ରାୟ ୨.୮ ମେଟ୍ରିକ୍ ଟନ୍ ସୁଗନ୍ଧିତ ଚାଉଳ ବିକ୍ରି ହେବ ବୋଲି କୃଷି ବିଭାଗ ଆକଳନ କରିଛି।

“ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ବିଭିନ୍ନ ପ୍ରକାର ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି ପାଇଁ ଏକ ଅପୂର୍ବ ସୁଯୋଗ। ଚଳିତବର୍ଷ କୃଷି ବିଭାଗ ଷ୍ଟଲରେ ଆମେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁଗନ୍ଧିତ ଚାଉଳ ରଖିଛୁ। ତା’ସହିତ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଓଡ଼ିଶାର ଲୋକପ୍ରିୟ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଖାଦ୍ୟ ଦିଲ୍ଲୀର ଗ୍ରାହକମାନେ ପସନ୍ଦ କରୁଛନ୍ତି। ଜାତୀୟସ୍ତରର ବାଣିଜ୍ୟ ମେଳାରେ ଏଭଳି ଯୋଗଦାନ ଓଡ଼ିଶାର ଚାଷୀମାନଙ୍କୁ ବିଶେଷ ଉତ୍ସାହିତ କରିବ,” କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ।

‘ଓଡ଼ିଶା ମଣ୍ଡପ’ରେ ଆଉ ଏକ ଆକର୍ଷଣ ହେଉଛି କୃଷି ବିଭାଗର ‘ଶ୍ରୀ ଅନ୍ନ ଅଭିଯାନ’ ଅଧୀନରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପାରମ୍ପରିକ ଓ ଆଧୁନିକ ଖାଦ୍ୟ ପଦାର୍ଥ । ତା’ ଭିତରେ ରହିଛି ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଯେପରିକି ମାଣ୍ଡିଆ ଲଡୁ, ବିସ୍କୁଟ, ମିସ୍କଚର, ନମକିନ୍‌, ନୁଡୁଲ୍‌ସ ଇତ୍ୟାଦି। ‘ଓଡ଼ିଶା ମଣ୍ଡପ’କୁ ବୁଲି ଆସୁଥିବା ପ୍ରବାସୀ ଓଡ଼ିଆ ଏବଂ ବିଭିନ୍ନ ପ୍ରଦେଶର ଲୋକେ ଏହିସବୁ ଜିନିଷ ଆଗ୍ରହର ସହ କିଣି ନେଉଛନ୍ତି।

“ଓଡ଼ିଶା ମଣ୍ଡପରୁ ମୁଁ ହଳଦୀ କିଣିଛି। ତା’ସହ ବିଭିନ୍ନ ପ୍ରକାରର ବାସମତୀ ଚାଉଳ ରହିଥିବା ମଧ୍ୟ ଦେଖିଲି। ବିଶେଷକରି, ଓଡ଼ିଶାର କଳାଜିରା ଚାଉଳ ବିଷୟରେ ଆଗରୁ ମୁଁ ଶୁଣିଥଲି। ତାହା ଏଠାରେ ବିକ୍ରି ହେଉଥିବା ଦେଖି ମତେ ଖୁସି ଲାଗିଲା। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ,” କହିଛନ୍ତି ବାଣିଜ୍ୟ ମେଳା ବୁଲି ଆସିଥିବା ଉତ୍ତର ପ୍ରଦେଶର ଡି କେ ଶର୍ମା।

ବିଭାଗୀୟ ସୂଚନା ଅନୁଯାୟୀ ଗତବର୍ଷ ଓଡ଼ିଶା ଷ୍ଟଲରେ ଦେଢ଼ କୁଇଣ୍ଟାଲରୁ ଅଧିକ ମିଲେଟ୍ ସାମଗ୍ରୀ ବିକ୍ରି ହୋଇଥିଲା। ଏଥର ତାହା ୪ କୁଇଣ୍ଟାଲ ହେବ ବୋଲି ଆକଳନ ରଖାଯାଇଛି। ସେହିପରି ଅନ୍ୟାନ୍ୟ କୃଷି ଉତ୍ପାଦ ମଧ୍ୟରେ ହଳଦୀ, ଝୁଣା ଓ ଲେମନ୍ ଗ୍ରାସ୍ ତେଲ ଇତ୍ୟାଦିକୁ କୃଷି ବିଭାଗ ଷ୍ଟଲରୁ ଗ୍ରାହକମାନେ କିଣୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ‘ଓଡ଼ିଶା ପର୍ବ ୨୦୨୪’ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଓଡ଼ିଶା ପର୍ବ ହେଉଛି ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ସେମାନେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମୂଲ୍ୟବାନ ସମର୍ଥନ ପ୍ରଦାନ କରିବାରେ ନିୟୋଜିତ ହୋଇଛନ୍ତି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଓଡ଼ିଶା ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନଶୈଳୀକୁ ପ୍ରଦର୍ଶିତ କରିବ। ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞ ଏବଂ ବିଶିଷ୍ଟ ପେସାଦାରଙ୍କ ଦ୍ୱାରା ଏକ ଜାତୀୟ ସେମିନାର ବା ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଏନସିଡିସି ର ୯୧ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି)ର ୯୧ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରିଛନ୍ତି।

ନିଜ ସମ୍ବୋଧନରେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମବାୟ କ୍ଷେତ୍ର ଜରିଆରେ କୋଟି କୋଟି କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଯେ ସମବାୟ ଆନ୍ଦୋଳନ ଜରିଆରେ ଦେଶର ନାଗରିକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ସରକାର ସଂକଳ୍ପବଦ୍ଧ ଅଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ସରକାର ସମବାୟ ମାଧ୍ୟମରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଏହି ଦିଗରେ ଏନସିଡିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସମବାୟ ଆନ୍ଦୋଳନରେ ଏନସିଡିସିର ଯୋଗଦାନକୁ କେନ୍ଦ୍ର ସମବାୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଲକ୍ଷ ଲକ୍ଷ ସମବାୟ ସମିତିର ଜୀବନରେ ପରିବର୍ତ୍ତନ ଆଣିବାରେ ଏହାର ଉଲ୍ଲେଖନୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏନସିଡିସିର ସଫଳତା କେବଳ ଏହାର ଆବଣ୍ଟନ ୬୦ ହଜାର କୋଟି ଟଙ୍କା ଅତିକ୍ରମ କରିବା ଦ୍ୱାରା ପ୍ରତିଫଳିତ ହୋଇନାହିଁ, ବରଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ଏବଂ ସମବାୟ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବାର କ୍ଷମତା ଦ୍ୱାରା ମଧ୍ୟ ପ୍ରତିପାଦିତ ହେଉଛି।

ଶ୍ୱେତ ବିପ୍ଳବ-2.0ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଅମିତ ଶାହ କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଦୁଗ୍ଧ ସମବାୟ ସମିତିକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ। ଦୁଗ୍ଧ ଉତ୍ପାଦନ ସଂଘ ପ୍ରତିଷ୍ଠା ପାଇଁ ଏନଡିଡିବି ଏବଂ ଏନସିଡିସି ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ କହିଛନ୍ତି ଯେ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଏହି ସଂଗଠନଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ, ଯେଉଁଥିରେ ଦୁଗ୍ଧ ଉତ୍ପାଦନର ପ୍ରାରମ୍ଭିକ ପର୍ଯ୍ୟାୟକୁ ଏନଡିଡିବି ଦ୍ୱାରା ତଦାରଖ କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ଏହି ପଦକ୍ଷେପ କେବଳ ଶ୍ୱେତ ବିପ୍ଳବକୁ ଆଗେଇ ନେବ ନାହିଁ, ବରଂ ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାମାନଙ୍କୁ ସଶକ୍ତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗୋଟିଏ ଆପ୍ ଆଧାରିତ କ୍ୟାବ୍ ସମବାୟ ସମିତି ସେବା ପ୍ରତିଷ୍ଠା କରାଯିବା ଉଚିତ ଯାହାଦ୍ୱାରା ଏହାର ଲାଭ ସିଧାସଳଖ ଡ୍ରାଇଭରମାନଙ୍କ ନିକଟରେ ପହଞ୍ଚିପାରିବ। ସମବାୟଗୁଡ଼ିକୁ ସମନ୍ୱିତ କରିବାରେ ଜାତୀୟ ସମବାୟ ଡାଟାବେସର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍) ଗୁଡ଼ିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରୟାସଗୁଡ଼ିକୁ ଆଗକୁ ନେବାରେ ଏନସିଡିସି ଏବଂ ସମବାୟ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଅମିତ ଶାହ ଚିନି କାରଖାନାଗୁଡ଼ିକର ଆର୍ଥିକ ସାମର୍ଥ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ଏକ ବ୍ୟାପକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ, ଯାହାର ଲକ୍ଷ୍ୟ ହେଉଛି ଏଗୁଡ଼ିକର ପାଣ୍ଠିକୁ ୨୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା। ଏହି ପଦକ୍ଷେପ ଚିନି ଶିଳ୍ପର ଅଭିବୃଦ୍ଧି ଓ ସ୍ଥିରତା ବୃଦ୍ଧି କରିବ, ଉନ୍ନତ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବ ଏବଂ ସ୍ଥାନୀୟ ଅଞ୍ଚଳର ଦୀର୍ଘକାଳୀନ ବିକାଶକୁ ସମର୍ଥନ କରିବ। ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ କେରଳ ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଗଭୀର ସମୁଦ୍ରରେ ଟ୍ରଲର ଚଳାଚଳ କରିବାର ସମ୍ଭାବନାକୁ ଅନ୍ୱେଷଣ କରିବାକୁ ମଧ୍ୟ ସେ କହିଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ସମବାୟ ମନ୍ତ୍ରଣାଳୟ ଏନସିଡିସିକୁ କାର୍ଯ୍ୟକାରୀ ସଂସ୍ଥା ଭାବେ ନେଇ ସମବାୟ ଇଣ୍ଟର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଏବଂ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଯୋଜନା ସହିତ ଯୋଡ଼ିବା ଏବଂ ପ୍ୟାକ୍ସଗୁଡ଼ିକୁ ସୁଦୃଢ଼ କରିବା। ସମବାୟ ଇଣ୍ଟର୍ଣ୍ଣ ଯୋଜନା ଅଂଶଗ୍ରହଣକାରୀମାନଙ୍କୁ ଅମୂଲ୍ୟ ବ୍ୟବହାରିକ ଅଭିଜ୍ଞତା ହାସଲ କରିବାରେ ସାହାଯ୍ୟ କରିବ। ଏଥିସହିତ ସମବାୟ ସମିତିର ନୀତିକୁ ଆଗକୁ ବଢାଇବା ଏବଂ ଗ୍ରାମୀଣ ସମାଜର ବିକାଶକୁ ସମର୍ଥନ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ। ଅମିତ ଶାହ ସାରା ଦେଶରେ ସମବାୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଲାଗି ଏକ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ଆହ୍ୱାନ କରିଥିଲେ। ଏହାବ୍ୟତୀତ ସମବାୟ ପାଇଁ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ଯାହା ‘ସମବାୟ ମାଧ୍ୟମରେ ସମୃଦ୍ଧି’ର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା

ନୂଆଦିଲ୍ଲୀ/ ଭୁବନେଶ୍ୱର: ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ ଏହି ଖଜୁରୀ ଗୁଡ଼ ଏକ ପ୍ରମୁଖ ଆକର୍ଷଣ ପାଲଟିଛି।

ଓଡ଼ିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲରେ ଖଜୁରୀ ଗୁଡ଼ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ତା’ସହିତ ତାଳ ଓ ଖଜୁରୀ ଗଛର ପତ୍ରରୁ ପ୍ରସ୍ତୁତ ବିଭିନ୍ନ ଘରୋଇ ଉପକରଣ ମଧ୍ୟ ଏଠାରେ ବିକ୍ରି କରାଯାଉଛି। ଦେଶ ବିଦେଶରୁ ଆସୁଥିବା ଦର୍ଶକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି।ମଙ୍ଗଳବାର ସୁଦ୍ଧା ଏହି ଷ୍ଟଲରେ ୩୫ ହଜାର ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।

‘‘ଖଜୁରୀ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଭଲ। ତେଣୁ ପ୍ରତିବର୍ଷ ଆମେ ବାଣିଜ୍ୟ ମେଳାରୁ ଖଜୁରୀ ଗୁଡ଼ କିଣିଥାଉ। ବିଶେଷକରି, ଓଡ଼ିଶା ଖଜୁରୀ ଗୁଡ଼ର ଏକ ନିଆରା ସ୍ୱାଦ ରହିଛି। ଆମେ ଓଡ଼ିଶା ମଣ୍ଡପରୁ ଖୋଜି ଖୋଜି ଏହି ଗୁଡ଼ କିଣୁଛୁ,’’ କହିଛନ୍ତି ଦିଲ୍ଲୀର ଜଣେ ବାସିନ୍ଦା ଭାରତ ଭୂଷଣ ଅରୋରା।

ସେହିପରି ଦିଲ୍ଲୀର ଆଉ ଜଣେ ଦର୍ଶକ ଧରମବୀର ଅଗ୍ରୱାଲ କହନ୍ତି, ‘‘ଆମ ପରିବାରରେ ସମସ୍ତେ ନିୟମିତ ଗୁଡ଼ ଖାଇବାକୁ ପସନ୍ଦ କରୁଛନ୍ତି। ବାଣିଜ୍ୟ ମେଳା ଆସିଲେ ଆମେ ଓଡ଼ିଶା ମଣ୍ଡପରୁ ଖଜୁରୀ ଗୁଡ଼ କିଣିଥାଉ। ଏଥର ମଧ୍ୟ ଆମେ ଖଜୁରୀ ଗୁଡ଼ କିଣିଛୁ। ଏହା ଜୈବିକ ଉପାୟରେ ପ୍ରସ୍ତୁତ ହେଉଥିବାରୁ ଖାଇବାକୁ ଭଲ ଲାଗୁଛି।’’

ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଢେଙ୍କାନାଳ, ଅନୁଗୋଳ ଏବଂ ବୌଦ୍ଧ ଜିଲ୍ଲା ରହିଛି। ତା’ ଭିତରୁ ଗଜପତି, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରେ ଖଜୁରୀ ଗୁଡ଼ ପ୍ରସ୍ତୁତି ହେଉଛି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ ଥିବା ୨୩ଟି ପ୍ରାଥମିକ ତାଳଗୁଡ଼ ସମବାୟ ସମିତି ମାଧ୍ୟମରେ ଏହି ଗୁଡ଼ ଉତ୍ପାଦନ କରାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜୀବିକା ପାଉଛନ୍ତି।

‘‘ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ଖଜୁରୀ ଗୁଡ଼ର ଭଲ ଚାହିଦା ରହିଛି। ମେଳା ବୁଲିବାକୁ ଆସୁଥିବା ଲୋକମାନେ ଏହି ଗୁଡ଼ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାର ଏହାକୁ ପ୍ରୋତ୍ସାହନ ଦେଉଥିବାରୁ ଓଡ଼ିଶା ବାହାରେ ଏହାର ଭଲ ଚାହିଦା ରହୁଛି,’’ କହିଛନ୍ତି ବାଣିଜ୍ୟ ମେଳାକୁ ଆସିଥିବା ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘର ମାର୍କେଟିଂ ଇନଚାର୍ଜ ଅନିଲ କୁମାର ବେହେରା।

ସମବାୟ ସଙ୍ଘ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଖଜୁରୀ ଏବଂ ତାଳ ବଗିଚା ସୃଷ୍ଟି କରାଯାଉଛି। ଚାଷୀମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଖଜୁରୀ ଗଛରୁ ରସ ସଂଗ୍ରହ କରିଥାନ୍ତି। ଏହାକୁ ଚୁଲିରେ ରନ୍ଧାଯାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ। ପ୍ରାଥମିକ ସମବାୟ ସମିତିଗୁଡ଼ିକଠାରୁ ଗୁଡ଼ ସଂଗ୍ରହ କରାଯିବା ପରେ ଏହାକୁ ପ୍ୟାକେଜିଂ କରାଯାଇଥାଏ।

ଖଜୁରୀ ଗୁଡ଼କୁ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ପ୍ରସ୍ତୁତ କରାଯାଉଛି। ନିକଟରେ ଏହା ଜିଆଇ ମାନ୍ୟତା ପାଇଛି। ‘ଓଡ଼ିଶା ଖଜୁରୀ ଗୁଡ଼’ ନାଁରେ ଏହା ବଜାରରେ ଉପଲବ୍ଧ ହେଉଛି।

