Categories
ଆଜିର ଖବର ରାଜ୍ୟ ଖବର

ନୂଆପଡ଼ା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଗୁରୁତ୍ବ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ପ୍ରମୁଖ ବେଉସା ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ନୂଆପଡ଼ାଠାରେ ଏହା ପ୍ରକାଶ କରିଛନ୍ତି । ବିଶେଷ ଭାବେ ନୂଆପଡ଼ା ଜିଲ୍ଲା ଏ କ୍ଷେତ୍ରରେ ଅଧିକ ଲାଭାନ୍ୱିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମରୁଡ଼ି ପ୍ରପୀଡ଼ିତ ନୂଆପଡ଼ା ଜିଲ୍ଲାରେ ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାରେ କୃଷି, ଗମନାଗମନ, ଟେଲି ଯୋଗାଯୋଗ, ବିଦ୍ୟୁତ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ଅନେକ ବିକାଶ ହୋଇଛି ।

ବିଶେଷ ଭାବେ ସ୍ଥାନୀୟ ମୃର୍ତ୍ତିକା କପାଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୪୬ଟି କୁକୁଡ଼ା ଫାର୍ମ ଗଢ଼ି ଉଠିଥିବା ଏକ ଭଲ ଖବର ବୋଲି ସେ କହିଥିଲେ । ତା’ଛଡ଼ା ଉଦ୍ୟାନକୃଷି, ମାଛଚାଷ, ପ୍ରାଣୀପାଳନ ଆଦି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ପାଇଁ ଅର୍ଥକରୀ ବେଉସା ହୋଇପାରିବ । ସେହିପରି ସୂର୍ଯ୍ୟମୁଖୀ ଚାଷକୁ ବ୍ୟାପକ ଭାବେ କରିବା ପାଇଁ ସ୍ଥାନୀୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଉଦ୍ୟାନକୃଷି ବିଭାଗକୁ ପ୍ରବର୍ତ୍ତାଇଥିଲେ । ଏବେ ଜୈବିକ ଫସଲ ବିକ୍ରିବଟାର ଚାହିଦା ରହିଥିବା ହେତୁ ଚାଷୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାଣ୍ଡିଆ ଚାଷର ଭଲ ରେକର୍ଡ ଥିବା ହେତୁ ନୂଆପଡ଼ା ଜିଲ୍ଲାରେ ମାଣ୍ଡିଆ ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସେ ପ୍ରକାଶ କରିଥିଲେ । ବିଜୁ ଏକ୍ସପ୍ରେସ୍‌ େୱ ଜିଲ୍ଲା ପାଇଁ ବରଦାନ ପାଲଟିବ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ଗଢ଼ିଉଠିଲେ ଜିଲ୍ଲାର ଅର୍ଥନୀତିରେ ପ୍ରଭୂତ ଉନ୍ନତି ସାଧନ ହେବା ସହିତ ସ୍ଥାନୀୟ ଲୋକେ କର୍ମସଂସ୍ଥାନ ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ଏଥିପାଇଁ କେତେକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଇଡ୍‌କୋ ତରଫରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଥିବା ସେ ଦର୍ଶାଇଥିଲେ ।

ଜିଲ୍ଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଏସବୁ ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାକୁ ବାହାର ପର୍ଯ୍ୟଟକ କିପରି ଆସିପାରିବେ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ । ପତୋରା ଡ୍ୟାମ୍‌ଠାରେ ନେଚର କ୍ୟାମ୍ପ୍‌ ପ୍ରତିଷ୍ଠା ଏବଂ ତିଖାଲିଠାରେ ବୋଟିଂ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସାମ୍ବାଦିକମାନଙ୍କୁ କହିଥିଲେ । ଏଥି ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଆବଶ୍ୟକୀୟ ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ତାଙ୍କର ଗସ୍ତ କାଳରେ ସେ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣର ଅଗ୍ରଗତି ପରିଦର୍ଶନ କରିବା ସହ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ସେଠାରେ ଥିବା ୱାଚ୍‌ ଟାୱାର, ସ୍ପିଲ୍‌ୱେ, ଡ୍ୟାମ୍‌ହେଡ୍‌, ଉଦ୍ୟାନ ପ୍ରଭୃତି ବୁଲି ଦେଖିଥିଲେ । ପରେ ସେ ଖଡ଼ିଆଳ ନିକଟସ୍ଥ ବାଦୀଗାଆଁଠାରେ ନିର୍ମିତ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ । ତାଙ୍କ ଗସ୍ତ ସମୟରେ ସେ ସ୍ଥାନୀୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇଥିଲେ । ତାଙ୍କର ଏହି ଚାରିଦିନିଆ ଗସ୍ତରେ ସେ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ ଜଣ ଆକ୍ରାନ୍ତ: ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ

