Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟେକ୍‌ନୋଲୋଜି’ ଉପରେ ନୂଆ ପାଠ୍ୟକ୍ରମ, ବିଶ୍ୱସ୍ତରୀୟ କ୍ୟାରିୟର ସୁଯୋଗ

ଭୁବନେଶ୍ୱର: ଆଜି ସହର ତଥା ମହାନଗରଗୁଡ଼ିକରେ ବଡ଼ ବଡ଼ ଆପାର୍ଟମେଣ୍ଟ, ବହୁତଳବିଶିଷ୍ଟ ଆଧୁନିକ କାର୍ଯ୍ୟାଳୟ, ବିସ୍ତୃତ ବିମାନବନ୍ଦର, ମଲ୍ ଏବଂ ବିଭିନ୍ନ ସର୍ବସାଧାରଣ ସ୍ଥଳ ପାଇଁ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ଏକ ଆବଶ୍ୟକତାରେ ପରିଣତ ହୋଇଛି। ଏହି ବହୁତଳ କୋଠାଗୁଡ଼ିକରେ ଲୋକମାନଙ୍କ ଯିବାଆସିବା ଏବଂ ଜିନିଷପତ୍ର ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏଥିପାଇଁ ସାରା ବିଶ୍ୱରେ ଏଲିଭେଟର, ଏସ୍କାଲେଟର ଓ ଟ୍ରାଭେଲେଟର ପରି ଆଧୁନିକ ଯନ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି । ତା’ ସାଙ୍ଗକୁ ଏସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ବଢୁଛି ।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଫଳରେ ଓଡ଼ିଶା ସରକାରଙ୍କ ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ ପରିକଳ୍ପନା ଅଧୀନରେ ରାଜ୍ୟର ଯୁବବର୍ଗଙ୍କୁ ଏହି ଅତ୍ୟାଧୁନିକ ବିଷୟରେ ତାଲିମ ଦେଇ ସେମାନଙ୍କୁ ବିଶ୍ୱସ୍ତରୀୟ କ୍ୟାରିୟର ଗଢ଼ିବା ଲାଗି ପ୍ରସ୍ତୁତ କରାଯିବ ।

୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଥିବା ଏହି ନୂତନ ପାଠ୍ୟକ୍ରମର ନାଁ ରହିଛି ‘ଆଡ୍‌ଭାନ୍ସଡ୍ ସାର୍ଟିଫିକେଟ୍ ଇନ୍ ଫ୍ୟାସିଲିଟି ଟେକ୍‌ନୋଲୋଜି (ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌)’ । ସିଙ୍ଗାପୁର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ ଏଜୁକେସନର (ଆଇଟିଇଇଏସ୍‌) ତତ୍ତ୍ୱାବଧାନରେ ଏହି ପାଠ୍ୟକ୍ରମର ପରିକଳ୍ପନା କରାଯାଇଛି । ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ବୈଷୟିକ ଶିକ୍ଷା ଓ ତାଲିମ ଦିଆଯିବ । ଫଳରେ ସେମାନେ ଆଧୁନିକ ଲିଫ୍ଟ ଓ ଏସ୍କାଲେଟରର ସ୍ଥାପନା, ତାହାକୁ କାର୍ଯ୍ୟକ୍ଷମ କରିବା, ରକ୍ଷଣାବେକ୍ଷଣ, ମରାମତି ଓ ଯାଂଚ ଆଦି କାର୍ଯ୍ୟ କରିବାରେ ସକ୍ଷମ ହେବେ । ଏହା ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତିର ସୁଯୋଗ ଆଣିଦେଇପାରିବ ।

ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ଏହି ୧ ବର୍ଷିଆ ପାଠ୍ୟକ୍ରମ ପାଇଁ ଆଇଟିଆଇ (୨ବର୍ଷିଆ) କିମ୍ବା ପଲିଟେକ୍‌ନିକ୍‌ରେ ଡିପ୍ଲୋମା କରିଥିବା ଓଡ଼ିଶାର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏଠାରେ ଜୀବନ୍ତ ମଡେଲ ଜରିଆରେ ସିମୁଲେସନ ସହିତ ଭର୍ଟିକାଲ ଟେକ୍ନେଲୋଜିର ବିଭିନ୍ନ ଦିଗ ଉପରେ ଶିକ୍ଷା ଓ ତାଲିମ ଦିଆଯିବ । ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି । ଫଳରେ ଏହା ଏସ୍କାଲେଟର, ଏଲିଭେଟର ଏବଂ ଅନୁରୂପ ଯନ୍ତ୍ରର ସ୍ଥାପନା ଓ କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ତାଲିମ ଦେବାରେ ବିଶେଷ ସହାୟକ ହେବ ।

ଏଭଳି ସମସାମୟିକ ପାଠ୍ୟକ୍ରମ ଆରମ୍ଭ କରିବା ସହ ଅତ୍ୟାଧୁନିକ ଲାବୋରେଟୋରିର ସମନ୍ୱୟ ଫଳରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଆଜି ଦେଶରେ ପ୍ରଥମ କହିଲେ ଭୁଲ ହେବନାହିଁ ।

ବୈଷୟିକ ପାଠ୍ୟକ୍ରମ ସହିତ ଏଠାରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ବିକାଶ, ଡିଜାଇନ୍ ଥିଙ୍କିଙ୍ଗ୍‌, ଉଦ୍ୟୋଗ ବିକାଶ, କ୍ରୀଡ଼ା ଏବଂ ସୁସ୍ୱାସ୍ଥ୍ୟ ଆଦି ବିଷୟକୁ ନେଇ ବିଶେଷ ଜୀବନ କୌଶଳ ତାଲିମ ମଧ୍ୟ ଦିଆଯାଉଛି ।

ସେହିପରି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଏବଂ ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ’ ଜରିଆରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସ୍ତରରେ ତାଲିମ ଓ କାମ କରିବାର ସୁଯୋଗ ଦେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର । ଫଳରେ ବିଶ୍ୱସ୍ତରୀୟ ଅଭିଜ୍ଞତା ହାସଲ କରି ସେମାନେ ନିଜ କ୍ୟାରିୟରକୁ ନୂଆ ଦିଗ ଦେଇପାରୁଛନ୍ତି ।

ଚଳିତ ଶିକ୍ଷାବର୍ଷ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପ୍ରକ୍ରିୟା ଜାରି ରହିଛି । ଏହାର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଅନ୍‌ଲାଇନ୍ ପ୍ରବେଶିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଅକ୍ଟୋବର ୯ରୁ ୧୨ ତାରିଖ ମଧ୍ୟରେ କାଉନସେଲିଂ କରାଯିବ । ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍‌, ଦୁଇଟି ବିଭାଗ ଅଧୀନରେ ଏଠାରେ ମୋଟ ୭ଟି ବିଷୟକୁ ନେଇ ନୂଆ ସେସନ୍ ଆରମ୍ଭ ହେବାକୁ ଯାଉଛି ।

Categories
ବିଶେଷ ଖବର

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ: ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ ୩ଶହ କୋଟି

ଭୁବନେଶ୍ବର: Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବର ଘାଟିକିଆ ଠାରେ ଥିବା Odisha University of Technology & Research ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଭାବରେ ପରିଚିତ ଥିବାବେଳେ ଏବେ ଏହା OUTR ବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା।

କଲେଜରୁ ବିଶ୍ବବିଦ୍ୟାଳୟ ହେବାପରେ ଏହାର ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଆଇ ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି OUTR ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଭିତ୍ତିଭୂମିର ବିକାଶ ସମ୍ପର୍କ ରେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ୨ରୁ ୩ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।

ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି।

OUTRକୁ ଗସ୍ତ ସମୟରେ ୫-ଟି ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରୀ ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼ବ୍ୟାକ ନେଇଥିଲେ। ୫-ଟି ସଚିବଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜ ଶିକ୍ଷାନୁଷ୍ଠାନର ଉନ୍ନତି ବିଷୟରେ ଜାଣି ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଇଞ୍ଜିନିଅରିଂ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହେବେ।

କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରିକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏବେ ବିଶ୍ବବିଦ୍ଯାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।