ଏହି ଗୁଡ଼ କିପରି ବଜାର ସଂଯୋଗ ହୋଇପାରିବ ସେନେଇ ସମବାୟ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱରର ୟୁନିଟ-୨ ଓ ଗଣ୍ଡମୁଣ୍ଡା ଏବଂ କଟକର ଚାନ୍ଦିନୀଚୌକଠାରେ ଥିବା ଆଉଟଲେଟରେ ଏହା ବିକ୍ରି କରାଯାଉଛି। ଏହାଛଡ଼ା ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମେଳାରେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଏହି ଗୁଡ଼ ବିକ୍ରି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ-୨୦୨୪ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିନ୍ଦୁସ୍ତାନ ଟାଇମ୍ସକୁ ମହାତ୍ମା ଗାନ୍ଧୀ ୧୦୦ ବର୍ଷ ପୂର୍ବେ ଉଦଘାଟନ କରିଥିଲେ ଏବଂ ହିନ୍ଦୁସ୍ତାନ ଟାଇମ୍ସ (ଏଚ୍ ଟି)ର ୧୦୦ ବର୍ଷର ଐତିହାସିକ ଯାତ୍ରା ଏବଂ ଏହାର ଉଦଘାଟନ ପରଠାରୁ ଏହା ସହ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ସେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କାର୍ଯ୍ୟକ୍ରମ ସ୍ଥଳରେ ଏଚ୍ ଟିର ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ଶ୍ରୀ ମୋଦୀ କହିଥିଲେ ଯେ ଏହା ଏକ ଅନନ୍ୟ ଅନୁଭୂତି ଏବଂ ଏହା ପରିଦର୍ଶନ କରିବାକୁ ସମସ୍ତ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେହି ସମୟର ପୁରୁଣା ଖବରକାଗଜ ଦେଖିଛନ୍ତି ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା ଏବଂ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡକ୍ଟର ଏମ୍, ଏସ୍. ସ୍ୱାମୀନାଥନଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ହିନ୍ଦୁସ୍ତାନ ଟାଇମ୍ସ ପାଇଁ ନିବନ୍ଧ ଲେଖିଥିଲେ ବୋଲି ଶ୍ରୀ ମୋଦୀ ସ୍ୱୀକାର କରିଥିଲେ।

ସ୍ୱାଧୀନତା ସଂଗ୍ରାମର ସାକ୍ଷୀ ହେବା ସହ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆଶା ନେଇ ଆଗକୁ ବଢ଼ୁଥିବା ଏହି ଲମ୍ବା ଯାତ୍ରା ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।  ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅକ୍ଟୋବର ୧୯୪୭ରେ ଅନ୍ୟ ନାଗରିକଙ୍କ ପରି କାଶ୍ମୀରକୁ ଭାରତରେ ମିଶ୍ରଣ କରିବା ଖବର ପଢ଼ି ସେ ସମାନ ଉତ୍ସାହ ଅନୁଭବ କରିଥିଲେ। ତେବେ ସେହି ମୁହୂର୍ତ୍ତରେ ସେ ଏହା ମଧ୍ୟ ଅନୁଭବ କରିଥିଲେ ଯେ କିପରି ଅନିଶ୍ଚିତତା କାଶ୍ମୀରକୁ ସାତ ଦଶନ୍ଧି ଧରି ହିଂସାରେ ଫସାଇ ରଖିଛି।

ଶ୍ରୀ ମୋଦୀ କହିଛନ୍ତି, କିନ୍ତୁ ଖୁସିର ବିଷୟ ଯେ ଆଜିକାଲି ଜାମ୍ମୁ- କାଶ୍ମୀର ନିର୍ବାଚନରେ ରେକର୍ଡ ମତଦାନର ଖବର ଖବରକାଗଜରେ ପ୍ରକାଶିତ ହେଉଛି। ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କୁ ଆଉ ଏକ ଖବରକାଗଜରେ ଛପା ଯାଇଥିବା ଖବର ଅତ୍ୟନ୍ତ ସ୍ୱତନ୍ତ୍ର ଲାଗିଥିଲା, ଯେଉଁଥିରେ ଏହାର ଗୋଟିଏ ପାର୍ଶ୍ୱରେ ଆସାମକୁ ଅଶାନ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ଖବର ଆସିଥିବା ବେଳେ ଅନ୍ୟପଟେ ଅଟଳଜୀ ଭାରତୀୟ ଜନତା ପାର୍ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଖବର ଆସିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏତେ ସୁଖଦ ସଂଯୋଗ ଯେ ଆଜି ବିଜେପି ଆସାମରେ ସ୍ଥାୟୀ ଶାନ୍ତି ଆଣିବାରେ ଏକ ବଡ଼ ଭୂମିକା ଗ୍ରହଣ କରୁଛି।

ଗତକାଲି ପ୍ରଥମ ବୋଡୋଲାଣ୍ଡ ମହୋତ୍ସବରେ ତାଙ୍କର ଅଂଶଗ୍ରହଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ କଭରେଜ୍ ଏତେ କମ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୫ ଦଶନ୍ଧି ପରେ ଯୁବକ ଏବଂ ଲୋକମାନେ ହିଂସା ତ୍ୟାଗ କରି ଦିଲ୍ଲୀରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରୁଥିବା ବେଳେ ଏହା ଏକ ବଡ଼ ଉପଲବ୍ଧି ଥିଲା। ସେ କହିଥିଲେ ଯେ ୨୦୨୦ ବୋଡୋ ଶାନ୍ତି ଚୁକ୍ତି ପରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ହିନ୍ଦୁସ୍ତାନ ଟାଇମ୍ସ ଶିଖର ସମ୍ମିଳନୀ ପ୍ରଦର୍ଶନୀର ଏକ ଅଂଶ ଭାବରେ ଶ୍ରୀ ମୋଦୀ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ଫଟୋ ଦେଖିଥିଲେ ଏବଂ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ ପଡ଼ୋଶୀ ଦେଶଗୁଡ଼ିକ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ କାରଣରୁ ଲୋକମାନେ ନିଜ ଘର ଏବଂ ସହରରେ ଅସୁରକ୍ଷିତ ଅନୁଭବ କରୁଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି ଏବଂ ନିଜ ଘରେ ଥିବା ଆତଙ୍କବାଦୀମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିନ୍ଦୁସ୍ତାନ ଟାଇମ୍ସ ଏହାର ୧୦୦ ବର୍ଷ ମଧ୍ୟରେ ୨୫ ବର୍ଷର ଦାସତ୍ୱ ଏବଂ ୭୫ ବର୍ଷର ସ୍ୱାଧୀନତା ସହିତ ଭାରତର ଭାଗ୍ୟ ରଚନା କରିଥିବା ବ୍ୟବସ୍ଥା ଗୁଡ଼ିକ ଭାରତର ସାଧାରଣ ଲୋକଙ୍କ ସାମର୍ଥ୍ୟ ଏବଂ ଜ୍ଞାନ ସହିତ ଭାରତକୁ ଦିଗ ଦେଖାଇଛି। ଭାରତର ସାଧାରଣ ନାଗରିକଙ୍କ ଏହି ସାମର୍ଥ୍ୟକୁ ସ୍ୱୀକୃତି ଦେବାରେ ବିଶେଷଜ୍ଞମାନେ ଅନେକ ସମୟରେ ଭୁଲ କରିଛନ୍ତି ବୋଲି ସେ କହିଛନ୍ତି। ଇତିହାସ ସମ୍ପର୍କରେ ଉଲ୍ଲେଖ କରି

ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ଇଂରେଜମାନେ ଭାରତ ଛାଡୁଥିଲେ, ସେତେବେଳେ କୁହାଯାଇଥିଲା ଯେ ଦେଶ ବିଭାଜିତ ହେବ ଏବଂ ଭାଙ୍ଗିଯିବ ଏବଂ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା, ସେତେବେଳେ କିଛି ଲୋକ ଭାବିନେଇଥିଲେ ଯେ, ସେତେବେଳର ଜରୁରୀକାଳୀନ ପରିସ୍ଥିତି ସବୁଦିନ ପାଇଁ ରହିବ ଏବଂ କିଛି ଲୋକ ଏବଂ ଅନୁଷ୍ଠାନ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ଲୋକଙ୍କ ନିକଟରେ ଶରଣାପନ୍ନ ହୋଇଥିଲେ। ସେହି ସମୟରେ ମଧ୍ୟ ଭାରତର ନାଗରିକମାନେ ଦୃଢ଼ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ଉଚ୍ଛେଦ କରିଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ। ସାଧାରଣ ଲୋକଙ୍କ ଶକ୍ତି ବିଷୟରେ ବର୍ଣ୍ଣନା କରି ଶ୍ରୀ ମୋଦୀ କୋଭିଡ୍ ମହାମାରୀ ବିରୋଧରେ ଏକ ଦୃଢ଼ ଲଢ଼େଇରେ ସାଧାରଣ ନାଗରିକଙ୍କ ମନୋବଳକୁ ପ୍ରଶଂସା କରିଥିଲେ।

ଅତୀତକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୯୦ ଦଶକରେ ଏକ ସମୟ ଥିଲା ଯେତେବେଳେ ଭାରତରେ ୧୦ ବର୍ଷ ମଧ୍ୟରେ ୫ଟି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହା ଦେଶରେ ଅସ୍ଥିରତାକୁ ସ୍ପଷ୍ଟ କରିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜରେ ଲେଖୁଥିବା ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ଯେ ସମାନ ପରିସ୍ଥିତି ଆଗକୁ ରହିବ, କିନ୍ତୁ ଭାରତର ନାଗରିକମାନେ ଏହାକୁ ପୁଣି ଥରେ ଭୁଲ ପ୍ରମାଣିତ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱରେ ଅନିଶ୍ଚିତତା ଏବଂ ଅସ୍ଥିରତା ସମ୍ପର୍କରେ ଆଲୋଚନା ହେଉଛି ଏବଂ ବିଶ୍ୱର ଅନେକ ଦେଶ ନୂତନ ସରକାର କ୍ଷମତାକୁ ଆସୁଥିବା ଦେଖୁଥିବା ବେଳେ ଭାରତରେ ଲୋକମାନେ ତୃତୀୟ ଥର ପାଇଁ ସମାନ ସରକାରକୁ ନିର୍ବାଚିତ କରିଛନ୍ତି।

ଅତୀତରେ ନୀତି ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ‘ଭଲ ଅର୍ଥନୀତି ହେଉଛି ଖରାପ ରାଜନୀତି’ ବାକ୍ୟାଂଶକୁ ବିଶେଷଜ୍ଞମାନେ ପ୍ରୋତ୍ସାହିତ କରୁଥିଲେ ଏବଂ ସରକାରଙ୍କ ସମର୍ଥନ ପାଉଥିଲେ। ଖରାପ ଶାସନ ଓ ଅପାରଗତାକୁ ଲୁଚାଇବା ପାଇଁ ଏହା ପୂର୍ବ ସରକାରମାନଙ୍କ ପାଇଁ ଏକ ମାଧ୍ୟମ ପାଲଟିଥିଲା ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ଦେଶରେ ଏକ ଅସନ୍ତୁଳିତ ବିକାଶ ଘଟିଛି ଯାହା ସରକାରଙ୍କ ଉପରେ ଲୋକଙ୍କ ବିଶ୍ୱାସକୁ ବାଧା ଦେଇଛି।

ଲୋକଙ୍କର ପ୍ରଗତି, ଲୋକମାନଙ୍କ ଦ୍ଵାରା ପ୍ରଗତି ଏବଂ ଲୋକମାନଙ୍କ ପାଇଁ ପ୍ରଗତିର ମନ୍ତ୍ରକୁ ସୁନିଶ୍ଚିତ କରି ତାଙ୍କ ସରକାର ଲୋକଙ୍କ ବିଶ୍ୱାସ ଫେରାଇ ଆଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ନୂତନ ଏବଂ ବିକଶିତ ଭାରତ ଗଠନ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ ଏବଂ ଭାରତବାସୀ ସେମାନଙ୍କୁ ସେମାନଙ୍କ ବିଶ୍ୱାସର ପୁଞ୍ଜି ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସୋସିଆଲ ମିଡିଆ ଯୁଗରେ ଭୁଲ ସୂଚନା, ଅପପ୍ରଚାର ସତ୍ତ୍ୱେ ଭାରତର ନାଗରିକମାନେ ଆମ ଉପରେ, ଆମ ସରକାର ଉପରେ ବିଶ୍ୱାସ ରଖିଛନ୍ତି।

ଜନସାଧାରଣଙ୍କ ବିଶ୍ୱାସ ବଢ଼ିଲେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିଥାଏ, ଯାହା ଦେଶର ବିକାଶ ଉପରେ ଭିନ୍ନ ପ୍ରଭାବ ପକାଇଥାଏ ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ଆହ୍ଵାନକୁ ଗ୍ରହଣ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଆମର ପୂର୍ବପୁରୁଷମାନେ ଆହ୍ଵାନକୁ ଗ୍ରହଣ କରିଥିଲେ, ଯାହା ଆମକୁ ବିଦେଶରେ ଭାରତୀୟ ସାମଗ୍ରୀ ଏବଂ ସେବାକୁ ପ୍ରୋତ୍ସାହିତ କରିବା ଏବଂ ଭାରତକୁ ବାଣିଜ୍ୟ ଏବଂ ସଂସ୍କୃତିର ହଟସ୍ପଟ୍ ରେ ପରିଣତ କରିବାରେ ସାହାଯ୍ୟ କରିଥିଲା। ତେବେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ପୂର୍ବ ସରକାରମାନେ ଆହ୍ଵାନକୁ ଗ୍ରହଣ କରିବାର ଏହି ସଂସ୍କୃତିକୁ ହରାଇଥିଲେ ବୋଲି ସେ କହିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ଗତ ୧୦ ବର୍ଷ ମଧ୍ୟରେ ଭାରତ ବିକାଶ ଏବଂ ପରିବର୍ତ୍ତନ ଦେଖୁଛି ଏବଂ ଭାରତର ନାଗରିକମାନଙ୍କ ମଧ୍ୟରେ ଆହ୍ଵାନ ଗ୍ରହଣ କରିବାର ସଂସ୍କୃତିକୁ ନୂତନ ଶକ୍ତି ପ୍ରଦାନ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଯୁବକମାନେ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଖୋଜୁଛନ୍ତି ଏବଂ ଆହ୍ଵାନ ଗ୍ରହଣ କରିଛନ୍ତି ଯାହା ଭାରତରେ ୧.୨୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ପଞ୍ଜୀକରଣରୁ ଏହା ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ କ୍ରୀଡ଼ାକୁ ବୃତ୍ତି ଭାବରେ ଗ୍ରହଣ କରିବା ମଧ୍ୟ ବିପଦ ଥିଲା। ତେବେ ଆଜି ଆମ ଛୋଟ ଛୋଟ ସହରର ଯୁବକମାନେ ମଧ୍ୟ ଏହି ଆହ୍ଵାନ ଗ୍ରହଣ କରି ନେଇ ବିଶ୍ୱରେ ଦେଶ ପାଇଁ ଗୌରବ ଆଣିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ପ୍ରାୟ ୧ କୋଟି ଲକ୍ଷପତି ଦିଦି ପ୍ରତ୍ୟେକ ଗାଁରେ ଉଦ୍ୟୋଗୀ ହୋଇ ନିଜର ବ୍ୟବସାୟ ଚଳାଉଛନ୍ତି।