ଭୁବନେଶ୍ବର: ଆଜି ଗୋଟିଏ ଗାଁରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକର ଏକ ଗାଁରୁ ୨୯ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୫୬ ଟି ନମୁନା ମଧ୍ୟରୁ ୨୯ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ସିନାପାଲୀ ବିଡିଓ ଏନେଇ ସୂଚନା ଦେଇଛନ୍ତି।

ଏହା ପରେ ସମ୍ପୃକ୍ତ ଗାଁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ କହିଛନ୍ତି। ସେହି ଗାଁରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଗାଁର ସମସ୍ତ ଲୋକଙ୍କ କରୋନା ପରୀକ୍ଷା କରାଯିବ ବୋଲି ବିଡିଓ କହିଛନ୍ତି। ଏହା ସହ ଗାଁରେ ହେବାକୁ ଥିବା ବାହାଘର କାର୍ଯ୍ୟକ୍ରମ ଏବଂ ସାପ୍ତାହିକ ହାଟକୁ ମଧ୍ୟ ସରପଞ୍ଚ ବନ୍ଦ କରିଦେଇଛନ୍ତି।

ତେବେ ଏହି ଗାଁଟି ଛତିଶଗଡ ସୀମାକୁ ଲାଗିଥିବାରୁ ଏତେ ମାତ୍ରାରେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ପରେ ଏବେ ନୂଆପଡା, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ ନୂଆପଡା

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରୁଛନ୍ତି। ସେ ସକାଳୁ ହେଲିକାପ୍ଟରରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଖଡିଆଳସ୍ଥିତ ରାଜା ଆତ୍ରତ୍ରାଣ ହାଇସ୍କୁଲ ପଡିଆରେ ଓହ୍ଲାଇବେ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ସେ ନୂଆପଡାର ବହୁ ପ୍ରତିକ୍ଷିତ ଲୋୟାର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଦ୍ବାରା ନୂଆପଡାର 13 ହଜାର ଏବଂ ବଲାଙ୍ଗିରର 16 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ମିଳିବ।

ଏଥିସହିତ ମୁଖ୍ୟମନ୍ତ୍ରୀ ନୂଆପଡା ପାଇଁ ପ୍ରାୟ 4 ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ। ଏଥିସହିତ ନୂଆପଡା ଏସଏଚଜି ମା ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ନବୀନ ଖଡିଆଳ ହାଇସ୍କୁଲ ପଡିଆରେ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ନିକଟରେ ନବୀନ କଳାହାଣ୍ଡି ଗସ୍ତ କରି ସେହି ଜିଲ୍ଲା ପାଇଁ ପ୍ରାୟ ଦୁଇ ହଜର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନୂଆପଡା ଜିଲ୍ଲାର ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀ ମୃତ: ତିନି ଦିନ ପୂର୍ବରୁ ନେଇଥିଲେ କରୋନା ଟିକା

ଭୁବନେଶ୍ବର: କରୋନା ଟିକା ନେବାର ତିନି ଦିନ ପରେ ରାଜ୍ୟର ଜଣେ ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତ ସ୍ଵାସ୍ଥ୍ୟକର୍ମୀଙ୍କ ଘର ନୂଆପଡା ଜିଲ୍ଲାର ବୋଲି ଜଣାପଡିଛି। ସେ ୨୩ ଜାନୁୟାରୀରେ କରୋନା ଟିକା ନେଇଥିଲେ। ତାଙ୍କର ଆଜି ସକାଳେ ସମ୍ବଲପୁରର ଭୀମସାର ହସ୍ପିଟାଲରେ ମୃତ୍ୟୁ ହୋଇଛି। କିନ୍ତୁ ଟିକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  କୁହାଯାଇଛି। ଏହାସହିତ କରୋନା ଟିକା ନେଇଥିବା ଆଉ ଦୁଇଜଣ ସ୍ଵାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡିଥିବା ଖବର ମିଳୁଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲାର ଜଣେ ୨୪ ବର୍ଷିୟା ମହିଳା ଏବଂ ଝାରସୁଗୁଡା ଜିଲ୍ଲାର ଜଣେ ୨୩ ବର୍ଷୀୟ ପୁରୁଷ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।