ଆଜି ଭାରତୀୟ ସମାଜ ଅଭୂତପୂର୍ବ ଆକାଂକ୍ଷାରେ ପରିପୂର୍ଣ୍ଣ ଏବଂ ମୁଁ ଏହି ଆକାଂକ୍ଷାଗୁଡ଼ିକୁ ଆମ ନୀତିର ଆଧାର କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ବିକାଶର ଏକ ମଡେଲକୁ ପ୍ରୋତ୍ସାହିତ କରିଛନ୍ତି ଯେଉଁଥିରେ ନିବେଶ ମାଧ୍ୟମରେ ନିଯୁକ୍ତି ଏବଂ ବିକାଶ ମାଧ୍ୟମରେ ସମ୍ମାନର ସଂଯୋଜନ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଯେଉଁଠାରେ ପୁଞ୍ଜିନିବେଶ ହୁଏ, ସେଠାରେ ନିବେଶ ମାଧ୍ୟମରେ ରୋଜଗାର ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ବିକାଶ ହୋଇଥାଏ ଏବଂ ବିକାଶ ଭାରତର ନାଗରିକଙ୍କ ମର୍ଯ୍ୟାଦା ବୃଦ୍ଧି କରିଥାଏ। ସେ ଦେଶରେ ଶୌଚାଳୟ ନିର୍ମାଣର ଉଦାହରଣ ଦେଇଥିଲେ, ଯାହା ସୁବିଧା ସହିତ ସୁରକ୍ଷା ଏବଂ ସମ୍ମାନର ମାଧ୍ୟମ। ଏହା ବିକାଶକୁ ତ୍ୱରାନ୍ୱିତ କରିବା ସହ ନିବେଶ ମାଧ୍ୟମରେ ନିଯୁକ୍ତି, ବିକାଶ ମାଧ୍ୟମରେ ସମ୍ମାନ ମନ୍ତ୍ରର ସଫଳତାକୁ ସ୍ପଷ୍ଟ କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଏଲପିଜି ଗ୍ୟାସ ସିଲିଣ୍ଡରର ଉଦାହରଣ ମଧ୍ୟ ଦେଇଥିଲେ, ଯାହାକୁ ଅତୀତରେ ସମ୍ମାନର ପ୍ରତୀକ ଭାବରେ ବିବେଚନା କରାଯାଉଥିଲା। ପୂର୍ବ ସରକାରମାନେ ଲୋକଙ୍କୁ କେତେ ସିଲିଣ୍ଡର ଦିଆଯିବ ସେ ନେଇ ବିତର୍କ କରୁଥିବା ବେଳେ ପ୍ରତି ଘରକୁ ଗ୍ୟାସ ସଂଯୋଗ ଦେବା ତାଙ୍କ ସରକାର ପ୍ରାଥମିକତା ଦେଇଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ୩୦ କୋଟିରୁ ଅଧିକ ଗ୍ୟାସ୍ ସଂଯୋଗ ଥିବା ବେଳେ ୨୦୧୪ରେ ଏହା ୧୪ କୋଟି ଥିଲା। ଗ୍ୟାସ ସିଲିଣ୍ଡରର ଚାହିଦା ପୂରଣ କରିବା ପାଇଁ ଭିତ୍ତିଭୂମିକୁ ସମର୍ଥନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ଏହା ଦ୍ୱାରା ବିଭିନ୍ନ ସ୍ଥାନରେ ବଟଲିଂ ପ୍ଲାଣ୍ଟ ସ୍ଥାପନ ଠାରୁ ଆରମ୍ଭ କରି ବିତରଣ କେନ୍ଦ୍ର ତିଆରି ଠାରୁ ସିଲିଣ୍ଡର ଯୋଗାଣ ପର୍ଯ୍ୟନ୍ତ କ୍ଷେତ୍ରରେ ରୋଜଗାର ସୃଷ୍ଟି ହୋଇଛି। ନିବେଶରୁ ନିଯୁକ୍ତି, ବିକାଶର ଗୌରବ ମଡେଲ ଉପରେ ଆଧାରିତ ମୋବାଇଲ ଫୋନ୍, ରୂପେ କାର୍ଡ, ୟୁପିଆଇ ଇତ୍ୟାଦି ଉଦାହରଣ ସମ୍ପର୍କରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ଆଜି ଭାରତ ଯେଉଁ ଅଭିବୃଦ୍ଧି ପଥରେ ଗତି କରୁଛି ତାହା ବୁଝିବା ପାଇଁ ସରକାରଙ୍କ ଆଉ ଏକ ଆଭିମୁଖ୍ୟକୁ ବୁଝିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆଭିମୁଖ୍ୟ ହେଉଛି “ଲୋକଙ୍କ ପାଇଁ ବଡ ଖର୍ଚ୍ଚ କରନ୍ତୁ ଏବଂ ଲୋକଙ୍କ ପାଇଁ ବଡ ସଞ୍ଚୟ କରନ୍ତୁ”। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ୨୦୧୪ରେ ଭାରତର ବଜେଟ୍ ୧୬ ଲକ୍ଷ କୋଟି ଟଙ୍କା ଥିବା ବେଳେ ଆଜି ଏହା ୪୮ ଲକ୍ଷ କୋଟି ଟଙ୍କା ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ପୁଞ୍ଜି ବ୍ୟୟ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ, ଯାହା ୨୦୧୩-୧୪ ରେ ୨.୨୫ ଲକ୍ଷ କୋଟି ଟଙ୍କା ଥିଲା। ନୂତନ ଡାକ୍ତରଖାନା, ସ୍କୁଲ, ସଡ଼କ, ରେଳବାଇ, ଗବେଷଣା ସୁବିଧା ଏବଂ ଏଭଳି ଅନେକ ସାର୍ବଜନୀନ ଭିତ୍ତିଭୂମି ପାଇଁ ପୁଞ୍ଜି ବ୍ୟୟ କରାଯାଉଛି। ଜନସାଧାରଣଙ୍କ ଉପରେ ବ୍ୟୟ ବଢ଼ାଇବା ସହିତ ସରକାର ଜନସାଧାରଣଙ୍କ ଅର୍ଥ ମଧ୍ୟ ସଞ୍ଚୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ତଥ୍ୟ ଓ ସଂଖ୍ୟା  ଉପସ୍ଥାପନ କରି ଶ୍ରୀ ମୋଦୀ କହିଥିଲେ ଯେ ଡିବିଟି ଦ୍ୱାରା ବନ୍ଦ ହୋଇଥିବା ଫାଟ ଦେଶକୁ ୩.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ଗରିବଙ୍କ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି। ଜନ ଔଷଧି କେନ୍ଦ୍ରରେ ୮୦% ରିହାତିରେ ମିଳୁଥିବା ଔଷଧ ନାଗରିକଙ୍କ ପାଇଁ ୩୦ ହଜାର କୋଟି ଟଙ୍କା ସଞ୍ଚୟ କରିଥିବା ବେଳେ ଷ୍ଟେଣ୍ଟ ଓ ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ନିୟନ୍ତ୍ରଣ କରିବା ଦ୍ୱାରା ଲୋକଙ୍କ ପାଇଁ ହଜାର ହଜାର କୋଟି ଟଙ୍କା ସଞ୍ଚୟ ହୋଇଛି। ତାଲିକା ଜାରି ରଖି ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଜାଲା ଯୋଜନା ଲୋକଙ୍କ ପାଇଁ ବିଜୁଳି ବିଲରେ ୨୦ ହଜାର କୋଟି ଟଙ୍କା ସଞ୍ଚୟ କରିଥିବା ବେଳେ ସ୍ୱଚ୍ଛ ଭାରତ ମିଶନ ଯୋଗୁଁ ରୋଗ ହ୍ରାସ ପାଇଛି ଏବଂ ଏହା ଦ୍ୱାରା ଗାଁର ପ୍ରତ୍ୟେକ ପରିବାର ପାଇଁ ପ୍ରାୟ ୫୦ ହଜାର ଟଙ୍କା ସଞ୍ଚୟ ହୋଇଛି। ୟୁନିସେଫ୍ ରିପୋର୍ଟକୁ ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଯେଉଁ ପରିବାରର ନିଜସ୍ୱ ଶୌଚାଳୟ ଅଛି ସେମାନେ ମଧ୍ୟ ପ୍ରାୟ ୭୦ ହଜାର ଟଙ୍କା ସଞ୍ଚୟ କରୁଛନ୍ତି ଏବଂ ଡବ୍ଲ୍ୟୁଏଚଓର ୧୨ କୋଟି ଲୋକଙ୍କ ଉପରେ କରାଯାଇଥିବା ଅଧ୍ୟୟନ ଯେଉଁମାନଙ୍କ ଘରେ ପ୍ରଥମ ଥର ପାଇଁ ଟ୍ୟାପ୍ ପାଣି ଅଛି ସେମାନେ ପ୍ରତିବର୍ଷ ୮୦ ହଜାର ଟଙ୍କାରୁ ଅଧିକ ସଞ୍ଚୟ କରିଛନ୍ତି।

୧୦ ବର୍ଷ ପୂର୍ବେ ଭାରତରେ ଏତେ ବଡ଼ ପରିବର୍ତ୍ତନ ହେବ ବୋଲି କେହି ଆଶା କରିନଥିଲେ ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ସଫଳତା ଆମକୁ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଏହାକୁ ପୂରଣ କରିବାକୁ ପ୍ରେରଣା ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଆଶା ସୃଷ୍ଟି କରିଛି ଏବଂ ଚିନ୍ତା କରିଛି ଯେ ଏହି ଶତାବ୍ଦୀ ଭାରତର ଶତାବ୍ଦୀ ହେବ। ଏହି ଦିଗରେ ଆଗକୁ ବଢ଼ିବା ପାଇଁ ଅନେକ ପ୍ରୟାସ କରିବା ଜରୁରୀ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ସରକାର ପ୍ରତ୍ୟେକ କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ସେ କହିଥିଲେ ଯେ ଆମର ପ୍ରକ୍ରିୟାକୁ ଏପରି କରିବା ପାଇଁ ପ୍ରୟାସର ଆବଶ୍ୟକତା ରହିଛି ଯାହା ଦ୍ରବ୍ୟ ଉତ୍ପାଦନ ହେଉ କିମ୍ବା ନିର୍ମାଣ, ଶିକ୍ଷା କିମ୍ବା ମନୋରଞ୍ଜନ କ୍ଷେତ୍ରରେ ଭାରତର ମାନକୁ ‘ବିଶ୍ୱସ୍ତରୀୟ’ ବୋଲି କୁହାଯାଏ। ଶ୍ରୀ ମୋଦୀ କହିଥିଲେ ଯେ ଲୋକଙ୍କ ମନରେ ଏହି ଆଭିମୁଖ୍ୟକୁ ଦୋହରାଇବାରେ ହିନ୍ଦୁସ୍ତାନ ଟାଇମ୍ସର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ଏବଂ ଏକ ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ସେମାନଙ୍କର ୧୦୦ ବର୍ଷର ଅଭିଜ୍ଞତା ଅତ୍ୟନ୍ତ ଉପଯୋଗୀ ହେବ।

ଭାଷଣ ଶେଷ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭାରତ ବିକାଶର ଏହି ଗତିକୁ ବଜାୟ ରଖିବ ଏବଂ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ହିନ୍ଦୁସ୍ତାନ ଟାଇମ୍ସ ଦ୍ରୁତ ଗତିରେ ବଦଳୁଥିବା ଭାରତର ନୂତନ ଶତାବ୍ଦୀର ସାକ୍ଷୀ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ କେତେକ ପ୍ରସ୍ତାବ ରଖିଥିଲେ। ସେଗୁଡିକ ହେଲା- ଓଡିଶାରେ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ- ରାଜ୍ୟରେ  ଅଧିକ ସଂଖ୍ୟକ ହିନ୍ଦି ଶିକ୍ଷକ ସୃଷ୍ଟି କରିବା ଏବଂ ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଆ-ହିନ୍ଦି ଅନୁବାଦ କେନ୍ଦ୍ର ପ୍ରତିଷ୍ଠା-  ଓଡିଆ ଓ ହିନ୍ଦି ଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ଭାଷାର ଅନବଦ୍ୟ ସାହିତ୍ୟିକ କୃତି ଏବଂ ଅନ୍ୟାନ୍ୟ ରଚନା ଗୁଡିକର ଅନୁବାଦ ଆବଶ୍ୟକ। ଏଥି ପାଇଁ କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସହାୟତାରେ ଏକ ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଅଧିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଆୟୋଜନ- ହିନ୍ଦୀ ଏବଂ ଓଡିଆ ଭାଷା ଓ ସାହିତ୍ୟ ମଧ୍ୟରେ ଅଧିକ ସାଂସ୍କୃତିକ ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ। ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କବି, ସାହିତ୍ୟିକ, ଲେଖକ ଓ  ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ଆବଶ୍ୟକ। ଏହା ଦ୍ୱାରା ହିନ୍ଦୀ ଓ ଓଡିଆ ମଧ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବରେ କହିଥିଲେ।

ଉଭୟ ଭାଷାରେ ଅନୁସନ୍ଧାନ ଓ ଗବେଷଣା ପାଇଁ  ଓଡିଶାରେ ଏକ ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ର ସ୍ଥାପନା କରାଯିବା ଆବଶ୍ୟକ। ଏହା ଦ୍ୱାରା ଉଭୟ ଭାଷାର ପାରସ୍ପରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ସମ୍ବଳ ପାଇଁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଏବଂ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ଏହା ସହିତ ହିନ୍ଦୀ ସାହିତ୍ୟର ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ପ୍ରତିଷ୍ଠାନ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହଯୋଗ ପ୍ରଦାନ କରାଯିବା  ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂକେନ୍ଦ୍ର ମନ୍ତ୍ରୀ ମଣ୍ତଳ ର ଅନେକ ସଦସ୍ୟ , କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବର୍ତ୍ତମାନ ୨.୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଉପଲବ୍ଧ ହେବ ପାଣିପାଗ ପୂର୍ବାନୁମାନ 

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ପୃଥିବୀ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଜିତେନ୍ଦ୍ର ସିଂହ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମିଳିତ ସହଯୋଗରେ ବିକଶିତ ଏହି ବ୍ୟବସ୍ଥା ତୃଣମୂଳ ସ୍ତରରେ ଜଳବାୟୁ ଜନିତ ପ୍ରସ୍ତୁତିରେ ଏକ ବଡ଼ ପଦକ୍ଷେପ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟସୂଚୀର ଏକ ଅଂଶ ଏବଂ ଏକ ସମଗ୍ର ସରକାରୀ ଆଭିମୁଖ୍ୟକୁ ପ୍ରତିଫଳିତ କରେ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ତୃଣମୂଳ ଶାସନରେ ପରିବର୍ତ୍ତନ ଆଣିବା ପାଇଁ ବିଶେଷଜ୍ଞ ବିଭାଗଗୁଡିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଏହି ପଦକ୍ଷେପ ଗ୍ରାମ ପଞ୍ଚାୟତଗୁଡ଼ିକୁ ପାଞ୍ଚ ଦିନିଆ ପାଣିପାଗ ପୂର୍ବାନୁମାନ ଏବଂ ଘଣ୍ଟା ପ୍ରତି ସଦ୍ୟତମ ସୂଚନା ପ୍ରଦାନ କରିବ, ଯାହାଦ୍ୱାରା ଗ୍ରାମୀଣ ଜନସାଧାରଣ କୃଷି କାର୍ଯ୍ୟକଳାପ ସମ୍ପର୍କରେ ଉତ୍ତମ ଭାବରେ ଯୋଜନା କରିବା ଏବଂ ପାଣିପାଗ ସମ୍ବନ୍ଧୀୟ ବିପଦ ପାଇଁ ପ୍ରସ୍ତୁତି କରିବାରେ ସକ୍ଷମ ହୋଇପାରିବେ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଂଜନ ସିଂ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ ‘‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’’ ଭାରତୀୟ ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ଏବଂ ଗ୍ରାମୀଣ ଜନସଂଖ୍ୟା ପାଇଁ ସହଜ ଜୀବନଧାରଣକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷେପ ଜଳବାୟୁ ଆହ୍ୱାନର ମୁକାବିଲା କରିବା ଏବଂ କୃଷି ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନେବାରେ ସୁଧାର ଆଣିବା ଦ୍ୱାରା ଗ୍ରାମୀଣ ପ୍ରଶାସନରେ ପରିବର୍ତ୍ତନ ଆଣିବ।’’ ଗ୍ରାମୀଣ ନାଗରିକମାନଙ୍କ ପାଖରେ ଠିକ୍ ସମୟରେ ପାଣିପାଗ ସୂଚନା ପହଞ୍ଚାଇବା, ଶେଷରେ ଜୀବିକାରେ ଉନ୍ନତି ଆଣିବା ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ସିଂହ ଆଲୋକପାତ କରିଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ ଗ୍ରାମାଞ୍ଚଳକୁ ସଶକ୍ତ କରିବା ଏବଂ କୃଷି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ପେଡ୍ ମା କେ ନାମ’ ଏକ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି, ଯାହା ପରିବେଶ ସୁରକ୍ଷାକୁ ଭାବନାତ୍ମକ ମୂଲ୍ୟବୋଧ ସହିତ ଯୋଡ଼ିଛି। ଏହି ପଦକ୍ଷେପ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଆଇଏମଡିର ମିଳିତ ପ୍ରୟାସକୁ ସେ ପ୍ରଶଂସା କରିବା ସହ ପାଣିପାଗ ଅନିଶ୍ଚିତତା କାରଣରୁ କୃଷକମାନଙ୍କୁ ଅଧିକ ପ୍ରଭାବଶାଳୀ ଭାବରେ ଯୋଜନା କରିବା ଏବଂ କୃଷିଜନିତ କ୍ଷୟକ୍ଷତି ହ୍ରାସ କରିବାରେ ସାହାଯ୍ୟ କରିବାର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଆଇଏମଡି ମଧ୍ୟରେ ସହଯୋଗକୁ ପ୍ରଶଂସା କରି କହିଥିଲେ ଯେ ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନର ଉପଲବ୍ଧତା ବିପର୍ଯ୍ୟୟ ପ୍ରସ୍ତୁତିକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ସମଗ୍ର ଭାରତରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବାରେ ସକ୍ଷମ ଜନସମାଜ ସୃଷ୍ଟିରେ ଯୋଗଦାନ କରିବ। ଗତ ଏକ ଦଶନ୍ଧି ମଧ୍ୟରେ ପାଣିପାଗ ପୂର୍ବାନୁମାନର ସଠିକତାରେ କ୍ରମାଗତ ଉନ୍ନତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ଶ୍ରେୟ ଦେଇଥିଲେ।

ଏଆଇ, ମେସିନ୍ ଲର୍ଣ୍ଣିଂ ଏବଂ ଏକ ବିସ୍ତାରିତ ପର୍ଯ୍ୟବେକ୍ଷଣ ନେଟୱର୍କ ଭଳି ଉନ୍ନତ ଜ୍ଞାନକୌଶଳ ପାଣିପାଗ ପୂର୍ବାନୁମାନ ସମେତ ବିଭିନ୍ନ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ସ୍ଥିତିକୁ ସୁଦୃଢ଼ କରିଛି ବୋଲି ଡ. ସିଂହ ଆଲୋକପାତ କରିଥିଲେ। ଖରାପ ପାଣିପାଗର ପ୍ରତିକୂଳ ପ୍ରଭାବରୁ ଗ୍ରାମୀଣ ଜନସଂଖ୍ୟାକୁ ରକ୍ଷା କରିବା ଏବଂ କୃଷି ଉତ୍ପାଦକତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ସୂଚନାର ସକ୍ରିୟ ଉପଯୋଗ କରିବାକୁ ସେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଥିଲେ। ପଞ୍ଚାୟତସ୍ତରୀୟ ପାଣିପାଗ ପୂର୍ବାନୁମାନ ସମେତ କୃଷିର ଆଧୁନିକୀକରଣ ପାଇଁ ସରକାରଙ୍କ ପ୍ରୟାସ ଉପରେ ଡ. ଜିତେନ୍ଦ୍ର ସିଂହ ଆଲୋକପାତ କରିଥିଲେ।

ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ସ୍ମାର୍ଟ, ସଶକ୍ତ ଏବଂ ଆତ୍ମନିର୍ଭରଶୀଳ ପଞ୍ଚାୟତ ଗଠନ ପାଇଁ ସରକାରଙ୍କ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଥିବା ଏହି ପଦକ୍ଷେପର ଦୀର୍ଘମିଆଦୀ ଲାଭ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଗ୍ରାମୀଣ ନାଗରିକ, ବିଶେଷ କରି କୃଷକମାନଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏହି ପଦକ୍ଷେପର ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ଫାଇଦା ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ବାଘେଲ କହିଛନ୍ତି ଯେ ଏଭଳି ପ୍ରଗତିଶୀଳ ଚିନ୍ତାଧାରା ଏବଂ ପରିବର୍ତ୍ତନମୂଳକ ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଭାରତ ଏକ ବିକଶିତ ରାଷ୍ଟ୍ରର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ତାଙ୍କ ଅଭିଭାଷଣରେ ପାଣିପାଗ ସମ୍ବନ୍ଧୀୟ ସୂଚନାକୁ ସକ୍ରିୟ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପଞ୍ଚାୟତଗୁଡ଼ିକୁ ଆହ୍ୱାନ ଦେଇଥିଲେ। ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡ. ଏମ୍ ରବିଚନ୍ଦ୍ରନ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ‘‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’’ର ବୈଷୟିକ ଦିଗ ଓ ଉପକାରିତା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଲୋକ ପ୍ରେମ ନାଗର ଏହି ଅଭିଯାନକୁ ଆଗକୁ ନେବାରେ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

ଉନ୍ମୋଚନ ଉତ୍ସବରେ ପଞ୍ଚାୟତିରାଜ, କୃଷି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ), ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି) ଏବଂ ଅନ୍ୟ ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ। ହରିୟାଣା ଏବଂ ଉତ୍ତରପ୍ରଦେଶର ପଞ୍ଚାୟତ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଅତି ଉତ୍ସାହର ସହ ଅଂଶଗ୍ରହଣ କରି କୃଷି ଫଳାଫଳରେ ଉନ୍ନତି ଆଣିବା ଏବଂ ଜଳବାୟୁ ସମ୍ବନ୍ଧୀୟ ଆହ୍ୱାନରୁ ସେମାନଙ୍କ ସମ୍ପ୍ରଦାୟକୁ ରକ୍ଷା କରିବା ପାଇଁ ଏହି ପାଣିପାଗ ପୂର୍ବାନୁମାନ ଉପକରଣଗୁଡ଼ିକର ଉପଯୋଗ କରିବାକୁ ଗଭୀର ଆଗ୍ରହ ପ୍ରକାଶ କରିଥିଲେ।

ନୂଆ ବ୍ୟବସ୍ଥାର ଶୁଭାରମ୍ଭ ବ୍ୟତୀତ ପଞ୍ଚାୟତିରାଜ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧି ଏବଂ ରାଜ୍ୟ ପଞ୍ଚାୟତିରାଜ ଅଧିକାରୀଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ପାଇଁ ‘‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’’ ଶୀର୍ଷକ ଏକ ପ୍ରଶିକ୍ଷଣ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ପାଣିପାଗ ପୂର୍ବାନୁମାନ ଉପକରଣର ବୁଝାମଣା ଏବଂ ବ୍ୟବହାର ବୃଦ୍ଧି କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କୁ ନିଜ ନିଜ ଅଞ୍ଚଳରେ ଜଳବାୟୁ ସହନଶୀଳତା ସୃଷ୍ଟି କରିବାକୁ ସଶକ୍ତ କରିଥିଲା।

ପାଣିପାଗ ପୂର୍ବାନୁମାନ ତଥ୍ୟ ମେରି ପଞ୍ଚାୟତ ଆପ୍, ଇଗ୍ରାମସ୍ୱରାଜ ଓ ଗ୍ରାମ ମଞ୍ଚିତ୍ରା ଭଳି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ହେବ, ଯାହା ପ୍ରଶାସନକୁ ସୁବ୍ୟବସ୍ଥିତ କରିବା ଏବଂ ତୃଣମୂଳ ସ୍ତରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଇଗ୍ରାମସ୍ୱରାଜ ପ୍ଲାଟଫର୍ମ ପ୍ରକଳ୍ପ ଟ୍ରାକିଂ ଏବଂ ସମ୍ବଳ ପରିଚାଳନାରେ ସାହାଯ୍ୟ କରୁଥିବା ବେଳେ ମେରି ପଞ୍ଚାୟତ ଆପ୍ ଗୋଷ୍ଠୀ ନିୟୋଜନକୁ ପ୍ରୋତ୍ସାହିତ କରେ। ଗ୍ରାମ ମଞ୍ଚିତ୍ରା ପ୍ଲାଟଫର୍ମ ପଞ୍ଚାୟତ ସ୍ତରରେ ସ୍ଥାନୀୟ ଯୋଜନା ଏବଂ ଉନ୍ନୟନ ମୂଳକ ପ୍ରକଳ୍ପରେ ସହାୟତା ପ୍ରଦାନ କରି ଭୂସ୍ଥାନୀୟ ବୁଝାମଣା ପ୍ରଦାନ କରିଥାଏ।

ଗ୍ରାମ ପଞ୍ଚାୟତସ୍ତରୀୟ ପାଣିପାଗ ପୂର୍ବାନୁମାନ ପ୍ରଣାଳୀର ଶୁଭାରମ୍ଭ ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବା ଏବଂ ଜଳବାୟୁ ସହନଶୀଳ ଭାରତ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଗ୍ରାମୀଣ ଜନସାଧାରଣଙ୍କୁ କୃଷି କାର୍ଯ୍ୟକଳାପ, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଭିତ୍ତିଭୂମି ଯୋଜନା ବିଷୟରେ ଅବଗତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ, ଉନ୍ନତ ମାନର ଜୀବନ ଧାରଣ ସୁନିଶ୍ଚିତ କରିବ ଏବଂ ଦେଶର ପ୍ରଗତିରେ ଯୋଗଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଏନଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମିଳନୀରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରୁ ବିଶ୍ୱସ୍ତରୀୟ ନେତାଙ୍କ ଉପସ୍ଥିତିକୁ ମଧ୍ୟ ସେ ସ୍ୱୀକାର କରିଥିଲେ, ଯେଉଁମାନେ ସେମାନଙ୍କର ମତ ରଖିବେ।

ବିଗତ ଚାରି ରୁ ପାଂଚ ବର୍ଷର କାର୍ଯ୍ୟକୁ ମନେ ପକାଇ  ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭବିଷ୍ୟତର ଚିନ୍ତାଧାରା ଉପରେ ଆଲୋଚନା ଏକ ସାଧାରଣ ପ୍ରସଙ୍ଗ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ କୋଭିଡ ମହାମାରୀର ସାମ୍ପ୍ରତିକ ଆହ୍ଵାନ, କୋଭିଡ ପରେ ପରେ ଅର୍ଥନୈତିକ ଚାପ, ମୁଦ୍ରାସ୍ଫୀତି ଏବଂ ବେକାରୀ, ଜଳବାୟୁ ପରିବର୍ତ୍ତନ, ଲାଗି ରହିଥିବା ଯୁଦ୍ଧ, ଯୋଗାଣ ଶୃଙ୍ଖଳା‌ରେ ବ୍ୟାଘାତ, ନିରୀହମାନଙ୍କ ମୃତ୍ୟୁ, ଭୂ- ରାଜନୈତିକ ତିକ୍ତତା ଏବଂ  ସଂଘର୍ଷ ସବୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ଚର୍ଚ୍ଚାର ବିଷୟ ପାଲଟିଛ। ସେହି ସମୟରେ ଭାରତରେ ଚାଲିଥିବା ଆଲୋଚନା ସହିତ ସମାନତା ଦର୍ଶାଇ  ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର ଶତାବ୍ଦୀ ଉପରେ ବିଚାର ବିମର୍ଶ କରୁଛି। “ବିଶ୍ୱ ଅଶାନ୍ତିର ଏହି ଯୁଗରେ ଭାରତ ଆଶାର କିରଣ ପାଲଟିଛି। ଯେତେବେଳେ ବିଶ୍ୱ ଚିନ୍ତିତ , ସେତେବେଳେ ଭାରତ ଆଶା ବିସ୍ତାର କରୁଛି ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ , ଯଦିଓ ବିଶ୍ଵର ପରିସ୍ଥିତି ଏବଂ ଏହା ପୂର୍ବରୁ ଆହ୍ଵାନ ଦ୍ୱାରା ଭାରତ ପ୍ରଭାବିତ ହୋଇଛି, ତଥାପି ସକାରାତ୍ମକ ଭାବନା ରହିଛି ଯାହାକୁ ଅନୁଭବ କରାଯାଇପାରେ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଭାରତ ପ୍ରତ୍ୟେକ କ୍ଷେତ୍ର ଏବଂ ଅଂଚଳରେ ଅପ୍ରତ୍ୟାଶିତ ଗତି ସହିତ କାର୍ଯ୍ୟ କରୁଛି। ସରକାରଙ୍କ ତୃତୀୟ କାର୍ଯ୍ୟକାଳର ୧୨୫ ଦିନ ପୂରଣ ହେବାକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ ଦେଶରେ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି। ଗରିବ ଲୋକମାନଙ୍କ ପାଇଁ ୩ କୋଟି ନୂତନ ପକ୍କା ଘର ନିମନ୍ତେ ସରକାରଙ୍କ ଅନୁମୋଦନ, ୯ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ, ୧୫ ଟି ନୂତନ ବନ୍ଦେ ଭାରତ ଟ୍ରେନ୍ ର ପ୍ରଚଳନ, ୮ଟି ନୂତନ ବିମାନ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ, ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ପ୍ୟାକେଜ୍, କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧,୦୦୦ କୋଟି ଟଙ୍କା ହସ୍ତାନ୍ତର ହୋଇଛି,  ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ଯୋଜନା, ପାଖାପାଖି ୫ ଲକ୍ଷ ଘରେ ଛାତ ଉପରେ ସୋଲାର ପ୍ଲାଣ୍ଟ ସ୍ଥାପନ, ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ୯୦ କୋଟି ଚାରା ରୋପଣ, ୧୨ଟି ନୂତନ ଶିଳ୍ପ ନଡ୍ ପାଇଁ ଅନୁମୋଦନ, ସେନସେକ୍ସ ଏବଂ ନିଫ୍ଟି  ପ୍ରାୟ ୫ ରୁ ୭ ପ୍ରତିଶତ ବୃଦ୍ଧି ପାଉଛି ଏବଂ ଅନ୍ୟାନ୍ୟ ମଧ୍ୟରେ ଭାରତର ବୈଦେଶିକ ମୁଦ୍ରା ୭୦୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ବୋଲି  ସେ ଉଲ୍ଲେଖ କରିଛନ୍ତି। ବିଗତ ୧୨୫ ଦିନ ମଧ୍ୟରେ ଭାରତରେ ଘଟୁଥିବା ବିଶ୍ୱସ୍ତରୀୟ ଘଟଣା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଥିଲେ ଏବଂ ଆନ୍ତର୍ଜାତୀୟ ଏସଏମୟୁ, ଗ୍ଲୋବାଲ ଫିନଟେକ୍ ଫେଷ୍ଟିଭାଲ, ବିଶ୍ଵସ୍ତରୀୟ  ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ଉପରେ ଆଲୋଚନା, ନବୀକରଣ ଯୋଗ୍ୟ ଶକ୍ତି ଏବଂ ବେସାମରିକ ବିମାନ ଚଳାଚଳ ପାଇଁ  ଅନ୍ତର୍ଜାତୀୟ ସମ୍ମିଳନୀ ବିଷୟରେ ଉଲ୍ଲେଖ କରିଥିଲେ। “ଏହା କେବଳ ଘଟଣାର ଏକ ତାଲିକା ନୁହେଁ ବରଂ ଭାରତ ସହିତ ଜଡିତ ଆଶାର ଏକ ତାଲିକା ଯାହା ଦେଶର ଦିଗ ଏବଂ ବିଶ୍ୱର ଆଶାକୁ ଦର୍ଶାଏ”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ଏଗୁଡିକ ହେଉଛି ଏକ ପ୍ରସଙ୍ଗ ଯାହା ବିଶ୍ୱର ଭବିଷ୍ୟତକୁ ଆକାର ଦେବ ଏବଂ ଏଗୁଡ଼ିକ ଭାରତରେ ଆଲୋଚନା କରାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତୃତୀୟ ଅବଧିରେ ଭାରତର ଅଭିବୃଦ୍ଧି ଏତେ ତ୍ୱରାନ୍ୱିତ ହୋଇଛି ଯେ ଅନେକ ରେଟିଂ ଏଜେନ୍ସି ସେମାନଙ୍କ ଅଭିବୃଦ୍ଧି ପୂର୍ବାନୁମାନକୁ ବୃଦ୍ଧି କରି ଦେଇଛନ୍ତି। ସେ ମାର୍କ ମୋବିୟସଙ୍କ ପରି ବିଶେଷଜ୍ଞଙ୍କ ଉତ୍ସାହକୁ ମଧ୍ୟ ସୂଚାଇ ଦେଇଛନ୍ତି, ଯିଏକି  ବିଶ୍ୱସ୍ତରୀୟ ପାଣ୍ଠିଗୁଡ଼ିକୁ ସେମାନଙ୍କ ପାଣ୍ଠିର ଅତିକମରେ ୫୦% ଭାରତର ସେୟାର ବଜାରରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏଭଳି ଅଭିଜ୍ଞ ବିଶେଷଜ୍ଞମାନେ ଯେତେବେଳେ ଭାରତରେ ବଡ଼ ପୁଞ୍ଜିନିବେଶ ପାଇଁ ସମର୍ଥନ କରନ୍ତି, ଏହା ଆମର ସମ୍ଭାବନା ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେଇଥାଏ ବୋଲି ସେ କହିଛନ୍ତି।

“ଆଜିର ଭାରତ ଉଭୟ ବିକାଶଶୀଳ ରାଷ୍ଟ୍ର ଏବଂ ଏକ ଉଦୀୟମାନ ଶକ୍ତି” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭାରତ ଦାରିଦ୍ର‌୍ୟର ଆହ୍ଵାନକୁ  ବୁଝିଛି ଏବଂ ପ୍ରଗତିର ପଥ କିପରି ଖୋଲିବ ତାହା ଭାରତକୁ ଜଣା ଅଛି। ସେ ସରକାରଙ୍କ ଦ୍ରୁତ ଗତିରେ ନୀତି ନିର୍ଣ୍ଣୟ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ନୂତନ ସଂସ୍କାର ଉପରେ ଆଲୋକପାତ କରିଥିଲେ। ଆତ୍ମସନ୍ତୋଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ମାନସିକତା ଏକ ଦେଶକୁ ଆଗକୁ ଆଗେଇ ନିଏ  ନାହିଁ। ସେ ଦର୍ଶାଇଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୨୫  କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି ଏବଂ ୧୨ କୋଟି ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ୧୬ କୋଟି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି, କିନ୍ତୁ ଏହା ପର‌୍ୟ୍ୟାପ୍ତ ନୁହେଁ।

ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତ ୩୫୦ ରୁ ଅଧିକ ମେଡିକାଲ କଲେଜ ଏବଂ ୧୫ ରୁ ଅଧିକ ଏମ୍ନ ନିର୍ମାଣ କରିଛି, ୧.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିଛି ଏବଂ ୮ କୋଟି ଯୁବକଙ୍କୁ ମୁଦ୍ରା ଋଣ ପ୍ରଦାନ କରିଛି। “ଏହା ଯଥେଷ୍ଟ ନୁହେଁ” ବୋଲି ଉଲ୍ଳେଖ କରିବା ସହିତ ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କ ନିରନ୍ତର ଅଗ୍ରଗତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱର ଅନ୍ୟତମ କନିଷ୍ଠ ରାଷ୍ଟ୍ର ଭାବରେ ଭାରତର ସାମର୍ଥ୍ୟ ଆମକୁ ଏକ ଉଚ୍ଚ ଶିଖରରେ ପହଞ୍ଚାଇ ପାରିବ ଏବଂ ଆମର ଶୀଘ୍ର ଏବଂ ଦକ୍ଷତାର ସହ ଆହୁରି ଅନେକ କିଛି ହାସଲ କରିବାକୁ ଅଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଦେଶର ମାନସିକତାର ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସରକାରମାନେ ପ୍ରାୟତଃ ପୂର୍ବ ପ୍ରଶାସନ ସହିତ ସେମାନଙ୍କ ସଫଳତାକୁ ତୁଳନା କରନ୍ତି ଏବଂ ଏହାକୁ ୧୦ – ୧୫ ବର୍ଷ ପଛରେ ଥିବା ସଫଳତା ଭାବରେ ବିବେଚନା କରନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏହି ଆଭିମୁଖ୍ୟରେ ପରିବର୍ତ୍ତନ କରୁଛି ଏବଂ ସଫଳତା ଆଉ ଆମେ କଣ ହାସଲ କରିଛେ ତାହା ଦ୍ୱାରା ନୁହେଁ ବରଂ ଭବିଷ୍ୟତର ଦିଗ ଦ୍ୱାରା ମାପ କରାଯାଏ। ପ୍ରଧାନମନ୍ତ୍ରୀ ଭାରତର ଆଗାମୀ ଦୃଷ୍ଟିକୋଣ ଉପରେ ଅଧିକ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ବର୍ତ୍ତମାନ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢୁଛି। “୨୦୪୭ ସୁଦ୍ଧା ବିକଶିତ ଭାରତର ଆମର ଲକ୍ଷ୍ୟ କେବଳ ସରକାରଙ୍କ ଦର୍ଶନ ନୁହେଁ , ବରଂ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହା କେବଳ ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ଏକ ଅଭିଯାନ ନୁହେଁ, ବରଂ ଜାତୀୟ ଆତ୍ମବିଶ୍ୱାସର ଆନ୍ଦୋଳନ ” ବୋଲି ଶ୍ରୀ ମୋଦୀ କହିଛନ୍ତି।

ସରକାର ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ସରକାର ବିକଶିତ ଭାରତ ପାଇଁ ରହିଥିବା ଦର୍ଶନ ଦଲିଲ ଉପରେ କାମ କରିବା ଆରମ୍ଭ କଲେ ସେତେବେଳେ ଲକ୍ଷ ଲକ୍ଷ ନାଗରିକ ସେମାନଙ୍କ ମତାମତ ଦେଇଥିଲେ। ସେ କହିଥିଲେ  ଯେ ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ସଂଗଠନରେ ବିତର୍କ ଏବଂ ଆଲୋଚନା ଅନୁଷ୍ଠିତ ହୋଇଥିଲା ଏବଂ ଏହି ମତାମତଗୁଡିକ ଉପରେ ଆଧାର କରି ସରକାର ଆସନ୍ତା ୨୫ ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ବିକଶିତ ଭାରତ ଉପରେ ଆଲୋଚନା ଆମର ଜାତୀୟ ଚେତନାର ଏକ ଅଂଶ ଏବଂ ଏହା ସାଧାରଣ ଶକ୍ତିକୁ ଜାତୀୟ ଶକ୍ତିରେ ପରିଣତ କରିବାର ପ୍ରକୃତ ଉଦାହରଣ ପାଲଟିଛି।

ଏଆଇ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏଆଇର ଯୁଗ ଏବଂ ବିଶ୍ୱର ବର୍ତ୍ତମାନ ଏବଂ ଭବିଷ୍ୟତ ଏଆଇ ସହିତ ଜଡିତ। ଭାରତରେ ଦ୍ଵିଗୁଣିତ ଏଆଇ ଶକ୍ତି, ପ୍ରଥମ ଏଆଇ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଦ୍ୱିତୀୟ ଏଆଇ, ଆସ୍ପିରେସନାଲ୍ ଇଣ୍ଡିଆର ସୁବିଧା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଆସ୍ପିରେସନାଲ୍ ଇଣ୍ଡିଆ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶକ୍ତି ମିଶିଯାଏ ସେତେବେଳେ ବିକାଶର ଗତି ଦ୍ରୁତ ହେବା ସ୍ୱାଭାବିକ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ଭାରତ ପାଇଁ ଏକ ଟେକ୍ନୋଲୋଜି ନୁହେଁ ବରଂ ଭାରତର ଯୁବବର୍ଗଙ୍କ ପାଇଁ ଏକ ନୂତନ ସୁଯୋଗର ପ୍ରବେଶ ଦ୍ୱାର ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ।

ସେ ଚଳିତ ବର୍ଷ ଇଣ୍ଡିଆ ଏଆଇ ମିଶନର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରରେ ଏଆଇର ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱ।ରୋପ କରିଥିଲେ। ବିଶ୍ୱସ୍ତରୀୟ ଏଆଇ ସମାଧାନ ପାଇଁ ଭାରତ ପ୍ରତିବଦ୍ଧ ଏବଂ କ୍ୱାଡ୍ ଭଳି ପ୍ଲାଟଫର୍ମ ମାଧ୍ୟମରେ ଆମେ ଏହାକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି । ଆକାଂକ୍ଷୀ ଭାରତ ଉପରେ ଗୁରୁତ୍ୱ।ରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଧ୍ୟବିତ୍ତ, ସାଧାରଣ ନାଗରିକ, ଜୀବନର ଗୁଣବତ୍ତା ବୃଦ୍ଧି, କ୍ଷୁଦ୍ର ବ୍ୟବସାୟୀ, ଏମଏସଏମଇ, ଯୁବକ ଏବଂ ମହିଳାମାନଙ୍କୁ ସଶକ୍ତ କରିବା ସରକାରଙ୍କ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାର କେନ୍ଦ୍ରରେ ରହିଛି। ଜାତୀୟ ଆକାଂକ୍ଷା ପୂରଣ କରିବାର ଏକ ପ୍ରମୁଖ ଉଦାହରଣ ଭାବରେ ଯୋଗାଯୋଗ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଏବଂ କହିଥିଲେ ଯେ ସରକାର ଦ୍ରୁତ, ଅନ୍ତର୍ଭୁକ୍ତ ଭୌତିକ ସଂଯୋଗ ଉପରେ ଧ୍ୟାନ ଦେଇଛନ୍ତି ଯାହା ଏକ ବିକାଶଶୀଳ ସମାଜ ପାଇଁ, ବିଶେଷ କରି ଭାରତ ପରି ଏକ ବିଶାଳ ଏବଂ ବିବିଧ ଦେଶରେ ଜରୁରୀ ଅଟେ। ଏହି କାରଣରୁ ବିମାନ ଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁଲଭ ବିମାନ ଯାତ୍ରାର ସ୍ୱପ୍ନକୁ ମନେ ପକାଇ ସେ କହିଛନ୍ତି ଯେ ଯେଉଁମାନେ ‘ହାୱାଇ ଚପଲ’ ପିନ୍ଧିଥିଲେ ସେମାନେ ବିମାନ ଯାତ୍ରା କରିବାକୁ ସକ୍ଷମ ହେବା ଉଚିତ ଏବଂ କାର୍ଯ୍ୟକ୍ଷମ ହୋଇଥିବା ଉଡାନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ଟାୟାର –  ୨ ଏବଂ ଟାୟାର – ୩ ସହରରେ ନୂତନ ବିମାନବନ୍ଦର ନେଟୱାର୍କ ଜନସାଧାରଣଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ କରିଛି ବୋଲି ସେ ସୂଚନା ଦେଇଛନ୍ତି। ଉଡାନ ଯୋଜନାର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଉଡାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷ ବିମାନ ଚଳାଚଳ କରିଛି, ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧.୫ କୋଟି ସାଧାରଣ ନାଗରିକ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ଅଧୀନରେ ୬୦୦ରୁ ଅଧିକ ମାର୍ଗ ରହିଛି ଯାହା ଛୋଟ ସହରଗୁଡ଼ିକୁ ଅଧିକ ସଂଯୋଗ କରୁଛି। ସେ ଦର୍ଶାଇଛନ୍ତି ଯେ ୨୦୧୪ ରେ ପ୍ରାୟ ୭୦ଟି ବିମାନବନ୍ଦର ତୁଳନାରେ ଭାରତରେ ବିମାନବନ୍ଦର ସଂଖ୍ୟା ୧୫୦ ରୁ ଅଧିକ ହୋଇଛି।

ଭାରତର ଯୁବବର୍ଗଙ୍କୁ ବିଶ୍ୱ ଅଭିବୃଦ୍ଧିର ପ୍ରେରକ ଶକ୍ତି ହେବା ପାଇଁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଏବଂ ନିଯୁକ୍ତି ଉପରେ ସରକାରଙ୍କ ଧ୍ୟାନ ଉପରେ ଆଲୋକପାତ କରିଥିଲେ। ବିଗତ ୧୦ ବର୍ଷର ପ୍ରୟାସର ଫଳାଫଳ ଏବେ ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ ଏବଂ ସଦ୍ୟତମ ଟାଇମ୍ସ ହାୟର ଏଜୁକେସନ ରାଙ୍କିଙ୍ଗରେ ପ୍ରତିଫଳିତ ହୋଇଥିବା ଗବେଷଣା ଗୁଣବତ୍ତାରେ ଭାରତର ବିଶ୍ୱସ୍ତରରେ ସର୍ବୋଚ୍ଚ ଉନ୍ନତି ବିଷୟରେ ଉଲ୍ଲେଖ କରିଥିଲେ। ବିଗତ ୮ – ୯ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅଂଶଗ୍ରହଣ ୩୦ ରୁ ୧୦୦କୁ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଭାରତର ଉପସ୍ଥିତି ୩୦୦% ରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଭାରତରେ ପେଟେଣ୍ଟ ଏବଂ ଟ୍ରେଡମାର୍କ ଦାଖଲ ସଂଖ୍ୟା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ ଯେ ଭାରତ ଦ୍ରୁତ ଗତିରେ ଗବେଷଣା ଏବଂ ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେଉଛି ଯେଉଁଠାରେ ବର୍ତ୍ତମାନ ବିଶ୍ୱର ୨,୫୦୦ରୁ ଅଧିକ କମ୍ପାନୀର ଭାରତରେ ଗବେଷଣା କେନ୍ଦ୍ର ଅଛି ଏବଂ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ଅଭୂତପୂର୍ବ ଅଭିବୃଦ୍ଧି ଦେଇ ଗତି କରୁଛି।

ଜଣେ ବିଶ୍ୱସ୍ତ ବନ୍ଧୁ ଭାବରେ ଭାରତର ବୃଦ୍ଧି ପାଉଥିବା ବିଶ୍ୱସ୍ତରୀୟ ଖ୍ୟାତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ଭବିଷ୍ୟତକୁ ଦିଗ ଦର୍ଶନ ଦେବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। କୋଭିଡ୍‌- ୧୯ ମହାମାରୀ ବିଷୟରେ ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଅତ୍ୟାବଶ୍ୟକ ଔଷଧ ଏବଂ ଟୀକାର କ୍ଷମତାରୁ ଭାରତ ଲକ୍ଷ ଲକ୍ଷ ଡଲାର ରୋଜଗାର କରିପାରିଥାନ୍ତା। ଭାରତ ଏଥିରୁ ଉପକୃତ ହୋଇଥାନ୍ତା କିନ୍ତୁ ମାନବିକତା ହାରିଥାନ୍ତା। ଏଗୁଡ଼ିକ ଆମର ମୂଲ୍ୟବୋଧ ନୁହେଁ । ଏହି ଆହ୍ଵାନପୂର୍ଣ୍ଣ ସମୟରେ ଆମେ ଶତାଧିକ ଦେଶକୁ ଔଷଧ ଏବଂ ଜୀବନ ରକ୍ଷାକାରୀ ଟୀକା ଯୋଗାଇ ଦେଇଥିଲୁ ବୋଲି ସେ କହିଛନ୍ତି, କଠିନ ମୁହୂର୍ତ୍ତରେ ଭାରତ ବିଶ୍ୱକୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବାରୁ ମୁଁ ସନ୍ତୁଷ୍ଟ। ଦୃଢ଼ ଅନ୍ତର୍ଜାତୀୟ ସମ୍ପର୍କ ଗଠନ ଦିଗରେ ଭାରତର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ ଏବଂ ବିଶ୍ୱସନୀୟତା (ଏହା ସମ୍ପର୍କକୁ ହାଲୁକା ଭାବେ ନେବାରେ ବିଶ୍ୱାସ କରେ ନାହିଁ ଏବଂ ବିଶ୍ୱ ମଧ୍ୟ ଏହାକୁ ବୁଝୁଛି। ସମଗ୍ର ବିଶ୍ୱ ସହିତ ଭାରତର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, “ଭାରତ ଏପରି ଏକ ଦେଶ ଯାହାର ପ୍ରଗତି ଅନ୍ୟମାନଙ୍କ ମଧ୍ୟରେ ଈର୍ଷା କିମ୍ବା ବିଦ୍ଵେଷ ଜାଗ୍ରତ କରେ ନାହିଁ। ବିଶ୍ୱ ଆମର ପ୍ରଗତିରେ ଆନନ୍ଦିତ କାରଣ ସମଗ୍ର ବିଶ୍ୱ ଏଥିରୁ ଉପକୃତ ହେଉଛି। ବିଶ୍ୱ ପ୍ରତି ଭାରତର ସମୃଦ୍ଧ ଅବଦାନ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଅତୀତରେ ଭାରତ ବିଶ୍ୱ ଅଭିବୃଦ୍ଧିକୁ ଅଧିକ କରିବାରେ ଏକ ସକାରାତ୍ମକ ଭୂମିକା ଗ୍ରହଣ କରିଛି ଏବଂ ଏହାର ଚିନ୍ତାଧାରା, ଉଦ୍ଭାବନ ଏବଂ ଉତ୍ପାଦ ଶହ ଶହ ବର୍ଷ ଧରି ବିଶ୍ୱରେ ଏକ ଅବିସ୍ମରଣୀୟ ଛାପ ଛାଡିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶ ଯୋଗୁଁ ଭାରତ ଶିଳ୍ପ ବିପ୍ଳବର ଫାଇଦା ଉଠାଇ ପାରିଲା ନାହିଁ। ଏହା ହେଉଛି ଇଣ୍ଡଷ୍ଟ୍ରି ୪.୦ର ଯୁଗ। ଭାରତ ଆଉ ଦାସ ନୁହେଁ। ସ୍ୱାଧୀନତା ପାଇବାର ୭୫ ବର୍ଷ ବିତିଗଲାଣି, ତେଣୁ ଏବେ ଆମେ ନିଜ କ୍ଷେତ୍ରକୁ କଡ଼ାକଡ଼ି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶିଳ୍ପ ୪.୦ ପାଇଁ ଆବଶ୍ୟକ ଦକ୍ଷତା ଏବଂ ଭିତ୍ତିଭୂମି ଉପରେ ଭାରତ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ସେ ଜି- ୨୦ ଏବଂ ଜି- ୭ ଶିଖର ସମ୍ମିଳନୀ ସମେତ ବିଭିନ୍ନ ବୈଶ୍ୱିକ ପ୍ଲାଟଫର୍ମରେ ଅଂଶଗ୍ରହଣ କରିଛନ୍ତି ଏବଂ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଆଧାର ଓ ଡିଜିଲକର ଭଳି ଭାରତର ଉଦ୍ଭାବନକୁ ପ୍ରଶଂସା କରିଥିବା ପଲ୍ ରୋମରଙ୍କ ସହ ଆଲୋଚନା ସମ୍ପର୍କରେ ସେ କହିଛନ୍ତି, ଆଜି ସମଗ୍ର ବିଶ୍ୱ ଭାରତର ଡିପିଆଇ ଉପରେ ନଜର ରଖିଛି। “ଇଣ୍ଟରନେଟ୍ ଯୁଗରେ ଭାରତକୁ ଫାଷ୍ଟ ମୁଭର ସୁବିଧା ମିଳିନଥିଲା”, ଶ୍ରୀ ମୋଦୀ ଦର୍ଶାଇଥିଲେ ଯେ ଘରୋଇ ପ୍ଲାଟଫର୍ମଗୁଡିକ ଏହି ସୁବିଧା ଥିବା ଦେଶ ମାନଙ୍କରେ ଡିଜିଟାଲ କ୍ଷେତ୍ରର ନେତୃତ୍ୱ ନେଇଥିଲେ । ସେ କହିଥିଲେ ଯେ ଭାରତ ଟେକ୍ନୋଲୋଜିର ଗଣତାନ୍ତ୍ରିକୀକରଣ କରି ବିଶ୍ୱକୁ ଏକ ନୂତନ ମଡେଲ ପ୍ରଦାନ କରିଛି ଏବଂ ଜେଏଏମ ଟ୍ରିନିଟି – ଜନଧନ, ଆଧାର ଏବଂ ମୋବାଇଲ୍ ଉପରେ ଆଲୋକପାତ କରିଛି ଯାହା ଦ୍ରୁତ ଏବଂ ତ୍ରୁଟି ମୁକ୍ତ ସେବା ପ୍ରଦାନ ପାଇଁ ଏକ ଦୃଢ଼ ବ୍ୟବସ୍ଥା ପ୍ରଦାନ କରେ। ଦୈନିକ ୫୦୦ ନିୟୁତରୁ ଅଧିକ ଡିଜିଟାଲ କାରବାରକୁ ସୁଗମ କରୁଥିବା ୟୁପିଆଇ ବିଷୟରେ ମଧ୍ୟ ସେ ସ୍ପର୍ଶ କରିଥିଲେ ଏବଂ କହିଥିଲେ ଯେ ଏହା ପଛରେ ଚାଳକ ଶକ୍ତି ନିଗମ ନୁହେଁ ବରଂ ଆମର କ୍ଷୁଦ୍ର ଦୋକାନୀ ଏବଂ ଷ୍ଟ୍ରିଟ୍ ଭେଣ୍ଡର ହେଉଛନ୍ତି ଚାଳକ ଶକ୍ତି। ସେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ସୃଷ୍ଟି କରାଯାଇଥିବା ପିଏମ ଗତି ଶକ୍ତି ପ୍ଲାଟଫର୍ମ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବର୍ତ୍ତମାନ ଲଜିଷ୍ଟିକ୍ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରୁଛି। ସେହିଭଳି ଓଏନଡିସି ପ୍ଲାଟଫର୍ମ ଏକ ଅଭିନବ ପ୍ରମାଣିତ ହେଉଛି ଯାହା ଅନଲାଇନ ରିଟେଲରେ ସ୍ୱଚ୍ଛତାକୁ ଲୋକାଭିମୁଖୀ ଏବଂ ବୃଦ୍ଧି କରିଥାଏ। ଡିଜିଟାଲ ଉଦ୍ଭାବନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ନିୟନ୍ତ୍ରଣ ଏବଂ ବିଭାଜନ ପରିବର୍ତ୍ତେ ଅନ୍ତର୍ଭୁକ୍ତୀକରଣ, ସ୍ୱଚ୍ଛତା ଏବଂ ସଶକ୍ତୀକରଣ ପାଇଁ ଏକ ଉପକରଣ ବୋଲି ଧାରଣାକୁ ଭାରତ ପ୍ରମାଣିତ କରିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଏକବିଂଶ ଶତାବ୍ଦୀ ମାନବ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଆଜିର ଯୁଗର ଜରୁରୀ ଆବଶ୍ୟକତା: ସ୍ଥିରତା, ସ୍ଥାୟୀତା ଏବଂ ସମାଧାନ ଉପରେ ଗୁରୁତ୍ୱ।ରୋପ କରେ। ମାନବଜାତିର ଉନ୍ନତ ଭବିଷ୍ୟତ ପାଇଁ ଏହି ଉପାଦାନଗୁଡ଼ିକ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ଭାରତ ଏହାର ସମାଧାନ ପାଇଁ ପ୍ରୟାସ କରୁଛି। ସେ ଭାରତୀୟ ଜନସାଧାରଣଙ୍କ ଅତୁଟ ସମର୍ଥନକୁ ଉଲ୍ଲେଖ କରି କହିଛନ୍ତି ଯେ ଜନତା କ୍ରମାଗତ ତୃତୀୟ ଥର ପାଇଁ ଏକ ସରକାରଙ୍କୁ ସେମାନଙ୍କର ଜନାଦେଶ ଦେଇଛନ୍ତି, ଯାହା ଛଅ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ସ୍ଥିରତାର ଏକ ଦୃଢ଼ ବାର୍ତ୍ତା ଦେଇଛି, ଯେଉଁଥିରେ ହରିୟାଣାରେ ନିକଟରେ ହୋଇଥିବା ନିର୍ବାଚନକୁ ଉଲ୍ଲେଖ କରାଯାଇପାରେ ଯେଉଁଠାରେ ଜନସାଧାରଣ ଏହି ଭାବନାକୁ ସୁଦୃଢ଼ କରିଛନ୍ତି।

ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନର ବିଶ୍ୱ ସଙ୍କଟ ଉପରେ ଆଲୋକପାତ କରି କହିଥିଲେ ଯେ ଏହା ସମଗ୍ର ମାନବଜାତି ସାମନା କରୁଥିବା ଏକ ସଙ୍କଟ। ବିଶ୍ୱ ଜଳବାୟୁ ଆହ୍ଵାନରେ ଭାରତର ସର୍ବନିମ୍ନ ଅବଦାନ ସତ୍ତ୍ୱେ ଏହାର ମୁକାବିଲା ଦିଗରେ ଦେଶ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସରକାର ସବୁଜ ପରିବର୍ତ୍ତନକୁ ଅଭିବୃଦ୍ଧିର ଏକ ପ୍ରମୁଖ ଚାଳକ କରିଛନ୍ତି ଏବଂ ଭାରତର ବିକାଶ ଯୋଜନାର ମୂଳରେ ସ୍ଥାୟୀତା ରହିଛି । ସେ ଏହି ପ୍ରତିବଦ୍ଧତାର ଉଦାହରଣ ଦେଇଥିଲେ ଏବଂ କୃଷି ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଏବଂ ସୌର ପମ୍ପ ଯୋଜନା, ଇଭି ବିପ୍ଳବ, ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ, ବୃହତ ପବନ ଶକ୍ତି ଫାର୍ମ, ଏଲଇଡି ଆଲୋକ ପରିବହନ, ସୌର ଚାଳିତ ବିମାନ ବନ୍ଦର ଏବଂ ବାୟୋଗ୍ୟାସ ପ୍ଲାଣ୍ଟ ବିଷୟରେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟକ୍ରମ ସବୁଜ ଭବିଷ୍ୟତ ଏବଂ ସବୁଜ ନିଯୁକ୍ତି ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ସ୍ଥିରତା ଏବଂ ନିରନ୍ତରତା ସହିତ ଭାରତ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ସମାଧାନ ପ୍ରଦାନ ଉପରେ ମଧ୍ୟ ଧ୍ୟାନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଆନ୍ତର୍ଜାତିକ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଭାରତ-ମଧ୍ୟପ୍ରାଚ୍ୟ ଅର୍ଥନୈତିକ କରିଡର, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଯୋଗ, ଆୟୁର୍ବେଦ, ମିଶନ ଲାଇଫ୍ ଏବଂ ମିଶନ ମିଲେଟ୍ସ କ୍ଷେତ୍ରରେ ପ୍ରୟାସ ସମେତ ଏହି ଆହ୍ୱାନର ମୁକାବିଲା ପାଇଁ ଜରୁରୀ ଅନେକ ପଦକ୍ଷେପ ଉପରେ କାର୍ଯ୍ୟ କରିଛି ବୋଲି ସେ କହିଥିଲେ। ଏହି ସବୁ ପଦକ୍ଷେପ ବିଶ୍ୱର ଜଟିଳ ସମସ୍ୟାର ସମାଧାନ ଖୋଜିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ଭାରତର ଅଭିବୃଦ୍ଧି ପାଇଁ ଗର୍ବ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଯେତେ ଆଗକୁ ବଢିବ, ବିଶ୍ୱ ଆହୁରି ଅଧିକ ଉପକୃତ ହେବ। ସେ ଏପରି ଏକ ଭବିଷ୍ୟତର ପରିକଳ୍ପନା କରିଛନ୍ତି ଯେଉଁଠାରେ ଭାରତର ଶତାବ୍ଦୀ ସମଗ୍ର ମାନବଜାତିର ବିଜୟରେ ପରିଣତ ହେବ। ସେ କହିଥିଲେ ଯେ ଭାରତର ଶତାବ୍ଦୀ ସମସ୍ତଙ୍କ ଭବିଷ୍ୟତର ପରିକଳ୍ପନା କରିଛନ୍ତି ଯେଉଁଠାରେ ଭାରତର ଶତାବ୍ଦୀ ସମଗ୍ର ମାନବଜାତିର ବିଜୟରେ ପରିଣତ ହେବ। ସେ କହିଥିଲେ ଯେ ଭାରତର ଶତାବ୍ଦୀ ସମସ୍ତଙ୍କ ପ୍ରତିଭାରେ ସମୃଦ୍ଧ ଏବଂ ଉଦ୍ଭାବନ ଦ୍ୱାରା ସମୃଦ୍ଧ। ଶ୍ରୀ ମୋଦୀ ବିଶ୍ୱ ସ୍ଥିରତା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିବାରେ ଭାରତର ପ୍ରୟାସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। “ଏହା ଏକ ଶତାବ୍ଦୀ ଯେଉଁଥିରେ ଭାରତର ପଦକ୍ଷେପ ଅଧିକ ସ୍ଥିର ବିଶ୍ୱ ପାଇଁ ଯୋଗଦାନ କରେ ଏବଂ ବିଶ୍ୱ ଶାନ୍ତିକୁ ବଢ଼ାଇଥାଏ” ବୋଲି ଶ୍ରୀ ମୋଦୀ ଶେଷରେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସହରାଞ୍ଚଳ ଜମି ରେକର୍ଡର ସର୍ଭେ-ପୁନଃ ସର୍ବେକ୍ଷଣ ଉପରେ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆଦିଲ୍ଲୀର ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ “ସହରାଞ୍ଚଳ ଜମି ରେକର୍ଡ ପାଇଁ ସର୍ଭେ-ପୁନଃସର୍ଭିରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର” ଉପରେ ଆନ୍ତର୍ଜାତିକ କର୍ମଶାଳାକୁ ଉଦଘାଟନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବରାଜ ସିଂହ ଚୌହାନ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍ଆରଏମପି) ଅଧୀନରେ ଜମି ରେକର୍ଡର ଡିଜିଟାଇଜେସନ୍ ଏବଂ ରକ୍ଷଣାବେକ୍ଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଗୁଣାତ୍ମକ ଜମି ରେକର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଭାବେ ଅପଡେଟ୍ ହୋଇଥିବା ଏବଂ ସ୍ୱଚ୍ଛ ଜମି ରେକର୍ଡ ଗୁଡିକ ଜମି ସମ୍ପଦର ଅପ୍ଟିମାଇଜେସନ୍ ଏବଂ ନୀତି ଏବଂ ଯୋଜନାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସୂଚନା ଆଦାନ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଏକ ସୁଦୃଢ଼ ସମ୍ପତ୍ତି ରେକର୍ଡ ଏବଂ ଟିକସ ପ୍ରଶାସନ ପାଇଁ, କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ବିଭିନ୍ନ ଯୋଜନା ମାଧ୍ୟମରେ ଜନସେବା ପ୍ରଦାନର ଫଳପ୍ରଦତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଜମି ରେକର୍ଡ ଗୁଡିକର ନିରବଚ୍ଛିନ୍ନ ଉପଲବ୍ଧତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ବିସ୍ତୃତ ଭାବରେ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଭୂମି ସମ୍ପଦ ବିଭାଗ ଏବଂ ରାଜ୍ୟ ସରକାରମାନଙ୍କୁ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

ସେ ସହରାଞ୍ଚଳ ଜମି ରେକର୍ଡ ସୃଷ୍ଟି କରିବା ଦିଗରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଏବଂ ୩୪ଟି ସହରରେ ଡ୍ରୋନ୍ ଉଡ଼ାଣ ସମ୍ପୂର୍ଣ୍ଣ ହୋଇଛି ଏବଂ ୧୨ଟି ସହରରେ ଆର୍ଥୋରେକ୍ଟିଫାଇଡ୍ ଇମେଜରି (ଓଆରଆଇ) ଉତ୍ପାଦନ ଶେଷ ହୋଇଛି ବୋଲି ସୂଚନା ଦେଇଥିଲେ। ସହରାଞ୍ଚଳରେ ଜମି ରେକର୍ଡ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭୂମି ସମ୍ପଦ ବିଭାଗର ‘ନ୍ୟାସନାଲ ଜିଓସ୍ପାଟିଆଲ୍ ନଲେଜ୍ ବେସଡ୍‌ ଲ୍ୟାଣ୍ଡ ସର୍ଭେ ଅଫ୍ ଅର୍ବାନ୍ ହାବିଟେସନ୍ସ୍ (ଏନଏକେଏସଏଚଏ)’ ନାମକ ପାଇଲଟ୍ କାର୍ଯ୍ୟକ୍ରମକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ପାଇଲଟ୍ ପ୍ରୋଜେକ୍ଟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୦ରୁ ଅଧିକ ସହର/ଟାଉନରେ ଆରମ୍ଭ ହେବ ଏବଂ ଏହା ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଏହାପରେ ପୂର୍ଣ୍ଣାଙ୍ଗ ସର୍ବେକ୍ଷଣ କରାଯିବ ଯାହା ୫ ବର୍ଷ ମଧ୍ୟରେ ଦେଶର ସମଗ୍ର ସହରାଞ୍ଚଳକୁ ଅନ୍ତର୍ଭୁକ୍ତ କରିବ। ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ୩ଡି ଚିତ୍ର ସହିତ ଆକାଶମାର୍ଗରୁ ଫଟୋଗ୍ରାଫି ସହରାଞ୍ଚଳ ଯୋଜନା ପାଇଁ ଏକ ଶକ୍ତିଶାଳୀ ଉପକରଣ ବୋଲି ରିପୋର୍ଟ କରି ସେ ଆନନ୍ଦିତ। ସ୍ଥାନୀୟ ସ୍ତରରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉନ୍ନତ ଜଳ ନିଷ୍କାସନ ଓ ବନ୍ୟା ପରିଚାଳନା ବିକାଶ ଅତ୍ୟନ୍ତ ଜରୁରୀ। ସଠିକ ଜିପିଏସ୍ ସମନ୍ୱୟ ସହିତ ଆକାଶମାର୍ଗରୁ ଫଟୋଗ୍ରାଫି ଜମି ସର୍ବେକ୍ଷଣର ଗତିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, ଯାହା ଶେଷରେ ସମ୍ପତ୍ତି ଟିକସ ଆକଳନ, ଉନ୍ନତ ପରିବହନ ବ୍ୟବସ୍ଥା, ଡ୍ରେନେଜ୍ ଏବଂ ବନ୍ୟା ପରିଚାଳନା ଯୋଜନା ଏବଂ ଆମ ସହରାଞ୍ଚଳ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାରେ ଉପଯୋଗୀ ହେବ।

ଶିବରାଜ ସିଂ ଚୌହାନ କହିଛନ୍ତି ଯେ ସେ ଖୁସିରେ ସୂଚନା ଦେଉଛନ୍ତି ଯେ ତାଙ୍କ ବିଭାଗ ଏ ଦିଗରେ ଅକ୍ଳାନ୍ତ ପ୍ରୟାସ କରୁଛି। ସେ ଜମି ରେକର୍ଡ ସୃଷ୍ଟି ଏବଂ ସମନ୍ୱୟ ଉପରେ ଅନ୍ୟ ଦେଶର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଚାହୁଁଥିଲେ ଏବଂ ଏହି ଦୁଇ ଦିନିଆ ସମ୍ମିଳନୀ ଏ ଦିଗରେ ନୂତନ ଏବଂ ଉଦୀୟମାନ ଜ୍ଞାନକୌଶଳର ବ୍ୟବହାରରେ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋଚନା ଏବଂ ବୁଝିବା ପାଇଁ ଏକ ପ୍ରୟାସ। ସେ ନିଶ୍ଚିତ ଯେ ବିଶିଷ୍ଟ ଅଂଶଗ୍ରହଣକାରୀମାନେ ସେମାନଙ୍କର ମତାମତ ରଖିବେ ଯାହା ଅଧିବେଶନରେ ବିସ୍ତୃତ ଭାବରେ ଆଲୋଚନା କରାଯିବ। ସେ ଏଠାରେ ଉପସ୍ଥିତ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କୁ ଏହି ଆଲୋଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି, କାରଣ କେବଳ ରାଜ୍ୟମାନଙ୍କ ସହଯୋଗରେ ଆମେ ସହରାଞ୍ଚଳ ଭୂମି ପ୍ରଶାସନରେ ଆଧୁନିକ ଜ୍ଞାନକୌଶଳକୁ ସମନ୍ୱିତ କରିପାରିବା ଏବଂ ଭୂମି ପରିଚାଳନା ବ୍ୟବସ୍ଥାରେ ଦକ୍ଷତା ଏବଂ ସ୍ୱଚ୍ଛତା ରେ ଉନ୍ନତି ଆଣିବାରେ ସକ୍ଷମ ହୋଇପାରିବା। ସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ ଉପସ୍ଥିତିରୁ ଆମେ ଉପକୃତ ହୋଇବୁ ଏବଂ ସେମାନେ ଉପସ୍ଥାପନ କରିଥିବା ଜ୍ଞାନ ଆମକୁ ଭୂମି ପରିଚାଳନାରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବାରେ ସାହାଯ୍ୟ କରିବ।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ଏବଂ କର୍ମଶାଳାରୁ ମିଳିଥିବା ସୂଚନା ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ପାଇଁ ନୀତି ପ୍ରଣୟନ କରିବାରେ ସରକାରଙ୍କୁ ସାହାଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଭୂମି ସମ୍ପଦ ବିଭାଗ ସଚିବ ମନୋଜ ଯୋଶୀ କହିଛନ୍ତି ଯେ ଏହି ଅନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରାଯାଇଛି ଏବଂ ଏହା ସହିତ ଆମେ ସହରାଞ୍ଚଳରେ ସର୍ଭେ କରିବା ପାଇଁ ଏକ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଏଥିପାଇଁ ସର୍ଭେ ଅଫ୍ ଇଣ୍ଡିଆ ହେଉଛି ଆମର ବୈଷୟିକ ସହଯୋଗୀ, ଯାହାଦ୍ୱାରା ସମସ୍ତ ସହରରେ ଡ୍ରୋନ୍ ଉଡ଼ାଣ ହୋଇପାରିବ। ଡ୍ରୋନ୍ ଉଡ଼ାଣରୁ ମିଳିଥିବା ଫଟୋରୁ ରାଜ୍ୟର ରାଜସ୍ୱ ଓ ସହରାଞ୍ଚଳ ବିଭାଗ ସହରଗୁଡ଼ିକର ସହରାଞ୍ଚଳ ଜମି ରେକର୍ଡ, ମାଷ୍ଟର ପ୍ଲାନ୍ ଏବଂ ଡ୍ରେନେଜ୍ ରେକର୍ଡ ପ୍ରସ୍ତୁତ କରିବେ। ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଜମି ରେକର୍ଡରେ ବିଦେଶୀ ବିଶେଷଜ୍ଞମାନେ ସଫ୍ଟୱେରରେ ବିଶେଷଜ୍ଞଙ୍କ ସୁବିଧା ନେଇପାରିବେ। ଯେଉଁ ରାଜ୍ୟମାନେ ଜମି ରେକର୍ଡ ସର୍ଭେ କାର୍ଯ୍ୟ କରିଛନ୍ତି ସେମାନେ ପରସ୍ପର ସହ ସୂଚନା ବାଣ୍ଟିବାରେ ସକ୍ଷମ ହେବେ। ଆମେ ଏକ ବର୍ଷ ମଧ୍ୟରେ ଜମି ରେକର୍ଡର ଏହି କାର୍ଯ୍ୟ ଶେଷ କରିବାକୁ ସକ୍ଷମ ହୋଇପାରିବୁ।

ଉଦଘାଟନୀ ଅଧିବେଶନରେ ଭାରତ ସରକାରଙ୍କ ଭୂମି ସମ୍ପଦ ବିଭାଗର ଯୁଗ୍ମ ସଚିବ କୁନାଲ ସତ୍ୟାର୍ଥୀ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର କାର୍ଯ୍ୟସୂଚୀ ସ୍ଥିର କରିଥିଲେ। ଦକ୍ଷିଣ ଏସିଆ ଭିତ୍ତିଭୂମି ବିଭାଗର ସହରାଞ୍ଚଳ ଓ ଭୂମି ପାଇଁ ବିଶ୍ୱବ୍ୟାଙ୍କର ପ୍ରାକ୍ଟିସ ମ୍ୟାନେଜର ଆବେଦେଲରାଜକ ଖଲିଲ ସହରାଞ୍ଚଳରେ ଜମି ରେକର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ସ୍ୱାମିତ୍ଵ ଯୋଜନାର ଅଭିଜ୍ଞତା ବାଣ୍ଟିବା ସହ ସହରାଞ୍ଚଳ ପାଇଁ ମଧ୍ୟ ଡିଜିଟାଲ ଜମି ରେକର୍ଡର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସହରାଞ୍ଚଳ ଡିଜିଟାଲ ଜମି ରେକର୍ଡ ପ୍ରତିଷ୍ଠା ଏବଂ ରକ୍ଷଣାବେକ୍ଷଣରେ ଅନ୍ତର୍ଜାତୀୟ ଶ୍ରେଷ୍ଠ ଅଭ୍ୟାସ ଉପରେ କର୍ମଶାଳାର ପ୍ରଥମ ଅଧିବେଶନରେ ଭୂମି ସମ୍ପଦ ବିଭାଗ ର ସଚିବ ଶ୍ରୀ ମନୋଜ ଯୋଶୀ ଅଧ୍ୟକ୍ଷତା କରିଥିଲେ ଏବଂ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ କ୍ଲାଉସ୍ ଡିନିଙ୍ଗର ପରିଚାଳନା କରିଥିଲେ। ଏହି ଅଧିବେଶନରେ ଦକ୍ଷିଣ କୋରିଆ, ସ୍ପେନ୍, ନେଦରଲାଣ୍ଡ, ଫ୍ରାନ୍ସ, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ, ଆମେରିକା, ଜର୍ମାନୀର ଭୂମି ପଞ୍ଜୀକରଣ/ସର୍ବେକ୍ଷଣ ବିଭାଗରୁ ବିଶ୍ୱସ୍ତରୀୟ ଅଂଶଗ୍ରହଣ ହୋଇଥିଲା। ପଞ୍ଜୀକରଣ ଆଇନ, ଭୂମି ସର୍ବେକ୍ଷଣ, ଆକାଶମାର୍ଗର ମ୍ୟାପିଂ ଏବଂ ଜିଆଇଏସର ଏକୀକରଣ ଏବଂ କାର୍ଯ୍ୟକାରିତା ଉପରେ ଏହି ଅଧିବେଶନରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳା ଭାରତ ସରକାରଙ୍କ ମନ୍ତ୍ରଣାଳୟ/ବିଭାଗ, ୩୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ରାଜସ୍ୱ ଓ ନଗର ଉନ୍ନୟନ ସଚିବ, ମ୍ୟୁନିସିପାଲ କମିଶନର, ଅନ୍ତର୍ଜାତୀୟ ବିଶେଷଜ୍ଞ, ପାଖାପାଖି ୧୨୦ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ମ୍ୟୁନିସିପାଲିଟି ଅଫିସର/ ସିଇଓମାନଙ୍କର ଏକ ଅନନ୍ୟ ସମାବେଶ, ଯେଉଁମାନେ ଭାରତ ତଥା ବିଦେଶରୁ ସହରାଞ୍ଚଳ ଜମି ରେକର୍ଡର ଆଧୁନିକୀକରଣ ପାଇଁ ପାଇଲଟ୍ କାର୍ଯ୍ୟକ୍ରମ ନ୍ୟାସନାଲ୍ ଜିଓସ୍ପାଟିଆଲ୍ ନଲେଜ୍ ବେସଡ୍‌ ସର୍ଭେ ଅଫ୍‌ ହାବିଟେସନସ (ଏନଏକେଏସଏଚରେ)ରେ ଅଂଶଗ୍ରହଣ କରୁଛନ୍ତି।

ଏହାବ୍ୟତୀତ ଭାରତ ତଥା ବିଦେଶର ୩୦ରୁ ଅଧିକ ଟେକ୍ନୋଲୋଜି କମ୍ପାନୀକୁ ନେଇ ସର୍ଭେ ଓ ପୁନଃ ସର୍ଭେ ଉପରେ ଏକ ଟେକ୍ନୋଲୋଜି ପ୍ରଦର୍ଶନୀକୁ ଭାରତ ସରକାରଙ୍କ ଭୂମି ସମ୍ପଦ ବିଭାଗର ସଚିବ ମନୋଜ ଯୋଶୀ ଉଦଘାଟନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କୃଷକ ଏବଂ କୃଷକ ସଂଗଠନ ସହିତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ କୃଷକ, କୃଷକ ସଂଗଠନ ଏବଂ ବିଭିନ୍ନ ରାଜ୍ୟର କୃଷକ, ସଦସ୍ୟ ଏବଂ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଯେ କୃଷକମାନଙ୍କ ସହିତ କୃଷି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଉପରେ ଗମ୍ଭୀରତାର ସହ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରାଯାଇଥିବା ସମସ୍ତ ପ୍ରୟାସ ସହିତ ରବି ଫସଲର ଏମଏସପି ବୃଦ୍ଧି ପାଇଁ ଗତକାଲି କ୍ୟାବିନେଟର ନିଷ୍ପତ୍ତି ବିଷୟରେ ସେ କୃଷକମାନଙ୍କୁ ଅବଗତ କରାଇଥିଲେ। କୃଷକ ସଂଗଠନ ଗୁଡ଼ିକ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ସହ ଅନେକ ଗଠନମୂଳକ ପରାମର୍ଶ ଦେଇଥିଲେ। ଏକ, ଦୁଇ କିମ୍ବା ଅଢ଼େଇ ଏକର ଜମି ଥିବା କୃଷକମାନେ କିପରି ଚାଷ କରିବେ ଏବଂ ଏଥିରେ କିପରି ଲାଭଦାୟକ ଚାଷ କରିବେ ସେ ନେଇ ଆଦର୍ଶ କୃଷି କରିବା ପାଇଁ ସୂଚନା ଦିଆଯିବା ଦରକାର ବୋଲି କୃଷକମାନେ କହିଛନ୍ତି। ଏକ ଏକର ଚାଷ ଜମିରେ କୃଷକମାନେ ଲାଭଜନକ ଚାଷ କରୁଥିବାର ଉଦାହରଣ ମଧ୍ୟ ଦେଇଛନ୍ତି ଚାଷୀ। ଜଳ ଯୋଗାଣ, ସାର ବ୍ୟବହାର, ମାଟିକୁ ସୁସ୍ଥ କରିବା, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି, ଚିନିକଳ ବନ୍ଦ, ବୁଲା ପଶୁଙ୍କ ସମସ୍ୟା ଆଦି ବିଷୟରେ ଚାଷୀମାନେ ଆଲୋଚନା କରିଥିଲେ। ବାଜରା/ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦେବା ନେଇ ମଧ୍ୟ ଚାଷୀମାନେ ପରାମର୍ଶ ଦେଇଛନ୍ତି।

କୃଷକଙ୍କ ପରାମର୍ଶକୁ ସେ ଗମ୍ଭୀରତାର ସହ ବିଚାର କରି ଏହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ସହ ଜଡ଼ିତ ବିଷୟଗୁଡ଼ିକୁ ରାଜ୍ୟକୁ ପଠାଯିବ ଏବଂ ବିଭାଗଗୁଡ଼ିକ କେନ୍ଦ୍ର ସରକାରଙ୍କ ବିଷୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୃଷକମାନଙ୍କ ସହ ଯୋଗାଯୋଗ ଅତ୍ୟନ୍ତ ଉପଯୋଗୀ ହୋଇଛି ଏବଂ ଏହି ଆଲୋଚନା ମାଧ୍ୟମରେ ଆମେ ସିଧାସଳଖ କୃଷକମାନଙ୍କଠାରୁ ମୌଳିକ ସମସ୍ୟା ବିଷୟରେ ସୂଚନା ପାଉଛୁ। ସରକାରୀ ଯୋଜନା ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚା ଯାଉଛି ବୋଲି ସେ କହିଛନ୍ତି।

ଘୋଷିତ ଏମଏସପିରେ ସମସ୍ତ ୨୩ ଟି ଫସଲ କିଣିବା ପାଇଁ ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ କୃଷକ ଅନୁକୂଳ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବାମପନ୍ଥୀ ଉଗ୍ରବାଦ ଉପରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ଗୃହମନ୍ତ୍ରୀ ଯୋଗ ଦେଇଥିଲେ। ଏହି ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀମାନେ, ଯେଉଁମାନେ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟମାନଙ୍କୁ ସହଯୋଗ କରୁଛନ୍ତି, ସେମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଉପଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଏଲଡବ୍ଲ୍ୟୁଇ ପ୍ରଭାବିତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

​କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରୁଥିବା ସମସ୍ତ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏଥିରେ ଆମର ୮ କୋଟି ଆଦିବାସୀ ଭାଇ ଭଉଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ଶାହା ଆହୁରି କହିଛନ୍ତି ଯେ, ବିକଶିତ ଭାରତର ପ୍ରକୃତ ଅର୍ଥ ହେଉଛି ଆମର ୮ କୋଟି ଆଦିବାସୀ ଭାଇ ଭଉଣୀଙ୍କ ସମେତ ଦେଶର ୧୪୦ କୋଟି ଲୋକଙ୍କ ପାଖରେ ବିକାଶ ପହଞ୍ଚିଥାଏ। ଦୁର୍ଗମ ଅଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟରେ ଆଜି ବିକାଶ ଆଣିବାରେ ସବୁଠାରୁ ବଡ ବାଧକ ହେଉଛି ନକ୍ସଲବାଦ। ସେ କହିଛନ୍ତି ଯେ ନକ୍ସଲବାଦ ଶିକ୍ଷା, ସ୍ୱାସ୍ଥ୍ୟସେବା, ଯୋଗାଯୋଗ, ବ୍ୟାଙ୍କିଙ୍ଗ୍ ଏବଂ ଡାକ ସେବାକୁ ଗାଁ ଗାଁରେ ପହଞ୍ଚିବାରୁ ରୋକିଥାଏ। ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ଯେପରି ବିକାଶ ପହଞ୍ଚିବ ସେଥିପାଇଁ ଆମକୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପଡିବ ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନକ୍ସଲ ବିରୋଧୀ ଲଢ଼େଇରେ ବଡ଼ ସଫଳତା ମିଳିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରକୁ ସାମ୍ବିଧାନିକ ଅଧିକାରରେ ବଦଳାଇ ବାମପନ୍ଥୀଙ୍କ ହିଂସାତ୍ମକ ବିଚାରଧାରା ପରିବର୍ତ୍ତେ ବିକାଶ ଓ ବିଶ୍ୱାସର ଏକ ନୂତନ ଯୁଗ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଏବଂ ସରକାରୀ ଯୋଜନାଗୁଡ଼ିକର ଶତପ୍ରତିଶତ କାର୍ଯ୍ୟକାରିତା ସହିତ ଆମେ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରିବାକୁ ଚାହୁଁଛୁ ବୋଲି ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ।

ଅମିତ ଶାହ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଲଢ଼ିବା ପାଇଁ ସରକାର ଆଇନର ଦୁଇଟି ନିୟମ ଧାର୍ଯ୍ୟ କରିଛନ୍ତି। ପ୍ରଥମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଇନର ଶାସନ ପ୍ରତିଷ୍ଠା କରିବା ଏବଂ ବେଆଇନ ହିଂସାତ୍ମକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରିବା। ଦ୍ବିତୀୟତଃ, ଦୀର୍ଘ ନକ୍ସଲ ଆନ୍ଦୋଳନ ଯୋଗୁଁ ଯେଉଁ ସବୁ ଅଞ୍ଚଳ ବିକାଶରୁ ବଞ୍ଚିତ ହୋଇଥିଲା, ସେହି ଅଞ୍ଚଳର କ୍ଷୟକ୍ଷତିକୁ ଶୀଘ୍ର ଭରଣା କରିବା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୨୦୨୨ରେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ଜନିତ ମୃତ୍ୟୁ ସଂଖ୍ୟା ୧୦୦ ତଳେ ଥିଲା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ୨୦୧୪ରୁ ୨୦୨୪ ମଧ୍ୟରେ ନକ୍ସଲ ଜନିତ ଘଟଣାରେ ଯଥେଷ୍ଟ ହ୍ରାସ ଘଟିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ୧୪ ଜଣ ଶୀର୍ଷ ନକ୍ସଲ ନେତାଙ୍କୁ ନିପାତ କରାଯାଇଛି ଏବଂ ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ପାଇଁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଛି। ଶ୍ରୀ ଶାହା କହିଛନ୍ତି ଯେ ଏଲଡବ୍ଲୁଇ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ଅଛି ଏବଂ ମାର୍ଚ୍ଚ ୨୦୨୬ ସୁଦ୍ଧା ସମସ୍ତଙ୍କ ସହଯୋଗରେ ଦେଶ ଏହି ଦଶନ୍ଧି ପୁରୁଣା ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବୁଦ୍ଧ ପାହାଡ଼ ଓ ଚକରବନ୍ଧ ଭଳି ଅଞ୍ଚଳ ନକ୍ସଲ କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି। ଛତିଶଗଡରେ ଏଲଡବ୍ଲୁଇ କ୍ୟାଡର ସଂଖ୍ୟାର ୮୫ ପ୍ରତିଶତ ଉଚ୍ଛେଦ ହୋଇସାରିଛି ଏବଂ ଏବେ ନକ୍ସଲବାଦକୁ ଚୂଡ଼ାନ୍ତ ଝଟକା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ୨୦୧୯ ରୁ ମୋଦୀ ସରକାର ଏକ ବହୁମୁଖୀ ରଣନୀତି କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ସିଏପିଏଫ ମୁତୟନ ପାଇଁ ଶୂନ୍ୟସ୍ଥାନ ଚିହ୍ନଟ କରାଯାଇଥିଲା। ଫଳରେ ମାତ୍ର ଗୋଟିଏ ବର୍ଷରେ ୧୯୪ରୁ ଅଧିକ ଶିବିର ପ୍ରତିଷ୍ଠା କରାଯାଇ ଉଲ୍ଲେଖନୀୟ ସଫଳତା ମିଳିଥିଲା। ୪୫ଟି ଥାନା ଜରିଆରେ ସୁରକ୍ଷା ବଳୟ ପୂରଣ, ରାଜ୍ୟ ଗୁଇନ୍ଦା ଶାଖାଗୁଡ଼ିକୁ ସୁଦୃଢ଼ କରିବା ଏବଂ ରାଜ୍ୟ ସ୍ବତନ୍ତ୍ର ବାହିନୀର ଉତ୍କୃଷ୍ଟ ପ୍ରଦର୍ଶନ ଏହି ରଣନୀତିକୁ ସଫଳ କରିବାରେ ସହାୟକ ହୋଇଛି ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହେଲିକପ୍ଟର ଯୋଗାଣ ଦ୍ୱାରା ଆମ ଯବାନଙ୍କ ମଧ୍ୟରେ ମୃତାହତଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ପୂର୍ବରୁ ଜବାନମାନଙ୍କ ସେବା ପାଇଁ ମାତ୍ର ୨ଟି ହେଲିକପ୍ଟର ନିୟୋଜିତ ହୋଇଥିବା ବେଳେ ଆଜି ବିଏସଏଫର ୬ଟି ଓ ବାୟୁସେନାର ୬ଟି ହେଲିକପ୍ଟର ସମେତ ୧୨ଟି ହେଲିକପ୍ଟର କାର୍ଯ୍ୟକ୍ଷମ ରହିଛି।

ନକ୍ସଲ ମୁକାବିଲାରେ ଛତିଶଗଡ଼ ସରକାରଙ୍କ ସଫଳତାକୁ କେନ୍ଦ୍ର ଗୃହମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ୨୦୨୪ ଜାନୁଆରିରୁ ଛତିଶଗଡ଼ରେ ମୋଟ ୨୩୭ ନକ୍ସଲ ନିହତ ହୋଇଥିବା ବେଳେ ୮୧୨ ଜଣ ଗିରଫ ହୋଇଥିବା ବେଳେ ୭୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ନକ୍ସଲବାଦରେ ସଂପୃକ୍ତ ଯୁବକମାନଙ୍କୁ ହିଂସାର ମାର୍ଗ ଛାଡି ଦେଶର ବିକାଶରେ ଯୋଗଦାନ କରିବା ପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଗୃହମନ୍ତ୍ରୀ ନିବେଦନ କରିଛନ୍ତି। ଉତ୍ତର-ପୂର୍ବ, କଶ୍ମୀର ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ୧୩,୦ରୁ ଅଧିକ ଲୋକ ହିଂସା ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଶ୍ରୀ ଶାହା ନକ୍ସଲବାଦରେ ନିୟୋଜିତ ଯୁବକମାନଙ୍କୁ କହିଥିଲେ ଯେ ସମସ୍ତ ରାଜ୍ୟ ସେମାନଙ୍କ ପାଇଁ ଲାଭଦାୟକ ଥଇଥାନ ଯୋଜନା ପ୍ରସ୍ତୁତ କରିଛନ୍ତି। ନକ୍ସଲବାଦରୁ କେହି ଲାଭବାନ ହୁଅନ୍ତି ନାହିଁ ବୋଲି ଏବେ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇଛି।

ଅମିତ ଶାହ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଯୋଜନାରେ ୧୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହାକୁ ମୋଦି ସରକାର ୨୦୧୪ରୁ ୨୦୨୪ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି କରି ୩୦୦୬ କୋଟି ଟଙ୍କା କରିଛନ୍ତି। ସେ କହିଛନ୍ତି ଯେ ଏଲଡବ୍ଲୁଇ ପରିଚାଳନା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସହାୟତା ଯୋଜନା ଅଧୀନରେ ୧୦୫୫ କୋଟି ଟଙ୍କା ଦିଆଯାଇଛି। ଶ୍ରୀ ଶାହ କହିଛନ୍ତି ଯେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଏକ ନୂତନ ଯୋଜନା ଯାହା ଅଧୀନରେ ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ୩୫୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪,୩୬୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିରୁ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ୬୬ଟି ଫୋର୍ଟିଫାଏଡ୍ ଥାନା ନିର୍ମାଣ ହୋଇଥିବା ବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ୫୪୪ଟି ଫୋର୍ଟିଫାଏଡ୍ ଥାନା ନିର୍ମାଣ କରାଯାଇଛି। ୨୦୧୪ ପୂର୍ବରୁ ୧୦ ବର୍ଷରେ ୨୯୦୦ କିଲୋମିଟର ସଡ଼କ ନେଟୱାର୍କ ନିର୍ମାଣ ହୋଇଥିବା ବେଳେ ଗତ ୧୦ ବର୍ଷମଧ୍ୟରେ ଏହା ୧୪,୪୦୦ କିଲୋମିଟରକୁ ବୃଦ୍ଧି ପାଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଗତ ୧୦ ବର୍ଷ ମଧ୍ୟରେ ମୋବାଇଲ ସଂଯୋଗ ପାଇଁ କୌଣସି ପ୍ରୟାସ କରାଯାଇ ନଥିବା ବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ୬୦୦୦ ଟାୱାର ସ୍ଥାପନ କରାଯାଇଛି ଏବଂ ୩୫୫୧ଟି ଟାୱାରକୁ ୪ଜିରେ ପରିଣତ କରିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ୨୦୧୪ ପୂର୍ବରୁ ମାତ୍ର ୩୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆରଏସ୍‍) ଅନୁମୋଦନ ମିଳିଥିବା ବେଳେ ଏବେ ଗତ ୧୦ ବର୍ଷ ମଧ୍ୟରେ ୨୧୬ଟି ବିଦ୍ୟାଳୟକୁ ଅନୁମୋଦନ ମିଳିଥିବା ବେଳେ ସେଥିମଧ୍ୟରୁ ୧୬୫ଟି ଇଏମ୍ଆର୍ ସ୍କୁଲ ପ୍ରତିଷ୍ଠା ହୋଇଛି। ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ପ୍ରୟାସ ଦର୍ଶାଉଛି ଯେ ଆମେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେତେ ତୀବ୍ରତାର ସହ କାମ କରିଛୁ।

ଅମିତ ଶାହ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ୧୦ ବର୍ଷ ମଧ୍ୟରେ ୧୬,୪୬୩ ଟି ହିଂସାକାଣ୍ଡ ଘଟିଥିଲା ଯାହା ବର୍ତ୍ତମାନ ପ୍ରାୟ ୫୩% ହ୍ରାସ ପାଇ ୭୭୦୦କୁ ହ୍ରାସ ପାଇଛି। ସେହିପରି ସାଧାରଣ ନାଗରିକ ଓ ସୁରକ୍ଷା ବାହିନୀର ମୃତ୍ୟୁ ସଂଖ୍ୟା ୭୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ୯୬ଟି ଜିଲ୍ଲାରେ ହିଂସା କାଣ୍ଡ ୫୭ ପ୍ରତିଶତ ହ୍ରାସ ପାଇ ୧୬ରେ ପହଞ୍ଚିଛି। ହିଂସାକାଣ୍ଡର ସମ୍ମୁଖୀନ ହୋଇଥିବା ଥାନା ମଧ୍ୟ ୪୬୫ରୁ ୧୭୧କୁ ଖସି ଆସିଛି, ଯେଉଁଥିରୁ ୫୦ଟି ନୂଆ ଥାନା ରହିଛି। ଏହି ସଫଳତା ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମର ଫଳ ବୋଲି ଶ୍ରୀ ଶାହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ଏହାକୁ ଅଧିକ ସଂକଳ୍ପ ଏବଂ ଉତ୍ସାହ ସହିତ ଆଗକୁ ନେବାକୁ ପଡିବ।

ନକ୍ସଲବାଦ ବିରୋଧରେ ଛତିଶଗଡ଼ରେ ହାସଲ କରିଥିବା ସଫଳତା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଛତିଶଗଡ଼ ସରକାର ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ସମସ୍ତ ଜିଲ୍ଲାରେ ବିକାଶର ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି। ବ୍ୟକ୍ତିଗତ ଓ ପାରିବାରିକ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାୟ ୩୦୦ ଯୋଜନାର ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ଯୋଜନା, ଶସ୍ତାଦରରେ ଶସ୍ୟ ଓ ଔଷଧ ଯୋଗୁଁ ଏବେ ଗାଁ ଗାଁରେ ସ୍କୁଲ, ଜନସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପହଞ୍ଚିଛି।

ଅମିତ ଶାହ କହିଥିଲେ ଯେ ୨୦୧୯ ମସିହାରୁ ସୁରକ୍ଷା ଜନିତ ଅଭାବ ପୂରଣ କରିବା ପାଇଁ ୨୮୦ଟି ନୂଆ ଶିବିର ପ୍ରତିଷ୍ଠା କରାଯାଇଛି, ୧୫ଟି ନୂତନ ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯାଇଛି ଏବଂ ବିଭିନ୍ନ ରାଜ୍ୟରେ ରାଜ୍ୟ ପୋଲିସକୁ ସହାୟତା କରିବା ପାଇଁ ୬ଟି ସିଆରପିଏଫ ବାଟାଲିୟନ ମୁତୟନ କରାଯାଇଛି। ଏହା ସହ ନକ୍ସଲଙ୍କୁ ପାଣ୍ଠି ଯୋଗାଣ ରୋକିବା ପାଇଁ ଏନଆଇଏକୁ ସକ୍ରିୟ କରି ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରାଯାଇଛି, ଯାହା ଫଳରେ ସେମାନଙ୍କ ପାଇଁ ଆର୍ଥିକ ସମ୍ବଳର ଅଭାବ ଦେଖାଦେଇଛି। ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନକ୍ସଲମାନେ ଯେପରି ଘେରି ରହିବେ ସେଥିପାଇଁ ଏକାଧିକ ଦୀର୍ଘକାଳୀନ ଅପରେସନ୍ କରାଯାଇଥିଲା, ଯାହା ଫଳରେ ସେମାନଙ୍କୁ ଖସିଯିବାର କୌଣସି ସୁଯୋଗ ମିଳିନଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଫ୍ଲାଗସିପ୍ ଯୋଜନା ବ୍ୟତୀତ ମୋଦୀ ସରକାର ସଡ଼କ ଯୋଗାଯୋଗ, ଦୂରସଂଚାରରେ ଉନ୍ନତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ ଭଳି ପ୍ରମୁଖ ବିକାଶ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି, ଯାହାର ସକାରାତ୍ମକ ଫଳାଫଳ ମିଳିଛି। ସେ ଉଲ୍ଲେଖ କରିଛନ୍ତି ଯେ ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ମାଟିରୁ ‘ଧର୍ତି ଆବା ଜନଜାତିଆ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ ୧୫,୦୦୦ରୁ ଅଧିକ ଗ୍ରାମରେ ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ସଂପୃକ୍ତି ହାସଲ କରିବା ପାଇଁ ବ୍ୟକ୍ତିଗତ ସୁବିଧା ଯୋଗାଇବାରେ ଏକ ମାଇଲଖୁଣ୍ଟ ହେବ ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ପାଖାପାଖି ୧.୫ କୋଟି ଲୋକ ଉପକୃତ ହେବେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ମୋଦୀ ସରକାର ୩-ସି ଅର୍ଥାତ୍ ସଡ଼କ ସଂଯୋଗ, ମୋବାଇଲ ସଂଯୋଗ ଏବଂ ଆର୍ଥିକ ସଂଯୋଗକୁ ସୁଦୃଢ଼ କରୁଛନ୍ତି।

ନକ୍ସଲବାଦ କେବଳ ଆଦିବାସୀ ଅଂଚଳର ବିକାଶରେ ସବୁଠାରୁ ବଡ ବାଧକ ନୁହେଁ ବରଂ ମାନବିକତାର ଶତ୍ରୁ ଏବଂ ମାନବିକ ଅଧିକାରର ସବୁଠାରୁ ବଡ ଉଲ୍ଲଂଘନକାରୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ୮ କୋଟି ଲୋକଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିବା ମାନବିକ ଅଧିକାରର ବଡ଼ ଉଲ୍ଲଂଘନ ବୋଲି ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ଶାହ ଦର୍ଶାଇଥିଲେ ଯେ ନକ୍ସଲଙ୍କ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ୍ ଦ୍ୱାରା ହଜାର ହଜାର ନିରୀହ ଆଦିବାସୀ ଭାଇ ଭଉଣୀ ପ୍ରାଣ ହରାଉଛନ୍ତି ଏବଂ ନକ୍ସଲବାଦ ଯୋଗୁଁ ଏହି ଅଞ୍ଚଳରେ ବିକାଶ ଅଟକି ରହିଛି।

ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ହେଲେ ଏହି ବିପଦକୁ ସବୁଦିନ ପାଇଁ ନିପାତ କରିବା ପାଇଁ ଚୂଡ଼ାନ୍ତ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ ସମସ୍ତ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମାସକୁ ଅତି କମରେ ଥରେ ବିକାଶ ଏବଂ ନକ୍ସଲ ବିରୋଧୀ ଅଭିଯାନର ଅଗ୍ରଗତି ସମୀକ୍ଷା କରିବାକୁ ଅନୁରୋଧ କରିବା ସହ ପ୍ରତି ୧୫ ଦିନରେ ଅତି କମରେ ଥରେ ଏଭଳି ସମୀକ୍ଷା କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ।

ଅମିତ ଶାହ କହିଛନ୍ତି ଯେ ନକ୍ସଲବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଦିଗରେ ଆମକୁ କାମ କରିବାକୁ ପଡ଼ିବ। ୨୦୨୬ ଏପ୍ରିଲ ସୁଦ୍ଧା ଲୋକଙ୍କ ସାମୂହିକ ଶକ୍ତି ବଳରେ ଆମେ ଘୋଷଣା କରିପାରିବା ଯେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରି ନକ୍ସଲବାଦର ବିପଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିଛନ୍ତି। ଏହା ହାସଲ ହେଲେ ବିକାଶରେ କୌଣସି ବାଧା ସୃଷ୍ଟି ହେବ ନାହିଁ, ମାନବିକ ଅଧିକାର ଉଲ୍ଲଂଘନ ହେବ ନାହିଁ ଏବଂ ଆଦର୍ଶ ନାଁରେ ହିଂସା ହେବ ନାହିଁ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମୀକ୍ଷା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ)ର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୦ ତୁଳନାରେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି ଏବଂ ଏଲଡବ୍ଲୁଇ ଆଜି ନିଜର ଶେଷ ଲଢ଼େଇ ଲଢୁଛି। ସଶସ୍ତ୍ର ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦୨ ଜଣ ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରାଯାଇଛି, ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ୮୧୨ ଜଣଙ୍କୁ ଗିରଫ କରାଯାଇଛି। ୨୦୨୪ରେ ଏଲଡବ୍ଲୁଇ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସି ଆସିଛି।

କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟର ଦୁର୍ଗମ ଅଂଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଲଡବ୍ଲୁଇ ପ୍ରଭାବିତ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମୀକ୍ଷା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଅକ୍ଟୋବର ୭, ୨୦୨୪, ସେମାବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ)ର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୦ ତୁଳନାରେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି ଏବଂ ଏଲଡବ୍ଲୁଇ ଆଜି ନିଜର ଶେଷ ଲଢ଼େଇ ଲଢୁଛି। ସଶସ୍ତ୍ର ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦୨ ଜଣ ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରାଯାଇଛି, ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ୮୧୨ ଜଣଙ୍କୁ ଗିରଫ କରାଯାଇଛି। ୨୦୨୪ରେ ଏଲଡବ୍ଲୁଇ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସି ଆସିଛି।

କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟର ଦୁର୍ଗମ ଅଂଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଲଡବ୍ଲୁଇ ପ୍ରଭାବିତ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଛି।